ଜାତିର ଧକ୍କା

Godabarisha Mohapatra's odia story Jaatira Dhakkaa

ଅଜାତିଆ ତୋର ପୁଅ ହେବ. . . ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣ ଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା ।

ଜାତିର ଧକ୍କା

-: ପୂର୍ବରୁ :-

ପାତ୍ରପଡ଼ା ଗୋଟିଏ କ୍ଷୁଦ୍ର ପଲ୍ଲୀ । ଘାଇର ହୁଡ଼ା ଉପରେ ଠିଆ ହେଲେ ପାହାଡ଼ ତଳେ ଛୋଟ ଛୋଟ ଯେଉଁ କେତୋଟି ଚାଳଘର ଦେଖାଯାଏ, ସେଠାର ପାଖ ଲୋକେ ସେହି ସ୍ଥାନଟିକୁ ପାତ୍ରପଡ଼ା କହନ୍ତି ।

ଘାଇ ପାଖେ ତ କୁଲି-ଭୋଜି ସରିଲା, ତା’ପରେ ଗାଁ ଭିତରେ ଏକ କୁଡ଼ିଆ ପାଖେ ଏକ ବିଷମ ସମସ୍ୟା ପହଞ୍ଚିଲା । ଭୋଜି ଖାଇସାରି ଚଉଦବର୍ଷର ଭେଣ୍ଡିଆ ନାରସେନା ଯେତେବେଳେ ଯାଇ ପାତ୍ରପଡ଼ା ଗାଁର ଗୋଟିଏ କୁଡ଼ିଆ ପାଖେ ପହଞ୍ଚିଲା, ରାତି ଅଧରେ ଜଗୁଆଳ କୁକୁର ଗର୍ଜି ଉଠିଲା ପରି ଘର ଭିତରୁ ଗର୍ଜନ ଶୁଭିଲା ।

ଦୂର୍ ହୁଅ ଅଜାତିଆ ଦୂର୍ ହୁଅ । ଯା’, ପୁରୀ ଯା’, ଗୋବର ପାଣି ପି’- ତେବେ ଯାଇ ଜାତି ପାଇବୁ । ବାର ହାଡ଼ି, ତେର ଗୋଲା, ପଠାଣ, କିରସ୍ତାନ ସାଙ୍ଗରେ ଖାଇ ଏ ଘରେ ପୁଣି ପାଦ ପକାଇବାକୁ ଆସିଛୁ ।

ନାରସେନାର ପଥର-ବୁହା ମୁଣ୍ଡ ଭିତରେ ଏ କଥା ଗୁଡ଼ାକ ସହଜରେ ପ୍ରବେଶ କଲା ନାହିଁ । ସେ ସତରେ ଆପଣା ଘରକୁ ଆସିଛି କି ଆଉ କେଉଁଠିକି ଆସିଛି, କିଛି ସମୟ ଠିଆ ହୋଇ ଆଗ ଭାବିଲା । ଯେତେବେଳେ ସେ ଆପଣା ଦୁଆର ମୁହଁର ଲେମ୍ବୁରଗଛ, ପଥର ପାହାଚ ସବୁ ଚିହ୍ନିପାରିଲା, ଧୀରେ ଧୀରେ ପାଦଚାଲି ପିଣ୍ଡାରେ ଯାଇ ବସିଲା ।

ସଙ୍ଗେ ସଙ୍ଗେ ଗାଳି ପରେ ଗାଳି ବର୍ଷଣ ହେଲା । ନାରସେନା ଗତ ଦେଢ଼ବର୍ଷ ହେଲା ଆପଣା ଦେହକୁ ପଥର କରି କେତେ ପଥର ବୋହିଛି, ପଥରଠାରୁ କେତେ ଧୈର୍ଯ୍ୟ ଶିକ୍ଷା କରିଛି, ମାତ୍ର ସେତେବେଳର ଗାଳି ତାକୁ ବଡ଼ ବାଧିଲା । ତା’ ମୁଣ୍ଡରେ କେତେ ଚିନ୍ତା ଖେଳିଲା । ଘର ଭିତରକୁ ପାଦ ପକାଇବାକୁ ମନା । ସନ୍ଧ୍ୟାବେଳେ ଥିଲା ଅଧିକାର, ଏଇ କେତେ ଘଣ୍ଟା ଭିତରେ ସେ ଅଧିକାର ଗଲା କୁଆଡେ଼ । ବଣଭୋଜି କି ସମସ୍ତଙ୍କ ଆଖିରେ ଏପରି ଲୁହ ଆଣି ସମସ୍ତଙ୍କୁ ଏପରି ଅଜାତିଆ କରିଦେଲା ।

ଓ ହୋ. . . ନାରସେନାର ବୁକୁ ଫାଟିଗଲା ପରି ଲାଗିଲା । ଅନ୍ଧାର ଭିତରେ ସେ ଜଣକର ଛବି ଦେଖିଲା । ଡାକିଲା-

ମା’ !

ପରମୁହୂର୍ତ୍ତରେ ପିଣ୍ଡାର ସେ ପାଖରେ କାହା ହୃଦୟ ଭିତରେ ଗୁରୁ ଶ୍ୱାସକ୍ରିୟାର ଶବ୍ଦ ଜଣାଗଲା ।

ପୁଣି ଏ ପଚାରିଲା- “ଯିବି ଭାରି । ଏ ଘର କ’ଣ ମୋର ଆଉ ନୁହେଁ ।”

ଉତ୍ତର ପାଇଲା- “ନା, ଅଜାତିଆର ଏ ଘର ନୁହେଁ । ଯା’, ଜାତି ହେଲେ ଆସିବୁ ।”

ନାରସେନାର ତରୁଣ ହୃଦୟ କେବଳ ଦୁଃଖ, ଅଭିମାନ, କ୍ରୋଧରେ କୁହୁଳି ଉଠିଲା । ଅନ୍ଧାର ଭିତରେ ସେ କେତେ କ’ଣ ଭାବିଗଲା । ରାତି ତିନି ପହର- ଏ ଗଭୀର ଅନ୍ଧାର ଭିତରେ ତା’ ଉପରେ କାହାର ଏ ଅଭିଶାପ ପଡ଼ିଲା ।

ଶୂନ୍ୟ ଅନ୍ଧାର, ଶୂନ୍ୟ ଧରଣୀ- ଏ ଭିତରେ ଶୂନ୍ୟ ହୃଦୟଟା ଧରି ନାରସେନା ଧୀରେ ଧୀରେ ପାଦ ଉଠାଇଲା ।

ରୁକ୍ଷଗିରି ପାହାଡ଼ ଉପରେ ଜୀବନ ଆଲୋକ ବିଞ୍ଚିଲା ପରି ପ୍ରଭାତି ତାରା ଯେତେବେଳେ ଦିଗ୍‌ବଳୟର ଅଳ୍ପ ଦୂରରେ ହସି ଉଠି ଘାଇର ପାଣି ଭିତରେ ପ୍ରତିବିମ୍ୱିତ ହେଲା, ସେତିକିବେଳେ ସେହି ଘାଇ ଉପରେ ଜଣେ କିଏ ବର୍ଷୀୟସୀ ନାରୀ ତା’ର ପ୍ରାଣର ନନ୍ଦନକୁ ପ୍ରାଣରେ ପ୍ରତିବିମ୍ୱିତ କରିବାକୁ ଚେଷ୍ଟାକରି କପୋଳ ଦେଶରେ ଘନ ଘନ ଚୁମ୍ୱନ ଦେଇ କହିଲା ।

ବାବୁ ରେ, ଧନ ମୋର. . . କୁଆଡେ଼ ଯିବୁ. . . ?

ପଥରୁଦ୍ଧ ଝରଣାର ଜଳ ହଠାତ୍ ପଥ ପାଇ ଉଛୁଳି ଉଠିଲା ପରି ତାହାରି କୋଳରେ କାହାର କରୁଣ କଣ୍ଠର ସ୍ୱର ଶୁଣାଗଲା ।

ମା’. . . !

ପୁଅ ରାତିରେ ଘର ଛାଡ଼ି ଆସିଲା ପରେ ମାଆ ଯେ କି ଉଦ୍‌ବେଗରେ ବଣଲତା ଭିତରେ ଡାକି ଡାକି ବୁଲୁଛି, ସେ କଥା କେବଳ ସେହି ମାତୃହୃଦୟ ବୁଝିବ । ଶେଷକୁ ପୁଅକୁ ବନ୍ଧ ଉପରେ ନିଦ୍ରିତାବସ୍ଥାରେ ପାଇ ଯାକି ପକାଇ କହିଲା-

“ବାବୁ ମୋର, ଯାଉଛୁ କୁଆଡେ଼ ତୁ ?”

ନାରସେନାର ଚେତା ହେଲା । ଘରୁ ଆସି ସେ ଗଛ ପଥର ପାଣି ପବନ ସମସ୍ତଙ୍କ ଆଗେ ଦୁଃଖ ଜଣାଇଥିଲା, ସମସ୍ତଙ୍କୁ ଉତ୍ତର ପାଇଁ ଡାକିଥିଲା, ମାତ୍ର ମାଆଙ୍କୁ କିଛି କହିପାରି ନଥିଲା । ବାଟ କଡ଼ର ତା’ର ଚିର ପରିଚିତ ସିନ୍ଦୂର ବୋଳା ପଥର ଠାକୁରାଣୀଙ୍କୁ କୁଣ୍ଢାଇ ଡାକିଥିଲା-

“କହ ମା’ ମୋର କି ଜାତି ଗଲା ?” ପଥର ଉତ୍ତର ଦେଇ ନ ଥିଲା ।

ଶେଷରେ ସତରେ ତା’ର ମାଆ ଆସି ଯେତେବେଳେ ତାକୁ ଛୁଇଁଲା, ସେ କହିଲା- “ମୁଁ ଅଜାତିଆ, ମା’ ମୋତେ ଛୁଇଁଲେ ଜାତି ଯିବ ।”

ମାଆ କହିଲା- “ମୋର ଜାତି ଯିବ ? ମୁଁ ପରା ତୋର ମା’. . . !”

ମା’, ମୁଁ ଯିବି ଦୂରକୁ । ମୋର ଘରେ ଆଉ ଥାନ ନାହିଁ ।

ଦୂରକୁ ?

ହଁ, ଦୂରକୁ । ଜାତି ନାଇଁ ମୋର । ଏଠି ମୋତେ କିଏ ଜାତି ପଚାରିଲେ କ’ଣ କହିବି ?

ମାଆ ପୁଅକୁ ଆହୁରି କୋଳକୁ ଟାଣି ଆଣି କହିଲା-

“କହିବୁ ମୋର ପୁଅ ବୋଲି ।”

ଅଜାତିଆ ତୋର ପୁଅ ହେବ. . . ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣ ଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା ।

ସେଥିରୁ ଯେଉଁ ଅମୃତ ଝରୁଥିଲା, ମୁହୂର୍ତ୍ତକେ ତା’ ହୃଦୟଟା ସେଥିରେ ଉଲ୍ଲସି ଉଠିଲା, ମାଆ ଆଉ ଉତ୍ତର ଦେଇପାରିଲା ନାହିଁ । ଅଜସ୍ର ଧାରାରେ ତା’ର ଦୁଇ ଆଖିରୁ ଲୁହର ଝରଣା ଫିଟିଗଲା । ରସୁଲକୋଣ୍ଡାର ସେହି ଘାଇଠାରୁ କେଡେ଼ ଗଭୀର ସେ ଝରଣା । ଖାଲି ଲୁହ- ଖାଲି ଲୁହ- ଓହୋ ସେ ହୃଦୟଟା ଫାଟିଗଲା ପରା ।

ପୁଅ କହିଲା- “ମା’, ଯାଉଚି ଦୂରକୁ ।”

ଚାଲ୍ ଧନ, ମୁଁ ଯିବି. . . ।

ଦିହେଁ ଚାଲିଲେ- ଚାଲିଲେ. . . ଚାଲିଲେ. . . ।

ରାତି ପାହିଲା ମାଟି ବୁହା ହେଲା, ମାତ୍ର ନାରସେନା ଆଉ ତା’ର ମାଆର ଇତିହାସ ସେଦିନ ସେହିଠାରେ ସେତିକିରେ ରହିଲା ।

———————–xx———————-

ଏହି ଘଟଣାର ବହୁ ବର୍ଷ ପରେ- ୧୯୩୪ ମସିହା ଜୁଲାଇ ମାସ ୧୦ ତାରିଖ ସନ୍ଧ୍ୟାବେଳେ ଛତ୍ରପୁର ସହରର ଏକ ଗଳି ଭିତରେ ହଠାତ୍ କଥା ପ୍ରକାଶ ପାଇଲା ଯେ, ରସୁଲକୋଣ୍ଡା ଘାଇ-ଯୁଗର ନାରସେନା ନାଇଡୁ ପୀର୍ ମହମ୍ମଦ ନାମରେ ଏ ପର୍ଯ୍ୟନ୍ତ ମୁଣ୍ଡ ଟେକି ସଂସାରରେ ରହିଛି । – ସେ ଆଉ ଘରକୁ ଫେରି ନାହିଁ, ପୁରୀ ଯାଇ ନାହିଁ, ଗୋବର ପାଣି ପିଇ ନାହିଁ । ଜାତିର ଧକ୍କା ତାକୁ ବହୁଦୂରକୁ ଠେଲି ଦେଇଛି ।

ଲୋକପ୍ରିୟ ଲେଖା

To Top