ଗଳ୍ପ

ରାଣ୍ଡିପୁଅ ଅନନ୍ତା

Byaasakabi Fakir Mohan Senapati's odia story Raandipua Anantaa

ବୋପା ଲୋ ! ମା’ ଲୋ ! ବୋଲି କହି ଗଡ଼ିଲେ । ଆଉ ରଡ଼ି କରିପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜୁଛନ୍ତି । ମୁହଁ ଭାରି ଫୁଲିଗଲାଣି- ଆଖିପତା ଫୁଲିଯାଇ ମାଡ଼ି ପଡ଼ିଲାଣି- ଆଖିକୁ ଦିଶୁନାହିଁ ।

ରାଣ୍ଡିପୁଅ ଅନନ୍ତା

-: ପୂର୍ବରୁ :-

ଦିନ ପହରକ ସମୟରେ ଅବଧାନଙ୍କୁ ପଦାଆଡ଼େ ତଲବ ହେଲା । ଡାକି ଦେଲେ, ଆରେ । ନିଆଁ ଆଣରେ, ଧୂଆଁପତ୍ର ଆଣରେ, ନୋଟା ଆଣରେ । ପୁଞ୍ଜାଏ କି ଛ’ଟା ଚାଟ ଟୋକା ଧାଇଁ ଯାଇ ସବୁ ଠିକ୍ କରିଦେଲେ । ଅବଧାନଙ୍କର ସବୁ କାମ ପିଲାମାନେ କରନ୍ତି । ଅବଧାନଙ୍କର ଗୋଡ଼ଘଷା, ପାଲଟା ଲୁଗା କଚା, ସଙ୍କୁଡ଼ି ଧୁଆ ବିଲକୁଲ କାମ ପିଲାମାନେ କରନ୍ତି । ଯେଡ଼େ ଲୋକ ପୁଅ ହେଉ ପଛକେ ଅବଧାନଙ୍କ ଗୋଡ଼ ଘଷିବ । ଗୁରୁଙ୍କ ଗୋଡ଼ ଘଷିଲେ ପାଠ ଆସେ । ଅବଧାନେ ପିକାଟିଏ ଭଲ କରି ମୋଡ଼ିଲେ- ନିଆଁ ଖୁଣ୍ଟାରେ ପିକାଟି ଲଗାଇ ଦେଇ ଦି’କଳ ଭିଡ଼ିଲେ । ଫୁ’ କରି ଧୁଆଁ ଛାଡ଼ି ଦେଇ କହିଲେ, “କି ବେ ମୁକୁନ୍ଦା ! ଧୂଆଁ ଲାଗୁନାହିଁ ଯେ ?”

ମୁକୁନ୍ଦା କହିଲା- “ମୁଁ କ’ଣ କରିବି ଅବଧାନେ । ବାବା ତ କାଲି ହାଟରୁ ଏଇ ଧୂଆଁ ଆଣିଛି ।”

ଅବଧାନେ- “ବେ ବିନ୍ଦିଆ ! ତୋ ବାପ କଟକରୁ ଯେ ବାଲେଶ୍ୱରୀ ଧୂଆଁପତ୍ର ଆଣିଥିଲା, ତାକୁ ଆଉ ଆଣିଲୁ ନାହିଁ ତ ?”

ବିନୋଦ- “ମୁଁ କଅଣ କରିବି ଅବଧାନେ, ମା’ ତାକୁ ବିଡ଼ା ବାନ୍ଧି ସିକା ଉପରେ ରଖି ଦେଇଛି, ମୋ ହାତ ପାଇଲା ନାହିଁ ।”

ଅବଧାନେ- “ଆଚ୍ଛା ତୁ ଗୋଟାଏ କାମ କରିବୁ । ତୋ ମା’ ଯେତେବେଳେ ଗାଧୋଇ ଯାଇଥିବ ତୁ ଗୋଟାଏ ବଡ଼ ପାଛିଆ ଉଗାଡ଼ି ପକାଇବୁ, ତା’ ଉପରେ ଚଢ଼ି ସିକାରୁ ଧୂଆଁପତ୍ର କାଢ଼ିବୁ । ସେଥିରୁ ଦୁଇ ଚାରି ଖଣ୍ଡ କାଢ଼ି ନେଇ ବିଡ଼ା ବାନ୍ଧି ସିକାରେ ଥୋଇ ଦେବୁ । ଖବରଦାର୍ ! ବେଶିଗୁଡ଼ାଏ ଆଣିବୁ ନାହିଁ । କାଲି ସକାଳେ ଯଦି ନ ଆଣିବୁ, ଅନାଇଥା’ ଏ ବେତକୁ ।”

ଅବଧାନେ ଫେର୍ ଥରେ ଅନ୍ତାକୁ ଅନାଇଲେ । ଅନ୍ତୁ ଧୀରେ ବସି ଖୁବ୍ ମନ ଦେଇ ଅକ୍ଷର ବୁଲାଉଛି । ଅବଧାନଙ୍କର ଭାରି ଦୟା ହେଲା । କଅଁଳରେ କହିଲେ, “ରେ ବାପ ଅନ୍ତୁ ! ନେ ତ ଟୁକୁଣାଟା ନେଇ ଟୁକୁଣେ ପାଣି ଆଣ ତ, ବହିର୍ଦ୍ଦେଶ ଯିବୁ ।” ଅନ୍ତୁ ଭଲ ପିଲାଟି ପରି ଟୁକୁଣା ଧରି ପୋଖରୀକୁ ଜଳ ଆଣିବାକୁ ଗଲା । ଅବଧାନେ ବସି ପିକା ଟାଣୁଥାନ୍ତି । ଅନ୍ତୁ ଆସେ ନାହିଁ- ବଡ଼ ମଠ କଲା । ଅବଧାନେ ଆଉ ସହି ପାରିଲେ ନାହିଁ । ଦୁଇଥର ତିନିଥର ପୋଖରୀତୋଠ ଆଡ଼କୁ ଅନାଇଲେଣି । ସେଠାରୁ ଉଠି ପିକା ଭିଡ଼ି ଭିଡ଼ି ତୋଠ ଆଡ଼କୁ ଚାଲିଗଲେ । ଅନ୍ତୁ ଟୁକୁଣାଟି ଧରି ଆଡ଼ି ଉହାଡ଼ରେ ଲୁଚି ପଡ଼ି ଅବଧାନକୁ ଅନାଉଥିଲା- ଆସୁଥିଲା ନାହିଁ । ଅବଧାନ ଉପରେ ଯେମିତି ନଜର ପଡ଼ିଛି, ଧୀରେ ଧୀରେ ପାଖକୁ ଚାଲି ଆସିଲା । ଅବଧାନଙ୍କ ହାତକୁ ଟୁକୁଣାଟି ଏମିତି ବଢ଼ାଇ ଦେଲା, ଯେମିତି ଟୁକୁଣାର ପାଣିକୁ ଅବଧାନଙ୍କର ନଜର ନ ପଡ଼େ । ଅବଧାନେ ଡେବିରି ହାତ ପାଞ୍ଚଆଙ୍ଗୁଳିରେ ଟୁକୁଣା ଫନ୍ଦଟି ଧରି ଡାହାଣ ହାତରେ ପିକା ଭିଡ଼ି ଭିଡ଼ି ଗାଁ ଶେଷମୁଣ୍ଡ ଗହୀର ବିଲକୁ ବହିର୍ଦ୍ଦେଶ ଗଲେ । ଅଧଘଣ୍ଟାଏ ହୋଇ ନାହିଁ, ଅବଧାନେ ତ ବିଲରୁ ଚାରି ଚାରି ହାତ ଚିଲା ମାରି ରଡ଼ି ଛାଡ଼ି ଧାଇଁଛନ୍ତି । ଲୁଟା କେଉଁଠି ପଡ଼ିଲାଣି । ଲୁଗା ଖଣ୍ଡ ପଡ଼ିଥାନ୍ତା, ହାତରେ ଜାବୁଡ଼ି ଧରିଛନ୍ତି, ହେଲେ ଅଧା ଲଙ୍ଗଳାରେ ଅଳପାଇସିଆରେ । ରେ ସର୍ବନାସିଆ ଅନ୍ତାରେ । ମାରି ପକାଇଲାରେ । ଯେମିତି ଚାଟଶାଳୀରେ ପହୁଞ୍ଚିଗଲେ, ଧରିଲେ ବେତ- କାହିଁ ଅନ୍ତା ? ଆଉ ଅନ୍ତା ! ଅନ୍ତା ଅନ୍ତର୍ଦ୍ଧାନ !

ଅବଧାନେ ଚାଟଶାଳୀର ଏ ମୁଣ୍ଡ ସେ ମୁଣ୍ଡ ଗଡ଼ାଗଡ଼ି କରୁଛନ୍ତି, ପାଣି ପାଣି ରଡ଼ି ଛାଡ଼ିଲେ । ଗୋଟିଏ ପିଲା ଧାଇଁ ଯାଇ ତାଙ୍କ ରୋଷାଇଘର ମାଠିଆରୁ କଂସାଏ ପାଣି ଆଣି ଦେଲା । ସେହି ପାଣିରେ ହାତ ଧୋଇ ପକାଇ ଯେମିତି ଗୋଟାଏ କୁଳକୁଞ୍ଚା କରିଛନ୍ତି, କଂସା ଖଣ୍ଡ ପାଞ୍ଚ ହାତ ଦୂରକୁ ଫୋପାଡ଼ି ଦେଇ- “ବୋପା ଲୋ ! ମା’ ଲୋ ! ବୋଲି କହି ଗଡ଼ିଲେ । ଆଉ ରଡ଼ି କରିପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜୁଛନ୍ତି । ମୁହଁ ଭାରି ଫୁଲିଗଲାଣି- ଆଖିପତା ଫୁଲିଯାଇ ମାଡ଼ି ପଡ଼ିଲାଣି- ଆଖିକୁ ଦିଶୁନାହିଁ । ଗାଁ ଲୋକେ ଉଜାଡ଼ି ପଡ଼ିଲେ । କ’ଣ ହେଲା, କ’ଣ ହେଲା କହି ଦି’ଚାରି ଜଣ ଅବଧାନଙ୍କୁ ଧରି ପାଣିରେ ପକାଇଲେ । ସଞ୍ଜବେଳ ସରିକି ଅବଧାନଙ୍କୁ ବଡ଼ ଶୀତ ଲାଗିଲା । ପାଣିରୁ ଛାଙ୍କି ଆଣି ପାଏ ଖସା ତେଲ ଅବଧାନଙ୍କ ଦେହଯାକ ଘଷିଲେ । ତେତେବେଳେ ଅବଧାନଙ୍କ ପାଟିରୁ କଥା ବାହାରିଲା । ହେଲେ, ମୁହଁଟା ଆଟିକା ପରି ଫୁଲିଯାଇଛି । ଭଲ କରି କଥା କହି ପାରୁ ନାହାନ୍ତି । ଅବଧାନେ ଜଣାଇଲେ, ଭାରି ଭୋକ । ଆଉ ତ କିଛି ଖାଇ ପାରିବେ ନାହିଁ । ଗାଁ ଲୋକେ ଅଧସେରଟାଏ ଗରମ ଦୁଧ ଆଣି ଦେଲେ । ଢୋକେ ଢୋକେ କରି ତେତକ ପିଇ ଦେଇ ଅବଧାନେ ଟିକିଏ ସାଷ୍ଟମ ହୋଇ ବସିଲେ । ଥଣ୍ଡା ପଡ଼ିଗଲା- ଖସା ତେଲରେ ବାଇଡ଼ଙ୍କ ବିଷ ହରେ । ଅବଧାନେ ଟିକିଏ ସାଷ୍ଟମ ହେଲେଣି । ଗାଁର ସବୁ ଲୋକେ ଜମା ହୋଇଥିଲେ । ପୁରୁଣା ପାଞ୍ଚଜଣ ଲୋକ ତନଖି କରିବାକୁ ବସିଗଲେ । କଥା କ’ଣ ? – କାଇଁ ଅବଧାନେ ଏପରି ହେଲେ । ପ୍ରତ୍ୟକ୍ଷ ଏବଂ ପାର୍ଶ୍ଵବର୍ତ୍ତୀ ପ୍ରମାଣ ଏବଂ ଅବଧାନଙ୍କର ପୂର୍ବ ବ୍ୟବହାର ଆଲୋଚନା କରିବାରେ ସାଫ୍ ଜଣାଗଲା, ଏଟା ରାଣ୍ଡିପୁଅ ଅନନ୍ତାର କାମ । ସାଫ୍ ପ୍ରକାଶ ପାଇଲା କି, ଅବଧାନେ ଯେ ବିଛୁଆତି ଛଡ଼ିରେ ପିଟିଥିଲେ, ତା’ ମନରେ ଥିଲା ରାଗ । ଆଜି ସକାଳେ ଯେମିତି ଅବଧାନେ ଟୁକୁଣାଏ ପାଣି ଆଣିବାକୁ କହିଲେ, ସେ ପୋଖରୀକୁ ଟୁକୁଣା ଘେନି ଯାଇ ଅଧଟୁକୁଣେ ଅଠାଳିଆ କାଦ ଭର୍ତ୍ତି କଲା । ଲୋକେ ଦେଖିଛନ୍ତି, ପୋଖରୀ ଅଡ଼ି ବଣ ଉପରେ ଯେ ବାଇଡ଼ଙ୍କ ଲତା ମାଡ଼ିଛି ସେଥିରୁ ଦୁଇପୁଞ୍ଜା ଫଳ ଆଣି ଖପରାକାତି ଖଣ୍ଡକରେ ଆଁଶୁ ସବୁ ଚାଞ୍ଛିଛି । ଟୁକୁଣାରେ ଅଧେ ଆଁଶୁ ମିଶାଇ ଦେଇ ଆଉ ଗୁଡ଼ାଏ ପତ୍ର ଖଣ୍ଡରେ ପୋଟଳା କରି ଅଣ୍ଟିରେ ଖୋସିଥିଲା । ଅବଧାନେ ଯେମିତି ପଦା ଆଡ଼େ ଯାଇଛନ୍ତି, ତାଙ୍କ ରନ୍ଧାଘରେ ଯେଉଁ ପାଣି କୁମ୍ଭେ ଥିଲା ସେଥିରେ ତାହା ମିଶାଇ ଦେଇ ପଳାଇ ଯାଇଛି । ଅବଧାନଙ୍କ ମନରେ ତ ଥିଲା ରାଗ । ବେତ ଧରି ଉଠି ପଡ଼ିଲେ, ମୁଁ ଆଜି ରାଣ୍ଡିପୁଅ ଅନ୍ତାକୁ ଦେଖିବି । ବାହାରିଲେ ଅନ୍ତା ଦୁଆରକୁ । ଗାଁ ଲୋକ ସମସ୍ତେ ମନା କରୁଛନ୍ତି- ରାଗବେଳେ ମଣିଷର ଥାନ ଜ୍ଞାନ ଥାଏ ନାହିଁ । ଖଣ୍ଡେ ବାଟରୁ ଡାକୁଛନ୍ତି, ଲୋ ଦେବକୀ ଗଉଡୁଣୀ । ଲୋକ ଦେବକୀ ଗଉଡୁଣୀ । ସେ ରାଣ୍ଡିପୁଅ ଅନ୍ତା ଅଳପାଇସିଆ କାହିଁ ? ସିଂହାଣୀ ସେତେବେଳକୁ ସବୁ କଥା ଶୁଣିଲେଣି । ପୁଅକୁ ଘର ଭିତରେ ଲୁଚାଇ ଦେଇ ଦାଣ୍ଡପିଣ୍ଡାରେ ବସିଥିଲେ । ଅବଧାନ କଥା କାନରେ ଯେମିତି ପଡ଼ିଛି, ଘର ଭିତରୁ ବାହାର କଲେ ସେଇ ମଇଁଷିମଣା ଠେଙ୍ଗା । କୁହାଟଟାଏ ମାରି ଡାକି ଦେଲେ, “ଆରେ ଅଳପାଇସିଆ । ମାହାନ୍ତି ଗୋଲାମ । ଡାକୁଣିଖିଆ, ନଈଶୁଆ । ମୋ ଗିରସ୍ତ ଥିଲା ସାଇବର ଜମାଦାର- ମୁଁ ସିଂହାଣୀ- ମୋତେ କହିବୁ ଦେବକୀ ଗଉଡୁଣୀ । ମୋ ପୁଅକୁ କହିବୁ ଅଳପାଇସିଆ । କିରେ ତୋତେ କିସ ଲାଗିଲାଣି କି ? ରହ ତ ମାହାନ୍ତି ଟୋକାକୁ ଦେଖେ ।” ସିଂହାଣୀ ମୁଣ୍ଡରେ ଲୁଗା ନାହିଁ- ଡେମ୍ଫେ ଡେମ୍ଫେ କେତେକେରା କଞ୍ଚା ପାକଲା ବାଳ ଫର୍ ଫର୍ ଉଡୁଛି । କାନ୍ଧରେ ଠେଙ୍ଗା । ସେହି ବିକଟାଳ ରଡ଼ି ଶୁଣି ଅବଧାନଙ୍କର ତ ପିଳେହି ପାଣି ହେଲାଣି । ସିଂହାଣୀର ଦେହବଳ ଅବଧାନଙ୍କୁ ଭଲ ଜଣା । ଦିନେ କ’ଣ ହେଲା କି ସକାଳଓଳିଆ ସିଂହାଣୀ ଗାଁକୁ ନଈବନ୍ଧ ଉପର ବାଟେ ଦହି ବିକି ଯାଉଛି । ତେତିକିବେଳେ ବିନୋଦ ବିହାରୀ ମନ୍ଦିର ମାରଣା ଷଣ୍ଢଟା ବିନ୍ଧିବାକୁ ତଡ଼ି ଆସିଲା । ସିଂହାଣୀ ଗୁମ୍ କରି ଛିଡ଼ା ହୋଇଯାଇ ଧରିଲା ଷଣ୍ଢ ଶିଙ୍ଗ । ମୁଣ୍ଡ ଉପରେ ପସରାରେ ତିନି ମାଠିଆ ଘୋଳ, ତାକୁ ଧରିବାକୁ ନାହିଁ । ଷଣ୍ଢ ଶିଙ୍ଗ ଧରି କଡ଼େଇ କଡ଼େଇ ବନ୍ଧଧାରକୁ ଘେନିଗଲା । ଯେମିତି ପେଲିଦେଇ ଶିଙ୍ଗ ଛାଡ଼ି ଦେଇଛି ଷଣ୍ଢ ତ ପୁଟୁଳି ପରି ଗଡ଼ି ଗଡ଼ି ଯାଇ ନଈ ଭିତରେ ପଡ଼ିଲା । ସେହିଦିନରୁ ଷଣ୍ଢ ଛୋଟା, ମାରଣାପଣିଆ ଛାଡ଼ିଲାଣି । ଏଟା ଅବଧାନଙ୍କ ଆଖି ଦେଖିବା କଥା । ଭୟରେ ଅବଧାନଙ୍କ ପଳାୟନ । ବାଘୁଣୀ ମୃଗକୁ ଗୋଡ଼ାଇଲେ ସେ ଯେମିତି ପଳାଏ, ଅବଧାନେ ସେହିପରି ପଡ଼ି ଉଠି ଧାଇଁଛନ୍ତି । ଆଣ୍ଠୁ ଗଣ୍ଠି ଛିଡ଼ି ଝର୍‌ଝର୍ ରକ୍ତ ବହୁଛି । ସିଂହାଣୀ କାନ୍ଧରେ ଠେଙ୍ଗା, ଭାଲୁକୁଣୀ ପରି ଅବଧାନ ପଛରେ ଧପ୍ ଧପ୍ କରି ଧାଇଁଛନ୍ତି । ଧାଇଁବା ବେଳେ ସେହି ବିଶାଳ ପେଟଟି ଦଲ୍ ଦଲ୍ ଶୁଭୁଛି । ହାତରେ ସେ ପିତଳବାହି ବଳାଗୁଡ଼ାକ ପାଏ ବାଟ ଯାଏଁ ଝମ୍ ଝମ୍ ଶୁଭୁଛି । ସିଂହାଣୀଙ୍କର ସେହି ରଡ଼ିରେ ଗାଁ କମ୍ପି ଯାଉଛି । ଅବଧାନେ ଗାଁ ମଝିରେ କେଉଁଠି ଅନ୍ଧାରରେ ମିଶିଗଲେ । ସିଂହାଣୀ ଡାକିଦେଲା, “ଆରେ କାଠଖିଆ ମାହାନ୍ତି ଗୋଲାମ । ମୋ ପୁଅକୁ କୁଆଡ଼େ ଲୁଚାଇଛୁ ଆଣି ଦେ । ଜାଣିଥା’ କାଲି ସକାଳେ ପିତଳବାହିରେ ତୋ ମୁଣ୍ଡ ଚୁନା କରିବି ।” ହେଲେ ଅବଧାନଙ୍କୁ ତହିଁ ଆରଦିନ ସକାଳଠାରୁ କେହି କେବେ ସେ ଗାଁରେ ଆଉ ଦେଖିନାହିଁ ।

ଆହୁରି ବି ପାଞ୍ଚ ଛ’ବରଷ ଗଲାଣି, ଅନ୍ତା ଲାଗି ଗାଁର ଅନେକ ଲୋକ ଅସ୍ଥିର । ତା’ର ଆଉ କିଛି ଅତ୍ୟାଚାର ନାହିଁ । ଖାଲି କାହାରି ବାଡ଼ିରେ ମକା, କାକୁଡ଼ି, କୋଳି, ଆମ୍ୱ, ବେଲ କିଛି ରହିବ ନାହିଁ, ଆଉ ସୁନା, ରୂପା ପଡ଼ିଥାଉ ଅନାଇବ ନାହିଁ । ହେଲେ ସେ ଯେପରି ଉତ୍ପାତିଆ, ସେହିପରି ବି ଭଲଲୋକ । ତାକୁ ରଗାଇଲେ ରକ୍ଷା ନାହିଁ । ସେ ଆଗେ ଦୁସ୍‌ମନ୍ ଘରର ଖୁମ୍ୱ ଆଉ କବାଟ ଭାଙ୍ଗେ । ମା’ ମନା କରିଛି କାହାରି ଦେହରେ ହାତ ଦିଏ ନାହିଁ । ଏଣେ ସାକୁଲା ସାକୁଲି ଟେକା ଟେକି କରି ତାକୁ ଦି’କଥା କୁହ, ତୁମ ଗୁହ କାଢ଼ିବ । କାହାରି ବାଡ଼ି ହଣା ଯାଉଛି ଅନ୍ତା ସେଠି ଦେଖୁଥିଲା- ତାକୁ ଯଦି କହିବ, “ବାପ ଅନ୍ତୁ ! ତୁ ନ ହେଲେ କାହାର ଗାଁ ଚଳିବ ।” ଆଉ କିଛି କଥା ନାହିଁ, ଧଇଲା କୋଡ଼ି । ଚାରିଜଣ ମଣିଷ ଦିନକେ ଯାହା ପାରିବେ ନାହିଁ, ପହରକ ଭିତରେ ଫୁଟେ ଗହୀରରେ ବାଡ଼ିଟାକୁ ତାଡ଼ି ପକାଇବ । ମୂଲିଆ ମିଳୁ ନାହିଁ, କାହାର ଘର ଛପରବନ୍ଦି ହୋଇ ପାରିଲା ନାହିଁ, ଧଇଲା ଅନ୍ତାକୁ- ସାକୁଲା ସାକୁଲି କରି କହିଲେ, ଦିନେ ଲାଗୁ, ଦି’ଦିନ ଲାଗୁ ସେ ଏକଲା ଗୋଟାଏ ଘର ଛାଇ ପକାଇବ । ରାମା ଭିଣାର ବାପ ମରି ଘରେ ପଡ଼ିଛି । ବାଡ଼ିରେ ମରିଛି ବୋଲି ତାକୁ କେହି ଉଠାଇବାକୁ ଆସିଲେ ନାହିଁ । ଅନ୍ତୁ ରାତି ଛ’ଘଡ଼ି ବେଳେ ଗାଁ ପାଖ ଦେଇ ଯାଉଥିଲା, ତାକୁ ସବୁ କହିଲା । ଆଉ କିଛି କଥା ନାହିଁ, ଏକଲା ହେଁସମିଶା କରି ମଡ଼ାକୁ କାନ୍ଧେଇଲା । ଅନ୍ଧାର ରାତି । ସେହି ସମୟରେ ବି ଗାଁରେ ବାଡ଼ି ପଡ଼ିଛି । ଅଧକୋଶେ ଦୂରରେ ମଡ଼ାମଶାଣିରେ ମଡ଼ାଟାକୁ ଫୋପାଡ଼ି ଦେଇ ନଈରେ ବୁଡ଼ିପଡ଼ି ବାହାରି ଅଇଲା । ଅନ୍ତା ବାଘ, ଭାଲୁ, ଭୂତ, ପ୍ରେତ, ସାପ, ବେଙ୍ଗ କାହାକୁ ଡରେ ନାହିଁ । ଅନ୍ତା ଲୋକଙ୍କ ବାଡ଼ିରୁ ଫଳକନ୍ଦ ଲୁଟିପାଟି ଖାଇବ, ହେଲେ ତାକୁ କିଛି ଖାଇବାକୁ ଯାଚ, ରାଗି ଘରଦୁଆର ଭାଙ୍ଗିବ ।

ତା’ପରେ

ଲୋକପ୍ରିୟ ଲେଖା

To Top