ଜାଣେ ଜାଣେ, ମୋ କବିତା ତମ ସମୁଦୁଣୀ
ସେ ପାଇଁ ଈର୍ଷାରେ ଜଳ ତୁମେ
ମୋ ସାଙ୍ଗେ ତା ଭାବ ପୀରତିର ବେଳେ ।
ବୁଝନା, କି ବୁଝିବାକୁ ଚେଷ୍ଟା ବି କରନା ତମେ
ସେ ପରା ସଜା ହୁଏ, ମୁଁ ହଜିଗଲେ ତୁମ ମଦିରାରେ
ସେ ପରା ଗଢ଼ା ହୁଏ ତମ ଉପମାରେ
ତମ ଉତ୍ତେଜନାର ରଙ୍ଗରେ ରୂପରେ
ତମେ ତାକୁ ହତାଦର କର ବୋଲି
ତା ଦୁଃଖ- ମୋ ଦୁଃଖ ଯୋଡ଼ି ହେଇ
ଭିଜିଯାଏ ଦୀପର ସଳିତା ।
ତମେ କଣ ଚାହଁ ସତେ
ଲିଭି ଲିଭି ଯାଉ ତାର ମୁହଁ
ଲୁଚି ଲୁଚି ରହୁ ସିଏ କବାଟ କୋଣରେ
ତମ ଶୋଇବା ଘରର
ଚୌକାଠ ସେପଟେ ।
ନା, ତମେ ଚାହଁ ସିଏ ଗଢ଼ା ହେଉ
ଆଉ କେଉଁ ଲଳନାର ଉତ୍ସାହରେ
ପ୍ରେମ-ପ୍ରୀତି ଅବା ଉପମାରେ
ସଜା କଣ ହେଉ ସିଏ ତମ ଛଡ଼ା
ଆଉ କାହା ରଙ୍ଗରେ ରୂପରେ !
କେବେ ଯେ ବୁଝିବ ତମେ
ତମେ ତାର ଏକାନ୍ତ ନିଜର
ତମ ବିଭବ ସବୁରେ ଗଢ଼ା
ତମ ପୀରତି ରଙ୍ଗରେ ସଜା
ତମ ଆସିବାର ଆଗୁ ସିଏ ଅଛି –
ପାଦରେ ଅଳତା ମାଖି
ତମ ଅବାହନୀ ପାଇଁ ପ୍ରତୀକ୍ଷା କରିଛି ।
ତମେ ତ ଦ୍ଵିତୀୟା ସତରେ ମୋର
କାୟା ମାତ୍ର, ତାର ପ୍ରତିଚ୍ଛବି
ଏବେ ତମ ପାର୍ଥିବ ମାୟାରେ ହଜେ
ମୋ ପ୍ରଥମା, ମୁଁ ଆଉ ତମର ପୀରତି
ଆଶ୍ରା ପାଇଁ – ଅମା ଅନ୍ଧାରରେ
ତାକୁ ହିଁ ମୁଁ ଖୋଜୁଛି ତମଠି ।
ବୁଝ, କି ନ ବୁଝ ତମେ – ଚାହଁ କି ନ ଚାହଁ
ସେ ତା ରହିବ ତମ ସହ, ମୋ ସହ
ଯେତେ ଦିନ ତମେ ଥିବ, ମୁଁ ଥିବି
ଏମିତିକି ସେ ହୁଏତ ରହିଥିବ
ତମ ପରେ, ମୋ ପରେ
ଆମ ଅବର୍ତ୍ତମାନରେ ।
