ଗଳ୍ପ

ବୟସର ଅପରାହ୍ନ

Manas Ranjan Nayak's odia story Bayasara Aparahna

ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ ଟି ଶୁଭମ୍ ର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ

ବୟସର ଅପରାହ୍ନ

ଅମୃତମୟ ସୃଷ୍ଟି ରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଭାବେ ଜନ୍ମ ନେଇ ସ୍ରଷ୍ଟାଙ୍କ ସର୍ଜନାର ମୁକସାକ୍ଷୀ ହେବା ନିଜ ଭିତରେ ଏକ ପରିତୃପ୍ତ ଅନୁଭବ । ତାପରେ ପୁଣି ଅପରିକଳ୍ପିତ ବସ୍ତୁବାଦୀ ସୃଜନତା ଓ ସମାନ୍ତରାଳରେ ଜନ୍ମ ଜନ୍ମାନ୍ତର ଧରି ଚେତନାର ଅଭିବୃଦ୍ଧି ଦିଗରେ ସାଧନାରତ ରହିବା, ସାବ୍ଯସ୍ତ କରିଛି ମଣିଷକୁ ସ୍ରଷ୍ଟାଙ୍କର ସ୍ବତନ୍ତ୍ର ସୃଷ୍ଟି ଭାବରେ। ତର୍ଜମା ମନୁଷ୍ଯ ମସ୍ତିଷ୍କର ଅନ୍ୟ ଏକ ସୃଜନ ଶକ୍ତି, ଯଦ୍ବାରା ବିବର୍ତ୍ତନଶୀଳ ସଭ୍ଯତାରେ ତ୍ବରାନ୍ବିତ ହୋଇପାରିଛି ମାନବୀୟ ଅଭିବୃଦ୍ଧି। ସୀମିତ ସମ୍ବଳର ସଦୁପଯୋଗ,ବିକଳ୍ପର ଅନୁସନ୍ଧାନ ଆଦି ଉତ୍ତମ ପ୍ରକ୍ରିୟାମାନ ସହଜ ସାଧ୍ୟ ହୋଇପାରିଛି ଏହା ଦ୍ବାରା । ପରିବ୍ୟାପ୍ତ ଆଜି ମଣିଷ କୃତିତ୍ବର ପରିସୀମା, ଐତିହାସିକ, ଆର୍ଥିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ବୈଜ୍ଞାନିକ ଆଦି ଅନେକ ଦିଗରେ କାୟା ବିସ୍ତାରକରି ଏକ ନୂତନତ୍ବର ଦିଗବଳୟ ଉଦଭାସିତ କରିପାରିଛି। କୃତ୍ରିମ ବୁଦ୍ଧିମତା ତଥା ଯାନ୍ତ୍ରିକ ଅଧ୍ଯୟନ ଆଦି ମଣିଷର ଯୁଗାନ୍ତକାରୀ ସଫଳତା। ହେଲେ ବିଜୟର ପରିଧି ଆଙ୍କୁ ଆଙ୍କୁ ଉପନୀତ ହୁଏ ବୟସର ଅପରାହ୍ନ, ଜୀବନର କୃଷ୍ଣଚୂଡା ମଉଳି ଉଠେ କାଳର କଠୋର ଇଙ୍ଗିତରେ।

ଦ୍ବାରଦେଶରେ କାହାର କରାଘାତ୍‌ର ଶବ୍ଦ ଶୁଣି ରଙ୍ଗାଧର ବାବୁ ଧାଇଁ ଯାଇ କବାଟ ଖୋଲିଲେ, ପାଖ ଗାଁର କେହିଜଣେ ଏକ ବିବାହ ଆମନ୍ତ୍ରଣ କାର୍ଡ଼ ନେଇ ଆସିଥାଏ। କାର୍ଡ ନଦେଖି ସମାଚାର ଚ୍ୟାନେଲ୍‌ର ବଡ ଖବର ଭଳି ବାବୁ ସିଧା୍‌ ସଳଖ ପ୍ରଶ୍ନ କରିଚାଲିଲେ ବାହାଘରର ପୂର୍ବ ପର ସୂଚନା, ବିଚରା ଲୋକଟି ଅରାଜକତାକୁ ଲୁଚାଇ ଆରୋପୀ କ୍ୟାମେରା ସାମ୍ନାରେ ରହିଲାପରି କିଞ୍ଚିତ୍ ଶବ୍ଦରେ ଜବାବ୍ ରଖି ମୋଟରସାଇକେଲର ଏକ୍ସିଲେରେଟର୍ ଦବାଇ ଚାଲିଗଲେ। ଉତ୍ସାହର ସହିତ ଏନଭଲପ୍‌ଟିକୁ ଖୋଲୁ ଖୋଲୁ ବୋହୁ ସୁଜାତାର ତାଗିଦ୍ କଲାପରି ସ୍ବର ଏକ ବିଷାଦର ରେଖା ଆଙ୍କିଦେଲା ବାବୁଙ୍କ କପାଳରେ, ” ବାପା ଆପଣଙ୍କୁ କେତେଥର କୁହାଯିବ କବାଟ୍‌ନ ଖୋଲିବାପାଇଁ, କରୋନା ଗାଇଡ ଲାଇନ୍ସ୍ ପରା ଦିନ ରାତି ଟିଭିରେ ଦେଖୁଛନ୍ତି, ବୟସ ଏତେ ହେଲାପରେ ବି ଏତେଟା ଖାମଖିଆଲି କଣପାଇଁ ? ନିଜେ ଅସୁବିଧାରେ ତ ପଡିବେ ଆମମାନଙ୍କୁ ବି ବିପଦରେ ପକାଇବେ? ” କିଂକର୍ତ୍ତବ୍ୟମୂଢ ହୋଇ ବାବୁ ତାଙ୍କ ଶୋଇବା ଘରକୁ ଚାଲିଗଲେ। ମନର ଝଡକୁ ଶାନ୍ତ କରିବାର ପ୍ରୟାସ ନେଇ ଟେବୁଲ୍ଉପରୁ ଖବରକାଗଜଟିକୁ ଟାଣି ଆଣି ସେଦିନର ତାଜା ଖବର ପୃଷ୍ଠାରେ ମନୋନିବେଶ କଲେ ରଙ୍ଗାଧର ବାବୁ। ହେଲେ ବୋହୂ ସୁଜାତାଙ୍କର ଶବ୍ଦ ତରଙ୍ଗ ବାରମ୍ବାର ପୁର୍ଣ୍ଣିମା ରାତିର ଜୁଆର ପରି ତାଙ୍କ ମନ ସାଗରରେ ହୁଙ୍କାର ମାରୁଥାଏ । ଦୀର୍ଘ ୪୦ ବର୍ଷ ର କର୍ତ୍ତବ୍ଯନିଷ୍ଠ ସେବା ପରେ ଏବେ ୫ ବର୍ଷ ହେବ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ସେ, ୨ ବର୍ଷତଳେ ପତ୍ନୀ ବିମଳାଙ୍କର ପରଲୋକ ଘଟିଛି ହୃଦଘାତରେ । ବାବୁଙ୍କ ର ପାଦ ଚାଲିଗଲା ଆପେ ଆପେ କାନ୍ଥରେ ଝୁଲୁଥିବା ପତ୍ନୀଙ୍କର ଫଟୋ ଆଡକୁ । ସେ ଆରପାରିକୁ ଗଲା ପରଠାରୁ ଆଜିକାଲି ରଙ୍ଗାଧର ବାବୁ ନିଜ ମନର ସମସ୍ତ ଅନ୍ତର୍ଦ୍ବନ୍ଦ ନେଇ ଘଣ୍ଟା ଘଣ୍ଟା ଧରି ପତ୍ନୀ ବିମଳାଙ୍କ ଫଟୋ ସାମ୍ନା ରେ ବସିରହନ୍ତି । ସେହି ନିର୍ଜୀବ ରଙ୍ଗ କାଗଜରେବି ବୋଧହୁଏ ତାଙ୍କୁ ଅବଲୋକନ ହେଉଥିଲା ବିମଳାଙ୍କ ର ଚର୍ମ ଚକ୍ଷୁ ର ଦର୍ଶନ ଓ ଦୁହେଁ ଚେତନା ରାଜ୍ଯ ରେ ବେଶ୍ ସମୟ ବିଚାରବିମର୍ଶରେ ରହି ଏକ ସକାରାତ୍ମକ ସିଦ୍ଧାନ୍ତରେ ଉପନୀତ ହେଉଥିଲେ । ଆଜିବି ବୋହୂ ସୁଜାତାଙ୍କ ର କଟାକ୍ଷ ବେଶ୍ ଆନ୍ଦୋଳିତ କରିଛି ତାଙ୍କର ପିତୃତ୍ୱର ସିଦ୍ଧାନ୍ତକୁ । ପୁଅବୋହୂଙ୍କୁ କେବେ ସେ ହତାଦର କରିନାହାନ୍ତି ଆଜିଯାଏ, ଯଦିଓ ବିମଳା ଥିବା ଯାଏ ଏତେଟା ସେ ଘରକରଣା ରେ ପ୍ରତ୍ୟକ୍ଷ ସାମିଲ୍ ନଥିଲେ। ଏକମାତ୍ର ପୁତ୍ର ତାଙ୍କର ସରୋଜ୍ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଏକ ପ୍ରସିଦ୍ଧ ମଲଟିନେସନାଲ୍ କମ୍ପାନୀ ବାଙ୍ଗାଲୋରରେ, ପ୍ରେମ ବିବାହ କରିଛି ସେ , ତା କମ୍ପାନୀରେ ଏକାଉଣ୍ଟ ବିଭାଗରେ କାମକରେ ସୁଜାତା । ପାରମ୍ପରିକ କଠୋରପନ୍ଥୀ ରଙ୍ଗାଧର ସମ୍ପୂର୍ଣ୍ଣ ଖିଲାପ୍ ଥିଲେ ସତ, ହେଲେ ସରୋଜ୍‌ର ଏକାନ୍ତ ଜିଦ୍ ଓ ପରେ ପୁତ୍ର ସ୍ନେହାନ୍ଧ ବିମଳାଙ୍କ ରାଣ ବାଧ୍ୟ କରିଥିଲା ତାଙ୍କୁ ଛାତି ଉପରେ ପଥର ରଖି ବାହାଘରକୁ ସ୍ୱୀକୃତି ଦେବାପାଇଁ । ଆଶା ଥିଲା ଦିନକେଇଦିନରେ ପଡୋଶୀଙ୍କ ଟାହି ଟାପରା ଉଚ୍ଚ ଶିକ୍ଷିତା ତଥା ଚାକିରିଆଣୀ ବୋହୂ ଆଗରେ କ୍ଷୀଣ ପଡିଯିବ। ତାଙ୍କର ଆଶା ସତହେଲା ସତ, ହେଲେ ହୃଦୟର କେଉଁ କୋଣରେ ଉଙ୍କିମାରି ଥିବା ଏକ ଆଶଙ୍କା କ୍ରମଶଃ ବଳବତ୍ତର ହୋଇ ଉଠିଛି ଏବେ ମୁଖ୍ଯତଃ ବିମଳା ଆଖିବୁଜିଲା ପରେ ।

ବୟସର ଅପରାହ୍ନରେ ଆଶ୍ରୟ ତ ଲୋଡି ନାହାନ୍ତି ସେ ଏଯାଏଁ, ନିଜ ଅର୍ଜିତ ଉପାର୍ଜନ ରେ କିଛି ନହେଲେ ବି ଖଣ୍ଡିଏ ସୁଦୃଢ଼ ପକ୍କା ଘର, ଦୁଇ ଏକର ଚାଷ ଜମି ଓ ରାଜରାସ୍ତାକୁ ଲାଗି ୧୦ ଗୁଣ୍ଠ ଜମି ମଧ୍ଯ ପୁଅ ସରୋଜ୍ ନାମରେ ରେଜିଷ୍ଟ୍ରି କରିଦେଇଛନ୍ତି। ମାସକୁ ମାସ ମିଳୁଥିବା ପେନସନ୍ ତାଙ୍କର ଏକୁଟିଆ ଗୁଜୁରାଣ ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ଓ ସେଥିରୁ ବଡ ଏକ ଅଂଶ ଏବେ ପ୍ରତି ମାସ ନାତି ଶୁଭମ୍ ନାଁରେ ବ୍ଯାଙ୍କ୍ ରେ ରଖୁଛନ୍ତି। ତାକୁ ଏବେ ୪ ବର୍ଷ, କେଉଁ ଏକ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠପଢିବା ଆରମ୍ଭ କଲାଣି ବାଙ୍ଗାଲୋର୍‌ରେ। ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା ପରେ ବାବା ମା ଙ୍କ ସହ ସେ ଆସିଛି ପ୍ରଥମ ଥର ପାଇଁ ଗାଁକୁ । ହଁ, ଭିଡିଓ କଲ୍‌ରେ କିନ୍ତୁ ସବୁ ରବିବାର ଜେଜେ ସହ ତାର ଗୁଲୁରୁ ଗୁଲୁରୁ ପାଟିରେ କେଇପଦ ଅସ୍ପଷ୍ଟ କଥା ସାଙ୍ଗକୁ ହସ ହସ ମୁହଁ ସାଂସାରିକ ଜୀବନ ରେ ପୀୟୂଷ ତୁଲ୍ଯ ମନେହୁଏ ରଙ୍ଗାଧର ବାବୁଙ୍କୁ । ଚକ, କଳ, ଅଖ ତ ପାଟିରେ ପଶୁନି ହେଲେ ମମି ତାର ଅପ୍ରତିମ ଉଦ୍ୟମ କରିଚାଲିଛି ଇଂରାଜୀ ଶିଖେଇବା ପାଇଁ। ସର୍କସରେ ରିଙ୍ଗ୍ ମାଷ୍ଟର୍ ବାଘ, ସିଂହ, ମାଙ୍କଡ଼ କୁ ତାଗିଦ୍ କଲା ପରି ମା ପୁଅ ଙ୍କର ପାଠପଢା ଚାଲେ ସଞ୍ଜ ସକାଳେ । ଶୁଭମ୍ ର “ଜେଜେ….ଜେଜେ” ଡାକ ଶୁଭିଲା ଦାଣ୍ତ ପଟରୁ । ସରୋଜ୍ ତାକୁ ନେଇ ବଜାର୍ ଯାଇଥିଲା ସେଲୁନରେ ବାଳ କଟେଇବା ପାଇଁ । ଦୌଡି ଦୌଡ଼ି ନାତି ପଶି ଆସିଲା ବାବୁଙ୍କ ଶୋଇବା ଘରକୁ ଓ ତାଙ୍କୁ ଫଟୋ ସାମ୍ନାରେ ଛିଡାହୋଇ ଅନ୍ୟମନସ୍କ ଥିବାର ଦେଖି କହିଲା ” ଜେଜେ ଫଟୋ ରେ କାହାକୁ ଦେଖୁଛ ? ଦେଖ ତୁମ ପାଇଁ ମୁଁ ଆଇସ୍କ୍ରିମ୍ ନେଇ ଆସିଛି, ମୋତେ ଆଜି ମଙ୍କି ଦେଖେଇ ନେବ ? ” ନିଜର ଅବଚେତନ ପ୍ରଦେଶରୁ ବାସ୍ତବତାକୁ ପ୍ରତ୍ଯାଗମନ କରିବା ପୁର୍ବରୁ ସୁଜାତାଙ୍କ ର କଣ୍ଠସ୍ବର ପୁନର୍ବାର ଜିବୀତ କଲା ରଙ୍ଗାଧର ବାବୁଙ୍କର କ୍ଷୀଣ ହୃଦୟାବେଗକୁ……..”ଶୁଭମ୍ ! ନେ ସାନିଟାଇଜର୍ ଲଗା ହାତରେ, ଚାଲ୍ ବାଥରୁମକୁ, ଡାଡି ଓ ତୁ ଫେସ୍ ମାସ୍କ, ହ୍ଯାଣ୍ଡ ଗ୍ଲୋଭସ୍ ଲଗାଇଥିଲ” ? ଶୁଭମ୍ କିନ୍ତୁ ଜେଜେଙ୍କ ଉତ୍ତରକୁ ନିର୍ନିମେଷ ନୟନରେ ଅପେକ୍ଷା କରିଥାଏ ତାଙ୍କ ହାତରେ ଆଇସ୍କ୍ରିମ୍ ଟିକୁ ଧରାଇଦେଇ । ମମିର ଏକାଧିକ ପ୍ରଶ୍ନ ତାର ଶ୍ରୁତିଗୋଚର ହେଉଥିଲେହେଁ ଚପଳମସ୍ତିଷ୍କ ତାର ଜେଜେବାପାଙ୍କର ମାଙ୍କଡ଼ ଦେଖେଇବାର ଉତ୍ସୁକତାକୁ ପ୍ରାଧାନ୍ଯ ଦେଇଛି । ରଙ୍ଗାଧର ବାବୁ ତାକୁ କୋଳାଇନେଇ ଆଜି ସଂଧ୍ଯାରେ ହିଁ ତାର ମାଙ୍କଡ ଦେଖା ଜିଜ୍ଞାସା କୁ ପରିପୂର୍ଣ୍ଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ” ଶୁଭମ୍ ! ତୋତେ କଣ ଶୁଭାଯାଉନି ? “ସୁଜାତା ତା ହାତଧରି ଟାଣି ନେଲେ ଜେଜେବାପାଙ୍କ କୋଳରୁ । ଭାଙ୍ଗି ଗଲା ରଙ୍ଗାଧର ବାବୁଙ୍କ ର ଧୈର୍ଯ୍ୟର ବନ୍ଧ, ଏଯାଏଁ ମୌନ ଥିଲେ ସେ ନିଜ ଉପରେ ଲଦି ହୋଇଥିବା ସମସ୍ତ ଆକ୍ଷେପକୁ ସହି, ହେଲେ ଭାବପ୍ରବଣ ହୋଇ ଉଠିଲେ ସେ ଯେତେବେଳେ ତାଙ୍କ ଉପରର ଆକ୍ରୋଶ ବୋହୂ ଶୁଭମ୍ ଉପରେ ସୁଝାଇବାକୁ ଉଦ୍ଯତ । ଗର୍ଜ୍ଜନ କରିଉଠିଲେ ସେ “ବୋହୂ! ତାର ହାତ ଖସିଯିବ, ମୁଁ ତାକୁ ସାନିଟାଇଜର୍‌ ଲଗାଇଦେବି, ତାକୁ ଛାଡ୍ ….”। “ଥାଉ ବାପା ଆଉ ବ୍ଯସ୍ତ ହୁଅନ୍ତୁ ନାହିଁ, କମସେକମ୍ ଯଦି ସାଧାରଣ ସତର୍କତା ଥାଆନ୍ତା ତାହେଲେ ଏତେ ଭଲ ପାଉଥିବା ଛୋଟ ପିଲାଟିର ସ୍ବଚ୍ଛତା ପ୍ରତି ଆପଣ ନିଶ୍ଚୟ ଟିକିଏ ସଜାଗ ହୋଇ ଥାଆନ୍ତେ । ଆପଣଙ୍କୁ ଦୋଷ ଦେଇ ବା କି ଲାଭ, ନିପଟ ଗାଁରେ କଣ ସଭ୍ଯତା ଏବେ ଆସିଲାଣି ? ସେଥିପାଇଁ ହିଁ ତାକୁ ନେଇ ଗାଁ କୁ ଆସିବାକୁ କେବେ ଚାହୁଁ ନଥିଲି । ଏବେ ବହୁତ୍ ହେଲା ଆଉ ଗୋଟାଏ ଦିନ ହିଁ ଏଠି ରହିଲେ ପିଲାଟା ଭୁଷ୍ମାଣ୍ଡ ପାଲଟିଯିବ। ଗୋଟାଏ ସପ୍ତାହ ପରେ ବାଙ୍ଗାଲୋର୍ ଯିବାଯାଏ ସେ ତା ମାମୁଁ ଘର ରାଉରକେଲାରେ ହିଁ ରହିବ”। ଅର୍ଜୁନର ଗାଣ୍ଡିବରୁ ନିଷ୍କୃତ ତୀର ଭୀଷ୍ମ ପିତାମହଙ୍କର ହୃଦୟକୁ କ୍ଷତାକ୍ତ କଲାପରି ସୁଜାତାଙ୍କର ପ୍ରତିଟି ବାକ୍ଯ ସତେଅବା ରଙ୍ଗାଧର ବାବୁଙ୍କୁ ବିଦିର୍ଣ୍ଣ କରିଦେଉଥିଲା। ଆକ୍ରୋଶ ରେ ସେ ସୁଜାତାଙ୍କୁ ନୈତିକତାର କିଛି ଶବ୍ଦ କହିବାକୁ ଉଦ୍ଯତ ହେଉଥିଲା ବେଳେ ଚେତନାର ଅନ୍ତର୍ଦ୍ବୋନ୍ଦରେ ବାକ୍ ଶୁନ୍ଯ ହୋଇଗଲେ ସେ । ଶୁଭମ୍ ର ସେହି ଆଇସ୍କ୍ରିମ୍‌ଟି ଟେବୁଲ୍ ଉପରେ ତରଳି ଯାଇ ତାଙ୍କର ନାତିକୁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାର ଅପାରଗତାକୁ ତାଛଲ୍ଯ କରୁଥାଏ । ସ୍ନେହ କାଙ୍ଗାଳ ରଙ୍ଗାଧର ବାବୁ ପୁଅ ସରୋଜ୍‌କୁ ଡାକି ଛାତି ତଳେ ଚାପି ଧରିଥିବା କୋହକୁ ମୁକ୍ତ କରିଦେବେ ବୋଲି ଭାବୁଥିଲେ, ହେଲେ ସ୍ବାଭିମାନର ବେଡି ତାଙ୍କୁ ପଛକୁ ଟାଣିଧରିଥିଲା । ପରିଶେଷରେ ବିମଳାଙ୍କ ଫଟୋ ସାମ୍ନାରେ ଦୁଇ ଧାର ଲୁହ ଢାଳି ନିସ୍ତବ୍ଧତାକୁ ଆପଣେଇନେଲେ ସେ ।

ରାତ୍ରୀ ଭୋଜନକୁ ସେଦିନ ପ୍ରତ୍ଯାଖ୍ଯାନ କରିଦେଇଥିଲେ ରଙ୍ଗାଧର ବାବୁ, କେଜାଣି କାହିଁକି ତାଙ୍କୁ ସେଦିନ ପ୍ରଥମ ଥର ପାଇଁ ନିଜଘର କରାଗାରାର କଳା କଠୋରୀପରି ପ୍ରତିତ ହୋଇଥିଲା । ପାଖ କୋଠରୀରୁ ସରୋଜ୍ ଓ ସୁଜାତାଙ୍କର ଉଚ୍ଚ ସ୍ବରରେ ବାକ୍ ଯୁଦ୍ଧ ରାତ୍ରୀର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ବେଶ୍ ଶ୍ରୁତିଗୋଚର ହେଉଥିଲା ତାଙ୍କୁ । ପ୍ରଭାତର ପ୍ରାରମ୍ଭ ଆଦୌ ସୁଖଦ ନ ଥିଲା ତାଙ୍କର, ସୂର୍ଯ୍ୟ ତର୍ପଣ କରି ଯେତେବେଳେ ପଛକୁ ଚାହାଁନ୍ତି, ହତବାକ୍ ହୁଅନ୍ତି ପୁଅ, ବୋହୂ ଓ ନାତିଙ୍କୁ ବ୍ଯାଗ୍ ଆଟେଜ୍ ଧରି ପ୍ରତ୍ଯାଗମନର ପ୍ରସ୍ତୁତି ଦେଖି। “ଜେଜେ ମୁଁ ଆରଥର ଆସିଲେ ମଙ୍କି ଦେଖିବି, ଏବେ ଅଙ୍କଲଙ୍କ ଘରକୁ ଯାଉଛି ରାଉରକେଲା”। ଶୁଭମ୍‌ର ଶେଷ କେଇପଦ ଶବ୍ଦ ସତେଅବା ଦେବ ଅଭିଶାପ ପରି ମନେହେଲା ରଙ୍ଗାଧର ବାବୁଙ୍କୁ, ଲୋଟାଟି ହାତରୁ ଖସି ପଡିଲା ତାଙ୍କର । ଲୋଟାଟିକୁ ତଳୁ ଉଠାଉ ଚରଣ ସ୍ପର୍ଶ କଲେ ସରୋଜ୍ “ବାପା ଆମେ ରାଉରକେଲା ଯାଉଛୁ, ୫ ଦିନପରେ ସେଠୁ ବାଙ୍ଗାଲୋର୍ ଟ୍ରେନ୍ ଟିକେଟ୍ ହୋଇଛି । ପଡିଶା ଘରର ସୋନା ଖୁଡି ଆସି ଆପଣଙ୍କ ପାଇଁ ରୋଷେଇ କରିଦେବେ, ସନିଆ ଭାଇକୁ କହିଦେଇଛି ଘରେ ଯାହା ଆବଶ୍ଯକ ସେ ସବୁ ଆଣିଦେବ। ଆପଣ ଦେହର ଯତ୍ନ ନେବେ”। ସମସ୍ତ ଚେଷ୍ଟା ସତ୍ବେ ଅଜାଣତରେ ଆଖିକୋଣରୁ ଝରି ଆସିଲା କେଇ ଠୋପା ଲୁହ ରଙ୍ଗାଧର ବାବୁଙ୍କର, ତତକ୍ଷଣାତ୍ ତାକୁ ନାଲି ଗାମୁଛାରେ ପୋଛି ଦେଉ ଦେଉ କୋହ ଢୋକି କହିଲେ ” ବାବୁରେ ମୋ କଥା ଛାଡ, ବୟସର ଅପରାହ୍ନରେ ଏତେଟା ଯତ୍ନ କଣ ଆବଶ୍ଯକ ମୋର୍, ଆଉ ୨/୩ ଦିନ ରହିଯାଇଥିଲେ ହୋଇ ନ ଥାଆନ୍ତା? ମୋ ନାତିର ମାଙ୍କଡ଼ ଦେଖାଟା ଟିକେ ପୁରା ହୋଇଯାଇଥାଆନ୍ତା… ” । “ବାପା ଡେରି ହୋଇଗଲାଣି ଗାଡିବାଲା ବିରକ୍ତ ହେଉଛି, ଆମେ ଆସୁଛୁ… ” କହି ସୁଜାତା ମୁଣ୍ଡିଆ ମାରି ସପରିବାରେ ଘର ଆଗରେ ଛିଡା ହୋଇଥିବା ଧଳା କାର୍ ଆଡକୁ ଚାଲିଲେ। ଝରକା ଖୋଲି ଶୁଭମ୍ ଜେଜେଙ୍କୁ ହାତ ହଲାଇ ଟାଟା କଲା ଓ କିଛି ସମୟ ମଧ୍ଯ ରେ ଗାଡିଟି ଦୃଶ୍ୟହୀନ ହୋଇଗଲା ରଙ୍ଗାଧର ବାବୁଙ୍କଠୁ, ତଥାପି ସେ ହାତ ହଲାଇ ଚାଲିଥାଆନ୍ତି ସତେ ଯେମିତି ନିବିଡ଼ ସମ୍ପର୍କର ଏକ ସୁଦୀର୍ଘ ଅଦୃଶ୍ଯ ଶୃଙ୍ଖଳ ବାନ୍ଧି ହୋଇଥିଲା ତାଙ୍କ ସହିତ। “ଦାଦା ସେମାନେ ଗଲେଣି,ଏବେ ଘରକୁ ଚାଲନ୍ତୁ” ! ସନିଆର ଡାକରେ ଚମକି ପଡି ବାସ୍ତବତାକୁ ପ୍ରତ୍ଯାବର୍ତ୍ତନ କଲେ ରଙ୍ଗାଧର ବାବୁ।

ମାସ କେତୋଟି ବିତିଯାଇଛି, ଦିନେ ହଠାତ୍ ବଡି ସକାଳୁ ସରୋଜ୍ ବ୍ଯସ୍ତ ବିବ୍ରତ ହୋଇ ବ୍ଯାଗ୍ ପ୍ୟାକ୍ କରୁଥିବାର ଦେଖି ପତ୍ନୀ ସୁଜାତା ପ୍ରଶ୍ନ କଲେ “କଣ ହେଲା, କୁଆଡେ ବାହାରିଲ, ପ୍ରୋଜେକ୍ଟ ଟୁର୍ ପରା ଆର ମାସରେ ଥିଲା”?….”ନାହିଁ ସନିଆ ଭାଇର ଫୋନ୍ ଆସିଥିଲା, ବାପା ବେଡ୍‌ରୁ ପଡିଯାଇଛନ୍ତି, ମୋତେ ଯିବାକୁ ହେବ “ଉତ୍ତର ଦେଲେ ସରୋଜ୍” । ସେ କଣ କାହା କଥା ଶୁଣନ୍ତି, ଛକ ଦୋକାନୀ କଣ ଗୋଟେ କଢା ପାନ ଦେଇ ଦେଇଥିବ ବୋଧେ । ଅଯଥାରେ ଏତେଟା ବ୍ୟସ୍ତ ହେଉଛ କଣପାଇଁ ? ଯିବା କଣ ଦରକାର ଏବେ, କାଲିପରା ଶୁଭମ୍ ର ପ୍ୟାରେନ୍ଟସ୍ ମିଟିଂ ଅଛି” ? “ନାହିଁ ସୁଜାତା, ବାପା ସିରିଅସ୍ ମୋତେ ଯିବାକୁ ହେବ, ଶୁଭମ୍ ସହ ତୁମେ ସ୍କୁଲ ଚାଲିଯିବ, ମୁଁ ଆସୁଛି” କହି ଚାଲିଗଲେ ସରୋଜ୍ । ତହୁଁ ପର ଦିନ ଗାଁ ମୁଣ୍ଡ ରେ ସନିଆକୁ ଦେଖି ଗାଡିରୁ ଓହ୍ଲାଇ ପଡିେଲ ସରୋଜ୍, ଡ୍ରାଇଭର୍‌କୁ ପଇସା ଦେଇ ସନିଆ ପାଖକୁ ଧାଇଁ ଗଲେ ସେ….. “ସନିଆ ଭାଇ କଣ ହୋଇଛି ବାପାଙ୍କ ର? ଡାକ୍ତର ଦାସ୍ କଣ କହିଲେ? ତାଙ୍କର ବିପି ଠିକ୍ ଅଛି ତ”?…..ପ୍ରଶ୍ନ ରେ ପୋତି ପକାଇଲେ ସେ ସନିଆ କୁ। “ତୁ ଆଗେ ଘରକୁ ଚାଲ୍, ଡାକ୍ତର ସେଠି ଅଛନ୍ତି”….କହି ସନିଆ ସରୋଜ୍ ର ହାତଧରି ଘରମୁହାଁ ହେଲେ ।

ଘରେ ପହଞ୍ଚି ସରୋଜ୍ ଦେଖିଲେ ନିଶ୍ଚେତ୍ ହୋଇ ପଡିଛନ୍ତି ରଙ୍ଗାଧର ବାବୁ, ସତେ ଅବା ଶରଶଯ୍ୟାରେ ପିତାମହ ଭୀଷ୍ମ ମା ଗଙ୍ଗାଙ୍କର ଆଗମନକୁ ଅପେକ୍ଷାରେ ଦେହତ୍ଯାଗ କରିବା ପାଇଁ। ଅପଲକ ନୟନରେ ଶୂନ୍ଯାଭିମୁଖୀ ସେ, ପାଖ ଚେୟାରରେ ଡାକ୍ତର ବସି କ୍ଷୀଣ ନିଃଶ୍ବାସ ଓ ମୃଦୁ ହୃଦ୍ ସ୍ପନ୍ଦନ କୁ ଷ୍ଟେଥୋସ୍କୋପ୍ ରେ ଅନୁଭବ କରିବାକୁ ଚେଷ୍ଟା କରୁଥାନ୍ତି, ତାଙ୍କ ମୁହଁରୁ ଯାହା ପ୍ରତୀୟମାନ ହେଉଥାଏ ନିରୁପାୟ ହୋଇ ସେ କେବଳ ଓୌପଚାରିକତାକୁ ଅପେକ୍ଷା କରିଛନ୍ତି ବୋଧହୁଏ। ଧାଇଁ ଯାଇ ସରୋଜ୍ ବାପାଙ୍କ ର ପାଦ ସ୍ପର୍ଶ କଲା,ଶିଥିଳ ଶୀତଳତାରେ ଆଚମ୍ବିତ ହୋଇ ଉଠିଲେ ସେ, ଆତୁର ନୟନରେ ବାପା ବାପା ଡାକି ରଙ୍ଗାଧର ବାବୁଙ୍କ ମୁହଁ କୁ ଆଉଁସି ଦେଲେ ସେ। “ଡକ୍ଟର କଣ ଦେଖୁଛନ୍ତି, ଆମ୍ବୁଲାନ୍ସ ଡକାଇ ଦେବି”!…. କୋହଭରା କଣ୍ଠରେ ପଚାରିଲେ ସରୋଜ୍। ଡକ୍ଟର ଦାସ୍ କାନରୁ ଷ୍ଟେଥୋସ୍କୋପ୍ କାଢି ନିଜ ଆଟେଚ୍ ଧରି ଛିଡା ହେଲେ ଓ ସରୋଜ୍‌କୁ ଧିର ସ୍ବରରେ ବାହାରକୁ ଡାକିନେଇ କହିଲେ, ” ଆଇ ଆମ୍ ସରି ସରୋଜ୍, ବାପାଙ୍କ ପାଖରେ ଏବେ ବହୁତ କମ୍ ସମୟ, ଯାଅ ତାଙ୍କ ପାଖରେ ରୁହ। ସିଭିଅର୍ କାର୍ଡିଆକ୍ ଆରେଷ୍ଟ୍। ବୋଧହୁଏ ବହୁତ୍ ଡିପ୍ରେସନ୍ ରେ ଥିଲେ ସେ…..” ପାଦତଳୁ ଭୁଇଁ ଖସି ପଡିଲା ପରି ମନେହେଲା, ଏକ ମୁହାଁ ହୋଇ ବାପାଙ୍କ ଆଡକୁ ଧାଇଁ ବାକୁ ଉଦ୍ଯତ ହୁଅନ୍ତି ସରୋଜ୍ ,ହେଲେ ଲିଭିଲା ସଳିତାର ଶେଷ ଧୁଆଁ ପରି ଭାସି ଆସିଲା ସୋନାଖୁଡୀ ଓ ସାହିର ଅନ୍ୟ ଭୁଆସୁଣୀ ମାନଙ୍କ ର ଆତୁର କ୍ରନ୍ଦନ ସ୍ବର। ସତେ ଅବା ଏକ ବହୁ ପ୍ରତିକ୍ଷୀତ ନାଟକର ଯବନିକା ପଡିଲା। ସରୋଜ୍ ମୁଣ୍ଡ କୁ ଆଉଁସି ଦେଇ ସୋନାଖୁଡୀ କାନ୍ଦି କାନ୍ଦି କହିଲେ “ସବୁ ସରିଗଲା ରେ ଧନ, ବାପଛେଉଣ୍ଡ ହେଇଗଲୁ ତୁ, ଯା ଶେଷ ଥର ପାଇଁ ଦେଖିନେ ବାପାକୁ “। କୋହ ଓ ଗ୍ଲାନି ରେ ମ୍ରିୟମାଣ ହୋଇ ସରୋଜ୍ ଧାଇଁ ଗଲେ ବାପାଙ୍କ ପାଖକୁ, ତାଙ୍କ ହାତ ସ୍ପର୍ଶ ରେ ଆଖି ପତା ଚିରଦିନ ପାଇଁ ବନ୍ଦ ହୋଇଗଲା ରଙ୍ଗାଧର ବାବୁଙ୍କର। ଶିଶୁ ପରି ବୁକୁଫଟା ଚିତ୍କାର କରି କାନ୍ଦି ଉଠିଲା ସେ, ଗତଥର ଘରଛାଡି ଗଲାବେଳେ ତାଙ୍କରି ସେ “ବାବୁରେ” ଡାକ ସତେ ଅବା କେଉଁ ଏକ ଏକାଙ୍କିକା ପୃଷ୍ଠାରେ ଚାପି ହୋଇ ରହିଗଲା ଆଜି ତା ପାଇଁ। ସୁଦୂର ବାଙ୍ଗାଲୋର୍ ରୁ ନାତି ଶୁଭମ୍ ଓ ବୋହୁ ସୁଜାତାଙ୍କ ଆସିବା ସମ୍ଭବ ନଥିବାରୁ ଶେଷ କୃତି ସରୋଜ୍ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇ ସାହିର ବଡ ମାନେ ତତ୍ପର ହୋଇ ଉଠିଲେ। ଅପରାହ୍ନ ଆଗତ ଥିଲା ପ୍ରାୟ,ସତେ ଅବା ରଙ୍ଗାଧର ବାବୁଙ୍କ ର ବୟସର ଅପରାହ୍ନ ସହ ଏକ ତାତ୍ବିକ ସଂଯୋଗ । ସଂଧ୍ଯା ପୁର୍ବରୁ କାର୍ଯ୍ୟ ସମାପନ କରିବାପାଇଁ ସମସ୍ତେ ଏକତ୍ର ହେଲେ, ଗାଁ ମୁଣ୍ଡ ଶ୍ମଶାନ ରେ ଜଳି ଉଠିଲା ଶୁଭମ୍ ଜେଜେଙ୍କର ଜୂଇ । ଆତ୍ମଗ୍ଲାନୀ, ଅନୁତପ୍ତ ଓ ଅଭିମାନର ସମସ୍ତ ପୁଞ୍ଜି ଘିଅ ହୋଇ ବାପାଙ୍କ ର ସେହି ଜୂଇନିଆଁରେ ଜଳିଗଲା ସରୋଜ୍‌ର । ଚିତାଗ୍ନି ର ସେହି ଧୂମିଳ ଶିଖା ସତେ ଅବା ବିଦ୍ରୁପ କରି ସରୋଜ୍‌କୁ ନିଜର ଆଗତ ବୟସର ଅପରାହ୍ନ ପାଇଁ ପ୍ରସ୍ତୁତ୍ ହେବାପାଇଁ ଚେତାଇ ଦେଉ ଥିଲା । ଜ୍ଞାତି ପଡୋଶୀମାନଙ୍କ ସହ ସରୋଜ୍ ଫେରି ଆସୁଥିଲା ଘରକୁ, ଗୋରୁପଲ ଧୂଳି ଉଡେଇ ଆଗେ ଆଗେ ଚାଲିଥାଆନ୍ତି, ପୁନଃ ପ୍ରଭାତରେ ସେମାନେ ହୁଏତ ପୁନର୍ବାର ପ୍ରତ୍ଯାବର୍ତ୍ତନ କରିବେ ତାଙ୍କର ଚରାଭୂଇଁ କୁ ହେଲେ ରଙ୍ଗାଧର ବାବୁଙ୍କର ସେଥିଲା ବୟସ ଅପରାହ୍ନର ଶେଷ ଗୋଧୂଳି ଲଗ୍ନ, ଆଗକୁ କେବଳ ଅସରନ୍ତି ନିସ୍ତବ୍ଧ ଅନ୍ଧକାର। ସରୋଜ୍ ଙ୍କୁ ସେଦିନର ସଂଧ୍ଯା ସତେ ଅବା ଏକ ଶାପିତ ରାତ୍ରି ଆଡକୁ ବାଟ କଢେଇ ନେଉଥାଏ, ହଠାତ୍ ଘର ସାମ୍ନା ରେ ଅଟକି ଗଲା ତା ପାଦ, ରଙ୍ଗାଧର ବାବୁଙ୍କର ଶୋଇବା ଘର ଛାତ ଉପରେ ଏକ ବିରାଟ ହନୁ ମାଙ୍କଡ଼ ଲାଞ୍ଜ ତଳକୁ ଲମ୍ବାଇ ଆକାଶକୁ ଚାହିଁ ବସି ରହିଥାଏ, ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ ଟି ଶୁଭମ୍ ର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ…

ଲୋକପ୍ରିୟ ଲେଖା

To Top