ଗଛ ଲଗା ପାଇଁ ଲକ୍ଷ ଲକ୍ଷ, ଗଛ ଜଗା ପାଇଁ ଲକ୍ଷ ଲକ୍ଷ
ଲକ୍ଷ ଟଙ୍କାର ଲକ୍ଷ ହାସଲରେ, କଟାଳୀ ବି ବେଶ୍ ଦକ୍ଷ ।
କିଏ ଦେଖୁ ନାହିଁ ଦିଗନ୍ତ ବିସ୍ତାରୀ ଜଙ୍ଗଲ ହେଉଛି ନାଶ,
କିଏ ଜାଣି ନାହିଁ ଉଦ୍ଭିଦ ବିନା ଏ ଦୁନିଆର ସର୍ବନାଶ ।
ଉଦାସ ଶାସନ କଳ ଆଉ ମାନେ ହୀନବଳ
ହାତ ପାଣି ବହିଯାଏ କହୁଣିକି ପହଞ୍ଚେ ବିନାଶ କାଳ ।
ବୃକ୍ଷର ରୋପଣ ହୁଏ ଅକାରଣେ ଯଦି ତା ରକ୍ଷଣ ନାହିଁ
ଗଛ ନ ବଢ଼ୁଣୁ ଖଣ୍ଟ ହାଣି ନିଏ ଜଗୁଆଳି ଥିଲେ ଚାହିଁ ।
ଧିକ ଅଧିକାରୀ ଗଣ ଧିକ ତୁମ ପ୍ରଶାସନ
ତୁମ ପରେ ଯିଏ ଭରସା କରିଲା ଅକାଳେ ଗଲା ତା ପ୍ରାଣ ।
କୁହନି ହେ ଅଧିକାରୀ ମହୋଦୟ ତୁମ ବାଡ଼ିରୁ ବା କିଏ
ଦିନରେ ହେଉ କି ରାତିରେ ବି ହେଉ କାଟିନେବ ଗଛଟିଏ ।
ଏ ତ ସରକାରୀ ଧନ ତେଣୁ ନ ଲାଗଇ ମନ
କୁହ ତେବେ ଦେଶ କିପରି ବଞ୍ଚିବ ତୁମେ ଯଦି ଅଚେତନ ।
ଲଗାଇବା ପାଇଁ ଜଗାଇବା ପାଇଁ କାହିଁକି ଏତେ ଖରଚ
ଯେତିକି ଲାଗିଲା ମନେକର ତାକୁ ଆପଣା ବାଡ଼ିର ଗଛ ।
ତେଣିକି ସମସ୍ତେ ଭଲ ଆଇନି ସାଥିରେ ଗେଲ
ନ ହୋଇବେ କେହି, ଦାଦାଗିରୀ କଲେ ନ ମିଳିବ ଆଉ ବେଲ୍ ।
ଜଙ୍ଗଲରେ ଜଦି ବାଘ ବୁଲୁଥାଏ ହରିଣ ଲୁଚନ୍ତି କୋଣେ
ନିରାପଦେ ଗଛ କୁଆଁ ମେଲୁଥାଏ ସବୁଜ ଗହନ ବନେ ।
ବାଘ ନ ଥିଲେ ମିରିଗ ନାଚ ଦେଖ କେଡେ଼ ବାଗ
ସେହି ପରି ତୁମେ ସେହିପରି ଆମ ବୃକ୍ଷ ଚ୍ଛେଦନ ଯାଗ ।
