ସହରଟା ଶୋଇପଡ଼େ ଯେବେ
ମୋ ଗାଁ ମନେ ପଡ଼େ
ବିଲବଣ ଆମ୍ୱତୋଟା
ନୀଳ କଇଁ ଉତ୍ତାଳ ଲହରୀ
କୁଆଁରୀ ଫସଲ ବିଧି ବିଞ୍ଚିଦିଏ
ମୋ ମନରେ ବିଚିତ୍ର କାଉଁରୀ
ତାଳ ବଣ ସରହଦରେ ଜହ୍ନ
ଧାଡ଼ି ଧାଡ଼ି ଗୁଆ ଗଛ
ମୋ ଗାଁର ଅଭିସାର
ପ୍ରୀତିର ପାର୍ବଣ ଝର
ସ୍ନେହ ଶିକୁଳିରେ ବନ୍ଧା
ଆଞ୍ଜୁଳାଏ ସ୍ମୃତିର ସ୍ୱାକ୍ଷର
ମୋ ଗାଁର ମୁକୁଳା ଛାତିରେ
ମୋ ଦୁଃଖର ନିରୀହ ନଦୀଟେ
ଆକସ୍ମାତ୍ ଲୁଚିଯାଏ
ମମତାର ଫଗୁ ମୁଠେ ମୋ ଦେହରେ
ବୋଳି ହୋଇଯାଏ
ମୋ ଗାଁ
ପ୍ରଶାନ୍ତିର କଳସୀରେ
ସଞ୍ଜିବନୀ ଜଳ ଢାଳିଦିଏ
ଅମୃତ ମଣୋହୀ ହୁଏ
ସୁନାଫୁଲ ରୂପାଫୁଲର ନଅରେ
ସରଗର ପରୀଟିଏ
ମତେ ଖାଲି ବାଟବଣା କରେ
ଇପ୍ସିତ ମୁହୂର୍ତ୍ତ ସବୁ
ମତେ ଆସି ଛୁଇଁଯାଏ
ପରିତୃପ୍ତ ନୀଳାଭ ଋତୁର ସ୍ୱପ୍ନ ସବୁ ଦେଇଯାଏ
ମୁଁ ହୁଏ ଉନ୍ମୁକ୍ତା ଶାନ୍ତା ସୁଚିସ୍ମିତା
ପରିଚିତ ଜହ୍ନ ଆଲୁଅରେ ଲେଖିଯାଏ
ମନର କବିତା
ପୁଣି ଥରେ ଇଚ୍ଛା ହୁଏ ଦେଖିବାକୁ
ପୁରନ୍ତା ନଦୀର ଢେଉ
ଆଶ୍ୱିନର ରୂପା ଥାଳି ଜହ୍ନ
ମାର୍ଗଶିର ସକାଳର ଗୁରୁବାର ଚିତା
ସୋରିଷ ଫୁଲର ହସ
ନଈପଠା ଉଠାଣିର ସରୁଚଲା ରାସ୍ତା
ଇଚ୍ଛାହୁଏ ଭିଜିବାକୁ ଫଗୁଣର ଅବିର ଜଳରେ
ଗାଁ ମେଲଣରେ
ଶୁଭ ଟିକେ ମନାସିଯିବାକୁ
ଗ୍ରାମଦେବତୀର ନିରୋଳ ବେଢ଼ାରେ
ଆଜି ଏଠି ଏତେ ଦୂରେ
ମୋ ଗାଁର ଅକ୍ଷାଂଶ ଦ୍ରାଘିମା ଚିହ୍ନିବାକୁ
ଭାରି କଷ୍ଟ
ଭାରି ଅପହଞ୍ଚ ସେ ଗାଁର ରାସ୍ତା
ଖୋଜିବାକୁ ସମୟ ମିଳେନା ସେ ଗାଁର
ଚିତ୍ରିତ ଋତୁକୁ
ସହରରେ କୋଳାହଳ
ମୋ ଗାଁର ମାନଚିତ୍ର ଲୁଚେ
ମୁଁ ଏକାକୀ ପଣ୍ୟ ଦ୍ରବ୍ୟ ପରି
ମୋ ନିଜକୁ ବିକ୍ରି କରେ
ସହରର ବାର୍ ଆଲୁଅରେ ।