ରେ ଆତ୍ମନ

ନିଶ୍ଚଳ ତତ୍ତ୍ୱେ ଜୀବନ ମୁକ୍ତି

Pradipta Sundar Moharana's odia re atman article Nischala Tattwe Jeebana Mukti Part One

ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ଯଦି ସେ ପ୍ରତି ଜନ୍ମରେ ନୂତନ ଆତ୍ମାର ସିଦ୍ଧାନ୍ତକୁ ଗ୍ରହଣ କରୁଥାଆନ୍ତି, ତେବେ ମଧ୍ୟ ଶୋକ କରିବାର କୌଣସି କାରଣ ନାହିଁ । କାହିଁକି ଜଣେ ଶୋକ କରିବା ଉଚିତ ନୁହେଁ, ସେହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି ।

ପୂର୍ବରୁ

ବୈଦିକ ନ୍ୟାୟ ଦର୍ଶନ ପୁନର୍ଜନ୍ମର ତଥ୍ୟ ପ୍ରମାଣିତ କରିବା ପାଇଁ ଏହି ତର୍କ ଉପସ୍ଥାପନ କରିଥାଏ:

ଜାତସ୍ୟ ହର୍ଷଭୟଶୋକ ସମ୍ପ୍ରତିପତ୍ତେଃ ।

(୩.୧.୧୮)

ଏଥିରେ କୁହାଯାଇଛି ଯେ ଆମେ ଯଦି କୌଣସି ନବଜାତ ଶିଶୁକୁ ଲକ୍ଷ୍ୟ କରିବା, ତେବେ ଆମେ ଦେଖିପାରିବା କୌଣସି କାରଣ ନ ଥାଇ ପିଲାଟି ବେଳେବେଳେ ହସୁଛି, ବେଳେବେଳେ ଦୁଃଖିତ ହେଉଛି ଏବଂ ବେଳେବେଳେ ଭୟଭୀତ ହୋଇଯାଉଛି । ନ୍ୟାୟ ଦର୍ଶନ ଅନୁସାରେ ପିଲାଟି ତା’ର ପୂର୍ବଜନ୍ମକୁ ସ୍ମରଣ କରି ଏହି ସବୁ ପ୍ରତିକ୍ରିୟା ପ୍ରକାଶ କରୁଛି । ଯେତେବେଳେ ସେ ବଡ଼ ହୁଏ, ଏହି ଜନ୍ମର ଘଟଣାବଳୀ ସବୁ ମନରେ ଏତେ ପ୍ରବଳ ଛାପ ପକାଏ ଯେ ତାହା ପୁନର୍ଜନ୍ମର ସମସ୍ତ ସ୍ମୃତିକୁ ଭୁଲାଇଦିଏ । ତାଛଡ଼ା ମୃତ୍ୟୁ ଓ ଜନ୍ମର ପ୍ରକ୍ରିୟା ଏତେ କଷ୍ଟ ଦାୟକ ହୋଇଥାଏ ଯେ, ତାହା ପୂର୍ବଜନ୍ମର ଅଧିକାଂଶ ସ୍ମୃତିକୁ ଲିଭାଇଦିଏ ।

ନ୍ୟାୟ ଦର୍ଶନ ପୁନର୍ଜନ୍ମ ସପକ୍ଷରେ ଅନ୍ୟ ଏକ ଯୁକ୍ତି ଉପସ୍ଥାପନ କରେ: ସ୍ତନ୍ୟାଭିଲାଷାତ୍ (୩.୧.୨୧) । ଏହା ଅନୁଯାୟୀ, ନବଜାତ ଶିଶୁର ଭାଷା ଜ୍ଞାନ ନଥାଏ । ତା’ହେଲେ ମା’ କିପରି ତା’ର ସ୍ତନକୁ ଶିଶୁର ପାଟିରେ ପୁରାଇ ସ୍ତନପାନ କରିବାକୁ ଶିଖାଇବ? କିନ୍ତୁ ଏହି ନବଜାତ ଶିଶୁଟି ତା’ର ଅଗଣିତ ପୂର୍ବଜନ୍ମରେ, ଏପରିକି ପ୍ରାଣୀ ରୂପରେ, ସ୍ତନ, ପହ୍ନା ଆଦିରୁ ଅଗଣିତ ମା’ଙ୍କ ଠାରୁ ସ୍ତନପାନ କରିଛି । ତେଣୁ ଯେତେବେଳେ ମା’ ତା’ର ସ୍ତନ ଶିଶୁର ପାଟିରେ ଦିଏ, ସେ ତା’ର ପୂର୍ବ ଅଭ୍ୟାସ ଅନୁସାରେ ପାନ କରିବାକୁ ଲାଗେ ।

ପୁର୍ନଜନ୍ମର ତର୍କକୁ ଗ୍ରହଣ ନ କଲେ ମନୁଷ୍ୟମାନଙ୍କ ମଧ୍ୟରେ ଦେଖାଯାଉଥିବା ସବୁ ପାର୍ଥକ୍ୟ ଅବୋଧ୍ୟ ଓ ଅଯୌକ୍ତିକ ମନେ ହେବ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ । ସେ ଯଦି ପଚାରିବେ ତାଙ୍କୁ କାହିଁକି ଏମିତି ଦଣ୍ଡ ମିଳିଲା, ଆମେ ତାଙ୍କୁ କ’ଣ ଉତ୍ତର ଦେବା ? ଆମେ ଯଦି କହିବା ଏହା ତା’ର କର୍ମର ଫଳ ଅଟେ, ସେ ଯୁକ୍ତି କରିପାରନ୍ତି ଯଦି ଏହି ଜନ୍ମଟି ହିଁ ତାଙ୍କର ଏକମାତ୍ର ଜନ୍ମ ଅଟେ, ତେବେ ଜନ୍ମ ସମୟରେ ସେ ଏପରି କେଉଁ କର୍ମ କରିଥିବେ ଯାହାର ପରିଣାମ ସ୍ୱରୂପ ତାଙ୍କୁ ଏହି ଦଣ୍ଡ ମିଳିବ ? ଯଦି ଆମେ କହିବା ଏହା ଭଗବାନଙ୍କର ଇଚ୍ଛା ଥିଲା, ତାହା ମଧ୍ୟ ଅଯୌକ୍ତିକ ହେବ । କାରଣ ଭଗବାନ ଅକାରଣ କରୁଣ ଅଟନ୍ତି, ତେଣୁ ସେ ବିନା କାରଣରେ କାହାକୁ କାହିଁକି ଅନ୍ଧ କରିବେ ? ଏହାର ତାର୍କିକ ଉତ୍ତର ଏହିପରି ହୋଇପାରେ ଯେ ତାଙ୍କର ପୂର୍ବଜନ୍ମର କର୍ମର ଫଳସ୍ୱରୂପ ସେ ଅନ୍ଧ ଭାବରେ ଜନ୍ମ ଗ୍ରହଣ କରିଛନ୍ତି । ଅତଏବ, ସାଧାରଣ ତର୍କ ଦୃଷ୍ଟିରୁ ଏବଂ ଶାସ୍ତ୍ରବାଣୀ ଅନୁସାରେ ଆମକୁ ପୂର୍ବଜନ୍ମର ତର୍କକୁ ଗ୍ରହଣ କରିବାକୁ ପଡ଼ିବ । ତେବେ ଜୀବାତ୍ମା ଓ ପରମାତ୍ମା କ’ଣ ଏକ ଓ ଅଭିନ୍ନ ?

ଅହମାତ୍ମା ଗୁଡ଼ାକେଶ ସର୍ବଭୂତାଶୟସ୍ଥିତଃ ।
ଅହମାଦିଶ୍ଚ ମଧ୍ୟଂ ଚ ଭୂତାନାମନ୍ତ ଏବ ଚ ।।୨୦।।

(ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରେ । ମୁଁ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟେ ।)

ଶ୍ରୀକୃଷ୍ଣ ଏଠାରେ ଘୋଷଣା କରୁଛନ୍ତି ଯେ, ସେ ଜୀବ ଠାରୁ ଦୂରରେ ନାହାଁନ୍ତି – ବାସ୍ତବରେ ସେ ନିକଟତମ ଠାରୁ ନିକଟରେ ଅଛନ୍ତି । ସନାତନ ଆତ୍ମା ଜୀବର ହୃଦୟ ଆକାଶରେ ଅବସ୍ଥାନ କରନ୍ତି ।

ବେଦ କହେ: ଯ ଆତ୍ମନି ତିଷ୍ଠତି “ଭଗବାନ ଆମ ଆତ୍ମାରେ ଅବସ୍ଥାନ କରନ୍ତି ।”ଭିତରେ ରହି ସେ ଆତ୍ମାକୁ ଚୈତନ୍ୟତା ଏବଂ ନିତ୍ୟତା ପ୍ରଦାନ କରିଥାଆନ୍ତି । ସେ ଯଦି ନିଜର ଶକ୍ତିକୁ ବିଯୁକ୍ତ କରିଦେବେ ତା’ହେଲେ ଆତ୍ମା ସ୍ୱୟଂ ଜଡ଼ ହୋଇ କ୍ଷୟ ହୋଇଯିବ । ଆମେସବୁ ଜୀବ ନିତ୍ୟ ଚେତନ ଅଟୁ, କିନ୍ତୁ ନିଜ ଶକ୍ତି ବଳରେ ନୁହେଁ; ପରମ ଚେତନ ଓ ପରମ ଅନାଦି ଭଗବାନ ଆମ ଭିତରେ ରହି ଏହି ଶକ୍ତି ଆମକୁ ପ୍ରଦାନ କରିଥାଆନ୍ତି । ତେଣୁ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସମସ୍ତଙ୍କ ହୃଦୟରେ ସେ ନିବାସ କରନ୍ତି ।

ଆମର ଆତ୍ମା ଭଗବାନଙ୍କର ଶରୀର ଅଟେ, ଯିଏ ଆତ୍ମାର ଆତ୍ମା ଅଟନ୍ତି । ଭାଗବତ କହେ:

ହରିର୍ହି ସାକ୍ଷାଦଭଗବାନ ଶରୀରିଣାମାତ୍ମା ଝଷାଣାମିବ ତୋୟମୀପ୍‌ସିତମ୍

(୫.୧୮.୧୩)

“ଭଗବାନ ସମସ୍ତ ପ୍ରାଣୀଙ୍କର ଆତ୍ମାର ଆତ୍ମା ଅଟନ୍ତି ।” ପୁଣି ଭାଗବତରେ, ଶୁକଦେବ ଯେତେବେଳେ ଏକଥା କହିଲେ ଯେ ଗୋପୀମାନେ ସେମାନଙ୍କର ସନ୍ତାନମାନଙ୍କୁ ଛାଡ଼ି ବାଳକୃଷ୍ଣଙ୍କର ଦର୍ଶନ କରିବାକୁ ଯାଉଥିଲେ, ସେତେବେଳେ ପରିକ୍ଷୀତ ପ୍ରଶ୍ନ କରିଥିଲେ:

ବ୍ରହ୍ମନ୍ ପରୋଦ୍‌ଭବେ କୃଷ୍ଣେ ଇୟାନ୍ ପ୍ରେମା କଥମ୍ ଭବେତ୍

(୧୦.୧୪.୪୯)

ହେ ମୁନିବର ! ସଂସାରରେ ସବୁ ମା’ଙ୍କର ଆସକ୍ତି ସେମାନଙ୍କ ସନ୍ତାନମାନଙ୍କ ପ୍ରତି ରହିଥାଏ । ଗୋପୀମାନଙ୍କର ନିଜ ସନ୍ତାନ ଅପେକ୍ଷା ଅଧିକ ଆସକ୍ତି ଶ୍ରୀକୃଷ୍ଣଙ୍କ ପ୍ରତି ରହିଥିଲା କିପରି ? ଶୁକଦେବ ଉତ୍ତର ଦେଉଛନ୍ତି:

କୃଷ୍ଣମେନମବେହି ତ୍ୱମାତ୍ମାନମଖିଲାତ୍ମନାମ୍

(ଭାଗବତମ୍ ୧୦.୧୪.୫୫)

“ଭଗବାନ ଶ୍ରୀକୃଷ୍ଣ ବିଶ୍ୱର ସମସ୍ତ ପ୍ରାଣୀଙ୍କର ପରମ ଆତ୍ମା ଅଟନ୍ତି । ଜୀବ କଲ୍ୟାଣ ଉଦ୍ଦେଶ୍ୟରେ, ସେ ନିଜର ଯୋଗମାୟା ଶକ୍ତି ବଳରେ ମନୁଷ୍ୟ ରୂପରେ ଆବିର୍ଭୂତ ହୋଇଛନ୍ତି ।”

ଶ୍ରୀକୃଷ୍ଣ ପୁଣି କହୁଛନ୍ତି ଯେ, ସେ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟନ୍ତି । ସେମାନେ ତାଙ୍କଠାରୁ ଉତ୍ପନ୍ନ ହୋଇଛନ୍ତି, ତେଣୁ ସେ ତାଙ୍କର ଆଦି ଅଟନ୍ତି । ସୃଷ୍ଟିର ସମସ୍ତ ଜୀବନ ତାଙ୍କ ଶକ୍ତି ଦ୍ୱାରା ସ୍ଥିତ, ତେଣୁ ସେ ସେମାନଙ୍କର ମଧ୍ୟ ଅଟନ୍ତି । ମୁକ୍ତି ଲାଭ କରି ଜୀବ ତାଙ୍କର ଦିବ୍ୟ ଧାମକୁ ଯାଇ ଚିରଦିନ ପାଇଁ ତାଙ୍କ ସହିତ ରହିଥାଏ । ସୁତରାଂ,ଭଗବାନ ସମସ୍ତ ଜୀବଙ୍କର ଅନ୍ତ ଅଟନ୍ତି । ବେଦ ଭଗବାନଙ୍କର ଅନେକ ପରିଭାଷା କରିଥାଏ, ତନ୍ମଧ୍ୟରୁ ଗୋଟିଏ ହେଲା :

ଯତୋ ବା ଇମାନି ଭୂତାନି ଜାୟନ୍ତେ, ଯେନ ଜାତାନି ଜୀବନ୍ତି,
ଯତ୍‌ପ୍ରୟନ୍ତ୍ୟ ଭିସଂବିଶନ୍ତି ।

(ତୈତିରୀୟ ଉପନିଷଦ ୩.୧.୧.)

“ଭଗବାନ ସେ ଅଟନ୍ତି ଯାହାଙ୍କଠାରୁ ସମସ୍ତ ପ୍ରାଣୀ ଉତ୍ପନ୍ନ ହୋଇଛନ୍ତି; ଯାହାଙ୍କଠାରେ ସମସ୍ତ ପ୍ରାଣୀ ସ୍ଥିତ ରହିଥାଆନ୍ତି; ଯାହାଙ୍କ ଠାରେ ସମସ୍ତ ପ୍ରାଣୀ ଲୀନ ହୋଇଥାଆନ୍ତି ।”

ଆତ୍ମା ନିତ୍ୟ ଚୈତନ୍ୟ ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।।୨୩।।

ଚୈତନ୍ୟତା, ଯାହା ଆତ୍ମାର ଲକ୍ଷଣ ଅଟେ, ତାହାର ଅନୁଭବ ମାୟିକ ଉପକରଣ ଦ୍ୱାରା କରାଯାଇପାରିବ, କିନ୍ତୁ ଆତ୍ମାର ପ୍ରତ୍ୟକ୍ଷ ଅନୁଭବ କରିହେବ ନାହିଁ । ଆତ୍ମା ଦିବ୍ୟ ଅଟେ, ତେଣୁ ଏହା ଭୌତିକ ବସ୍ତୁ ଦ୍ୱାରା ଗ୍ରାହ୍ୟ ନୁହେଁ । ଶ୍ରୀକୃଷ୍ଣ ଏହାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାକୁ ଯାଇ ଉପରୋକ୍ତ କଥା କହୁଛନ୍ତି।

ଆତ୍ମନ୍ ହେଉଛି ବ୍ରହ୍ମର ଅନ୍ୟ ଏକ ନାମ। ଯେତେବେଳେ ଆମେ କୌଣସି ଜିନିଷକୁ ଅନୁଭବ କରୁ, ଯେକୌଣସି ମାନସିକ ପ୍ରଭାବରୁ, ତାହା ନିଶ୍ଚିତ ଭାବରେ ଆତ୍ମା ହେବା ଉଚିତ ଏବଂ ଆମେ ଯାହା ଅନୁଭବ କରୁ ତାହା ବ୍ୟତୀତ ଆଉ କିଛି ନୁହେଁ। କେବଳ ଆମର ଅଜ୍ଞତାରେ ଆମେ ସେହି ଅଭିଜ୍ଞ ଜିନିଷ ଆତ୍ମନ୍‌ର ପ୍ରକୃତ ସ୍ୱରୂପକୁ ବୁଝିପାରୁ ନାହୁଁ, ଏବଂ ଏହାକୁ ବିଭିନ୍ନ ନାମ ଏବଂ ରୂପରେ ଡାକିପାରୁ ନାହୁଁ। ତେଣୁ, ଆମର ଅହଂକାର, ଆମର ବୁଦ୍ଧି, ଏବଂ ସମସ୍ତ ମାନସିକ ସ୍ତରରେ ପରିପ୍ରକାଶ ହେଉଛି ଆତ୍ମା ଏବଂ ଆତ୍ମାର ପ୍ରକାଶ।

ବୈଶେଷିକ-ସୂତ୍ର ଅନୁସାରେ ଆତ୍ମନ୍ (“ସ୍ୱ”) ନଅଟି ଦ୍ରବ୍ୟ (‘ପଦାର୍ଥ’) ମଧ୍ୟରୁ ଗୋଟିଏ। ଏହି ଦ୍ରବ୍ୟଗୁଡ଼ିକୁ ପଦାର୍ଥର ଏକ ବର୍ଗ (“ଆଧିଭୌତିକ ସମ୍ପର୍କ”) ଭାବରେ ବିବେଚନା କରାଯାଏ। ଏହି ପଦାର୍ଥଗୁଡ଼ିକ ସମସ୍ତ ବିଦ୍ୟମାନ ଜିନିଷର ପ୍ରତିନିଧିତ୍ୱ କରନ୍ତି ଯାହାକୁ ଜ୍ଞାତ ତଥା ନାମକରଣ କରାଯାଇପାରିବ। ଏହି ଦ୍ରବ୍ୟଗୁଡ଼ିକ ସେମାନଙ୍କର ଉପବିଭାଗ ସହିତ, ଦ୍ରବ୍ୟମାନେ ବ୍ରହ୍ମାଣ୍ଡର ପ୍ରକୃତି ଏବଂ ଜୀବନ୍ତ ପ୍ରାଣୀଙ୍କ ଅସ୍ତିତ୍ୱକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି ।

ଶ୍ରୀକୃଷ୍ଣ ଯାବତ୍ କିଞ୍ଚିତ୍ ଶବ୍ଦର ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ଯେଉଁସବୁ ପ୍ରାଣୀ ଶରୀର ରହିଛି ।” ତାହା ଯେତେ ବିଶାଳ ବା କ୍ଷୁଦ୍ରାତିକ୍ଷୁଦ୍ର ହୋଇଥାଉ ନା କାହିଁକି, ସମସ୍ତଙ୍କର ଜନ୍ମ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ସଂଯୋଗରେ ହୋଇଥାଏ । ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ ।

ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ।।୨୫।।

ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ ।
ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।

ଆମର ଚକ୍ଷୁ ମାୟିକ ଶକ୍ତିରେ ଗଠିତ ହୋଇଥିବାରୁ କେବଳ ମାୟିକ ବସ୍ତୁକୁ ଦେଖିପାରେ । ଆତ୍ମା ଦିବ୍ୟ ଅଟେ ଏବଂ ଏହାର ସ୍ଥିତି ମାୟିକ କ୍ଷେତ୍ରର ଊର୍ଦ୍ଧ୍ୱରେ ହୋଇଥିବା କାରଣରୁ ଏହା ଆମ ଚକ୍ଷୁ ଦ୍ୱାରା ଅଦୃଷ୍ଟ ଅଟେ । ବୈଜ୍ଞାନିକମାନେ ଏହାର ଅସ୍ତିତ୍ୱ ବିଷୟରେ ଜାଣିବା ପାଇଁ ଅନେକ ପରୀକ୍ଷା କରିଛନ୍ତି । ସେମାନେ ଏକ ମରଣାସନ୍ନ ବ୍ୟକ୍ତିକୁ ଗୋଟିଏ ନିବୁଜ କାଚ ବାକ୍ସ ମଧ୍ୟରେ ରଖି ଏହା ଦେଖିବାକୁ ଚାହୁଁଥିଲେ ଯେ ଆତ୍ମା ବାହାରି ଗଲେ କାଚ ବାକ୍ସଟି ଭାଙ୍ଗିଯାଉଛି କି ନାହିଁ । କିନ୍ତୁ କାଚ ବାକ୍ସଟି ନ ଭାଙ୍ଗି ଆତ୍ମା ଶରୀର ତ୍ୟାଗ କରି ଚାଲିଗଲା । ଆତ୍ମା ଅତି ସୂକ୍ଷ୍ମ ହୋଇଥିବା ଯୋଗୁଁ ଏହାର ଗତି ପାଇଁ କୌଣସି ଭୌତିକ ସ୍ଥାନ ଆବଶ୍ୟକ କରେ ନାହିଁ ।

ଆତ୍ମା ଭୌତିକ ଶକ୍ତିଠାରୁ ସୂକ୍ଷ୍ମତର ହୋଇଥିବା କାରଣରୁ ଆମ ବୁଦ୍ଧି ଦ୍ୱାରା ଅଚିନ୍ତ୍ୟ ଅଟେ । କଠୋପନିଷଦ କହେ:

ଇନ୍ଦ୍ରିୟେଭ୍ୟଃ ପରା ହ୍ୟର୍ଥା ଅର୍ଥେଭ୍ୟଶ୍ଚ ପରଂ ମନଃ
ମନସସ୍ତୁ ପରା ବୁଦ୍ଧିର୍‌ବୁଦ୍ଧେରାତ୍ମା ମହାନ୍ ପରଃ

(୧.୩.୧୦)

“ଇନ୍ଦ୍ରିୟମାନଙ୍କର ଊର୍ଦ୍ଧ୍ୱରେ ଇନ୍ଦ୍ରିୟର ବିଷୟ । ଇନ୍ଦ୍ରିୟ ବିଷୟ ଠାରୁ ସୂକ୍ଷ୍ମ ମନ । ମନ ଠାରୁ ଊର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ସୂକ୍ଷ୍ମ ଆତ୍ମା ଅଟେ ।” ମାୟିକ ବୁଦ୍ଧି କେବଳ ମାୟିକ ଜ୍ଞାନକୁ ବୁଝିପାରିବ, କିନ୍ତୁ ଚିନ୍ତନ ଦ୍ୱାରା ଦିବ୍ୟ ଆତ୍ମାକୁ ଜାଣି ପାରିବ ନାହିଁ । ସେଥିପାଇଁ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବାହ୍ୟ ଉତ୍ସ ଆବଶ୍ୟକ କରିଥାଏ ଏବଂ ତାହା ହେଉଛି ଶାସ୍ତ୍ର ଏବଂ ଗୁରୁ ।

ଶାସ୍ତ୍ର ଏବଂ ଗୁରୁ ତତ୍ତ୍ୱ ପାଇଁ ବିଭିନ୍ନ ମାର୍ଗ ଦେଖାଇଥା’ନ୍ତି । ପ୍ରତ୍ୟେକ ଶାସ୍ତ୍ରର ଅନୁଗାମୀ ଓ ପ୍ରତ୍ୟେକ ଗୁରୁଙ୍କର ଶିଷ୍ୟ ଥାଆନ୍ତି । ସାଧନା ସମୟରେ ଶିଷ୍ୟ ତଥା ସାଧକଙ୍କ ମନରେ ଆତ୍ମାର ନିତ୍ୟତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ। ଶ୍ରୀକୃଷ୍ଣ ଏଠାରେସେହି ସଂଶୟକୁ ମଧ୍ୟ

ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ।।୨୬।।

ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ,
ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।

ଶ୍ରୀକୃଷ୍ଣ ଏଠାରେ ଅଥ ଶବ୍ଦ ପ୍ରୟୋଗ କରି ସୂଚିତ କରୁଛନ୍ତି ଯେ ଅର୍ଜୁନ ହୁଏତ ଆତ୍ମା ସମ୍ବନ୍ଧରେ ଥିବା ଅନ୍ୟାନ୍ୟ ମତବାଦକୁ ବିଶ୍ୱାସ କରିବାକୁ ଇଚ୍ଛା କରୁଥାଇପାରନ୍ତି । ଏହି ଶ୍ଳୋକଟିକୁ ଭାରତୀୟ ଦାର୍ଶନିକ ଚିନ୍ତାଧାରାର ଆତ୍ମା ସମ୍ବନ୍ଧୀୟ ପୃଥକ ପୃଥକ ମତବାଦ ପରିପ୍ରେକ୍ଷୀରେ ବୁଝିବାକୁ ପଡ଼ିବ । ଭାରତୀୟ ଦର୍ଶନରେ ମୁଖ୍ୟତଃ ବାରଟି ମତବାଦ ରହିଛି । ଏମାନଙ୍କ ମଧ୍ୟରେୁ ଛଅଟି ଦର୍ଶନ ବେଦକୁ ମାନ୍ୟତା ଦିଅନ୍ତି ତେଣୁ ସେମାନଙ୍କୁ ଆସ୍ତିକ ଦର୍ଶନ କୁହାଯାଏ । ଏମାନେ ହେଲେ – ମୀମାଂସା, ବେଦାନ୍ତ, ନ୍ୟାୟ, ବୈଶେଷିକ, ସାଂଖ୍ୟ ଏବଂ ଯୋଗ । ଏମାନଙ୍କର ଅନେକ ଶାଖା ମଧ୍ୟ ରହିଛି – ଉଦାହରଣ ସ୍ୱରୂପ, ବେଦାନ୍ତ ଦର୍ଶନରେ ଛଅଟି ଭିନ୍ନ ମତବାଦ ରହିଛି – ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ, ବିଶୁଦ୍ଧ ଦୈତବାଦ, ଦ୍ୱୈତାଦ୍ୱୈତବାଦ ଏବଂ ଅଚିନ୍ତ୍ୟ ଭେଦାଭେଦ ବାଦ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ମତବାଦର ପୁଣି ବିଭିନ୍ନ ଶାଖା ରହିଛି । ଉଦାହାରଣ ସ୍ୱରୂପ, ଅଦ୍ୱୈତବାଦର ଦୃଷ୍ଟି ସୃଷ୍ଟି ବାଦ, ଅବଚ୍ଛେଦ୍ୟ ବାଦ, ବିମ୍ବ-ପ୍ରତିବିମ୍ବ ବାଦ, ବିବର୍ତ୍ତବାଦ, ଅଜାତ ବାଦ ଇତ୍ୟାଦି ଭିନ୍ନ ଭିନ୍ନ ଉପଶାଖା ରହିଛି । ଆମେ ଏଠାରେ ଏହିସବୁ ମତବାଦର ବିଷଦ ବର୍ଣ୍ଣନ କରିବା ନାହିଁ । ଆମ ପାଇଁ କେବଳ ଏତିକି ଜାଣିବା ଯଥେଷ୍ଟ ଯେ ଏହି ସବୁ ମତବାଦ ବେଦକୁ ସିଦ୍ଧାନ୍ତର ଉତ୍ସ ଭାବରେ ଗ୍ରହଣ କରନ୍ତି । ତଦନୁଯାୟୀ, ସେମାନେ ସମସ୍ତେ ନିତ୍ୟ, ଅପରିବର୍ତ୍ତନୀୟ ଆତ୍ମାକୁ ମୁଁ ଭାବରେ ଗ୍ରହଣ କରନ୍ତି ।

ଅବଶିଷ୍ଟ ଛଅଟି ଭାରତୀୟ ଦର୍ଶନ ବେଦର ପ୍ରଭୁତ୍ୱକୁ ସ୍ୱୀକାର କରନ୍ତି ନାହିଁ । ଏଗୁଡ଼ିକ ହେଲା ଚାର୍ବାକବାଦ, ବୌଦ୍ଧଧର୍ମ ଅନ୍ତର୍ଗତ ଚାରୋଟି ମତବାଦ (ଯୋଗାଚାରବାଦ, ମାଧ୍ୟମିକ ବାଦ, ବୈଭାଶିକ ବାଦ ଏବଂ ସୌତାନ୍ତ୍ରିକ ବାଦ) ଏବଂ ଜୈନଧର୍ମ । ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଏମାନଙ୍କର ନିଜସ୍ୱ ସ୍ୱତନ୍ତ୍ର ମତ ରହିଛି । ଚାର୍ବାକ ବାଦ ଅନୁଯାୟୀ ଶରୀର ହିଁ ‘ମୁଁ’ ଅଟେ ଏବଂ ଚୈତନ୍ୟତା ଏହାର ସମସ୍ତ ଅଂଶର ସମଷ୍ଟିର ଉଦ୍ଭବ ଅଟେ । ଜୈନ ମତବାଦ ଅନୁଯାୟୀ ଆତ୍ମାର ଆକାର ଶରୀରର ଆକାର ସହିତ ସମାନ, ତେଣୁ ଏହା ପ୍ରତି ଜନ୍ମରେ ପରିବର୍ତ୍ତିତ ହୁଏ । ବୌଦ୍ଧ ମତବାଦ ଏକ ଚିରନ୍ତନ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ବରଂ ଏହା କହିଥାଏ ଯେ ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମ ଜୀବନର ନବୀକରଣ ଧାରା ଅବ୍ୟାହତ ରହିଥାଏ, ଯାହା ବ୍ୟକ୍ତିର ନିରନ୍ତରତାକୁ ବଜାୟ ରଖେ ।
ଏପରି ମନେ ହୁଏ ଯେ ଶ୍ରୀକୃଷ୍ଣଙ୍କ ସମୟରେ ମଧ୍ୟ ବୌଦ୍ଧ ସିଦ୍ଧାନ୍ତ ଅନୁରୂପ, ନବୀକରଣ ଓ ଆତ୍ମାର ଅସ୍ଥାୟୀତ୍ୱ ସମ୍ବନ୍ଧି ମତ ପ୍ରଚଳିତ ଥିଲା । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ଯଦି ସେ ପ୍ରତି ଜନ୍ମରେ ନୂତନ ଆତ୍ମାର ସିଦ୍ଧାନ୍ତକୁ ଗ୍ରହଣ କରୁଥାଆନ୍ତି, ତେବେ ମଧ୍ୟ ଶୋକ କରିବାର କୌଣସି କାରଣ ନାହିଁ । କାହିଁକି ଜଣେ ଶୋକ କରିବା ଉଚିତ ନୁହେଁ, ସେହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି ।

-ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top