ଗଳ୍ପ

ଅବଶୋଷ

Dr Sharat Chandra Parida's odia Story Abashosha

ଯେଉଁ ନିଶା କୌତୂହଳରୁ ସିଗାରେଟ୍ ଓ ଗୁଟୁଖାରୁ ଆରମ୍ଭ ହୋଇଥିଲା ସେ ବେଳକୁ ବେଳ ଚରସ୍, ହାସିସ୍, ହେରୋଇନ୍, ମାରିଯୁଆନା, ମାଣ୍ଡେକ୍ସ୍, କୋକେନ୍ ଓ ବ୍ରାଉନ୍ ସୁଗାର ଭଳି ମାରାତ୍ମକ ମାଦକ ଦ୍ରବ୍ୟରେ ପରିଣତତ ହୋଇଚି ।

ଅବଶୋଷ

-: ପୂର୍ବରୁ :-

ସର୍ବସଂହା ଧରିତ୍ରୀ ପରି ମା’ ଉପରେ ବାରବାର ଆକ୍ରମଣ କରିଚି ପୁଅ । ଆଘାତ ବି ଦେଇଚି । ମମତାମୟୀ ମାତୃହୃଦୟରୁ ଆଶିଷ ଧାରା ବଦଳରେ ଛୁଟିଚି ରକ୍ତର ଝର । ବାପା ଯେଉଁ ଡାଲି, ଚାଉଳ, ପନିପରିବା ମସଲା ମସଲି ଘରକୁ ଆଣନ୍ତି, ସେତିକ ମଧ୍ୟ ସବୁବେଳେ ରୋଷେଇ ହୋଇପାରେନା । ମତୁଆଲା ଉଦ୍ଦାମ ପୁଅ ଜବରଦସ୍ତି ସବୁ ମା’ ଠାରୁ ଛଡ଼ାଇ ନେଇଯାଏ । କୌଣସି ପ୍ରକାର ଭାଗମାପ ନ ରଖି ପାଗ ଯୋଗ ନ ଦେଖି ମନ ଇଚ୍ଛା ଲୁଣ ହଳଦି ପକାଇ ଘାଣ୍ଟି ଦିଏ । ପାଖଣ୍ଡ ଖାଇବା ଯୋଗ୍ୟ ହୋଇଥିଲେ କିଛି ଖାଇନିଏ, ବଳକା ତକ ଫୋପଡ଼ା କଚଡ଼ା କରେ । ସେଦିନ ହାଣ୍ଡି ଚିତ୍ପଟାଙ୍ଗ ମାରେ । ଏହିଭଳି ଦୟନୀୟ ପରିସ୍ଥିତିରେ ସାରା ପରିବାର ବେଳେବେଳେ ଖାଡ଼ା ଉପାସରେ ରହିବାକୁ ବାଧ୍ୟ ହୁଏ । ବଡ଼ ହନ୍ତସନ୍ତ ହୀନିମାନିଆ ଅବସ୍ଥାରେ ଦିନ କଟେ । ବଜାରରୁ କ’ଣ ଦି’ଟା କିଣି ଆଣି ପାଣି ମୁନ୍ଦାଏ ପିଇ ଶୋଇ ପଡ଼ନ୍ତି ପରିବାରର ଲୋକେ ଭାଗ୍ୟକୁ ଆଦରି । ମା’ ଛାତି ତଳେ ଗୁଞ୍ଜରଣ ହୁଏ ପିଲାଦିନେ ପୁଅକୁ ଶୁଆଇ ପକାଇବାର ଗୀତ. . . “”ଧୋ’. . .ରେ ବାଇଆ- ଧୋ’. . .” ।

ଆଉ ସାନ ପୁଅ । ଦେଖିବାକୁ ସରଳିଆ । ଭାରି ନିରୀହ । ଗୋରା ଚେହେରା । ହେଲେ କାନ୍ତି ମଉଳି ଯାଇଥାଏ । ସବୁବେଳେ ପାଣ୍ଡୁର ଦେଖା ଯାଉଥାଏ । ବୟସ ବାଇଶ ବା ତେଇଶ ସରିକି । ବଡ଼ ପରି ଗଣ୍ଡଗୋଳରେ ମାତେ ନାଇଁ । ପାଟିତୁଣ୍ଡରେ ହଜେ ନାଇଁ । ତା’ ଜୀବନ ଶୈଳୀ ଟିକେ ଭିନ୍ନ । ଭଙ୍ଗାରୁଜା କରେ ନାଇଁ । ଘରେ ମନ ମାରି ବସି ଥାଏ । ମା’କୁ ବେଳେ ବେଳେ ମନ ବଳିଲେ ଘର କାମରେ ସାହାଯ୍ୟ କରେ । ଏଇ କେଇ ପଦ କଥା ଶୁଣୁ ଶୁଣୁ ନୀରଦ ବାବୁଙ୍କ ମନରେ ଆଶାର କିରଣ ଝଲସି ଉଠିଥିଲା । କିନ୍ତୁ ନରି ସାର୍‌ଙ୍କ ପରବର୍ତ୍ତୀ କେଇପଦ କଥା ତାଙ୍କୁ ନୈରାଶ୍ୟର ଏକ ଅନ୍ଧ କୂପ ମଧ୍ୟକୁ ଠେଲି ଦେଇଥିଲା । ସାନ ପୁଅ କମ୍ କଥା କହେ । ଗୁମ୍‌ସୁମ୍ ହୋଉ ରହେ । ହେଲେ ଗୋଟାଏ ଅସଲ ତଳମୁହାଁ କାଙ୍କ । ବସିଥାଏ, ହଠାତ୍ ଭୁସ୍ କିନା ଉଠି ପଡ଼ି କୁଆଡ଼େ ପଳାଇ ଯାଏ । ନିଜେ ସଂଗ୍ରହ କରିଥିବା ପଇସାରେ ହେଉ ଅବା ସାଙ୍ଗସାଥୀଙ୍କ ପଇସାରେ ହେଉ କିଛି ନିଶା ଦ୍ରବ୍ୟ ପକାଇ ଦେଇ ସଞ୍ଜ ବେଳେ ଗୁହାଳକୁ ଗାଈ ଫେରିଲା ପରି ଟୁଙ୍ଗଟାଙ୍ଗ ଘରକୁ ପଳାଇ ଆସେ । ପୂର୍ବଭଳି ସେମିତି ଚୁପ୍‌ଚାପ୍ । ଥରେ ନିଶା ରାଜ୍ୟରେ ପଶି ଯିବା ଯେତେ ସହଜ ସେହି ନରକ ଦ୍ୱାରରୁ ନିଷ୍କୃତି ଲାଭ କରିବା ସେତେ ସହଜ ନୁହେଁ ବୋଲି ଦୁଇ ଭାଇ ଅନୁଭବ କରିପାରୁଥାନ୍ତି । କିନ୍ତୁ ଅସହାୟ । ଯେଉଁ ନିଶା କୌତୂହଳରୁ ସିଗାରେଟ୍ ଓ ଗୁଟୁଖାରୁ ଆରମ୍ଭ ହୋଇଥିଲା ସେ ବେଳକୁ ବେଳ ଚରସ୍, ହାସିସ୍, ହେରୋଇନ୍, ମାରିଯୁଆନା, ମାଣ୍ଡେକ୍ସ୍, କୋକେନ୍ ଓ ବ୍ରାଉନ୍ ସୁଗାର ଭଳି ମାରାତ୍ମକ ମାଦକ ଦ୍ରବ୍ୟରେ ପରିଣତତ ହୋଇଚି । ବଢ଼ିଲା ନଈର ଭଉଁରି ପରି ସେହି ନିଶା ଭଉଁରିରେ ପଡ଼ି ଦୁଇ ଭାଇ କଣ୍ଠାଗ୍ରତ ହୋଇ ପଡ଼ିଲେଣି । କିନ୍ତୁ ମୁକ୍ତିର ଦ୍ୱାର କାଇଁ । ପୁଅ ଦି’ଓଟିର ପାଗଳାମିକୁ ନିରବରେ ବରଦାସ୍ତ କରିବା ବିନା ବିଚରା ବାପାଙ୍କର ଆଉ କ’ଣ ଚାରା ଥିଲା ।

ଏସବୁ ବିସ୍ତୃତ ନିଶା ସମ୍ୱାଦ ଶୁଣି ସାରିଲା ପରେ ନୀରଦବାବୁ ଏହାକୁ ସହଜରେ ବିଶ୍ୱାସ କରିପାରିଲେ ନାଇଁ । ନରି ସାର୍ ପ୍ରଶ୍ନିଳ ଦୃଷ୍ଟିରେ ଚାଇଁ ରହିଥିବା ନୀରଦ ବାବୁଙ୍କୁ କହିଲେ କାଲି ଭ୍ୟାଲୁଏସନ୍ ସରିଲେ ତାଙ୍କ ଘରକୁ ବୁଲି ଯିବା । ନିଜେ ଦେଖିବେ ପରିବାରର ଦୁରବସ୍ଥା । ତ୍ରିପାଠୀ ମହୋଦୟଙ୍କ ଆମନ୍ତ୍ରଣ କ୍ରମେ ନିଶାଗ୍ରସ୍ତ ଯୁଆନ ଦୁଇ ପୁଅଙ୍କ ଜୀବନଯାପନ ଦେଖିବାକୁ ମନଟା ଆପଣା ଛାଏଁ କୁତୂହଳୀ ହୋଇ ପଡ଼ିଥିଲା । ଏ ସୁଯୋଗକୁ ନୀରଦ ବାବୁ ଆଉ ହାତଛଡ଼ା କରିବାକୁ ଚାହିଁଲେ ନାଇଁ । ଦିନ ରତରତ ହେଉଥାଏ । ଅଧ୍ୟାପକ ଦୁହେଁ ବାହାରିଲେ ବନ୍ଧୁଘର ଭ୍ରମଣରେ । ନୀରଦ ବାବୁଙ୍କ ମନର ଦୁଶ୍ଚିନ୍ତା ଟାଙ୍ଗର ଭୂଇଁରେ ତତଲା ପବନ ପରି ଥରକୁ ଥର ବହି ଯାଉଥାଏ । ବାଟ ବେଶି ଦୂର ନୁଏଁ । ଡାକେ ହେବ । ପାଦରେ ଚାଲି ଚାଲି ବନ୍ଧୁଙ୍କ ଘରେ ପହଞ୍ଚିଗଲେ । ତ୍ରିପାଠୀ ମହୋଦୟଙ୍କ ସହିତ ଆଗରୁ ତ ସାକ୍ଷାତ୍ ହୋଇଥିଲା । ଭଗିନୀ ସଦୃଶ ଶ୍ରୀମତୀ ତ୍ରିପାଠୀଙ୍କୁ ଦେଖିବା ମାତ୍ରେ ହୃଦୟଟା କୋରି ହୋଇଗଲା । ଉନ୍ନତ ଗୌର ବର୍ଣ୍ଣର ଚେହେରା ମଲା ଜହ୍ନପରି ପାଣ୍ଡରା ଦେଖା ଯାଉଥିଲା । ଦେହର ସୁଠାମ ଗଢ଼ଣ, ଗୋଲ ମୁହଁ । ମଥାର କେଶ ଆଲୁଳାୟିତ । ଅଙ୍ଗରେ ମସିଆ ଶାଢ଼ୀ । ମୁଖ ମଣ୍ଡଳରେ ଢାଙ୍କି ହୋଇଯାଇଛି ମଳିନତାର ଛାଇ । ବିଷଣ୍ଣତାର କାଳିମା । ହତାଶା, ଗ୍ଲାନି ଓ ଅବଶୋଷ ସତେ ଯେମିତି ହାତଧରାଧରି ହୋଇ ମୁଣ୍ଡମଣ୍ଡଳରେ ପହଁରି ବୁଲୁଛନ୍ତି । ଚନ୍ଦ୍ର ରାହୁ ଗ୍ରାସରେ ହରାଇଚି ତା’ର ଦୀପ୍ତି । ଅଦିନିଆଁ ଝଡ଼ରେ ଖିନ୍‌ଭିନ୍ ହୋଇଯାଇଚି ଏକ ଛନଛନିଆ ଫୁଲପତ୍ରଭରା ଲତା । ଆଖିରେ ଆଖିଏ ବିଷାଦ । ନୀରଦ ବାବୁ ଭାବିଲେ ଶ୍ରୀମତୀ ତ୍ରିପାଠୀ ନିଶ୍ଚିତ ଭାବରେ ଗଭୀର ଭାବରେ ମର୍ମାହତ । କିଛିକ୍ଷଣ ନିରବତାର ରାଜୁତି ପରେ ଶ୍ରୀମତୀ ତ୍ରିପାଠୀ ଆମ ପରି ଭାଇମାନଙ୍କର ରହଣିର କୁଶଳ ଜିଜ୍ଞାସା କଲେ । ଆପଣମାନେ ଆମ ଘରେ ରହିଥାନ୍ତେ । ମାତ୍ର କି ଦୁର୍ଭାଗ୍ୟ ଆମର । ଛାତି ତଳର କୋହକୁ ଚାପି ରଖିବାକୁ ଚେଷ୍ଟା କରି ଶ୍ରୀମତୀ ତ୍ରିପାଠୀ ଅତିଥିଙ୍କ ସତ୍କାର କରିବା ପାଇଁ ତତ୍ପର ହୋଇ ଉଠିଲେ । ନୀରଦ ବାବୁ ଭାବୁଥାନ୍ତି ଚା’କପ୍‌ଟିଏ ମିଳିବା ସମ୍ଭବ ନ ହୋଇ ପାରେ । କାରଣ ନିଶାବାଜ ବଡ଼ ପୁଅ ଘରେ କିଛି ରଖେଇ ଦିଏ ନାଇଁ । ଚା’କପେ ନ ମିଳିଲେ ଅତିଥିଙ୍କର କିଛି ଅସୁବିଧା ହୋଇଯିବ ନାଇଁ, କିନ୍ତୁ ଚା’କପେ ନ ଦେଇ ପାରିବାର ଅସହାୟତା ଶ୍ରୀଯୁକ୍ତ ଓ ଶ୍ରୀମତୀ ତ୍ରିପାଠୀଙ୍କୁ ଖୁବ୍ ବାଧିବ । ୟେତ ଆମ ଲୋକଙ୍କ ଚଳଣି । ଆମ ପରିବାରର ଶିଷ୍ଟାଚାର ।

ୟା’ ଭିତରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସହିତ ଆଳାପ ଦାନା ବାନ୍ଧି ଆସୁଥାଏ । ତିନି କପ୍ ଚା’ ଧରି ପହଞ୍ଚିଲେ ଶ୍ରୀମତୀ ତ୍ରିପାଠୀ । ଚା’କପ୍‌ର ସଫଳତା ବିଷୟରେ ଟିପ୍ପଣୀ ଦେଇ ଅମାୟିକ ମେଳାପୀ ଶ୍ରୀଯୁକ୍ତ ତ୍ରିପାଠୀ କହିଲେ- “ଗତକାଲି ଅମୂଲ ଆଣିଥିଲି ।” ଆକ୍ସିଡ଼େଣ୍ଟରୁ କିଛି ଲୋକ ବର୍ତ୍ତିଗଲା ପରି ବୋଧହୁଏ ବଡ଼ର ଉପଦ୍ରବରୁ ରହିଯାଇ ଥିଲା କିଛି । ତିନି ଜଣ ପାନ କରୁଥିଲା ବେଳେ ଲାଗିଲା ମହାଭାରତରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ଭାତ ହାଣ୍ଡିରୁ ଗୋଟିଏ ଦାନା ଖାଇଲା ପରି ।

ପୁଅମାନଙ୍କର ଅତ୍ୟାଚାରରେ ପୀଡ଼ିତା ଶ୍ରୀମତୀ ତ୍ରିପାଠୀ ଅତ୍ୟନ୍ତ ଧୀର ଭାବରେ ଗୋଟି ଗୋଟି କଥା ଆରମ୍ଭ କଲେ । ନରି ସାର୍ ହୁଏତ ତାଙ୍କର ବନ୍ଧୁଭାଇ ହୋଇ ପାରନ୍ତି କିନ୍ତୁ ନୀରଦ ବାବୁ ସମ୍ପୂର୍ଣ୍ଣ ଜଣେ ଅଜଣା ମଣିଷ । ତଥାପି ନୀରଦ ବାବୁ ଜଣେ ସହୃଦୟ ସ୍ନିଗ୍ଧ ଜନ ବୋଲି ତାଙ୍କୁ ମୁହଁରୁ ପଢ଼ି ହୋଇ ଯାଉଥାଏ । ଶ୍ରୀମତୀ ତ୍ରିପାଠୀ ଥିଲେ ସମ୍ପୂର୍ଣ୍ଣ ଉଦାସୀନ । ତାଙ୍କର କେଉଁଥିରେ ବାରଣ- ନିବାରଣ, କାରଣ- ଅକାରଣ ଭାବନା ନଥିଲା । କ୍ରିୟା ପ୍ରତିକ୍ରିୟା ମଧ୍ୟ ତାଙ୍କୁ ସ୍ପର୍ଶ କରୁ ନଥିଲା । ଯେଉଁ ଗୃହଲକ୍ଷ୍ମୀଙ୍କ ଘର ପରିବାର ଆଜି ହସ ଖୁସିରେ ଫାଟି ପଡୁଥାନ୍ତା, ସେଠି ଘୋଟି ଯାଇଛି ଅମେଇସାର କିଟିମିଟି ଅନ୍ଧାର । ନୀରଦ ବାବୁ ହିତାକାଂକ୍ଷୀ ଭାଇ ହିସାବରେ ପଚାରିଲେ- କିଛି ଚିକିତ୍ସାର ବ୍ୟବସ୍ଥା କରିଥିଲେ । ଶ୍ରୀମତୀ ତ୍ରିପାଠୀ ଟିକେ ଗୁମ୍ ଖାଇ ରହି ରହି କହିଲେ- ସବୁ ପ୍ରକାର ଚିକିତ୍ସା ସରି ଯାଇଛି ଆଜ୍ଞା । ସମଗ୍ର ଭାରତ ବର୍ଷରେ କାହିଁ ଋଷିକେଶର ଆଶ୍ରମ କାହିଁ ଦିଲ୍ଲୀର ବଡ଼ ଡାକ୍ତର ଆମେ କୌଣସି ଚିକିତ୍ସା ବାକି ରଖି ନାଉଁ । ମୋର କକେଇ କେନ୍ଦ୍ରମନ୍ତ୍ରୀ । ସେ ବହୁତ ସାହାଯ୍ୟ ସହଯୋଗ ମଧ୍ୟ କରିଛନ୍ତି । ଅରଣ୍ୟ ରୋଦନ ପରି ସବୁ ଫସର ଫାଟିଚି । ଆମେ ପରାସ୍ତ ସୈନିକ । ଆଉ କିଛି କରିବାର ନାଇଁ । ପାଠ ପଢ଼ିଲେ ନାଇଁ ଦୁଃଖ ନାଇଁ, ରୋଜଗାର ନ କଲେ ନାଇଁ ଦୁଃଖ ନାଇଁ, ଆମର ଭୂସମ୍ପତ୍ତି ରହିଛି ତାକୁ ଖାଲି ଦେଖା ଚାହାଁ କରିଥିଲେ କେତେ ପରିବାର ପୋଷି ହୋଇ ଯାଇଥାନ୍ତେ । ପ୍ଲାଇଉଡ୍ ପରି ଏମିତି ଚାପା କଥା ପରସ୍ତ ପରସ୍ତ ଖୋଲି ଚାଲିଥିଲା ବେଳେ ସାନ ପୁଅ ଗୋଟିଏ ଖୁଣ୍ଟକୁ ଆଉଜି ଦୀର୍ଘ ସମୟ ଧରି ବସିଥିବାର ନୀରଦ ବାବୁ ଲକ୍ଷ୍ୟ କରିଥିଲେ । ଅତିଥି ଓ ବାପାମା’ଙ୍କ କଥାରୁ ସେ ଯେମିତି କିଛି ଧାର୍ ଧାରୁ ନ ଥିଲା । ନିର୍ବାକ୍ ହୋଇ ବସିଥିଲା । ହଠାତ୍ ଉଠିପଡ଼ି ଏକାମୁହାଁ ହୋଇ ବଜାର ଆଡ଼େ ଧପାଳିଲା । ଶ୍ରୀମତୀ ତ୍ରିପାଠୀ କହି ଉଠିଲେ- “ହେଇ, ୟା’ର ବେଳ ହୋଇଗଲା, ଆଉ ସମ୍ଭାଳି ପାରିଲା ନାଇଁ । ଉଚ୍ଛନ ହୋଇ କେଉଁଠିକି ପଳାଇ ଯିବ ତା’ର ଟେର୍ କେହି ପାଇ ପାରିବେ ନାଇଁ । ଏହି ଛୋଟ ସହରର ସବୁ ଅନ୍ଦିସନ୍ଧି, ଗଳିକନ୍ଦି, ମନ୍ଦିର ମଣ୍ଡପ, ଆଡ଼ା ଆଖଡ଼ା ତାକୁ କିଛି ଅଛପା ନାଇଁ । କାହା ସାଙ୍ଗରେ କେଉଁଠି କ’ଣ ଖାଇ ପିଇ ପୁଣି ପଳାଇ ଆସିବ ବସାକୁ ପକ୍ଷୀ ବାହୁଡ଼ିଲା ପରି ।”

ସତକୁ ସତ ଅଧ ଘଣ୍ଟା ପୁରିଚି କି ନାଇଁ ପହୁଣ୍ଡି ପକାଇ ଆସିଲା । ଦାଣ୍ଡ ବାରଣ୍ଡାରେ ଯେଉଁଠି ଖୁଣ୍ଟକୁ ଆଉଜି ବସିଥିଲା ସେଠାରେ ଆସି ନଥ୍ କିନା ବସି ପଡ଼ିଲା । ମା’ କହିଲେ- “ଏ ୟା’ର ସବୁଦିନିଆ ଅଭ୍ୟାସ ।” ଆଖି ଦୁଇଟି ଲାଲିମାରେ ଭରା ହୋଇ ଟୁଳୁଟୁଳୁ ଦେଖା ଯାଉଥିଲା । ନୀରଦ ବାବୁ ଓ ନରି ସାର୍ ଦାଣ୍ଡ ପିଣ୍ଢାରେ ଖଣ୍ଡିଏ କାଠ ବେଞ୍ଚରେ ବସିଥିଲେ । ଶୋଇବା ଘର ବାହାରକୁ ଫୁଙ୍ଗୁଳା ଦେଖା ଯାଉଥାଏ । ଦାନ୍ତ ଦେଖାଇ ଖତେଇ ହେଉଥିଲା ଏକ ନଙ୍ଗଳା ତତ୍ୱପୋଷ । ତାହା ଥିଲା ଘରର ଏକାମାତ୍ର ସାଣ୍ଠ । ବାବୁଙ୍କର ଖଣ୍ଡେ ଦୁଇଖଣ୍ଡ ପିନ୍ଧା ସାର୍ଟପ୍ୟାଣ୍ଟ ଓ ମୋର ଦୁଇ ଖଣ୍ଡ ଶାଢ଼ି ଛାଡ଼ି ଦେଲେ ଘରେ କିଛି ବୋଲି କିଛି ନାଇଁ । ଅତି ଅସହାୟ ବେଦନାଭରା କଣ୍ଠରେ କହି ଚାଲିଥାନ୍ତି ଶ୍ରୀମତୀ ତ୍ରିପାଠୀ । ବଡ଼ ପୁଅ ଉଚ୍ଚାଟ ହୋଇ କକ୍ଷଚ୍ୟୁତ ନକ୍ଷତ୍ର ପରି ୟେ ଘର ସେ ଘର ଚକ୍କର କାଟୁଥାଏ । ଶ୍ରୀଯୁକ୍ତ ତ୍ରିପାଠୀ ତାକୁ ଲକ୍ଷ୍ୟ କରି କହିଲେ- ଡରରେ ମୋତେ କିଛି କୁହେ ନାଇଁ । ଯାହା ତା’ ମା’ ସହିତ ଝଗଡ଼ା କରେ । ଅନୁତାପ ନାଇଁ କି ପଶ୍ଚାତାପ ନାଇଁ । ଲଜ୍ଜା ନାଇଁ କି ଶଙ୍କୋଚ ନାଇଁ । ଏବେ ଛୋଟ ପିଲା ମାଗିଲା ପରି ସାକୁଲେଇ କହୁଛି- “ବାପା, ଦି’ଟଙ୍କା ଦେଲ ।” ମୁଁ ପକେଟ୍ରେ ଜାଣି ଶୁଣି କିଛି ରଖୁ ନାଇଁ । ୟେଇ ଦେଖ୍ ଆଠଣିଟି ପଡ଼ିଚି, ଚାରିଣିଟି ପଡ଼ିଚି, ନବୁ ଯଦି ନେ । ସେତକ ମହାଖୁସିରେ ନେଇ କେତୋଟି ମୁହୂର୍ତ୍ତ ପାଇଁ କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ କୁମ୍ଭାଟୁଆ ପାଣିରେ ବୁଡ଼ିଗଲା ପରି ।

ଏ ପୁଅ ଦି’ଓଟି ଆମର ଶାରୀରିକ ଓ ମାନସିକ ସ୍ଥିତିକୁ ଏକଦମ୍ ଦୋହଲାଇ ଦେଇଚନ୍ତି । ବେଳକୁ ବେଳ ଅଧିକ ରୁକ୍ଷ, ଉଗ୍ର ଓ ହିଂସ୍ର ହୋଇ ଉଠୁଚନ୍ତି । ମୁଁ ଘର ବାହାରକୁ ଗଲେ ଚିନ୍ତିତ । ସ୍ତ୍ରୀ ଘରେ ଥିଲେ ବି ଆତଙ୍କିତ । କିଏ ଜାଣେ କେତେବେଳେ କେଉଁ ଅଘଟନ ନ ଘଟିବ । ହଟି ଯାଉଚୁ ଜୀବନ ସଂଗ୍ରାମରେ- ପିତା ଲାଗୁଛି ମୋର ପିତୃତ୍ୱ । ହନ୍ତସନ୍ତରେ ସନ୍ତୁଳିତ ହୋଇଯାଉଛି ଆମ ଜୀବନ ଯାତ୍ରା । ୟେ କଥା କହିବା ଭିତରେ ଶ୍ରୀଯୁକ୍ତ ତ୍ରିପାଠୀ ଭାବ ଆତିଶଯ୍ୟରେ ବିଳାପ କରି କହି ଉଠିଲେ- “ହେ ପ୍ରଭୁ ! ମୋର ପୁତ୍ର ସୁଖ ଆଉ ଲୋଡ଼ା ନାଇଁ । ମୁଁ ସେଇ ଦିନକୁ ଅପେକ୍ଷା କରିଛି ଯେଉଁ ଦିନ ଏ ଅକାଳ କୁଷ୍ମାଣ୍ଡ ଦୁଇଟା ଏ ସଂସାରରୁ ବିଦାୟ ନେବେ । ଆମର ଉତ୍ତରାଶା ବୋଲି କିଛି ନାଇଁ ।” ଏପରି ଅପ୍ରତ୍ୟାଶିତ ମାର୍ମାନ୍ତିକ କଥା ଶୁଣି ନୀରଦ ବାବୁ ସାମାନ୍ୟ ହଡ଼ବଡ଼େଇ ଗଲେ । କାଳେ ଅମୃତମୟୀ ସ୍ନେହ ଛଳଛଳ ମାତୃହୃଦୟ ଏ କଥାକୁ ବରଦାସ୍ତ ନ କରି ବିରୋଧ କରିବ । ମାତ୍ର ସେ ସମସ୍ତ ଆଶଙ୍କାର ପରଦାକୁ ଦୂରେଇ ଦେଇ ଥିଲେ ଶ୍ରୀମତୀ ତ୍ରିପାଠୀ । ତାଙ୍କୁ ଗାଳି ଓ ନଅ ମାସ ଦଶଦିନ ଗର୍ଭକଷ୍ଟ ବାଧି ନ ଥିଲା । ତାଙ୍କୁ ପ୍ରଚଣ୍ଡ ଧକ୍କା ଦେଇଥିଲା ବାତ୍ସଲ୍ୟପ୍ରେମର ବିଫଳତା । ବାଷ୍ପରୁଦ୍ଧ କଣ୍ଠରେ ଭାବ ବିହ୍ୱଳ ହୋଇ କହି ପକାଇଲେ- ବହୁ ହୋଇଗଲା । ମରି ଯାଇଚି ମୋର ମାତୃତ୍ୱ । ସରିଯାଇଛି ମୋର ସ୍ନେହ । ଦହଗଞ୍ଜରେ ପ୍ରାଣ ଯାହା ଖାଲି ଡହଳ ବିକଳ ହେଉଚି । ଆଉ ନୁଏଁ । ଆମର ଉଜାଣି ବହିଲାଣି । ପ୍ରତିମୁହୂର୍ତ୍ତରେ ଆମେ ପାଲଟି ଯାଉଚୁ ଦୁଇଟି ଜୀଅନ୍ତା ଶବ । ଆମେ ଅବଶ । ଆମେ ଦୁହେଁ ଡରିମରି ବଞ୍ଚିଚୁ । ଜୀବନର ସ୍ୱପ୍ନ ସବୁ ଚୁନା ଚୁନା ହୋଇ ଯାଇଚି । ସଂକଳ୍ପ ସବୁ ସମାଧି ନେଇଚି । ସନ୍ତାନ ସୁଖ ସର୍ପର ବିଷ ପରି ସଂଜ୍ଞା ବୁଡ଼ାଇ ଦେଉଚି । ଚେଷ୍ଟା ସବୁ ଧକ୍କା ଖାଇ ଖାଇ ନିରବି ଯାଇଚନ୍ତି । ଆଖିରୁ ଶୁଖି ଯାଇଛି ଲୁହ ଗଛ ଖଣ୍ଡିଆ ହେଲେ ରସ ବହି ଧୀରେ ଧୀରେ ଶୁଖିଗଲା ପରି । ଆମେ ଆଉ କିଛି ଚାଉଁ ନାଉଁ । ଆମେ ଖାଲି ଏତିକି ପ୍ରାର୍ଥନା କରୁଛୁ- ତୁମ ବର ତୁମେ ଫେରାଇ ନିଅ ପ୍ରଭୁ ! ଏ ପୁଅ ଦି’ଓଟିର ଶୀଘ୍ର ମୃତ୍ୟୁ ହୋଇଯାଉ । ଆମକୁ ମୁକ୍ତି ମିଳୁ । ଏ କଠୋର ବାସ୍ତବତାକୁ ସାମ୍ନା କରୁଥିବା ନୀରଦ ବାବୁ ନିଜକୁ ବିଶ୍ୱାସ କରିପାରୁ ନଥିଲେ । ମଝି ଦରିଆରେ ନୀରଦ ବାବୁ ଅନୁଭବ କରୁଥିଲେ ସତେ ଯେମିତି ନାବର ଆହୁଲା ଦୁଇଟି ଯେମିତି ଅଚଳ ହୋଇ ଯାଇଚି । ସାଗରର ବେଳା ଭୂଇଁ ଦୂର ପରାହତ । ପ୍ରତି ମୁହୂର୍ତ୍ତରେ ଆସନ୍ନ ବିପଦର ପ୍ରତୀକ୍ଷା । ଅବଶୋଷର ଘୂର୍ଣ୍ଣିଝଡ଼ରେ ସେମାନଙ୍କର ନାଆ ଜଳରେ ଧୀରେ ଧୀରେ ବୁଡ଼ି ବୁଡ଼ି ଯାଉଚି. . . ।

ଲୋକପ୍ରିୟ ଲେଖା

To Top