ଗଳ୍ପ

ରୁଦ୍ରାକ୍ଷ

Kalindicharana Panigrahi's odia Story Rudrakshya

ଏହିକ୍ଷଣି ବାର ଅନା ହୋଇ ତା’ ପାଖରେ ସାକୁଲେଇ ହେବ, ହସିବେ, ଯାହା ଯାହା କହିବୁ, ତାହା ଆଣିଦେବେ, ନିଆଁକୁ ଡେଇଁବେ- ହେଲେ, ସେତେବେଳେ କେହି ପିଠିରେ ପଡ଼ିବେ ନାହିଁଟି ।

ରୁଦ୍ରାକ୍ଷ

-: ପୂର୍ବରୁ :-

ତଳେ ତାସ୍ ପିଟି ଆଉ ଜଣେ କହେ, “ତୋର ଆଉ କ’ଣ ଭାବନା କି ? ତୋର ପାଟିରୁ ତ ନାଳ ବହିବଣି ।”

ଆଉ ଜଣେ କହେ, “ଧେତ୍ ବିଧବା ବ୍ରାହ୍ମଣୀ- ଏମିତି ପାପ କଥା ଭାବୁଚ, ପୋକ ମାଛି ହୋଇ ମରିବଟି !”

ପ୍ରଥମ ଜଣକ କହେ, “ଓହୋ, ସାଧୁପୁରୁଷ ! ତୁ ତ ମଲାବେଳକୁ ଖାଲି ଇସ୍ତକ ବାନ୍ତି କରି ମରିବୁ ।”

ସମସ୍ତେ ହସି ଉଠନ୍ତି । ଆମେ କେହି କେହି ତାସ ଖେଳ ଦେଖୁଥାଉଁ । ଦୁଲା ଆମମାନଙ୍କଠାରୁ ବୟସରେ ବେଶ୍ ବଡ଼, ସେଥିରେ ପୁଣି ସେ ବିଧବା- ସେଥିପାଇଁ ଆମକୁ ଏ କଥାଗୁଡ଼ାକ କେମିତି ଅଡୁଆ ଅଡୁଆ ଲାଗେ ।

ଦୁଲାଦେହରେ ଏତେ ବେଶି ରକ୍ତ ଥିଲା କି ନାହିଁ କେଜାଣି, କିନ୍ତୁ ଦିନକୁଦିନ ସେ ବଡ଼ ସୁନ୍ଦର ଦେଖାଗଲା । ଓଠ ଦୁଇଟା ଫୁଲି ଉଠିଲା, ଆଖି ଦୁଇଟା ସବୁବେଳେ ଢଳ ଢଳ ଦିଶିଲା । ତାକୁ ଆଗରେ ଦେଖିଲେ ଗାଁର ଛତରାଟୋକାଗୁଡ଼ାଙ୍କ ମୁହଁରେ ଗୀତ ପଦେ ବାହାରି ପଡ଼େ । ଆଉ କେହି ମୁହଁରେ କିଛି କହନ୍ତି ନାହିଁ, କିନ୍ତୁ ତାଙ୍କ ମନ ଭିତର ଚଞ୍ଚଳ ହୋଇଉଠେ । ପରିବୋଉଖୁଡ଼ୀ ହୁଏତ ମଝିରେ ମଝିରେ ଏସବୁ କଥା ଜାଣି ପାରୁଥିବ, କିନ୍ତୁ କ’ଣ କରିବ ? ଗାଁ ଭିତରେ ବିଧବା ଝିଅକୁ ଆଉ କେତେ ଲୁଚାଇ ରଖିବ ? ଯଦୁଆ ତ ଆଠ ମାସ କି ବରଷେ ହେଲା ବଙ୍ଗଦେଶକୁ ଗଲାଣି ଯେ ଗୋଟାଏ ସୁଦ୍ଧା ପଇସା ଦବାକୁ ନାହିଁ । ନିଜର ଏତେ ବଳ କାହିଁ ଯେ ଧାନକୁଟି ଦୁଲାକୁ ଓ ନିଜକୁ ପୋଷି ପାରିବ । ଝିଅକୁ କେବଳ ଘର ଭିତରେ ବୁଝାଇ ସୁଝାଇ ଆକଟ କରିଦିଏ- “ଦୁଲା ଲୋ, ଏ ନିଅଁସିଆ ଟୋକାଗୁଡ଼ାଙ୍କୁ ଚାହିଁବୁ ନାହିଁ କି କଥା କହିବୁ ନାହିଁ । ଏହିକ୍ଷଣି ବାର ଅନା ହୋଇ ତା’ ପାଖରେ ସାକୁଲେଇ ହେବ, ହସିବେ, ଯାହା ଯାହା କହିବୁ, ତାହା ଆଣିଦେବେ, ନିଆଁକୁ ଡେଇଁବେ- ହେଲେ, ସେତେବେଳେ କେହି ପିଠିରେ ପଡ଼ିବେ ନାହିଁଟି ।”

ଦୁଲା ତା’ର ବୋଉକୁ କିଛି ଉତ୍ତର ଦିଏ ନାହିଁ ।

କିନ୍ତୁ ସବୁ କଥାତକ ପାଳିବାର ତାକୁ ଦେଖାଯାଏ । ତାହାର ଚାଲିଚଳନ କିଛି ବେଆଡ଼ା କଥା ଦେଖାଯାଏ ନାହିଁ । ଗାଁର ଛତରା ଟୋକାଗୁଡ଼ାଙ୍କୁ ଦେଖି ମୁହଁ ଆଡ଼େଇ ଚାଲିଯାଏ । କେହି ତାହାର ପାଖ ପଶିପାରନ୍ତି ନାହିଁ ।

ଗାଁ ଭିତରେ ସେ ବିହାରୀଙ୍କ ଘରକୁ ବେଶି ଯିବା ଆସିବା କରେ । ବିହାରୀ ତାହାର ଭାଇ ଲେଖା ହେବ, ଏକା କୁଟୁମ୍ୱ । ବିହାରୀ ବଡ଼ ଟିଣା ଲୋକ । କାହାରି ସାଙ୍ଗମେଳରେ ସେ ନ ଥାଏ । ପାଠ ପଢ଼ାରେ ଅ’ ଆ’ ଆରମ୍ଭ କରି ନାହିଁ, ଗାଁରେ ସେ ଗୋଟାଏ ମକଦ୍ଦମ ବୋଲି ତାହାର ଭାରି ଗର୍ବ । କାରଣ ମକଦ୍ଦମୀତକ ସବୁ ବିକ୍ରି ହୋଇଯାଇ ବର୍ତ୍ତମାନ କେବଳ କଡ଼ାଏ କି କ୍ରାନ୍ତେ ମାତ୍ର ଅବଶିଷ୍ଟ ଅଛି । ମକଦ୍ଦମମାନେ ପ୍ରଜାଙ୍କଠାରୁ କର ଆଦାୟ କରି ଜମିଦାରଙ୍କ କଚେରୀରେ ଦାଖଲ କରନ୍ତି । ସେଥିପାଇଁ ତାଙ୍କର ଗାଁ ଭିତରେ ଟିକିଏ କ୍ଷମତା ଓ ହାକିମୀ ଥାଏ । ବେହାରୀର ମକଦ୍ଦମୀତକ ବିକ୍ରି ହୋଇଯାଇଥିବାରୁ ହାକିମୀଟା ଟିକିଏ ବେଶି । ଗାଁ ଲୋକେ ଆମୋଦ କରିବାକୁ ତାକୁ ବେହାରୀ ମକଦ୍ଦମ ବୋଲି ଡାକନ୍ତି । ବିହାରୀ କିନ୍ତୁ ତାକୁ ନିଜ ନ୍ୟାଯ୍ୟରୂପେ ଗ୍ରହଣ କରେ ।

ବିହାରୀ ସଙ୍ଗେ ଦୁଲାର କିଛି ସମ୍ପର୍କ ହୋଇପାରେ, ଏହା କେହି ଭାବି ନଥିଲେ । କାରଣ ବିହାରୀଟା ଯେପରି ନିର୍ବୋଧ, ସେହିପରି ବିରୂପ । ତାହାପରି ତ୍ରିପଣ୍ଡ କଳା ଆମ ଗାଁ ଯାକରେ କେହି ନ ଥିବେ । ପଦ୍ମପୋଖରୀକୁ ଯେତେବେଳେ ଗାଧୋଇ ଯାଉ, ବିହାରୀକୁ କେହି କେହି ଟାପରା କରି କହନ୍ତି, ବେହାରୀ ଭାଇ ଟିକିଏ ସତାର କର, ଆମେ ଗାଧୋଇ ପଡୁ । ବିହାରୀ ରାଗି ଯାଇ ସବୁ ରକମ ସମ୍ପର୍କ ସ୍ଥାପନ କରିଦିଏ- ବାପ ହେବାଠାରୁ ଭିଣେଇ ହେବା ପର୍ଯ୍ୟନ୍ତ । ଗାଁର କୌତୁକପ୍ରିୟ ଲୋକେ ବିହାରୀକୁ ଆସିଥିବାର ଦେଖି କହନ୍ତି, ଓହୋ, ଏ ପାଖରୁ କେତେବଡ଼ କଳାହାଣ୍ଡିଆ ମେଘ ଉଠାଇଲାଣି । ତାହାଠାରୁ ବକା ଖାଇବାକୁ ଭଲ ଲାଗେ ।

ଆଉ ମଧ୍ୟ ଗାଁ ଭିତରେ ବିହାରୀର ଆଗେ କିଛି ଚଗଲା ଢଙ୍ଗ କେବେ କେହି ଦେଖି ନାହିଁ । କେବଳ ତାକୁ ଗୋଟାଏ ହୁଙ୍କାପଡ଼ି ହୁଣ୍ଡା ବୋଲି ସମସ୍ତେ ଜାଣନ୍ତି । ସୁତରାଂ ଦୁଲା ତାଙ୍କ ଘରକୁ ଅବାଧରେ ଯା’ ଆସେ କରେ । ଖାଲି ଦୁଲା ଉପରେ ଦୃଷ୍ଟି ରଖିଥିବା ଦୁଷ୍ଟ ଟୋକା କେତେଜଣ ଟୁପ୍‌ଟାପ୍ ହୁଅନ୍ତି ।

କିନ୍ତୁ ନାଥିମାଆ ଧୋବଣୀ କେବେ ଦିନେ ପଦୀ ଗୁଡ଼ିଆଣୀକୁ କହିଗଲା ଯେ, “ଚାରିମାସ ହେଲା ଦୁଲାର ଲୁଗା ସେ ନେଇ ନାହିଁ ।” ପଦୀ ମୁହଁରେ ତ ଲୁଣ ମିଳାଏ ନାହିଁ, ସେ ଗାଁ ଭିତରେ ଏ କଥାକୁ ବେଶ୍ ସାବଧାନ ହୋଇ ପ୍ରଚାର କରିଦେଲା । କଥା ନାରୀ ମହଲରୁ ବାହାରି ଗାଁ ଟୋକାଗୁଡ଼ାଙ୍କ ତାସଖେଳ ସମୟରେ ଆଲୋଚିତ ହେଲା । ଦୁଲା କେଡ଼େ ଭଲ ମଣିଷ ହୋଇ ଦାଣ୍ଡରେ ଯାଆସ କରେ, କେଡ଼େ ଗର୍ବ ତା’ର, କାହାକୁ ହସି କରି ଟିକିଏ ଚାହିଁବ ନାହିଁ, ଚିନ୍ତାମଣି ସେଦିନ ତାକୁ କ’ଣ ପଦେ ବିଶ୍ୱାସରେ କହିଦେଲା ବୋଲି ତା’ର ବାପଅଜା ଚଉଦ ପୁରୁଷ କାଢ଼ି କେଳେଇ ଥୋଇ ଦେଲା ଦାଣ୍ଡ ମଝିରେ ବାର ଅପମାନ ଦେଲା, – ଗାଁ ଲୋକେ ଚିନ୍ତାମଣିକୁ କେତେ ଛି ଛା କରି କହିଲେ । କେଡ଼େ ସତୀଟାଏ ସେ ଏହିଥର ଦେଖାଯିବ ତ ।

ଦେଖୁ ଦେଖୁ ଗାଁ ଚୌକିଦାର ଗୋଟାଏ ଚାରିହାତିଆ ଠେଙ୍ଗା ଧରି ଦୁଆରେ ଆସି ବସିଲା । ଖବରଦାର ! ଜୀଅନ୍ତା ପିଲା ମୁଁ ଦେଖିବି । ମୁନ୍ସିବାବୁଙ୍କର ହୁକୁମ- କିଛି ଟିକିଏ ହେଲେ, ଥାନାରେ ନେଇ ହାଜର କରିବି ।

ଦୁଲା ଏବଂ ତାହାର ବୋଉ କିଛି ହୋଇ ନାହିଁ ବୋଲି କଥାକୁ ଉଡ଼େଇ ଦେବାକୁ ବସିଲେ । ଗାଁର ବାରପଣ ଲୋକଙ୍କୁ କାଢ଼ି କାଟି ଥୋଇ ଦେଲେ- କିଏ ସେ, ଆସୁ ଆସୁ ଦେଖି- କାହାର ଏଡ଼େ ସାହସ, ନିଅଁଶିଆଯାକ ସୁକୁଟ ଦେଖିବେ ବୋଲି ଏତେ ହୁନ୍ଦର ଲଗେଇଛନ୍ତି ।

ଘରେ ଆଉ କିଏ ଅଛି- ଖାଲି ଦୁଇଟା ମାଇପେ- ଯଦୁଆ ଥାଇକରି ଅବା କରନ୍ତା କ’ଣ ?

ଯେତେ ଲୁଚାଇଲେ ଅଣ୍ଟି ଭିତର ନିଆଁ କେତେଦିନ ଲୁଚି ରହିବ । ଦୁଲା ହଠାତ୍ କାହିଁକି ଦିନେ ଘରୁ ବାହାରିଯିବା କଥା ଗାଁ ଚୌକିଆ ଶୁଣିପାରିଲା । ଗାଁର ମୁଖିଆ ଲୋକେ ଏଥର କଥାଟାକୁ ବଡ଼ କରି ଧରିଲେ । ଚୌକିଆକୁ ସାବଧାନ କରିଦେଲେ । ଦୁଲା ତା’ର ମାଉସୀ ଘରକୁ ଯାଇଛି, କିନ୍ତୁ ସେ ଗାଁର ଚୌକିଆ ମଧ୍ୟ ତାକୁ ସବୁବେଳେ ନଜର ବନ୍ଦୀରେ ରଖିଲା । ମାଉସୀ ଆଉ କରିବ କ’ଣ ? ମାସ ତିନି ଚାରିଟି ଦୁଲାକୁ ଘର ଭିତରେ ରଖିଲା । ଶେଷରେ କହିଲା, “ଯା ଲୋ ମା’, ଦେଖୁଚୁ ତ ରାତି ନ ପାହୁଣୁ ଚୌକିଆ ଆସି ଦାଣ୍ଡ ଦୁଆରେ, ବାର ଫଇଜ୍ଜତି କରୁଚି । ମୁଁ ମାଇପିଟାଏ, କ’ଣ କରିବି କହ ? ତୋ କର୍ମ ତୁ ଭୁଞ୍ଜୁ ।”

ଦୁଲା ଚାରିମାସ ପରେ ଆମ ଗାଁକୁ ଫେରିଆସିଲା । ସାଥିରେ ଏଥର ଚୌକିଆ । ଦୁଲାକୁ ଆମ ଗାଁ ଚୌକିଆର ଜିମା କରି ଦେବାକୁ ସେ ଆସିଛି ।

ଏଣିକି ଦୁଲା ଏବଂ ତାହାର ବୋଉ କି ଦିନ କି ରାତି ବିହାରୀର ସପ୍ତପୁରୁଷଙ୍କୁ ଅଭିଶାପ ଦେବାକୁ ଲାଗିଲେ । ବିହାରୀ ମଧ୍ୟ ତୁନି ହୋଇ ରହିବା ଜନ୍ତୁ ନୁହେଁ । ରାଣ୍ଡୀକୁ ସେ ଦିଆନଫାଟକରେ ପକେଇବ, କତା ଫିଟେଇବ ବୋଲି ବହୁତ ଧମକ ଦେଖାଇଲା, କିନ୍ତୁ ମାଆଝିଅଙ୍କର ମୁହଁ ବନ୍ଦ କରିପାରିଲା ନାହିଁ । ହେଲେ, ପୁରୁଷ ଲୋକଟାଏ, ମାଇପି ଦି’ଟାଙ୍କୁ କଜିଆରେ ଜିତିବ କୁଆଡୁ । ଗାଁ ମଝିରେ ଛାତି ଫୁଲାଇ ଗୀତ ଗାଇ ସେ ଆଗ ଯେମିତି ଚାଲୁଥିଲା, ଆଜିକାଲି ଆଉ ସେପରି ନାହିଁ । ସବୁଠାରୁ ପୁଣି ଦୁଲା ଦୁଆର ଦେଇ ଯା’ ଆସ କରିବା ତାହାର ଏକରକମ ବନ୍ଦ ହୋଇଗଲା । ଟୋକାଗୁଡ଼ାକ ତାମସା କରି କହିଲେ, “ବିହାରୀ, ଦୁଲାଙ୍କ ବାରିପାଖ ସାରୁ ଖଣ୍ଡ ଆଉ କୋଡ଼ିବ ନାହିଁ କି ? ଧାନକୁଟା କେମିତି ହେଉଛି ?'”ବିହାରୀ ସେମାନଙ୍କୁ ଜବାବ ଦେବାରେ ଅବଶ୍ୟ ତ୍ରୁଟି କରେ ନାହିଁ ।

ଯାହାହେଉ, ପରିବୋଉଖୁଡ଼ୀକୁ ଏକଘରିଆ ହୋଇ ରହିବାକୁ ପଡ଼ିଲା । ତାହା ବୋଲି ଝିଅକୁ ସେ ବଡ଼ଦାଣ୍ଡକୁ ପଠେଇବ । ଯେତେ ବୁଝେଇଲେ ତ ସେ ଜହର- ଖାଇଟା ସେହି କଥା କରି ବସିଲା । ତା’ କର୍ମ ସେ ଭୋଗିବ, ନରକ ଘାଣ୍ଟିବ, କିନ୍ତୁ ପରିବୋଉଖୁଡ଼ୀର ତ ସବୁ ମରି ମରି ଏହି ବୋଲି ଦିଟା ପିଲା । ନ ହେଲେ ଅବା ଗାଁରେ ତାକୁ କେହି ବସେଇବେ ନାହିଁ- ଦୁଲା ତ ତାହାର କୁଳେ କଳଙ୍କ ବୋଳି ଦେଇଛି, ସବୁ ଆଣ୍ଟ ଭାଙ୍ଗି ଦେଇଛି- ଏହିକ୍ଷଣି ତାକୁ ଘରୁ ବାହାର କରିଦେଲେ, କୁଆଡ଼େ ଯିବ ସେ । କୋଉ ପିଲା ଛୁଆ ହେଇଚି ଯେ ତାକୁ ମାଇଲେ ଧଇଲେ କିଛି ହେବ । ଯାହା ତ ହେବାର ହୋଇସାରିଲାଣି, ମାରି ଧରି ଅବା ଫଳ କ’ଣ ? ପରିବୋଉ ଖୁଡ଼ୀ ମୁହଁରୁ ବିହାରୀ ଓ ତାହାର ବାପ ଚଉଦ ପୁରୁଷ ଗାଳି ଶୁଣନ୍ତି, କିନ୍ତୁ ଦୁଲାକୁ ସେ କେବେ କିଛି କହିବାର କେହି ଶୁଣି ନାହିଁ । ବିଧବା ଅନାଶ୍ରିକ-କିଏ ତାହାର ଅଛି ?

ପରିବୋଉ-ଖୁଡ଼ୀକୁ ଗାଁରେ ଅଟକ କରି ରଖିଲେ । କିଏ କେତେ ରୂପରେ କହିଲେ- “ଝିଅସୁଆଗୀ ହେଉଚି ! ଯିଏ କୁଳରୁ ଗଲା, ଥଳରୁ ଗଲା, ତାକୁ ତ ଆଣି ଘରେ ପୂରେଇଲୁ, ଅଟକ ହେବା ନାହିଁ ତ କ’ଣ ଗାଁ ଯାକ ସମସ୍ତଙ୍କୁ ସେହି ପାପରେ ଘାଣ୍ଟିବୁ ।” ପରିବୋଉ- ଖୁଡ଼ୀ ଭାବେ, ସତକଥା ତ ! ଏଥିରେ ଆଉ ଜ୍ଞାତି କୁଟୁମ୍ୱଙ୍କର ଅନ୍ୟାୟ କ’ଣ ? ପରିବୋଉ- ଖୁଡ଼ୀର କ୍ଷତି ଭିତରେ ଏତିକି ଯେ, ପିଲାଏ ତାହାର ଗାଁ ଭିତରେ ଭଲ ମନ୍ଦ ଶୁଦ୍ଧି ଶ୍ରାଦ୍ଧରେ ଜାତି ଭାଇଙ୍କ ଦୁଆରେ ବସି ମୁଠିଏ ଖାଇପାରିବେ ନାହିଁ ।

-ତାପରେ –

ଲୋକପ୍ରିୟ ଲେଖା

To Top