ଗଳ୍ପ

ମୁଠାଏ ଭିକ୍ଷାରେ ଆଞ୍ଜୁଳାଏ ଲୁହ

Laxmidhara Nayak's odia story Muthaae Bhikshaare Aanjulaae Luha

ଭାବନାରେ ଭାସି ଭାସି ଭୁଲ୍ କରୁଛ ପଦ୍ମା । ଆବୋରେସନ୍ କରିବାକୁ ଆସ । ନ ହେଲେ, ସବୁଦିନକୁ ତମ ଘରେ ରହିବାକୁ ଆସ, କିନ୍ତୁ ନ ଆସିବା କଥା ମନରେ ରଖ ନାହିଁ. . . !

ମୁଠାଏ ଭିକ୍ଷାରେ ଆଞ୍ଜୁଳାଏ ଲୁହ

-: ପୂର୍ବରୁ :-

ପଦ୍ମା ବନ୍ଦ ଝରକାର ଜାଉଁଳି କବାଟରେ ପିଠି ଲଗାଇ, ପୁଣି ଭାବିଲା- ତାକୁ ନ ପାଇ, ସୁଦୀପ ଆଜି ଯୋଗୀ । ତାକୁ ପାଇବା ପାଇଁ ଅସୀମ ଆଗରେ, ସେ ଗୋଟେ ନିଆଁର ଖେଳ ଖେଳିଥିଲା. . . ଚଉଠି ରାତିରେ । ଯେଉଁଥିପାଇଁ ଅସୀମ ହଠାତ୍ ଚଉଠି ପଲଙ୍କର ଫୁଲହାର କେତୋଟିକୁ ଟାଣି ଛିଡ଼ାଇ ପକାଇଲେ ଓ ଟ୍ରେନ୍ ଲାଇନ୍‌ରେ ଚିରକାଳକୁ ଶୋଇଗଲେ, ଦେବୀ ବୋଲି ଗ୍ରହଣ କରିଥିବା ଏ ଦୋଚାରିଣୀର ଦେହ ନ ଛୁଇଁବାକୁ ।

ପଦ୍ମା ବାଁ ହାତରେ ଶାଢ଼ୀ ପଣତରେ ଲୁହ ପୋଛିଲା ସବୁଦିନ ପରି । ଆଜି ତାକୁ ଲାଗିଲା- ଏ ପଣତ ଯେମିତି ତା ବୋଉର ହାତ ପରି ଖୁବ୍ ନରମ । ଗଭୀର ଆଶ୍ୱାସନାର ହାତ ସ୍ପର୍ଶ. . . ଦୁଃଖର ସାଥୀ ।

ବୋଉ ହଜାରେ ଚେଷ୍ଟା କରିଥିଲା, ବୁଝାଇଥିଲା ବାପା ଭାଇଙ୍କୁ- ପଦ୍ମା ଯଦି ଚାହୁଁଚି ସୁଦୀପକୁ ବାହାହେବାକୁ, ହେଇଯାଉ । ହେଲା ଏବେ ସୁଦୀପ ଆମ ହଳିଆର ପୁଅ. . . ଯୋଗ୍ୟ ତ ! କେତେ କାଳ ଏ ଜୀବନ । ପଦ୍ମା ଯେମିତି ସେମିତି ହେଇ, ସୁଦୀପ ସାଙ୍ଗରେ ଚଳିଯିବ । ନିଜ ଆନନ୍ଦ ପାଇଁ, ତା’ ଆନନ୍ଦକୁ ଆମେ ଦଳିଦେବା ଠିକ୍ ନୁହଁ । ସ୍ନେହରେ ପାଳିଥିବା ନିଜ ପିଲା ପ୍ରତି କେହି ନିଷ୍ଠୁର ହୁଅ ନାହିଁ । ମୋ କଥା ମାନ. . . !

. . . କିନ୍ତୁ ବାପା ନାଲି ଆଖି ଦେଖାଇ, ଭାଇମାନେ ଜୋର୍ ପାଟି କରି, ବୋଉକୁ ଚୁପ୍ କରିଦେଲେ । ବଡ଼ଭାଇ ଦିନେ ଘରକୁ ଡାକିଲେ ସୁଦୀପକୁ । ତକିଆ ତଳୁ ଲମ୍ୱା ଧାରୁଆ ଭୁଜାଲିଟା ବାହାର କରି ଉଁଚାଇ ଧରିଲେ ତା’ ଆଡ଼େ । ସୁଦୀପ ଆଖି ବୁଜି ଦେଲା ।

. . . ଯାହା କରୁଛନ୍ତି କରନ୍ତୁ, ପ୍ରେମ ପାଇଁ ହଣା ଖାଇବାକୁ ସେ ପ୍ରସ୍ତୁତ ।

ଚିତ୍କାର କଲେ ବଡ଼ଭାଇ- ଅନା ବେ ! ଖୋଲ୍ ଆଖି. . . ଅନା ମୋ ଆଡ଼େ ।

ଅନଉଚୁ ନା, ହାଣିବି ।

ପୁଣି କହିଲେ-ଭାବୁଛୁ କି ତତେ ହାଣିବି । ହାଣିବି ନାହିଁ ବେ । ପଦ୍ମାକୁ ହାଣିବି ତୋରି ଆଖି ସାମ୍ନାରେ ହାଣିବି । ନାଁ ନିମିଷା ରଖିବି ନାହିଁ । କେବଳ ଚବିଶ୍ ଘଣ୍ଟା ସମୟ ଦେଲି । ତା’ପରେ ତୁ ଯଦି ଏ ଗାଁରେ ଥାଉଁ. . . ତତେ ଧରିଆଣିବି . . . ତାକୁ ହାଣିବି ! ଯାଃ ଶଳା. . . !

ଏହି କଥା ପଦ୍ମା ଚଉଠି ରାତିରେ ଅସୀମକୁ କହିଥିଲା ।

ଖିଆଲି ଅସୀମ ଜୀବନ ହାରିଦେଲେ ଟ୍ରେନ୍ ତଳେ । ଉଃ. . . !

ଏ ଗୋପନ କଥାଟା, ପଦ୍ମା ବାପଘରୁ ବି ଜଣାଇ ପାରିଥାଆନ୍ତା ଅସୀମଙ୍କୁ । ଚିଠି କରିପାରିଥାନ୍ତା, କାହା ଦ୍ୱାରା ଖବର ମଧ୍ୟ କରିପାରିଥାନ୍ତା, କିନ୍ତୁ ବର ଆସିବା ପର୍ଯ୍ୟନ୍ତ ସେ ଜାଣି ପାରିନଥିଲା- ଆଜି ତା’ର ବାହାଘର । ତାକୁ ତାଙ୍କ ଉଚ୍ଚ ଆଭିଜାତ୍ୟର ଶ୍ରେଷ୍ଠ ସମ୍ପଦ ରୂପେ. . . ବନ୍ଦ କୋଠରୀ ଭିତରେ ବନ୍ଦୀ କରି ରଖାଯାଇଥିଲା । ଅସୀମ ଯେଉଁଦିନ ତାକୁ ଦେଖିବାକୁ ଆସିଥିଲେ, ପଦ୍ମା ଜାଣିଥିଲା, ସେ ତା’ ସାନଭାଇଙ୍କ ବନ୍ଧୁ. . . । ପରିବାରର କଠୋର ଅନୁଶାସନ ଯୋଗୁଁ, ପ୍ରାଣଠୁଁ ପ୍ରିୟ ବାନ୍ଧବୀ ପରି ସାନଭାଉଜ ବି ତାକୁ ସୂଚନା ଦେଇ ନଥିଲେ ।

ଚଉଠି ରାତିରେ, ଚତୁର ଖେଳ ଖେଳିବା ଆଗରୁ ଭାବିଥିଲା ପଦ୍ମା- ସବୁ ପରେ ଅସୀମ ଯେତେବେଳେ ଜାଣିଯିବେ- ସେ ଅନ୍ତଃସତ୍ତ୍ୱା. . . ସୁଦୀପ ଛୁଇଁଥିବା ଦେହକୁ ସେ ସମ୍ମାନ ଦେବେ । ଉଚିଷ୍ଟ ଆହାର କରିବାକୁ ସେ ଚାହିଁବେ ନାହିଁ । ଦାସୀଟିଏ ପରି ବରଂ ହେଉ, ପଦ୍ମା ନିଜ ଢଙ୍ଗରେ ଅବଶିଷ୍ଟ ଜୀବନ ବଞ୍ଚିଯିବ- ସାମନ୍ତରା ପରିବାରରେ । ଡାକ୍ତର ଅସୀମ. . . ଆଉ ଠାଏ ବାହା ହେଇ, ସ୍ତ୍ରୀକୁ ଧରି, ଚାକିରୀ ଜାଗାରେ ରହିବେ । ଯଦି ଘରୁ ବାହାର କରିଦିଅନ୍ତି. . . ସେ କେଉଁଠି ହେଲେ ଚାକିରୀ କରି, ସୁଦୀପର ସନ୍ତାନକୁ ବଡ଼ କରିବ । ଯଦି ତା’ ଭିତରେ, ଫେରିଆସନ୍ତି ସୁଦୀପ. . . !

ତା’ ଭାବନାର ସବୁ ବିପରୀତ ଘଟିଗଲା. . . ।

ସୁଦୀପ ସଂସାରୀ ତ୍ୟାଗୀ ଯୋଗୀ । ଅସୀମଙ୍କର ସଂସାରରୁ ବିଦାୟ ।

ଆଜି, ସୁଦୀପଙ୍କ ପାଞ୍ଚ ମାସର ସନ୍ତାନକୁ ଗର୍ଭରେ ଧରି, ପୁଅକୁ ହରାଇ ଅନ୍ଧୁଣୀ ପରି ହେଉଥିବା ବିଧବା ଶାଶୁ ଓ ସ୍ୱାମୀ-ନାତିଙ୍କୁ ହରାଇଥିବା ଗୋସେଇଁ ଶାଶୁଙ୍କ ହାହାକାର ମଧ୍ୟରେ, ଗୋଟାଏ ଅଲିଭା ଜ୍ୱାଳା ! ! !

ସାମ୍ନା କାନ୍ଥରେ, ରଙ୍ଗୀନ ଜରିମାଳା ଭିତରୁ, ବଡ଼ ଫୋଟୋଟିଏ ହେଇ, ସ୍ୱାମୀ ଅର୍ଥରେ ସ୍ୱାମୀ ହେଇନଥିବା. . . ସମାଜ-ସ୍ୱୀକୃତ-ସ୍ୱାମୀ ଅସୀମ. . . ତା’ ଆଡ଼େ ଚାହିଁଛନ୍ତି. . . । ହସୁଛନ୍ତି । ଯେମିତି କହୁଛନ୍ତି ।

– କେମିତି ଅଛ ପଦ୍ମା ?

ପଦ୍ମାର ଓଠ ଥରୁଛି. . . ଅଧର କମ୍ପୁଛି ।

ପୁଣି ଶୁଭୁଛି, ଅସୀମଙ୍କ ସ୍ୱର- ତୁମ ଗାଁ ଆମ୍ୱତୋଟା କଣ୍ଢେଇ ବାହାଘର କଥା ମନେ ପଡୁଥିବ । ନାଇଁ କି !

ପଦ୍ମାର ଛାତିରୁ, ଲମ୍ୱା ଲମ୍ୱା ନିଃଶ୍ୱାସ ବାହାରିଯାଉଛି ।

ଫୋଟୋ ପଚାରୁଛି ଅବା- କଲେଜ୍ ସାଥୀଙ୍କ ସହିତ ପିକ୍‌ନିକ୍. . . ପୁଣି ସୁଦୀପ ବଜାଉଥିବା ବଂଶୀର ସମ୍ମୋହକ ସ୍ୱର. . . ଏବେ ଗୋଟି ଗୋଟି ମନେ ପଡୁଥିବ ପଦ୍ମା ।

ଏତେବେଳକୁ ପଦ୍ମା ଯେପରି ସମ୍ମୋହିତା. . . !

ସେ ଉଚ୍ଚ ସ୍ୱରରେ କହୁଥାଏ- ସେହି ବଂଶୀସ୍ୱରର ଉନ୍ମାଦକ ସମ୍ମୋହନରେ ବୁଡ଼ିଯିବାରୁ, ସୁଦୀପ ଓ ମୋ ଭିତରେ ଯାହା ଘଟିଗଲା, ସବୁ ତମକୁ କହିଦେଇଥିଲି ଚତୁର୍ଥୀ ପଲଙ୍କରେ । ତମେ ବାହାବେଦୀରେ ଦଶ ଦୋଷ କ୍ଷମା କରିବାକୁ ଶପଥ ନେଇଥିଲ ନା ! କ’ଣ କଲ ?

– ହଁ, ଶପଥ ନେଇଥିଲି, ସେ ସବୁ ଆମ ଘରର ଦୋଷକୁ କ୍ଷମା କରିବା ପାଇଁ । ତୁମ ଘରୁ ପେଟରେ ଆଣିଥିବା ପାପ ଧୋଇବା ପାଇଁ ନୁହେଁ ତ ପଦ୍ମା !

– ମୋତେ ଡିର୍ଭୋର୍ସ କରିପାରିଥାନ୍ତା । ଅନ୍ୟତ୍ର ବିବାହ କରିପାରିଥାନ୍ତ ।

– ତମେ ଏହା ହିଁ ଚାହୁଁଥିଲ, କିନ୍ତୁ ମୁଁ ଚାହୁଁ ନଥିଲି । କୈଶୋରରୁ ତାରୁଣ୍ୟ ଆରମ୍ଭ ଯାଏ. . . ମୁଁ ଗଢ଼ିଥିବା ସ୍ୱପ୍ନ ଭାଙ୍ଗିଗଲା ପରେ, ଆଉ ସ୍ୱପ୍ନ ବୁଣିବାର ଇଚ୍ଛା ଟିକେ ବି ନଥିଲା । ଆଚ୍ଛା ପଦ୍ମା. . . ପାଇଲଣି ସୁଦୀପକୁ ! କି ପ୍ରେମିକ ସିଏ, ଯିଏ ପ୍ରେମିକାକୁ ସୁରକ୍ଷା ନ ଦେଇ, ତା’ ଜୀବନ ଚାଲିଯିବା ଭୟରେ. . . ନିଜେ ଘର ସଂସାର ଛାଡ଼ିଦିଏ । ପ୍ରେମଟା ତ ସବୁବେଳେ ତ୍ୟାଗ ପାଇଁ ! ଅନ୍ତଃସତ୍ତ୍ୱ ପ୍ରିୟାକୁ ଛାଡ଼ି ପଳାଇବା କ’ଣ ତ୍ୟାଗ ?

ପଦ୍ମା ସହିପାରିଲା ନାହିଁ- ସୁଦୀପଙ୍କ ପ୍ରତି ତାତ୍ସଲ୍ୟର ଆରୋପ । ଦୃଢ଼ ସ୍ୱରରେ କହିଲା- ତମେ ଠିକ୍ ସ୍ୱାମୀଟି । ଯିଏ କ୍ଷମା କ’ଣ ଜାଣେନାହିଁ ! ବିଧବା ମା’ ଜେଜୀଙ୍କ ପ୍ରତି କର୍ତ୍ତବ୍ୟ ଭୁଲିଯାଏ ।

ଗୋଟେ କାନଫଟା ହସ ଶୁଭିଲା ଯେମିତି । ଭୟ ମିଶା ଚାହାଁଣିରେ ଚାରିଆଡ଼କୁ ଚାହିଁଲା ପଦ୍ମା । ଫୋଟୋ ଯେମିତି କହୁଥାଏ- ସୁଦୀପ ପ୍ରତି ସାମାନ୍ୟ କଠୋର ମନ୍ତବ୍ୟ, ଏବେ ବି ତୁମ ପାଇଁ ଅସହ୍ୟ । ସେମିତି. . . ତୁମର ସୁଦୀପ ପରି, ମୋ ସ୍ୱପ୍ନ ଥିଲା- ମୋ ପାଇଁ ସବୁଠୁ ବେଶୀ ପ୍ରିୟ । ସ୍ୱପ୍ନ ମରିଯିବାରୁ ମୁଁ ବଞ୍ଚିବାକୁ ଚାହିଁଲି ନାହିଁ । ତୁମେ କିନ୍ତୁ ବଞ୍ଚିବାକୁ ବାଧ୍ୟ । ଯେହେତୁ. . . ସୁଦୀପ ଆଉ ଗୋଟେ ସୁଦୀପ ତୁମ ଜରାୟୁରେ ସାଇତି ସାରିଛି ।

ବାଁ ହାତଟି ପେଟ ଉପରେ ବୁଲାଇ ଆଣିଲା ପଦ୍ମା ।

କିଛି ସମୟ ଚୁପ୍ ରହି, ପଲଙ୍କରେ କଡ଼େଇ ହେଇ ଶୋଇଗଲା । ଏବେ ତାର ଭାବନା- ବାପଘରକୁ ନେଇ, ପଛକୁ ଘୂରିଲା. . . ।

ସାନ ଭାଉଜ ଫୋନ୍ କରିଥିଲେ ତିନିମାସ ଆଗରୁ- ବଡ଼ଭାଇ ଏବେ ପାଗଳ ପରି ହେଉଛନ୍ତି । ଭୁଲ୍ କରି ଦେଲି ବୋଲି କହି କହି, କାନ୍ଦୁଛନ୍ତି । ପରିବାରର ଅନ୍ୟମାନେ ଅବା ମୂକ ହୋଇଯାଇଛନ୍ତି । ବଡ଼ ଯାଆ ତ ଶାମ୍ପୁ ଟୋପେ ମୁଣ୍ଡରେ ବୋଳିନାହାନ୍ତି, ତୁମ ବାହାଘର ପରଠୁ । ମୁଁ ହିଁ କେବଳ ସବୁ ଯନ୍ତ୍ରଣାକୁ ପିଇ ପିଇ, ସମସ୍ତଙ୍କର ଯତ୍ନ ନେଉଛି. . . ଯେତିକି ପାରୁଛି । ପଦ୍ମା ! ଯଦି କହନ୍ତ, ସବୁଦିନ ପାଇଁ ତମକୁ ଏଠିକୁ ନେଇଆସନ୍ତୁ । କେତେ ଛୁଆ ମାମୁଁଘରେ ବଡ଼ ମଣିଷ ହେଉଛନ୍ତି । ସେଠି ଲାଞ୍ଛନାର ଜୀବନ ବଞ୍ଚିବା ଅପେକ୍ଷା, ଏଠିକୁ ଚାଲିଆସ ପଦ୍ମା । କହିବ ତ. . . ତୁମ ସାନଭାଇଙ୍କୁ ପଠାଇବି । ବାପା ବି ଏକଥା ଚାହୁଁଛନ୍ତି . . . !

ପଦ୍ମା ମନା କରିଥିଲା ।

ଶାଶୂଘରେ ଦୁଇଜଣ ବିଧବା ବୁଢ଼ୀ । ତାହାରି ଭୁଲ୍ ଯୋଗୁଁ, ସେମାନେ ପୁଅକୁ ନାତକୁ ହରେଇଛନ୍ତି । ଅବଲମ୍ୱନ ନାହିଁ । ତାଙ୍କୁ ବେସହାରା କରି, ଛାଡ଼ିଯିବାଟା ଖୁବ୍ ସ୍ୱାର୍ଥପରତା ହେଇଯିବ ।

ସାନ ଭାଉଜ କହିଥିଲେ- ଜୀବନଟା ଜୀବନ ପଦ୍ମା । ସେ ମୁର୍ଦ୍ଦାର ନୁହେଁ ଯେ ତାକୁ ଜଳାଯିବ, ପୋତାଯିବ କି. . . ଭସେଇ ଦିଆଯିବ । ଲମ୍ୱା ଜୀବନକାଳ ତୁମ ଆଗରେ । ମୋ ପରାମର୍ଶ ମାନି ନିଅ. . . ମୋଟେ ତ ଦୁଇମାସର ଛୁଆ । ଗର୍ଭପାତ କରେଇ ନିଅ । କହିବ ତ. . . ମୁଁ ବ୍ୟବସ୍ଥା କରିବି । ଏଥିରେ ତୁମ ସାନଭାଇଙ୍କର ମତ ଅଛି । ଅନ୍ୟ କେହି ଜାଣିବେ ନାହିଁ. . . ।

ପଦ୍ମା ମନାକରି କହିଥିଲା- ନା ଭାଉଜ ! ଦିନେ ନିଶ୍ଚୟ ସୁଦୀପଙ୍କର ଭେଟ ହେବ । ତାଙ୍କ ସନ୍ତାନ ଅଣବାପୁଆ ହେବ ନାହିଁ. . . ସମ୍ମାନର ସହିତ ବଞ୍ଚିବ, ଏ ବିଶ୍ୱାସ ମୋର ରହିଛି ।

– ଭାବନାରେ ଭାସି ଭାସି ଭୁଲ୍ କରୁଛ ପଦ୍ମା । ଆବୋରେସନ୍ କରିବାକୁ ଆସ । ନ ହେଲେ, ସବୁଦିନକୁ ତମ ଘରେ ରହିବାକୁ ଆସ, କିନ୍ତୁ ନ ଆସିବା କଥା ମନରେ ରଖ ନାହିଁ. . . !

ପଦ୍ମା ଉତ୍ତର କଲା- ସୃଷ୍ଟିର କଅଁଳ କଢ଼ିଟେ ଫୁଲ ହେଇ ଫୁଟି, ବାସ୍ନା ଖେଳାଇବାକୁ ଚାହୁଁଛି । ସେ ତ ନିଜ ଇଚ୍ଛାରେ, ପତ୍ର ସନ୍ଧିରେ କଅଁଳି ନଥିଲା । ତେବେ ଛିଡ଼ାଇବି କାହିଁକି । ସେ କଣ ଏକୁଟିଆ ମୋର । ସୁଦୀପଙ୍କ ଅଧିକାରକୁ ଫୋପାଡ଼ି ଦେବାର ଅଧିକାର ମୋର ନାହିଁ । ମୁଁ ଜଣେ ମା… ଗଢ଼ିବା ମୋର ଧର୍ମ । ଭାଙ୍ଗବି କେମିତି ।

. . . ପୁଣି ବି. . . ସୁଦୀପ ମୋତେ ବଞ୍ଚାଇବା ପାଇଁ, ନିରୁଦ୍ଦିଷ୍ଟ ହେଇଗଲେ । ତାଙ୍କୁ ତାଙ୍କ ଜାଗାକୁ ଫେରାଇ ଆଣିବା ପାଇଁ, ମୋ ପେଟର ଛୁଆ ହିଁ ମୋତେ ସାହା ହେବ । ଏଇ ବିଶ୍ୱାସରେ ତା’ର ମାଟି ଛୁଇଁବାକୁ ମୋର ଅପେକ୍ଷା. . . । ଆଉ ଗୋଟେ କଥା- ମୋରି ଯୋଗୁ ଅସୀମ ମଲେ । ତାଙ୍କ ମା ଆଉ ଜେଜୀଙ୍କ ପାଇଁ ମୁଁ କିଛି କରିବି କି ନାହିଁ ।

ସେହିଦିନଠୁ ସାନଭାଉଜ ଆଉ ଆନ୍ତରିକତା ନେଇ ଫୋନ୍ କରୁନାହାନ୍ତି ।

ପଦ୍ମା ବି ନିଜ ନିଷ୍ପତ୍ତିରେ ଅଟଳ ।

. . . ଏବେ ସଞ୍ଜ ନଇଁ ଆସିଲାଣି । ଘରେ ଘରେ ଦୀପଜ୍ୟୋତି ଜାଳିବାର ବେଳ । ପଦ୍ମା ଭାବୁଛି- କାହାର ମଙ୍ଗଳ ମନାସିବ ସେ । ଚଉଁରା ମୂଳେ, ମାଣ ଠାକୁରାଣୀ ପାଖରେ, ଗାଦି ଘରେ, ଦଧି ବାମନ ଜୀଉଙ୍କ ପାଖରେ ! ! ପେଟର ଛୁଆଟି ପାଇଁ, ନା. . . ଯେଉଁଠି ଥାଆନ୍ତୁ ସୁଦୀପ, ଭଲରେ ଥାଆନ୍ତୁ ବୋଲି. . . କିମ୍ୱା- ସେହି ଯୋଗୀ ଯଦି ସୁଦୀପ ହେଇଥାନ୍ତି, ତାକୁ ତାଙ୍କର ଯୋଗୀଆଣୀ କରିଦିଅ ହେ ଠାକୁର. . . ଠାକୁରାଣୀ ! ଏଇ ପାଇଁ ତାର ସନ୍ଧ୍ୟା ପ୍ରାର୍ଥନା ହେବ ! !

ଜନ୍ମର ବର୍ଷ କେତୋଟି ପରେ, କଥା କହିବ ସୁଦୀପଙ୍କ ପୁଅ କି ଝିଅ !

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top