ଗଳ୍ପ

ରାଣ୍ଡିପୁଅ ଅନନ୍ତା

Byaasakabi Fakir Mohan Senapati's odia story Raandipua Anantaa

ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି, ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧକରି ତିନିଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ ଶୋଇଥିଲେ, ତାକୁ ଯିମିତି ମାଡ଼ି ବସିଛନ୍ତି ସେ ହାଉଳିଖାଇ ହାତଯୋଡ଼ାକ ଛିଞ୍ଚାଡ଼ି ଦେଲା । ଚୋରଗୁଡ଼ାକ ଚାରି ଚାରି ହାତ ଦୂରରେ ପଡ଼ିଗଲେ ।

ରାଣ୍ଡିପୁଅ ଅନନ୍ତା

-: ପୂର୍ବରୁ :-

ଶୀତଦିନିଆ ପୁଲିସ ସାହେବ ମକ୍ରାମପୁର ଫାଣ୍ଡି ତଦାରକ କରିବାକୁ ଯାଇଥିଲେ । ଫାଣ୍ଡି ପାଖ ତୋଟାରେ ଡେରା ପଡ଼ିଥାଏ । ଡେରା ପାଖକୁ ଅଧକ୍ରୋଶ ଦୂରରେ ପାଟ । ସରାଳି, କାଜ ମାଣିକ ଯୋଡ଼, ଜଳ ଫିଫଁ, ପାଣିହଂସ, ଚକୁଆ, ଦା-ବେକିଆ, ବଗ ଚଢେ଼ଇ ଭର୍ତ୍ତି । ସାହେବଙ୍କ ନଜର ଯିମିତି ପଡ଼ିଗଲା, ବନ୍ଧୁକ କାନ୍ଧରେ ପକାଇ ଶିକାରକୁ ବାହାରିଲେ । ପଛରେ ଜଣ ଚାରି କନେଷ୍ଟବଲ, ଆଠ ଦଶ ଜଣ ଚୌକିଦାର, ମୁଣ୍ଡରେ ଲାଲ୍, କଳା, ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡ଼ାଇ ଚିତେ ଚିତେ ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଧାଇଁଛନ୍ତି । ସାହେବ ପାଟକୂଳରେ ପହୁଞ୍ଚି ଯିମିତି ବନ୍ଧୁକଟା ଦୁମ୍ କରି ଆୱାଜ୍ କଲେ ହଜାର ହଜାର ଚଢେ଼ଇ ତ କେଁ କଟର କରି ଆକାଶରେ ଉଡ଼ି ଚକର ଦେଇ ଘୂରିଲେ । ବୋଧହୁଏ ସେମାନେ ତଳକୁ ଅନାଇ ବିଚାର କରୁଥିଲେ, କାଳେ ଦେଖା ନାହିଁ ଶୁଣାନାହିଁ, ଆଜି ଏଟା କ’ଣ ? ଏଟା ତ ଧଳା ମଣିଷ ପରି ଦିଶୁଛି, ଏଟା କ’ଣ ? ସେମାନେ ଆପଣା ଆପଣା ଭିତରେ ଯେଉଁ କଥା ଭାଷା ହେଉଥିଲେ ସେଇଟାକୁ କହୁଛୁ କେଁ କଟର ।

ଯୋଡ଼ାଏ କାଜ ଦେହରେ ଛିଟା ବାଜି ଡେଣା ଓ ଗୋଡ଼ ଭାଙ୍ଗିଗଲା । ହେଲେ କ’ଣ ହେଲା ଠା’ ନ ପଡ଼ି ଖଣ୍ଡି ଉଡ଼ା ଦେଇଯାଇ ପାଟ ମଝିରେ ଯାଇ ପଡ଼ିଲା । ଯାଉଛି କିଏ, ସାହେବ ତ ସମସ୍ତଙ୍କ ମୁହଁକୁ ଅନାଉଛନ୍ତି । ଜଣା ଅଛି ପାଟ ମଝିଟା ତାଳେ ଗହୀର ମଣିଷଖିଆ କୁମ୍ଭୀର ଯୋଡ଼ାଏ ଥିବାର ବି ଶୁଣାଅଛି । କନେଷ୍ଟବଲମାନଙ୍କର ତ ଡ୍ରେସ୍ ଭିଜି ଯିବ । ଚଉକିଆ ଗୁଡ଼ାକ ଗାଉଁଲିଆ, ପହଁରି ଜାଣନ୍ତି ନାହିଁ । ଅସଲ କଥା, କାହାରି ମନକୁ ଭରସା ଖଟୁ ନାହିଁ ଯେ ଯିବ । ସାହେବ ନୋହିଲେ ଜରିମାନା କରିବ, ନୁହେଁ ଚାକିରୀ ଛଡ଼ାଇ ଦେବ, ଜାଣି ଶୁଣି ଗୋମୁହାଁ କୁମ୍ଭୀର ମୁହଁକୁ କେ ଯିବ । ତେତିକିବେଳେ କ’ଣ ହେଲା କି ଆମ୍ଭମାନଙ୍କ ସେଠେ ପଲ ତନଖ କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ । କୁହା ନାହିଁ ବୋଲା ନାହିଁ କଅଣ ମନକୁ ଆସିଲା ହୁଡ଼ ହୁଡ଼ କରି ପାଣିରେ ପଶିଗଲେ । ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାହେବ ଆଗରେ ଥୋଇ ଦେଲେ । ସାହେବ ତ ମହାଖୁସି । ଗୋଡ଼ରୁ ମୁଣ୍ଡଯାଏ ତିନିଥର ଅନାଇଲେ, ପଞ୍ଚହତା ମର୍ଦ-ବାହୁ ଯେ ଡାକ ଗୋଲ ଗୋଲ ମୋଟା ମୋଟା, ଦୁଇହାତରେ ଚେକା ପାଇବ ନାହିଁ, ମୁଠୁଣିଏ ଚଉଡ଼ା ଛାତି, ଚକା ମୁହଁ, ଚଉଡ଼ା ନାକ, ଜଙ୍ଘଗୁଡ଼ାକ ସଳଖ ମୋଟା ଶାଳଗଜାପରି । ସାହେବ ଭାରି ଖୁସି ହୋଇ ପଚାରିଲେ, “ତୁମ୍ କୋନ୍ ହୋ ?” ମଣିମା ମୁଁ ଜମିଦାର ପଲର ସୁବଳ ସେଠ । ସାହେବ- “ତୁମ୍ କନେଷ୍ଟବଳ ନୌକରି କରେଗା ?” ସେଠିଏ ଟିକିଏ ଗୁମ୍ମାରି ରହିଲେ । ଦଣ୍ଡକ ବାଦ୍ କହିଲେ, “ମୁଁ ଘରଆଡ଼େ ନ ବୁଝି କହିପାରୁ ନାହିଁ ।” ସାହେବ ବୁଝିପାରିଲେ ନାହିଁ । ଜମାଦାର ମୁହଁକୁ ଚାହିଁଲେ, ଜମାଦାର ଇଂରେଜ୍ ପଢୁଆ ବୋଲି ଚୌକିଦାରମାନଙ୍କୁ ଜଣା । ଆମ୍ଭେମାନେ ଜାଣୁ ସେ ଫାଷ୍ଟବୁକ୍ ଖଣ୍ଡକ ବିଲ୍କୁଲ୍ ପଢ଼ିଥିଲେ, ଆଉ କାଗଜରେ ଇଂରେଜୀରେ ଦସ୍ତଖତ କରନ୍ତି । ସେ ମହାକୁଡ଼ କଥା ଇଂରେଜୀରେ ସାହେବଙ୍କୁ ବୁଝାଇ ଦେଲେ । “ସାର୍, ଦିସ୍ ଗୁଆଲା ମହାକୁର ସେଜସ୍ ହି ଆକ୍ସ୍ ହିଜ୍ ୱାଇଫ୍, ଇଫ୍ ସି ସେଜସ୍, ହି ଉଇଲ୍ କନଷ୍ଟେବଲ ।” ସାହେବ ମନ ମଧ୍ୟରେ ଟିକିଏ ହସିଲେ । ଅସଲ କଥାଟା ବୁଝିବାକୁ ଦି’ମିନିଟ୍ ଡେରି ହେଲା । ପକେଟ୍‌ରୁ  ନୋଟ୍‌ବୁକ୍ ବାହାର କରି ଲେଖିଲେ ସୁବଳ ସିଂ ଇଜ୍ ଫିଟ୍ ଟୁ ବି ଏ କନ୍‌ଷ୍ଟେବଲ୍‌   । ହି ସିମ୍‌ସ ଟୁ ବି ଏ କ୍ଲେଭର୍ ମ୍ୟାନ୍ ଆଣ୍ଡ୍ ନୋଜ ହାଓ ଟୁ ସୋ ରେସ୍ପେକ୍ଟ  ଟୁ ଦି ଫେଆର୍ ସେକ୍ସ । ହୁକୁମ୍ ଦେଲେ, “ତୁମ୍ କାଲ୍ ଫଜର୍ ଡେରା କେ ପାଶ୍ ହାଜର୍ ହୋ ।”

ସୁବଳ ସିଂହ ସାହେବଙ୍କ ଅର୍ଦ୍ଦଳି । ସାହେବ ତ ଭାରି ଶିକାର ପ୍ରିୟ । ଶିକାର ସରଞ୍ଜାମ ତାହା ଜିମା ଥାଏ । ସୁବଳ ସିଂହ ନଥିଲେ ସାହେବ ଶିକାରକୁ ବାହାରି ପାରନ୍ତି ନାହିଁ । ସୁବଳ ଉପରେ ସାହେବଙ୍କର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁସରଣ କରି ଥାଆନ୍ତି । ସେଥିରେ ତାହାର ଦରମା ମାସିକ ଟ. ୯  ଛଡ଼ା ଉପରି ଦି’ଚାରିପଇସା ବେଶ୍ ରୋଜଗାର ହୁଏ । ହେଲେ ସବୁ ଦେବକୀ ହିସାବ କରି ନିଏ । କେବେ କାଳେ ସିଂହର ଟଙ୍କେ ମଷେ ବଜାୟ ଖରଚ ଧରା ପଡ଼ିଲେ ଦେବକୀ ଖପା ହୋଇ ଗାଳି ଦିଏ । କାଠଖିଆ, ତୁ’ ତ ଟଙ୍କା ଏଇରକମ ଉଡ଼େଇବୁ, ପର ଘରେ ଗୋଲାମି କରୁଛୁଁ କ୍ୟାଁ । ଆଉ ଗୋଟାଏ କଥା, ମହାକୁଡ଼ ସିଂହ ହେଲାରୁ ଦେବକୀ ନାମ ହେଲା ସିଂହାଣୀ, ସେ ଆପେ ଗାଁଯାକ ଏହି ନାମ କହି ଆସିଲା । ସିଂହଙ୍କର ଦି’ତିନି ବରଷ ଚାକିରୀ ବାଦେ ଥରେ ପୁଲିସ୍ ସାହେବ, ମେଜେଷ୍ଟର ସାହେବ ମିଶି ଡୋମପଡ଼ା ବଣକୁ ଶିକାର କରି ଯାଇଥିଲେ । ମେଜେଷ୍ଟର ସାହେବ ଗୋଟେ କେନ୍ଦୁଆକୁ ଯିମିତି ଗୁଳି କରିଛନ୍ତି, ହେଲା ଅଣ୍ଟାଗୁଳି, କେନ୍ଦୁଆଟା ଗୋଟାଏ ଝୁମ୍ପୁଡ଼ିଲଗା ଭିତରେ ପଶି ଗର୍ଜନ କରୁଥାଏ । ସାହେବ ସଙ୍ଗରେ ଶକଡ଼ା ବେଠିଆ, ଯୋଡ଼ାଏ ହାତୀ, ଘାଉଲା କେନ୍ଦୁଆ ପାଖକୁ ଯାଉଛି କିଏ । ଘାଉଲା ବାଘ, ଧଇଲା ଯମ ଏକା କଥା । ପୁଲିସ୍ ସାହେବ ସୁବଳ ସିଂହ ମୁହଁକୁ ଚାହିଁଲେ । ସିଂହେ ଉଁ କି ଚୁଁ ନ କରି ପଶିଲେ ବଣରେ । ସିଂହେ ସେଇ ମଇଁଷିମଣା ଠେଙ୍କା ଆଜିଯାଏ ଛାଡ଼ି ନାହାନ୍ତି । ବାଘ ମୁଣ୍ଡରେ ଚାରି ପାହାର କଷି ଦେଇ ଲାଞ୍ଜ ଧରି ଭିଡ଼ି ଭିଡ଼ି ଆଣି ମେଜେଷ୍ଟର ସାହେବଙ୍କ ଆଗରେ ଥୋଇ ଦେଲେ । ସଙ୍ଗେ ସଙ୍ଗେ ନଗଦ ଟ.୨୦ ଙ୍କା ବକ୍ସିସ୍, ଆଉ ଟ.୧୫ ଦରମାର ଜମାଦାରୀ । ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ । କାର୍ତ୍ତିକମାସିଆ ଛୁଟି ନେଇ ଘରକୁ ଆସିଛନ୍ତି, କାହୁଁ ଗୋଟାଏ କାଳ-ଜ୍ୱର ଆସି ମାଡ଼ି ବସିଲା । ଜର ସଙ୍ଗେ ସଙ୍ଗେ ସନ୍ନିପାତ । ଦିନ ତିନିଟାରେ ଶେଷ ।

ଏଣେ ସିଂହାଣୀଙ୍କର ଦେହରେ ଯିମିତିକା ବଳ, ମନରେ ବି ସେହିପରି ସାହସ, ଘୋର ବିପଦରେ ପଡ଼ି ହଟିବାର ନୁହଁନ୍ତି । ସ୍ୱାମୀର ଶୁଦ୍ଧିକାର୍ଯ୍ୟ ସାରି ଆପଣା ବେଉସାରେ ଲାଗିଗଲେ । ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ । ବିଧାତା ଯେମନ୍ତ ଗୋଟିଏ ଚକରେ ଦୁଇଜଣଙ୍କୁ ଗଢ଼ିଛନ୍ତି, ତେବେ ସିଂହାଣୀ ଉଚ୍ଚାରେ ଅଧଚୌକେ ବେଶି ହେବେ । ନାହି ତଳକୁ ଲୁଗା ପିନ୍ଧିଥିଲେ ପେଟଟି ଛ’ନଉତିଆ ଧାନ ଉଷୁନା କଳା ହାଣ୍ଡି ପରି ବାହାରି ପଡ଼ିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ଼ ଭଲ ପାନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢ଼ି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର ହାତଗଣ୍ଠିଠାରୁ କହୁଣୀଯାଏ ଦଶବିଶାର ପିତଳବାହି ବଳା ଦୁଇହାତରେ ଲଗାଇ ଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପଟା ବିଶାଳ ନାକକୁ କାମୁଡ଼ି ଧରିଥାଏ । ବେକରେ ଦଶ ଦଶ ଗଣ୍ଡା ଗୋଡ଼ଲଗା ଟଙ୍କାମାଳ ନାହିଁଯାଏ ଲମ୍ୱି ପଡ଼ିଥାଏ । ଦୁଇ ହାତରେ ଦି’ପୁଞ୍ଜା ଗେଣ୍ଡା ପରି ଛାପ ମୁଦି । ସିଂହାଣୀଙ୍କ ସାହସ ଊଣା ନୁହେଁ । ଗାଁ ମୁଣ୍ଡ ନିଛାଟିଆରେ ଘର, ଛୁଆଟାକୁ ଧରି ଏକୁଟିଆ ପଡ଼ିଥାଏ । ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି, ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧକରି ତିନିଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ ଶୋଇଥିଲେ, ତାକୁ ଯିମିତି ମାଡ଼ି ବସିଛନ୍ତି ସେ ହାଉଳିଖାଇ ହାତଯୋଡ଼ାକ ଛିଞ୍ଚାଡ଼ି ଦେଲା । ଚୋରଗୁଡ଼ାକ ଚାରି ଚାରି ହାତ ଦୂରରେ ପଡ଼ିଗଲେ । ଯୋଡ଼ାଏ ଚୋର ତ ପଳାଇଲେ, ଗୋଟାକୁ ମାଡ଼ି ବସିଲା, ଗାଈପଘାରେ ଘର ମଝିଖୁମ୍ୱରେ ଭିଡ଼ି ବାନ୍ଧି ଦେଲା । ସକାଳୁ ଗାଁ ଲୋକେ ଦେଖି ଧାଇଁଲେ, ଏ ଚୋରଟା କିଏ ମ ? ମଲା ମଲା । ଏ ତ ଗାଁ ଚଉକିଆ ବାଉରୀ ଝପଟ ସିଂ । ସମସ୍ତେ ପରାମର୍ଶ କଲେ ଚୋରକୁ ଚଲାଣ ଦେବେ । ସିଂହାଣୀ କହିଲା, “ଆଚ୍ଛା ମୁଁ ଚଲାଣ ଦେବି ।” ଦୁଇ ଗାଲରେ କଷି ଲଗାଇଲା ଦୁଇ ଚାପଡ଼ା । ଓଉଫଡ଼ା ପରି ଗାଲ ଫୁଲିଗଲା, ଚଉକିଆ ପୁଅ ପନ୍ଦର ଦିନ ଘରୁ ବାହାରି ନାହିଁ, ବିଛଣାରେ ପଡ଼ିଥିଲା । ସିଂହେ ବିଯୋଗ ବେଳକୁ ପୁଅ ଅନନ୍ତାର ହୋଇଥିଲା ଚାରି ବରଷ । ବୟସ ଟଳା ବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ । ପୁଅଟିର ଆକାର ବାପ ମା’ ପରି, ସେହିପରି ଦେହର ବର୍ଣ୍ଣ । ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡ଼ିଏ କୋଡ଼ରେ ବସାଇ ଗେଲ କରନ୍ତି, ଗେଲ କଲାବେଳେ ଗୀତ ଗାଉଥାନ୍ତି :-

ହାତୀ ଝୁଲୁଥାଏ ଲସରପସର
କିଆକନ୍ଦା ଖାଇବାକୁ,
ଅନନ୍ତୁ ଝୁଲୁଛି ଲସରପସର
ମାଆ ଦୁଧ ଖାଇବାକୁ ।

ଆକାଶେ ବୁଲୁଛି ଚନ୍ଦ୍ରଉଦିଆରେ
ସଙ୍ଗତେ ବହୁତ ତରା,
ଅନନ୍ତୁ ଝୁଲୁଛି ମାଆକୋଳେ ବସି
ଦୁଧ ସେ ଖାଇବ ପରା ।

ବାପ ତ ଯାଇଛି ମଇଁଷିଗୋଠକୁ
ମାଆ ତ ଦୁହିଁବ ଗାଈ,
ରାଜାଙ୍କ ଦୁଆରେ ପାଟହାତୀ ବନ୍ଧା
ଅନନ୍ତୁ ଚଢ଼ିବ ଯାଇ ।

ଏହିପରି ଗେଲ କରି ପୁଅକୁ ବସି ଝୁଲାଉଥାନ୍ତି । ହାତୁଣୀ କୋଳରେ ହାତୀପିଲା ପରି ପିଲାଟି ଝୁଲିଲେ ବଡ଼ମାନେ । ରୋଜି ବଡ଼ିସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖି ଦେଇ କାଠ ପାନିଆରେ ମୁଣ୍ଡ କୁଣ୍ଡେଇ ମୁଣ୍ଡରେ ଗୋଟାଏ ସାନ ଜଟ ବାନ୍ଧିଦିଏ । ଘଡ଼ିଏଯାଏ ପୁଅ ମୁହଁକୁ ଚାହେଁ ତା’ ବାଦ ଆପେ ଜିଭ କାମୁଡ଼ି ପକାଇ କୁହେ, “ମା ଡାହାଣୀ ! ସୁନ୍ଦର ପୁଅଟିକୁ ମୁଁ ଚାହିଁଛି ।” ତାହା ବାଦେ ତୁଳସୀମୂଳରୁ ଟିକିଏ ମାଟି ଆଣି ମୁଣ୍ଡରେ ଚିତା କରିଦିଏ । ଜଟ ଉପରେ ଟିକିଏ ଗୋବର ଲଗାଇ ଦିଏ । ତାହା ବାଦେ ପୁଅ ଉପରକୁ ଟିକିଏ ଛେପ ପକାଇ ଦିଏ । ଗାଁରେ କେତେ ରକମ ମାଇକିନିଆ ଅଛନ୍ତି, କାହା ନଜର କେମିତି । ପୁଅକୁ ହାୟରା କରିଦେବେ । ଏହିଲାଗି ପୁଅ ବେକରେ ଖଣ୍ଡିଏ ଘୁଷୁରୀଥୋମଣୀ, ଗୋଟାଏ ତମ୍ୱା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦି’କଡ଼ା କାଣୀକଉଡ଼ି, ଚାରିଟା ରୂପା ଡେଉଁରିଆ, ମୂଳମୂଳିକା ହାର କରି ପୁଅ ବେକରେ ଲଗାଇ ଦେଇଛି । ବାରଲୋକର ନଜର କଟିଯିବ ବୋଲି ଆପଣା ଗୋଡ଼ରୁ ଟିକିଏ ଧୂଳି ନେଇ ପୁଅ ମୁଣ୍ଡରେ ଲଗାଇ ଦିଏ । ରାତିରେ ସେରେ ଚାଉଳରେ ଗୋଟିଏ ପୋଡ଼ପିଠା କରି ରଖିଥାଏ, ସେଟି ପୁଅ ହାତରେ ଦେଇ ଦହି ମୁହାଁଇ ବସେ । ତାହା ବାଦେ ପସରା ଉପରେ ଦୁଇ ତିନିଟା କଳସୀରେ ଚହ୍ଲା ପୁରାଇ ଗାଁକୁ ଦହି ବିକିଯାଏ । ମୁଣ୍ଡ ଉପରେ ପସରାରେ ଦୁଇ ତିନି କଳସୀ ଦହି, ତାକୁ ନ ଧରି ଦୁଇ ବାହୁ ଝୁଲାଇ ଗୋହରୀ ଦାଣ୍ଡରେ ଚାଲିଯିବାବେଳେ ଲୋକମାନେ ଚାହିଁ ରହନ୍ତି । କୁହନ୍ତି, “ନନ୍ଦିଘୋଷ ରଥ ।” ସିଂହାଣୀର ଢେରଗୁଡ଼ିଏ ନାମ, ଏକ-ଦେବକୀ ଗଉଡୁଣୀ, ଦୁଇ- ମହାକୁଡ଼ାଣୀ, ତିନି- ତାଡ଼କା ଅସୁରୀ, ଚାରି- ନନ୍ଦିଘୋଷ ରଥ, ହେଲେ ସିଂହାଣୀର ଅଜଣାରେ ଲୋକମାନେ ଏହିସବୁ ନାମ ଦେଇଛନ୍ତି । ସିଂହାଣୀ ବୋଲି ଡାକିଲେ ସେ ବଡ଼ ଖୁସି ହୋଇଯାଏ । ଗାଁରେ କେତେଗୁଡ଼ିଏ ଥଟିଆଲା ମଣିଷ ତୁଚ୍ଛାଟାରେ- ଏ ସିଂହାଣୀ । ଦହି ଦେଇ ଯା’ ବୋଲି ଡାକନ୍ତି । ଦହି କିଣିବାବେଳେ ତାକୁ ଦୁଇ ଚାରିଥର ସିଂହାଣୀ ସିଂହାଣୀ କହିଲେ ସେ ବଡ଼ ଖୁସି ହୋଇ ଦୁଇ ଚାରି ସଢେ଼ଇ ଦହି ଲାଭ ବୋଲି ଢାଳିଦିଏ ।

ସୁବଳ ସିଂହ ବିଯୋଗବେଳେ ଅନନ୍ତାର ଚାରିବରଷ ପୂରି ଯାଇଥିଲା । ଦିନ କିଛି କାହାରି ଲାଗି ବସି ରହେ ନାହିଁ । ଅନନ୍ତାର ଚାହୁଁ ଚାହୁଁ ହେଲାଣି ଦଶବରଷ । ହେଲେ କ’ଣ ହେଲା, ଲୋକେ ତାକୁ କୋଡ଼ିଏ ବରଷର ଭେଣ୍ଡିଆ ବୋଲି ଠଉରିବେ । ରୋଜି ସିଂହାଣୀ ଦହି ବିକି ଆସି ମୋଟା ବରଗଡ଼ା ଚାଉଳ ପାଞ୍ଚସେର ଚୂଲୀରେ ବସାଇ ଦିଏ । ସୁବଳସିଂହର ଯେଉଁ ଫରମାସୀ ପିତଳ ବାସନଟା ଥିଲା, ସେଥିରେ ତିନିସେର ଅନ୍ଦାଜ କଡ଼ଫୁଟା ପେଜୁଆ ଅନ୍ନ ସେ ପିତଳରେ ଢାଳି ପୁଅ ପାଖରେ ପରଷି ଦିଏ । ଅନନ୍ତାର ତରକାରୀ ପତ୍ର ଲୋଡ଼ା ନାହିଁ, ହେଲେ ମା’ ମନ କେତେକେ ମାନେ । ଚୋପାମିଶା ବିରିଡ଼ାଲି କଂସାଏ, ନୋହିଲେ ଶାଗ ମାମଡ଼ ସିଜାସିଜି କରି ପୁଅ ପାଖରେ କଂସାଏ ବସାଇ ଦିଏ । ଅନନ୍ତା ଭାତ ଖାଇସାରି ଡାଲି ତେତକ ପିଇଦିଏ । ସିଂହାଣୀ ପୁଅ ଲାଗି ଗୋଟିଏ ଗାଈ ବାନ୍ଧିଛି । ଦିନକୁ ଚାରିସେର ଦୁଧ ଦିଏ । ଅନନ୍ତା ଭାତ ଖାଇସାରି ସେ କଞ୍ଚାଦୁଧତକ ପିଇ ଦିଏ ।

ଏବେ ସିଂହାଣୀ କିଛି ପୁଅ ଲାଗି ହରବରରେ ପଡ଼ିଲେଣି । ଅସହୁଣୀ ଲୋକଗୁଡ଼ା ଅନନ୍ତାକୁ ଦେଖି ପାରନ୍ତି ନାହିଁ । କିଏ କହିଲା- ମୋ ବାଡ଼ିରୁ କାକୁଡ଼ି ଖାଇଗଲା କିଏ କହିଲା- ମକା ଭାଙ୍ଗି ନେଲା, ଆମ୍ୱ, କଇଁଆ, କୋଳିଗଛରେ ଚଢ଼ି ଅନନ୍ତା ଖାଇଗଲା ବୋଲି ଗାଁଲୋକମାନେ ରୋଜି ସିଂହାଣୀ ପାଖରେ ଗୁହାରି କଲେ । ସିଂହାଣୀ ମନ ମଧ୍ୟରେ ଗୁହାରିଆମାନଙ୍କ ଉପରେ ରାଗେ, ହେଲେ ପୁଅକୁ କିଛି କୁହେ ନାହିଁ । ଆଜିକାଲି ବି ସଞ୍ଜବେଳେ ଘଡ଼ିଏ ବସି ପୁଅକୁ ଚଗଲ କରେ । ଶେଷରେ ସିଂହାଣୀ ବଡ଼ ଦିକ୍‌ଦାର ହୋଇ ଗାଁରୁ ଆସୁଛି, ବାଟରେ ଦେଖିଲା ବଉଳଗଛ ମୂଳରେ ପିଣ୍ଡିଟି ଉପରେ ବୈଷ୍ଣବ ମହାନ୍ତି ଅବଧାନେ ବେତ ଘେନି ଗାଁପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ମନରେ କଲା, ଏହି ଚାଟଶାଳୀରେ ଅନ୍ତୁକୁ ବସାଇ ଦେଲେ ପାଠ ବି ହେବ ଆଉ ଗାଁ ବି ବୁଲି ପାରିବ ନାହିଁ । ତହିଁ ଆରଦିନ ଅବଧାନ ପାଖରେ ଛାଡ଼ିଦେଇ କହିଲା, “ଅବଧାନେ ! ଅନ୍ତୁକୁ ଟିକିଏ ଭଲ କରି ପାଠ ପଢ଼ାଅ ।” ଅନ୍ତୁ ଭଲ ପିଲାଟି ପରି ଚାଟଶାଳୀରେ ବସିଗଲା । ସେ ପୃଥିବୀରେ ଏକଲା ମା’କୁ ଡରେ ଆଉ ମା’ କଥା ମାନେ ।

ଅବଧାନେ ଭୂଇଁରେ ଅ, ଆ ଲେଖି ଦେଲେ, ତା’ ଉପରେ ଖଡ଼ି ମଡ଼ାଇବାକୁ କହିଦେଲେ । ତଳେ ହାତ ଚାଲିଛି, ହେଲେ ଉପରେ ବଉଳଗଛରେ କେଉଁଠି କୋଳି ଅଛି, କେଉଁଠି ପାଚିଛି ଅନାଇ ଦେଖୁଥାଏ । ନଜର ପଡ଼ିଲେ ମାଙ୍କଡ଼ ପରି ହୁପ୍ କରି ଚଢ଼ି ଯାଇ କୋଳି ଆଣି ପାଟିରେ ପକାଇ ଲେଖିବାକୁ ବସିଯାଏ । ତା’ର ଗଛ ଚଢ଼ାରେ ଭାରି ଅଭ୍ୟାସ । ତା’ ତେନ୍ତୁଳି ଗଛକୁ ମାଙ୍କଡ଼ ଆସିଲେ ଉପରକୁ ଉଠି ଯାଇ ମାଙ୍କଡ଼ ଲାଙ୍ଗୁଡ଼ ଧରି ତଳେ କଚାଡ଼ି ମାରିପକାଏ । ଗଛ ଚଢ଼ାରେ ମାଙ୍କଡ଼ ତା’ ସଙ୍ଗରେ ପାରିବେ ନାହିଁ । ଏଣେ କେତେଟା ଦିନ ଭିତରେ ଅବଧାନେ ଅଥୟ ହୋଇଗଲେଣି, ତା’ ଡରରେ ଚାଟଶାଳୀରୁ ଆଉ ଟିକିଏ ଗୋଡ଼ କାଢ଼ି ପାରୁ ନାହାନ୍ତି । ଟିକିଏ ଅବଧାନେ ପଛ କଲେ, ଚାଟଶାଳୀରେ ଭାରି ଗୋଟାଏ ଚହଳ ପଡ଼ିଯାଏ । କେଉଁ ପିଲାକୁ ପେଲି ଦେଲା, କାହାକୁ ଧକ୍କା ମାରିଲା, କାହା ଗୋଡ଼ ଧରି ଟାଣିଲା, କାହାକୁ କଚାଡ଼ି ଦେଲା- ଏହିପରି ଲାଗେ । ଆଉ ପିଲେ ତାହାକୁ ବାଡ଼ାଇଲେ ତା’ର ଭାରି ଆନନ୍ଦ, ସେ କାହାରିକୁ ବାଡ଼ାଏ ନାହିଁ, ହେଲେ ତାକୁ ଡରରେ ବାଡ଼ଉଛି କିଏ ? ଅବଧାନେ ପହିଲେ ପହିଲେ ସିଂହାଣୀର ଡର, ଆଉ ସେ ଦହି ବିକିସାରି ବାହୁଡ଼ାବେଳେ ଅବଧାନଙ୍କ କଂସାରେ ଯେ ଚାରି ସଢେ଼ଇ ଚଲ୍ହା ଢାଳି ଦେଇଯାଏ ତେତିକି ଲୋଭରେ ଅନ୍ତାକୁ କିଛି କହୁଥିଲେ ନାହିଁ । ମଣିଷ ଡର ଓ ଲୋଭରେ ଢେର କାର୍ଯ୍ୟରୁ ନିବୃତ୍ତ ହୁଏ । ଆଉ ସମ୍ଭାଳି ପାରିଲେ ନାହିଁ । ଧରିଲେ ବେତ । ପହିଲେ ଦି’ପାହାର, ଚାରି ପାହାର, ଛ’ପାହାର ପଟାପଟ୍ କରି ପଟିଲେ । ହେଲେ ଅନ୍ତାର ସେଥିକି ଅନାଇବାକୁ ନାହିଁ । ଅବଧାନେ ପିଟିବାବେଳେ ବଉଳକୋଳିକୁ ଅନାଇଥାଏ, କେହି କେହି ଦିନ ହେଲେ ମାଡ଼ ଜାଗାଟା ଆଉଁସି ଦିଏ । ଆଉ ଚାଟ ଟୋକାଏ କହନ୍ତି, ମହାଦେବର ବେଲପତ୍ରୀ ଊଣା, ଅନ୍ତାର ମାଡ଼ର ଊଣା ନାହିଁ । ଚାଟଶାଳୀରେ ଏତେ ଯେ ମାଡ଼ ତା’ ମା’ ହେଲେ କିଛି ଜାଣିପାରେ ନାହିଁ । ଅନ୍ତା ସବୁ ଭୁଲିଯାଏ । ଚାଟଶାଳୀରୁ ବାହାରିବା ବେଳେ ସେ ମାଡ଼ କଥା ତା’ର ମନେ ଥାଏ ନାହିଁ । ଏଇ ରକମ ଚାରି ମାସ ଗଲା, ପାଞ୍ଚ ମାସ ବି ଗଲା, ଅନ୍ତା ଅ’ ଅକ୍ଷରଟା ଲେଖି ସାରି ଆ’ ମଡ଼ାଉଛି । କେତେ ଖଣ୍ଡ ବେତ ଛିଡ଼ି ଗଲାଣି, ଅବଧାନେ ଆଉ ପାରୁନାହାନ୍ତି, ଚଲ୍ହା ମନ୍ଦାକ ବନ୍ଦ ହୋଇଯିବ ଯେ । ଦିନେ ଅବଧାନେ ଆଉ ପାରିଲେ ନାହିଁ । ବେତ ଫୋପାଡ଼ି ଦେଇ ଦି’ଚାରିଖଣ୍ଡ ବିଛୁଆତି ଛିଡ଼େଇ ଆଣିଲେ- ଗୋଡ଼ରେ ହାତରେ ପିଠିରେ ଦଶ କୋଡ଼ି ପାହାର କଷି ଦେଲେ । ସେହିଦିନ ଅନ୍ତାକୁ ଟିକିଏ ବାଧିଲା । ହେଲେ ଆଖିରୁ ପାଣି ପଡ଼ି ନାହିଁ । ଚାଟ ଟୋକାଙ୍କ ଆଗରେ କହିଲା, “ଶଳା ମାହାନ୍ତିକୁ ମୁଁ ଦେଖିବି । ତହିଁ ଆରଦିନ କ’ଣ ହେଲାକି ଅନ୍ତା ଏକଧ୍ୟାନରେ ବସି ଅକ୍ଷର ମଡ଼ାଉଛି, କାହାକୁ ଅନାଇବାକୁ ନାହିଁ । ଭାରି ଭଲ ପିଲାଟିଏ । ଅବଧାନେ ଟେରେଇ ଟେରେଇ ଦୁଇ ଚାରିଥର ତାକୁ ଅନାଇଲେଣି । ଭାରି ଖୁସି । ମନରେ କଲେ, ଏଡ଼େ ସୁନ୍ଦର ଉପାୟ ଥିଲା- ହାୟ ! ହାୟ ! ଆଗରୁ କିଆଁ ନ କଲି ।”

ତା’ପରେ

ଲୋକପ୍ରିୟ ଲେଖା

To Top