ଗଳ୍ପ

ପ୍ରେମର ପ୍ରତିମା

Premara Pratimaa an odia story by Dr Bibhuti Pattanaik

ଯାହା କରିଛୁ, ଠିକ୍ କରିଛୁ । ସେଥିପାଇଁ ମନକଷ୍ଟ କରିବାର କିଛି କାରଣ ନାହିଁ । ପଦାର୍ଥ ବିଜ୍ଞାନର ଛାତ୍ର ହେଲୁ ବୋଲି କାମ ବିଜ୍ଞାନ ପଢ଼ିବୁ ନାଇଁ- ଏମିତି କିଛି ବିଧିବିଧାନ ନାହିଁ ।

ପ୍ରେମର ପ୍ରତିମା

-: ପୂର୍ବରୁ :-

ଦୁଇ ଦୁଇଥର ବିପୁଳ ଭୋଟ୍‌ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ଜଣେ ବରିଷ୍ଠ ବିଧାୟକଙ୍କ ପୁଅ ଭୁଷଣ୍ଡପୁର ଜେଲ୍‌ରେ ପଶିଛି- ତାହା ପୁଣି ଜଣେ ସାମାନ୍ୟ ରଙ୍ଗମିସ୍ତ୍ରୀର ନାବାଳିକା ଝିଅକୁ ଧର୍ଷଣ କରିଥିବା ଅପରାଧରେ, ଏକଥା ଶୁଣିବା ପରଠାରୁ ଲଜ୍ଜା, ଅପମାନ ଏବଂ କ୍ରୋଧରେ ଭିତରେ ଭିତରେ କୁହୁଳୁଛନ୍ତି ବୃନ୍ଦାବନ ନାଏକ । କିନ୍ତୁ ଜଳିଉଠି ପ୍ରତିପକ୍ଷକୁ ଜାଳି ଦେଇପାରୁ ନାହାନ୍ତି । କେଶ୍‌ଟା ଉଠାଇ ଆଣିବାକୁ ପୁଲିସ୍‌କୁ କହିପାରୁ ନାହାନ୍ତି । ଭୁଷଣ୍ଡପୁର ଯାଇ ପୁଅକୁ ଭେଟି କହିପାରୁ ନାହାନ୍ତି, ଏ ଘଟଣାରେ ତୋର ନୁହେଁ, ବୟସର ଦୋଷ । ଯାହା କରିଛୁ, ଠିକ୍ କରିଛୁ । ସେଥିପାଇଁ ମନକଷ୍ଟ କରିବାର କିଛି କାରଣ ନାହିଁ । ପଦାର୍ଥ ବିଜ୍ଞାନର ଛାତ୍ର ହେଲୁ ବୋଲି କାମ ବିଜ୍ଞାନ ପଢ଼ିବୁ ନାଇଁ- ଏମିତି କିଛି ବିଧିବିଧାନ ନାହିଁ । ଏ ଅର୍ଥ ସର୍ବସ୍ୱ ଦୁନିଆଁରେ ଟଙ୍କା ଦେଇ ସବୁକିଛି କିଣି ଅଣାଯାଇପାରେ । ତତେ ନିର୍ଦ୍ଦୋଷରେ ଖଲାସ କରି ଆଣିବା ପାଇଁ ଯେତେ ଟଙ୍କା ଦରକାର, ଖର୍ଚ୍ଚ କରିବାକୁ ମୋର ତିଳେ ହେଲେ ଦ୍ୱିଧା ନାହିଁ । ଟଙ୍କାର ଅଭାବ ନାହିଁ । କିନ୍ତୁ ତତେ ଦେଖା କରିବାକୁ ବର୍ତ୍ତମାନ ମୁଁ ଭୁଷଣ୍ଡପୁର ଯାଇପାରିବି ନାହିଁ । ପୁଲିସ୍ ଆଇ.ଜି. ମନା କରିଛନ୍ତି । ସେଠାରେ କୁଆଡ଼େ ଝାଞ୍ଜିପବନ ବୋହୁଛି । ମୋର ରାଜନୈତିକ ଶତ୍ରୁମାନେ ମୂଳିବାଉଁଶ ଠେଙ୍ଗାକୁ ତେଲ ପିଆଉଛନ୍ତି । ମୁଁ ପହଞ୍ଚିଗଲେ କୁଆଡ଼େ ବାରୁଦ ସ୍ତୂପରେ ନିଆଁ ଲାଗିଯିବ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଦିନ ଆସନ୍ନ । ଏତିକିବେଳେ ଆଇନ୍‌କୁ ନିଜ ବାଟରେ ଯିବାକୁ ଛାଡ଼ି ନ ଦେଲେ ବିସ୍ଫୋରଣ ଘଟିଯାଇପାରେ ।

ପୁଲିସ୍ ଆଇ.ଜି.ଙ୍କ କଥା ମାନି ମୁଁ ଭୁଷଣ୍ଡପୁର ଯାଉନାହିଁ । କିନ୍ତୁ ଆଇନ୍‌କୁ ତା’ ବାଟରେ ଯିବାପାଇଁ ଛାଡ଼ି ନ ଦେଇ ଆମ ବାଟରେ ଆଣିବା ପାଇଁ ଏଠାରୁ ନାରୀ- ଘଟିତ ବ୍ୟାପାରରେ କୁଶଳୀ ଆଇନ୍‌ଜୀବୀ ଆଡ଼ଭୋକେଟ୍ ଇନ୍ଦ୍ରଜିତ୍ ଦାଶଗୁପ୍ତଙ୍କୁ ପଠାଉଛି ।

ପଠାଇଥିଲେ ମଧ୍ୟ ।

ଆଡ୍‌ଭୋକେଟ୍ ଦାଶଗୁପ୍ତ କୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପିତ କରି କହିଥିଲେ- ଅଭିଯୁକ୍ତ ଆସାମୀ ପ୍ରଦୀପ ନାଏକ ପଞ୍ଚଦଶୀ ଆରତି ମଲ୍ଲିକ ଉପରେ ବଳାତ୍କାର କରିଥିବାର କୌଣସି ପ୍ରମାଣ ନାହିଁ । ପାରସ୍ପରିକ ସମ୍ମତିରେ ହିଁ ସେଦିନ ସନ୍ଧ୍ୟାର ଅନ୍ଧାରରେ ଦୁହେଁ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପଛପଟ ବାରଣ୍ଡାରେ ମିଳିତ ହୋଇଥିଲେ । ଅଭିଯୁକ୍ତ ଆସାମୀ ଅଭିଯୋଗକାରିଣୀ ଦେହରେ କରଚାଳନା କଲାବେଳେ ସେ ତା’ର ପ୍ରତିରୋଧ କରି ନାହିଁ । ତାହା ହୋଇଥିଲେ ଅଭିଯୁକ୍ତ ଆସାମୀ ଦେହରେ ଅଭିଯୋଗକାରିଣୀର ଦାନ୍ତ କିମ୍ୱା ନଖର ଆଞ୍ଚୁଡ଼ା ଦାଗ ଥାଆନ୍ତା । ପ୍ରତିରୋଧର କୌଣସି ଚିହ୍ନବର୍ଣ୍ଣ ନାହିଁ ।

ଦ୍ୱିତୀୟରେ, ଅଭିଯୁକ୍ତ ହାତରେ କୌଣସି ମାରଣାସ୍ତ୍ର ନ ଥିଲା । ତେଣୁ ଭୟଭୀତ ହୋଇ ଅଭିଯୋଗକାରିଣୀ ଅଭିଯୁକ୍ତ ଆସାମୀକୁ ନିଜ ଦେହ ଭୋଗ କରିବାକୁ ଦେଇଥିବା ପ୍ରଶ୍ନ ଉଠୁ ନାହିଁ ।

ଅର୍ଥଲୋଭରେ ହେଉ କିମ୍ୱା ନିଜର ଯୌନତୃପ୍ତି ଲାଗି ହେଉ, ଆରତି ମଲ୍ଲିକ ନିଜ ଇଚ୍ଛାରେ ପ୍ରଦୀପ ନାଏକ ସହିତ ସେଦିନ ମିଳିତ ହୋଇଥିଲା । ହାଇସ୍କୁଲ୍ ପିଅନର ପୁଅ ମାଧବ ରଣା ସେ ଦୁଇଜଣଙ୍କୁ ଧରାପକାଇ ଦେଇ ନ ଥିଲେ ଏ ଘଟଣା କାକପକ୍ଷୀ ସୁଦ୍ଧା ଜାଣିପାରି ନ ଥାନ୍ତା ।

ଏହି ଘଟଣାକ୍ରମକୁ ବିଚାରକୁ ନେଲେ ଦିବାଲୋକ ଭଳି ସ୍ପଷ୍ଟ ହୋଇଯାଉଛି ଯେ ଏହା ଆଦୌ ବଳାତ୍କାର କିମ୍ୱା ଧର୍ଷଣ ଅପରାଧ ନୁହେଁ । ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ଆସାମୀ-ଉଭୟେ ସ୍କୁଲ୍, କଲେଜ୍‌ର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ଯାହା କିଛି ଘଟିଯାଇଛି, ତାହା ସେମାନଙ୍କର ଇଚ୍ଛାକୃତ ଅପରାଧ ନୁହେଁ । ତେଣୁ ଅଦାଲତ ଏ ପୁଲିସ୍ କେଶ୍‌କୁ ଖାରଜ କରିଦେବା ପାଇଁ ମୁଁ ଅର୍ଜି ପେସ୍ କରୁଛି ।

ଆରତିକୁ ଯେତେବେଳେ ଜେରା ପାଇଁ କାଠଗଡ଼ାରେ ଠିଆ କରାଗଲା, ପ୍ରଥମରୁ ସେ କେବଳ କାନ୍ଦିବାକୁ ଲାଗିଲା । କାନ୍ଦି କାନ୍ଦି ତା’ର ଆଖିପତା ଫୁଲିଯାଇଥିଲା । ମୁହଁସାରା ବିଷାଦର କାଳିମା ନେସି ହୋଇଯାଇଥିଲା ।

ମାନ୍ୟବର ବିଚାରପତି ତାକୁ ଯେତେବେଳେ ଅଶ୍ରୁ ସମ୍ୱରଣ କରି ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଲେ, ସେ ଅଶ୍ରୁ ଛଳଛଳ କଣ୍ଠରେ କହିଲା, “ସେ ପିଲାକୁ ମୁଁ ଚିହ୍ନି ନାହିଁ କି ଆଗରୁ କେବେ ଦେଖି ନାହିଁ । ସେ ମୋର ସର୍ବନାଶ କରିଛି । ଆତ୍ମହତ୍ୟା କରିବା ଛଡ଼ା ମୋର ଅନ୍ୟ କିଛି ବାଟ ନାହିଁ- ବାପା ବୋଉ ମତେ ଗୋଡ଼େ ଗୋଡ଼େ ଜଗି ରହିଛନ୍ତି ବୋଲି ମୁଁ ଏ ପର୍ଯ୍ୟନ୍ତ ଆତ୍ମହତ୍ୟା କରିପାରି ନାହିଁ- ବଞ୍ଚି ରହିଛି ବୋଲି କାଠଗଡ଼ାରେ ଠିଆ ହୋଇ ଏ ପୋଡ଼ାମୁହଁ ଦେଖାଇପାରୁଛି. . . ।”

କଣ୍ଠ ତା’ର ବାଷ୍ପରୁଦ୍ଧ ହୋଇଆସିଲା । କୋହର ଉଚ୍ଛ୍ୱାସରେ ଭାଙ୍ଗି ପଡି ନିଜ ମୁହଁକୁ ଦୁଇ ହାତପାପୁଲିରେ ଘୋଡ଼ାଇ ଧରିଲା-

ଆଡ଼ଭୋକେଟ୍ ଦାଶଗୁପ୍ତ ପଚାରିଲେ- “ତମର ଯିଏ ସର୍ବନାଶ କରିଛି ବୋଲି କହୁଛ, ତମେ ତା’ର କି ପ୍ରକାର ଦଣ୍ଡ ଚାହଁ । ଫାଶୀ ନା ଆଜୀବନ କାରଦଣ୍ଡ ?”

ପ୍ରଶ୍ନଟା ଶୁଣି ନିଜ ମୁହଁରୁ ହାତପାପୁଲି ଅପସାରଣ କରିନେଲା ଆରତି । ମୁହୂର୍ତ୍ତକ ପାଇଁ ମାଡ଼ଖିଆ ପ୍ରଦୀପର କରୁଣ ମୁହଁର ଛବି ତା’ ଆଖି ସାମ୍ନାରେ ଝଲସି ଉଠିଲା । ତା’ ଛାତି ଭିତରୁ ଅତଡ଼ା ଖସି ପଡ଼ିଲା ।

ସେ କମ୍ପିତ କଣ୍ଠରେ ଉତ୍ତର ଦେଲା- “ସେ ଫାଶୀ ପାଉ କି ମୁକ୍ତି ପାଉ, ମୋର ଲୁଟି ହୋଇଯାଇଥିବା ଇଜ୍ଜତର ପୁନରୁଦ୍ଧାର ହୋଇପାରିବ ନାହିଁ । ମୋ ଉପରେ ଅତର୍କିତ ଆକ୍ରମଣ କଲାବେଳେ ତା’ ମୁହଁରୁ ଦେଶୀ ମଦର ଭଣଭଣ ଗନ୍ଧ ବାହାରୁଥିଲା । ସମ୍ଭବତଃ ସେ ଅସୁସ୍ଥ ଥିଲା । ଅନ୍ୟ ଜଣେ ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ମୋର ସର୍ବନାଶ କରିଦେଲା-କେବଳ ଈଶ୍ୱର ତାକୁ କ୍ଷମା କରିପାରନ୍ତି ।”

ତା’ପରେ ପୁଣି ଥରେ ଅଶ୍ରୁର ଉଚ୍ଛ୍ୱାସରେ ଭାଙ୍ଗି ପଡ଼ିଲା ଆରତି ।

ସେଦିନ ପାଇଁ ବିଚାର ସ୍ଥଗିତ ରଖି ପରଦିନ ରାୟ ଶୁଣାଇବେ ବୋଲି ବିଚାରପତି ଘୋଷଣା କଲେ ।

ତା’ ଆରଦିନ ଅଭିଯୁକ୍ତ ଆସାମୀ ପ୍ରଦୀପ ନାଏକ ନିଜର ଅପରାଧ ସ୍ୱୀକାର କରିଥିବା ହେତୁ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ସେ ନାବାଳିକା ସ୍କୁଲ୍ ଛାତ୍ରୀର ଶ୍ଳୀଳତା ହାନି କରିଥିବାରୁ ତାକୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହିତ ମାନ୍ୟବର ବିଚାରପତି ଶିକ୍ଷାଳୟ ପରିସର ପାଖରେ ଥିବା ମଦଭାଟି ତୁରନ୍ତ ଉଠାଇ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top