ଗଳ୍ପ

ଏବଂ ଅବଶିଷ୍ଟ

Mahasweta Sahoo's odia story Ebn Abashishta

ତା’ ବୋଉ ମାଗି ଆଣିଥିଲା କଂସାଏ ପଖାଳ । ପୋଡ଼ାଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି’କୋଲା ଦେଇ । ଦେଇଥିଲା ସୋରିଷ ତେଲ ବେଶୀ କରି ।

ଏବଂ ଅବଶିଷ୍ଟ

-: ପୂର୍ବରୁ :-

କମଳା ପାଇଁ ଗାଁ ଠାକୁରାଣୀଙ୍କ ପାଖରେ ହୋମ କରାଯାଇଥିଲା । କମଳା ରାଉ ରାଉ ହୋଇ ବିକଳ ଭାବେ ଚିତ୍କାର କରୁଥିଲା- “ମୋ ଦେହ ହାତ ସବୁ ଜଳିଯାଉଛି. . . ମୋତେ ହଳଦି ପାଣିରେ ଗାଧେଇ ଦିଅ. . . ମୁଁ ଅପବିତ୍ର ଅଛି . . . ମୋତେ ଗାଧେଇ ଦିଅ. . . ମୋତେ ପବିତ୍ର କରା. . .” କହି ହଠାତ୍ ଧାଇଁ ଧାଇଁ ପୋଖରୀ ଭିତରକୁ ଡେଇଁ ପଡ଼ିଲା କମଳା । ଦେହରେ ତା’ର ଶକ୍ତି କାହିଁ । ଦୁର୍ବଳତାରେ ଆଉ ପାଣିରୁ ଉଠିପାରିଲା ନାହିଁ । ତାକୁ ପାଣିରୁ ଛଣା ହୋଇ ଅଣାଗଲା ।

କମଳା ଶେଥା ପଡ଼ିଥିଲା- ଶାନ୍ତ ଦିଶୁଥିଲା । ତା’ର ଓଦା ଦେହକୁ ପୋଛିଲା ବେଳେ କହିଥିଲା ଭଲମଣିଷ ପରି ତା’ ବୋଉକୁ, ମୁଁ ମୁଠେ ଭାତ ଖାଇବି, ଭାରି ଭୋକ ହଉଚି । ତା’ ବୋଉ ମାଗି ଆଣିଥିଲା କଂସାଏ ପଖାଳ । ପୋଡ଼ାଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି’କୋଲା ଦେଇ । ଦେଇଥିଲା ସୋରିଷ ତେଲ ବେଶୀ କରି । ପଖାଳ ବଢ଼ିଚୁରା ଆଳୁ ପୋଡ଼ାର ଭର୍ତ୍ତା କମଳାର ପ୍ରିୟ ।

କମଳା ଖାଇଲା- ମାଗିଲା ଆହୁରି ଭାତ । ସତେକି ସେ ଅନାହାରରେ ଥିଲା ବର୍ଷ ବର୍ଷ । ଖାଇଲା ତିନିକଂସା ଭାତ-ଚାରିଟା ଆଳୁର ଭର୍ତ୍ତା । ଆଉ ବିନା ହାତ ଧୁଆରେ ଟଳିପଡ଼ିଲା ଅଇଁଠା କଂସା ପାଖରେ- ମୋତେ ନିଦ ମାଡୁଛି କହି । ତା’ ବୋଉ ଉଠାଇ ନେଇଥିଲା ଅଇଁଠା ବାସନତକ । ତା’ ହାତ ଧୁଆଇ ଦେଇଥିଲା । ପାରିଥିଲା ହେଂସ ଦାଣ୍ଡ ଦୁଆରେ ।

କମଳା ଶୋଇଲା- ଉଠିଲା ନାହିଁ ଢେର୍ ରାତିଯାଏ । ଶୋଇପଡୁ- କାଳେ ମନ ଶାନ୍ତ ହୋଇଯିବ । ଗୋଟେ ଆଶାର କ୍ଷୀଣ ଆଶ୍ରା ଯେମିତି ମନରେ ତିଆରି ହେଉଥିଲା ।

ଭଲ ପିଲାଟା- କଲେଜ ଯାଇଥିଲା, ସେଦିନ ଫେରି ଗୋଡ଼ହାତ ଧୋଇଥିଲା । ଆଖି ଫୁଲି ନାଲି ପଡ଼ିଥିଲା । କମଳାର ବୋଉ ପଚାରିଥିଲା- “କ’ଣ ହୋଇଚି ? ତୋ ଆଖି କାହିଁକି ଲାଲ୍ ପଡ଼ିଚି ?”

କମଳା ଉତ୍ତର ଫେରାଇ ନଥିଲା । ସବୁଦିନେ ତ ସେ ଏମିତି । କଷ୍ଟ ପାଇଲେ ବି ଚାପିଦେବ ତା’ ଛାତି ତଳେ । ଝରୁଥିବ ରକ୍ତ, ନିଜେ ବାନ୍ଧିପକାଇବ ପଟି କେହି ଜାଣିବେନି, କେହି ଦେଖିବେନି, ଜ୍ୱର ହୋଇଥିବ କାମ କରୁଥିବ, ନ ପଡ଼ିବା ଯାଏ ଶେଯରେ ପଥର କରିଦେବ ଦେହ, ପଥର କରିଦେବ ମନ ।

କମଳାକୁ ସେଇଦିନ ରାତିରେ ହିଁ ଜ୍ୱର ହେଲା । ଭୀଷଣ ଜ୍ୱର । ସେ ଜ୍ୱର ଭିତରେ ବି ଦି’ଥର ଦେହ ଜଳି ଯାଉଚି କହି ସେ ଦେହରେ ପାଣି ଢାଳି ହୋଇ ପଡ଼ିଲା । ତା’ ବୋଉ ତା’ର ଖଇଫୁଟା ଜ୍ୱର ଦେହରେ ହାତ ବୁଲାଇ ଆଣି ପଚାରିଥିଲା- “କ’ଣ ହୋଇଚି ତୋର ଲୋ’ ମା’. . . ମୋତେ କହ. . . । କି ଦୁଃଖ ଅଛି ତୋ ମନରେ. . . ।”

କମଳା କିଛି କହିଲା ନାହିଁ । କଳା ପଡ଼ିଯାଇଥିବା ମୁହଁଟିକୁ ଅଧା ଉଠାଇ ଅନାଇଲା ତା’ ବୋଉକୁ । ହସିଲା ଗୋଟେ ଦୟନୀୟ ଶୁଷ୍କ ରୋଗଣା ହସ । କହିଲା ନୀଚ୍ଚ କଣ୍ଠରେ- “ମୋର କ’ଣ ହେବ ?? ମୁଁ ତ ଠାକୁରାଣୀ ଦୁର୍ଗା. . . ମୋତେ କିଏ ନଷ୍ଟ କରିବ ? ମୁଁ ଧ୍ୱଂସ କରିଦେବି ସବୁ ପାପ । ମୁଁ ପାପନାଶିନୀ ମା’ ଦୁର୍ଗା । ମୁଁ ପୂଜାପାଇନି. . . ମୋତେ ପୂଜାକର । ମୋତେ କଷ୍ଟ ହଉଚି । ମୋତେ ଶୋଇବାକୁ ଦେ. . . ।” ଧଇଁସଇଁ ହୋଇ ଶୋଇପଡ଼ିଲା ପୁଣି ହେଂସରେ କମଳା ।

ଏଇ ଘଟଣା ଢେର ଆଲୋଡ଼ନ ସୃଷ୍ଟି କଲା ଗାଁ ଗାଁରେ । ଗାଁରୁ- ଖବରକାଗଜ ଯାଏ ବ୍ୟାପ୍ତ ହେଲା ଖବର । କେଇଦିନ ଚର୍ଚ୍ଚାରେ ଚର୍ଚ୍ଚାରେ ଲୋକେ ଧାଉଁଥିଲେ କମଳାକୁ ଦେଖିବାକୁ । ଏଇ ଘଟଣା ନିତିଦିନିଆ ହୋଇଗଲା । ମାସେରୁ ଊର୍ଦ୍ଧ୍ଵ ହୋଇଯାଇଥିଲା କମଳାର କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ତା’ ବୋଉ ତା’ ନାରେ ପାଣି ଛଡ଼ାଇ ଦେଲା ମହାଦେବ ମନ୍ଦିରରେ । ଯାହା ତା’ ଭାଗ୍ୟରେ ଥିବ. . . ।

ଆଜିକାଲି କମଳାଘର ଆଡ଼େ କେହି ମଧ୍ୟ ଯିବାକୁ ଡରନ୍ତି । ପୁରୁଷ ଲୋକକୁ ଦେଖିଲେ କମଳା ମାରି ଗୋଡ଼ାଏ । କାହା ସହ କଥା ହୁଏନି, କାହା ଘରକୁ ଯାଏନି । ଗୋଟିଏ କୋଣରେ ପଡ଼ିରହେ ଜାକିଜୁକି ହୋଇ, ମେଞ୍ଚାଏ ମାଟିଗଦା ପରି । ତା’ ବାପା ତାକୁ ଆଡ଼ ଆଡ଼ ହୋଇ ରହନ୍ତି ।

ଗୋଟେ ଦିନ ସକାଳୁ ସକାଳୁ ପିନୁ ପହଞ୍ଚିଥିଲା କମଳା ପାଖରେ । କମଳାର ପ୍ରିୟ ସାଙ୍ଗ – ଖରାଛୁଟିରେ ସେ ଯାଇଥିଲା ତା’ ମାମୁଁଘର । କମଳା ବୋଉ ଗୋବର ଘସି ପାରୁଥିଲା ତାଙ୍କ ବାଡ଼କଡ଼ରେ । କମଳା ବସିଥିଲା ଦାଣ୍ଡ ଦୁଆରେ – ପିନୁ ଧାଇଁଯାଇ ତାକୁ କୁଣ୍ଢାଇ ପକାଇଥିଲା । କମଳା ଅଚିହ୍ନା ପରି ବାରି ହୋଇ ଆଡ଼େଇ ଦେଲା ପିନୁକୁ । ପିନୁ କାନ୍ଦି ଉଠିଲା ଭେଁ ଭେଁ କରି । କ’ଣ ଚିନ୍ତା କଲା ପରି କମଳାକୁ ଦେଖି ତା ବୋଉ ପାଖରେ ଠିକା ହେଲା ପିନୁ – କିଛି କହିବା ପାଇଁ ।

କ’ଣ କହିବୁ ପିନୁ ? ଦେଖୁଚୁ ତ ତା’ ହାଲ୍ । ପିନୁ କହିଲା ଗଲା କିଛିଦିନ ତଳେ ଘଟିଥିବା ସାରା ବୃତ୍ତାନ୍ତ ।

କମଳାକୁ ରାଜୀବ କଲେଜର ପ୍ରଥମ ଦିନରୁ ହିଁ ହଇରାଣ କରୁଥିଲା । ସେ ତାଙ୍କ କଲେଜର ଶେଷବର୍ଷ ଛାତ୍ର । ତା’ର ସାଇକେଲ୍‌ରୁ ଥରେ ପମ୍ପ କାଢ଼ି ଦେଇଥିଲା, ଥରେ କମନ୍‌ରୁମ୍‌ରେ ଚ୍ୟାଲେଞ୍ଜ କରି ଗେଲ ମଧ୍ୟ କରିଥିଲା । କମଳା ରାଗରେ ତାକୁ ଜୋତା ଫୋପାଡ଼ିଥିଲା । କ’ଣ କିଛି ମଧ୍ୟ କହିନି କମଳା । କହିଥିଲା ପିନୁ ।

କମଳାବୋଉ ଚକିତ ହୋଇଥିଲେ- କାଇଁ କିଛି ତ କହିନି । ମୁଣ୍ଡରେ ହାତ ଦେଲେ ସେ ।

ଅନେକ କଥା ଲୁଚେଇ ରଖିଛି । କମଳାକୁ ଗଲା ସପ୍ତାହରେ ବହୁତ ଖରାପ ବ୍ୟବହାର କରିଥିଲା, ମଦପିଇ ସେ ଟୋକା । କମଳା ତାକୁ ଛୁରାମାଡ଼ କରିଛି । ସେ ଡାକ୍ତରଖାନାରେ ଗଲା ମାସେ ହେଲା ପଡ଼ିଛି ବୋଲି ଶୁଣିଲି । ଏଇ କମଳା ତୁ କ’ଣ ସତରେ ତାକୁ ଛୁରା ମାରିଥିଲୁ ?

କମଳା ବୋଉ ବିଶ୍ୱାସ କରିପାରୁ ନଥିଲା, ଏ ସବୁ କମଳା କରିଥିବ ବୋଲି । ପ୍ରଥମ କରି ତାଙ୍କୁ ଭୟ ଲାଗିଲା- କମଳାର ଭବିଷ୍ୟତ ନେଇ । କ’ଣ ହେବ ତା’ ଜୀବନ ଏବେ ? ପିନୁ ଅନେକ ସମୟ ଯାଏ ବସିଲା କମଳା ପାଖରେ । କମଳା କୌଣସି କଥାବାର୍ତ୍ତା କଲା ନାହିଁ । ପିନୁକୁ କମଳାବୋଉ ରାଣନିୟମ ଦେଲେ ଏ ସବୁକଥା ଯେମିତି ତାଙ୍କ କଲେଜ୍‌ରେ ନ ଜାଣନ୍ତି କି କେଉଁଠି ସେ ଆଉ ନ କୁହେ । ପିନୁ ଅସହାୟ ଭାବେ ହସି କହିଥିଲା, “କମଳା ଖାଲି ମୋ ସାଙ୍ଗ ନୁହେଁ, ମୋ ଆଦର୍ଶ । ତା’ ପାଇଁ ମୁଁ ପାଠ ପଢୁଚି. . . ମୋ ଉପରେ ବିଶ୍ୱାସ ରଖ ମାଉସୀ ।” ପିନୁ ଚାଲିଯାଇଥିଲା ।

କମଳାକୁ ନେଇ ତା’ ବୋଉର ବ୍ୟସ୍ତତା ଓ ଅସହାୟତା ଖୁବ୍ ବଢ଼ିଯାଇଥିଲା । ତାକୁ ଭଲ କରିବା ଆଶାରେ ଗଦା ଗଦା ଡେଉଁରିଆ, ତାବିଜ ବନ୍ଧା ହୋଇ ରହିଲା କମଳାର ବେକ ଓ ହାତରେ । କମଳା ପାଖରେ ଖାଲି ରହିଯାଇଥିଲା ତା’ର ଡର । କମଳା ତେବେ ଅତ୍ୟଧିକ ଡରକୁଳା ହୋଇ ରହୁଥିଲା ତ, କେବେ ଭୟଙ୍କର କ୍ରୋଧରେ କରୁଥିଲା ତାଣ୍ଡବ । ଲୋକଙ୍କୁ ଦେଖିଲେ ଯାଇ ଲୁଚି ଯାଉଥିଲା ତାଙ୍କ ସିନ୍ଦୁକ ଭିତରେ ନଇଲେ କବାଟକୋଣ ଅବା ଖଟତଳରେ ।

କମଳା ପାଇଁ ଲୋକ ମୁଖରେ ଗୋଟେ ଦୟାଜନିତ ଦୁଃଖଦ ଚୁ ଶବ୍ଦଟେ ହିଁ ରହିଯାଇଥିଲା । ଦଇତାରୀ ସାର୍‌ଙ୍କ ଟ୍ରାନ୍ସଫର୍ ପ୍ରାୟ ବର୍ଷେ ହେବ ହୋଇଯାଇଥିଲା ବଂଇଶୀପାଳ । ସେ କେମିତି ଖବର ପାଇଥିଲେ କେଜାଣି ଆସି ହାଜର । ତାଙ୍କର ଝିଅଟେ ଥିଲା- ବଞ୍ଚିଥିଲେ ହୋଇଥାନ୍ତା ଅବା କମଳା ବୟସର । କମଳା ପ୍ରତି କେମିତି ଗୋଟେ ବାତ୍ସଲ୍ୟ ମମତା ପଣ ତାଙ୍କ ଛାତି ଫଟାଇ ଦେଉଥିଲା କମଳାକୁ ଦେଖିଦେବା ପରେ ।

ବଡ଼ ହୀନିମାନିଆ ଦିଶୁଥିଲା ତାଙ୍କ ପ୍ରିୟଛାତ୍ରୀ । ଅଲରା କହରା ମୁଣ୍ଡରୁ ଉଲୁରି ପଡ଼ିଛି ବାଳ ମୁହଁ ଉପରକୁ । ସେ ଜମା ଆସିଲାନି ପାଖକୁ । ଜାକିଜୁକି ହୋଇ ବସିଲା କବାଟ ସନ୍ଧିରେ । ଅନାଇଲା ଡବଡବ କରି, ଚିହ୍ନିବାକୁ ଚେଷ୍ଟା କଲା ।

କମଳାବୋଉ ମନରେ ସାମାନ୍ୟ ଭୟ ମଧ୍ୟ ଥିଲା । ସେ କହିଲା ସବୁକଥା, କହୁ କହୁ କାନ୍ଦି ଉଠିଲା । କମଳାର ମୁହଁ ରକ୍ତ ନଥିଲା ପରି ଶିଠୁଆ ଦିଶୁଥିଲା । ଗୋଟେ କରୁଣ କଦାକାର ଅସହାୟତା ତାକୁ ଯେମିତି କୋଳାଗ୍ରତ କରିଥିଲା । ଦଇତାରୀ ସାର୍ କମଳାବୋଉର ସବୁ ସତର୍କବାଣୀକୁ ଉପେକ୍ଷା କରି କମଳାର ସିଠୁଆ ହାତକୁ ଧରିଲେ ନିଜ ପାପୁଲି ଭିତରେ- “ମା’. . . ମା’ରେ. . . ଆ’ ପଦାକୁ ଆ’ ।” ଆସ୍ତେ କରି ଅତି ସନ୍ତର୍ପଣରେ ଆଣିଲେ କମଳାକୁ ପଦାକୁ ।

ଅନ୍ଧାରରୁ ଆଲୁଅକୁ ଆସିବାବେଳେ ଯେମିତି ଜାଳୁଜାଳୁ ହୋଇଯାଏ- କମଳା ସେମିତି ଜାକିଜୁକି ହେଲା ।

ଦଇତାରୀ ସାର୍ କହିଲେ, “ଅନା ଆକାଶକୁ. . . ଅନା ଗଛମାନଙ୍କୁ. . . କହ କିମିତି ଲାଗୁଛି ଏ ଦୁନିଆଁ. . . ।” କମଳା ଅନାଇଲା ଆକାଶକୁ, ଅନେଇଲା ଗଛମାନଙ୍କୁ, ଆଉ ଚାରିଆଡ଼କୁ ନିରିଖେଇ ନିରିଖେଇ ସତେକି ପ୍ରଥମ କରି ଦୁନିଆଁ ଦେଖୁଛି. . . । ନିଜେ ନିଜେ କହି ଉଠିଲା- “ଆକାଶ ନୀଳ ! ଗଛ ସବୁଜ. . . ସବୁ ସୁନ୍ଦର. . . ତା’ପରେ ଠୋ’ ଠୋ’ ହସ କ୍ରମଶଃ ବିବର୍ତ୍ତିତ ହେଲା ଗୋଟେ କାନ୍ଦଣାକୁ ।”

କମଳାକୁ ମନାଇପାରିଥିଲେ ଦଇତାରୀସାର୍, ତାକୁ ତାଙ୍କ ଘରକୁ ବୁଲାଇ ନେବେ କହି ଡାକ୍ତରଖାନା ପାଇଁ ପ୍ରସ୍ତୁତ କରାଇଥିଲେ । କମଳା ବିନା ଦ୍ୱିଧାରେ ବାହାରିଥିଲା ତା’ର ପସନ୍ଦ ଚୁଡ଼ିଦାର ପିନ୍ଧି । ପଛେ ପଛେ ତା’ ବୋଉ ।

ଢେର୍ କେଇଦିନ ମାନସିକ ରୋଗ ୱାର୍ଡରେ କମଳାର ଚିକିତ୍ସା ହେଲା । ସେଇ ଦିନମାନଙ୍କରେ ଦଇତାରୀସାର୍ ଛୁଟିରେ ରହିଲେ । ତା’ ବୋଉ ଆଜିକାଲି କାନ୍ଦୁନଥିଲା । ଗୋଟେ ଆଶାର ଅପେକ୍ଷାରେ ଥିଲା ତା’ ଆଖି ।

ଦଇତାରୀସାର୍ ଅନେଇଲେ କମଳା ୱାର୍ଡରେ ଥିବା କୃଷ୍ଣଚୂଡ଼ା ଗଛକୁ । ଫୁଲରେ ଭର୍ତ୍ତି ହୋଇଯାଇଛି ଗଛ । କେତେ ଚଢ଼େଇ କିଚିରିମିଚିରି ଶବ୍ଦ କରୁଥିଲେ । ତାଙ୍କ ମନରେ ଗୋଟେ ପ୍ରତ୍ୟୟ ତିଆରି କରୁଥିଲେ- କମଳା ଶୀଘ୍ର ଭଲ ହୋଇଯିବ । ସେ ମଧ୍ୟ ଏମିତି କିଚିରିମିଚିରି ଶବ୍ଦକାରୀ ଗୋଟେ ଚଢ଼େଇ ପରି ପୁଣି ନାଚିଖେଳି କୁଦିବ ସାଧାରଣ ମଣିଷ ପରି- ପୂର୍ବ ପରି ଗୋଟେ ଉଦାହରଣଟେ ହୋଇ ରହିବ ।

କମଳା ତା’ ବିଛଣାରୁ ଉଠି ପଦାକୁ ଆସିଲା । ଅନେକ ଦିନ ପରେ ଗୋଟେ ମୁଗ୍ଧ ହସଟେ ହସିଲା- ଅନେଇ ଆକାଶକୁ, ମେଘକୁ, ଗଛଙ୍କୁ । କହି ଉଠିଲା ତାଳିମାରି, “ସବୁ ସୁନ୍ଦର- ଏ ପୃଥିବୀ, ଏ ମେଘ, ଏ ଗଛ. . . ସବୁ ସୁନ୍ଦର ନୁହେଁ ସାର୍ ! !”

ଦଇତାରୀ ସାର୍‌ଙ୍କ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା । ସେ ସମ୍ମତି ପ୍ରକାଶ କରି କହିଲେ- “ହଁ ରେ ମା’, ପୃଥିବୀ ନିଶ୍ଚୟ ସୁନ୍ଦର । ଯେଉଁଠି କମଳା ଅଛି କେମିତି ସେ ପୃଥିବୀ ସୁନ୍ଦର ହବନି । ସୁନ୍ଦର ହବାକୁ ବାଧ୍ୟ । ତାଙ୍କର କଣ୍ଠ ରୁଦ୍ଧ ହୋଇଗଲା ଗୋଟେ ଆକୁଳ ଆବେଗରେ ।”

ଲୋକପ୍ରିୟ ଲେଖା

To Top