ଗଳ୍ପ

କିଛି ଗୋଟେ ଘଟିବାର ମୁହୂର୍ତ୍ତ

Laxmidhara Nayak's odia story Kichhi Gote Ghatibaara Muhurtta

ଚାନ୍ଦଲୋ ! ତୋ ମୁହଁଟି ଏଡ଼େ ସୁନ୍ଦର ଯେ. . . ଯେମିତି ପୁନେଇଁ ଜହ୍ନ ସରଗରୁ ଖସି ଆସି. . . ତୋରି ମୁହଁରେ ଲାଖିଯାଇଛି । ପେଟ ପୂରିଯାଉଛି ତୋ ମୁହଁକୁ ଅନେଇ । ରୂପ ତ ଏଡ଼େ ସୁନ୍ଦର. . . ତୁଣ୍ଡ କାହିଁକି ଖର ?

କିଛି ଗୋଟେ ଘଟିବାର ମୁହୂର୍ତ୍ତ

ଜେଜେ କହୁଥାନ୍ତି-

“ଈଷକୁ ଯଦି ପୁରୁଷେ ଉଞ୍ଚାରୁ କମ୍ କରିବ. . . ତ, ଯୁଆଳିରେ ଲଙ୍ଗଳ ଲାଗିଲେ, ବଳଦଙ୍କ ପେଟ ପଛକୁ ରହିବ । ଚାଷୀ କ’ଣ ବଳଦ ଦୁଇଟାଙ୍କ ମଝିରେ ପଶି, ହଳ ବୁଲେଇବ ?”

ସେହିପରି. . . ପାଦରୁ ନିଶଯାଏ ଉଞ୍ଚାରୁ କମ୍ ହେବ ନାହିଁ ଯୁଆଳି ।

ମୁଁ ପଚାରିଲି- “କାହିଁକି ?” ଯୁଆଳିରେ ଯୋଟା ହେଲା ପରେ, ବଳଦଙ୍କ ପେଟକୁ ପେଟ ବାଜିବ । ଲଙ୍ଗଳ ପଶିବ କିପରି ? ଏହିପାଇଁ ଗୋଟେ ହାରାହାରି ମାପ କହିଯାଇଛନ୍ତ ଡାକଋଷି- “ଈଷ ପୁରୁଷେ. . . ଲଙ୍ଗଳ ନିଶେ ।”

ମୁଁ ବହିପତ୍ର ସଜାଡ଼ିବାକୁ ବାହାରିଲି । ପହଞ୍ଚିଯିବ- ପାରଖୁଡ଼ୀ ଝିଅ. . . ଚନ୍ଦିରୀ । ମୁଁ ନ ଗଲେ. . . ସେ ବି ଯିବନି । ସପ୍ତମ ଶ୍ରେଣୀ । ସାର୍ ଦୁହିଁଙ୍କୁ ବିଗିଡ଼ିବେ । କାନ୍ଦିବୁ ତ. . . ସେ ପୋଛିବ ମୋ ଲୁହ. . . ମୁଁ ପୋଛିବି ତା’ ଲୁହ । ଏଇ ମୋ ଜେଜଙ୍କ ପାଇଁ ସବୁଦିନ ଡେରି ।

ଜେଜେ ପଛରୁ ଡାକିଲେ-

“କୁଆଡ଼େ ଯାଉଚୁରେ ରଙ୍ଗା ? ଆଣିଲୁ- ଲଙ୍ଗଳ ଦଉଡ଼ି, ଖାଡ଼ିଯୋତ, ଆଉ ଯୁଆଳି । ଗୁହାଳଘର କେରୀରେ ଅଛି ।”

ମୁଁ କହିଲି- “ଯୁଆଳି ଟେକିପାରିବି ନାହିଁ ଜେଜେ ।”

– ଟେକିପାରିବୁ ନାହିଁ । କେତେ ଓଜନ କି । ଗହ୍ମାରି କାଠରେ ହେଇଚି ପରା । ଏତେ ହାଲୁକା ଯେ. . . ଟିପ ଦୁଇଟାରେ ଆସିବ । . . . ମୋ ସୁନା ନାତି । ଆଣିଲୁ ଆଣିଲୁ. . . ।

ମୁଁ ସେ ସବୁ ପହଞ୍ଚାଇଲି ।

ଜେଜେ କହୁଥାନ୍ତି- “ବଳଦ କାନ୍ଧକୁ ହାଲୁକା ହେବା ପାଇଁ, ଲୋକେ ପୋଲା ବାଉଁଶରେ ବି ଯୁଆଳି କରିଛନ୍ତି । ଯୁଆଳି କାଠ ହାଲୁକା. . . ଲଙ୍ଗଳ କାଠ ଟାଣ . . . ଈଷ ହେଉଛି ଦୁମୁକା. . . କଣ୍ଟିଟା ପୂରା ନରମ ।” ଡାକ ଋଷି କ’ଣ କହିଛନ୍ତି ମନେରଖ୍-

“ଗହ୍ମାରି ଯୁଆଳି. . . ପୁଣ୍ଟିଆ ଈଷ. . .
କଣ୍ଟି କୁରୁମ, ପଣସ ।
ଚନ୍ଦରୀ ପହଞ୍ଚିଗଲା ।
ସ୍କୁଲ୍ ବେଳ ହେଇଗଲାଣି ।
ମୋର ସବୁଦିନ ଡେରିକୁ. . . ତା’ର ସଅଳ ।”
କହିଲି- “ଜେଜେ ! ମୁଁ ଯାଉଛି । ଚନ୍ଦିରୀ ଆସିଲାଣି ।”

– ହେଉ ! ଯିବୁ ତ. . . ସ୍କୁଲ୍ କ’ଣ ପଳେଇ ଯାଉଛି ? ଆଉ ଗୋଟେ ଦୁଇଟା ଚାଷର କଥା ଶୁଣିକି ଯା’ । ମନେରଖିଲେ ସିନା. . . ଭଲ ଚାଷୀ ହେବୁ । ତୁହିନା

. . . ଆମ ଦି’ଜଣଙ୍କର ଆଖିର ତାରା. . . ହାତର ବାଡ଼ି. . . ଜୀବନର ଆଶ୍ରା ।

ଚାନ୍ଦିରୀଟା ମୋ ସାଙ୍ଗ ସିନା. . . ବୁଦ୍ଧିରେ ମୋ’ଠୁ ଆଠଗୁଣା ।

କହିଲା- “ଜେଜେ ମ ! ତମେ ବୁଢ଼ା ହେଲାବେଳକୁ ଯେତେ ଶିଖିସାରିଛ. . . ଅଳ୍ପ ଅଳ୍ପ କହୁନା । ରଙ୍ଗାଭାଇ ମନେରଖିବ । ଏକାବେଳକେ ବେଶୀ କହିଲେ, ତା’ ମୁଣ୍ଡରେ ଜାଗା ଧରିବ ତ । ବୟସ କମ୍‌କୁ ମୁଣ୍ଡ ଛୋଟ, ନା ।”

ଜେଜେ ମୋତେ ଏମିତି ଚାହିଁଲେ. . . ଯେମିତି ମୋତେ ଭଲ କୃଷକଟିଏ ଗଢ଼ିବାର ସ୍ୱପ୍ନ ତାଙ୍କର ଭାଙ୍ଗି ଭାଙ୍ଗିଯାଉଛି ! !

ମୁଁ କହିଲି- “କ’ଣ କୁହ ଜେଜେ ?”

କହିଲେ- “ତୁ ତ ସପ୍ତମ ଯାଏ ଗଲୁଣି, ମୁଁ ଚାଟଶାଳୀ ପାଠ ପଢ଼ିଛି । ହିସାବ କିତାବ ଜାଣିଛି । ଚଷା ପୁଅ ବୋଲି, ଡାକଋଷିଙ୍କ ଖନାବଚନଟିକୁ ମୁହଁରେ ରଖିଛି । ତାକୁ ବିଚାରି ଚାଷ କରୁଛି । ବାପ ଅମଳର ଦି’ମାଣ ସମ୍ପତ୍ତିକୁ ପାଞ୍ଚମାଣ କରିଛି । ଚାଳଘର ବଦଳାଇ ପକ୍କା ଘର ଗଢ଼େଇଛି । ତୁ ପାଠ ପଢ଼ି, ଆଉ କ’ଣଟା ବାକି ଅଛି. . . କରିବୁ ?”

“. . . କ’ଣ କରିବି ବୋଲି ଚାହୁଁଛ ??” ମୁଁ ପଚାରିଲି ।

– ଚାଷ କରିବୁ ! ଧାନ, ମୁଗ, ବିରି, କୋଳଥ, ବାଦାମ, ପୋଟଳ, ବାଇଗଣ, ଲଙ୍କା, ସାରୁ. . . କ’ଣ ହୁଏନା ଆମ ଜମିରେ ! ଅମଳ କରିବୁ । କେତେ ଖାଇବୁ ?? ବିକିବୁ ? ଘରେ ବସି, ତୋ ପିଲାଛୁଆଙ୍କୁ ଦେଖି. . . ଆନନ୍ଦରେ ଚଳିବୁ । ପାଠ ପଢ଼ ମନା ନାହିଁ. . . ପର ଘରେ ମୁଣ୍ଡ ବିକିବୁ ନାହିଁ । ଡାକ ଋଷି କ’ଣ କହିଛନ୍ତି ଜାଣୁ !

“ଚଷିବୁ କାଟିବୁ କୁଟିବୁ. . .
ବାଡ଼ି ବଗିଚାକୁ ହାଟ ସଜେଇବୁ
ଚଉପାଢ଼ି ପରେ ବସିବୁ ।”

. . . ତୁ କାଲି ଚାଲ୍ ମୋ ସାଙ୍ଗରେ ବିଲକୁ । ବଳଦ ଯୋଟିଲାବେଳେ ଶିଖେଇ ଦେବି- ଲଙ୍ଗଳ କେମିତି ଗଭୀର କାଟେ. . . କେମିତି ଲଙ୍ଗଳକୁ ବାନ୍ଧିଲେ, ଟାଣ ମାଟିକୁ ଖୁରୁପାଏ । ଧାନ ବେହୁଡ଼ାଯାଏ କେମିତି. . . ! ଆଳୁ ଚାଷ ଆଉ ବାଦାମ ଚାଷରେ ପ୍ରଭେଦ କ’ଣ ! କାଦୁଅ ହଳ କେଉଁ ଲଙ୍ଗଳରେ ହୁଏ. . . ! ମଇ ପକେଇବୁ କେମିତି ! ଠିଆଚାଷ. . . ରୁଆଚାଷ. . . ଯେତେ ଯାହା ଅଛି, ଆସ୍ତେ ଆସ୍ତେ ସବୁ ମୋଠୁ ଶିଖିଯିବୁ ।

ଚନ୍ଦିରୀ କହିଲା- “ଜେଜେ ! ଯାହା ହେଲେ, ଗୋଟାଏ କରାଅ । ରଙ୍ଗାଭାଇ ପଢୁ . . . ନ ହେଲେ, ଚାଷ କରୁ । ଦି’ଆଡୁ ଶିଖୁ ଶିଖୁ, ନା ତରକାରୀକୁ ହେବ. . . ନା ଭରତାକୁ । କଇଁଥା ବାଇଗଣ ହେଇଯିବ । ତମେ କ’ଣ ତମ ନାତିକୁ ଗଢୁ ଗଢୁ ମାଙ୍କଡ଼ କରିଦେବ ?”

ଜେଜେ ଉଠେଇଲେ ଲଙ୍ଗଳ ଦଉଡ଼ି । କହିଲେ- “ଡବଡ଼ବୀକୁ ବାନ୍ଧି ପକେଇବି ଏ ଖୁଣ୍ଟରେ ।”

ଚନ୍ଦିରୀ ହସି ହସି କହିଲା- “ବାନ୍ଧୁନା ! ମନାକଲି କି ? ତମକୁ ଅଧିକା ଥରେ କୁଣ୍ଡା ତୋରାଣି ଦେବାକୁ ପଡ଼ିବ । କଷ୍ଟ ପାଇବ । ମୋ ଗୋବର ଗୋଟେଇବା ବେଳେ, ଗନ୍ଧ ହେବ ।”

ପାରଖୁଡ଼ୀ ଆସୁଥିଲେ ଯେ. . . ହାତ ଉଞ୍ଚାଇଲେ ଚନ୍ଦିରୀକୁ, ମାରିବାକୁ । କହି କହି ଚାଲିଗଲେ ନଈ ଆଡ଼େ ଗାଧୋଇବାକୁ- “ଏ ପିଲାକୁ ପାରି ହେବ ନାଇଁ । ଜେଜେଙ୍କୁ ଏମିତି କହନ୍ତି ନାଇଁ. . . । ପଢୁଚୁ, ନା. . . ଥୋବରୀ ହେଉଚୁ ?? ଏଇ ସପ୍ତମରୁ ତୋ ପଢ଼ା ବନ୍ଦ କରୁଚି, ରହ. . . !”

ଚନ୍ଦିରୀ କାକୁତି ହେଲା- “ଜେଜେ ! ମୋ ବୋଉକୁ ବୁଝେଇବ । ମୋ ପଢ଼ା ବନ୍ଦ କରିବ ନାହିଁ । ଯଦି ବନ୍ଦ କରେ. . . ମୁଁ ତମ ଘରକୁ ପଳେଇ ଆସିବି ଯେ. . . ଜମା ଯିବିନି । ସେ ଭାବୁଚି- ମୋ ପଢ଼ା ବନ୍ଦ କରେଇ, ମୋତେ ରୋଷେଇ କରେଇବ । ନିଜେ ତା’ ସାଙ୍ଗ ସାଥିରେ ତାସ୍ ଖେଳିବ । ଜେଜେ. . . କ’ଣ କହୁଚ ?”

ଜେଜେ କହିଲେ- “ଆଚ୍ଛା ଆଚ୍ଛା ! ତୋ ବୋଉକୁ କହି, ତତେ ଆମ ଘରକୁ ନେଇଆସିବା । ତୁ ଏଇଠି ରହିବୁ । ସବୁଦିନ ରହିବୁ ।”

– ୟା’ମାନେ. . . ପଢ଼ିବି ନାହିଁ ?

. . . କହୁଚୁ ପରା ଘରକୁ ଆସିବୁ !

ଚନ୍ଦିରୀ ମୋତେ ଡବଡ଼ବ ହେଇ ଚାହିଁଲା ।

ପଚାରିଲି- କ’ଣ ହେଲା ?

– ନାଇଁ ଜେଜେ ତ କହୁଛନ୍ତି ତୁ ଚାଷ କରିବୁ । ବୋଉ ବି କହିଲାଣି- ମୋ ପଢ଼ା ବନ୍ଦ କରିବ । ଭଲ. . . । ତୁ ପଢ଼ିବୁନି. . . ମୁଁ ପଢ଼ିବିନି. . . । ସାର୍ କଟୁକଥା କହିବାକୁ ନଥିବେ. . . । ଆମେ ବି. . . ଆଉ କାନ୍ଦିବା ନାହିଁ । ତୁ ପୋଛିବୁନି ମୋ ଲୁହ. . . ମୁଁ ପୋଛିବିନି ତୋ ଲୁହ । କାରଣ କ’ଣ ପଚାରୁନୁ ।

ମୁଁ ପଚାରିଲି- “କାହିଁକି ?”

– ଆମେ ଦୁହେଁ ସବୁଦିନ ହସିବା ! ! ମଜା କରିବା ! ! ! ଆମ୍ୱସଡ଼ା ଖାଇବା !

ମୁଁ ଆମ ଘରକାମ ସାରିଦେଇ, ତମ ଘର କାମ କରିଦେବି । ଜେଜୀକୁ କଷ୍ଟ ହେବନି. . . କି, ବିଲକୁ ଚାହାପିଠା ନେବା ପାଇଁ, କାହାକୁ ଖୋଜା ପଡ଼ିବନି । ମୁଁ ନେଇକି ଯିବି. . . ।

ଜେଜେ ଚନ୍ଦିରୀ କଥା ଆଁ କରି ଶୁଣୁଥିଲେ ।

ବୋଧେ ଭାବିଥିବେ-ଏଡ଼େ ସାନ ଝିଅଟା । କେଡ଼େ କେଡ଼େ କଥା କହୁଛି ! ! ଆମ ରଙ୍ଗାଟା ଏମିତି ଭାବନ୍ତା କି ! ! !

ମୁଁ ଭାବୁଥିଲି- ମୋ ପଢ଼ା ବନ୍ଦ୍ କରିବାକୁ ଜେଜେ କହୁଛନ୍ତି- ମୋର ଘର ଛାଡ଼ି ଦେଇଥିବା ବାପାଙ୍କ ପାଇଁ । ଜେଜୀ ଥରେ କହୁଥିଲା- ତାଙ୍କ ଶଶୁର ମୋ ବାପାଙ୍କୁ ବହୁତ ଗେହ୍ଲା କରିଦେବାରୁ, ସେ କାମଚୋର-ଅଳସୁଆ ହେଇଗଲେ । ବାହାହେଲେ ଯେ. . . ତେବେ ସୁଦ୍ଧା ଦାୟିତ୍ୱ ବୁଝିଲେ ନାହିଁ । ତାସ୍ ପାଲି ଖେଳିଲେ, ବୁଲିଲେ, ଖାଇଲେ, ଶୋଇଲେ ।

ଦିନେ ମୋ ବୋଉ କାଳେ ବହୁତ ବିଗିଡ଼ି କହିଲା- “ସେ ଗୋଟେ ଅଳସୁଆ. . . ଅରୋଜଗାରିଆ. . . ଦାୟିତ୍ୱହୀନ ବୋଲି ଯଦି ଆଗରୁ ଜାଣିଥାନ୍ତା. . . ମୋ ବାପାଙ୍କୁ ବାହା ହେବାକୁ ରୋକ୍‌ଠୋକ୍ ମନାକରିଥାନ୍ତା ।”

କେବଳ ଏତିକି କଥାରେ, ବାପା ଘର ଛାଡ଼ି କେଉଁଆଡ଼େ ଚାଲିଗଲେ ଯେ. . . ବାର ବର୍ଷା ହେଇଗଲାଣି । ବୋଉକୁ କାଳେ ବର୍ଷକ ଭିତରେ ତା’ ବାପାଭାଇ ନେଇଗଲେ । ମୁଁ କୋଳର କାଖର ଟିକି ଛୁଆଟା । ଜେଜୀ ତଥାପି ମୋତେ ଛାଡ଼ିଲା ନାହିଁ ତା’ ସହିତ ।

କହିଥିଲା- “ତମେ ତମ ଝିଅକୁ ନିଅ. . . କି କା’ ଓଳିତଳକୁ ଫୋପାଡ଼. . . ! ମୋ ନାତି ଆଗଚଲା ହେବନାହିଁ ।”

ବାପା ବୋଉଙ୍କ ରୂପ କେମିତି ମୋର ମନେ ନାହିଁ ।

ଜେଜେଙ୍କର ଗୋଟାଏ ଜିଦି. . . ସେ ତାଙ୍କ ନାତିକୁ କଦାପି ଅଳସୁଆ କରେଇବେ ନାହିଁ । ପୁଅଟା ପାଇଁ ବୁଢ଼ାବୁଢ଼ୀ କାନ୍ଦୁଛନ୍ତି. . . ନାତି ପାଇଁ ହସିବେ ସେ ଦୁହେଁ । ଏମିତି କାମିକା କରି ଗଢ଼ିବେ ।

ଜେଜେ ବହୁତ ଅନୁଭବୀ ।

ଚାଷରେ ପୋକ ! କହନ୍ତି- “ଚଷାର ପୁଅ ଚଷାର ନାତି. . . ବାର ବରଷରୁ ଲଙ୍ଗଳ କଣ୍ଟି । ମାଟି ତାଡ଼ି ସୁନା ଆଣେ ପଉଟି. . . ତା’ ଘରେ ନିଇତି ପଡ଼ଇ ଝୋଟି ।”

ମନେ ମନେ ସ୍ଥିର କଲି- ମୋ ଜେଜେ ଜେଜୀଙ୍କୁ ତାଙ୍କ ପୁଅ ପରି ପର କରିବି ନାହିଁ । ଏକାକୀ ରହିବାକୁ ଦେବି ନାହିଁ । ତାଙ୍କ ପାଇଁ ଗୋଟେ ହସଖୁସିର ପୂରନ୍ତା ସଂସାର ଗଢ଼ିବି । ମୋ ଜେଜେ ବୁଢ଼ା ବୟସରେ ନଇଁ ନଇଁ ଯିବେନି ହଳକୁ. . . ମୁଁ କରିବି । ତାଙ୍କଠୁ ସବୁ ଶିଖିବି । ତାଙ୍କର ସବୁ କଥା ମାନିବି ।

ଚନ୍ଦିରୀକୁ କହିଲି- “ତୁ ଆଜି ଏକା ଯା’ ! ସଞ୍ଜରେ ଆସି, ମୋତେ ବୁଝେଇ ଦେବୁ- କ’ଣ ପଢ଼େଇଲେ ସାର୍‌ମାନେ ।”

– “କାହିଁକି ଯିବୁନି ?” ଚନ୍ଦିରୀ ପଚାରିଲା ।

. . . ଆଜି ଜେଜେଙ୍କ ସାଙ୍ଗରେ ବିଲକୁ ଯିବାକୁ ମନ, ତୁ ଯା’ । ଆମ ଭିତରୁ ଯିଏ ଜଣେ ବି ଗଲେ, ଆର ଜଣଙ୍କର ପାଠ ହେଇଯାଏନି କି !

ଚନ୍ଦିରୀ ମୁହଁ ଓହଳାଇ ଫେରିଗଲା, କିନ୍ତୁ ଜେଜେଙ୍କ ମୁହଁରେ ସରାଗ ଖେଳିଉଠିଲା । କହିଲେ- “ଘର ପାଖ ଜମି ବହୁତ ଆଚ୍ଛା. . . ହୁଏ ନାହିଁ କେବେ ଅମାର ପୋଛା । ବାର ମାସେ ତେର ପରବ ହୁଏ. . . ଚଷା ଘର ନିତି ଉଛୁଳୁଥାଏ ।”

ତାଙ୍କୁ ଖୁସି କରିବା ପାଇଁ କହିଲି- ପୂରା ଲଙ୍ଗଳଟା କାହା କାହାକୁ ନେଇ. . . କହିଥିଲ, ମୋର ମନେ ଅଛି ଜେଜେ !

– କହ ତ ?

“. . . କଣ୍ଟି, ଲଙ୍ଗଳ, ଯୁଗୁଳି, ଫାଳ
ଈଷ କିଳା ସାଥେ ପିଚାକିଳା ମିଶି. . .
ହୁଏ ଲଙ୍ଗଳ. . . ।”

ଜେଜେ ଖୁସିରେ ଏତେ ଫୁ’ ଫୁ’ ହେଇ ହସିଲେ ଯେ. . . ତାଙ୍କ କଳରେ ଥିବା କଳେ ପାନଛେପ ପିଚକାରୀ ରଙ୍ଗ ପରି ସିଞ୍ଚି ପକାଇଲା ମୋ ଜାମା ପ୍ୟାଣ୍ଟ୍‌କୁ । ସାଙ୍ଗେ ସାଙ୍ଗେ ତାକୁ କମର ବନ୍ଧା ଗାମୁଛାରେ ପୋଛି ପକାଇ, ଜେଜେ କହିଲେ- “ଠିକ୍ ହେଇଛି ! ଏ ସ୍କୁଲ୍ ଜାମାପେଁଟ ଆମର ଦରକାର୍ ନାହିଁ । ଆଜି ସଞ୍ଜରେ ଓଳାଭର ବଜାରକୁ ଯିବି । ତୋ ପାଇଁ ଦୁଇହଳ ଭଲ ଜାମାପେଁଟ ଆଣିବି ।”

ଜେଜେ ମୋର ଏମିତି ଜେଜେ. . . ଦିନେ ବି ମନକୁ ଦୁଃଖ ଲାଗିଲା ପରି ଟାଣ କଥା ମୋତେ କହିନାହାନ୍ତି । ସବୁବେଳେ ଚାଷକଥା, ଚାଷରେ ଉନ୍ନତି କଥା, ୱାଜିବ୍ ଖର୍ଚ୍ଚ କରି, ସଞ୍ଚୟ କରିବାର କଥା, ଅନ୍ୟର ବିପଦରେ ଠିଆ ହେବା କଥା ଓ ସବୁ କର୍ମ ଭିତରେ, ଶେଷରେ. . . ଜଗତକର୍ତ୍ତାଙ୍କୁ ମନେ ପକାଇବାର କଥା. . . ଏଇ ତାଙ୍କର ଜୀବନ ଦର୍ଶନ ।

କେବଳ ଚାଷ କ୍ଷେତ୍ରରେ ଖନାବଚନ ବା ଡାକଋଷି ବଚନର ଉଦାହରଣ ନୁହେଁ

. . . ସର୍ବଦେବାଦେବୀ ପୂଜା ପଦ୍ଧତିଠୁ ଆରମ୍ଭ କରି, ଜ୍ୟୋତିଷଶାସ୍ତ୍ର ଓ ପୁରାଣଶାସ୍ତ୍ର ତାଙ୍କର ମୁହେଁ ମୁହେଁ । ପ୍ରତିକଥାରେ ଯେଉଁଠୁ ହେଲେ, ଯଥାର୍ଥ ଉଦାହରଣଟିଏ ରଖନ୍ତି । ଏହି ପାଇଁ, ଆମ ଅଞ୍ଚଳର ସେ ବିଶିଷ୍ଟ ପଞ୍ଚାୟତବିଦ୍ ଓ ସମ୍ମାନ ପାଉଥିବା ଭଲ ମଣିଷଙ୍କ ଭିତରେ ବହୁତ ଭଲ. . . । ମୋ ଜେଜେ !

ଦିନେ ଜେଜେ ଖଣ୍ଡେ ବିଲର ହଳ ସାରି, ଆଉ ଖଣ୍ଡେକୁ ବଳଦ ଅଡ଼ାଉଥିଲେ ତ . . . ମୁଁ ଟିକି ବାହୁଙ୍ଗିଟିରେ ଚାହାପିଠା କାନ୍ଧେଇ ପହଞ୍ଚିଗଲି । କହିଲି- “ଜେଜେ ! ମୁଁ ଆଜି ହଳ କରିବା ଶିଖିବି. . . ଜେଜୀଙ୍କୁ କହିଦେଇ ଆସିଛି- ମୋ ଫେରିବା ଡେରି ହେବ ।”

ସେ ବଳଦକୁ ହ’. . . ହ’ କହି ଅଟକାଇଲେ ।

ଆନନ୍ଦରେ ମୋତେ କୁଣ୍ଢାଇ ଧରିଲେ. . . କିଛି ସମୟ ।

ତାଙ୍କ ଆଖି ଲୁହରେ ଭରିଗଲା ।

ମୁଁ ମୋ ସାନ ସାନ ଆଙ୍ଗୁଳିରେ ସେ ଆନନ୍ଦର ଲୁହକୁ ପୋଛୁ ପୋଛୁ କହିଲି- “ବାର ବର୍ଷରୁ ଚଷାଘର ପୁଅ କଣ୍ଟି ଧରେ । ମୋତେ ତ ତେର ବର୍ଷ ହେଲାଣି । ଆଉ ଡେରି କରିବି କାହିଁକି ? ତମେ ବି ବେଶୀ ବେଶୀ ବୁଢ଼ା ହେଇଯାଉଛ । ଆମ ଘରେ ଆଉ କିଏ ଅଛି- ତୁମକୁ ସାହାଯ୍ୟ କରିବାକୁ ?”

ଜେଜେ ଏବେ ଭୋ’ ଭୋ’ ହେଇ କାନ୍ଦିଲେ ।

ପଚାରିଲି- “କାନ୍ଦୁଛ ଜେଜେ ! !”

କହିଲେ “ଇଏ ଆନନ୍ଦର ଲୁହ ! ଏଇ ଦିନକୁ ଅପେକ୍ଷା କରିଥିଲି- କେଉଁଦିନ ମୋ ରଙ୍ଗା ନିଜେ କହିବ- ସେ ହଳ କରିବ । ଯେଯାଏ ମନରେ ଇଚ୍ଛାଟିଏ ଜମେଇକି ବସିଯାଇ ନାହିଁ. . . ସେଯାଏ କୌଣସି କାମ ସହଜ ଲାଗେ ନାହିଁ । ତୋର ଇଚ୍ଛା ହେଲାଣି ମାନେ, ତୁ ବହୁତ ବଢ଼ିଆ କୃଷକ ହେଇଯିବୁ । ଅଳସୁଆମି ଦେହରୁ ମନରୁ ଛାଡ଼ି ପଳାଇବ । ଏବେଠୁ ତୁ ମୋ ସାଙ୍ଗରେ ରହି, ଭେରାଏ ଭେରାଏ ଚଷିବା ଶିଖ୍ । ବର୍ଷ ଗୋଟାଏ ଲାଗିବ. . . ମୌସୁମ ଅନୁସାରେ ଫସଲ ଲଗାଇ, ଅମଳ କରିବା ଶିଖିବାକୁ । ଛ’ମାସ ପରେ ତ. . . ତୋତେ ମୁଁ ଲଙ୍ଗଳ ଛାଡ଼ିଦେବି । ମନେରଖ୍ ରଙ୍ଗା- ଚାଷୀ ସାହସୀ ! ଯାହାର ନାହିଁ ସାହସ. . . ତା’ର ଉଡ଼େ ହୁଆସ ।”

ପିଠା ଚାହା ଖାଇବା ପୂର୍ବରୁ ଯୁଆଳି ଆନ୍ଧରୁ ଈଷ କାଢ଼ି ହିଡ଼ରେ ଲଙ୍ଗଳକୁ ଶୁଆଇଲେ । ଆମ ଯୋଡ଼ି ବଳଦ ଦେଖିବାକୁ କସରା, ଧଳା । ତାଙ୍କୁ କହିଲେ- “ଶୁଣରେ କାଳିଆ ବଳିଆ । ଆସ୍ତେ ଆସ୍ତେ ଚରି ଚରିକି, ଆମରି ବିଲରେ ରହିବ । ଦାସଘର ବିଲକୁ ଯିବ ନାହିଁ. . . ତାଙ୍କର ବିହନ ପଡ଼ିସାରିଲାଣି । ଗଜା ହବଣି । ଆମେ ଜେଜେ ନାତି ଖାଇକି ଆସୁଁ. . . । ତମ ପାଇଁ ବି ବୁଢ଼ୀ ସବୁଦିନ ପରି ବିରି-ଅରୁଆଚାଉଳର ପିଠା ଦୁଇଫଡ଼ା ପଠାଇଥିବ । ଆଗେ ଘାସ ଖାଅ. . . ପଛେ ପିଠା ଖାଇବ ।”

ପଚାରିଲି- “ଆମ ବଳଦ ଜଗାବଳିଆ. . . ତମ କଥା ବୁଝନ୍ତି ଜେଜେ ?”

– “ହଁ ବୁଝନ୍ତି । ହଳ କରୁ କରୁ, ଭେରା ମୁଣ୍ଡରେ ଗୋଡ଼ତଳେ ଗୋଡ଼ ତଳେ କହେଁ ତ. . . ସେଇଠି ବୁଲିପଡ଼ନ୍ତି କିପରି ? ସିଆର ସଙ୍ଗରେ ସିଆର ନ ମିଶିଲେ. . . କହେଁ- ମିଶେଇକି. . . ମିଶେଇକି. . . ତ, ଆଡ଼ବାଙ୍କ ନକରି, ସିଧା ଚାଲନ୍ତି ନାହିଁ କି ? ହ. . . ହ. . . କହିଲେ, ଅଟକି ଯାଆନ୍ତି । ଚୁ ଚୁ କହିଲେ ଧୀରେ ଚାଲନ୍ତି । ହୁଡ୍ରୁ ହା. . . କହିଲେ ଚଞ୍ଚଳ ପାଦ ପକାନ୍ତି । କେମିତି, ଏମିତି ହୁଏ, ଯଦି ଜଗାବଳିଆ ବୁଝୁ ନଥାନ୍ତେ । ଆରେ. . . ୟା’ଙ୍କର ପାଟିରେ ସିନା କଥା ନାହିଁ. . . ବୁଝିବାର ଛାତିଟା ଅଛି ।”

ତୋ କଥା ବି ଏମାନେ ମାନିବେ ।

ଏବେ କାଳିଆ ବଳିଆ ଦାମୁରିଆ । ଆହୁରି ପନ୍ଦର ବର୍ଷ ଭଲରେ ଖଟିବେ । ମୁଁ ବଞ୍ଚିଥିବି କି ନାହିଁ କହିପାରୁନି, ତତେ ସେତେବେଳକୁ ହେବଣି ଅଠେଇଶି, ଏମାନେ ଯୋଉଠି ଥିବେ. . . ପାଟ ମଝିରେ ହେଉନ୍ତୁ, କି. . . ବାରି ତଳେ, ଡାକଟା ଶୁଣିବା ମାତ୍ରେ ଧାଇଁ ଆସି, ତୋ ପାଖରେ ନସରପସର ହେବେ. . . ଦେହରେ ଥୋମଡ଼ି ଘଷି, ତତେ ଆଦର କରିବେ । ତୁ ବି ଏମାନଙ୍କୁ ନିଜର ପୁଅ ପରି ପାଳିବୁ । ମନେରଖିବୁ ରଙ୍ଗା- ଏମାନଙ୍କୁ ଯେତେ ଭଲରେ ରଖିବୁ. . . ଧନଧାନ୍ୟ ସେତେ ବଢ଼ିବ ।

କେତେ ସ୍ୱପ୍ନ ଜେଜେଙ୍କର ! !

ପିଠା, ବାଇଗଣ ଭରତା, ଆଳୁ ଚକଟା, ଓଲୁଅ ଚଟଣି, କଟା ପିଆଜ ଓ ଲଙ୍କା ଲୁଣ. . . ଏତେ ସବୁ ଦେଖି ଜେଜେ କହିଲେ- “. . . ୟା’ଙ୍କୁ ଖାଇକି ହିଡ଼ରେ ଶୋଇବି. . . ନା, ହଳ କରିବି ? ପେଟ ଭାରି ହେଇଯିବ ନାଇଁ । ଯେତେ ଥର କହିଲିଣି ତୋ ଜେଜୀକୁ-

ଅନ୍ତେ ତିକ୍ତ ଦନ୍ତେ ଲୁଣ. . . ପେଟ ପୂରିବ ତିନି କୋଣ ।

. . . ମଥାରେ ପଗଡ଼ି ପାଦରେ ତେଲ । ବଇଦ ସାଙ୍ଗରେ କରିବ ଗେଲ । . . . ମାନୁ ନାହିଁ ତୋ ଜେଜୀ । ଆ’ ରଙ୍ଗା… । ବେଜାଏ ହେବ । ଖାଇ ଦେ’ ଦି’କଳ ମୋ ସାଙ୍ଗରେ ।”

ଆମେ ଖାଇସାରିଲା ପରେ, ଜେଜେ ମୁଣ୍ଡରୁ ଖୋଲିଥିବା ଧଳାଗାମୁଛାର ଠେକା ପୁଣି ବାନ୍ଧିଲେ । ହିଡ଼ମୁଣ୍ଡ ଦଣ୍ଡାପାଖ ଓସ୍ତଗଛ ଗଣ୍ଡିକୁ ଆଉଜି ନିଃଶ୍ୱାସ କେଇଟା ଛାଡୁ ଛାଡୁ କହିଲେ- “ପାନ ଖଇନି କାହିଁରେ ? ତୁ ଭୁଲିଗଲୁ. . . ନା ଜେଜୀ ?”

ମୁଁ ନିଜକୁ ଦୋଷୀ ମନେକଲି । ଜେଜୀ କହିଥିଲା- “ଧନରେ ! ପାନ ଖଇନି ଅମାର ପଟାରେ ରହିଲା । ନେଇଯିବୁ !” ମୋର ତ ହଳ ଶିଖିବାରେ ମନ । ତା’ କଥା ଭୁଲିଗଲି ।

ଟିକକ ପରେ ପହଞ୍ଚିଗଲା- ଚନ୍ଦିରୀ. . . ।

ପହଞ୍ଚୁ ପହଞ୍ଚୁ ବର୍ଷିଲା ମୋ ଉପରେ-

– “ଏ ରଙ୍ଗାଭାଇ ! ମତେ ଖଟେଇବା ପାଇଁ ତୋର ମନ ।

କାହିଁକି ଛାଡ଼ିଆସିଲୁ ପାନ ଖଇନି । ଆଜି ତ ସ୍କୁଲ ଗଲୁ ନାହିଁ । ପୁଣି ଖଟେଇବୁ ରାତିରେ । ସାର୍‌ମାନେ କ’ଣ ପଢ଼େଇଲେ, ତତେ ବୁଝାଇବି । କ’ଣ ତୋରି କାମ କରିବାକୁ ମୁଁ ରହିଚି ? ନିଜେ ତ ଜେଜେଙ୍କ ବୁଦ୍ଧିରେ ପଡ଼ି, ପଢ଼ିବୁ ନାହିଁ, ମତେ ବି ଫେଏଲ୍ କରେଇବୁ । ଜେଜୀ କି ମନ୍ତ୍ର କରିଛି କେଜାଣି ମୋ ବୋଉକୁ. . . ମୁଁ ମନା କରିବା ଆଗରୁ କହୁଛି- “ବୁଢ଼ା ଲୋକ ! ଶୋଷରେ ଆଉଟୁ ପାଉଟୁ ହେବେ ଖରାରେ । ନେଇଯା’ ! ଆଜି ନ ପଢ଼ିଲେ କ’ଣ ପାଠ ପଳେଇ ଯାଉଚି ଇସ୍କୁଲୁରୁ. . . ନା, ସାରେ ଭୁଲିଯାଉଚନ୍ତି । . . . ପାଠୋଇଙ୍କ ଗେଣ୍ଡୁ ତ !” . . . ମୁଁ ଖାଲି, ତୁ ମନ ଦୁଃଖ କରିବୁ ବୋଲି ଆସିଲି. . . ।”

ଜେଜେ ହସି ହସି ଚାହିଁ ରହିଲେ ଚନ୍ଦିରୀ ମୁହଁକୁ । କିଛି ବେଳଯାଏ ଚାହିଁଲେ । କ’ଣ ଭାବି ଭାବି କହିଲେ- “ଚାନ୍ଦଲୋ ! ତୋ ମୁହଁଟି ଏଡ଼େ ସୁନ୍ଦର ଯେ. . . ଯେମିତି ପୁନେଇଁ ଜହ୍ନ ସରଗରୁ ଖସି ଆସି. . . ତୋରି ମୁହଁରେ ଲାଖିଯାଇଛି । ପେଟ ପୂରିଯାଉଛି ତୋ ମୁହଁକୁ ଅନେଇ । ରୂପ ତ ଏଡ଼େ ସୁନ୍ଦର. . . ତୁଣ୍ଡ କାହିଁକି ଖର ? କୋଇଲି ପରି ସ୍ୱର କରିବାକୁ କିଏ ମନା କରିଛି କି ?”

ଚନ୍ଦିରୀ ଏଥର ତଳକୁ ମୁହଁ କରି ହସିଲା ନିଶବ୍ଦରେ !

ତା’ପରେ

ଲୋକପ୍ରିୟ ଲେଖା

To Top