ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ପ୍ରଥମେ ତାଙ୍କୁ ଦେଖିବା ପରେ ସୁଦେବଙ୍କୁ ସେ ରୂପ ଚିହ୍ନା ଚିହ୍ନ ମନେ ହେଲା । କିନ୍ତୁ ଅଳ୍ପ ସମୟ ଭିତରେ ସେ ଜାଣିଗଲେ ଯେ ସେ ନାରୀଟି ବିଦର୍ଭ ସରୋବରର ପଦ୍ମ ।

ଅନୁବ୍ରତା ଦମୟନ୍ତୀ

-: ପୂର୍ବରୁ :-

ବିଦର୍ଭ ନରପତି ଦମୟନ୍ତୀଙ୍କର ପିତା ଭୀମସେନ କନ୍ୟା ଓ ଜାମାତା ରାଜ୍ୟରୁ ନିର୍ବାସିତ ହୋଇ ନିରୁଦ୍ଦିଷ୍ଟ ହୋଇଯାଇଥିବା କଥା ଜାଣିଥିଲେ । ତେଣୁ ବ୍ରାହ୍ମଣମାନଙ୍କୁ ଡାକି ପ୍ରଚୁର ଅର୍ଥ ଦେଇ ଦେଶରୁ ଦେଶାନ୍ତର ଭ୍ରମଣ କରି ସେ ଦୁହିଁଙ୍କର ସମ୍ୱାଦ ଆଣି ଆସିବା ପାଇଁ ଭୀମ ଅନୁରୋଧ କଲେ ।

ତାଙ୍କ ଅନୁରୋଧ ରକ୍ଷା କରି ବ୍ରାହ୍ମଣମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ବିଭିନ୍ନ ଦିଗରେ ଗମନ କଲେ । ସୁଦେବ ନାମକ ଜଣେ ବ୍ରାହ୍ମଣ ସେହି ସନ୍ଧାନରେ ଭ୍ରମଣ କରୁ କରୁ ପହଞ୍ଚିଗଲେ ରମଣୀୟ ଚେଦି ନଗରୀରେ । ବ୍ରାହ୍ମଣ ସର୍ବତ୍ର ପୂଜାର ପାତ୍ର ହୋଇଥିବାରୁ ଚେଦିରାଜ ମଧ୍ୟ ତାଙ୍କୁ ଆଦରପୂର୍ବକ ନିଜ ପୁରକୁ ଆମନ୍ତ୍ରଣ କଲେ । ସେହିଠାରେ ସୁଦେବ ଚେଦି ରାଜକନ୍ୟା ସୁନନ୍ଦାଙ୍କ ସହ ଦମୟନ୍ତୀଙ୍କୁ ଦେଖିବାର ସୁଯୋଗ ପାଇଲେ ।

ପତି ବିରହ କାତରା ଦମୟନ୍ତୀଙ୍କ ଶରୀର କ୍ଷୀଣ ହୋଇଯାଇଥିଲା । ମୁଖରେ ବିଷାଦର ଛାୟା । ତଥାପି ସେହି ମଳିନତା ମଧ୍ୟରେ ମଧ୍ୟ ତାଙ୍କର ନିରାଭରଣ ରୂପ ଚନ୍ଦ୍ରଲେଖା ପରି କାନ୍ତିମୟ ଦିଶୁଥିଲା । ପ୍ରଥମେ ତାଙ୍କୁ ଦେଖିବା ପରେ ସୁଦେବଙ୍କୁ ସେ ରୂପ ଚିହ୍ନା ଚିହ୍ନ ମନେ ହେଲା । କିନ୍ତୁ ଅଳ୍ପ ସମୟ ଭିତରେ ସେ ଜାଣିଗଲେ ଯେ ସେ ନାରୀଟି ବିଦର୍ଭ ସରୋବରର ପଦ୍ମ । ପତି ବିଚ୍ଛେଦ ଦିନକ ବିଷାଦର କୁହୁଡ଼ିରେ ସେ ମଳିନ ଦିଶୁଛନ୍ତି ।

ତେଣୁ ସେ ତାଙ୍କ ନିକଟକୁ ଦମନ କରି ନିଜର ପରିଚୟ ଦେଲେ । ଦମୟନ୍ତୀ ମଧ୍ୟ ଚିହ୍ନିପାରିଲେ ତାଙ୍କ ଭ୍ରାତାଙ୍କର ପ୍ରିୟ ସଖା ବ୍ରାହ୍ମଣ ସୁଦେବଙ୍କୁ । ନିଜ ପିତାମାତା, ବନ୍ଧୁବର୍ଗ ଓ ନିଜ ପୁତ୍ର କନ୍ୟାଙ୍କର ସମସ୍ତ କୁଶଳ ସମ୍ୱାଦ ବୁଝିବାବେଳେ ତାଙ୍କ ଆଖିରୁ ଅବିରତ ଅଶ୍ରୁ ମୁଞ୍ଚିତ ହେଉଥିଲା । ସେ ନିଜର କୋହକୁ ଆଉ ସମ୍ୱରଣ ନ କରିପାରି ରୋଦନ କରିବାକୁ ଲାଗିଲେ । ଏ ସମ୍ୱାଦ ଅଚିରେ ପହଞ୍ଚିଲା ଚେଦି ରାଜରାଣୀଙ୍କ ନିକଟରେ । ସେ ଓ ସୁନନ୍ଦା ସେଠାରେ ଉପସ୍ଥିତ ହୋଇ ସମସ୍ତ ଘଟଣା ଅବଗତ ହେଲେ । ବିଦର୍ଭ ରାଜକନ୍ୟା ତଥା ନିଷଧ ରାଜମହିଷୀ ତାଙ୍କ ପୁରରେ ସୈରିନ୍ଧ୍ରୀ ଭାବରେ କାମ କରୁଛନ୍ତି ଜାଣି ରାଣୀ ଓ ରାଜକନ୍ୟା ସୁନନ୍ଦା ଭାବବିହ୍ୱଳ ହୋଇ ଦମୟନ୍ତୀଙ୍କ ବହୁ ସମାଦର କଲେ ।

ଏଥର ପିତ୍ରାଳୟକୁ ଫେରିଯିବାର ପର୍ବ । ଦମୟନ୍ତୀ ନିଜ ସନ୍ତାନମାନଙ୍କୁ ଓ ପିତାମାତାଙ୍କୁ ଦେଖିବାକୁ ବ୍ୟାକୁଳ ହୋଇପଡ଼ିଲେ । ତାଙ୍କର ପ୍ରତ୍ୟାବର୍ତ୍ତନର ସମସ୍ତ ଆୟୋଜନ ହେଲା । ରଥ ଆରୋହଣ କରି ବୈବର୍ଭୀ ବିଦର୍ଭ ନଗରୀରେ ଯାଇ ଉପସ୍ଥିତ ହେଲେ । ତାଙ୍କ ଉପସ୍ଥିତିରେ ରାଜପୁରୀରେ ଆନନ୍ଦର ଲହରୀ ଖେଳିଗଲା । ଏତେ ଦୁର୍ଭୋଗ ପରେ ଆପଣାର ଲୋକଙ୍କୁ ଦେଖି ରାଜନନ୍ଦିନୀ ଆନନ୍ଦ ଅନୁଭବ କରୁଥିଲେ ବି ନଳଙ୍କର ସ୍ମୃତି ତାଙ୍କୁ ପ୍ରତିନିୟତ ବ୍ୟାକୁଳ କରୁଥିଲା ।

ରାଜା ଭୀମସେନ କନ୍ୟାକୁ ଫେରି ପାଇ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ନଳଙ୍କୁ ସନ୍ଧାନ କରିବା ସମ୍ଭବ ହେଉନଥିଲା । ନଳଙ୍କୁ ବାହୁକ ରୂପରେ ଦେଖୁଥିବା ବ୍ୟକ୍ତି କିପରି ବା ବୁଝିପାରିବ ଯେ ଜଣେ ସୌମ୍ୟଦର୍ଶନ ବିଶାଳ ଶରୀରଧାରୀ ବ୍ୟକ୍ତି ଏପରି ଖର୍ବ କୁତ୍ସିତ ରୂପର ଅନ୍ତରାଳରେ ଆତ୍ମଗୋପନ କରିଛନ୍ତି । ସମସ୍ତେ ନିରାଶ ହେଲେ ।

କିନ୍ତୁ ଦମୟନ୍ତୀ ଆଶା ହରାଇଲେ ନାହିଁ । ତାଙ୍କ ହୃଦୟର ଗୋପନ ତନ୍ତ୍ରୀରେ ନଳଙ୍କର ସ୍ମୃତି ଅହରହ ଅନରଣିତ ହେଉଥିଲା । ସେ ଧ୍ୱନି ତାଙ୍କର ମନପ୍ରାଣକୁ ସଞ୍ଜୀବିତ କରି ରଖିଥିଲା । କେଉଁଠି ନା କେଉଁଠି ନଳ ଯେ ଆତ୍ମଗୋପନ କରିଛନ୍ତି ସେଥିରେ ତାଙ୍କର ସନ୍ଦେହ ନ ଥିଲା । କିନ୍ତୁ କିପରି ତାଙ୍କର ସନ୍ଧାନ ମିଳିପାରିବ ।

ବହୁ ଚିନ୍ତା ପରେ ଦମୟନ୍ତୀଙ୍କ ମନକୁ କଥାଟିଏ ଆସିଲା । ତାଙ୍କ ପିତାଙ୍କଦ୍ୱାରା ନିୟୋଜିତ ସନ୍ଧାନୀ ବ୍ରାହ୍ମଣମାନଙ୍କୁ ଡକାଇ ପଠାଇଲେ । ସେମାନେ ଆସିବା ପରେ ଦମୟନ୍ତୀ ସେମାନଙ୍କୁ କେତୋଟି ଶ୍ଳୋକ ଦେଇ କହିଲେ ଦେଶରୁ ଦେଶାନ୍ତର ଭ୍ରମଣ କାଳରେ ବ୍ରାହ୍ମଣମାନେ ବିଭିନ୍ନ ରାଜାଙ୍କର ସଭାଗୃହରେ, ଜନସମାଗମ ସ୍ଥଳରେ ତାହା ବାରମ୍ୱାର ପାଠ କରିବେ ।

ଯାହାର ଅର୍ଥ ଥିଲା “ହେ ପ୍ରିୟ, ଅରଣ୍ୟରେ ବସ୍ତ୍ରର ଅର୍ଦ୍ଧେକ ପରିଧାନ କରି ତୁମ ଆଶ୍ରୟରେ ରହିଥିବା ନିଦ୍ରିତା ପତ୍ନୀକୁ ଛାଡ଼ି କୁଆଡ଼େ ଚାଲିଗଲ । ପତ୍ନୀକୁ ସର୍ବଦା ରକ୍ଷା କରିବା ପତିର ଧର୍ମ । ତୁମେ ଧର୍ମଜ୍ଞ ଓ ସତ୍ୟବାଦୀ ହେବା ସତ୍ତ୍ୱେ ଏପରି ଆଚରଣ କିପରି କରିପାରିଲ । ସେହି ଦୁଃଖିନୀ ପତ୍ନୀ ତୁମଠାରୁ ବିଚ୍ଛିନ୍ନ ହୋଇ ସର୍ବଦା ରୋଦନ କରୁଛି ।”

ବ୍ରାହ୍ମଣମାନେ ଏହି ମର୍ମରେ ବନରୁ ବନ ଓ ଦେଶାନ୍ତର ଭ୍ରମଣ କରି ବିଭିନ୍ନ ସ୍ଥାନରେ ଆଳୋଚନା କଲେ । କିନ୍ତୁ ସବୁ ନିଷ୍ଫଳ । କାହାନ୍ତି ନଳ ? କୋଉଠି ତ ଏହି ବାକ୍ୟସବୁର ପ୍ରତ୍ୟୁତ୍ତର ନାହିଁ ।

ନିରାଶ ହୋଇ ଫେରି ଆସିଥିବା ବ୍ରାହ୍ମଣମାନଙ୍କ କଥା ଦମୟନ୍ତୀ ଶୁଣିଲେ । ତାଙ୍କର ଧୈର୍ଯ୍ୟ ତୁଟି ଯାଉଥିଲା । ସତରେ କ’ଣ ନଳ ଏ ସଂସାରରେ ନାହାନ୍ତି ? ଯଦି ଅଛନ୍ତି ସେ କ’ଣ କେଉଁ ଅଜ୍ଞାତ ସ୍ଥାନରେ ହଜିଯାଇଛନ୍ତି ? ଯେଉଁ ସ୍ଥାନର ସନ୍ଧାନ କରିବା ଆଉ କାହାରି ପକ୍ଷରେ ସମ୍ଭବ ନୁହେଁ ।

କିନ୍ତୁ ବେଶ୍ କିଛିକାଳ ପରେ ପର୍ଣ୍ଣାଦ ନାମକ ଜଣେ ବ୍ରାହ୍ମଣ ତାଙ୍କର ଦୀର୍ଘ ପର୍ଯ୍ୟଟନ ପରେ ଫେରି ଦମୟନ୍ତୀଙ୍କୁ ଯେଉଁ ସମ୍ୱାଦ ଦେଲେ ତାହା ଅବିଶ୍ୱାସ୍ୟ ହେଲେ ବି ତାହା ତାଙ୍କ ମନରେ ଆଶାର ସଞ୍ଚାର କଲା ।

ପର୍ଣ୍ଣାଦ କହିଲେ ଯେ “ସେ ରାଜକନ୍ୟାଙ୍କ ନିର୍ଦ୍ଦେଶାନୁସାରେ ଶ୍ଳୋକ ବିଭିନ୍ନ ସ୍ଥାନରେ ଆବୃତ୍ତି କରି ଚାଲିଥିଲେ କିନ୍ତୁ କେହି କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ ।” ଦିନେ ସେ ଅଯୋଧ୍ୟାରେ ପହଞ୍ଚି ରାଜା ଋତୁପର୍ଣ୍ଣଙ୍କ ସଭାରେ ମଧ୍ୟ ତାହା ଗାନ କଲେ । କିନ୍ତୁ ରାଜା ଓ ସଭାସଦବର୍ଗ ନିରୁତ୍ତର ରହିଲେ ।

କିନ୍ତୁ ସାୟଂକାଳେ ରାଜାଙ୍କ ସାରଥି ବାହୁକ ତାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ଡାକି ନେଇ ବାଷ୍ପରୁଦ୍ଧ କଣ୍ଠରେ କହିଲେ, “ହେ ବ୍ରାହ୍ମଣ, ଆଜି ରାଜସଭାରେ ଆପଣ ଯାହା କହିଲେ ତା’ ମୁଁ ଶୁଣିଛି । କିନ୍ତୁ ମୋ ବିଚାରରେ କୁଳସ୍ତ୍ରୀମାନେ ନିଜର ଦୁଃଖ ପ୍ରକାଶ କରିବା ଠିକ୍ ନୁହେଁ । ସ୍ୱାମୀବିଚ୍ଛେଦ ହେଲେ ହେଁ ସେମାନେ କ୍ରୋଧ କରିବା ଉଚିତ୍ ନୁହେଁ । ମୁଁ ଆପଣଙ୍କ ଠାରୁ ଯେଉଁ ପୁରୁଷ କଥା ଶୁଣିଲି, ସେ ତ ହତଭାଗ୍ୟ ! ରାଜା ହୋଇ ବି ସେ ନିଃସ୍ୱ ! ସେ ବ୍ୟକ୍ତି ନିଜର ଓ ସ୍ତ୍ରୀର କ୍ଷୁଧା ନିବାରଣ କରିବା ପାଇଁ ପକ୍ଷୀ ଧରିବାର ଚେଷ୍ଟା କରୁଥିବାବେଳେ ପକ୍ଷୀମାନେ ତା’ର ବସ୍ତ୍ରଖଣ୍ଡକ ନେଇ ଉଡ଼ିଯାନ୍ତି । ସେହି କ୍ଷୁଧାର୍ତ୍ତ, ନଗ୍ନ ଅସହାୟ ମଣିଷ ଉପରେ କ୍ରୋଧ ପ୍ରକାଶ କରିବା ଉଚିତ୍ ନୁହେଁ ।

ପର୍ଣ୍ଣାଦଙ୍କ କଥା ସରିବା ପୂର୍ବରୁ ଦମୟନ୍ତୀ ଉତ୍କଣ୍ଠିତ ହୋଇ ପଚାରିଲେ, “ହେ ବ୍ରାହ୍ମଣ ମହାଶୟ ସେ ବ୍ୟକ୍ତି ଦେଖିବାକୁ କିପରି ? ସୌମ୍ୟ ଦର୍ଶନ ତ ? ”

– ନା, ସେ କଦାକାର, କୁରୂପ ।

– ସେ କ’ଣ ଦୀର୍ଘଦେହୀ ?

– ନାଁ, ସେ ବାମନ, ବିଭଙ୍ଗ ଦେହ ।

– ତାଙ୍କର କପାଳ କିପରି ?

– ଖୁବ୍ ସଙ୍କୁଚିତ, ରେଖା ଚିହ୍ନିତ ।

– ନାସା ?

– ଅତି କ୍ଷୁଦ୍ର

– ଚକ୍ଷୁଦ୍ୱୟ ?

– କୋଟରଗତ ।

– ଅଧର ?

– ଖଣ୍ଡିତ ।

– ବାହୁ ?

– କ୍ଷୁଦ୍ର ଓ ବକ୍ର ।

– ରାଜଲକ୍ଷଣ କିଛି ଅଛି କି ?

– ଆଦୌ ନାହିଁ ।

– ତେବେ ତାଙ୍କର ବିଶେଷ କିଛି ଗୁଣ ଅଛି କି ?

– ହଁ ଅଛି । ସେ ଅଶ୍ୱଚାଳନାରେ ଦକ୍ଷ ।

– ସେ ରାଜା ଋତୁପର୍ଣ୍ଣଙ୍କର ବିଶ୍ୱସ୍ତ କି ?

– ହଁ ରାଜକନ୍ୟା, ମୋର ସେଠାରେ ଅନୁଭବ ହେଲା ରାଜା ଋତୁପର୍ଣ୍ଣଙ୍କର ଅନ୍ୟ ଦୁଇଜଣ ଦକ୍ଷ ସାରଥି ଥିଲେ ବି ସେ ଏହି କୁରୂପ ସାରଥି ଉପରେ ଅଧିକ ନିର୍ଭର କରନ୍ତି ।

ରାଜକନ୍ୟା ନିରବ ହେଲେ । ପର୍ଣ୍ଣାଦଙ୍କୁ ପ୍ରଭୁତ ଧନ ଦାନ କରି ବିଦାୟ ଦେବା ପେ ସେ ତାଙ୍କ ମାଙ୍କ ନିକଟରେ ପହଞ୍ଚି କହିଲେ, “ମା’ ତୁମେ, ଏହି ଦୁଃଖିନୀ କନ୍ୟାର ସବୁ କଥା ଜାଣ । ବିପଦ ବେଳେ ତାକୁ ଓ ତା’ର ସନ୍ତାନମାନଙ୍କୁ ଆଦରରେ ଆଶ୍ରୟ ଦେଇଛ । କିନ୍ତୁ ମୁଁ ମୋର ସ୍ୱାମୀଙ୍କୁ ହରାଇଥିବାରୁ ମୁହୂର୍ତ୍ତେ ଶାନ୍ତିରେ ରହିପାରୁନି । ତାଙ୍କୁ ସନ୍ଧାନ କରିବା ପାଇଁ ବ୍ରାହ୍ମଣମାନେ ବିଭିନ୍ନ ଋଷିଆଶ୍ରମ, ଜନପଦ, ରାଜପ୍ରାସାଦ ସବୁ ଭ୍ରମଣ କରି ନିରାଶ ହୋଇ ଫେରି ଆସିଛନ୍ତି । ତଥାପି ମୁଁ ଆଶା କରୁଛି ତାଙ୍କ ସହିତ ମୋର ନିଶ୍ଚୟ ମିଳନ ହେବ । ଏବେ ମୁଁ ଏକ ଉପାୟ ଚିନ୍ତା କରିଛି । ତାହା ସମ୍ପୂର୍ଣ୍ଣ ଗୋପନ ରହିବ । ଏପରିକି ଆପଣ ପିତାଙ୍କୁ ମଧ୍ୟ ଏ ସମ୍ୱାଦ ଜଣାଇବେ ନାହିଁ ।”

ରାଣୀ ସମ୍ମତ ହେଲେ । ସ୍ୱାମୀଠାରୁ ବିଚ୍ଛେଦ ଘଟିଥିବା ପତିପ୍ରାଣା କନ୍ୟାର ଦୁଃଖ ତାଙ୍କୁ ମଧ୍ୟ ଅସହ୍ୟ ପୀଡ଼ା ଦେଉଥିଲା । ତେଣୁ ଜାମାତାଙ୍କୁ ଖୋଜିବା ପାଇଁ ଯେକୌଣସି ଉପାୟ ଅବଲମ୍ୱନ କରିବାକୁ ସେ ମଧ୍ୟ ପ୍ରସ୍ତୁତ ଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top