ସମୟର କଳାପଟାରେ
ଜିଇଁବାର ଅଙ୍କ କଷୁକଷୁ
ବେଳ ଅବେଳରେ
ଅଭେଦ୍ୟ ପାଚେରି ପରି
ମୁଣ୍ଡ ଟେକି ଠିଆ ହୋଇଯାଏ
ଗୋଟି ଗୋଟି କରି…
ଜୀବନ ଉପାପାଦ୍ୟ !
ବିବେକର ସଫେଦ ଫର୍ଦ୍ଦରେ
ଭାଗ୍ୟର କଲମ ଧରି …
କର୍ମର ଜ୍ୟାମିତି ପୃଷ୍ଠାରେ
ଯେତେ ବିନ୍ଦୁ, ସମତଳ, ତ୍ରିଭୁଜ
ଆଉ ଚତୁର୍ଭୁଜ ଆଙ୍କିଲେ ବି
ହୃଦୟର ରଫ୍ଖାତାରେ
ଲମ୍ବିଯାଇଥାଏ ଦୁଃଖ :
ଦିଗଦିଗନ୍ତହୀନ ସରଳ ରେଖା ପରି !!!
ତଥ୍ୟ, ତତ୍ତ୍ୱ ଆଉ ସ୍ଵୀକାର୍ଯ୍ୟର
ଆଶ୍ରାବାଡ଼ି ଧରି,
ଜୀବନକୁ ସାମ୍ନା କଲାବେଳେ
ଅନୀତି, ଦୂର୍ନିତୀ, କୂଟନୀତି
ଆଉ ଭ୍ରଷ୍ଟ ରାଜନୀତିର
ଦୁର୍ବାର ଯୁଦ୍ଧରେ,
ବାରବାର ବିବଶ, ବିବସ୍ତ୍ର ହୋଇ
ହାରିଯାଏ ସବୁ ଆଶା ଆଶ୍ୱାସନା
ଆଉ ସ୍ବପ୍ନ ସମ୍ଭାବନାର ସାମାନ୍ୟ କଥନ ।
ବିଶ୍ବାସ ଉପରେ ବିଶ୍ବାସକୁ ଲଦି
ବିନ୍ଦୁ ପରେ ବିନ୍ଦୁକୁ ଯୋଡ଼ି
ଧୈର୍ଯ୍ୟର କଣ୍ଟକିତ ପଥରେ
ସ୍ୱପ୍ନର ଯେତେ ଜୀବନବୃତ୍ତ
ଆଙ୍କି ଚାଲିଲେ ବି
ଭାଗ୍ୟର ଚରାଭୂଇଁ ପରେ
ମାଡ଼ିଯାଏ ବାଲିଚର
ଭାଙ୍ଗିଯାଏ ମେରୁଦଣ୍ଡ
ଧସିଯାଏ ଛାତିର ପଞ୍ଜରାହାଡ଼
ଫିକା ପଡ଼ିଯାଏ ଜୀବନ ରଙ୍ଗ
ବଦଳିଯାଏ ଜିଇଁବାର ସଂଜ୍ଞା ;
ଆଉ ଜୀବନଟା ପାଲଟି ଯାଏ
ଖାଲି ଅଙ୍କାବଙ୍କା …
ଲକ୍ଷହୀନ ବକ୍ରରେଖା !
