କବିତା

ସମୀକରଣ. . . ମାନବର !

Dr Sourya Acharya's odia poem Samikarana Maanabara

ମରଣ, ଜନ୍ମ, ମିଳନ, ବିଚ୍ଛେଦ,
ରୋଗ, ବ୍ୟାଧି, କ୍ରୋଧ, ପ୍ରତିଶୋଧ,
କେତେ ରଙ୍ଗ ବେରଙ୍ଗ ଖେଳ,
ରସାୟନର ପ୍ରୟୋଗଶାଳାରେ ! !

ସମୀକରଣ. . . ମାନବର !

ସୃଷ୍ଟିର ସମୀକରଣ,
କେତେ ଗଣିତ. . . କେତେ ସାହିତ୍ୟ !
ଭାଗ୍ୟ ଭୂଗୋଳ ବୁଲି ବୁଲି,
ଲେଖିଯାଏ. . . କେତେ ପୃଷ୍ଠାର ଇତିହାସ !

ଦିନ, ରାତି, ସକାଳ, ସଞ୍ଜ
କାଳଚକ୍ର ଘୂରି ବୁଲେ,
ପ୍ରମାଣ କରି କରି. . .
ଆତ୍ମାର ରହସ୍ୟମୟୀ ଭୌତିକତା. . .

ମରଣ, ଜନ୍ମ, ମିଳନ, ବିଚ୍ଛେଦ,
ରୋଗ, ବ୍ୟାଧି, କ୍ରୋଧ, ପ୍ରତିଶୋଧ,
କେତେ ରଙ୍ଗ ବେରଙ୍ଗ ଖେଳ,
ରସାୟନର ପ୍ରୟୋଗଶାଳାରେ ! !

କେତେ ବୈଜ୍ଞାନିକ, କେତେ ଦାର୍ଶନିକ,
ଅଧ୍ୟାୟ ପରେ ଅଧ୍ୟାୟ. . . ଦର୍ଶନ ପରେ ଦର୍ଶନ. . .
କିନ୍ତୁ ମହାଜ୍ଞାନୀ ରୁନ୍ଧି ହୁଏ,
ମୂର୍ଖତାର ନାଗଫାଶରେ !

ପଞ୍ଚତନ୍ତ୍ରରୁ ବେଦ. . .
କୁରାନ୍ରୁ ବାଇବେଲ୍ ପର୍ଯ୍ୟନ୍ତ
ଅସୀମ ଜ୍ଞାନର ସୀମା ଲଙ୍ଘି,
ମାନବ ଖୋଜେ, ଅନ୍ଧାରରୁ ତେଜ ! !

ବୁଦ୍ଧ, ରାମ, କୃଷ୍ଣ, ଯୀଶୁ. . .
ଥକି ଗଲେ ଜ୍ଞାନଦୀପ ଜାଳି ଜାଳି,
ଗୁରୁମନ୍ତ୍ର ହେଲା ବିଫଳ,
ମାନବ ! ! ହେ ମାନବ ! ! ଧିକ୍କାର ତୋ ଶିଷ୍ୟତ୍ୱ ! !

ଜ୍ଞାନର ପାଠାଗାର. . . ମହାଶୂନ୍ୟ,
ମହର୍ଷିଙ୍କ ମହାଗ୍ରନ୍ଥ. . . ଅର୍ଥହୀନ,
ମୌଳିକତାର ବିଶ୍ୱବିଦ୍ୟାଳୟ. . .
ଆଦି ବିଭତ୍ସତାର ନଗ୍ନ ନୃତ୍ୟଶାଳା ! !

ମାନବିକତାର ମନ୍ଦିର. . .
ଆଜି ମହାରଣ୍ୟରେ. . . ଏକମାତ୍ର ପାନ୍ଥଶାଳା ! ! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top