ଗଳ୍ପ

ରୁଦ୍ରାକ୍ଷ

Kalindicharana Panigrahi's odia Story Rudrakshya

ଦିନେ ସଞ୍ଜବେଳେ ପରିବୋଉଖୁଡ଼ୀ ହଠାତ୍ କାନ୍ଦି ଉଠିଲା, ଗାଁ ମଶାଣିରେ ଚିତା ନିଆଁ ଜଳିଲା । ସମସ୍ତେ ବୁଝିଲୁ, ପରିଭାଇନା ମରିଯାଇଛି ।

ରୁଦ୍ରାକ୍ଷ

ଆମରି ଘର ପାଖରେ ଘର, ଆମେ ସବୁ ତାକୁ ପରି ବୋଉ ଖୁଡ଼ି ବୋଲି ଡାକୁଁ । ପରି ତା’ର ବଡ଼ ପୁଅ । ଆମ ଅମଳକୁ ଗାଆଁରୁ ଅଧେ ଲୋକ ଲଣ୍ଡା ହୋଇ ସାରିଲେଣି । ଏପରିକି ଆମର କକେଇ ଦଦେଇମାନେ ମଧ୍ୟ ଚାଳିଶ ବର୍ଷ ପରେ ଲଣ୍ଡା ହୋଇଛନ୍ତି- ଆଜିଯାଏ ଯେଉଁମାନେ ମୁଣ୍ଡରେ ଗୋଛା ଗୋଛା ବାଳ ନଡ଼ିଆ ତେଲରେ ଚିକଣ କରି ଗଣ୍ଠି ପକାଉଥିଲେ । ପରି ଭାଇନା କଲିକତା ଯାଏ । ସେଥିପାଇଁ ସେ ଲଣ୍ଡା, କାହିଁକି ନା କଲିକତା ଲୋକଗୁଡ଼ାକ ଚୁଟି ଦେଖିଲେ କୁଆଡେ଼ ଥଟ୍ଟା ତାମସା କରି ଝିଙ୍କା ଓଟରା କରନ୍ତି । ଲଣ୍ଡା ହେଲେ ମଧ୍ୟ ଆମ ଗାଁରେ ସମସ୍ତେ ମୁଣ୍ଡ ଅଗରେ କେରିଏ ବାଳ ରଖନ୍ତି । ବ୍ରାହ୍ମଣ ଗୋ-ପୂଜା ପାର୍ବଣ ଶ୍ରାଦ୍ଧ ହୋମ ଆଦିରେ ମୁଣ୍ଡରେ ଫୁଲଟିଏ ଖୋଷିବା ତ ଦରକାର । ପରି ଭାଇନାଙ୍କ ମୁଣ୍ଡରେ ଏହିପରି କେରିଏ ବାଳ ଥାଏ, ଅବଶ୍ୟ ଟିକିଏ ମୋଟା ଆକାରର ଏବଂ ଶେଷ ଆଡ଼କୁ ତାହା ଜଟ ବାନ୍ଧିଯାଇ ତେନ୍ତୁଳି ଫୁଟ ପରି ବେକ ଉପରେ ଝୁଲୁଥାଏ ।

ପରି-ବୋଉ ଖୁଡ଼ୀ ବଡ଼ ଗରିବ । ପିଲାଦିନେ ଅବଶ୍ୟ ଆମ ଗାଁରେ କିଏ ଧନୀ, କିଏ ଗରିବ, ତାହା କେହି ବୁଝି ନ ଥିଲୁ । ସବୁ ପିଲାଯାକ ଏକାସାଥିରେ ଖେଳୁ, ମାଛ ଧରୁଁ, କୋଳି ପାରୁଁ, ଏକା ସାଥିରେ ସ୍କୁଲକୁ ଯାଉଁ- ଆମ ବେଳକୁ ଗାଁରୁ ଚାହାଳୀ ଉଠିଯାଇ ଇସ୍କୁଲ ବସିଥିଲା । ପରି କିମ୍ୱା ଯଦୁ କେହି ଆମ ସାଙ୍ଗରେ ପଢ଼ି ନାହାନ୍ତି । ଯଦୁ ଗଜ ମୂର୍ଖ, ତା’ ଭାଇନାର ତଳି ଭାଇ, କିନ୍ତୁ ପରି ଭାଇନାର ଭଲ ପଢ଼ାଶୁଣା- ନୃସିଂହ ପୁରାଣ ରସକଲ୍ଲୋଳ ବେଶ୍ ଗଳା ଛାଡ଼ି ସେ ବୋଲିପାରେ ।

ତାଙ୍କର ଦୁଆର ଆଗରେ ଆମର ଇସ୍କୁଲ୍‌କୁ ଯିବା ବାଟ । ଯୋଡ଼ିଏ ବଖରା ଘର, ସାମନାକୁ ଖଣ୍ଡେ ପାଚେରୀ, ଚାରି ପାଖ ଭଙ୍ଗା, ଉପରେ ଚାଳ ନାହିଁ । ପାଚେରୀ ଦେହରେ ଖଣ୍ଡେ ବାଉଁଶ ତାଟି ଲାଗିଥାଏ । ଦାଣ୍ଡରେ ଚାଲିଗଲାବେଳେ ଅଗଣା ଭିତରେ ନାରଙ୍ଗ ଗଛଟି ସଫା ଦେଖାଯାଏ ଏବଂ ତାହାରି ମୂଳରେ ଗୋଟିଏ ପାଣିମାଠିଆ । ପରି-ବୋଉ ଖୁଡ଼ୀ ସେହିଠାରେ ତାଙ୍କ ବାସନ କୁସନ ମାଜେ । ଘରେ ତ ଦିଓଟି ବୋଲି ପୁଅ- ପରି ବଙ୍ଗଳା-ବାଟ କରେ, ବାକି ଖାଲି ଯଦୁ । ଗାମୁଛା ଖଣ୍ଡେ ପିନ୍ଧି ଯଦୁ ବାଛୁରୀ ଚରାଏ, ପରି ବଙ୍ଗଦେଶରୁ ଟଙ୍କା ପଇସା ପଠାଏ । ତାହାରି ପଇସାକୁ ଅଣ୍ଟାରେ ଖୋଷି, ନଇଲେ ନଡ଼ିଆ ପୁଞ୍ଜାଏ ଧରି ଯଦୁ ହାଟକୁ ଯାଏ ।

ପରିବୋଉ ଖୁଡ଼ୀର ସ୍ୱାମୀକୁ ଆମେସବୁ ଦେଖି ନାହୁଁ, କିନ୍ତୁ ଶୁଣିଛୁ, ଗାଁ ଭିତରେ ସେ କୁଆଡେ଼ ଭାରି ପବନା ବୋଲି ଡାକୁ । ଅର୍ଥାତ୍ ପବନ ଯେପରି ଦେଖା ନ ଦେଇ ବହିଯାଏ, ସେହିପରି ନ ଦେଖିଲା କଥାକୁ ସେ ଭାରି ସତଫଳେଇ କହିପାରନ୍ତି । ଦିନେ କୁଆଡେ଼ ସେ ବାଘ ଆସୁଚି ବୋଲି କହି ବେଳ ନ ବୁଡୁଣୁ ଗାଁ ଯାକର ସମସ୍ତଙ୍କ କବାଟ ବନ୍ଦ କରେଇ ଦେଇଥିଲେ, ଗୋଟିଏ ଶୁଖିଲା ପୋଖରୀରେ କୁଆଡେ଼ ଜଣେ ଶେଉଳ ମାଛ ତାଙ୍କ ଗୋଡ଼ ପାଖରୁ ଖସି ପଳେଇବାର ସେ ନିଜେ ଦେଖିଥିଲେ, ସବୁ ଦିନେ ଖଣ୍ଡେ ଗାମୁଛା ପିନ୍ଧି ଲୁଗାଟାକୁ ଠେକା କରି ମୁଣ୍ଡରେ ଭିଡ଼ି ପଡ଼ିଆ ବାଡ଼ଯାକ ବୁଲନ୍ତି, କେହି ପଚାରିଲେ କହନ୍ତି ପିନ୍ଧିଲା ଲୁଗା ସିନା ଛୁଆଁ ହେବ, ଠେକାର ଦୋଷ କ’ଣ ? ତାଙ୍କ ଦେହାତିରେ ସେ ଜମି ବାଡ଼ିତକ ବିକି ଭାଙ୍ଗି ଖାଇଥିଲେ, ପିଲାଙ୍କ ଅମଳକୁ ମାଣେ କି କଣେ କିଛି ନଥିଲା ।

ଯଦୁ ଯେମିତି ବୋକା, ସେମିତି ଅକାମୀ । ନିଜେ ଗରିବ ବୋଲି ତାହାର ଚିନ୍ତା ନାହିଁ, ଆମମାନଙ୍କ ସାଥିରେ ଖେଳି ବୁଲେ ଯଦିବା ଆମେ ସବୁ ତାକୁ ବିରାଡ଼ିଖଣ୍ଡିଆ ବୋଲି ଚିଡ଼ାଇଥାଉ । ଜନ୍ମ ହେବାର କିଛିଦିନ ପରେ ମାଆ ତାହାକୁ ଘର ଭିତରେ ଶୁଆଇ ଦେଇ କାମ କରୁଥିଲା, ବିରାଡ଼ିଟିଏ ତାହାର କାଣୀ ଆଙ୍ଗୁଠିରୁ ଅଧେ କାମୁଡ଼ି ନେଇଗଲା । ସେହି ଦିନୁ ସେ ଆଙ୍ଗୁଠିଟାରେ ତାର ନଖ ଉଠି ନାହିଁ, ଅତି ଛୋଟ ଆଙ୍ଗୁଠିଟାଏ । ସେହି ଆଙ୍ଗୁଠିଟାକୁ ସେ ଆମ ଆଗରେ ନଚାଏ । ସବୁ ପିଲାଯାକ ହସି ଉଠୁଁ ।

ପରିବୋଉ- ଖୁଡ଼ୀ ଗର୍ଜି ଉଠେ, “ଇରେ ଯଦୁଆ, ଏଡ଼ିକି ଜଳଜଳା ତୁରେ- ନ ମରି ଯାହା ଜୀଇଁଚୁ । ବାପା କ’ଣ ହେଣ୍ଡ ପୋତିଚି କିରେ ବସି ଖାଇବୁ । ସକାଳ ପହରୁ ମୁଁ ଫଟେଇ ହେଉଚି, – ପଟାଳି ଦି’ଖଣ୍ଡ ହାଣି ଦେ’, କୋଶଳା ମଞ୍ଜି ଦି’ଟା ବୁଣିବି ବୋଲି ।”

ଯଦୁ କଟମଟ କରି ମାକୁ ଚାହେଁ- ଅର୍ଥାତ୍ ସବୁ ପିଲାଙ୍କ ଆଗରେ ତାକୁ ଏପରି ଅପମାନ କରିବା ମାଆର ଉଚିତ୍ ହୋଇ ନାହିଁ ।

ମଲା ନିଆଁ ଲଗା, ଚାହିଁବୁ କ’ଣ ବା । ଯାହାଙ୍କ ସାଥିରେ ଡିଆଁ ମାରୁଚୁ, ତୁ ତାଙ୍କର କେଉଥିକି ସରି କି ରେ ।

ଯଦୁ ଦାନ୍ତ ନିକୁଟି ମାଆକୁ ଖତେଇ ହୁଏ ।

ମଲାରେ, ନିର୍ଲଜ୍ଜ ମୁହଁକୁ ପୁଣି ହସ ମାଡୁଛି । ହଉ ଥା’, ଥା’, ଗେଫା ମାରିଲା ବେଳକୁ ପୁଣି ଦେଖିବି ଯେ- ତରକାରୀ ନାହିଁ ବୋଲି କେମିତି ସୁକୁସୁକୁ ହେବୁ ।

ଯଦୁ ରାଗିଯାଇ କଥା କହେ- “କାହିଁକି ତୁ ରାଣ୍ଡୀ କ’ଣ କରୁଚୁ କି, ପଟାଳି ହାଣୁନୁ ।” ଅଳ୍ପ ରାଗିଲେ ଯଦୁ ତା’ ବୋଉକୁ ରାଣ୍ଡୀ ବୋଲି ବକେ । ବେଶି ରାଗିଗଲେ ତା’ ସହିତ ନିଜ ସ୍ତ୍ରୀର ଭଉଣୀ ସମ୍ୱନ୍ଧଟା ସ୍ଥାପନ କରିଦିଏ । ଅବଶ୍ୟ ତାହାର ବଡ଼ଭାଇ ପରମାନନ୍ଦ ମଧ୍ୟ ଏ ପର୍ଯ୍ୟନ୍ତ ବାହା କରି ନାହିଁ ।

ହଁ, ମୁଁ ଜାଳ କରିବି, ପଟାଳୀ ହାଣିବି, ଭାତ ରାନ୍ଧିବି, ତୁ ଅଳପେଇଷ ଖାଲି ବସି ବସି ବକତ ଠୁଁକିବୁ । ହଉ, ଆଜି କେମିତି ଭୋଜନ ମାରିବୁ, ଦେଖିବିନି ।

ଯଦୁର କିନ୍ତୁ କୌଣସି ଦିନ ଭୋଜନ ବନ୍ଦ ହୁଏ ନାହିଁ । ଆମକୁ ସବୁ ପରିବୋଉ- ଖୁଡ଼ୀକୁ ବଡ଼ ଚିଡ଼ି ଲାଗେ । ବଡ଼ କଳିହୁଡ଼ୀ ମଣିଷଟାଏ, ଯଦୁକୁ ଟିକିଏ ଖେଳିବା ପାଇଁ ଛାଡ଼ିବାକୁ ତାହାର ଜମା ଇଚ୍ଛା ନୁହେଁ । ହେଲେ ତା’ର କଳିହୁଡ଼ୀ ଢଙ୍ଗ ଗୋଟାଏ ସମୟରେ ଆମର କାମରେ ଲାଗେ । ହରିତାଳିକାକୁ ଇସ୍କୁଲରେ ପୂଜାସାରି ଫେରିଲାବେଳକୁ ତାହାରି ଦୁଆରକୁ ଟେକା ପଥର ଫିଙ୍ଗୁ । କାରଣ ସେଦିନ ବକା ଖାଇଲେ ଆୟୁଷ ବଢେ଼ ।

କିନ୍ତୁ ଅନ୍ୟଦିନେ ପରିବୋଉ-ଖୁଡ଼ୀ ଆଗକୁ ଏକୁଟିଆ ହୋଇ କେହି ଯାଉନାହିଁ- ତା’ ଆଖି ଦି’ଟାକୁ ଚାହିଁଲେ ଡରମାଡେ଼ । କାର୍ତ୍ତିକ ମାସରେ ଆକାଶବାଉଁଶ ପରି ଲମ୍ୱା ମଣିଷଟାଏ, ଆଉ ସେହି ବାଉଁଶ ଅଗରେ ଆକାଶ-ଦୀପ ଜଳିଲା ପରି ତାହାର ଆଖି ଯୋଡ଼ାକ ଜଳଜଳ ଦିଶେ । ଆକାଶ-ଦୀପରେ କୁଆ ଚଢେ଼ଇ ନ ବସିବେ ବୋଲି ବାଉଁଶ ଆଗରେ କେରାଏ କଣ୍ଟା ବନ୍ଧା ହୋଇଥାଏ- ପରିବୋଉ ଖୁଡ଼ୀର ମୁଣ୍ଡ ବାଳଗୁଡ଼ା ସେମିତି ଟାଆଁସା, ଶୁଖିଲା ଫରଫର । ସେଥିରେ ପୁଣି ସେ ଯେଉଁ ଲୁଗାଖଣ୍ଡ ପିନ୍ଧେ, ଆଣ୍ଠୁ ଲୁଚେ ନାହିଁ- ପାଞ୍ଚବର୍ଷିଆ ଛୁଆ ଯେଉଁ ଲୁଗା ପିନ୍ଧିବେ ।

ପରିବୋଉ- ଖୁଡ଼ୀର ଗୋଟିଏ ଭଉଣୀ ଥାଏ, ଠିକ୍ ତାହାରି ପରି ଲମ୍ୱା, କିନ୍ତୁ ସେ ଟିକିଏ ବଡ଼ ଲୁଗା ପିନ୍ଧେ । ମଝିରେ ମଝିରେ ସେ ଆମ ଗାଁକୁ ଆସେ । ହାତରେ ଖଣ୍ଡେ ତାଳପତ୍ର ଖେଦା ଧରି । ସେ ଖେଦା ଭିତରେ କୋଇଲୀ ଗୀତ, ପଟୁଆ ଗୀତ ସବୁ ଲେଖାଥାଏ । ସବୁ ତା’ର ନିଜ ରଚନା । ଆମ ଘରକୁ ଆସି ଖେଦା ଫିଟାଇ ସେଥିରୁ ଗୋଟିଏ ଅଧେ ଗୀତ ବୋଲେ, କଣ୍ଠଟି ବେଶ୍ ମିଠା । ଲୋକେ କହନ୍ତି, ସେ ଜଣେ କବି । ମଫସଲ ଗାଁର ଅନ୍ଧି ସନ୍ଧିରେ ଯେ ଗରିବ ଘରର ଝିଅ ମାଇପେ ପାଠପଢ଼ି କବି ହୋଇପାରନ୍ତି, ଏ କଥା ଆଜି ବିଚିତ୍ର ଲାଗୁଚି, ସେତେବେଳେ ଲାଗୁ ନ ଥିଲା । ଆମ ଗାଁରେ କାହାରିକି ସେ ଲୁଚେ ନାହିଁ । ଏକେ ତ ବିଧବା, ସେଥିରେ ପୁଣି କଥାଗୁଡ଼ାକ ପୁରୁଷଙ୍କ ପରି । ମାଇପେ ଶଳା ଗାଳିଟାକୁ ବ୍ୟବହାର କରନ୍ତି ନାହିଁ, କାରଣ ପୁରୁଷଙ୍କ ପରି ସବୁ ଜାଗାରେ ଏମିତି ଗୋଟାଏ ସମ୍ପର୍କ ରଖିବା ତାଙ୍କ ପକ୍ଷରେ ଲଜ୍ଜାକର । ସେ କିନ୍ତୁ ଏସବୁ ଗାଳି ନିଃସଙ୍କୋଚରେ ବ୍ୟବହାର କରେ । ତା’ କଥା ଶୁଣି ଗାଁର ଲୋକେ ହସନ୍ତି, ଟାପରା କରନ୍ତି, ସେ ମଧ୍ୟ କାହାକୁ ଖାତିର କରେ ନାହିଁ । ପରିବୋଉ ଖୁଡ଼ୀର ବି ଏମିତି ଅଣ୍ଡିରା ଢଙ୍ଗ, କିନ୍ତୁ ଆମ ଗାଁର ସେ ବୋହୂ କି ନା, ସେ ସମସ୍ତଙ୍କ କଥା କହେ ନାହିଁ ।

ଆର ଭଉଣୀଟି ଏମିତି ପାଠୁଆ, ଅଥଚ ପରିବୋଉ-ଖୁଡ଼ୀର ଅକ୍ଷର ପରିଚୟ ମଧ୍ୟ ନାହିଁ । ପରି ଭାଇନା ବିଦେଶରୁ ଚିଠି ପଠାଇଲେ, ଗାଁର ପାଠ ପଢୁଆ ଲୋକଙ୍କୁ ଡାକି ସେ ତାହା ପଢ଼ାଏ ।

ମନେଅଛି, ମତେ ମଧ୍ୟ ଡାକି ଦିନେ ଖଣ୍ଡେ ଚିଠି ସେ ପଢ଼ାଇଲା । ଚିଠିରେ ଲେଖାଥାଏ- “ଶ୍ରୀ ଶ୍ରୀ ଜଗନ୍ନାଥ ଦେବ ଶ୍ରୀଚରଣେ ଶରଣ । ଆମ୍ଭର ଏଠାରେ ସମସ୍ତ କୁଶଳ, ତୁମ୍ଭ କୁଶଳକୁ ପରମେଶ୍ୱର ଅଛନ୍ତି ।” ଆଉ ଏମିତି କେତେ କ’ଣ, କିନ୍ତୁ ଶେଷରେ ଲେଖାଥାଏ, ଫେରନ୍ତା ଡାକରେ ଜରୁରୀ ବେଉରା ଦେବ । ମୁଁ ଏ ଜରୁରୀ କଥାଟାକୁ ଭାବିଲି, ପରିଭାଇନାର ଜର ହେଇଚି । କାରଣ ଆମ ଇସ୍କୁଲରେ କିମ୍ୱା ଗାଁରେ କାହା ମୁହଁରୁ ଏ କଥା ମୁଁ ଶୁଣି ନଥିଲି ।

ସେ ଦିନ ଦି’ପହରେ ଇସ୍କୁଲ କାନ୍ଥ ତାଡ଼ି ପିଲାଯାକ ମହୁ ଖାଉଚୁଁ, ଯଦୁ ପାଠ ନ ପଢ଼ିଲେ କ’ଣ ହେଲା, ସବୁ କାମରେ ହାଜର ଥାଏ । ପରିବୋଉ ଖୁଡ଼ୀର ପାଟି ଶୁଣାଗଲା, “ଯଦୁଆରେ- ହେ ଯଦୁଆ !” ଯଦୁ ତରବର କରି ମେଞ୍ଚାଏ ମାଛି ମିଶା ମହୁଫେଣା ପାଟିରେ ପୁରାଇ ଆଖିବୁଜି ଢୋକି ଦେଲା ଏବଂ କହିଲା, “ହେ, ମୁଁ ଯାଉଚି, ବୋଉ ଡାକିଲାଣି, ନାନୀଘରକୁ ଯିବି ।”

ଯଦୁର ଗୋଟିଏ ଭଉଣୀ ଅଛି ବୋଲି ସେହିଦିନ ଆମେ ସବୁ ଜାଣିଲୁ । କାରଣ ତାହାର ନାନୀ ଅତି ପିଲା ଦିନରୁ ଶାଶୁଘରେ, ଗାଁକୁ କେବେ ଆସେ କି ନାହିଁ, ଆସିଲେ ଆମେ ହୁଏତ ତା’ ଖବର ରଖୁ ନାହିଁ । ପଚାରିଲୁ, ନାନୀଘର କେଉଁଠି କି’ରେ ?

ସାଇଁସୋ, ପାଞ୍ଚ କୋଶ ବାଟ- ଯୋଡ଼ାଏ ନଈପାରି- ପହଞ୍ଚୁ ପହଞ୍ଚୁ- କିନ୍ତୁ ତା’ ବୋଉ ଚାଲି ଚାଲି ଆସି କେତେବେଳେ ଆମ ପାଖରେ ହେଲାଣି, କେହି ଜଣେ ସିଆଡ଼କୁ ଚାହିଁ ନାହୁଁ । ସମସ୍ତେ କାନ୍ଥସନ୍ଧାରେ ହାତ ଗଳେଇ ମହୁଫେଣା ଆଣିବା ଯୋଗାଡ଼ରେ ଅଛୁଁ ।

କିରେ ଖଣ୍ଡିଆ, ନିଆଁଲଗା, ମହୁଖିଆ ହେଉଚି । ଆଉ ହବନି । “ହଇରେ, ଏ କାନ୍ଥ କ’ଣ ହେଲାଣି ? ହଉ, ହଉ, ମାଷ୍ଟର ଆସୁ କହୁଚି ଯେ ।” ସବୁ ପିଲାଯାକ କିଲିକିଲିଆ ହୋଇ ପଳେଇଲୁ । ଯଦୁ ବିଚାରା ଆହୁରି ତାନେ ବକା ଖାଇ ବୋଉ ପଛେ ପଛେ ଚାଲିଲା, ପୋଷା କୁତୀ ପରି ।

କିନ୍ତୁ ଯଦୁ ଯେଉଁ ଦିନ ନାନୀ ଘରୁ ଫେରିଲା, ସେଦିନ ତା’ ବୋଉର କାନ୍ଦ ସମ୍ଭାଳେ କିଏ । ଯଦୁର ମଧ୍ୟ ଆଖି ଦି’ଟା ମକଚି ମକଚି ନାଲି ପଡ଼ି ଯାଇଥାଏ । ପଡ଼ିଶା ପଡ଼ିଶା ଦୁଇ ଚାରି ଜଣ ମାଇପେ ଆସି ତା’ ମାଆକୁ ବୁଝାଇବାରେ ଲାଗିଥାନ୍ତି । ଛୁଆଗୁଡ଼ାକ ତାଙ୍କ ଅଗଣାରେ ରୁଣ୍ଡ ହୋଇ ବକ ବକ ଚାହିଁଥାନ୍ତି । ଆମେ ସବୁ ଇସ୍କୁଲକୁ ଗଲାବେଳେ ଦଣ୍ଡେ ସେଠାରେ ଠିଆ ହେଲୁ । ବୁଝିଲୁ ଯଦୁର ଭଉଣୀଟି ବିଧବା ହୋଇଚି । ତାହାର ଭିଣୋଇର ଦିହ ବେରାମ ଥିବାରୁ ଯଦୁ ସେଦିନ ମାଆକୁ ଉତ୍ତର ନ ଦେଇ ମହୁଖିଆ ଛାଡ଼ି ଚାଲି ଯାଇଥିଲା, କିନ୍ତୁ ଯଦୁ ଭଉଣୀର ଏ ଦଶାରେ ଆମ ମନରେ କଷ୍ଟ ହେଲା ନାହିଁ । ତାହାର କାରଣ ଯଦୁର ନାନୀକୁ ଭଲ କରି କେହି ଜାଣି ନଥିଲୁ ଏବଂ ତାହାର ମାଆର କାନ୍ଦର ସ୍ୱର ଏପରି କର୍କଶ ଯେ ସେଥିରେ ଦୁଃଖ ବଦଳରେ ବିରକ୍ତି ଆସୁଥିଲା । ତାହା ନ ହେଲେ ତ ଝିଅମାନେ ଶାଶୁଘରକୁ ଗଲାବେଳେ ବି ତାଙ୍କ କାନ୍ଦଣାରେ ଆଖିରେ ଆମର ଲୁହ ରହେ ନାହିଁ । ପରିବୋଉ ଖୁଡ଼ୀର ପାଟି ଆଦୌ ନରମ ନୁହେଁ । ଯଦୁକୁ ବକିଲେ ଯେମିତି ଶୁଣାଯାଏ, କାନ୍ଦ ମଧ୍ୟ ତାହାର ସେହିପରି ।

କେତେକ ମାସ ପରେ ଯଦୁର ନାନୀ ଆସି ତାଙ୍କ ଘରେ ରହିଲା । ଯଦୁଠାରୁ ୩/୪ ବର୍ଷ ବଡ଼ ସେ । ତାହାର ସ୍ୱାମୀ ମଧ୍ୟ ବଙ୍ଗଳା-ବାଟ କରେ । ଦୁଲା ଅତି ଛୋଟ ଦିନରୁ ଶଶୁର ଘରକୁ ଯାଇଥିଲା । ବାପ ଘର ପରି ଶଶୁର ଘର ମଧ୍ୟ ଗରିବ । ସେଠାରେ ଆଉ କେହି ନାହିଁ, ଏକମାତ୍ର ଶାଶୁ । ଦୁଲା ମଝିରେ ମଝିରେ ଶାଶୁଘରକୁ ଯାଏ, କିନ୍ତୁ ପୁଅ ମରିଯିବା ପରେ ଶାଶୁ ଆଉ ତାକୁ ଆଗପରି ଦେଖି ସହିପାରେ ନାହିଁ । ସେଥିପାଇଁ ବାପଘରକୁ ଚାଲି ଆସେ । ମାଆ ତ, ଜନ୍ମ କରିଛି, ସେ ଆଉ କ’ଣ ଝିଅକୁ ଫିଙ୍ଗି ଦେବ ?

ପରିବୋଉଖୁଡ଼ୀ ଦିନେ ଦିନେ ଦୁଲାକୁ ବାହୁନି କାନ୍ଦେ, ସେହିପରି ଫଟା ଗଳାରେ । ବୋଉକୁ କାନ୍ଦିବାର ଦେଖିଲେ ଦୁଲା ଆଖିରୁ ମଧ୍ୟ ଝର ଝର ଲୁହ ଗଡ଼ି ପଡେ଼ । ଷୋଳ ସତର ବର୍ଷର ଝିଅ- ଆଉ କ’ଣ ପାଟି କରି କାନ୍ଦିବ । ସେ ପୁଣି ନିଜ ସ୍ୱାମୀ ପାଇଁ । ଛି ଛି ଲାଜ କଥା ।

ପ୍ରତି ଏକାଦଶୀରେ ଓ କାର୍ତ୍ତିକ ମାସ ଗୋଟାକଯାକ ପରିବୋଉଖୁଡ଼ୀର କାନ୍ଦଣା ଶୁଣାଯାଏ । କାରଣ ସେ ଦିନଗୁଡ଼ାକରେ ଦୁଲା ବିଚାରୀକୁ ଉପାସ ହବିଷ କରିବାକୁ ହୁଏ । ବର୍ଷ ଦୁଇ ବର୍ଷ ପରେ ଦୁଲାର ଦୁଃଖ ତା’ ମାଆର ଦିହସହା ହୋଇଗଲା । ଆଗପରି ଆଉ ଏଡେ଼ ପାଟି କରି ସେ ଗାଁ ଦାଣ୍ଡ କମ୍ପାଏ ନାହିଁ ।

କାର୍ତ୍ତିକ ମାସ । ବଡ଼ି ଭୋରରୁ ବାସି ଆଡ଼ତି ସାରି ଦୁଲା ଚଉଁରା ଲିପୁଚି । କୁଆଁତାରାଟା ମଳିନ ପଡ଼ିଗଲାଣି, ଆକାଶ ଦୀପଗୁଡ଼ିକ କେତେବେଳୁ ନିଭିଯାଇଛି । ପାହାନ୍ତିଆକୁ ଟିକିଏ ଶୀତ ପଡ଼ିଲାଣି । ମୂଲିଆ ଜଣେ ଜଣେ ପିଙ୍କା ଲଗାଇ, ଆଉ କିଏ ନିଆଁଟା ଧରି ଦାଣ୍ଡମଝିରେ ଧୂଆଁ କରି କରି କାମକୁ ବାହାରିଛନ୍ତି । ଦୁଲା ଦାଣ୍ଡ ଦୁଆରେ ଗୋଟାଏ ପାଟି ଶୁଣି ଚମକି ପଡ଼ିଲା । ବାଉଁଶ ତାଟି ଆଡ଼କୁ ମୁହଁ ଫେରାଇ ଚାହିଁଲା କିଏ ଗୋଟାଏ ବସି ଭେଁ ଭେଁ କାନ୍ଦୁଚି ? ଲୋକଟାର ଚେହେରା ଉପରେ ଆଖି ପଡ଼ିଲା କ୍ଷଣି ଦୁଲାର ଦିହ ହାତ ପାଣି ଫାଟିଗଲା । ସେ ବୋଉ ବୋଉ ଡାକି ଘର ଭିତରକୁ ପଳାଇଲା । ବୋଉ ତା’ର ଘର ଭିତରୁ ବାହାରି ଆସି ଦୁଆର ମଝିରେ ଯାହା ଦେଖିଲା, ସେଥିରେ ଥକ୍କା ମାରି ଠିଆ ହୋଇଗଲା- ମୁହଁରୁ ଖାଲି ଏତିକି ବାହାରିଲା “କିରେ ପରମା !”

ପରିଭାଇନା ଏଥିରେ ବଙ୍ଗଳାରୁ ହାଡ଼କଙ୍କାଳ ହୋଇ ଫେରିଚି । ସାଥିରେ ଯାହା କି ଟଙ୍କାପଇସା ବା ଜିନିଷପତ୍ର ଦି’ଖଣ୍ଡ ଆଣିଥିଲା, ବାଟରୁ ତାହା ଚୋର ମୁହଁରେ ଗଲା । ପାଦ ଯୋଡ଼ିକ ଓ ମୁହଁଟି ଫୁଲା ଫୁଲା ଦିଶୁଛି, କଥାବାର୍ତ୍ତା ପାଗଳ ପରି । ଗାଁରେ ସବୁ କହିଲେ ପରିଟା ଗେଞ୍ଜଇ ଖାଇ ଏମିତି ଅବସ୍ଥା ହୋଇଛି ।

ପରିଭାଇନା ଅବଶ୍ୟ ଗେଞ୍ଜଇ ଟିକିଏ ଖାଏ । ଗାଁ ଭିତରୁ ଆଉ କେତେଜଣ ମଧ୍ୟ ଖାନ୍ତି । ସେମାନେ କିନ୍ତୁ ପାଗଳଙ୍କ ପରି ଗପନ୍ତି ନାହିଁ । ଯାହାହେଉ, ପରିବୋଉଖୁଡ଼ୀ ଉପରେ ଏବେ ତିନିଟି ପିଲାଙ୍କ ଭାର ପଡ଼ିଲା । ଏଣିକି ସେ ଗାଁରେ କାହାରି କାହାରି ଧାନ କୁଟେ । ସେଥିରେ ସେମାନେ କିପରି ଚଳନ୍ତି, କେଜାଣି । ଆମ ଗାଁରେ ତ ଏମିତି କେତେ ଘର ଅଛନ୍ତି, କାହା କଥା କିଏ ବୁଝେ । ହେଲେ, ପରିବୋଉଖୁଡ଼ୀ କାହାକୁ କେବେ ହାତ ପତେଇ ଶାଗ କେରାଏ କି ଚାଉଳ ଗଣ୍ଡାଏ ମାଗିବାର ଶୁଣାନାହିଁ । ହୁଏତ ତାହାର ଭଉଣୀ କେବେ କେବେ ସାହାଯ୍ୟ କରୁଥିବ କିମ୍ୱା ପରିଭାଇନା ଯାହା ଟଙ୍କା ପଠାଏ, ସେଥିରୁ ଅବା କିଛି କିଛି ସାଇତି ରଖୁଥିବ । କିଏ ବୁଝୁଚି ଏତେ କଥା । ପରିଭାଇନା ବେମାରିଆ ହୋଇ କେତେ ଦିନ ଘୁଷୁରିଲା । ସେଥି ଭିତରେ ଦୁର୍ଗା ଠାକୁରାଣୀ କିପରି ନିଆଁହୁଳା ଧରି ଅଷ୍ଟ ଅଳଙ୍କାର ପିନ୍ଧି ଗାଁ ଦାଣ୍ଡରେ ରାତି ଅଧରେ ବୁଲନ୍ତି, ପରିଭାଇନା ସାଥିରେ ତାଙ୍କର କେତେ କଥାବାର୍ତ୍ତା ହୁଏ, ମଝିରେ ମଝିରେ ଠାକୁରାଣୀଙ୍କ ସାଙ୍ଗରେ ତାଙ୍କର ଦୁଇ ସାନଭଉଣୀ ମଧ୍ୟ ଆସନ୍ତି- କେତେ ଅଦ୍ଭୁତ କଥା ତାହା ମୁହଁରୁ ଶୁଣାଯାଏ ।

ଦିନେ ସଞ୍ଜବେଳେ ପରିବୋଉଖୁଡ଼ୀ ହଠାତ୍ କାନ୍ଦି ଉଠିଲା, ଗାଁ ମଶାଣିରେ ଚିତା ନିଆଁ ଜଳିଲା । ସମସ୍ତେ ବୁଝିଲୁ, ପରିଭାଇନା ମରିଯାଇଛି ।

କିନ୍ତୁ ଦୁଲା ବିଧବା ବେଳକୁ ତାହା ବୋଉ ଯେତେଦିନ ଧରି କାନ୍ଦିଥିଲା, ପରିଭାଇନା ମରିବା ପରେ ସେତେଦିନ କାନ୍ଦି ନାହିଁ । ବୋଧହୁଏ ଲୋକେ ଏହିପରି ମରନ୍ତି ବୋଲି ସେ ବୁଝି ଯାଇଥିଲା । କାରଣ ଗାଁରୁ ଆଉ କେତେ ଲୋକ ମଧ୍ୟ ପ୍ରତି ବର୍ଷ ଏହିପରି ମରିଥାନ୍ତି ।

ଓଳିଏ ଭାତରନ୍ଧା ହେଲେ ଓଳିଏ ପଖାଳ । ଦିଓଳି ତତଲା ପାଇଁ ଜାଳ ଆସିବ କାହୁଁ । ଦୁଲା ପାଣି ଆଣେ, ବାସନ ମାଜେ, ଘର ଲିପେ, ଭାତ ରାନ୍ଧେ । ଘରେ ଗୋଟିଏ ଦୁହାଁଳି ଗାଈ । ପରିବୋଉଖୁଡ଼ୀ ଧାନ କୁଟେ, ଗୁହାଳ ପୋଛେ, ଗାଈ ଦୁହେଁ, ଦୁଧ ବିକେ ଏବଂ ଯଦୁକୁ ବକେ । ଯେତେ ବକା ଖାଇଲେ ବି ଯଦୁଆଟା ସେହିପରି ଅଚିନ୍ତା ହୋଇ ବୁଲେ । ଗାଈ ବାଛୁରୀ ଦି’ଟାଙ୍କୁ ଟିକିଏ ଯାହା ଚରେଇ ନିଏ, ଖାଇବା ବେଳକୁ କିନ୍ତୁ ଯାହା ବାଢ଼ିଦେଲେ, ତୁନି ହୋଇ ଖାଏ ।

ସୁଲୀ ଗଉଡୁଣୀ ଦୁଧ ନେବାକୁ ଆସି ଘଡ଼ିଏ ବସି ଗପ କରେ, ଏ କ’ଣ ମ ପରିବୋଉ, ତମର ଆଉ ଦିନ ଆସୁଚି କି ବାର ପାଇଟି କରିବାକୁ ?

ପରିବୋଉଖୁଡ଼ୀ ଘସି ପାରୁ ପାରୁ କହେ, “ଆଉ କ’ଣ କରିବି କହ ? ଜୀବ ଥିବାଯାକେ ମରିପଡ଼ି ସବୁ କରୁଥିବି । ତେଣିକି ମରିଗଲେ କିଏ ଆସୁଚି ନା ଦେଖୁଚି ।”

କାହିଁକି ମ, ଘରେ ଭେଣ୍ଡାପୁଅ-

“ଆଲୋ ସେ ମୁଦେଇଟା କଥା କାହିଁକି କହୁ । ଗୁହାଳ ତ ଆଣ୍ଠୁଏ ହୋଇପଡ଼ିଥିବ ଯେ, ଯେତେ କହିଲେ କାନକୁ ନେବ ନାହିଁ । ମୋ ସାଥିରେ ମାସେ ହେଲା ଲଗେଇଚି । ବାଟଖର୍ଚ୍ଚ ଦେ, ମେଦିନୀପୁର ଯିବି । ଗୋଟାଏ ଭାଇ ତ ରୋଜଗାର କରି ଯେଉଁ ପୋଷି ପକେଇଲା- ତା’ ବାଟ ଖର୍ଚ୍ଚ ଆଜିଯାଏ ସୁଝଟ ପାଇ ନାହିଁ ବୋଲି ଦୁଆର ମୁହଁରେ ପିଆଦା ବସୁଚି । ସୁଧଘର ପାଇଁ ଧାନ ଡୋଲିଏ କାଢ଼ିଆ ଆଣିଥିଲି ଯେ, ଆଜି ସେ ଭରଣେ କି ପାଞ୍ଚକୋଡ଼ି ହେଲାଣି । ଗୋଟିଏ ମଣିଷ, କେତେ ଧାନ କୁଟିବି ଯେ- ।”

“ଆ, ଏ କିମିତିକା କଥା ବା- ମା’ ଧାନକୁଟି ପୁଅ ନାଗର । କାହିଁକି ମ ପରିବୋଉ, ଦୁଲାକୁ କହୁନୁ, ଘଡ଼ିଏ ତୁମ ସାଥିରେ ଯାନ୍ତା ।”

“କୁଆଡେ଼ ଲୋ ? ଧାନ କୁଟିବାକୁ ! ବଣିଆ କୂଆରୁ ତ ପାଣି ଦି’ଟା ଆଣିବାକୁ ଯାଉଛି ଯେ ଏଣେ ମୋ ଛାତି ଧୁଡୁ ଧୁଡୁ ପଡୁଚି । ଯୁବାଝିଅ ଆଣି ଘରେ ପୋଷିଛି- ନାଗସାପ ସେ । ତା’ କର୍ମ ଫାଟିଲା ବୋଲି ସିନା- ଏ ଯେଉଁ ଛତରା ଗାଁ କେତେବେଳେ କେଉଁ କଥା । ଜେନାଘର ବୋହୂ କ’ଣ ହେଲା ।”

“କହନା ସେ କଥା- ମନେ ପଡ଼ିଗଲେ ଦିହ ଥରି ଉଠୁଛି । କ’ଣ ନ କଲା ଲୋ- ଘଇତା ଯାଇ କଲିକତାରେ ।”

ସୁଲୀ ଗଉଡୁଣୀର ଦିହ ଥରି ଉଠୁଥିଲେ ମଧ୍ୟ ସେ ଜେନାଘର ବୋହୂ ବିଷୟରେ ଅନେକ ନୂଆ ତଥ୍ୟ ବର୍ଣ୍ଣନା କଲା, କିନ୍ତୁ ପରିବୋଉଖୁଡ଼ୀର ଇଚ୍ଛା ଅନୁସାରେ କିଛି ହୋଇପାରିଲା ନାହିଁ । କିଛିଦିନ ପରେ ଯଦୁ ମେଦିନୀପୁର ଗଲା ଏବଂ ଦୁଲା ଗାଁ ବିତରେ ଧାନ କୁଟିବାକୁ ଗଲା । ତେବେ ପରିବୋଉଖୁଡ଼ୀ ଦୁଲା ଉପରେ ସବୁବେଳେ ନଜର ରଖିଥାଏ । ଯେତେ ଆପଣାର ହେଲେ ମଧ୍ୟ କେହି ପୁରୁଷ ଲୋକ ସାଥିରେ ତାକୁ କଥା କହିବାର ଦେଖିଲେ ଝିଅକୁ ଆକଟ କରିଦିଏ । ଅବଶ୍ୟ ଯଦୁ ଉପରେ ଯେତେ ରକମ ମାଡ଼ ଗାଳି ହୁଏ, ଦୁଲାକୁ ସେସବୁ ସହିବାରୁ ପଡେ଼ ନାହିଁ । ପିଲାଟାର କର୍ମ ଫାଟିଛି, କିଏ ଅଛି ତା’ର ?

ଆମ ଗାଁକୁ ଆସିବାର କିଛିଦିନ ପରେ ଦୁଲାର ଗୋଡ଼ହାତ ବେଶ୍ ଗୋଲ ଗାଲ ବୁଲିଆସିଲା, ଦିହର ରଙ୍ଗ କେମିତି ବଦଳିଗଲା- ମୁହଁ ସୁନ୍ଦର ଦେଖାଗଲା । ଏହା ଦେଖି ପରିବୋଉଖୁଡ଼ୀର ମନ ଭଲ ରହେ ନାହିଁ, ମଝିରେ ମଝିରେ କାନ୍ଦ ମାଡେ଼ ।

କିନ୍ତୁ ଗାଁ ଟୋକାଗୁଡ଼ାଙ୍କର ନିଜ ଭିତରେ ଭାରି ବିଚାର ଆଲୋଚନା ଚାଲେ- “ଦୁଲାକୁ ଦେଖିଲୁଣିରେ । ଇସ୍, ଟୋକୀର ଦେହରେ ଟିପ ମାରିଦେଲେ ରକ୍ତ ବୋହି ପଡ଼ିବ ।”

ତା’ପରେ

ଲୋକପ୍ରିୟ ଲେଖା

To Top