ସକାଳୁ ସକାଳୁ ଟିକିଏ ଭ୍ରମଣରେ ନଗଲେ ମନଟା ଶାନ୍ତି ହୁଅନି, ଦିନ ସାରା ଦେହ ବି ଫୁର୍ତ୍ତି ହୁଏନି । ସେଇଥି ପାଇଁ ସବୁଦିନ ସକାଳୁ ବାହାରିଯାନ୍ତି ରାଜେନ୍ଦ୍ର ବାବୁ ଟିକିଏ ସକାଳ ଭ୍ରମଣରେ । ଆଉ ସବୁଦିନ ଦୁଇ କପ ଚାହା ସହ ତାଙ୍କରି ବାଟକୁ ଅପେକ୍ଷା କରି ବସିଥାନ୍ତି ମୀରା ମ୍ୟାଡ଼ାମ । ହେଲେ ଆଜି ଏତେ ବେଳେ ହେଲାଣି, କୁଆଡେ ଗଲେ ରାଜେନ୍ଦ୍ର ବାବୁ ଅପେକ୍ଷା କରି କରି ଏପଟେ ଗୁରୁଗୁରୁ ହେବା ଆରମ୍ଭ ହେଲାଣି ମ୍ୟାଡ଼ାମଙ୍କର, “ଭୋଳା ଲୋକ ତ କୋଉଠି ହେଲେ ଗୋଟେ ଅଟକି ଯାଇ ଗପୁଥିବେ, ନେହେଲେ ଯଦି କିଏ ଦେଖା ହୋଇଯାଇଥିବ ବାଟରେ ତା ସହ ଚାହା ପିଆ କାମ ସାରିଦେଇଥିବେ । ତାହେଲେ ମୋତେ ଫୋନ୍ରେ ଟିକିଏ ଜଣେଇଦେଲେ ହବନି କି ?? ସିଆଡେ ପୁଣି କେତେ କାମ ସାରିକି ମୁଁ ଅଫିସ ଯିବି । ଥରେ ହେଲେ ବି ମୋ ଚିନ୍ତା ନାହିଁ, ଆଉ ଟିକିଏ ପରେ ତୋଫାନ ଭଳି ମାଡି ଆସିବେ… ଆଉ କହିବେ ଶୀଘ୍ର ଖାଇବାକୁ ଦିଅ ମୋର କାମକୁ ଯିବାକୁ ବିଳମ୍ବ ହେଲାଣି, ଆଉ ଯଦି ଟିକିଏ ବିଳମ୍ବ ହୋଇଗଲା ତାହେଲେ ସରିଲା, ସାର ଏକାଥରେ ନିଜ ଗାଡି ନେଇକି ଛୁ । ହେଇତ ଆସିଲେଣି….କିହୋ ଆଜି କଣ ପାଇଁ ଏତେ ବିଳମ୍ବ? କିଛି ନ କହି ସିଧା ପଶିଯାଇଥିଲେ ରୋଷେଇ ଘରକୁ, ଆଉ ନିଜେ ନିଜେ ଚାହା ତିଆରି କରିବାକୁ ଲାଗିଲେ । ମୀରା ମ୍ୟାଡ଼ାମ ତାଙ୍କ ପଛେ ପଛେ ଗୋଡ଼ାଇ ଆସିଥିଲେ, ତମେ କାହିଁକି ଆସିଲ, ମୁଁ ନେଇକି ଯାଉଛି ଚାଲ । ନା ମୀରା ! ବରଂ ତମେ ଯାଇ ବସ ମୁଁ ଚାହା ନେଇ ଯାଉଛି । ମୀରା ମ୍ୟାଡ଼ାମ ଭାବୁଥାନ୍ତି ଆଜି ସୂର୍ଯ୍ୟ କେଉଁ ଦିଗରେ ଉଦୟ ହୋଇଛନ୍ତି, ରାଜେନ୍ଦ୍ର ବାବୁ ପୁଣି ମୋ ପାଇଁ ଚାହା ବନାଉଛନ୍ତି ।
“ନିଅ ଗରମ ଗରମ ଚାହା, ଆଉ ଚାହା ପିଉ ପିଉ ରାଜେନ୍ଦ୍ର ବାବୁ କହିଥିଲେ ଶୁଣ ତମେ ଆଜି ଅଫିସ୍ ଯିବା ଦରକାର ନାହିଁ ଆମେ ଆଜି ପୁରା ଦିନ ଉଭୟ ଉଭୟଙ୍କ ସହ ସମୟ ବିତାଇବା । ଏ କଣ ! ଶୁଣୁଛନ୍ତି ମୀରା ଦେବି, ଲଙ୍କାରେ ପୁଣି ରାମ ନାମ । ଜୀବନର ଏତେ ବର୍ଷ ଯିଏ କର୍ମରେ ନିଜକୁ ସମର୍ପି ଦେଇଛନ୍ତି….. ଦିନେ ହେଲେ ବି ମୋ ପାଇଁ ସମୟକୁ ରାଜି କରେଇନାହାନ୍ତି, ଥରେ ବୁଲି ଚାହିଁ ନାହାନ୍ତି ମୁଁ କେମିତି ଅଛି ? ଖାଇଛି କି ନାହିଁ ? ସିଏ ଆଜି ମୋ ସହ ସମୟ ବିତାଇବାକୁ ଚାହାନ୍ତି… ଅସମ୍ଭବ !
ହଇ ହୋ ତମର ଆଜି କଣ ହୋଇଛି, ତମେ ପୁଣି ମୋ ସହ ! ହଁ ଏଥିରେ ଅସୁବିଧା ରହିଲା କେଉଁଠି ? ଆଉ ଥରେ ଭାବି ଦେଖ ରାଜେନ୍ଦ୍ର ବାବୁ । ହଁ ମୀରା ତମ ବିନା ମୋ ଜୀବନର ଯେଉଁ ସମୟ ବରବାଦ କରିଦେଇଛି, ସେ ସମୟ ଆଜି ପାଇବାକୁ ଚାହେଁ, ଆଖି ଲୁହରେ ଜକେଇ ଆସିଥିଲା ରାଜେନ୍ଦ୍ର ବାବୁଙ୍କର । ହେଇଟି ସତ କୁହ କଣ ହୋଇଛି ତୁମର ? ଜାଣିଛ ମୀରା ଆଜି ମୁଁ ଆଳୁଚପ ଦୋକାନ ଆଗରେ ଠିଆ ହୋଇଥିବା ବେଳେ ଜଣେ ବୁଢ଼ୀ ଦୌଡ଼ି ଆସି ମୋତେ ଆଳୁଚପ ଖାଇବାକୁ ମାଗିଥିଲେ । ଆଉ ମୁଁ ତାଙ୍କୁ ନେଇକି ଦଶଟି ଆଳୁଚପ କିଣିଦେଲି, ଆଉ ସେଇଥିରୁ ସେ ଗୋଟାଏ ଆଳୁଚପ ତାଙ୍କ ଅଣ୍ଟିରେ ଲୁଚାଇ ଦେଲେ । ତାପରେ ମୁଁ ପଚାରିଲି ମାଉସୀ ଏ କଣ ? ତମେ ଆଳୁଚପ ଖାଇବ ବୋଲି ମାଗିଲ ଆଉ ମୁଁ କିଣିଦେଲି ହେଲେ ତମେ ସେଇଥିରୁ ଗୋଟେ ଲୁଚାଇ ଦେଲ । ଏଇଟା ମୁଁ ମୋ ପାଇଁ ନୁହଁ, ମୋ ବୁଢ଼ା ପାଇଁ ନେଇଯାଉଛି । ସେ କହୁଛି କୁଆଡେ ଯାଉଛୁ ମୋ ପାଇଁ ଆଳୁଚପ ଟିକିଏ ନେଇଆସନ୍ତୁନି,
ଆଉ ଯଦି ମୁଁ ତାକୁ ଆଳୁଚପ ଦିଏ ତାହେଲେ ପୁଅ ବୋହୂ କୁହନ୍ତି
ଝାଡା ହେଲେ ତମେ ବୁଝିବ, ସେଇଥିପାଇଁ ତମରି ପାଖରେ ହାତ ପାତିଛି ଯେମିତ ମୋ ପୁଅ ନଜାଣିପାରେ । ଆଉ ହଁ ବାପା ଠାକୁରଙ୍କୁ ଟିକିଏ ଡ଼ାକିବ ବୁଢା ଶୀଘ୍ର ଚାଲିଯାଉ । ମୁଁ ସଙ୍ଗେ ସଙ୍ଗେ ପଚାରିଲି ମାଉସୀ ଏ କଣ ତମେ କେମିତିକା ସ୍ତ୍ରୀ, ତମେ ଚାଁହୁଛ ତମ ସ୍ୱାମୀ ଆଗ ଚାଲିଯାନ୍ତୁ, ତମେ କଣ ଅହିସୁଲକ୍ଷଣୀହେବାକୁ ଚାଁହନି, ଶଙ୍ଖା ସିନ୍ଦୁର ନେଇ ଯିବାକୁ ଚାଁହନି । ନା ବାପା ମୁଁ ଆଗ ଚାଲିଗଲେ ଏ ବୁଢ଼ା କୁ କେହି ପଚାରିବେନି, ସେ ବେଡ଼ରେ ପଡ଼ି ରହି ଝାଡା ପରିସ୍ରା କରୁଛି କଉ ବୋହୂ ତାର ସେବା କରିବେନି, ତାକୁ ଏମିତି କଷ୍ଟରେ ଛାଡିଦେଇକି ଅହିସୁଲଖନୀ ହେଲେ କଣ ପାଇବି, ସେ ଭଗବାନଙ୍କ ଦୟାରୁ ଭଲରେ ଯାଉ ମୋ କଥା କିଏ ପଚାରେ ? ସେଇଠି ମୋ ଆଖି ଖୋଲିଗଲା ମୀରା, ଆଜି ବି ଦାମ୍ପତ୍ୟ ଜୀବନର ପ୍ରେମ ବଂଚିଛି, ଆଜି ବି ଜଣେ ଜଣଙ୍କୁ ଏତେ ଭଲ ପାଇପାରେ । ଯାହା ତମେ ସବୁବେଳେ ମୋ ପାଇଁ କରିଛ ହେଲେ ମୁଁ କୌଣସି କାମ ଆଳରେ ତମକୁ ଭୁଲି ଯାଇଛି, ହେଲେ ଆଜିଠୁ କଥା ଦେଉଛି ବାକି ଜୀବନର ସମୟ ତମର । ତମେ ସତ କହୁଛ ! ହଁ ଲୋ ମୋ ଗେଲ୍ଲୀ ସତ କହୁଛି, ଦୁହେଁ ହସ ହସ ମୁଁହରେ ଭିତରକୁ ଚାଲିଯାଇଥିଲେ ।
