ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ଧାଈମା’ଙ୍କ ଦେହ ପ୍ରାୟତଃ ଅସୁସ୍ଥ ରହୁଛି ଆଜିକାଲି । ସେମାନଙ୍କ ଛଡା ତାଙ୍କଜୀବନର ଦମ୍ଭ କିଛି ବି ତ ନାହିଁ । ମଥାଉପରେ ପୁଣି ନାତୁଣୀର ଦାୟିତ୍ୱ..! ସତରେ ଧାଈମାଆ ହିଁ ତାଙ୍କ ଆଦର୍ଶ । ତାଙ୍କ ନିଷ୍ଠାପରତା, ଆତ୍ମସଂଯମୀପଣିଆ, ଧୈର୍ଯ୍ୟ, ତ୍ୟାଗ, ନିଷ୍କପଟ ଭଲପାଇବା ଓ ତା ସହିତ ସରଳ ସହଜ ମନଟି..ଅନିମେଶଙ୍କୁ ଖୁବ୍ ଆକୃଷ୍ଟକରେ । ସେ ସମସ୍ତଙ୍କୁ ଆଦରକରି ନିଜଭିତରେ ଆପଣେଇ ନିଅନ୍ତି । ସଂସାରର ସବୁତକ ଭଲପାଇବା ଖୁନ୍ଦିହୋଇ ରହିଛି ତାଙ୍କ ଭିତରେ । ଠିକ୍ ତାଙ୍କରି ଗୁଣନେଇ ତାଙ୍କ ନାତୁଣୀଟି ଜନ୍ମନେଇଛି! ଭାରି ସ୍ନେହୀ..ନିରୀହା ଓ ଚୁଲବୁଲି । କବାଟଫାଙ୍କରେ ସେ ସବୁବେଳେ ତାଙ୍କୁ ନିରୀକ୍ଷଣ କରୁଥାଏ, ଆଉ ଅନିମେଶଙ୍କ ନଜର ପଡିଗଲେ ସେ ପଶିଯାଏ ଭିତରକୁ । ଗୋଟାପଣେ ଭିଜିଯାଏ ଲାଜରେ । ଝାଉଁଳିପଡେ ଲାଜକୁଳି ଲତାଟିଏ ପରି । ପୁଣି ସେ ନିଠେଇଚାହେଁ ଜାଣିବାକୁ ଅନିମେଶ୍ର କ୍ରିୟା ପ୍ରତିକ୍ରିୟାଗୁଡିକୁ । ଅନିମେଶ୍ ମୁରୁକି ହସନ୍ତି ଲୀନାର ବ୍ୟବହାରରେ । ହେଲେ ସେ ଭଲପାଠ ପଢେ । ସେ ନିଜେ ତାକୁ ପଢାଇବାର ସମସ୍ତ ଦାୟିତ୍ୱ ବହନ କରିଛନ୍ତି । ଆଜିକାଲି ଇଂଲିଶ୍ ନ୍ୟୁଜ୍ ଚ୍ୟାନେଲରୁ ସେ ଅନେକକିଛି ବୁଝିପାରେ । ପଢାଇଲାବେଳେ ସେ ପୁରା ଚୁପ୍ ଚାପ୍..ସାମ୍ନାସାମ୍ନି ବସିଲେ ବି ସେ କେବେ ସଳଖି ଚାହେଁନି ଅନିମେଶଙ୍କୁ । ଆଉ ଅନିମେଶ୍ ଚାହିଁଦେଲେ ଝାଳେଇଯାଏ ତା ଗୋରାତୋଫା ମୁହଁଟା । ଆଶଙ୍କାର କଳାବାଦଲ ଉଙ୍କିଆସେ ତା ମନତଳେ । ଯାହା ପରିଷ୍କାର ଭାବେ ପ୍ରଭାବ ବିସ୍ତାର କରେ ତା ଚେହେରାରେ । ଅନିମେଶ୍ ତାର ଏ ସରଳତା ଓ ନିରୀହତାରେ ଉଦ୍‌ବୁଦ୍ଧହୁଅନ୍ତି । ଅଫିସ୍‌କୁ ଗଲାବେଳେ ଗାଡିର ଧୂଆଁଭିତରେ ସେ ଲୁଚିଯାଏ ଗୋଟାପଣେ । ଅଥଚ ଅନିମେଶଙ୍କ ମନତଳେ ଧୀରେଧୀରେ ସେ କାୟା ବିସ୍ତାର କରୁଥାଏ । ସେ ଚଟାପଟ୍ ବୁଝିଯାଏ ତାଙ୍କର ଅଭାବ ଅସୁବିଧା, ପସନ୍ଦ ନାପସନ୍ଦ ସବୁକିଛି ।

ଆଜିକାଲି କାହିଁକି କେଜାଣି ଲାଗେ ତା ଭିତରେ ବସାବାନ୍ଧିଛି ଗୋଟେ ଅସହିଣୀ ଦୁଃଖ..ଯାହା ତାକୁ ବେଳେବେଳେ ସଂକ୍ରମିତ କରିପକାଏ । ଅନିମେଶ୍ ଚେଷ୍ଟାକରି ବି ତା ମନକୁ ବୁଝିପାରନ୍ତି ନାହିଁ କିମ୍ବା ପଢିପାରନ୍ତିନାହିଁ । ହେଲେ ତା ଭିତରେ ଗୋଟେ ଅପୂର୍ବ ସୌନ୍ଦର୍ଯ୍ୟ..ଯାହା ତାକୁ ସ୍ୱର୍ଗୀୟ ଚେତନାରେ ବାନ୍ଧିପକାଏ ସାରାମୁହୂର୍ତ୍ତ । ତା ଭିତରେ ଅପୂର୍ବଶାନ୍ତି ସେ ଖୋଜିପା’ନ୍ତି । ଦିନ ସାରାର କ୍ଲାନ୍ତି ତାକୁ ଦେଖିଦେଲାପରେ ମେଣ୍ଟିଯାଏ ଅଚାନକ୍ । ସେ କିନ୍ତୁ ମୁହଁ ତଳକୁ କରି ଅପସରିଯାଏ ପରଦାପଛରୁ । ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି । ହେଲେ ଗୋଟେ ତୀବ୍ରନିରବତା ତାର ସର୍ବାଙ୍ଗକୁ ଗ୍ରାସ କରିଯାଏ । ଗୋଟେ ସାଧବବୋହୂଟିଏ ପରି ନିଜକୁ ଢାଙ୍କିଦିଏ ନିବୁଜ କୋଠରି ଭିତରେ ! ଆଉ ସେ ଘରଆଗରେ ଲେଖିହୋଇଯାଏ ଧାଡିଟିଏ-ପ୍ରବେଶ ନିଷେଧ.. ।

ଅନିମେଶ୍ ଫେରନ୍ତି ସେ ମାନସିକତା ଭିତରୁ । ଲୀନା ସେପରି ଝିଅନୁହେଁ ଯିଏ ଘଣ୍ଟାଘଣ୍ଟା ଧରି ତା ସହିତ ଗପିପାରିବ । ତା ସହିତ ସୁସ୍ଥ ମାନସିକତାରେ କିଛିଗୋଟାଏ ବିଷୟରେ ଆଲୋଚନା କରିପାରିବ! ସବୁବେଳେ ଆତ୍ମମଗ୍ନା ଝିଅଟିଏ ସେ,ଯେ କେତେବେଳେ କିଛିନାକିଛି ଚିନ୍ତାରେ ବୁଡିରହେ । ଅବହେଳିତ ଭାବରେ ବଢିଉଠୁଥିଲେ ମଧ୍ୟ ସେ ଯେ ସମସ୍ତଙ୍କ ଆପଣାର ପାଲଟିଯାଇଥିଲା ସମସ୍ତଙ୍କ ଅଜାଣତରେ । ତାକୁ ଛାଡି ଘରର କୌଣସିକାମ ପୂର୍ଣ୍ଣ ହୋଇପାରୁନଥିଲା । ବାପାମାଆ,ସେ ଓ ଧାଈମାଆ ସମସ୍ତଙ୍କ ଅତିପ୍ରିୟ-ଲୀନା । ତାକୁ ବାଦ୍‌ଦେଇ କାମ ହିଁ ହୁଏନି ଘରେ ଆଜି କାଲି । ଅତିଛୋଟବେଳୁ ସେ ଅନିମେଶ୍‌ଙ୍କ ଦାୟିତ୍ୱ ନେଇ ଖୁବ୍ ଭଲଭାବରେ ତୁଲାଇପାରୁଛି । ତା ଭିତରେ ପ୍ରୌଢୀ ଚିନ୍ତାଧାରା..ସେ ଆବଶ୍ୟକତା ଅନୁଯାୟୀ ବଡହୋଇଯାଇଛି ଯେପରି ! ଅପରିଚିତ ଲୋକଟିକୁ ଦୟା ଓ କରୁଣାରେ ବଶୀଭୂତା କରିପାରେ ! ଜଣେ ସହୃଦୟା ନାରୀର ଅନ୍ୟନାମ-ଲୀନା । ଆଜିକାଲି ଘରେ ତାର ବେଶୀ କାମ..ଧାଈମାଆ କାମକୁ ପାରୁନି ବୋଲି ସେ ତୁଲାଉଛି ଘରଗୋଟାକର କାମ । ତା ବି ପୁଣି ହସଖୁସିରେ । ଅନିମେଶ୍ କେବେ ବି ଲୀନାମୁହଁରେ ହସ ଦେଖିନାହାନ୍ତି । ସେ ଭାବନ୍ତି -ଲୀନା କଣ କେବେ ହସିପାରେ? ସେ ହସିଲେ କିପରି ଦିଶେ? ତା କଳାକଳା ଆଖୀଯୋଡିକ ସେ ସମୟରେ ଜୀବନ୍ତ ହୋଇଉଠୁଥିବେ । ତା ଓଠ ବିସ୍ଫାରିତ ହେଉଥିବ କିଛିସମୟ ପାଇଁ । ଡାଳିମ୍ବଭଳି ଦାନ୍ତ କେଇଟା ନିଜରପରାକାଷ୍ଠା ଜାହିର୍ କରୁଥିବେ ଏବଂ କହୁଥିବେ ଆମେ ବି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କୌଣସିଗୁଣରେ କମ୍ ନୋହୁଁ । ତା ଚିବୁକର ପ୍ରସାରଣ ସଂକୁଚିତ ଭିତରେ ଲାଗୁଥିବ ଫୁଲଟିଏ ଫୁଟିଉଠି ପବନରେ ଦୋହଲି ଯାଉଛି । ମୁହଁଟା ତାର ସଲ୍ଲଜ ଦିଶୁଥିବ । ଗହମରଙ୍ଗର ଚେହେରାଟା ଗୋଟେ ଲାଲ୍ ହଳଦିଆ ଛିଟଯୁକ୍ତ ଆପଲ୍ ଭଳି ହୋଇଯାଇଥିବ । ସେ ସୁନ୍ଦରୀଝିଅରେ ରୂପାନ୍ତରିତ ହୋଇସାରିଥିବ ସେତେବେଳକୁ । ଅଥଚ ସେ ନିଜକୁ ଚିହ୍ନିପାରୁନଥିବ । କେହି କାଳେ ଦେଖିଦେବ ବୋଲି ସେ କଇଁଚର ଖୋଳପା ଭିତରେ ନିଜକୁ ଲୁଚାଇସାରିଥିବ ଅକ୍ଳେଶରେ । ପ୍ରକୃତରେ ଅନିମେଶ୍ ଆଜିଯାଏଁ ଦେଖିପାରିନାହାନ୍ତି ତା ହସ କିମ୍ବା ତା ଲୁହ । ସେ ତା ପାଇଁ ଏକ ରହସ୍ୟମୟ ଦ୍ୱୀପ, ଯାହାକୁ ଭେଦକରିବାକୁ କେବଳ ତାର ସାହାଯ୍ୟ ଲୋଡା । ହେଲେ ନିଜେ ଲୀନା..ସେ ତ ସବୁବେଳେ କିଛି ହଜାଇଦେଇଥିବା ମଣିଷଟି ପରି ଆତତାୟୀ ! ସକାଳଠାରୁ ରାତିର ଶେଯଯାଏଁ ଲୀନା ତାଙ୍କ ପାଇଁ ସବୁକିଛି ଖଞ୍ଜିଦିଏ । ଟାୱେଲ୍‌ଠାରୁ ଆରମ୍ଭ କରି ରାତିର ଗରମକ୍ଷୀର ପର୍ଯ୍ୟନ୍ତ.. । ଅଥଚ ତା ପସନ୍ଦ ନାପସନ୍ଦ ବିଷୟରେ ଅନିମେଶ୍‌କୁ କିଛି ଜଣାନାହିଁ । ମାଆ କହନ୍ତି-ସେ ତ ଘରର ଚାକରାଣୀ । ତାର କାମ ଏସବୁ ସଂପାଦନ କରିବା । ଏଥିରେ ବାହାଦୁରି କଣ? ହେଲେ ସେ ଧାଈମାଆ କିମ୍ବା ଲୀନାକୁ ଘରର ଚାକରାଣୀ ବୋଲି ଭାବିପାରନ୍ତିନି । ଆତ୍ମା ବାଧାଦିଏ । ସେମାନେ ପରିବାରର ସଦସ୍ୟ ଭଳି ମନେହୁଅନ୍ତି ।

ତା’ପରେ

ଲୋକପ୍ରିୟ ଲେଖା

To Top