ସକାଳୁ ଗେଟ୍ ଖୋଲିଲା ବେଳକୁ
ମୁହଁମାଡ଼ି ନିରୀହ କଣ୍ଡୋମ୍ଟି
ନାଳ ଗଡ଼ଉଚି ପାଟିରୁ ।
ପ୍ରଥମେ ଦେଖିଲା ବୋଉ
ଘଟଣାଟି କ’ଣ ?
ଘରେ ବଢ଼ିଲା ଝିଅ
ପୁଅ ନଈର ସୁଅ ।
ବୋଉ କହିଲା ଏଇଟା କ’ଣ ?
ପଥର ପାଚେରି ଡେଇଁ
ମୋ ଘରେ କେମିତି ହେଲା ବିସ୍ଫୋରଣ ?
ଚୁପ୍ ରହିଲେ ବାପା ।
ସକାଳ ଆସୁ ଆସୁ
ବାପା ଯାଆନ୍ତି ଫୁଲ ତୋଳି
ରତି ମାଉସୀଙ୍କ ବଗିଚାଯାଏ ଲମ୍ୱି ଯାଆନ୍ତି ବାପା
ମାଉସୀଙ୍କ ଆଖିରେ ତତଲା ଚା’ କପ୍ର ବାସ୍ନା
ବୋଉ ଡାକରେ
ମୂର୍ଚ୍ଛାଯାଏ ଚା’ କପ୍ ।
ବୋଉ ଜାଣେ ଏ ସବୁ
ଭାବିପାରୁନି ଆଗକୁ ।
ଝିଅ ଉଠିଲାଣି ବିଛଣାରୁ
ବିପ୍ରଲମ୍ୱ ସ୍ୱପ୍ନମାନଙ୍କୁ ଦେହରୁ ଖୋଲି
ସାଇତି ଦେଲାଣି ଡେସିଂଟେବୁଲ୍ ଡ୍ରୟରରେ
ଝର୍କା ଖୋଲି ଦେଖିଲା ବାପାଙ୍କ ବିମର୍ଶ ମୁହଁ
ଅବିକଳ ରାତିର ସ୍ୱପ୍ନ ପରି
ଝର୍କା ବାହାରର ଦୃଶ୍ୟ ।
ଛାତିତଳେ ତ ନାହିଁ ଚୁମା ଚିହ୍ନ
ନିଦ ମଳମଳ ଆଖିରେ
ଯାଇ ନାହିଁ ସେ ନଈକୂଳ ।
ପୁଅ ଏବେ ବିଳିବିଳେଇ ହୁଏ ରାତିରେ
ଅନ୍ଧାରର ସୁଡ଼ଙ୍ଗରେ
କେହି କ’ଣ ଆସେ ଏତେ ବାଟ
ନା ନା ପୁଅ ଶୋଇଥାଉ
ବରଂ ଘୁଞ୍ଚିଯାଉ ଏ ଦୃଶ୍ୟ ।
କୁଆଡୁ ଆସିଲା ଏ ପାପବୋଧ
ବୁଝିପାରୁନି ବୋଉ
ବୁଝାଇ ପାରୁନି ବାପା
ଚେନାଏ ଅବିଶ୍ୱାସରେ ଭାଙ୍ଗିଯାଉଚି
ଦାମ୍ପତ୍ୟର ପାଣିକାଚ ।
କଳା କାଉ ବସିଥିଲା କୃଷ୍ଣଚୂଡ଼ା ଡାଳରେ
ଏକା ଖୁମ୍ପାରେ ପୋଛି ନେଲା
ଚଞ୍ଚୁରୁ ଖସି ପଡ଼ିଥିବା ପାପର ସ୍ଥାପତ୍ୟ ।
ବାପା କହିଲେ
ବୁଝିଲ ତ
ଛାତିକୁ ପ୍ରଶସ୍ତ କର
ନଗର ନିଗମ ମଇଳା କୁଣ୍ଡରୁ
କାଲି ଜନ୍ମ ନେଇପାରେ ମହାକାଳ ।
ବୋଉ ହସିଦେଲା ଫିସ୍କିନା
ବାପା କହିଲେ
ଫୁଲଡ଼ାଲା ଆଣ ।
