ଉତ୍କଳ ଗୌରବ ମଧୁସୂଦନ ମନ୍ତ୍ରୀ ଥିଲାବେଳେ ସ୍ୱାୟତ୍ତଶାସନ ଆଇନ୍ର ପରିବର୍ତ୍ତନ କରିବା ପରେ ଓଡ଼ିଶାର ଜିଲ୍ଲା ବୋର୍ଡ ଗୁଡ଼ିକର ଯେଉଁ ପରିବର୍ତ୍ତନ କରାଗଲା ସେହି ଅନୁସାରେ ୧୯୨୩ରେ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ବୋର୍ଡ ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ହେଲେ ଏବଂ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ବୋର୍ଡରେ ଯଥାକ୍ରମେ ଗୋପବନ୍ଧୁ ଚୌଧୁରୀ, ବନମାଳି ଦାସ ଓ ଡଃ ହରେକୃଷ୍ଣ ମହତାବ ସଭାପତି ନିର୍ବାଚିତ ହୋଇଥିଲେ । ଆଗେ ଜିଲ୍ଲା ବୋର୍ଡରେ ମନୋନୀତ ସଭ୍ୟମାନେ ଥିବାବେଳେ ନ୍ୟସ୍ତ ସ୍ୱାର୍ଥ ଲୋକେ ଗାଁ ଗହଳିରେ ସମସ୍ତ ସୁବିଧା ଉପଭୋଗ କରୁଥିଲେ । ଏହି ନିର୍ବାଚନରେ କଂଗ୍ରେସ କର୍ମକର୍ତ୍ତାମାନେ ଲୋକଙ୍କ ପ୍ରତ୍ୟେକ୍ଷ ସମ୍ପର୍କରେ ଆସି ଲୋକମତ ଅନୁସାରେ କୂଅ, ପୋଖରୀମାନ ଖୋଳା ହେଲା ପ୍ରାଥମିକ ବିଦ୍ୟାଳୟମାନ ବସିଲା ଏବଂ ଗାଁର ରାସ୍ତାଘାଟ ତିଆରି ଓ ମରାମତି ହେଲା । ରାସ୍ତା ନିର୍ମାଣ ଫଳରେ ବିଭିନ୍ନ ଗାଁ ସହିତ ସହଜରେ ସମ୍ପର୍କ ସ୍ଥାପିତ ହେଲା, ସୀମିତ ଆର୍ଥିକ ସମ୍ୱଳ ଭିତରେ ପାନୀୟ ଜଳ ଯୋଗାଇ ଦିଆଗଲା ଓ ଡାକ୍ତରଖାନାମାନ ସ୍ଥାପନ କରାଯାଇଥିଲା । ଜିଲ୍ଲା ବୋର୍ଡମାନ ପରିଚାଳନା ଫଳରେ କଂଗ୍ରେସ୍ ନେତାମାନଙ୍କର ଶାସନ କ୍ଷେତ୍ରରେ ଅଭିଜ୍ଞତା ବୃଦ୍ଧି ପାଇଲା ତଥା ଲୋକଙ୍କ ଅଭାବ ଅସୁବିଧା ବିଷୟରେ ସେମାନେ ପ୍ରତ୍ୟେକ୍ଷ ଜ୍ଞାନ ହାସଲ କଲେ ।
୧୯୨୨ ମସିହା ଗୟା କଂଗ୍ରେସ ଅଧିବେଶନରେ ବ୍ୟବସ୍ଥା ସଭାରେ ପ୍ରକାଶ କରିବା ସମ୍ପର୍କରେ ମତଭେଦ ହୋଇ ପରିବର୍ତ୍ତନବାଦୀ ନେତା ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱରାଜ ଦଳ ଗଢ଼ିଲେ ୧୯୨୩ ମସିହା ଶେଷ ଆଡ଼କୁ । ଓଡ଼ିଶାକୁ ସ୍ୱରାଜ ଦଳ ପକ୍ଷରୁ କେନ୍ଦ୍ର ବ୍ୟବସ୍ଥା ସଭାକୁ ଭୁବନାନନ୍ଦ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସ ଓ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦରୁ ଓଡ଼ିଶାକୁ ପଣ୍ଡିତ ଗୋଦାବରୀଶ ମିଶ୍ର, ଜଗବନ୍ଧୁ ସିଂହ, ରାଧା ରଞ୍ଜନ ଦାସ ଓ ଭାଗବତ ମହାପାତ୍ର ନିର୍ବାଚିତ ହୋଇଥିଲା । ୧୯୨୩ ମସିହାରେ ଓଡ଼ିଶାରୁ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦକୁ ପଣ୍ଡିତ ଗୋଦାବରୀଶ ମିଶ୍ର, ନନ୍ଦକିଶୋର ଦାସ, ନାରାୟଣ ବୀରବର ସାମନ୍ତ ଓ ହରେକୃଷ୍ଣ ମହତାବ ପ୍ରମୁଖ ନିର୍ବାଚିତ ହୋଇଥିଲେ ।
