ଘଟଣା ଏମିତି ଏକ ସମୟକୁ ସାଙ୍ଗରେ ଆଣି ତା ପରିବାର ମଝିରେ ଠିଆ ହେବା ଦେବାନ୍ନା କେବେ ବି ଭାବିନାହିଁ । ତା ଛୋଟ ସଂସାର, ସୀମିତ ରୋଜଗାର, ନିରନ୍ଧ୍ର ଆତ୍ମୀୟତା, ଆତଙ୍କବାଦୀଙ୍କ ବମ୍ବାରି ପରର ଦୃଶ୍ୟପରି ବିକ୍ଷିପ୍ତ, ଅବିନ୍ୟସ୍ତ । ସ୍ତ୍ରୀ ମଧୁ, ବଡ଼ପୁଅ ଚନ୍ଦନ ତାକୁ ଅପରିଚିତ ଲାଗୁଛନ୍ତି । ଯଦିଓ ସେମାନେ ସେପରି ନୁହଁନ୍ତି କି ନଥିଲେ । ଝିଅ ଲୋପା କଥା ଛାଡ଼ । ଗୋଟେ କିଡ୍ନୀ ହରାଇ ଅର୍ଥାଭାବରୁ ରୋଗଶଯ୍ୟାରେ । ବିଛଣାରେ ପଡ଼ିଛି । ବାପ ହିସାବରେ ଝିଅ କଥା ସିଏ ଭାବି ନାହିଁ । ବରଂ ପରିବାରର ଆର୍ଥିକ ଦୁର୍ଗତି ସମସ୍ତଙ୍କୁ ବାଧ୍ୟ କରିଚି ଝିଅର ଭାବନା ଭାଗବାନଙ୍କ ଉପରେ ଛାଡ଼ି ଦେବାକୁ ।
ଶେଷ ପାସେଞ୍ଜର ଜଣକୁ ଷ୍ଟେସନ୍ରେ ଛାଡ଼ି ଦେବାନ୍ନା ଘରକୁ ଫେରିଚି । ପ୍ରିତିଦିନ ପରି ଗାଡ଼ି ଧୂଆପୋଛା କରି ଧୂପ ଲଗେଇଲା ବେଳେ ଅଟୋ ସିଟ୍ ପଛରେ ଗୋଟେ ବ୍ୟାଗ୍ ଦେଖି ଚକିତ । ତାକୁ ଦେଖି ସିଏ ମନେ ପକଉଚି କେଉଁ ପାସେଞ୍ଜର ତାହେଲେ ଭୁଲ୍ରେ ଛାଡ଼ିଚି । ବ୍ୟାଗ୍ଟା ମଧ୍ୟ ଦାମୀ ଲାଗୁଚି । ତାର ଠିକ୍ ମନେଅଛି ଶେଷ ଭଡ଼ା ପୂର୍ବରୁ ଅଏଲସିଲ୍ ଚେକ୍ କରିବା ପାଇଁ ମିଟର ବାଡ଼ିଟା ଖୋଜିବାବେଳେ ସାରା ଗାଡ଼ିଟା ଦରାଣ୍ଡିଚି । ଏମିତି କିଛି ହେଲେ ଜିନିଷତା ନଜରକୁ ଆସିନାହିଁ । ତେବେ ବ୍ୟାଗଟା ନିଶ୍ଚୟ ସେଇ ପାସେଞ୍ଜରର ହେଇଥିବ, ଯିଏ କାହିଁକି କେଜାଣି ହୀରାଖଣ୍ଡ ଟ୍ରେନ୍ ଧରିବାକୁ ଖୁବ୍ ବ୍ୟସ୍ତ ଥିଲେ । ତାକୁ ବାରମ୍ୱାର ଶୀଘ୍ର ଅଟୋ ଚଳେଇବାକୁ କହୁଥିଲେ । ଏମିତିକି ଅଟୋ ଷ୍ଟେସନ୍ ଧରୁ ଧରୁ ସିଏ ଗାଡ଼ିରୁ ଓହ୍ଲେଇପଡ଼ି ତରତରରେ ଭଡ଼ା ପଇସା ବଢ଼େଇ ଦେଇ ଗହଳି ଭିତରେ ମିଶିଗଲେ ।
ଦେବାନ୍ନା ସ୍ଥିର ନିଶ୍ଚିତ ହେଇ ଉଠୁଚି ବ୍ୟାଗ୍ଟା ସେଇ ଭଦ୍ରବ୍ୟକ୍ତିଙ୍କର । ବ୍ୟକ୍ତିଜଣକ ଖୁବ୍ ସମ୍ଭ୍ରାନ୍ତ । ତେବେ ଏବେତ ରାତି ଦଶ । ଚାହିଁଲେ କିଛି ବି କରିହବନି ।
ଘର ଭିତରେ ସ୍ତ୍ରୀ ମଧୁ, ପୁଅ ଚନ୍ଦନ ସହିତ ଦେବାନ୍ନାର ବିଚାର ବିମର୍ଶ । ମଝିରେ ଥୁଆ ହେଇଚି ଗରିବ ଅଗଣାରେ ଚକାଜହ୍ନ ପରି ଦାମୀ ବ୍ୟାଗଟା । କିଛି ସମୟ ପରସ୍ପର ମୁହଁ ଚାହାଁଚାହିଁ ପରେ, ଚିନ୍ତିତ ସ୍ୱରରେ ଦେବାନ୍ନା କହିଲା- ଠିକ୍ ଅଛି ଆଜି ରାତିଟା ତ । କାଲିକି ନେଇ ଥାନାରେ ଜିମା ଦେଇ ଦେବା । ଯାହାର ଜିନିଷ ସିଏ ବଳେଖୋଜି ନେଇଯିବନି ।
ସ୍ତ୍ରୀ ମଧୁ ମଧ୍ୟ ଦେବାନ୍ନା କଥାରେ ସମ୍ମତି ଜଣେଇଲା- ହଁ ହଁ ସେଇଆ କର । କିଏ ବିଚାରା ଜିନିଷଟା ଛାଡ଼ି ଦେଇଯାଇଚି । କି ହଇରାଣ ହଉଥିବ ସେ, କିଏ ଜାଣେ ।
ଚନ୍ଦନ ବାପାଙ୍କର ଭୋଳାପଣ ସହ ପରିଚିତ । ତାଙ୍କ ସଚ୍ଚୋଟପଣିଆ ସହ ମଧ୍ୟ । ଅଟୋ ଚଳେଇ ପରିବାର ଚଳେଇବା ତାଙ୍କର ପନ୍ଦରବର୍ଷ ହୋଇଗଲା । କାହାଠୁ ଠକି ନେବା, ଚୋରି କରିବା ତାଙ୍କ ଧିଅକରେ ହେଇନି । ସହରର ଅଟୋ ମହାସଂଘ ତାଙ୍କର ଏଇଗୁଣ ପାଇଁ ତାଙ୍କୁ ମୁରବି କରିଛି । ଅଟୋ ଚାଳକମାନଙ୍କ ମଧ୍ୟରେ ଭଡ଼ା ନେଇ, ଗାଡ଼ି ନମ୍ୱର, ଷ୍ଟପେଜ ନେଇ ପ୍ରତିଦିନ ସମସ୍ୟା । ବେଳେବେଳେ ମାଡ଼ପିଟ, ଥାନା ପୋଲିସ । କିଏ କେଉଁଠି ପାସେଞ୍ଜରକୁ ଲୁଟିଲାଣି ତ କିଏ ଆକ୍ସିଡ଼େଣ୍ଟ କଲାଣି । ସବୁ କଥାରେ ଦେବାନ୍ନା ମୁରବି । ସମସ୍ତେ ମାନନ୍ତି । କେବେ ସିଏ ଅନ୍ୟାୟ କରେନା କି ଅସତ୍ୟର ପକ୍ଷ ନିଏନା । ଭଡ଼ା ପାଇଁ ବେଳେବେଳେ ଭିଡ଼ା ଓଟରା ହେଉଥିବା ଡ୍ରାଇଭର୍ମାନଙ୍କୁ ସିଏ ନିଜ ଭଡ଼ା ନମ୍ୱର ମଧ୍ୟ ଛାଡ଼ିଦିଏ । ଖାଲି ପକେଟ୍ରେ ଘରକୁ ଆସି ମଧୁ ଆଗରେ କହେ- ବୁଝିଲ ଆଜି ଦିନଟା ଶୂନ୍ରେ ଗଲା । ଆଜିକାଲିକା ପିଲାଗୁଡ଼େ ପଶି ଆସିଲେଣି ଏ ଲାଇନ୍କୁ । ବ୍ୟାଙ୍କବାଲା ବି ଋଣ ଦବାକୁ ଟାକି ବସିଛନ୍ତି । ଗାଡ଼ି ଅଧିକକୁ… ଛାଡ଼ ଛାଡ଼ । ସହଜେ ଆଜି ପାଗ ମାନ୍ଦାକୁ ରବିବାର । ଗୋଟେ ନମ୍ୱର ଆସିଲା ଯେ… ।
ମଧୁ ଏତିକି କଥାରୁ ବୁଝିନିଏ ସ୍ୱାମୀର ମନ କଥା । ଚଟାପଟ୍ ଅନୁମାନ ଲଗେଇ କହିଦିଏ- କହିବତ ଆଜି କିଏ ନମ୍ୱର ପାଇଁ ଠେଲାପେଲା ହେଇଥିବେ ଆଉ ତମେ ମୁରବିପଣିଆ ଦେଖେଇ ନିଜ ଭଡ଼ା ସେମାନଙ୍କୁ ଦେଇ ଦେଇଥିବ ।
ମଧୁର ବକ୍ରୋକ୍ତିରେ ସାମାନ୍ୟ ପ୍ରତିକ୍ରିୟା ନଥିବ ଦେବାନ୍ନାର । ନିରୁତ୍ତର ସ୍ୱରରେ କହୁଥିବ- କିଏ କାହାକୁ ଛାଡୁଚି ସତରେ । ଆମ ହାଣ୍ଡିର ଯିଏ ନୁହଁ ସିଏ ଆମ ପାଖକୁ କେମିତି ଆସିବ ।
– ହ…ଅ, ତମକୁ ତ ସବୁ ଜଣା, କିଏ ଆମ ହାଣ୍ଡିର କିଏ ଆଉ କାହାର । ହଉ ଆସ ଧୁଆଧୋଇ ହୁଅ । ଆସିବା ବେଳକୁ ଗୁଣ୍ଡସାବୁନ୍ ପ୍ୟାକେଟ୍ ପାଇଁ କହିଥିଲି ମୁଁ ଜାଣେ ଆଣିନଥିବ । ବାବୁ ତ ଫେରିଲେ ଖାଲି ମାଖୁନା ଫେରଫାର୍ ହେଇ । କେମିତି ଆସିବ ସାବୁନ୍ଗୁଣ୍ଡ । ପିନ୍ଧୁଥାଅ ସେମିତି ମଳି କୋଚଟ ପ୍ୟାଣ୍ଟସାର୍ଟ ।
ମାମୁଲି ଚାହିଦା, ଛୋଟ ଛୋଟ ମାନ ଅଭିମାନ, ଧୁଆପୋଛା ପ୍ରୀତି, ସମାନ ଭାଗବଣ୍ଟୁରାର ଦୁଃଖସୁଖକୁ ନେଇ ଦେବାନ୍ନାର ପରିବାର ଭାରି ସ୍ୱାଭାବିକ । ଏମିତିକି ଝିଅର ଆରୋଗ୍ୟ ଓ ଈଶ୍ୱରଙ୍କ ଇଚ୍ଛାକୁ ନେଇ ସମସ୍ତେ ଆଶାବାଦୀ । ଦେବାନ୍ନାର ସଂସ୍କାରର ଛାପ ସବୁଠି, ସମସ୍ତଙ୍କ ଠି ।
କାଲି ସକାଳେ ବ୍ୟାଗଟା ଥାନାରେ ଦିଆଯିବ । ଏଇ ନିଷ୍ପତ୍ତି ପରେ ସମସ୍ତେ ଶୋଇବାକୁ ଯିବା ପୂର୍ବରୁ ବଡ଼ପୁଅ ଚନ୍ଦନ କଥା ସମସ୍ତଙ୍କୁ ଶଙ୍କାକୁଳ କରିଛି । ସାମାନ୍ୟ ପ୍ରତିବାଦ ସ୍ୱରରେ ସିଏ କହିଲା- ବାପା ଆପଣ ଯାହା କହୁଛନ୍ତି ଠିକ୍ । ପୋଲିସ୍ ହାତରେ କାଲିକି ଆପଣ ଏ ବ୍ୟାଗ୍ଟା ଜିମା ଦେଇଦେବେ । କିନ୍ତୁ ଆଜି ରାତିଟା ଆମ ଘରେ ୟାକୁ ରଖିବେ ଯେ ।
– ମାନେ । ଦେବାନ୍ନା ଚମକି ପଡ଼ିଲା ପୁଅ କଥାରେ ।
– କିଏ ଜାଣେ ଏତେ ଦାମିକା ଦିଶୁଥିବା ବ୍ୟାଗ୍ରେ ଗଞ୍ଜା, ହିରୋଇନ୍ କି… ।
– ନା… ନା… ସେମିତି ହେଇନଥିବ । ଚଟାପଟ୍ ଉତ୍ତର ରଖିଲା ଦେବାନ୍ନା ।
– ହେ ଭଗବାନ୍ । ମୋ ମଗଜରେ ଏତେ କଥା ତ ପଶିନି । ଆହେ ସେମିତି ହେଇନଥିବ ବୋଲି କିଏ କହିବ । ଆଜିକାଲି ତ କେତେ ବିଚିତ୍ର କଥା ଘଟୁଚି । ହେଇଟି ତମେ ଏଇଟାକୁ ଆଜିରେ ପୋଲିସ୍ ଥାନାରେ ନେଇ ଧରେଇ ଦିଅ । ନଇଲେ ରାତି ଅଧରେ ପୋଲିସ୍ ଆସି ଆମ ଘରେ ନ ପଶିବ କିଏ କହିବ । ବିକଳ ସ୍ୱରରେ କହିଲା ମଧୁ ।
– ତା ମାନେ… ରାତି ବାରଟାରେ ମୁଁ ଥାନାକୁ ଯିବି ନା କଣ । ବ୍ୟାଗ୍ ଖୋଲିବା ନିଷ୍ପତ୍ତି ଚମକପ୍ରଦ ନଥିଲା । ବରଂ ଖୋଲିବା ପରର ଘଟଣା ଥିଲା ଅବିଶ୍ୱସନୀୟ ଭାବରେ ଚକିତକାରୀ । ତମାମ୍ ଜୀବନରେ ଏକାଥରକେ ଏତେଗୁଡ଼ାଏ ଟଙ୍କା ଦେଖିବା ଦେବାନ୍ନା ପରିବାର ପାଇଁ ଥିଲା ପ୍ରଥମ । ଆଗକୁ କେବେ ଦେଖିପାରିବ ଏକଥା ବି ସ୍ୱପ୍ନ ।
– ଆହାଃ ଏତେଗୁଡ଼ାଏ ଟଙ୍କା ହଜେଇ ବିଚାରା ଭଦ୍ରଲୋକ କି ବିପଦରେ ପଡ଼ିଯାଇଥିବେ । କେତେ ମନସ୍ତାପ ଭିତରେ ଘାଣ୍ଟି ହଉଥିବେ । ନିଜକୁ ନିଜେ କହିହେଲା ଦେବାନ୍ନା ଏବଂ ବ୍ୟାଗ୍ଟାକୁ ଶୋଇବା ଘରର ଆଲମିରାରେ ସଯତ୍ନେ ରଖିଲା ।
ଗୋଟିଏ ବିଛଣାରେ ଦେବାନ୍ନା ପାଖରେ ଶୋଇ ଶୋଇ ରାତି ଅନ୍ଧାରରେ ଛଟପଟ୍ ହଉଚି ମଧୁ । ଆଖିରେ ନିଦ ନାହିଁ । ଘର ସଂସାର କରିବା ଦୀର୍ଘ ତିରିଶ ବର୍ଷ ହୋଇଗଲା, ଗୋଟିଏ ନିମ୍ନମଧ୍ୟବିତ୍ତ ଚଳଣିକୁ କାନିରେ ଗଣ୍ଠି ପକେଇ ମନର ସବୁ ଓରମାନାକୁ ମଧ୍ୟ ସେଇଠି ରଖିଦେଇଚି । ପୁଅକୁ ତା ଚାହିଁବା ପରି ପଇସା ନ ଦେଇପାରି ଅଧାରେ ରଖିଚି ପାଠପଢ଼ା । ଝିଅଟା ସ୍କୁଲଯିବାକୁ ଖଣ୍ଡେ ସାଇକେଲ୍ ପାଇଁ ଅଳି କରୁଥିବା ସମୟରେ ବ୍ୟାଧିଗ୍ରସ୍ତ । ନଷ୍ଟ ହେଇଯାଇଥିବା ଗୋଟେ କିଡ୍ନୀ ପାଇଁ ଆଖି ପାଉନଥିବା ଅର୍ଥର ଅଭାବ ପାଖରେ ହାତ ଟେକି ଦେଇଚି । ଭାତ ଡାଲିର ସଂସାର ଭିତରେ ବଞ୍ଚି ରହିବାଟା ଗୋଟେ ମୁମୂର୍ଷୁ ଆବେଗ ପରି ରହିଚି କେବଳ । ସବୁ ପରେ ବି ଏତିକି ସାନ୍ତ୍ୱନା ଯେ ମଣିଷ ପରି ମଣିଷଟିଏ ସ୍ୱାମୀ ଭାବରେ ପାଇଚି । ଅଥଚ ସେସବୁ ନିଜ ନିଜ ଜାଗାରେ ସ୍ୱାଭାବିକ ଥିବାବେଳେ ଆଜି କାହିଁକି ତା ଭିତରେ ଏ ବିଚଳନ । କାହିଁକି ଏ ଅଳୀକ ଭାବନା ।
ମଧୁ ଥରକୁ ଥର ନିଜକୁ ପଚାରୁଥିବା ଏଇ ପ୍ରଶ୍ନର ଉତ୍ତର ତା ମନକୁ ଆସୁଚି- ଆଜି ପ୍ରଥମଥର ହାତ ପାଆନ୍ତାରେ ଦେଖିଥିବା ଏତେଗୁଡ଼ାଏ ଟଙ୍କା । ଗୋଟେ ଅନବଦମିତ ଇଚ୍ଛା ତାକୁ ବାରମ୍ୱାର ବାଧ୍ୟ କରୁଚି- ଝିଅଟାକୁ ଜନ୍ମ ଦେଇଚୁ ପରା କଣ ସାରାଜୀବନ ପଙ୍ଗୁ କରି ଘରେ ରଖିବାକୁ । କି ଦୋଷ କରିଚି ସେ କିଶୋରୀ ଝିଅଟା । ଯିଏ ବର୍ଷ କେଇଟା ପରେ ଗୋଟେ ନୀଡ଼ ରଚିବାର ସ୍ୱପ୍ନ ଦେଖିଥାନ୍ତା, ଅଥଚ କେଇଟା ଟଙ୍କା ପାଇଁ… ନା ।
ପୁଣି ମଧୁ ମନକୁ ଆସୁଚି ଏ ଦୁନିଆଁରେ କିଛିର ଅଭାବ ନାହିଁ, ଟଙ୍କାର- ନା କିଡ୍ନୀର । ଅଭାବ ଅଛି କେବଳ ତାକୁ ହାସଲ କରିବାର କଳା । ଯେଉଁ କଳାରେ ନା- ସି, ନା- ତା ମନର ମଣିଷ କେହି ହେଲେ ଚତୁର କଳାକାର ନୁହଁନ୍ତି । ଜୀବନ ସାରା ଆଦର୍ଶ, ସ୍ୱାଭିମାନକୁ ପୁଞ୍ଜିକରି ସୁଖ ସ୍ୱାଚ୍ଛନ୍ଦ୍ୟରୁ ଅନୁଗୃହୀତ ମଣିଷ ମାତ୍ର ହୋଇ ରହିଯାଇଛନ୍ତି ।
ନିଶ୍ଚିତ ନିଦରେ ଘୁଙ୍ଗୁଡ଼ି ମାରୁଚି ଦେବାନ୍ନା । ମଧୁ ଜାଣେ କାଲି ସକାଳ ହେଲେ ହାତକୁ ଆସିଥିବା ଏତେଗୁଡ଼ାଏ ଟଙ୍କା ଫେରିଯିବ ତା ବାଟରେ । ଅଟଳ ପାହାଡ଼ପରି ମଣିଷଟା ପାଖରେ ସେ ପାଇଁ ସାମାନ୍ୟ ଅବଶୋଷ ନଥିବ । ଅଥଚ ନିଜ ଗର୍ଭରୁ ଜନ୍ମ ଦେଇଥିବା ନିରୀହ ଝିଅଟା ପାଖରେ ଗ୍ଲାନିବୋଧର ମାତୃତ୍ୱକୁ ନେଇ ସିଏ ସବୁଦିନ ରହିଯିବ ।
ମନକୁ ଟାଣ କଲା ମଧୁ । ନା, ସିଏ ଏଇ ମୁହୂର୍ତ୍ତରେ ସ୍ୱାମୀକୁ ନିଦରୁ ଉଠେଇବ । ସିଏ ଯାହା ଭାବନ୍ତୁ ପଛକେ ସେ ଟଙ୍କା ଫେରେଇ ନ ଦେବାକୁ କହିବ । ଖାଲି କହିବ ନାହିଁ ତ ଆବଶ୍ୟକ ପଡ଼ିଲେ ଜିଦ୍ କରିବ । ଆରେ । ଆମେ ତ କାହାଠୁ ଚୋରି କରିଆଣିନେ । ଇଚ୍ଛା କରି କାହାକୁ ଠକି ଦେଇନେ । ଟଙ୍କାଟା ପାଖରେ ରଖିଦେଲେ ଭୁଲ୍ କଣ । ଶୋଇବା ବିଛଣାରେ ଉଠିବସିଲା ମଧୁ । ତା ମନର କଥା ବାରମ୍ୱାର ଶବ୍ଦାୟିତ ହେଉଥିଲା କାନ ପାଖରେ- ଆମେ କୋଉଠୁ ଚୋରି କରିନୁ । କାହାକୁ ଠକି ଆଣିନୁ । ଭୁଲ୍ ଏଥିରେ ରହିଲା କଉଠି ।
ଉତ୍ତେଜନାରେ ଥର ଥର ହାତ କେତେବେଳେ ଦେବାନ୍ନାକୁ ନିଦରୁ ଉଠେଇ ସାରିଚି ମଧୁ ନିଜେ ମଧ୍ୟ ଜାଣେନା । ବିଛଣା ଉପରେ ଦିହେଁ ପାଖାପାଖି । ଶୋଇବା ଘରର ଅଳ୍ପ ଆଲୁଅରେ ପରସ୍ପର ପରସ୍ପରକୁ କେବଳ ଚାହିଁ ରହିଛନ୍ତି । କେତେ ସମୟ ଯାଏ ରାତିର ନିସ୍ତରଙ୍ଗ ଛାତିରେ ତରଙ୍ଗଟିଏ ନାହିଁ । କେଜାଣି କାହିଁକି ଦେବାନ୍ନାର ମୁହଁକୁ ଦେଖିଦେଲା ପରେ ପଦୁଟିଏ କଥା ତା ଗଳାର ବନ୍ଧନ ଡେଇଁ ଆଗକୁ ଆସିପାରୁନି । କଣ ଭାବି ସିଏ ଅଟକି ଗଲା । ଏ କଥା ନିଜକୁ ମଧ୍ୟ ପଚାରିବାକୁ ଇଚ୍ଛା କଲାନି । ଅବଶିଷ୍ଟ ରାତି ପାଇଁ ଶୋଇବାକୁ ବିଛଣାରେ ଗଡ଼ିପଡ଼ିଲା ।
ଶୋଇବାକୁ ଚେଷ୍ଟା ତ କରୁଚି ଚନ୍ଦନ । ଲାଗୁଚି ନିଦଠୁ ସେ ଅନେକ ଦୂରରେ । ନିଜ ଶୋଇବା ଘରେ କଡ଼ ଲେଉଟେଇ ଚାଲିଚି ସିଏ । ମନକୁ ମନ ସ୍ୱଗତୋକ୍ତି କରୁଚି- ଧେତ୍ ଏମିତି ସ୍ୱପ୍ନ ପାଇଁ ନିଦର କି ଦର୍କାର । ସ୍ୱପ୍ନକୁ ନେଇ କଣ ସବୁଦିନ ବଞ୍ଚିହୁଏ । ବଞ୍ଚିବା ପାଇଁ ବାସ୍ତବତା ନିହାତି ଜରୁରୀ । ହେଲେ ଏ କଥା ସିଏ କାହାକୁ ବୁଝେଇବ । ବାପାଙ୍କୁ । ସିଏ କି ବୁଝନ୍ତି, ନା- କାହାକୁ ବୁଝିବାକୁ ଦିଅନ୍ତି । କଣ ଦର୍କାର ହାତକୁ ଆସିଥିବା ଲକ୍ଷ୍ମୀଙ୍କୁ ହତାଦର କରିବା । ଏମତିରେ ବ୍ୟାଗଟା ଛାଡ଼ି ଯାଇଥିବା ଲୋକଟା ଚୋର କି ତସ୍କର ନ ହେଇଥିବ କିଏ କହିବ । ପୁଣି ଥାନାବାବୁ… ହୁଃ । ବାପା ବୁଝିନାହାନ୍ତି କି ବୁଝିବାକୁ ଚାହାଁନ୍ତିନି, ତାଙ୍କରି ଏଇ ନୀତି ଆଦର୍ଶକୁ ଜାବୁଡ଼ି ଧରି ତାଙ୍କ ଭେଣ୍ଡିଆପୁଅ ବେକାର । ଘରର ଯାବତ୍ୟ ଖର୍ଚ୍ଚ କେତେ କାକୁସ୍ଥ ଗୋଟିଏ ଅଟୋରିକ୍ସା ପାଖରେ । ତା ଚକଗଡ଼ିଲେ ପରିବାରର ଗୁଜୁରାଣ ରଥ ଗଡ଼େ । ନଇଲେ ଠପ୍ ।
ଚନ୍ଦନ ଆଖି ବୁଜି ଅନ୍ଧାରରେ ଗୋଟେ ଚିତ୍ର ଆଙ୍କୁଚି । କାଲି ସକାଳୁ ବାପାଙ୍କୁ ଥାନାରେ ବ୍ୟାଗ ଜମା ଦେବାକୁ ବାରଣ କରିବ । କାହିଁକି ବାପା ଏମିତି କରିବେ । ଏତେଦିନ ପରେ ଭାଗ୍ୟଲକ୍ଷ୍ମୀ ଅନହୂତ ଭାବେ ଘରକୁ ଆସିଛନ୍ତି ତାଙ୍କୁ ହତାଦର କରି କାହିଁକି ଫେରେଇ ଦେବେ । ଏମିତି କରି ବାପା ପାଇବେ କଣ । ଖୁବ୍ ବଡ଼ ନାଆଁ । ପଦବୀ ନା ପୋଲିସବାଲା ମେଡ଼ାଲ୍ ଦେବେ । ଓଃ ରାତିଟା ଆଉ କେତେ ଯେ ବାକି ।
କେତେବେଳେ ଲାଗିଚି ପାହାନ୍ତି ନିଦ, କେତେବେଳେ ପୂର୍ବ ରାତିର ଚିଆଁ ଚନ୍ଦନକୁ ଚମ୍କେଇ ଉଠେଇ ଦେଇଚି କେହି ଜାଣିନି । ଅଥଚ ସକାଳ ସାତ ।
ଓଃ… । ଧଡ୍ପଡ୍ ହେଇ ଖଟିଆ ଉପରୁ ତଳକୁ କୁଦି ପଡ଼ିଲା ଚନ୍ଦନ । ରାତି ପାସେଞ୍ଜରଙ୍କୁ ସକାଳୁ ସକାଳୁ ଷ୍ଟେସନରୁ ଆଣିବାକୁ ବାପା ପ୍ରତିଦିନ ଏଇ ସମୟକୁ ବାହାରି ଯାଆନ୍ତି । ଆଜି ଚାଲିଯାଇ ନାହାନ୍ତି ତ । ଗାଡ଼ି ନେଇ ଗଲେ ତ ଗଲେ, ବ୍ୟାଗ୍ଟା… ସାଙ୍ଗରେ ନେଇ ଗଲେନି ତ ।
ଦେବାନ୍ନା ଆଜି ଗାଡ଼ି ନେଇ ଷ୍ଟେସନ୍ ଯାଇନି । ଭାବୁଚି ସକାଳୁ ସକାଳୁ ଯାଇ ଥାନାବାବୁଙ୍କ କବାଟ ବାଡ଼େଇ ବ୍ୟାଗଟା ଦେଇ ଦେଲେ ଝାମେଲାଟା ଯିବ । ପୁଣି ମନକୁ ମନ କହୁଚି ଥାନାବାବୁ କାହିଁକି ତା ପରି ବଡ଼ିଭୋରୁ ଉଠିବେ । ସକାଳୁ ସକାଳୁ ବିରକ୍ତ ହେବେ । ସେ ଯାହାବି ହଉ… ।
ଦେବାନ୍ନା ହାତରେ ବ୍ୟାଗ୍ଟା ଧରି ବାହାରି ପଡ଼ିଲା ବେଳକୁ ଦୁଆର ମୁହଁରେ ମଧୁ । ସ୍ତ୍ରୀର ଶୁଖିଲା ମୁହଁକୁ ଚାହିଁ ଟିକିଏ ବି ଅଟକିଲାନି ତାର ପାଦ । ସିଏ ଆଗେଇଗଲା ଦିପାଦ । ଆରଘରେ ଝିଅ ଲୋପା, ବିଛଣାରେ ପଡ଼ି ଗୁଁ ଗୁଁ ହଉଚି । ସକାଳୁ ସକାଳୁ ତାର ଏଇ ଶବ୍ଦ ଜଣେଇ ଦଉଚି ସିଏ ପାଇଖାନା ଯିବ । ତାକୁ ଟିକେ ଉଠାଅ ।
ଦେବାନ୍ନା ଟିକେ ଅଟକି ଗଲା । ଆଖି ଫେରାଇ କାନ୍ଥକୁ ଆଉଜି ଠିଆ ହେଇଥିବା ମଧୁକୁ ଚାହିଁଲା, ତା ଚାହାଁଣିର ଭାଷାରେ ଲେଖି ହେଇଯାଉଚି- ଶୁଭୁଚି ନା, ଝିଅ ପାଇଖାନା ଯିବ ପରା । ଯାଅ ତାକୁ ଧର, ସେଠି ଖୁଣ୍ଟଟା ଭଳି ଠିଆ ହେଇ କଣ ମତେ ଦେଖୁଚ । ପୁଣି ଲମ୍ୱା ପାହୁଣ୍ଡ ପକେଇ ଆଗକୁ ବଢ଼ିଲା ଦେବାନ୍ନା । ଦୁଆର ଟପିବାକୁ ଯାଉଚି ତ ଅଟକିଲା । କେହି ଜଣେ ଆଗନ୍ତୁକ ଖୋଜିଲା ଖୋଜିଲା ଆଖିରେ, ଚାହିଁ ଚାହିଁ ତା ଆଡ଼କୁ ଆସୁଛନ୍ତି ।
– ଏଇଟା ଦେବାନ୍ନାଙ୍କ ଘର ।
– ଆଜ୍ଞା ।
– ଆପଣ ତାହେଲେ ଦେବାନ୍ନା । ଭଦ୍ରଲୋକଙ୍କ କହିବା ଢଙ୍ଗରେ ସମ୍ମାନ ଉଛୁଳୁଚି ।
– ଆପଣ… । ଖୁବ୍ ବେଶି ସମୟ ନେଲା ନାହିଁ ଦେବାନ୍ନା । ଏଇ ତାହେଲେ ଗତରାତିର ସେଇ ଭଦ୍ରଲୋକ ।
– ଆପଣ କେମିତି ଜାଣିଲେ ମୋ ଘର ଏଇଠି ।
– କାଲି ଆପଣଙ୍କ ଅଟୋରେ ବସିଲାବେଳେ ସିଟ୍ ପଛପଟେ ଲାଗିଥିବା ପରିଚୟ ପତ୍ରରୁ କେବଳ ନାଆଁଟା ମନେ ରଖିପାରିଥିଲି । ବିଶ୍ୱାସ ନଥିଲା ଏତେ ଶୀଘ୍ର ମିଳିଯିବେ ବୋଲି । ଜଣେ ଅଟୋ ଡ୍ରାଇଭର୍କୁ ଆପଣଙ୍କ ନାଁ ଟା ପଚାରୁ ପଚାରୁ ମୋତେ ଗାଡ଼ିରେ ଆଣି ଏଇଠି ଛାଡ଼ିଦେଲା । ବିଶ୍ୱାସ କରନ୍ତୁ ଯାଚିକି ପଇସା ଦେଲି ଅଥଚ ସେ ରଖିଲା ନାହିଁ ।
ଗୋଟେ ଦୀର୍ଘଶ୍ୱାସ ଛାଡ଼ି ଦେବାନ୍ନା କହିଲା- ଭଲ ହେଲା ଆପଣ ଆସିଲେ । ମୁଁ ତ ଏଇନା ବାହାରିଚି ଆପଣଙ୍କ ଏ ବ୍ୟାଗ୍କୁ ଥାନାରେ ଜିମା ଦେବାକୁ ।
ଭଦ୍ରଲୋକଟି ମୁହଁରେ ବିମୁଗ୍ଧ ସ୍ମିତହସ- କଣ ମୋ ବ୍ୟାଗ୍ଟା ଆପଣଙ୍କୁ ବୋଝ ପରି ଲାଗିଲା ନା କଣ ।
– ନାଇଁ ଆଜ୍ଞା ପରର ଅମାନତ, ମୋ ଘରେ କାହିଁକି ରହିବ । ତାପରେ ମୁଁ ଆପଣଙ୍କୁ ଚିହ୍ନେନା, କି ଜାଣେନା ।
ଭଦ୍ରବ୍ୟକ୍ତି ପୂର୍ବବତ୍ ସେଇ କୃତଜ୍ଞତାର ହସହସ ମୁହଁରେ ପଚାରିଲେ- ଆଚ୍ଛା ମୋ ବ୍ୟାଗ୍ଟା ଫେରେଇବା ପୂର୍ବରୁ ଆପଣଙ୍କର କଣ ଦେଖିବା ଉଚିତ୍ ନଥିଲା କି ସେଥିରେ କଣ ଅଛି ବୋଲି ।
ଏତିକି କଥାରେ ଝାଉଁଳି ପଡ଼ିଲା ଦେବାନ୍ନାର ମୁହଁ । ଜଣେ ଅପରାଧୀ ପରି ସିଏ ତଳକୁ ମୁହଁ ପୋତି ଦେଲା । ଗୋଟେ ବିମୂଢ଼ ଜଡ଼ତା ଛାଇ ହେଇଗଲା ପାଖରେ ଠିଆ ହେଇଥିବା ସ୍ତ୍ରୀ ମଧୁ, ପୁଅ ଚନ୍ଦନ ମୁହଁରେ । ଦୋଷୀ ଦୋଷୀ ଭାବରେ ଦେବାନ୍ନା କହିଲା- ଭୁଲ୍ ବୁଝିବେନି ବାବୁ । ମୋର ସେମିତି କିଛି ବି ଇଚ୍ଛା ନଥିଲା । କେବଳ ପୁଅଟା କଥାରେ… ।
ତା ମାନେ ଆପଣ ବ୍ୟାଗଟା ଖୋଲି ସାରିଛନ୍ତି… ଅଥଚ ରାତି ନ ପାହୁଣୁ… । ଆପଣ ଜାଣି ନାହାନ୍ତି ଗତକାଲି ମୋତେ କେତେବଡ଼ ବିପଦରୁ ରକ୍ଷା କରିଛନ୍ତି । ହୁଏତ ଏ ବ୍ୟାଗ୍ ତମ ପାଖରେ ଛାଡ଼ିନଥିଲେ ଆଜି ମୋତେ ଏଠି ଦେଖୁନଥାନ୍ତେ । ଏତେ ବଡ଼ ଉପକାର ବଦଳରେ ଏ ଟଙ୍କାର ମୂଲ୍ୟ କେତେକି । ଏ ଟଙ୍କା ଫେରେଇବା ଦର୍କାର ନାହିଁ ।
ବିଛା କାମୁଡ଼ିବା ପରି ଚିହିଁକି ଉଠିଲା ଦେବାନ୍ନା- ନା ନା ବାବୁ ଏ ଧନ ମୋର କାମରେ ଆସିବନି । ଅପ୍ରସ୍ତୁତ ହେଇପଡ଼ିଲେ ଭଦ୍ରବ୍ୟକ୍ତି । ଦେବାନ୍ନାର ବଢ଼େଇଥିବା ହାତକୁ ଧରି ପକାଇଲେ- ମୁଁ ଆପଣଙ୍କୁ ଖୋଜିବାକୁ ଆସି ଆପଣଙ୍କ ମଣିଷପଣିଆ ବାବଦରେ ପରିଚୟ ପାଇସାରିଛି । ବାକି ରହିଲା ପଇସା, ଏତକ ବଦଳରେ ମୋତେ ଆପଣଙ୍କ ଋଣ ସୁଝିବାର… ।
ଭଦ୍ରଲୋକଙ୍କ କୌଣସି କଥା ନଶୁଣି ଏକମୁହାଁ ହେଇ ଦେବାନ୍ନା ଫେରିଆସିଲା ଶୋଇବା ଘରକୁ । ନଥ କିନା ବସି ପଡ଼ିଲା ଚେୟାର୍ ଉପରେ । ପଛେ ପଛେ ମଧୁ, ପୁଅ ଚନ୍ଦନ ।
ସ୍ୱାମୀଙ୍କର ଏ ବିଚଳିତ, ବିମର୍ଷ ଭାବକୁ ଦେଖି ବ୍ୟଥିତ ସ୍ୱରରେ ପଚାରିଲା ମଧୁ- ବ୍ୟାଗ୍ ତ ଫେରେଇ ଦେଲ । ପୁଣି କଣ ହେଲା ।
ମଧୁ ମୁହଁକୁ ଚାହିଁ ନିର୍ଯ୍ୟାତିତ ସ୍ୱରରେ ଦେବାନ୍ନା କହିଲା- ମଧୁ ତମେ ମତେ କହିପାରିବ, ଆମ ପରି ଗରିବ ଲୋକମାନଙ୍କର ବଡ଼ ସମ୍ପତ୍ତି କଣ ।
ମଧୁ କିଛି ଉତ୍ତର ଦେଲାନି ।
– ସ୍ୱାଭିମାନ, ଇଜ୍ଜତ । ସେତିକି ନେଇ ଆମର ସୁଖ, ଶାନ୍ତି । ବ୍ୟାଗ୍ଟା ଆମ ଘରକୁ ଆସିବା ପରଠୁ ମୋତେ ଲାଗିଲା ସେଇ ଟଙ୍କାଗୁଡ଼ା ଆମ ଘରକୁ ଆସିନି ବରଂ ଗୋଟେ ଆତଙ୍କବାଦୀ ଧସେଇ ପଶି ଆସିଚି ଆମ ଭିତରକୁ । ଆମ ପରିବାରର ନୀତି, ଆଦର୍ଶ, ସଂସ୍କାର… ହାଃ ।
ମଧୁ ଦେବାନ୍ନାର ଏପରି ଉଦାସ ଭାବ ଦେଖି କାନ୍ଦୁଣୁମାନ୍ଦୁଣୁ- ଆଗୋ କଣ ହେଇଚି ତମର । ଆମେ ସମସ୍ତେ ଯାହା ଆଶଙ୍କା କରୁଥିଲୁ ତମେ ତ ତାହା ହିଁ କଲ । ତା ପରେ ବି… ଏତେ କଣ ସବୁ ଭାବୁଚ ।
ଦେବାନ୍ନାର ଗମ୍ଭୀର ଅଥଚ ନିସ୍ତରଙ୍ଗ ସ୍ୱର- ଭାବୁଚି ମୋ ସାରାଟା ଜୀବନର ସଂସ୍କାର ମତେ କଣ ଦେଇଚି । ଗରିବୀ ସଂସାର, ବେରୋଜଗାରିଆ ପୁଅ, ବ୍ୟାଧିଗ୍ରସ୍ତ କିଶୋରୀ ଝିଅ ଏସବୁ ମୋର । ଏସବୁରେ କାହାରି ଦାନ ନାହିଁ । ଅଥଚ ମୋ ସଂସ୍କାର, ଗତରାତିରେ ମତେ ଭଲ ସ୍ୱପ୍ନଟିଏ ବି ଦେଇପାରିଲାନି ।
