ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ତାଙ୍କର ଦୁର୍ଭାଗ୍ୟ ଓ ଦୁର୍ଭୋଗ ପାଇଁ ସମସ୍ତେ ତାଙ୍କୁ ଦାୟୀ କରୁଥିବା ସମୟରେ ଏକମାତ୍ର ଦମୟନ୍ତୀ ହିଁ ତାଙ୍କ ଉପରେ ବିଶ୍ୱାସ ଦୃଢ଼ ରଖିଥିଲେ ।

ଅନୁବ୍ରତା ଦମୟନ୍ତୀ

-: ପୂର୍ବରୁ :-

ରାଜ୍ୟଗଲା, ସମ୍ପଦ ଗଲା, ଯଶ ଗଲା, ପ୍ରଜାଙ୍କର ଆନୁଗତ୍ୟ ଗଲା, ସନ୍ତାନ ଦୂରେଇ ଗଲେ ଓ ଶେଷରେ ସବୁପ୍ରକାର ପ୍ରତିକୂଳ ଅବସ୍ଥାରେ ବି ବିନା ଅଭିଯୋଗରେ ତାଙ୍କ ସହିତ ଛାଇ ସଦୃଶ ରହିଥିବା ପତ୍ନୀକୁ ସେ ଅସହାୟ ଭାବରେ ଶ୍ୱାପଦ ସଙ୍କୁଳ ଘନଅରଣ୍ୟରେ ଛାଡି ଦେଇ ପାରିଲେ ।

କି ମନ୍ଦ ବୁଦ୍ଧି, ହାତଭାଗ୍ୟ ସେ ! ବେଳକୁ ବେଳ ତାଙ୍କ ମନର ବ୍ୟାକୁଳତା ବୃଦ୍ଧି ପାଉଥିଲା । ସ୍ୱର୍ଣ୍ଣପକ୍ଷ ହଂସକୁ ଦୂତ କରି ସେ ପଠାଇଥିଲେ ବିଦର୍ଭର ରାଜକନ୍ୟା ଦମୟନ୍ତୀଙ୍କ ନିକଟକୁ । ସମ୍ୱାଦ ପାଇବା ପରଠାରୁ ହିଁ ସେହି ଅସାମାନ୍ୟା ସୁନ୍ଦରୀ ରାଜକନ୍ୟା ତାଙ୍କୁ ନଜାଣି ନ ଦେଖି ତାଙ୍କ ନିକଟରେ ହୃଦୟପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥିଲେ । ସେ ତାଙ୍କର ଏପରି ଅନୁବ୍ରତା ଥିଲେ ଯେ ତାଙ୍କୁ ବିବାହ କରିବା ପାଇଁ ତାଙ୍କ ସ୍ୱୟଂବର ସଭାରେ ଉପସ୍ଥିତ ଥିବା ଆଗ୍ରହୀ ଦେବତାମାନଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ତାଙ୍କୁ ହିଁ ବରଣ କରିଥିଲେ । ଅଥଚ ସେହି ଅନୁଗାମିନୀ ପତ୍ନୀଙ୍କୁ ସେ କିପରି ବା ପରିତ୍ୟାଗ କରିପାରିଲେ ?

ସେ ନିଃସ୍ୱ ଭାବରେ ରାଜ୍ୟରୁ ବହିଷ୍କୃତ ହେବାବେଳେ ତାଙ୍କର ଦ୍ୟୁତକ୍ରୀଡ଼ାରେ ଆସକ୍ତି ଓ ଅବିବେକୀ ଆଚରଣ ପାଇଁ ସମସ୍ତେ ତାଙ୍କୁ ନିନ୍ଦା କରୁଥିଲେ । ତାଙ୍କର ଏତେ ବର୍ଷର ସୁଶାସନ ପ୍ରଜାହିତକାରୀ କାର୍ଯ୍ୟମାନ ପାଇଁ ମଧ୍ୟ କେହି ସମର୍ଥନ ଜଣାଇଲେ ନାହିଁ । ତାଙ୍କର ଦୁର୍ଭାଗ୍ୟ ଓ ଦୁର୍ଭୋଗ ପାଇଁ ସମସ୍ତେ ତାଙ୍କୁ ଦାୟୀ କରୁଥିବା ସମୟରେ ଏକମାତ୍ର ଦମୟନ୍ତୀ ହିଁ ତାଙ୍କ ଉପରେ ବିଶ୍ୱାସ ଦୃଢ଼ ରଖିଥିଲେ । ବିବେକୀ ନଳ ଅକ୍ଷକ୍ରୀଡ଼ାରେ ପ୍ରମତ୍ତ ହେବା ଓ ହିତାହିତ ଜ୍ଞାନଶୂନ୍ୟ ହେବା ଘଟଣା ପାଇଁ ସେ ତାହାକୁ କୌଣସି ଅପଶକ୍ତିର କାର୍ଯ୍ୟ ବୋଲି ବିଚାର କରୁଥିଲେ । ଦମୟନ୍ତୀ ବାରମ୍ୱାର ସ୍ୱୀମୀ ନଳଙ୍କୁ ସେ ବିଷୟରେ ସଚେତନ କରିବା ସହ ଦୁର୍ଭୋଗର ସମୟ ଶୀଘ୍ର ହେଉ ବା ବିଳମ୍ୱରେ ହେଉ ନିଶ୍ଚୟ ଦୂର ହୋଇଯିବ ବୋଲି ଆଶ୍ୱାସନା ଦେଉଥିଲେ । କ୍ଷୁଧାତୃଷ୍ଣାରେ ପୀଡ଼ିତା ଦମୟନ୍ତୀ କେତେ ଶାନ୍ତଭାବରେ ସେହି କଣ୍ଟକାକୀର୍ଣ୍ଣ ବନପଥରେ ତାଙ୍କର ସେ ସୁକୋମଳ ପାଦକୁ କ୍ଷତାକ୍ତ କରି ଚାଲୁଥିବାବେଳେ ବି ପଦଟିଏ ଅଭିଯୋଗ କରିନଥିଲେ । ବରଂ ନିଜ ସ୍ୱାମୀଙ୍କର ସହଗାମିନୀ ହେବା ତାଙ୍କର ସୌଭାଗ୍ୟ ମଣୁଥିଲେ ।

ଅଥଚ ନଳ କଲେ କ’ଣ ? ବନରେ ଏକାକିନୀ ତାଙ୍କୁ ନିଦ୍ରିତାବସ୍ଥାରେ କିପରି ବା ପରିତ୍ୟାଗ କରି ଚାଲିଆସିପାରିଲେ ? କିନ୍ତୁ କ’ଣ ସେ ଆଉ କରିଥାନ୍ତେ ! ଦୀନହୀନ ଭାବରେ ସେ କ’ଣ ଶ୍ୱଶୁରାଳୟର ଆଶ୍ରୟ ନେଇ ପାରିଥାନ୍ତେ କି ? ସେ ବିଦର୍ଭ ନରପତି ଭୀମସେନଙ୍କର ଜାମାତା ନିଷଧପତି ନଳ ଭାବରେ ପରିଚିତ । ଏପରି ଭିକ୍ଷୁକ ଅବସ୍ଥାରେ ସେ ବା କିପରି ସେ ରାଜ୍ୟରେ ପ୍ରବେଶ କରିଥାନ୍ତେ ? ପ୍ରଜାମାନଙ୍କ ଆଗରେ ଶ୍ୱଶୁର ଭୀମଙ୍କର କେଉଁ ମର୍ଯ୍ୟାଦା ରହିଥାନ୍ତା ! କିନ୍ତୁ ଦମୟନ୍ତୀଙ୍କ କଥା ଭିନ୍ନ । ସେ ରାଜାଙ୍କର କନ୍ୟା । ଯେଉଁପରି ଅବସ୍ଥାରେ ବି ସେ ନିଜ ରାଜ୍ୟକୁ ଫେରିଗଲେ କେହି ତାଙ୍କୁ ନିନ୍ଦା କରିବେନି । ବରଂ ସମସ୍ତେ ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ତାଙ୍କୁ ଆଦରି ନେବେ । ତେଣିକି ସେ ନିଜର ସନ୍ତାନଦ୍ୱୟଙ୍କ ସହ ସ୍ୱଚ୍ଛନ୍ଦରେ କାଳାତିପାତ କରିପାରିବେ । ନଳ ତାଙ୍କ ସହ ଥିବା ପର୍ଯ୍ୟନ୍ତ ତାଙ୍କର ସେ ଅନୁଗତା ପତ୍ନୀ ତାଙ୍କୁ ଛାଡ଼ି କେବେ ବି ଯିବେ ନାହିଁ । ତେଣୁ ତାଙ୍କୁ ସେ ବାରମ୍ୱାର ବିଦର୍ଭ ରାଜ୍ୟକୁ ଯାଇଥିବା ପଥ ପ୍ରଦର୍ଶନ କରୁଥିଲେ । ସ୍ୱାମୀ ନଳଙ୍କୁ ନ ପାଇଲେ ସେ ବାଧ୍ୟ ହୋଇ ନିଜର ପିତ୍ରାଳୟକୁ ଯିବେ ।

କିନ୍ତୁ ଏକାକିନୀ ରାଜକନ୍ୟା ଅରଣ୍ୟ ପଥରେ ସୁରକ୍ଷିତ ରହିବେ ତ । ନଳଙ୍କର ବ୍ୟଥିତ ଚିତ୍ତ ଗୋଟିଏ ଆଶ୍ୱାସନା ପାଉଥିଲା ଯେ ଦମୟନ୍ତୀ ଜଣେ ତେଜସ୍ୱିନୀ ନାରୀ । ତାଙ୍କର ସତୀତ୍ୱର ବଳ ତାଙ୍କୁ ରକ୍ଷା କରିବ ।

ନଳ ପତ୍ନୀଙ୍କ କଥା ଚିନ୍ତା କରୁ କରୁ ଅନେକ ପଥ ଅତିକ୍ରମ କରିଯାଇଥିଲେ । ଏବେ ସେ ଏକ ଗହନବନର ଅଭ୍ୟନ୍ତରରେ ପ୍ରବେଶ କରିଥିବାବେଳେ ଦେଖିଲେ ଅରଣ୍ୟର କିଛି ଅଂଶରେ ପ୍ରଚଣ୍ଡ ଅଗ୍ନି ପ୍ରଜ୍ୱଳିତ ହେଉଛନ୍ତି । ସେହି ଅଗ୍ନିଦହନ ସ୍ଥାନରୁ ତାଙ୍କୁ କେହି ଆର୍ତ୍ତସ୍ୱରରେ ଆହ୍ୱାନ କରୁଥିବାର ସେ ଶୁଣିପାରିଲେ ହେ ପୁଣ୍ୟଶୀଳ ନଳ ମତେ ଏ ଅଗ୍ନିଦହନରୁ ଉଦ୍ଧାର କର ।

କ୍ଷତ୍ରିୟ ନଳ ସେହି ମୁହୂର୍ତ୍ତରେ ସେ ବିପଦପୂର୍ଣ୍ଣ ସ୍ଥାନରେ ତାଙ୍କର ସାହାଯ୍ୟ ପାଇଁ ଆହ୍ୱାନ ଶୁଣାଯାଉଥିବା ସ୍ଥାନରେ ପ୍ରବେଶ କଲେ ଓ ଦେଖିଲେ ଏକ ବିରାଟ କୁଣ୍ଡଳୀକୃତ ନାଗ ଚଳତ୍‌ଶକ୍ତିହୀନ ହୋଇ ପଡ଼ି ରହିଛନ୍ତି ।

ନଳଙ୍କୁ ଦେଖି ସେ ସର୍ପରାଜ କହିଲେ, “ହେ ପୁଣ୍ୟଶୀଳ ନଳ, ମୁଁ ହେଉଛି କର୍କୋଟକ ନାଗ । ଦେବର୍ଷି ନାରଦଙ୍କୁ ପ୍ରତାରିତ କରିଥିବାରୁ ତାଙ୍କ ଅଭିଶାପରେ ଏହି ଅବସ୍ଥାପ୍ରାପ୍ତ ହୋଇଛି । ତଥାପି ମୋ ପ୍ରାର୍ଥନାରେ ସେ ଦୟାର୍ଦ ହୋଇ କହିଥିଲେ ନଳ ନାମରେ ଜଣେ ବ୍ୟକ୍ତିଙ୍କର ଦିନେ ଆଗମନ ହେବ ଓ ସେ ତୁମକୁ ସହାୟତା କରି ଏଠାରୁ ଉଠାଇ ନେଲେ ହିଁ ତୁମେ ଗତିଲାଭ କରିବ ।”

ନଳ ଏଥର ବିନା ପ୍ରଶ୍ନରେ ତାଙ୍କୁ ସେଠାରୁ ଦୁଇବାହୁରେ ଉତ୍ତୋଳିତ କରି ଅଗ୍ନିବର୍ଜିତ ସ୍ଥାନକୁ ନେଇଗଲେ । କିନ୍ତୁ ତାଙ୍କୁ ଭୂମିରେ ରଖିବା ପୂର୍ବରୁ କର୍କୋଟକ କହିଲେ “ହେ ନଳ ମତେ ବହନ କରି ତୁମେ ଗଣି ଗଣି ଆଉ କିଛି ପାହୁଣ୍ଡ ଚାଲ ।”

ନଳ ତାଙ୍କ କଥାନୁସାରେ ପଦବିକ୍ଷେପ ଗଣନା କରି ଆଗକୁ ଦଶମ ବାର ପଦ ଉଠାଇବାବେଳେ କର୍କୋଟକ ତାଙ୍କୁ ଦର୍ଶନ କଲେ ।

ନଳ କିଛି ବୁଝିବା ପୂର୍ବରୁ ଦେଖିଲେ ତାଙ୍କର ରୂପ ବିକୃତ ହୋଇଯାଇଛି । ତାଙ୍କର ଦୀର୍ଘ ଦେହ ବାମନାକୃତି ଧାରଣ କରିଛି । ଶାଳପ୍ରାଂଶୁ ପରି ଥିବା ଦୁଇ ଭୁଜ ଓ ବଳିଷ୍ଠ ଅବୟବ ଖର୍ବାକୃତି ହୋଇଯାଇଛି । ତାଙ୍କର ଅନୁପମ ସୁନ୍ଦର ମୁଖମଣ୍ଡଳ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି । ତାଙ୍କର ଖଣ୍ଡାଧାର ପରି ଉନ୍ନତ ନାସା କାହିଁ ଭିତରକୁ ପଶିଯିବା ସହ ଦୁଇ ଦୀର୍ଘ ଆୟତଚକ୍ଷୁ କୋଟରଗତ ଓ ପରିପୁଷ୍ଟ ଅଧର ବିଭଙ୍ଗ ହୋଇଯାଇଛି । ତାଙ୍କ ଶରୀରର ତପ୍ତ କାଞ୍ଚନବର୍ଣ୍ଣ ପୋଡ଼ା ଅଙ୍ଗାର ଖଣ୍ଡ ପରି ପ୍ରତୀୟମାନ ହେଉଛି ।

ନିଜର ଏ ପ୍ରକାର ବିଷମ ପରିବର୍ତ୍ତନ ଲକ୍ଷ୍ୟ କରି ନଳ ହତବାକ୍ ହୋଇଗଲେ ।

କିନ୍ତୁ କର୍କୋଟକ ତାଙ୍କୁ ଆଶ୍ୱସ୍ତ କରି କହିଲେ ଯେ “ରୂପ ପରିବର୍ତ୍ତନ କାରଣରୁ କେହି ତାଙ୍କୁ ଚିହ୍ନିପାରିବେ ନାହିଁ । ତାଙ୍କୁ ନିର୍ବାସନ ଦେଇଥିବା ଶତ୍ରୁ ତାଙ୍କୁ ହତ୍ୟା କରିବା ପାଇଁ ଯେତେ ସନ୍ଧାନ କଲେ ବି ପାଇପାରିବ ନାହିଁ । ତା’ ଛଡ଼ା ତାଙ୍କୁ ଦଂଶନ କରିବାର ମୂଳ କାରଣ ହେଲା ଯେଉଁ ଅପଶକ୍ତି ନଳଙ୍କ ଶରୀରରେ ଅବସ୍ଥାନ କରି ଏ ସବୁ ବିପର୍ଯ୍ୟୟ ଘଟାଇଛି ସେ ଏବେ ବିଷଜ୍ୱାଳାରେ ଅହରହ ତାପିତ ହେବ । ତା’ର ଆଉ ମୁକ୍ତି ନାହିଁ । କିନ୍ତୁ ନଳଙ୍କର ଦୁର୍ଭୋଗ ଦୂର ହେବ ଯେବେ ସେ ଅକ୍ଷକ୍ରୀଡ଼ାରେ ନିପୁଣତା ହାସଲ କରିବେ ।”

ନାଗରାଜାଙ୍କ କଥା ପୂରା ହୃଦୟଙ୍ଗମ ନ କରିପାରି ଇତସ୍ତତଃ ହେଉଥିବା ନଳଙ୍କୁ ଉଦ୍ଦେଶ୍ୟ କରି ସେ କହିଲେ, “ହେ ରାଜନ ତୁମେ ଅକ୍ଷକ୍ରୀଡ଼ାରେ ପରାଜିତ ହୋଇ ରାଜ୍ୟ ହରାଇଛ । ଆଗାମୀ କାଳରେ ସେହି ଅକ୍ଷକ୍ରୀଡ଼ାରେ ଜୟଲାଭ କରି ରାଜ୍ୟ ଫେରିପାଇବ । ତେଣୁ ତୁମେ ଏବେ ଅଯୋଧ୍ୟାର ନରପତି ଋତୁପର୍ଣ୍ଣଙ୍କ ନିକଟକୁ ଗମନ କର । ତାଙ୍କୁ ତୁମେ ଅଶ୍ୱଚାଳନା ବିଦ୍ୟା ଦେବ, ସେ ତୁମକୁ ଅକ୍ଷ ବିଦ୍ୟା ଦେବେ । ସେଠାରେ ତୁମେ ତାଙ୍କ ନିକଟରେ ବାହୁକ ନାମରେ ସାରଥି କାର୍ଯ୍ୟରେ ନିଯୁକ୍ତ ହେବ । ଶୁଣ, ତୁମ ରୂପ ଫେରିବାକୁ ଚାହିଁଲେ ମତେ ସ୍ମରଣ କରି ଏଇ ଯେ ଦିବ୍ୟବସ୍ତ୍ର ମୁଁ ତୁମକୁ ଦେଉଛି ତୁମେ ତାହା ପରିଧାନ କରିବ । ତୁମର ଅନ୍ୟ କେହି କିଛି ଅନିଷ୍ଟ କରିପାରିବେ ନାହିଁ ।”

ଏହା କହି ନାଗରାଜ ଅନ୍ତର୍ହିତ ହୋଇଗଲେ । ନଳ ଅଯୋଧ୍ୟା ନଗରୀରେ ପ୍ରବେଶ କରି ରାଜା ଋତୁପର୍ଣ୍ଣଙ୍କୁ ସାକ୍ଷାତ କରି କହିଲେ “ହେ ମହାରାଜ ମୋ ସମକକ୍ଷ ଅଶ୍ୱପରିଚାଳକ ଅନ୍ୟ କେହି ନାହିଁ ଏବଂ ଅନ୍ନ ପ୍ରସ୍ତୁତିରେ ମଧ୍ୟ ମୁଁ ଅଦ୍ୱିତୀୟ ଦକ୍ଷ ବ୍ୟକ୍ତି । ଆପଣ ମତେ ରାଜକାର୍ଯ୍ୟରେ ନିଯୁକ୍ତ କରନ୍ତୁ ।”

ନଳଙ୍କ କଥାରେ ରାଜା ଋତୁପର୍ଣ୍ଣ ଖୁବ୍ ପ୍ରୀତ ହେଲେ ଓ ଅନ୍ୟ ସାରଥି ଦ୍ୱୟ ବାଷ୍ଣେୟ ଓ ଜୀବନଙ୍କ ସହିତ ତାଙ୍କୁ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦେଲେ । ନଳ ଚିହ୍ନି ପାରିଥିଲେ ନିଜର ପ୍ରିୟ ରଥଚାଳକ ବାଷ୍ଣେୟଙ୍କୁ । ଦମୟନ୍ତୀଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇ ବାଳୁତ ପୁତ୍ରକନ୍ୟାଙ୍କୁ ସୁରକ୍ଷିତ ଭାବରେ ରଥରେ ନେଇ ତାଙ୍କ ମାତା ସହ ରାଜା ଭୀମଙ୍କ ପାଖରେ ପହଞ୍ଚାଇ ଦେଇ ସେ ଅଯୋଧ୍ୟାରେ ଆସି ନିଜର ଭରଣପୋଷଣ ନିମନ୍ତେ କାର୍ଯ୍ୟ କରୁଛନ୍ତି । କିନ୍ତୁ ପାଟି ଖୋଲି ନିଜ ହୃଦୟର କୃତଜ୍ଞତା ସେ ଜଣାଇ ପାରିଲେ ନାହିଁ । କିନ୍ତୁ ଦିନ ଓ ରାତି ମଧ୍ୟରେ ଏମିତି ସମୟ ନଥିଲା ଯେଉଁ ବେଳାରେ ନଳ ତାଙ୍କର ଅସହାୟା ପତ୍ନୀ କଥା ଚିନ୍ତା କରୁନଥିଲେ । ଦୁଃଖ ଓ ଅନୁଶୋଚନାରେ ସନ୍ତପ୍ତମନା ନଳ ରାଜା ଋତୁପର୍ଣ୍ଣଙ୍କର ଅଶ୍ୱଶାଳାରେ ରହିବାକୁ ଲାଗିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top