କବିତା

ସମୁଦ୍ର କେତେ ଦୂର

Binay Mohapatra's odia poem Samudra Kete Doora

ଯେଉଁଠାରୁ ଆରମ୍ଭ ମୋ ପଥ,
ସେଇଠି ସମାପ୍ତ,
ବିଚିତ୍ର ଏ ସୃଜନୀର ତନ୍ତ୍ର ।

ସମୁଦ୍ର କେତେ ଦୂର

ଜୀବନ
ସୁକୁମାରୀ ନଦୀଟିଏ ।

ଅନନ୍ତ ଅନ୍ତରୀକ୍ଷ ତେଜି,
ଲମ୍ପମାରି ଧରାବତରଣ କଲା ଭାଗୀରଥି,
ଅତି ବ୍ୟାକୁଳରେ ଖୋଜୁଥିଲା,
ଧୂର୍ଜଟୀର ଜଟା ।

ହେଲେ, ନାହିଁ କେହି ନାହିଁ ଏଠି,
ବାହୁପଶାରୀ କୋଳେ ନେଇଯିବ,
ଛାତିରେ ତା ଆଉଜାଇ ନେବ, ଆଉ
ପଚାରିବ ଯାତ୍ରା କିପରି ଥିଲା ?

ଜୀବନ ତ ଯାତ୍ରାଟିଏ,
ପଥ ଜଣାନାହିଁ, କିନ୍ତୁ
ଗନ୍ତବ୍ୟ ତ ମହୋଦଧୀ ମୋର
କେବଳ ଜାଣିଛି ଏତିକି ।

ଯେଉଁଠାରୁ ଆରମ୍ଭ ମୋ ପଥ,
ସେଇଠି ସମାପ୍ତ,
ବିଚିତ୍ର ଏ ସୃଜନୀର ତନ୍ତ୍ର ।

କୁଳୁକୁଳୁ ବୋହିଗଲା
ଝରଣାର ରୂପ ନେଇ
ଚପଳ ଶିଶୁମତି ମୋର,
ହେଲେ ଦୁନିଆଁ ନିଷ୍ଠୁର ।

ପଥ ଅଟକାଏ ଅଚଳ ପର୍ବତ,
ଦୁର୍ଗମ ବନ, କଙ୍କରୀତ ପଥ,
ହେଲେ ସେ କିବା ଜାଣନ୍ତି
ପରମାଣୁ କେତେ ଯେ ଶକତ ?

କିଏ ଅବା ଅଟକାଇ ନେବ ପାଦ ମୋର
ରୁନ୍ଧି ମୋର ପଥ ?

ସମତଳେ ଯୌବନ ମୋ
କାୟା ମୋ ବିଶାଳ
ଉଦଣ୍ଡ ମୋ ମତି,
ତୃଷାର୍ତରେ ଢାଳି ଦେଲି ଜଳ,
ଦେଲି ଦଣ୍ଡ ଯିଏ ରୋଧେ ପଥ ମୋର ।

ପ୍ରିୟଜନ ମିଳିଗଲେ କେତେ,
କାନ୍ଧରେ ମିଶାଇ କାନ୍ଧ
ସହଯାତ୍ରା କଲେ ମୋର ସାଥେ ।

ଦେଇଗଲି ସନ୍ତତି ଜନ ଜନ ପାଇଁ,
କେତେ ଯେ ସଭ୍ୟତା କୂଳେ ଗଲି ଦେଇ,
ତଥାପି ଚାଲିଛି ଖୋଜି ସମୁଦ୍ର ଠିକଣା ।

ଶୁଭେ କରାଳ ସମୁଦ୍ରର ଡାକ,
ଜାଣିଛି ମୁଁ ଆଉ ବେଶିଦୂର ନୁହେଁ
ସମୁଦ୍ର ନିକଟ ।

ଆଜି ନ ହେଲେ,
କାଲି ତ ସରିବ ଏ ଯାତ୍ରା,
କିନ୍ତୁ ସରିବନି ଜୀବନର ଗାଥା ।

ନଦୀ କିବା ମରେ କେବେ ରବିତଳେ,
ବୋହି ଚାଲିଥିବ ଅମୀୟର
ଧାରା କାଳେ କାଳେ ।

ଜୀବନ ତ ନଦୀଟିଏ ପରି, ହେଲେ
ମରେ ନାହିଁ ମୃତ୍ୟୁ ସାଥେ ସାଥେ ।

ମୃତ୍ୟୁଞ୍ଜୟୀ ସିଏ,
ଯିଏ ଜିତିପାରେ ସକଳ ହୃଦୟ
ନିଜ ପ୍ରେମବଳେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top