ଗଳ୍ପ

ବୀରେଇ ବିଶାଳ

Byaasakabi Fakir Mohan Senapati's odia story Beerei Bishaal

ଆଈ ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢ଼ା ବରକୁ ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁ ପଡ଼ିବି ।

ବୀରେଇ ବିଶାଳ

-: ପୂର୍ବରୁ :-

ଆହୁରି ପାଞ୍ଚବର୍ଷ ଗଲାଣି । ବୀରେଇର ଉଛୁଣିକା ବୟସ ତିରିଶ ଭିତରେ, ବିଭା ହେବା ଭଳି ଟଙ୍କା ଜମି ଗଲାଣି ବୋଲି ମନରେ ଠିକ୍ କଲା । ବିଭା ପାଇଁ ସଜ ହେଲା ହେଲେ ସେ କ’ଣ ଆପେ କନ୍ୟା ଖୋଜିଯିବ । ପୁରୋହିତ ଭୀମେଇ ମିଶ୍ରଙ୍କୁ ମଧ୍ୟସ୍ଥ କଲା । ମିଶ୍ରେ ଚାରିଆଡ଼େ ଢେର୍ ଆଖି ଫେରାଇଲେ । ବୀରେଇ ଦିନେ ମିଶ୍ରଙ୍କୁ କମଳୀ କଥା ଈଶାରାରେ କହିଲା । ରାଘବ ପାତ୍ରର ସାନ ଝିଅର ନାମ କମଳୀ, କନ୍ୟାଟି ବେଶ ଡୌଲ, ଲାଜକୁଳୀ, ଦିନ ରାତି ଘର କାମରେ ଲାଗିଥାଏ, ବାପର ଢେର ସେବା କରେ । ଗାଁ ମାଇକିନିଆମାନେ ତାହାର ଢେର ପ୍ରଶଂସା କରନ୍ତି । ବୀରେଇ ପିଲାଦିନରୁ କମଳୀକୁ ବଡ଼ ଭଲ ପାଏ । ରୋଜ ଦୁଇଓଳି ବିଲକୁ ଯିବା ଆସିବା ବେଳେ କନ୍ୟାଟିକୁ ଚାହିଁ ଚାହିଁ ଦେଖେ । ବୀରେଇ ବିଲ ବାହୁଡ଼ା ବେଳେ କମଳୀ କଳସୀଟିଏ କାଖେଇ ପାଣି ଆଣି ଯାଉଥିବାର ଦେଖେ । କମଳୀର ଠିକ୍ ସେଇଟା ପାଣିଅଣା ବେଳ, ଘରେ ମାଠିଆରେ ପାଣି ଥିଲେ ବି ସେ ପାଣିଗୁଡ଼ାକ ନାଳରେ ଢାଳିଦେଇ କଳସୀ କାଖେଇ ବାହାରି ପଡ଼େ । ଚାରିଆଡ଼କୁ ଚାହେଁ, କେହି କୁଆଡ଼େ ନ ଥିଲେ କଣେଇ କଣେଇ ବୀରେଇକୁ ଦେଖୁଥାଏ ।

ପାଞ୍ଜିରୁ ଭଲ ଦିନଟିଏ ଦେଖି ମିଶ୍ରେ ରାଘବ ପାତ୍ରଙ୍କ ପାଖରେ ପହଞ୍ଚିଲେ । ପାତ୍ର ବୋଧ କରୁ କିଛି ଗନ୍ଧ ପାଇ ଗଲେଣି । ଅଖାପାଲ ଖଣ୍ଡେ ପାରି ଦେଇ ମିଶ୍ରଙ୍କୁ ବହୁ ଆଦର ସମ୍ମାନରେ ବସାଇଲେ । ନାସ ଶୁଙ୍ଗାଶୁଙ୍ଗି ଦୁଃଖ ସୁଖ ଚାରି ପଦ ହୋଇଗଲା ଉତ୍ତାରେ ମୂଳକଥା ଆରମ୍ଭ ହେଲା ।

ମିଶ୍ରେ କହିଲେ, “ପାତ୍ରେ ! ତୁମ କମଳୀଟିକୁ ବୀରେଇକୁ ଦେଲେ ଭଲ ହୁଅନ୍ତା ନାହିଁ ?”

ପାତ୍ରେ- “ହେଉ ହେଉ, ମୋର ମନା ନାହିଁ ।”

ମିଶ୍ରେ- “ପାତ୍ରଟି ବଡ଼ ଭଲ, ଖୁବ୍ ଦୁଃଖସୁଖିଆ ।”

ପାତ୍ରେ- “ହେଉ ହେଉ, ମୋର ମନା ନାହିଁ ।”

ମିଶ୍ରେ- “ଝିଅଟି ଖୁବ୍ ସୁଖରେ ରହିବ ।”

ପାତ୍ରେ- “ହେଉ ହେଉ, ମୋର ମନା ନାହିଁ ।”

ମିଶ୍ରେ- “ତେବେ ଖର୍ଚ୍ଚପତ୍ର କଥା !”

ପାତ୍ରେ- “ହଁ ହଁ, ସେହି ଅସଲ କଥାଟା ଆଗେ ହେଉ । ମୁଁ ସାଫ କହି ଦେଉଛି, କନ୍ୟାସୁନା, ନଗଦ ହଜାରେ ଟଙ୍କା, ଏଥିରୁ ପଇସାଏ ମଷାଏ କଡ଼ାଏ ଊଣା ଅଧିକ ନାହିଁ, ବୁଝିଲେ ମିଶ୍ରେ । ମୁଁ ନ’ଛ ଜାଣେ ନାହିଁ, ଯାହା କହିବାର ସଫା କହିଦିଏ”, ଏ କ’ଣ କହୁଛନ୍ତି ମିଶ୍ରେ ?

ମିଶ୍ରେ ଟିକିଏ ଗୁମ୍ ଖାଇ କହିଲେ, “ଟିକିଏ ବୁଝିସୁଝି ବୋଲନ୍ତୁ, ବୀରେଇ ବିଚରା ଏତେ ଦେଇ ପାରିବ କିଆଁ ? ସେ ପାଞ୍ଚଶହ ତକ ଯାଇପାରେ ।”

ପାତ୍ରେ ଟିକିଏ ତେଜରେ କହିଲେ, “ମୋର ଆଉ ଦୁଇ କନ୍ୟା ସକାଶେ ରୋକଠୋକ ଦୁଇ ହଜାର ପାଇଛି, ସେଇଟା ତ ତୁମ ଆଗର କଥା ଫେର ଏପରି ଅନ୍ୟାୟ କଥା କିଆଁ କହୁଛ ?”

ମିଶ୍ରେ କହିଲେ, “ସେ କଥା ଏ କଥା ଢେର୍ ତଫାତ୍ । ସେ ବର ଯୋଡ଼ାକର ବୟସ ଷାଠିଏ ଷାଠିଏ ହୋଇଥିଲା, ଦୁହେଁଯାକ ଥିଲେ ଦୋଜବର । କନ୍ୟା ଯୋଡ଼ିକ ରାଣ୍ଡ ହୋଇ କିପରି ଦୁଃଖରେ ଅଛନ୍ତି, ଦେଖୁ ନାହାନ୍ତି । ଏଣେ ଦେଖନ୍ତୁ, ବୀରେଇ କାଲିକା ପିଲା ।”

ପାତ୍ର ଖପାଟା ହୋଇ କହିଲେ, “ହଇ ହେ ମିଶ୍ରେ ! ତୁମେ ପାଠୁଆ ଲୋକଟା ହୋଇ ଏପରି ଅନ୍ୟାୟ କଥା କିମିତି କହିଲ ହେ ? ଆରେ ସେମାନଙ୍କ କପାଳରେ ଥିଲା, ରାଣ୍ଡ ହେଲେ । ମୁଁ କ’ଣ କହି ଦେଇଥିଲି, ରାଣ୍ଡ ହୁଅ । ବାପ ଜନ୍ମ ଦେଇଛି ବୋଲି କ’ଣ କର୍ମ ଦେଇଛି ?”

ମିଶ୍ରେ- “ଯାଉ ସେ କଥା, ଆପଣଙ୍କ ସାଙ୍ଗରେ ବୋଲାବୋଲି କରିବି କ’ଣ ? ଆପଣ ଛେଉଣ୍ଡଟିକୁ ଟିକିଏ ଦୟା କରନ୍ତୁ, ସେହି ପାଞ୍ଚଶରେ ମଙ୍ଗିଯାନ୍ତୁ ।”

ପାତ୍ରେ- “ହକ୍ ବେବହାରରେ ଦୟା ମାୟା କ’ଣ ମିଶ୍ରେ ? ହଁ, ଆଉ ଗୋଟାଏ କଥା ବୁଝ, ମୋର ଆର ଦି’ଝିଅଙ୍କର ୯ ବର୍ଷ ଲେଖାଏଁ ହୋଇଥିଲା, ଏ ତ ଚଉଦ ବର୍ଷର ଝିଅ, ଯିମିତି ଯିବ, ଈଶାଣରେ ପଶିବ । ଆମ ପନ୍ଥାରେ ଏଡ଼େ ବଡ଼ କନ୍ୟା କାହିଁ ? ୟା’ ପିଛେ ଭାତ ଲୁଗାରେ କେତେ ଟଙ୍କା ସାରିଲିଣି । ପାଞ୍ଚଶ କହୁଛ- ଶିବପୁରର ବୀନୁ ପରିଡ଼ା ଓ ଗୋବିନ୍ଦପୁରର ଶାମ ମହାପାତ୍ର ଟଙ୍କା-ଥଳୀ ଧରି ମାସକୁ ତା’ ଦୁଆରେ ବସି ଗଲେ, ତେତେବେଳେ ପାଞ୍ଚଶରେ ନ ଦେଇ ଏବେ ଦେବି କିଆଁ ? ଆଉ ଗୁଡ଼ାଏ ବଜର ବଜର କର ନା ମିଶ୍ରେ । ହଜାରେ ହେଲା ତ ବସ, ନୋହିଲେ ସିଧା ଦାଣ୍ଡ ପଡ଼ିଛି ।”

କମଳୀ କବାଟ କଣରେ ବସି ସବୁ କଥା ଶୁଣୁଥିଲା । ସେ ଏତେବେଳେ ସବୁ କଥା ବୁଝିଲାଣି, ଭଉଣୀମାନଙ୍କ ଅବସ୍ଥା ଆଖିରେ ଦେଖୁଛି, ଆଉ ଜଣାଯାଏ, ବୀରେଇକୁ ବଡ଼ ଭଲ ପାଏ । ଟଙ୍କା ଦରଦାମ୍ ନ ପଟିବାରୁ ମିଶ୍ରେ ଉଠିଗଲେ । କମଳୀ ତୁନି ତୁନି ଢେର କାନ୍ଦିଲା । ଦୁଇ ତିନିଦିନ ହେଲା ଖିଆପିଆ ଛାଡ଼ିଲାଣି, କେବଳ କାନ୍ଦୁଛି । ମା’ ନାହିଁ, ତା’ ମନ କଥା ବା କିଏ ବୁଝୁଛି ? ଶେଷରେ ଖୁବ୍ ଗୋଟାଏ ହେମତ ବାନ୍ଧିଲା । ଗାଁର ଲେଖାଯୋଖା ଅପି ଆଈକୁ ଧରିଲା । ମନର କଥା ଫିଟାଇ କହିଲା, “ଆଈ ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢ଼ା ବରକୁ ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁ ପଡ଼ିବି ।” ଅପି ଆଈ ଆସି ରାଘବ ପାତ୍ରଙ୍କୁ କମଳୀ କଥା କହିବାରୁ ପାତ୍ରେ ଖୁବ୍ ଗୋଟାଏ ଖପା ହୋଇ ଝିଅକୁ ଢେର୍ ଗାଳି ଦେଲେ । ମୁଁ ତୋତେ ଚଉଦ ବରଷ କାଳ ଖୁଆଇ ପିଆଇ ବଢ଼ାଇଲି- ଆଜି କ’ଣ ନା ପାଣିକି ଡେଇଁ ପଡ଼ିବୁ ? ମର, ଦେଖେ ଭଲା କିମିତି ମରିବୁ ? ଚଉଦ ବରଷକାଳ ଖାଇଛୁ ପିଇଛୁ, ଭାତ ଲୁଗା ଦାମ ପାଞ୍ଚଶ ଟଙ୍କା ଗଣି ଥୋ- ତା’ ବାଦେ ମରିବୁ ତ ମର ଯା’ସ ମୋର ମନା ନାହିଁ ।

ପାତ୍ରେ ରାଗ ମୁହଁରେ ଝିଅଟାକୁ ଗାଳିଗୁଲଜ କଲେ ସିନା, ହେଲେ ରାତିରେ ବସି ଢେର୍ ଚିନ୍ତା କଲେ । ଝିଅଟାର ଖିଆପିଆ ନାହିଁ, ମଲାଟା ପରି ପଡ଼ିଛି । ସତକୁ ସତ ମନ ଦୁଃଖରେ ଯେବେ ବୁଡ଼ି ମରିବ, ତେବେ ମୂଳ ବୁଡ଼ିବ ସିନା । ଖୁବ୍ ଆଖି ଫେରାଇ ଦେଖିଲେ, ଜାତି ଭିତରେ ଦୋଜବର ବା ଅଭିଆଡ଼ା କେହି ନାହିଁ । ଏଣିକି ଝିଅଟାକୁ ପୋଷିବା ଖର୍ଚ୍ଚାନ୍ତ କଥା । ତହିଁ ଆରଦିନ ସକାଳେ ମିଶ୍ରଙ୍କୁ ଡାକି ପଠାଇଲେ । ଆଜି ପାତ୍ରଙ୍କ କଥା ଖୁବ୍ କଅଁଳ ସାକୁଲା ସାକୁଲି ଭଳି । ଦୁଇଜଣ ବସି ଦରଦାମ ଠିକ୍ କରି ନେଲେ । ସାତଶ ଟଙ୍କାରେ କଥା ଛିଡ଼ିଲା । ବର୍ତ୍ତମାନ ଗାଁ ପାଞ୍ଚ ଭଲଲୋକ ଆଗରେ ବୀରେଇ ଦେବ ଦୁଇଶ’ ଟଙ୍କା, ବାକି ପାଞ୍ଚଶ’ ବେଦିମୁଣ୍ଡରେ ।

ବୀରେଇ ହିସାବ କରି ଦେଖିଲା, କନ୍ୟାସୁନା ପଡ଼ିବ ସାତଶ’, ବିଭା ଖର୍ଚ୍ଚ ତିନିଶ’ରୁ ଊଣା ନୁହେଁ, ଗାଏ ଦୁଇପଦକୁ ହଜାରେ । ଘର ଭିତରେ ପୋତା ପୋତି କରି ଯାହା ରଖିଥିଲା, ଖୋଳାଖୋଳି କରି କାଢ଼ିଲା, ଟଙ୍କା ପଇସା ମିଶାଇ ଟ.୬ ୬-୬ । ମଲା ଯା’, ଆହୁରି ଯେ ଚାରିଶ’ ଲୋଡ଼ା । ଦୁଇଶ’ ଟଙ୍କା ଘରୁ କାଢ଼ି ଦେଲାଣି, ବିଭା ବନ୍ଦ କଲେ ସେ ଦୁଇଶ’ର ଆଶା ଛାଡ଼ିବାକୁ ହେବ । ହେଉ, ପଛନ୍ତେ ବୁଝାବୁଝି । ଘରେ ବିହନ ଭାଗ ରଖି ଧାନ ସବୁ ବିକି ଦେଲା । ତୁଚ୍ଛା ହଳିଆ ବଳଦ ହଳେ ରଖି ଗୋରୁଗୁଡ଼ାକ ବିକି ପକାଇଲା ।

ଆଜି ବିଭା ଦିନ । ବାଜା ପାଲିଙ୍କି କରି ବୀରେଇ ସଞ୍ଜବେଳେ ଶଶୁର ଦୁଆରେ ହାଜର । ବର ପାଲିଙ୍କିରେ ବସିଛି, ପାତ୍ରେ ପିଣ୍ଡାରେ ବସି ନାସ ଶୁଙ୍ଗୁଥିଲେ । ଘଡ଼ିଏ ବିତିଗଲା, ପୁରୋହିତ ତିନି ଚାରି ଥର ଡାକିଲେଣି, ଆସ ପାତ୍ରେ ! ବରକୁ ବାଟବରଣ କରିନିଅ । ପାତ୍ରଙ୍କ ମୁହଁରେ କଥା ନାହିଁ । ବୁଦ୍ଧିଆ ମିଶ୍ରେ କଥାଟା ବୁଝିଗଲେ, କହିଲେ, “ପାତ୍ରେ ! ବୀରେଇ ହାତରେ ଟଙ୍କା, ବାଟବରଣ କରି ଘରକୁ ଆଣ, ଟଙ୍କା ଗଣିଦେବ ।” ପାତ୍ରେ ଧଡ଼ପଡ଼ ହୋଇ ଉଠି ବରକୁ ବାଟବରଣ କରିନେଲେ । ଟଙ୍କା ଗଣାଗଣି ପରଖା ପରଖିରେ ଘଡ଼ିଏ ବିତିଗଲା । ମଲା ଯା’ । ଛଟା ଟଙ୍କା ପଡ଼ିଲା ଭେଣ୍ଡି । ଗାଁ ଲୋକେ ଢେର୍ କୁହାବୋଲା କଲେ, ଜାମିନ୍ ହେଲେ- ବର୍ତ୍ତମାନ ଶୁଭ କାର୍ଯ୍ୟଟା ସମାଧାନ ହୋଇଯାଉ, କାଲି ଟଙ୍କା ବଦଳା ବଦଳି ହେବ । ପାତ୍ରେ ଠୁଳରେ ବସିଲେ ନାହିଁ । ବୀରେଇର ଆଉ ବାଟ ନାହିଁ, ସେହିଠାରେ ବରବେଶରେ ବସି ଘରର ପଲାଣ ପାଣ୍ଠି ହଳ ସରଞ୍ଜାମ ସବୁ ଗାଁର ମଧୁମହାନ୍ତିଙ୍କୁ ଛ’ଟଙ୍କାରେ ବିକି ଦେଲା । କୁଆ କା’ କରିବାକୁ ହାତ ଗଣ୍ଠି ଫିଟିଲା । ପାତ୍ରେ ବର ବିଦା କରିବା ପାଇଁ ଦାଣ୍ଡ ଦୁଆରେ ଲହର ପହର ହେଉଛନ୍ତି, ଘରେ ପଶିବାକୁ ନାହିଁ, ଯଦି ବେଳ ଉଛୁର ହୋଇଯାଏ, ବାଜାବାଲା ବେହେରା ଜଳଖିଆ ମାଗିବେ ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top