କବିତା

ଚିଠି

Madhabananda Panda's odia poem for children Chithi

ଜୋଇଁର ଚାକିରୀ
ଆମେରିକା ଦେଶେ
ସେଥିପାଇଁ ବାହା ଦେଲୁ ।

ଚିଠି

ବାଇ ଚଢ଼େଇକୁ
ଚିଠିଟେ ଲେଖିଚି
ତା’ର ଗେହ୍ଲୀ ସୁନା ଝିଅ ।
ମାଆଲୋ’ ଜାଣିବୁ
କେଇଦିନ ହେଲା
ଭଲ ନାହିଁ ମୋର ଦିହ ।।

ଜୋଇଁର ଚାକିରୀ
ଆମେରିକା ଦେଶେ
ସେଥିପାଇଁ ବାହା ଦେଲୁ ।
ଅକାଳେ ସକାଳେ
ଯାଇପାରୁ ନାହିଁ
ଏତେ ଦୂରେ ଠେଲି ଦେଲୁ ।।

ଭାବିଥିଲି ସିନା
ସ୍ୱାମୀଙ୍କ ସାଥିରେ
ଆନନ୍ଦେ କାଟିବି ଦିନ ।
ବର୍ଷ କେଇଟାରେ
ଜାଣିବୁ ମାଆ ଲୋ’
ତନୁ ମୋ ହେଲାଣି କ୍ଷୀଣ ।।

ଏଠି ଗୋଟେ ଅଛି
ମହାସାଗର ଲୋ
ଆଟଲାଣ୍ଟିକ୍ ତା’ ନାଆଁ ।
ଦେଖି ଦେଲେ ତାକୁ
ମାଆଲୋ’ ସତରେ
ଲାଗୁଛି ଭାରି ଛାନିଆ ।।

କେମିତି ଯିବି ଲୋ’
ଏତେ ବାଟ ଉଡ଼ି
ସାହସ ହେଉନି ପରା ।
ସତରେ ମାଆଲୋ’
ହୋଇବ କି ନାଶ
ଏଡ଼ିକି ସୁନ୍ଦର ଧରା ।।

ଗାଡ଼ି ମଟରର
ପେଁ ପାଁ ପୁଣି
କାରଖାନା ବିଷ ଧୂଆଁ ।
ଜୀବନକୁ ଆମ
କଲେଣି ଉଚ୍ଛନ୍ନ
ଆସିଲି ଏଠିକି କିଆଁ ।।

ଧରଣୀ ମାଆର
ପାଣି ପବନକୁ
ବିଷାକ୍ତ ଦେଲେଣି କରି ।
ଏ ପ୍ରାଣୀ ଜଗତ
କିପରି ରହିବ
ସୁସ୍ଥରେ ଜୀବନ ଧରି ।।

କୋପେନ ହାଗେନ୍
କ୍ୟୋଟୋରେ ପରା
କରିଥିଲେ ସମ୍ମିଳନୀ ।
ଏକମତ ହୋଇ
ପାରୁଛନ୍ତି କାହିଁ
ଦେଶ ଗରିବ କି ଧନୀ ।।

ତରଳି ଯାଉଛି
ମେରୁ ବରଫ ଲୋ’
ଗରମ ହେଉଛି ବିଶ୍ୱ ।
ସାଗରର ଜଳ
ହୋଇଲେ ଉତ୍ତାଳ
କେତେ ଦେଶ ହେବେ ନିଃସ୍ୱ ।।

ମଣିଷ କୁଆଡ଼େ
ଭାରି ବୁଦ୍ଧିଆ ଲୋ’
ଏତିକି ପାରୁନି ଜାଣି ।
କେଉଁଥିରେ ହେବ
ସଭିଁଙ୍କ ମଙ୍ଗଳ
ବନ, ତରୁ, ଲତା ପ୍ରାଣୀ ।।

ଠାକୁରଙ୍କୁ ସଦା
ଡାକୁଚି ମାଆଲୋ
ଦିଅନ୍ତୁ ତାକୁ ସୁବୁଦ୍ଧି ।
ମଣିଷ ଚାହିଁଲେ
ଏହି ଧରଣୀରେ
ହୋଇବ କେତେ ସମୃଦ୍ଧି ।।

ଇଏ କହୁଥିଲେ
ଉଡ଼ାଜାହାଜରେ
ଯିବାକୁ ଭୁବନଶୋର ।
ପୁଅଟା ଏଥର
ପରୀକ୍ଷା ଦେବ ଲୋ’
ହେବା ପାଇଁ ଡାକତର ।।

ଠାକୁରେ ମାଆଲୋ’
ଭଲ ରଖିଥାନ୍ତୁ
ଆମ ପ୍ରଣାମ ନେବୁ ।
ଫେରନ୍ତା ଡାକକୁ
ଅନାଇ ରହିଲି
ଚିଠି ପାଇ ଚିଠି ଦେବୁ ।।

।। ଇତି ।।
ତୋର ଝିଅ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top