ଗଳ୍ପ

ମୁଠାଏ ଭିକ୍ଷାରେ ଆଞ୍ଜୁଳାଏ ଲୁହ

Laxmidhara Nayak's odia story Muthaae Bhikshaare Aanjulaae Luha

ଜ୍ୟୋତି ସାଧନା କରିବାକୁ କହୁଛନ୍ତି । ଯେଉଁ ଜ୍ୟୋତି ତାଙ୍କର, ମୋ ପେଟରେ ବଢୁଛି, ତା’ ଭବିଷ୍ୟତ କଥା ହେଲେ ପଚାରିଥାଆନ୍ତେ ।

ମୁଠାଏ ଭିକ୍ଷାରେ ଆଞ୍ଜୁଳାଏ ଲୁହ

ଦ୍ୱାର ବନ୍ଧରୁ ତଳକୁ ଝୁଲିଛି- ଝୀନ ପରଦାଟିଏ ।

ସେ ପାଖରେ ରହି ପଦ୍ମା ଚିନ୍ତା କରୁଛି- ଭିକ୍ଷା ମାଗୁଥିବା ଏ ଯୋଗୀ, ସୁଦୀପ ନୁହଁନ୍ତି ତ !

ସ୍ୱରତ ତ ଅବିକଳ ତାଙ୍କରି ସ୍ୱର ପରି ।

ନାକ ମଧ୍ୟ ସେମିତି ଦିଶୁଛି ।

ମୁହଁ ସାରା ଦାଢ଼ି ନିଶକୁ. . . ମୁଣ୍ଡରେ ଶ୍ରୀରାମଙ୍କ ବନବାସ ସମୟ ପରି- ଜଟା । କାନ୍ଧ ଦୁଇଟିରେ ଖେଳେଇ ହେଇ ପଡ଼ିଛି ଯେଉଁ କଳା କଳା କେଶ. . . ଲାଗୁଛି, ଠିକ୍ ସୁଦୀପଙ୍କ କେଶ ପରି । ଓଠ ଅଧର ତାଙ୍କରି ପରି ଲାଲ୍-ଗୋଲାପୀ । ସହଜରେ ଚିହ୍ନି ହେଉନି ଯୋଗୀଙ୍କୁ । ସତରେ ଯୋଗୀ, ନା. . . ସୁଦୀପ ? !

ଚଉଠି ରାତିରେ ସେ ବିଧବା ହେଇଗଲା ଶୁଣି, ଅଥୟ ହେଇଗଲେ କି, ଯେଉଁଠି ଆତ୍ମଗୋପନ କରିଥିଲେ । ଯେମିତି ହେଲେ ତାଙ୍କ ପଦ୍ମାକୁ ଦେଖିଯିବାକୁ ଆସିଛନ୍ତି- ଯୋଗୀ ବେଶରେ ! !

ସୁଦୀପର ହାତ ଧରି, ଗାଁ ଦାଣ୍ଡର ଧୂଳିଖେଳରୁ, କଲେଜ୍ ପଢ଼ା ଶେଷ କରିଥିଲା ପଦ୍ମା । ଏକାଠି ସଂସାର ଗଢ଼ିବାର ସଂକଳ୍ପ ନେଇଥିଲେ ଦୁହେଁ ।

ମୁହୂର୍ତ୍ତକର ଭାବାବେଗରେ ହଜିଯାଇ, ସୁଦୀପର ରକ୍ତକୁ ଆଜିଯାଏ ପେଟରେ ଧରିଛି ସେ । ତାଙ୍କ ସ୍ୱର ତ ଜୀବନ ଯିବାଯାଏ ଅଭୁଲା ।

. . . ଯୋଗୀ ନିଶ୍ଚୟ ସୁଦୀପ !

ହଠାତ୍ ପଦ୍ମା କହିଚାଲିଲା. . . ପରଦା ପଛରୁ-

– ମେଘନାଦ ପାଚେରୀ ଏ ପାଖେ, ଜଗନ୍ନାଥ ମନ୍ଦିର. . . ସେପାଖରେ ଅସୀମ ସାଗର । ପାଚେରୀଟା ଦୁହିଁଙ୍କ ମଝିରେ ପ୍ରତିବନ୍ଧକ । କେତେ ଯେ ଆରତ ସ୍ୱରର ପ୍ରାର୍ଥନା ସମୁଦ୍ରର. . . କେତେ ଯେ ମୁଣ୍ଡପିଟା ଯନ୍ତ୍ରଣା ତାହାର. . . ଶୁଣାଇ ଦେଉନି ନିଷ୍ଠୁର ପାଚେରୀ- ତା’ ପ୍ରିୟତମଙ୍କୁ !

ଏ ପାଚେରୀଟା ଭାଙ୍ଗି ଯାଆନ୍ତା କି ! ସାଗର ଓ ଜଗନ୍ନାଥ. . . ଦୁହେଁ ବିସ୍ତୃତ ନୀଳିମାରେ ବୁଡ଼ିଯାଆନ୍ତେ । କେତେବେଳେ ଜଗନ୍ନାଥଙ୍କ ଚକାଡ଼ୋଳାରେ ଭାସୁଥାଆନ୍ତା- ସାଗରର ସୀମାହୀନ ତରଙ୍ଗ । କେତେବେଳେ ସମୁଦ୍ର ଛାତିରେ ବୁଡ଼ିଯାଉଥାଆନ୍ତା ଚକାନେତ୍ର ।

ଏସବୁ ଏକାତ୍ମ. . . ଏକାତ୍ମ. . .
ସବୁ ଏକାକାର ଅଭିନ୍ନ. . .
ବ୍ୟଥା ହଜିଯାଆନ୍ତା. . . ପ୍ରାପ୍ତିର ତଲ୍ଲୀନତାରେ. . . !
ଯୁଗଯୁଗର ଅପେକ୍ଷା ପରର ସେ ମିଳନ, କେତେ ଯେ ସ୍ୱର୍ଗୀୟ ହୁଅନ୍ତା ।
ଏ ସମ୍ୱନ୍ଧରେ କିଛି କହନ୍ତୁ ଯୋଗୀବର. . . !

ଦିନେ ସମୁଦ୍ର କୂଳର ଝାଉଁବଣ ପାଖରେ ହାତ ଧରାଧରି ହେଇ ବୁଲୁବୁଲୁ, ସେ ସୁଦୀପକୁ ଏପରି କହିଥିଲା । ଏବେ କେବଳ “ଯୋଗୀବର'” ଶବ୍ଦଟି ଯୋଡ଼ିଲା । ତାହାର ଧାରଣା ହେଇଥିଲା. . . ଅତୀତର ସେହି ଶବ୍ଦ ସବୁ ଅଥୟ କରିବ ସୁଦୀପଙ୍କୁ । ସେ ଯେମିତି ଯେମିତି ନିଜର ପରିଚୟ ଦେଇ ଦେବେ. . . !

. . . କିନ୍ତୁ ନା ! କାନ୍ଧରୁ ଲାଉତୁମ୍ୱାର ଭିକ୍ଷାଥାଳଟି ଓହ୍ଲାଇ, ପଥର ପିଣ୍ଡାରେ ଥୋଇଦେଲେ ଯୋଗୀ । କିଛିକ୍ଷଣ ଆଖି ମୁଦି କ’ଣ ଭାବିଲେ । ହଜିଗଲେ କେଉଁ ମଗ୍ନତାରେ !

ଏହାପରେ, କେନ୍ଦରାର ହତା ଧରି, ସୁର ଦେଲେ । ଧୀରେ ଧୀରେ ତାଙ୍କର ଗୋରା ମୁହଁ ଦିବ୍ୟ ଭାବନାରେ ଆରକ୍ତ ଦିଶିଲା । ଗାଇଲେ-

ଜୀବନ-ଯଉବନ. . . ଅନଳ ପରା
ନାମ-ପ୍ରେମ-ଅମୃତ. . . ବରଷା ଧାରାରେ. . . !
ନିତ୍ୟ-ପ୍ରାଣ ଉଡ଼ିବ. . . ଅନିତ୍ୟ ଛାଡ଼ି
ଅଳିକ ପୀରତିରେ. . . ରହିଛୁ ବୁଡ଼ିରେ. . . !
ଜୀବନ-ବନ୍ଧୁ ତୋର. . . ଜ୍ୟୋତିରାନନ୍ଦ
ଜ୍ୟୋତି-ସାଧନା କରି. . . ଲଭ ଆନନ୍ଦରେ. . . !

ଯୋଗୀ ଆଉ କିଛି ଗାଇବା ଆଗରୁ, ପରଦା ସେପାଖରୁ ପଦ୍ମାର ଆର୍ଦ୍ରସ୍ୱର ଶୁଭିଲା- ଯୋଗୀବର ! ଦେହ ସହିତ ଯୋଡ଼ି ହେଇଥିବା ଆତ୍ମା ତ ଯେଉଁଠି ଥିଲା, ସେଠି ଜ୍ୟୋତିରାନନ୍ଦ ଅଛନ୍ତି । ତାହା ଦିବ୍ୟଲୋକ । ନରଲୋକରେ ଜ୍ୟୋତିସାଧନା କରିବା କ’ଣ ନିହାତି ପ୍ରୟୋଜନ ? ସେଠିକା ଜୀବନ ଓ ଏଠିକା ଜୀବନକୁ କ’ଣ ଈଶ୍ୱର ଗଢ଼ିଛନ୍ତି କେବଳ ଯୋଗ କରିବାକୁ ? ସେ ତେବେ ଭୋଗ କାହା ପାଇଁ ଛାଡ଼ିଛନ୍ତି ?

ଯୋଗୀଙ୍କ ଓଠରେ ବିଲୋଳ ହସଧାରେ ଉଇଁଆସିଲା । ସେ ପୁଣି ଗାଇଲେ-

ଆତ୍ମା ପ୍ରବାସୀ ପକ୍ଷୀ. . . ଆସିଛି ଉଡ଼ି
ଏ ଦେହେ ବସା ବାନ୍ଧି. . . ରହିଛି ବୁଡ଼ିରେ. . . !
ଶୂନ୍ୟରୁ ଝରେ ମଧୁ. . . କରୁଛି ପାନ
ତା’ ପାଇଁ ଭୋଗ ମାତ୍ର. . . ପ୍ରିୟ ଦର୍ଶନରେ. . . !

ଦ୍ୱାର ପରଦା ସେପାଖରେ, ପଦ୍ମାର ଛଳଛଳ ଆଖି ବର୍ଷିବାକୁ ଲାଗିଲା । ଆଉ ଆଗକୁ ସେ ଶୁଣିବାକୁ ଚାହୁଁନଥିଲା । ଜାଣିପାରିଲା- ଯୋଗୀ ବେଶରେ ଏ ସୁଦୀପ ନିଶ୍ଚୟ । ତାହାରି ସୁଦୀପ ଏ ! କ’ଣ କରିପାରିବ- ଶାଶୁଘରେ ! ଚାରିମାସ ତଳେ ବିବାହ. . . ଚତୁର୍ଥୀରେ ବିଧବା. . . ପୁଣି ଏବେ ପାଞ୍ଚମାସର ଗର୍ଭବତୀ ।

କିପରି ସେ ଦ୍ୱାରବନ୍ଧ ଡେଇଁ ସୁଦୀପର ସାମ୍ନା କରିବ ?

ସେ ଗାଇଲେ- ତା’ ପାଇଁ ଭୋଗ ମାତ୍ର. . . ପ୍ରିୟ ଦର୍ଶନ. . . !

ନିଶ୍ଚୟ ସୁଦୀପ ତାକୁ ଛଦ୍ମ ବେଶରେ ଦେଖିବାକୁ ଆସିଛନ୍ତି ଭାଇଙ୍କ ଭୁଜାଲି ଭୟରେ ।

ପରଦା ପଛରେ ମୁହଁ ରଖି ପଦ୍ମା ଭିକ୍ଷା ଅଞ୍ଜଳି ବଢ଼ାଇ ଦେଲା. . . ।

ବିଧବା ବଧୂର ଲଙ୍ଗଳା ହାତକୁ ଦେଖିଲା କ୍ଷଣି, ଯୋଗୀ ଶୂନ୍ୟକୁ ଚାହିଁଲେ । ନୀଳ ଶୂନ୍ୟତାରେ ତାଙ୍କୁ ଦିଶିଲା ଯୋଡ଼ିଏ ଆରକ୍ତ ପାପୁଲି । ଗୋଟେ ନିଷ୍କରୁଣ ବେଦନାର ନଗ୍ନତା ଯେମିତି ବିଦ୍ରୁପ କରୁଛି କାହାକୁ । ଗୋଟେ ଅନାହତ ସ୍ୱର ଭାସିଆସୁଛି- ଯେଉଁଥିରେ ପୁରି ରହିଛି- ପ୍ରିୟ ପାଇଁ ଯୌବନର ନିଚ୍ଛଳ କାରୁଣ୍ୟ କେବଳ ।

ଯୋଗୀ କେତେ ଥର ହରି ଓଁ କହିଲେ ।

କାନ୍ଧରେ ଭିକ୍ଷାଥାଳ ଝୁଲାଇଲାବେଳେ ତାଙ୍କୁ ଶୁଭିଲା- କାଲି ମଧ୍ୟ କିଛି ଅମୃତବଚନ ଶୁଣିବାକୁ, ଅଭାଗିନୀ ଅପେକ୍ଷା କରିବ ଯୋଗୀବର. . . !

ଯୋଗୀ ପଛକୁ ନ ଚାହିଁ ଉତ୍ତର କଲେ- ଯୋଗୀ ସଦାକାଳେ ଯାଯାବର ଆଦରଣୀୟା । ସେ କୌଣସି ସ୍ଥାନରେ ଦୀର୍ଘଦିନ ରହେ ନାହିଁ କିମ୍ୱା କୌଣସି ସ୍ଥାନକୁ ବାରମ୍ୱାର ଆସେ ନାହିଁ । ତା’ର ସବୁବେଳେ ଭୟ- କାଳେ ତାକୁ ଡରୁଥିବା ମାୟା କେତେବେଳେ ଚୋରଣୀ ପରି ଲୁଚି ଲୁଚି ଆସିବ, ଲୁଟିନେବ- ଯୋଗୀର ଯୋଗସମ୍ପଦ । ଯେଉଁ ସମ୍ପଦ ପାଇଁ ସେ ସଂସାରତ୍ୟାଗୀ ବିରାଗୀ ।

କେନ୍ଦରା ବଜାଇ ବଜାଇ, ଦାଣ୍ଡେ ଦାଣ୍ଡେ ଫେରି ଚାଲିଲେ ଯୋଗୀ । ଚାହିଁଲେ ନାହିଁ ପଛକୁ. . . ଝର୍କା କବାଟ ମେଲା କରି, ସେହି ବିଧୁରା ବିଧବାର ସଫାଗୋରା ମୁହଁ ଭିତରୁ କେମିତି ଯୋଡ଼ିଏ ଛଳଛଳ ଆଖି, ତାଙ୍କର ଫେରନ୍ତା ପାଦକୁ କେତେ ଆଶାରଖି ଚାହିଁ ରହିଛି ।

ସୀମନ୍ତରେ ସିନ୍ଦୂର ନାହିଁ କି ଆଖିରେ କଜ୍ଜ୍ୱଳ !

ଝର୍କା ରଡ୍‌କୁ ମୁଠାଇ ଧରିଥିବା ହାତ ଯୋଡ଼ିକ ପୁରା ଲଙ୍ଗଳା ।

ଓଠ ଅଧରରୁ ବୟସର ରସଝରା ରଙ୍ଗ ହଜିଯାଇଛି । ଧଳା ଶାଢ଼ିଟିଏ ସେହି ଲହୁଣିନରମ ଅଙ୍ଗଲତାକୁ ଢାଙ୍କି ରଖିଛି । ଯେଉଁ ଦେହ ବାପଘର ଦାମୀ ପୋଷାକରେ ଦିନେ ଝଲମଲ ହେଇଥିବ. . . ଆଜି ଶାଶୁଘରେ ସେଠି ଅଥୟ କାରୁଣ୍ୟ ।

ଗୋଟେ ନିଷ୍ଠୁର ବୈଧବ୍ୟ. . . ଜଣେ ପ୍ରଭୁପ୍ରେମୀ ବୈରାଗୀର ଫେରି ଯାଉଥିବା ପାଦ ଯୋଡ଼ିଏକୁ ଚାହିଁ ରହିଛି ଲୁହଝରା ଆଖିରେ ।

ପଦ୍ମା. . . ସାମନ୍ତରା ଘରର ବୋହୂ. . . ଚୌଧୁରୀ ଘରର ଝିଅ ସେ ।

ସ୍ୱାମୀ କ’ଣ ବୁଝିବା ଆଗରୁ, ଚଉଠି ରାତିରେ ବିଧବା ।

ସେ ଯୋଗୀଙ୍କୁ ଚାହିଁ ଭାବୁଛି- ହତା ଓ କେନ୍ଦରା ଧରି, ଦୁହିଁଙ୍କ ମିଳନରେ ସୁନ୍ଦର ସ୍ୱର ଝାରୁଛନ୍ତି ଯୋଗୀ । ଅଥଚ. . . ନିଜର ଜୀବନ ଓ କାମନାର ମିଳନ ନ କରି, ବିକ୍ଷିପ୍ତ ହୋଇଯାଉଛନ୍ତି ।

କି ଯେ ନିରାସକ୍ତ. . . ଅଥଚ ବିକ୍ଷିପ୍ତ ଜୀବନଟି ଆପଣେଇ ନେଲେ ସୁଦୀପ । ସୁନ୍ଦର କୋମଳ ପାଦ ଦୁଇଟିକୁ, ଗାଁ ଦାଣ୍ଡର ଗୋଡ଼ି କଙ୍କଡ଼ ଉପରେ ମଡ଼ାଇ ମଡ଼ାଇ ଚାଲୁଛନ୍ତି । ସେହିପାଇଁ ଧୀର ଚାଲି ପରା । ସହଜ ସୁନ୍ଦର ଜୀବନଶୈଳୀକୁ ଏତେ ଦୁର୍ଦ୍ଦଶାରେ ଛାଡ଼ି ଦେଲେ । ବାଟରେ ଚାଲୁ ଚାଲୁ, ଝୁଣ୍ଟିଥିବା ସ୍ମୃତିକୁ ଭୁଲିଗଲା ପରି, ସବୁ ଅତୀତକୁ ହେଲେ ଭୁଲିଯାଇ ଥାଆନ୍ତେ ।

ଧୀରେ ଧୀରେ, ଯୋଗୀ ଦୃଷ୍ଟିର ଅନ୍ତରାଳକୁ ଚାଲିଯାଉ ଯାଉ, ଗାଁ ଦାଣ୍ଡ ମୋଡ଼ ପଡ଼ିଲାରୁ, ଆଉ ଦିଶିଲେ ନାହିଁ । ପଦ୍ମାର ଛାତି ଭିତରେ କ’ଣ ହେଇଗଲା ପରି କଷ୍ଟ ଅନୁଭବ କଲା ସେ । ତାକୁ ଯେମିତି ବାରମ୍ୱାର ଶୁଭିଲା ।

. . . ଜୀବନ-ବନ୍ଧୁ ତୋର. . . ଜ୍ୟୋତିରାନନ୍ଦ. . . !

ଠୋଠୋ ବାଡ଼େଇ, ଝର୍କାକବାଟ ବନ୍ଦ କରିଦେଲା ସେ । ଦୁଃଖ ଓ ବିରକ୍ତିରେ ଫାଟି ପଡୁଥାଏ- ତା’ ଛାତି ! ଭାବୁଥାଏ- ଯାହା କହିବା କଥା ତ. . . ତାହା କହିଲେ ନାହିଁ । ପଚାରିଲେ ନାହିଁ- ପଦ୍ମା. . . ! କିପରି କାଟୁଛ ବିଚ୍ଛେଦର ବେଳା । ଜ୍ୟୋତି ସାଧନା କରିବାକୁ କହୁଛନ୍ତି । ଯେଉଁ ଜ୍ୟୋତି ତାଙ୍କର, ମୋ ପେଟରେ ବଢୁଛି, ତା’ ଭବିଷ୍ୟତ କଥା ହେଲେ ପଚାରିଥାଆନ୍ତେ ।

ତା’ପରେ

ଲୋକପ୍ରିୟ ଲେଖା

To Top