ଅଣୁଗଳ୍ପ

ବାଇନ

Pradipta Sundar Moharana's odia short story Baaina

ମୁଁ କହେ କି ଏହା ପାଶ୍ଚାତ୍ୟ ଦେଶ ଗୁଡିକରେ ଉଦ୍ଭାବିତ ହୋଇଥିବା, ଓ ଆମେ ବ୍ୟବହାର କରୁଥିବା ମୁର୍ଖମାନଙ୍କର ବାକ୍ସ ।

ବାଇନ

ବାଇନ ! ବାଇନ ! ବାଇନ !

ମୋ ଜେଜୀ ତିନିଥର ଏଭଳି ଡାକି ସାରିଲା ପରେ ମଧ୍ୟ ଭାଇ ଗୋଟେ କାନ ବି ଜେଜେମା ଆଡକୁ ଦେଉ ନ ଥିଲା । ଜେଜେମା ରାଗି ଫାଟି କହିଲା “ବାଇନ କିରେ ବଞ୍ଚିଛୁ ନା ମରିଗଲୁଣି ? ତୋ ଭଳିଆ ନିଲଠା ପିଲା ମୁଁ ଜୀବନ ସାରା ରେ ଦେଖିନାହିଁ ।” ହେଲେବି କିଛି ଉତ୍ତର ନାହିଁ । ମୁଁ ଉଠିଲା ବେଳକୁ ଜେଜୀ ମତେ ଅଟକାଇ କହିଲା, “ ତୁ ରହ ! ମୁଁ ନିଜେ ଯାଇ ଦେଖୁଛି !” ଜେଜେମା, ହାତରେ ବଙ୍କୁଲି ବାଡି ଟିଏ ଧରି ନଇଁ ନଇଁ ଯେତେବେଳେ ଦାଣ୍ଡଘରେ ଯାଇ ପହଞ୍ଚିଲେ, ଦେଖିଲେ ଭାଇନା ଦୂରଦର୍ଶନ ଆଗରେ ବସିଛି – ସତେ ଯେମିତି ଧ୍ୟାନମଗ୍ନ ବିଶ୍ୱାମିତ୍ର । ଦୁନିଆ ପଡିଲେ-ଉଠିଲେ , ଭାଙ୍ଗିଲେ ଅବା ବୋହିଗଲେ ତାର କିଛି ଯାଏ ଆସେ ନାହିଁ ।

“ତୋ ଉପରେ ଏ ଡବାଟା କି , କିମିଆ କରିଛି କିରେ? ତୁ କାହିଁକି ଯେ ଏମିତି ହଉଛୁ ?” – ଜେଜେମା ଏକାଧାରରେ କହିଗଲେ । “ପାଠ ଶାଠ ନାହିଁ, ମୋ କଥା କି, ତୋ ବୋଉ କଥା ଶୁଣୁନୁ । ଦିନ ତମାମ୍ କଣ ଏ ଯାତରା ଗୁଡାକ ଦେଖୁଛୁ ? ଏ ଯାତରା ଗୁଡିକରେ ଘରର ବୋହୁଗୁଡିକ ଘର ଭିତରେ ତୋଳା ତୋଳା ସୁନା ଗହଣା ପିନ୍ଧି ବୁଲୁଛନ୍ତି , ନିପିଷ୍ଟିକି ଲଗାଇ ଘରେ ବୁଲୁଛନ୍ତି , କାଞ୍ଜିବରମ୍ ପାଟ ପିନ୍ଧି ରୋଷେଇ କରୁଛନ୍ତି । କାଇଁ , ମୁଁ କି ମୋ ଶାଶୁ ତ କେବେ କରିନୁ। ପୁଣି ଏମାନେ ରୋଷେଇ ଘରେ ରୋଷେଇ କଲେ ମଧ୍ୟ , ଏମାନଙ୍କ ଦିହରୁ ଟିକେ ବି ଝାଳ ବୋହୁନି। ମିଛୋଇ ଗୁଡାକ- ରୋଷେଇ କଲାବେଳେ କିଏ ପାଉଡର ଓ ନିପିଷ୍ଟିକି ମାଖି ହୁଏ?” – ଜେଜୀ ପୁଣି କହିଚାଲିଲା, “ ଏ ବାକ୍ସରେ, ଆଉ କିଛିଟା ଯାତରା ରେ, ପୁଚି ଖେଳିଲେ, ଜାଈ ରଗଡିଲେ, କୁଲା ଧରି ପାଛୁଡିଲେ ପୁରସ୍କାର ମିଳୁଛି । ଅନ୍ୟ ମାଇପ ଗୁଡାକ କଣ ଘରେ କ’ଣ କାମ କରୁନାହାନ୍ତି ? ଏଇ ଯାତରା ପାଇଁ ତୁ ସମୟ ନଷ୍ଟ କରୁଛୁ । ନିଜ ଜିନିଷ ଠିକ୍ ଜାଗାରେ ରଖୁନୁ । ଏମିତି ଚାଲିଲେ , ତୁ ବଜାରିଟାଏ ହୋଇଯିବୁ । ”

ଭାଇ ମୁହଁ ବୁଲେଇ ଦୁଇ ଧାଡି ଧଳାଧଳା ଦାନ୍ତ ଦେଖେଇଲା ଓ ହେଁ ହେଁ କରି ହସିଦେଲା , ଆଉ ପୁଣି ଥରେ ଟି.ଭି ଯୋଗ ମୁଦ୍ରାକୁ ପଳେଇଲା , ସତେ ଯେପରି ସ୍ଥିତପ୍ରଜ୍ଞ ବୁଦ୍ଧ ।
ବିଜ୍ଞ ବ୍ୟକ୍ତିମାନେ କୁଆଡେ କହୁଛନ୍ତି କି , ଦୂରଦର୍ଶନ ଆମ ସମାଜର ଓ ଦେଶର ତଳିଆ ବର୍ଗର ଲୋକମାନଙ୍କୁ ଜ୍ଞାନୀ କରିବାରେ ଯଥେଷ୍ଟ ସହାୟକ ହେବ, ସେମାନଙ୍କର ଚିନ୍ତାଧାରା ବଦଳେଇବ , ଆମ ଦେଶରେ ଗଣତନ୍ତ୍ର କୁ ସୁଦୃଢ଼ କରିବ । କିଛି ଜ୍ଞାନୀ ମତ ଦିଅନ୍ତି, ଦୂରଦର୍ଶନ ଦ୍ୱାରା ପ୍ରଚାରିତ ଜ୍ଞାନକୁ ଆହରଣ କରି ଯୁବଗୋଷ୍ଟୀ ବଳଶାଳୀ ଆଉ ସମର୍ଥ ହୋଇ ଦେଶନିର୍ମାଣ କରିବେ । ମୁଁ ଜାଣିନି ସେମାନେ କେତେଦୁର ଠିକ୍ ଅବା ଭୁଲ୍ : କିନ୍ତୁ ଆମ ଘରେ ମୋର କୋଡ଼ିଏ ବର୍ଷର ଭାଇ ଗୋଟେ ଟି.ଭି ଗଞ୍ଜଡ଼ରେ ପରିଣତ ହେଉଥାଏ । ଦେଶନିର୍ମାଣ ପଛରେ ଥାଉ, ଯଦି ନିଜର ପରୀକ୍ଷା ଗୁଡିକରେ ଭଲମାର୍କ ରଖି ପାସ ବି କରିଯାଆନ୍ତା, ତା’ହେଲେ ମଧ୍ୟ ଭଲ ହୁଅନ୍ତା । କିଛି ଦିନହେଲାଣି ଜିଦି କରିଛି, ମୁମ୍ବାଇ ଯିବ , ଇଣ୍ଡିଆନ ଆଇଡ଼ଲ୍ ରେ ଗାଇବ, ଆଉ ପରେ ଏକ ରକ୍ ସଙ୍ଗୀତ ତାରକା ହେବ – ଆମଘରର ପଡିଶା ଘରେ ଥିବା କୁକୁର ଟମି, ମୋ ଭାଇ ଠାରୁ ଭଲ ଗାଏ (ବୋବାଏ) । ସଙ୍ଗୀତ ତାରକା ହିସାବରେ ତାର ଭବିଷ୍ୟତ କେତେ ଉଜ୍ଜ୍ୱଳ ତାହା ମୁଁ ଜାଣିଛି । ମୋ ଭାଇର ଏଇ ନୂଆ ଜିଦିଟା କେବଳ ହାତରେ ଗିଟାରଟିଏ ଧରି , ଲମ୍ବା ଲମ୍ବା ଚୁଟି ଛାଡି, ହଜାର ହଜାର ଲୋକଙ୍କ ଆଗରେ ଅଧା ଲଙ୍ଗଳା ହୋଇ , ମୁଣ୍ଡ ହଲାଇବାର ପାଗଳାମି । କିଏ କହେ ଟି.ଭି ଗୋଟିଏ କୁହୁକ ବାକ୍ସ । ମୁଁ କହେ କି ଏହା ପାଶ୍ଚାତ୍ୟ ଦେଶ ଗୁଡିକରେ ଉଦ୍ଭାବିତ ହୋଇଥିବା, ଓ ଆମେ ବ୍ୟବହାର କରୁଥିବା ମୁର୍ଖମାନଙ୍କର ବାକ୍ସ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top