ପ୍ରସାରିତ ଆକାଶପରି
ପରିବ୍ୟାପ୍ତ ମନ ଓ ହୃଦୟ
ସବୁକିଛିକୁ ଗ୍ରହଣ କରିପାରେ
ସବୁକିଛିକୁ ସାମ୍ନା କରିପାରେ ।
ସଙ୍କୁଚିତ ଭାବନା,
ଗଢ଼ିପାରେ ବଗିଚାଟିଏ
ଫୁଟାଇପାରେ ଫୁଲ ହରେକ୍ ରକମର
ଜାତି ଜାତି ଗଛ ଲଗାଇପାରେ
ତିଆରି କରିଥିବା ପୋଖରୀ ଚାରିକଡ଼ରେ
ମଜୁଭୂତ ଦିଆଲ କରିପାରେ
ବଗିଚାର ସୁରକ୍ଷା ପାଇଁ
ଅଥଚ ତାହା ପୋଖରୀ ହୋଇପାରେ
କେବେ ନଈ ହୋଇପାରେନା,
ନଈ ହେଲେ ଖରାଦିନେ ଶୁଖିପାରେ
ବର୍ଷା ଦିନେ ଉଚ୍ଛୁଳି ପାରେ
ପୁଣି କେବେ ବନ୍ୟା ହୋଇ
ଭସାଇ ନେଇପାରେ ସଜଡ଼ା ସଂସାର,
ନଈ କେବଳ ନଈ ହୋଇଥାଏ,
ସମୁଦ୍ର ହୁଏନା,
ସମୁଦ୍ର ଆକାଶ ପରି ସୀମାହୀନ
ସବୁନଈକୁ ଗ୍ରହଣ କରିପାରେ
ସବୁ ନଈକୁ ନିଜ ପରି ଲବଣାକ୍ତ କରିପାରେ ।
ମନ ଯଦି ସମୁଦ୍ର ହୁଏ
ଆକାଶ ପରି ପରିବ୍ୟାପ୍ତ ହୁଏ ତା’ର ଭାବନା ।
ଭାବର ତରଙ୍ଗ ସବୁ ମୁଣ୍ଡ ପିଟେ
ମନ ଉପକୂଳେ ।
ଧୋଇନିଏ ଯେତେ ଯାହା ଥାଏ ତା’ର କୂଳେ ।
ତଥାପି ସେ ସୁନ୍ଦର ସବୁକିଛି ଗ୍ରହଣ କରି ।
ଗ୍ରହଣଶୀଳତା ହିଁ ଜୀବନ !
ଜିଜ୍ଞାସା ହିଁ ତା’ର ପଥଚଲାର ଅଙ୍ଗିକାର ।
ପ୍ରତିଟି ମୁହୂର୍ତ୍ତକୁ ସେ ପରିବର୍ତ୍ତନ କରି
ଆଗେଇ ଚାଲେ ଆଗକୁ ଆଗକୁ ।
ଏକା ନୁହେଁ ଅନେକଙ୍କୁ ନେଇ
ସେ ଦେଖାଯାଏ ବିପୁଳ ।
ବିପୁଳତା ହିଁ ସମସ୍ତଙ୍କୁ ଏକାଭଳି ଦିଶେ ।
