ଗଳ୍ପ

ପ୍ରେମର ପ୍ରତିମା

Premara Pratimaa an odia story by Dr Bibhuti Pattanaik

ତା’ର ନିଦ୍ରିତ କୁମାରୀ ଦେହ ପ୍ରଥମ ପୁରୁଷର ଯାଦୁସ୍ପର୍ଶରେ ନିଦ ଭାଙ୍ଗି ଜାଗି ଉଠିବାର ଅପୂର୍ବ ଅନୁଭୂତି ତା’ ସ୍ନାୟୁଗ୍ରନ୍ଥିକୁ ଉଚ୍ଚକିତ କରିଦିଏ

ପ୍ରେମର ପ୍ରତିମା

ପୂର୍ବରୁ

ଛୋଟ ଛୋଟ ଦୁଃଖ ସବୁ ଆକାଶର ମେଘଖଣ୍ଡ ଭଳି ଆରତିର ଆଖି ଆଗରେ ଭାସି ଯାଉଥିଲେ । ବଳାତ୍କାରର ଚିହ୍ନସବୁ ଦେହରୁ ଲିଭି ଯାଉଥିଲା । ଦେହରୁ ଦାଗ ଲିଭିଯାଉଥିଲେ ବି ମନରୁ ସ୍ମୃତିର ଚିହ୍ନ ଉଡ଼ି ନିଆଁଭଳି ଜଳୁଥିଲା ।

ବାପା, ବୋଉ, ସ୍କୁଲ୍ ଶିକ୍ଷକ, ସମସ୍ତେ ତାକୁ ସେଇ କେତୋଟି ମୁହୂର୍ତ୍ତର ନିର୍ଯାତନା କଥା ଭୁଲି ପାଠପଢ଼ାରେ ମନ ଦେବାକୁ ବୁଝାଉଥିଲେ । ଡାକ୍ତରୀ ରିପୋର୍ଟରେ ତା’ର ଶରୀର ଲଙ୍ଘନ ହୋଇ ନଥିବା କଥା ଉଲ୍ଲେଖ ଥିବା ହେତୁ ତା’ର ସତୀତ୍ୱ ହାନି ଘଟି ନାହିଁ ବୋଲି କୁହାଯାଉଥିଲେ ସୁଦ୍ଧା, ମଝି ରାସ୍ତାରେ ତା’ର ଇଜ୍ଜତ ଲୁଟି ହୋଇଯାଇଥିବା ଖବର ବ୍ୟାପି ଯାଇଥିଲା । ଖବର କାଗଜରେ ଛପା ହୋଇଥିଲା । ତେଣୁ ତାକୁ ବାହା ହେବା ପାଇଁ ବର ମିଳିବେ ନାହିଁ ବୋଲି ତାକୁ ବେଶ୍ ଜଣାଥିଲା । ସେଥିପାଇଁ ପାଠପଢ଼ି, ଚାକିରି କରି, ନିଜ ଗୋଡ଼ରେ ଠିଆ ହେବା ପାଇଁ ମନଧ୍ୟାନ ଦେଇ ପାଠ ପଢୁଥିଲା ଆରତି ।

ତାକୁ ପାଖରେ ପାଇ ପ୍ରଦୀପ ତା’ର ସତୀତ୍ୱ ହାନିକରି ନ ଥିବାରୁ ତା’ର ସଖୀ, ସହଚରୀମାନେ ପରିହାସରେ କହୁଥିଲେ- “ତୋର ପ୍ରେମିକ ହୁଏତ ଜଣେ ଭଦ୍ରଲୋକ, ନ ହେଲେ ନପୁଂସକ ! ତା’ର ମାଛ ଧରିବାକୁ ମନ, ପାଣିରେ ପଶିବାକୁ ଡର ।”

ପ୍ରଦୀପ ତା’ର ପ୍ରେମିକ ।

ସହପାଠିନୀମାନଙ୍କ ମୁହଁରୁ ଏ ଶବ୍ଦଟା ଶୁଣି ତା’ର ସାରା ଶରୀରରେ ଶିହରଣ ସଞ୍ଚରିଯାଏ । ତା’ର ନିଦ୍ରିତ କୁମାରୀ ଦେହ ପ୍ରଥମ ପୁରୁଷର ଯାଦୁସ୍ପର୍ଶରେ ନିଦ ଭାଙ୍ଗି ଜାଗି ଉଠିବାର ଅପୂର୍ବ ଅନୁଭୂତି ତା’ ସ୍ନାୟୁଗ୍ରନ୍ଥିକୁ ଉଚ୍ଚକିତ କରିଦିଏ । ସେଇ କେତୋଟି ମୁହୂର୍ତ୍ତର ମହାଯୁଦ୍ଧରେ ସେ କିଶୋରୀରୁ ରମଣୀ ହୋଇଯାଇଥିବା ଭଳି ଅନୁଭବ କରେ । ପ୍ରଦୀପ ଉପରେ ରାଗ ବଦଳରେ ଅନୁରାଗରେ ମନ ତାରି ଭରିଯାଏ । ମାୟା ଆସିଯାଏ ।

ଏକଥା ଠିକ୍-ପ୍ରଥମେ ସେ ତା’ ଉପରେ ବଳପ୍ରୟୋଗ କରି ତା’ର ପରିଧେୟକୁ ଦେହରୁ ଅନେକାଂଶରେ ଅଲଗା କରିଦେଇଥିଲା । ସେତେବେଳେ ଯନ୍ତ୍ରଣାର ଚିତ୍କାର କରି ତା’ର ପ୍ରତିରୋଧ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲା ଆରତି । ଜୀବନ ବିକଳରେ ପରପୁରୁଷର ଆକ୍ରମଣରୁ ନିଜର ଇଜ୍ଜତ ରକ୍ଷା କରିବା ଲାଗି ସେ ପରମପୁରୁଷଙ୍କୁ ବଡ଼ ପାଟିରେ ଡାକିବାକୁ ଚେଷ୍ଟା କରିଥିଲା । କିନ୍ତୁ ତାକୁ ଶୂନ୍ୟେ ଶୂନ୍ୟେ ଟେକି ନେଇ ପଛପଟ ସ୍କୁଲ୍ ବାରଣ୍ଡାରେ ମୁହଁ ସଞ୍ଜର ମଳିନ ଅନ୍ଧାରରେ ସେ ତା’ ଛାତିରେ ମୁହଁ ଘଷିଲାବେଳେ ତା’ର ମନେହେଲା, ଏ ପୁରୁଷ ନୁହେଁ, ପିଲାଟିଏ । ତା’ର ଅନ୍ତର୍ବାସକୁ ଦାନ୍ତରେ ଛିଣ୍ଡାଇ ତା’ର ନଗ୍ନନିଟୋଳ ଦେହକୁ ଚାହିଁଦେଲା ମାତ୍ରେ ଆରତି ଅନୁଭବ କଲା, ପିଲାଟା ଅସୁସ୍ଥ ହୋଇପଡ଼ିଛି । ତା’ର ପ୍ରଖର ଶ୍ୱାସପ୍ରଶ୍ୱାସ ଧୀରେ ଧୀରେ ଶିଥିଳ ଶୀତଳ ହୋଇଆସୁଛି । ଗଛପତ୍ର ଫାଙ୍କରେ ଝରି ପଡୁଥିବା ତିଳତଣ୍ଡୁଳିତ ଜହ୍ନଆଲୁଅରେ ତା’ର ମୁହଁ ହିଂସ୍ର ପଶୁ ପରିବର୍ତ୍ତେ ଦେଖାଯାଉଛି ଏକ ଦେବ ଶିଶୁର ମୁହଁ ପରି । ତା’ ଅସୁସ୍ଥତାର ସୁଯୋଗ ନେଇ ସେ ନିଜର ଦେହକୁ ତା’ ଠାରୁ ଅଲଗା କରି ଉଠି ଖସି ପଳାଇବାକୁ ଚେଷ୍ଟା କଲାବେଳେ ସେ ପିଲାଟା ହଠାତ୍ ପୁରୁଷ ହୋଇଗଲା । ବୀର ବିକ୍ରମରେ ଉଠିପଡ଼ି ତାକୁ ମାଡ଼ିବସି ମୁଖ ବିକୃତ କରି ଖନେଇ ଖନେଇ, ଖତେଇ ହୋଇ ତୀବ୍ର ଘୃଣାରେ ଚାପା କଣ୍ଠରେ ଗାଳି ବର୍ଷିଗଲା- “ୟୁ ବିଚ୍ ! ପିଙ୍କିଆଣ୍ଟି-ୟୁ ପ୍ରଷ୍ଟିଚ୍ୟୁଟ୍-ମୁଁ ତମକୁ ମର୍ଡର କରିଦେବି- ନକ୍ସଲ୍ ହୋଇଯିବି ।”

କିଏ ଏଇ ପିଙ୍କିଆଣ୍ଟି ? କାହାଠାରୁ କରଜ ଆଣିଥିବା ଟଙ୍କା ତା’ ନାମରେ ବାକିଖାତାରେ ଲେଖି ଦେବାକୁ ବସିଛି ? ମୁଁ ପିଙ୍କି ନୁହେଁ-ମୁଁ ଆରତି । ମତେ ଛାଡ଼ି ତମ ପିଙ୍କିଆଣ୍ଟି ପାଖକୁ ଯାଅ-ମତେ ଯିବାକୁ ଦିଅ-ମୁଁ ପିଙ୍କି ନୁହଁ କି ତମର ଆଣ୍ଟି ନୁହଁ- ମୁଁ ରଙ୍ଗମିସ୍ତ୍ରୀର ଝିଅ ଆରତି । ଆରେ- ଏ କ’ଣ କରୁଛ ? ମତେ ଛାଡ଼ ।

ଜହ୍ନ ଆଲୁଅରେ ତା’ ମୁହଁକୁ ବେଶ୍ କିଛି ସମୟ ଚାହିଁ ରହିଲା ପରେ ହଠାତ୍ ଲୋକଟା ଆର୍ତ୍ତନାଦ କରିଉଠିଲା, “ହେ ଭଗବାନ୍ ! ତମେ ପିଙ୍କିଆଣ୍ଟି ନୁହଁ । ମୁଁ-ମୁଁ- ।”

ଏତିକିବେଳେ ମାଧବ- ।

ବଦଳିଗଲା ନାଟକର ଦୃଶ୍ୟ ।

ମାଡ଼ଖାଇ ମଦନିଶା ଖସିଗଲା ପରେ ପିଲାଟା ଏମିତି ହାଉ ହାଉ ହୋଇ କାନ୍ଦିଲା ଯେ ଆରତି ଆଖିକୁ ବି ଲୁହ ଆସିଯାଇଥିଲା । ବିଚାରାଳୟରେ ନିଜର ଅପରାଧ ସ୍ୱୀକାର କରି ସେ ଫାଶୀଦଣ୍ଡ ଚାହୁଁଥିଲାବେଳେ ତାକୁ ତିନିବର୍ଷ ସଶ୍ରମ କାରାଦଣ୍ଡ ହୋଇଛି ବୋଲି ଶୁଣିବା ମାତ୍ରେ ତା’ ଛାତି ଭିତରେ ପବନ ଅଟକି ଯାଇଥିଲା ।

ତା’ର ଇଜ୍ଜତ ଲୁଟି ହୋଇଯାଇଥିଲା ।

ପ୍ରଦୀପର କ୍ୟାରିଅର୍ ନଷ୍ଟ ହୋଇଗଲା । ସେଥିପାଇଁ ନିଜକୁ କିଛି ପରିମାଣରେ ଦାୟୀ କରୁଥିଲା ଆରତି । ଦିନ ବଢ଼ିବା ସଙ୍ଗେ ସଙ୍ଗେ ତା’ ଯୋଗୁଁ ଜେଲ୍ ଭୋଗୁଥିବା ପିଲାଟା ପାଇଁ ତା’ ମନ ଭିତରେ କିଛି କିଛି ଭଲ ପାଇବା ଜମାଟ ବାନ୍ଧିଯାଉଥିଲା । ନିଜେ ଖାଇ ବସିଲାବେଳେ ସେ ଜେଲ୍‌ରେ ବଗଡ଼ା ଭାତ ଖାଇପାରୁ ନ ଥିବ ବୋଲି ଭାବିବା ମାତ୍ରେ ତା’ ହାତରୁ ଭାତଗୁଣ୍ଡା ଖସି ପଡୁଥିଲା ।

ସେ ତା’ ପିଙ୍କିଆଣ୍ଟିର ପ୍ରେମିକ । ସେ ତା’ର କେହି ନୁହଁ । ସେ ଛୋଟା ରଙ୍ଗ ମିସ୍ତ୍ରୀର ଝିଅ, ସେ ମହାପରାକ୍ରମୀ ବିଧାୟକର ପୁଅ । ଜେଲ୍‌ରେ ଖାଉଛି କି ଉପାସ ରହୁଛି, ଘଣା ପେଲୁଛି କି କତା ବଳୁଛି, ତା’ ପାଇଁ ତା’ର ଏତେ ଚିନ୍ତା କାହିଁକି ?

ତା’ କଥା ଭାବି ଭାବି ଆଖିକୁ ନିଦ ନ ଆସିଲେ ସେ ଆଲୁଅ ଲିଭାଇ ଘର ଅନ୍ଧାର କରିଦିଏ । ମୁଦା ଆଖି ଖୋଲିଗଲେ ମୁହଁ ଉପରେ ଚାଦର ଘୋଡ଼ାଇ ଦିଏ ।

ଆଖି ବନ୍ଦ କରି ଶୋଇଲେ ବି ସେ ତାକୁ ଶୁଆଇ ଦିଏ ନାହିଁ । ଚୁପ୍‌ଚାପ୍ ଜେଲ୍‌ର ପାଚେରି ଡେଇଁ ଚାଲିଆସେ । ଝର୍କାର ରେଲିଂ ଭାଙ୍ଗି ତା’ ପାଖକୁ ଘୁଞ୍ଚିଆସେ ।

ଭୟରେ ଜଡ଼ସଡ଼ ହୋଇଯାଏ ଆରତି ।

ଖୁବ୍ ନିମ୍ନକଣ୍ଠରେ, ଭୟରେ, ଧରାପଡ଼ିଯିବାର ଆଶଙ୍କାରେ ଜାକିଜୁକି ହୋଇ ପଚାରେ, “ପାଖରେ ବୋଉ ଶୋଇଛି, ବାରଣ୍ଡାରେ ବାପା । ତମ ନିଶ୍ୱାସର ଶବ୍ଦରେ ସେମାନଙ୍କ ନିଦ ଭାଙ୍ଗିଯିବ । ତମେ ଧରାପଡ଼ିଯିବ । ସେମାନେ ତମକୁ ଏଥର ଛାଡ଼ିଦେବେ ନାହିଁ । ତମକୁ ମାରିଦେବେ । ତମେ ଚାଲିଯାଅ, ପ୍ଲିଜ୍ !”

– କୁଆଡ଼େ ଯିବି ? ଜେଲ୍‌କୁ ଫେରିବା ପାଇଁ ଇଚ୍ଛା ନାହିଁ । ବାପାମାଆ ମତେ ଘରେ ପୁରାଇବେ ନାହିଁ । ତମ ଛଡ଼ା ମୋର ଆଉ କେହି ନାହିଁ ।

ତା’ କଥା ଶୁଣି ଅନ୍ଧାରରେ ଆରତି ମୁହଁରେ ଈଷତ୍ ହସର ଆଲୋଡ଼ନ ସୃଷ୍ଟି ହେଲା ।

– କାହିଁ, ତମ ପିଙ୍କିଆଣ୍ଟି ପାଖକୁ ଯାଉନ । ଜେଲ୍ ଫାଟକ ବନ୍ଦ ହୋଇଗଲେ ବି ତାଙ୍କ ଦରଜା ତ ତମ ପାଇଁ ଚବିଶ ଘଣ୍ଟା ଖୋଲା । ତମେ ପିଙ୍କିର ପ୍ରେମିକ, ମୋର କେହି ନୁହଁ- ଯାଆ-ପଳାଅ- ତା’ ନ ହେଲେ ମୁଁ ଚିତ୍କାର କରି ଡାକ ପକାଇବି ।

ତା’ର ବୋଉ ତାକୁ ହଲାଇ ଦେଇ ପଚାରିଲେ-

“କିଏ କାହିଁ ? କିଏ ତୋର କ’ଣ ନେଇଗଲା ? କ’ଣ ଖରାପ ସପନ ଦେଖିଲୁ ? ନିଦ ବାଉଳାରେ ବିଳିବିଳଉଛୁ କାହିଁକି ? ଶୋଇପଡ୍- ।”

ଆରତିର କଞ୍ଚା ନିଦ ଭାଙ୍ଗିଗଲା ।

ତା’ର ମାଧ୍ୟମିକ ପରୀକ୍ଷାର ଠିକ୍ ଆଗଦିନ ଜୟପୁର ଜେଲ୍‌ରୁ ପ୍ରଦୀପର ହାତ ଲେଖା ଚିଠି ଖଣ୍ଡେ ପାଇ ଚମକି ପଡ଼ିଲା ଆରତି । ଚିଠିଟା ପଢ଼ିବ କି ନାହିଁ, ଠିକ୍ କରି ନ ପାରି ସେ ପ୍ରଥମେ ଇତସ୍ତତଃ ହେଲା । ତା’ ଯୋଗୁଁ ସେ ଜେଲ୍‌ଦଣ୍ଡ ଭୋଗୁଛି । ତା’ ପାଇଁ ତା’ର ଭବିଷ୍ୟତ ନଷ୍ଟ ହୋଇଯାଇଛି । ତା’ ଉପରେ କ’ଣ ପ୍ରତିଶୋଧ ନେବା ପାଇଁ ପ୍ରଦୀପ ଧମକ ଚମକ ଦେଇ ଜେଲ୍‌ରୁ ଚିଠି ଲେଖିଛି ।

ଚିଠିଟା ହାତରେ ଧରିଥିବା ବେଳେ, କିଛିଦିନ ହେଲା ସ୍ୱାଭାବିକ୍ ହୋଇଆସିଥିବା ତା’ର ହୃତ୍ସ୍ପନ୍ଦନ ପୁଣି ଦ୍ରୁତରୁ ଦ୍ରୁତତର ହୋଇଉଠିଲା ।

ମନକୁ ଦୃଢ଼ କରି ସେ ଡରି ଡରି ଚିଠି ଖୋଲି ପଢ଼ିଲା ।

ମୋର ଭୟଙ୍କର ଭୁଲ୍ ପାଇଁ ତମ ଦେହ ଅପବିତ୍ର ହୋଇଗଲା, ଏକଥା ଯେତେବେଳେ ମନେପଡ଼ିଯାଉଛି, ମୋର ଘୃଣା ଅପରାଧ ପାଇଁ ମତେ କାହିଁକି ମିଳିଲାନି ଫାଶୀଦଣ୍ଡ ବୋଲି ମନ ଖରାପ ହେଉଛି । ମରିଯାଇଥିଲେ ମୁଁ ବଞ୍ଚିଯାଇଥାଆନ୍ତି । ବଞ୍ଚି ରହି ମୁଁ ପ୍ରତି ମୁହୂର୍ତ୍ତରେ ଅନୁତାପର ଅନଳରେ ଜଳିପୋଡ଼ ମରୁଛି । ଏ ଦହନର ଜ୍ୱାଳା ଅନ୍ୟମାନଙ୍କ ଆଖିକୁ ଦେଖାଯାଏ ନାହିଁ । କିନ୍ତୁ ଏ ଅଦେଖା ଯନ୍ତ୍ରଣା ସହି ହୁଏ ନାହିଁ ।

ଏ ଦହନର ଜ୍ୱାଳାରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ତମକୁ ଭୁଲିଯିବା । କିନ୍ତୁ ତମକୁ ଭୁଲିଯିବା ପାଇଁ ଚେଷ୍ଟା କରି ମୁଁ ତମକୁ ଭଲପାଇ ବସିଛି ।

ମୋର ଏ ଚିଠି ପଢ଼ି ହସୁଛ । ଧର୍ଷଣ କରିବାକୁ ଯାଇ ବିଫଳ ହେଲାପରେ ଭଲ ପାଇବାର ବାହାନା କରି ମୁଁ ତୁମକୁ ବାଟରେ ବସାଇବାକୁ ଚାହୁଁଛି ବୋଲି ସନ୍ଦେହ କରୁଛ । ପ୍ଲିଜ୍ ମତେ ବିଶ୍ୱାସ କର- ମୁଁ ତୁମକୁ ଭୁଲ୍ କହୁ ନାହିଁ । ଏଇ ତିନିମାସ ଭିତରେ ମୋର ସକଳ ସଙ୍କୋଚ ସତ୍ତ୍ୱେ, ସମସ୍ତ ରୁଦ୍ଧଦ୍ୱାର ସଶବ୍ଦରେ ଉନ୍ମୁକ୍ତ କରି ତମେ ମୋ ହୃଦୟ ଭିତରେ ପ୍ରବେଶ କରିଯାଇଛ । ପିଙ୍କିଆଣ୍ଟିକୁ ଘୃଣାକରି ତମକୁ ମୁଁ ନିଜ ଭିତରେ ଖୋଜିପାଇଛି ।

ପ୍ରେମ ଶାରୀରିକ ନୁହେଁ । ହୃଦୟ ଘଟିତ ବ୍ୟାପାର । ମୋ ହୃଦୟ ଭିତରେ ଗଢ଼ି ହୋଇ ଯାଇଛି ତମ ପ୍ରେମର ପ୍ରତିମା । ପ୍ରତିମାକୁ ଜୀବନ୍ୟାସ ଦେବା ପାଇଁ ମୁଁ ତମକୁ ବାହାହେବା ପାଇଁ ଚାହେଁ ।

ତିନିବର୍ଷ ପରେ ମୁଁ ମୁକ୍ତି ପାଇବା ବେଳକୁ ତମର ବୟସ ଅଠର ହୋଇଯାଇଥିବ । ବିବାହ କରିବାର ସର୍ବନିମ୍ନ ବୟସ ସୀମାରେ ତମେ ପହଞ୍ଚି ଯାଇଥିବ । ତମେ ଯଦି ଏବେ ସୁଦ୍ଧା ମତେ ଘୃଣା କରୁଥାଅ, ବିବାହ କରିବାକୁ ଚାହୁଁ ନ ଥାଅ, ତା’ହେଲେ ଏ ଜେଲ୍‌ରେ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ମୁଁ ବଞ୍ଚି ରହିବାକୁ ଚାହେଁ ନାହିଁ । ଯଦି ତମେ ମତେ କ୍ଷମା କରିଦିଅ, ବାହା ହେବା ପାଇଁ ରାଜି ହୋଇଯାଅ, ତା’ହେଲେ ଆନନ୍ଦରେ ଏ ତିନିବର୍ଷ ହସି ହସି ଏ ସଶ୍ରମ କାରାଦଣ୍ଡ ଭୋଗ କରିଯିବି ।

ଯଦି ମତେ ବାହା ନ ହେବା ପାଇଁ ମନ ସ୍ଥିର କରିଥାଅ, ତା’ହେଲେ ଏ ଚିଠିକୁ ଚିରିଦିଅ ।

ପ୍ରେମ ଏକ ପ୍ରତିମା, ବିବାହରେ ହିଁ ସେ ପ୍ରତିମାରେ ପ୍ରାଣସଞ୍ଚାର ହୁଏ । ଚିଠି ଚିରିଦେଲେ ଏ ପ୍ରତିମା ଭାଙ୍ଗିଯିବ ।

– ପ୍ରଦୀପ !

ଚିଠିଟା ଚିରିଦେଇ ପ୍ରତିମାକୁ ଭାଙ୍ଗି ଦେବା ପାଇଁ ଚେଷ୍ଟା କରି ସୁଦ୍ଧା ପାରିଲା ନାହିଁ ଆରତି । ଚିଠିଟାକୁ ଛାତିରେ ଚାପିଧରି ହସୁ ହସୁ ସେ କାନ୍ଦି ପକେଇଲା ।

ଲୋକପ୍ରିୟ ଲେଖା

To Top