ଗଳ୍ପ

ମାଧ ମହାନ୍ତିଙ୍କ କନ୍ୟାସୁନା

Byaasakabi Fakir Mohan Senapati's odia story Maadha Mahantinka Kanyaasunaa

ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତେହକି ବିଭା । ବରଙ୍କ ବୟସ ଏହି ମାଘରେ ପଞ୍ଚଷଠି ପଶିବ ।

ମାଧ ମହାନ୍ତିଙ୍କ କନ୍ୟାସୁନା

-: ପୂର୍ବରୁ :-

ମହନ୍ତ ହେଉଛନ୍ତି ଗାଁର ଜଜ୍, ମେଜେଷ୍ଟର, ମହାଜନ ସବୁ । ଏ ଗାଁରୁ ଗୋଟାଏ ବୋଲି ମାଲିମାମଲା ସରକାରକୁ ଯାଏ ନାହିଁ ।

ମହନ୍ତଙ୍କର ଗୋଟିଏ କୋଠଚାକର ଅଛି, ନାମ ବିନୋଦିଆ-ବୟସ ବାଇଶ କି ତେଇଶ । ଦେଖିବାକୁ ବେଶ ଡଉଲ ଡାଉଲ । ବିନୋଦିଆ ମହନ୍ତଙ୍କର ଭାରି ବିଶ୍ୱାସୀ ଚାକର । ମହନ୍ତଙ୍କ ନିଜ କୋଠଘର କଞ୍ଚି, ମନ୍ଦିର ସରଘର, ଗନ୍ତାଘର, କାରବାରୀ ଘର, ସବୁଘର କଞ୍ଚି ତା ହାତରେ । ଗୋଟାଏ ସରୁ ଲୁହା ଶିକୁଳିରେ ଗୁନ୍ଥା ବେକାଏ କଞ୍ଚି ସବୁବେଳେ ତା ଅଣ୍ଟାରେ ଝୁଲୁଥାଏ । ସବୁ ବିଷୟରେ ମହନ୍ତଙ୍କର ବିନୋଦିଆ ଉପରେ ଷୋଳପଣି ବିଶ୍ୱାସ । ଯେପରି ମାଲିମାମଲା ହେଉ ବିନୋଦିଆକୁ ନ ଧରିଲେ କେହି ମହନ୍ତଙ୍କଠାରୁ ବେଗି ବେଗି କାମ ହାସଲ କରିପାରେ ନାହିଁ । ଶ୍ରୀଜୀଉଙ୍କ ଅଳଙ୍କାର, ନଗଦାତ ଟଙ୍କା, ଟିପ ତମସୁକ ମହନ୍ତଙ୍କର ନିଜ ତହବିଲ, ସବୁ ସବୁ ରକମରେ ବିନୋଦିଆ ଜିମାରେ ଲକ୍ଷାବଧି ଟଙ୍କା । ନେଇ ବସିଲେ ମାଲିମାମଲାରୁ ବି ଢେର ଢେର ଟଙ୍କା ପାନ୍ତା । ମାତ୍ର ତାହାର ଦରମା ମାସକୁ ଯୋଡ଼ାଏ ଟଙ୍କା ଛାଡ଼ି ଆଉ ଯୋଡ଼ାଏ ପଇସାରେ ବି ହାତ ଦିଏ ନାହିଁ । ଏଣେ ମହନ୍ତଙ୍କର ଯେପରି ଅକାରଣ ପଇସାଏ ନଷ୍ଟ ନ ହେବ ଖୁବ୍ ଜଗିଥାଏ । ପ୍ରଜା ଖାତକ ଉପରେ ହକ ପାଉଣା ପଇସାଏ ଛାଡ଼ିବ ନାହିଁ, ମହନ୍ତ ହୁକୁମ କଲେ ବି, ନା । ବିନୋଦିଆ ଘର ହାଟଗାଁ, ମନ୍ଦିରଠାରୁ ଚାରି କୋଶ ଦୂର । ସେ ଗାଁଟା ବି ମହନ୍ତଙ୍କର ଦେବୋତ୍ତର ବାହେଲ । ମା ବାଧିକା ପଡ଼ିଛି ଶୁଣି ବିନୋଦିଆ ମହନ୍ତ ମହାରାଜଙ୍କଠାରୁ ଚାରିଦିନର ଛୁଟି ନେଇ ଘରକୁ ଯାଇଥିଲା । ଆଜି ସକାଳୁ ଘରୁ ଆସି ତୁନିଟି ହୋଇ ବସିଛି, କାମ ପାଇଟିରେ ମନ ଦେଉନାହିଁ । ମହନ୍ତ ପଚାରିଲେ, କିରେ ବିନୋଦିଆ, ଇମିତି ହୁଙ୍କାଟା ପରି ବସିଛୁ କିଆଁ । ଯା ଯା, ତୋଟାଳିଆ ସବୁ ଆସି କାମରେ ଲାଗି ଗଲେଣି କିନା, ଦେଖ ଯା ।

ବିନୋଦିଆ ମହନ୍ତଙ୍କ ଗୋଡ଼ ଯୋଡ଼ିକ କୁଣ୍ଢେଇ ଧରି ଭୋ ଭୋ କରି ରଡ଼ି ଛାଡ଼ିଲା, କଥା କହି ପାରୁ ନାହିଁ ।

ମହନ୍ତ- ଆରେ କଥା କଣ କହ, ଇମିତିକାଟା କାନ୍ଦୁଛୁ କିଆଁ ।

ବିନୋଦିଆ- ଆଜ୍ଞା । ମୁଁ ଆଉ ଚାକିରି କରିବି ନାହିଁ । ଆମ ଗାଁର ଢେର ଭେଣ୍ଡିଆ ରେଳବାଇରେ କାମ କରି ଢେର ଢେର ଟଙ୍କା ଆଣୁଛନ୍ତି । ମା କହିଲା, ମୁଁ ସେଇପରି କାମ କରି ଟଙ୍କା ଆଣି ବାହା ହେବି । ମା କହିଲା, ସେ ବାଧିକା ପଡ଼ିଲାଣି, ମରିଯିବ- ବୋହୂ ଦେଖିବ ।

ମହନ୍ତ ହୋଃ ହୋଃ ହୋଃ- ଏଇ କଥା । ଆଚ୍ଛା ମୁଁ ବାହା କରେଇ ଦେବି । ଖୁବ୍ ଭଲ କନ୍ୟାଟିଏ ବାହା କରେଇ ଦେଲେ ତ ହେଲା ।

ବିନୋଦିଆ- ଆମ ଜାତିରେ କନ୍ୟାସୁନା ଢେର ଟଙ୍କା ପଡ଼େ, ମୁଁ ଟଙ୍କା କାହୁଁ ଆଣିବି ।

ମହନ୍ତ- ଆରେ ବାୟା । ତୁ ତ ବାହା ହେବୁ ଗଲା, ଟଙ୍କାରେ କଣ ଅଛି । ଆଚ୍ଛା ଯେତେ ଟଙ୍କା ଲାଗିବ, ମୁଁ ଦେବି ।

ବିନୋଦିଆ ଭାରି ଖୁସିଟାଏ ହୋଇ ଆପଣା କାମରେ ଲାଗିଗଲା ।

ପଦୀ ଭଣ୍ଡରୁଣୀ ବିଧବା- ଘରକୁ ଏକୁଟିଆ । ଗୋଟିଏ ବୋଲି ଝିଅ ଥିଲା, ପାଞ୍ଚ ବର୍ଷ ହେଲା ବିଭା ହୋଇ ଯାଇ ଶାଶୁ ଘରେ ଅଛି । ଗାଁ ମଝିରେ ଘର । ହେଲେ ତାର ବଡ଼ ଛାତି, ଘରେ ଏକୁଟିଆ ଥାଏ, କାହାରିକୁ ଡରେ ନାହିଁ । ଗାଁ ଗୋଟାକ ଖଟେ । ମାଇକିନିଆମାନଙ୍କ ନଖ କାଟେ, ଗୋଡ଼ରେ ଅଳତା ଲଗାଇ ଦିଏ । ପଦୀର ବୁଦ୍ଧି ଖୁବ୍ ଟାଣ, ପୁଣି ପାଞ୍ଚ ମାଇକିନିଆଙ୍କ ସଙ୍ଗରେ ରଞ୍ଜଘଷ ଥିବାରୁ ସେ ଭାରି ପଟୁ ହୋଇ ଯାଇଛି । ସାକୁଲା ସାକୁଲି କରି ଗାଁ ଗୋଟାକ ମାଇକିନିଆଙ୍କୁ ପଟେଇ ରଖିଛି । ତାକୁ ସମସ୍ତେ ଭଲ ପାନ୍ତି । ଆଉ କଥା ଯାହା ହେଉ, ତାର ମନ୍ଦ ଆଚରଣ ବୋଲି କେହି କେବେ ପଦେ ବୋଲି କହି ନାହିଁ ।

ଆଜିକି କେତେଦିନ ହେଲା ସଞ୍ଜ ସକାଳ ସବୁବେଳେ ମଠକୁ ଯା ଆସ କରୁଥିବାର ଦେଖା ଯାଉଛି । ମାଧ ମହାନ୍ତି ଘରେ ନଥିବାବେଳେ ପଦୀ ତାଙ୍କ ଘରକୁ ପଶିଯାଏ । ମହାନ୍ତିଙ୍କ ଘର ଭିତରେ କେହି ଯେମନ୍ତ ତାକୁ ଚାହିଁ ବସିଥାଏ, କବାଟରେ ହାତ ମାରିବା କ୍ଷଣି ଉଦୁଆଁ ହୋଇଯାଏ ।

ପଦୀ ମାଳତୀକୁ କୁଣ୍ଢେଇ ପକାଇ ମାରେ- ସୁନାରେ-ଚାନ୍ଦମଣିରେ- ମୋ ଝିଅଖଣ୍ଡ ଶାଶୁଘରକୁ ଯିବା ଦିନରୁ ଅନ୍ଧୁଣୀ ହୋଇ ବସିଥିଲିରେ- ଦାଣ୍ଡ ଘାଟରେ ତତେ ଦେଖି ନେତ୍ର ପବିତ୍ର କରୁଥିଲିରେ । ଗାଁରୁ ଶୁଣିଲି, ତୁ କୁଆଡ଼େ ବାହା ହୋଇ ଯାଉଛୁ, ତତେ ଥରେ ଦେଖିବାକୁ ଅଇଲିରେ । ମାଳତୀ ହାତରେ ମୁଠାଏ ଅନ୍ନ ମହାପ୍ରସାଦ ଗୁଞ୍ଜି ଦେଇ କହିଲା, ଆଜି କତିରୁ ତୁ ମୋ ଝିଅ, ମୁଁ ତୋ ମା ।

ମାଳତୀ ଆଦର କଥା, ସ୍ନେହ କଥା, କଅଁଳ କଥା ପଦେ ହେଲେ କେବେ ଶୁଣି ନାହିଁ । ଏତେ ସ୍ନେହ କଥା ଶୁଣି ସମ୍ଭାଳି ହୋଇ ପାରୁନାହିଁ । ପଦୀକୁ କୁଣ୍ଢେଇପକାଇ ଭୋ ଭୋ ରଡ଼ିଛାଡ଼ିଲା । ଘଡ଼ିକ ବାଦେ ଧକେଇ ଧକେଇ କହିଲା, ମା, ମୁଁ ଆଉ କିଛି ମାଗୁ ନାହିଁ, ତୁ ବେଳେ ବେଳେ ମୋ ପାଖକୁ ଆସୁଥିବୁ, ପଦେ ପଦେ କଥା କହି ଯାଉଥିବୁ । ବାପା କେବେ ହେଲେ ମତେ ପଦେ ଭଲ କଥା କହେ ନାହିଁ, ଟିକିକ କଥାରେ ତୁଚ୍ଛା ରାଗି ଯାଇ, ଦୂରଦୂର । ପୋଡ଼ାମୁହଁ, ବେଲାଏ ବେଲାଏ ଠୁଙ୍କୁଥିବୁ ବସିଥିବୁ ଏମିତି ଗାଳି ଦିଏ । କାଲି ଢେର ଗାଳି ଦେଲା, ଧୂଆଁପତ୍ର କିଣିବା ଲାଗି ଧାନ କାଢ଼ି ଦେଲା ନାହିଁ, ଖଳାରେ ଯେ ଅଗାଡ଼ି ଜମା ହୋଇଛି ତାକୁ ପାଛୁଡ଼ି ଧାନ କାଢ଼ି ଧୂଆଁପତ୍ର ଦୋକାନରୁ ଆଣିବାକୁ କହି ଯାଇଥିଲା । ଅଗାଡ଼ି ତିନିଥର ପାଛୁଡ଼ିଲିଣି, କାଲି ଢେର ପାଛୁଡ଼ିଲି, ମୁଠାଏ ବି ଧାନ ବାହାରିଲା ନାହିଁ । ବାପା ଆସି ଢେର ଗାଳି ଦେଲା । ଏଇ କଥା କହି ସାରି ମାଳତୀ ଧକେଇ ଧକେଇ ଢେର କାନ୍ଦିଲା ।

ପଦୀ ମୁହଁ ପୋଛି ଦେଇ କହିଲା, ମା, ଆଉ କାନ୍ଦନା, ଗୋପାଳଜୀ ମହାପ୍ରଭୁ ତତେ ରାଣୀ କରିବେ । ମୁଁ ରୋଜ ସଞ୍ଜବେଳେ ତୋ କଥା ପ୍ରଭୁଙ୍କୁ ଜଣାଉଛି । ତୁ ଦେଖୁ ନାହୁଁ, ମୁଁ ଏବେ ମଠକୁ ଏତେ ଯା-ଆସ କରୁଛି କିଆଁ । ତୁଚ୍ଛା ତୋ ଲାଗି ।

ମାଳତୀର ବିଭା ଲାଗି ମହାନ୍ତିଏ ଏବେ ଅଥୟ ହେଲେଣି । ଏଡ଼େ ଝିଅଟାକୁ ଘରେ ରଖିଛି, ସମସ୍ତେ ଛି ଛାକର କରୁଛନ୍ତି । ଢେର ଜାଗାରୁ ପ୍ରସ୍ତାବ ଆସିଲାଣି । ହେଲେ ଦର ପଟୁ ନାହିଁ । ମହାନ୍ତିଏ ମନରେ ବିଚାର କଲେ, ପନ୍ଦର ବର୍ଷର ଝିଅଟା ତ ଅତି ନିକୁଚ୍ଛରେ ପାଞ୍ଚ ଶହ ଟଙ୍କା ଖାଇଗଲାଣି, ତିନି ଶହ ଟଙ୍କାରେ ହେଲେ ଲାଭ ଆଉ, ମୂଳରୁ ରୋକ୍ ଠୋକ୍ ଦି ତିନି ଶହଟଙ୍କା ଲୋକସାନ । ମନରେ ସ୍ଥିର କଲେ, ସାତ ଶହ ଟଙ୍କାରୁ ଊଣା କନ୍ୟାସୁନା ହେଲେ ଝିଅକୁ ଛାଡ଼ିବେ ନାହିଁ ଝିଅ ପଛକେ ଦରବୁଢ଼ୀ ହୋଇ ଘରେ ବସିଥାଉ । ଘର କାମ ପାଇଟି ପାଇଁ ଆଉ ଗୋଟାଏ ଆସିଲେ ଖାଆନ୍ତା, ନୋହିଲା ଏଇଟା ଖାଇଲା । ଲୋକେ ନିନ୍ଦା କରୁଛନ୍ତି, କରନ୍ତୁ, ଲୋକ କଥାରେ କଣ ଅଛି । ସେଥିଲାଗି କଣ ଏତେ ଟଙ୍କା ଲୋକସାନ ସହିବି ।

ମହାନ୍ତିଙ୍କର ଏବେ ଦିନ ରାତି ଚିନ୍ତା । କେବେ ସାତ ଶହ ଟଙ୍କା ଘରେ ପଶିବ । ଦିନେ ତାଙ୍କ ମନ ଡାକିଲା, ମାଳତୀ ମୁହଁଟା ଟିକିଏ ଅଧିକ ସୁନ୍ଦର ଦିଶିଲେ କନ୍ୟାସୁନା ବାଡ଼ ବଢ଼ିବ ପରା । ପାଟି କରି ଡାକିଲେ, ଆଲୋ ମାଳତୀ । ଶୁଣ ଶୁଣ, ଏହି ନେ ମାଣେ ଧାନ, ଗୋପୀ ସାଉଦୋକାନରୁ ହଳଦୀ ତେଲ କିଣି ଆଣ । ହଳଦୀ ବାଟି ରଖିଥିବୁ, ଅଳ୍ପ ବୁନ୍ଦାଏ ତେଲ ମିଶାଇ ଦେବୁ, ଦାଣ୍ଡକୁ ବାହାରିଲା-ବେଳେ ସେହି ହଳଦୀ ଟିକିଏ ମୁହଁରେ ମାରି ଦେଇ ବାହାରିବୁ । କେହି ବାହା ବାତିନିଆ ଆସିଲେ ମୁହଁରେ ଟିକିଏ ବେଶି କରି ହଳଦୀ ବୋଳି ହେବୁ । ବୁଝି ଖବରଦାର୍ । ଆଇତି ସାଇତି ଖରଚ କରିବୁ, ଏଇ ହଳଦୀ ତେଲ ଯେମନ୍ତ ପୁରା ମାସେ ଯାଏ ।

ମାଳତୀ ମୁଣ୍ଡ ପୋତି ଦେଇ ବାପା କଥା ସବୁ ଶୁଣିଲା- କଣ ତା ମନକୁ ଆସିଲା, ଘର ଭିତରେ ଅନ୍ଧାର କୋଣିଆ ବସି ମା । ମା । କହି ଢେର ବେଳ ଯାଏ କାନ୍ଦିଲା । ମାଳତୀ ଢେରଥର ଏହିପରି ବସି କାନ୍ଦେ, ଆପେ ତୁନି ହୁଏ ।

ସକାଳ ଓଳି ଦିନ ଘଡ଼ିକ ବେଳେ ମହାନ୍ତିଏ ଆଗ ଦାଣ୍ଡ ପିଣ୍ଡାରେବସି ପିକା ବଳୁଛନ୍ତି, ବିଲ କାମ ଦେଖିବାକୁ ବାହାରିଲେ । ଟିକିଏ ଆଡ଼େଇ ଅନାଇ ଦେଲେ, ଯୋଡ଼ିଏ ବାଟୋଇ ବୁଢ଼ାବେଢ଼ା ଉପରକୁ ଉଠୁଛନ୍ତି । ବାଟୋଇମାନେ ଧୋବଧାବଳିଆ ଭଲଲୋକ ପରି ଦିଶିଲେ । ମହାନ୍ତିଏ ମନରେ କଲେ, କେଜାଣି ଧୂଆଁପତ୍ର ମାଗିବେ ପରା । ପାଖରେ ଟିକିଏ ଧୂଆଁପତ୍ର ପଡ଼ିଥିଲା, ଚଞ୍ଚଳ ଅଣ୍ଟାରେ ଖୋସି ଦେଲେ ।

ଆଗ ବାଟୋଇ- ଆହେ । ଏଇଟା କଣ ମାଧ ମହାନ୍ତିଙ୍କ ଘର ।

ମହାନ୍ତିଏ- କିଆଁ । କଣ ବୋଲି ଯାଉନ୍ତୁ ।

ବାଟୋଇ- ଆମ୍ଭେମାନେ ମଙ୍ଗଳକୃତ୍ୟ ପ୍ରସଙ୍ଗରେ ଆସିଛୁ-ଆପଣ କଣ ମାଧ ମହାନ୍ତିଏ ।

ମହାନ୍ତିଏ- ଆସିବା ହେଉ, ବସିବା ହେଉ । ଚଞ୍ଚଳ ଘର ଭିତରୁ ଆଣି ଦୁଇଖଣ୍ଡ ପଲାଣ ତାଟ ପାରିଦେଲେ । ବାଟୋଇମାନେ ବସିବାରୁ ମହାନ୍ତିଏ ଏକାବେଳକେ କଥା ଆରମ୍ଭ କରି ଦେଲେ । ବୁଝିବାହେଲେ, ଢେର ଢେର ଆଡୁ ଢେର ଢେର ଲୋକ ଅଇଲେ- ଗଲେ, କଥା ପଟିଲା ନାହିଁ । ବୁଝିବାହେଲେ- ଏଁ- ବୁଝିବା ହେଲେ- ନାହିଁ, ନାହିଁ, ଆଗେ କନ୍ୟାଟି ଦେଖନ୍ତୁ, ମନ ମାନେ, ପଛନ୍ତେ ଦେବା ନେବା କଥା । ଆଲୋ ମାଳତୀ । ଏହି ଭଲଲୋକ ଆସିଛନ୍ତି, ଅଗଣାରେ ଛିଡ଼ା ହୋଇଯା ତ । ଆଲୋ, ମୁଁ ଯାହା କହିଛି- ଏଁ, ବୁଝିଲୁଟିକି ।

ଭଲଲୋକେ- ନାହିଁ ନାହିଁ ମହାନ୍ତିଏ, ଦେଖିବା ଲୋଡ଼ା ନାହିଁ- ତୁମ କନ୍ୟାର ରୂପ ଗୁଣ କଥା ଭଲ ଜଣା ଅଛି । ସେଇଥିଲାଗି କୁଆଡ଼େ ନ ଯାଇ ସଳଖେ ସଳଖେ ତୁମ ଦୁଆରକୁ ଅଇଲୁଁ ପରା ।

ମହାନ୍ତିଏ- ତେବେ ଗୁଡ଼ାଏ ବକର ବକର ହେଲେ କଣ ହେବ, ଆମର ତ ସାଫ ଏକା କଥା । ଗୋଟିଏ ରା- ବୁଝନ୍ତୁ, କନ୍ୟାସୁନା ଠିକ୍ ସାତଶହ ଟଙ୍କା । ପଇସାଏ, ଅଧଲାଏ, ଛଦାମ ବି ଉଣା ନୁହେଁ ।

ଭଲଲୋକେ- ଅନ୍ୟାୟଟା କଣ କହିଲେ । କନ୍ୟାରୂପ ଗୁଣକୁ ଅନାଇଲେ ଠିକ୍ ଦରଦାମ୍ ହୋଇଛି । ଆମ ଜମିଦାର ବି କହିଥିଲେ, ଆପଣ ବିଚାର କରି ଯାହା କହିବେ, ସେଥିରୁ ସେ ବାହାର ହେବେ ନାହିଁ ।

ମାଧ ମହାନ୍ତି- ଏଁ- ଏଁ ବର କଣ ଜମିଦାର । କେଉଁଠି ତାଙ୍କ ଜମିଦାରୀ ।

ଭଲଲୋକ- ବରଙ୍କ ନାମ ଶ୍ରୀ ଶ୍ରୀ ବିନୋଦବିହାରୀ ଗନ୍ତାଘରରାୟ । ତାଙ୍କ ଘର ମିଛୁପୁର, ଜମିଦାରୀ ତାଲକେ ଆକାଶପୁର ।

ମାଧ ମହାନ୍ତି- ଦଣ୍ଡେଯାଏ ଗୁମ ମାରି ବସି ବିଚାର କଲେ- ହାୟ ହାୟ । ଏ ବରଟା ବଡ଼ଲୋକ, ହଜାରେ ଟଙ୍କା ଧରିଥିଲେ ଦେଇ ପକାଇଥାନ୍ତା । କାହିଁକି ହଜାରେ ଡାକିଦେଲି ନାହିଁ । ପ୍ରକାଶ୍ୟରେ କହିଲେ- ଆମ ଜାତିଆଣ ବେଭାରଟା ତ ଜାଣନ୍ତି, ବିଭାଲଗୁତି ଊଣା ପୁରା ତିନିଶ ଟଙ୍କା । ଆପଣ ତ ବିବେକୀ ଲୋକ, ଜାଣନ୍ତି । ଏଇଟା ବର ପିଠିରୁ ଦେବାକୁ ପଡ଼େ ।

ଅବଶ୍ୟ ଅବଶ୍ୟ, ଏ କଥାଟା କଣ କହିବାକୁ ହେବ । ସେଇଟା ତ ବର ପିଠିରୁ ଦେଣ ।

ମାଧ ମହାନ୍ତି- କଥା ଛିଡ଼େଇ ରଖିବା ଭଲ । ଏହି ଦେଖନ୍ତୁ, କନ୍ୟାସୁନା ଆଉ ବିଭାଲଗୁତି ଦୁଇ ପଦକୁ ହେଲା ହଜାରେ ବର ଯିମିତି ପହଞ୍ଚିବେ, ଆଗେ ଟଙ୍କା ଗଣିଦେବେ, ପଛନ୍ତେ ବାଟବରଣ ହେବ । କଥାଟା ଭଲ କରି ମନରେ ରଖିଥିବେ ।

ଭଲଲୋକ- ଏଇଟା ତ ମାମଲତ କଥା, ସଂସାର ବିଧି ଆପଣଙ୍କୁ କହିବାକୁ ହେବ ନାହିଁ । ଦଶ ଜାଗାରେ ଏହିପରି ହେଉଛି, ଆଜି କଣ ନୂଆ ଗୋଟାଏ କଥା ହେବ ।

ମାଧ ମହାନ୍ତି- ଠିକ୍ ଠିକ୍, ଆପଣ ବିବେକୀ ଲୋକ, ମାମଲତକାର, ଆପଣଙ୍କୁ ବଳି ମାମଲତକାର ଆଉ କିଏ ଅଛି । ଆଉ ଗୋଟିଏ କଥା- ବିଭାଘର ଆୟୋଜନ କରିବାକୁ ହେବ, ଗୋଟା କୋଡ଼ିଏ ଟଙ୍କା ଚଞ୍ଚଳ ଲୋଡ଼ା । ଏଁ ଏଁ- ଆପଣଙ୍କୁ କଣ କହିବି- ଏଁ- ଏଁ ।

ମହାନ୍ତିଙ୍କ ମୁହଁକଥା ମୁହଁରେ ଅଛି, ଭଲଲୋକ ଅଣ୍ଟାରୁ କାଢ଼ି ଅଗଣା ଅପୋଛା ମୁଠାଏ ଟଙ୍କା ଝଣ କରି ମହାନ୍ତିଙ୍କ ଆଗକୁ ଫୋପାଡ଼ି ଦେଲେ । ଏଁ- ଏଁ କହି ମହାନ୍ତିଏ ଚଞ୍ଚଳ ଦୁଇ ହାତରେ ଟଙ୍କାଗୁଡ଼ାକ ଗୋଟାଇ ପକାଇଲେ, ଲୁଗା ଭିତରେ ଏକ ଦୁଇ କରି ଗଣି ଗଲେ କୋଡ଼ିଏ ପାଞ୍ଚ । ଆନନ୍ଦଟା ମନରେ ସମ୍ଭାଳି ହେଉ ନାହିଁ । ମନରେ କଲେ, ଏତେଦିନେ କପାଳ ଫିଟିଲା । ଏଣୁତେଣୁ ପାଞ୍ଚ କଥା ଉତ୍ତାରେ ଏକାବେଳକେ ବିଭାଘର ଦିନ ସ୍ଥିର ହୋଇଗଲା । ଆସନ୍ତା ମକର ସତରଦିନ, ଶୁକ୍ରବାର, ଶୁକ୍ଳ ସପ୍ତମୀ ।

ଭଲଲୋକ ଅନାଇ ଦେଖିଲେ, କବାଟ ତଳ ଫାଙ୍କ ଭିତରକୁ ଯୋଡ଼ିଏ ପାଦ ସ୍ଥିର ହୋଇ ରହିଛି । ପାଦ ଯୋଡ଼ିକର ଉପର ପାପୁଲି ଏବଂ ଚମ୍ପାକଢ଼ି ପରି ଗୌରବର୍ଣ୍ଣ ଦଶଟି ଆଙ୍ଗୁଳି ଦିଶୁଛି ।

ଭଲଲୋକ ଟିକିଏ ବଡ଼ ପାଟି କରି କହିଲେ- ବୁଝିବା ହେଲେ ମହାନ୍ତିଏ, ଆମେ ତ କନ୍ୟା ରୂପ ଗୁଣ କଥା ସବୁ ବୁଝିଗଲୁ, ଗାଁରେ ଯାଇ କହିବୁ । ଆପଣ ତ ବରଙ୍କ କଥା କିଛି ଶୁଣିଲେ ନାହିଁ, ଆମର କହିଦେବା ଉଚିତ ହେଉଛି । ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତେହକି ବିଭା । ବରଙ୍କ ବୟସ ଏହି ମାଘରେ ପଞ୍ଚଷଠି ପଶିବ ।

ଭଲଲୋକ କବାଟ ପଛରୁ ଫଁ କରି ଗୋଟିଏ ନିଶ୍ୱାସ ଶବ୍ଦ ଶୁଣିଲେ- ପାଦଯୋଡ଼ିକ ଆଉ ଦିଶିଲା ନାହିଁ ।

ମାଧ ମହାନ୍ତିଏ କହିଲେ, ଏତେ କଥା କିଏ ପଚାରୁଛି ହେ । ପୁରୁଷ ପୁଅର ବୟସ କଣ ଧରୋଟ ଭିତରେ । ଅଶୀ ବର୍ଷର ପୁରୁଷ ବି ବିଭା ହୋଇ ପାରେ । ମୂଳ କଥାଟା ବୋଲନ୍ତୁ- ମୁଁ ଏବେ ଆପଣଙ୍କ କଥାରେ ଖାତରଜମା ହୋଇ ରହିଲିଟି ।

ମଧ୍ୟସ୍ଥ- ମହାନ୍ତିଏ, ଆପଣ ଏଡ଼େ ମାମଲତକାର ବୁଦ୍ଧିମନ୍ତ ଲୋକ ହୋଇ କେମନ୍ତ ଗୋଟାଏ ଅଖାଡୁଆ କଥା ବୋଲି ବସିଲେଣି । ଆମ ଜମିଦାର ଘରେ କଣ ଜାଗା ନଥିଲା ଯେ, ତୁମ ଆଗରେ ଟଙ୍କାଗୁଡ଼ାଏ ଓଜାଡ଼ି ଦେଇଗଲୁ ।

ମହାନ୍ତିଏ ଟିକିଏ ସଟ୍‌ପଟି ଯାଇ କହିଲେ, ନାହିଁ ନାହିଁ, ମୁଁ କହୁଥିଲି କଣ କି, ବିଭାଦିନ ଟିକିଏ ଚଞ୍ଚଳ ବରଙ୍କୁ ଅନୁକୂଳ କରାଇ ଦେବେ, ଯେମନ୍ତ ଠିକ୍ ଲଗ୍ନ ବେଳେ ହାତଗଣ୍ଠି ପଡ଼ିବ ।

ଭଲଲୋକ ଦୁହେଁ ଭାରି ଭକ୍ତିରେ ଯୋଡ଼ାଏ ଦଣ୍ଡବତ କରି ଚାଲିଗଲେ ।

ଆଜି ମାଳତୀର ଆଦର ଦେଖେ କିଏ । ତୁଚ୍ଛାଟାରେ ହେଲେ ଆରେ ମା, ଯାରେ ମା, କହି ମହାନ୍ତିଏ ଦଶଥର ଝିଅକୁ ଆଦର କରି ଡାକୁଛନ୍ତି । ମହାନ୍ତିଙ୍କର ଷୋଳପଣି ବିଶ୍ୱାସ, ପୁରା ହଜାରେ ଟଙ୍କା ତାଙ୍କ ଘରେ ପଶିବ । ମହାନ୍ତିଏ ଯେତେ ଆଦର କରି ଡାକୁଛନ୍ତି, ମାଳତୀ ମନରେ ତେତେ କୋହ ଉଠୁଛି । ମହାନ୍ତିଏ ଖୁବ୍ ମନଫୁଲଣାରେ ଖଣ୍ଡେ ସାନ ଅଖା, ଡାମ୍ଫଣ ଛଣିସୂତା ଘେନି ବିଲକୁ ବାହାରିଲେ । ହିଡ଼ ଉପରେ ବସି ମୂଲିଆମାନଙ୍କ କାମ ତନଖି କରିବେ, ଆଉ ଟଙ୍କାରଖା ମୁଣିଟିଏ ସିଇଁବେ ।

ଆଜି ମାଳତୀର ଆଉ ଘର ପାଇଟିରେ ମନ ନାହିଁ । ଦାଣ୍ଡଦୁଆର କିଳିଦେଇ କବାଟମୂଳରେ ତୁନି ହୋଇ ବସି କାନ୍ଦୁଛି । କବାଟ ବାହାରୁ ଠୁକ୍‌ଠୁକ୍ ଶବ୍ଦ ହେଲା, ହାତ ବାରି କବାଟ ଫିଟାଇ ଦେଲା । ପଦୀ ଯିମିତି ଘର ଭିତରେ ପା ଦେଇଛି, ମାଳତୀ ତା ଦୁଇ ଗୋଡ଼ ଧରି ଡକା ପାରୁଛି, କାନ୍ଦି କାନ୍ଦି ଅଥୟ ହୋଇଗଲାଣି । ପଦୀ ତାକୁ ଯେତେ ତୁନି କରାଉଛି, ଶୁଣୁଛି କିଏ ।

ହାମଦରଦୀ ଲୋକ ପାଖରେ କାନ୍ଦି ମନକଥା କହିଲେମନକଷ୍ଟ ଟିକିଏ ଊଣାପଡ଼େ । ମାଳତୀ ଯିମିତି ଟିକିଏ ଧୈର୍ଯ୍ୟ ଧରିଛି, ପଦୀ କହିଲା, ଆରେ ବାୟାଣି । କଥା ନ ବୁଝି କିଆଁ ଡକା ପାରୁଛୁ । ଆଜି ଭଲଲୋକ ଆସିବା- ଯେ ସବୁ କଥା ହେଲା, ମୁଁ ସବୁ ଜାଣେ । ସେସବୁ କଥା ଗୋଡ଼ରେ ଘଷି ଦେ ମ, ସବୁ ମିଛ, ତୁଚ୍ଛା ମିଛ । ମୁଁ ଯାହା କହୁଛି, ଶୁଣି ଯା । ଆଜିକି ସାତ ଦିନ ହେଲା, ମୁଁ ଠାକୁରଙ୍କ ପାଖରେ ତୋ ଲାଗି ଅଧ୍ୟା ପଡୁଥିଲି । ମହନ୍ତ ପୂଜା କରୁଥିଲେ, କାଲି ଅଧରାତିରେ ମହାପ୍ରଭୁଙ୍କ ପାଖରୁ ବର ମିଳିଲା । ମହାପ୍ରଭୁ ମହନ୍ତକୁ ସ୍ୱପ୍ନରେ କହିଲେ, ତୁ ମଠ ସରଘରିଆ ବିନୋଦକୁ ବିଭା ହେବୁ । ପୃଥିବୀ ଟଳିଯିବ, ଠାକୁରଙ୍କ ହୁକୁମ ଅନ୍ୟଥା ହେବ ନାହିଁ । ତୁ ନିଶ୍ଚିନ୍ତରେ ଥାଆ ।

ଆଁ-ଆଁ କହି ମାଳତୀ ପଦୀ ମୁହଁକୁ କଟାଶଟି ପରି ଅନାଇଛି, ତା ମୁହଁରୁ କଥା ବାହାରୁ ନାହିଁ । ଶେଷରେ ଧୈର୍ଯ୍ୟ ଧରି କହିଲା, ମା, ଜାଣିଥା- ସେ ବର ଆସିଲେ ମୁଁ ଦଉଡ଼ି ଦେବି ।

– ତା’ପରେ –

ଲୋକପ୍ରିୟ ଲେଖା

To Top