କବିତା

ପ୍ରତୀକ୍ଷା

Brundabana Das's odia poem Pratikshaa

ନଦୀ ଝର ଆକାଶ କହି ଦେଲାଣି
ନିର୍ମଳ ନୀଳିମାର ସ୍ୱଚ୍ଛ ଅଭିବ୍ୟକ୍ତିରେ
ବଢ଼ି ଝଡ଼ ଅବପାତ ଉତ୍ତାରେ
ନଇଁ ପଡ଼ିଥିବା ଜୀବନ ଅଣ୍ଟା ସଳଖି

ପ୍ରତୀକ୍ଷା

ସିଏ ଆସୁଛି ବୋଲି
ଆବାହନର ନୀରବ ଓଁକାର ଧ୍ୱନିରେ
ଉଛୁଳି ପଡୁଛି ସାରା ଅବହାୱା
ପୁଲକିତ ଦେହ ମନ ଆତ୍ମା ଚତୁର୍ପାଶ୍ୱ
ଦେହ ବିଦେହର ସୀମାତୀତ ଅନୁଭବ
ଭୂମିରୁ ଅନ୍ତରୀକ୍ଷ
ତା’ ପ୍ରତୀକ୍ଷାରେ ସ୍ୱାଗତ ଗୀତିକା
ଗୁଞ୍ଜରିତ ପ୍ରତି ହୃଦୟ ତନ୍ତ୍ରୀରେ ।

ନଦୀ ଝର ଆକାଶ କହି ଦେଲାଣି
ନିର୍ମଳ ନୀଳିମାର ସ୍ୱଚ୍ଛ ଅଭିବ୍ୟକ୍ତିରେ
ବଢ଼ି ଝଡ଼ ଅବପାତ ଉତ୍ତାରେ
ନଇଁ ପଡ଼ିଥିବା ଜୀବନ ଅଣ୍ଟା ସଳଖି
ସମର୍ଥ କରିବ ନିଜକୁ ପୁଣି ଛିଡା ହେବାକୁ
ଗଜୁରିବ ପୁଣି କୂଆଁ ହୋଇ
ନୂଆ ଆଶା ଥଇଥାନ ଭରପୁର ଫସଲର
ସାମ୍ଭାବ୍ୟ ସଂସ୍ଥାପନାରେ ।

ଏମିତି ସେ ଆସେ ବୋଲିତ
ଚେତେଇଦିଏ ଜଗେଇଦିଏ
ଜାଗରୂକ ଆଶା ଭରସାର ନିବିଡ଼ପଣରେ
ସେ କାଳେ ବିଦ୍ଧ କରିପାରେ
ସମ୍ମିଳିତ ଶକ୍ତି ଶାୟକରେ କାପୁରୁଷ ଛାତି
ଭ୍ରମ, କ୍ରୋଧ, ମୋହ ବିକାରଗ୍ରସ୍ତ ,
ରୁଗ୍ଣ ମାନସିକତାକୁ ଧୋଇଧାଇ
ନିର୍ମଳ କରିପାରେ ବୋଲି ପୃଥିବୀ ଆକାଶକୁ
ତା ନିରାଜନା ଆରାଧନାର ପ୍ରାକ୍‌ ପ୍ରସ୍ତୁତିରେ
ଏତେ ସବୁ ଆୟୋଜନ ମଣିଷଠୁ ପ୍ରକୃତି ପର୍ଯ୍ୟନ୍ତ ।

ଆସିବ ବୋଲି
ନୀଳ ଗହନ ଆକାଶ ତଳେ
ବିଛାଡ଼ି ହୋଇ ପଡୁଛି ରାତିର ଗଭାରୁ
ମହମହ ସଜଫୁଟା ଅସଂକ୍ଷ ଶେଫାଳୀ
ପବନ ଗାଉଛି ଗୀତି ସ୍ବାଗତଂ ସ୍ବାଗତଂ
ଶୁଭ୍ର କାଶତଣ୍ଡୀ ଚାମର ହଲେଇ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top