ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ,
ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ
ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ,
ବେଳେବେଳେ ଆବାକ୍ ରହିଯାଉଥିଲି ମୁଁ,
ତୋ ନିଃଶବ୍ଦ ପ୍ରତିଉତ୍ତରରେ ।
ତେବେ ଆଜି କାହିଁ ଶିଥିଳ ପଡ଼ିଛୁ,
କେଉଁଠି ହଜିଛି ତୋ ପ୍ରଖରତା, ତୀବ୍ରତା,
ମୁଁ ସିନା ଅସହାୟ, ଅଚଳ, ଶଯ୍ୟାଶାୟୀ,
କିନ୍ତୁ ତୁ ଯେ ଚିର-ଧାବକ,
ବାଧ୍ୟନୁହେଁ ମଳିନ ପଡ଼ିବାକୁ ଦୁଃର୍ଭାଗ୍ୟର ବାହୁବଳେ ,
କି ଶରଣି ଯିବାକୁ ଘନ ବାଦଲ ତଳେ ।
ରେ ସମୟ, ତୁ ପୁଣି ଧାଇଁଯା
ଘଣ୍ଟାକୁ ମିନିଟ୍, ମିନିଟ୍କୁ ସେକେଣ୍ଡ,
ଦିବାକୁ ପାହାନ୍ତି, ନିଶିକୁ ସାନ୍ଧ୍ୟ ରୂପ ଦେଇ
ବୋହିନେ ମତେ ତୋ ସାଥେ
ମିଶିଯିବାକୁ ଦେ ଏ ପାଦ ତୋ ଛାୟା ପଥେ
କଟିଯିବାକୁ ଦେ ଦୀର୍ଘକାଳ ଅବଧି
କ୍ଷଣିକ ଅନ୍ତରାଳଟେ ହୋଇ ।
ମତେ ଯେ ଫେରିବାକୁ ଅଛି
ପୁଣି ସେଇ ଧାଁ, ଧପଡ଼ର ଜୀବନକୁ,
ଯୋଉଠି ଅପେକ୍ଷାରତ ମୋ କୁନି ତାରା
ହୃଦୟ ତା ବ୍ୟାକୁଳ ମୋ କୋଳେ ଝୁଲିଯିବାକୁ,
ପଣତ ଉଆଡ଼େ ଲୁଚିଯିବାକୁ ,
ନୟନେ ତା’ ପ୍ରତୀକ୍ଷା କେବଳ ମୋ ଆଗମନକୁ ।
