ଗଳ୍ପ

ସଭ୍ୟ ଜମିଦାର

Byaasakabi Fakir Mohan Senapati's odia story Sabhya Jamidaar

ନାମ ହୋଇଛି, ମିସେସ୍ ମହାପାତ୍ର । ମାତ୍ର ପୋଇଲୀମାନେ ଆଉ ମୂର୍ଖ ଚାକରଗୁଡ଼ାକ ଠିକ୍ ନାମ ଧରି ଡାକି ପାରନ୍ତି ନାହିଁ । କେହି କେହି କିସ୍ ମିସ୍ ମାହାପାତ୍ର- କେହି କେହି ମିସ୍ତ୍ରୀ ମହାପାତ୍ର- କେହି ଡାକେ ଫିସ୍ ଫିସ୍ ମହାପାତ୍ର ।

ସଭ୍ୟ ଜମିଦାର

-: ପୂର୍ବରୁ :-

ଚାରି ପାଞ୍ଚ ବର୍ଷ ମଧ୍ୟରେ ବାବୁଙ୍କ ଇଂରାଜୀ ପଢ଼ା କେତେ ଦୂର ହେଲା, ସେ କଥା ଜଣା ନାହିଁ, ମାତ୍ର ଢେର ଢେର ସଭା ସମିତିରେ ଉପସ୍ଥିତି, ଥିଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ବାବୁ ପକ୍କା ହୋଇଗଲେଣି । ସ୍ୱଦେଶର ଉନ୍ନତି ସାଧନ ନିମନ୍ତେ କେତେଜଣ ବନ୍ଧୁ ମିଳି ଏକାବେଳକେ ଯୋଡ଼ିଏ ସମିତି ସ୍ଥାପନ କଲେ । ମଙ୍ଗଳବାର ଦିନ କୁସଂସ୍କାର-ବିମର୍ଦ୍ଦିନୀ ଶନିବାର ନାରୀସ୍ୱାଧୀନତା-ବିବର୍ଦ୍ଧିନୀ ସଭାର ଅଧିବେଶନ ହୁଏ । ଦୁଇ ସଭାର ସମ୍ପାଦକ ନିଜେ ବାବୁ । ସଭାର ସମସ୍ତ ବ୍ୟୟ ବହନ କରିବା ତ ସମ୍ପାଦକ ପକ୍ଷରେ ଉଚିତ, ଏଇଟା ହେଲା କଲିକତାର ନିୟମ । ସଭାରେ ଢେର ଢେର ବକ୍ତୃତା ହୁଏ । ସମ୍ପାଦକ ଢେର ଥର ବକ୍ତୃତା କଲେଣି । ତାଙ୍କ ବକ୍ତୃତାରେ ଯେଉଁଦିନ ବେଶି ହାତତାଳି ପଡ଼େ, ସେଦିନ ହୋଟେଲବାଲାର ବେଶ୍ ଆୟ ।

ଆକସ୍ମିକ ଗୋଟିଏ ସନ୍ନିପାତ ବେମାରୀ ଆସିଲା, ଦିନ ତିନିଟା ଭିତରେ ସଜ୍ଞାନରେ ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କ ଗଙ୍ଗାଲାଭ । ପିତାର ମୃତ୍ୟୁରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର । ଶୋକ ପ୍ରକାଶ ଲାଗି ସଭାରେ ତିନିଦିନ ବକ୍ତୃତା ହୋଇଗଲାଣି । ବାବୁ ଖଣ୍ଡେ କଳା କନା ହାତରେ ବାନ୍ଧିଲେ । ସ୍ଥିର ହେଲା, ବାହ୍ମ୍ରଣ ଡାକୁ ଶ୍ରାଦ୍ଧ କରିବାଟା କୁସଂସ୍କାର, କେବଳ ସଭାଗୃହରେ ଭୋଜୀ ଆଉ ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବ । ମାତ୍ର ମହାଜନ ବଳ ବାବୁଙ୍କ ଡରରେ ଏ ସମସ୍ତ ପ୍ରସ୍ତାବ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।

ମହାଜନ ବଳ ବାବୁ ପିଲାଟିକୁ ଯତ୍ନରେ ପାଖରେ ରଖିଲେ । ଇଚ୍ଛା, ପିତୃକାର୍ଯ୍ୟରେ ଉତ୍ତରାଧିକାରୀ ହେଉ । ମାତ୍ର ସେ ଇଂରେଜୀ ପାଠ ପଢ଼ିଛି ସତ, ବେପାର ବଣିଜ କାମ କିଛି ଶିଖିନ ନାହିଁ । ଆଶା, କାମରେ ବାପଠାରୁ ବଳି ପଡ଼ିବ, ଗୋପାଳ ଯେ ଅକ୍ଷର ଜାଣି ନ ଥିଲା । ଢେର ବର୍ଷଯାଏ ସ୍କୁଲ୍ ପାଠ ପଢ଼ିଛି । ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ, ମଧ୍ୟ ଶିଖାଇବା ପାଇଁ କର୍ମଚାରୀମାନଙ୍କୁ ଉପଦେଶ ଦେଲେ । ଏଣେ ରାଜୀବବାବୁର ଗଦିରେ ବସିବାକୁ ମନ ନାହିଁ । ମହାଜନେ ଧରାଧରି କରି ବସାଇଲେ । କାମରେ ମନ ନାହିଁ, କଣଟାଏ ବସି ଭାବୁଥାଏ, ମଙ୍ଗଳବାର ଶନିବାର ରାତିରେ କୁଆଡ଼େ ଚାଲିଯାଏ । ବଳ ବାବୁ ମନରେ କଲେ, ହାତରେ ପାଇଟି ପଡ଼ିଲେ ବା ବାଟକୁ ଆସିବ । ଯେ କାମ ଦେଲେ, ଲାଭ ଆଉ ମୂଳରୁ ତୁଟି କରି ବସେ ।

ଲାଗ ଲାଗ ଯୋଡ଼ାଏ ସଭାରେ ସମ୍ପାଦକ ଅନୁପସ୍ଥିତ ହେବାରୁ ସଭ୍ୟମାନ ବଡ଼ ଖପା ହୋଇ ଗଲେଣି । ଅନୁପସ୍ଥିତିର କାରଣ ସନ୍ଧାନ କରି ଦିନେ ଜଣେ ସଭ୍ୟ ସ୍ୱାଧୀନତା ବିଷୟରେ ଭାରି ଗୋଟାଏ ବକ୍ତୃତା କଲେ । ସେଥିର ମର୍ମ- ଶିକ୍ଷିତ ଜମିଦାର ସନ୍ତାନ ପକ୍ଷରେ ପର ଅଧୀନରେ ଚାକିରୀ କରିବା ଉଚିତ୍ ନୁହେଁ । ବକ୍ତୃତା ସଙ୍ଗେ ସଙ୍ଗେ ଗୋଟିଏ କବିତା ପାଠ କରିଥିଲେ ।

“ଯାହାର ଅଛି ଧନ ଜ୍ଞାନ ଅଧିକ, ଚାକିରୀ କଲେ ତା’ ଜୀବନେ ଧିକ ଧିକ ।”

ସଭାରେ ଖୁବ୍ ହାତତାଳି ପଡ଼ିଲା । ରାଜୀବ ବାବୁଙ୍କ ମନରେ କଥାଟା ଲାଖିଗଲା ।

ତହିଁ ଆରଦିନ ଦିନଯାକ ରାଜୀବ ବାବୁଙ୍କୁ ଢେର ଖୋଜ ତଲାସ୍ ହେଲା, ଭେଟ ମିଳିଲା ନାହିଁ । ମହାଜନ ଆଗରୁ ଭାରି ଖପା ହୋଇଥିଲେ, କେବଳ ଗୋପାଳକୁ ମନରେ କରି କିଛି କହିପାରୁ ନଥିଲେ । ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରରୁ ଜବାବ୍ ଦେଲେ । ରାଜୀବ ବାବୁ ତ ତାହିଁ ଲୋଡୁଥିଲେ । ଇଚ୍ଛା ଥିଲା, ଅନ୍ୟ ଜାଗାରେ ବସା କରି ସଭା ସମିତି ଚଳାଇବେ, ମାତ୍ର ପାରିଲେ ନାହିଁ । ମହାଜନ ବଳ ବାବୁ ଧରାଧରି କରି ଗ୍ରାମକୁ ପଠାଇ ଦେଲେ ।

ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକଙ୍କ ମନ ଭାରି ଖୁସି । ନୂଆ ଜମିଦାରଙ୍କୁ ଅଧବାଟରୁ ଫାଛୋଟି ନେଲେ । ଶୁଣିଥିଲେ, ନୂଆ ଜମିଦାର ସରକାରୀ ସ୍କୁଲ୍‌ରେ ଢେର ପାଠ ପଢ଼ି ତାଲିମ ହୋଇଛନ୍ତି । ଭେଟିବା ପାଇଁ ତହିଁ ଆରଦିନ ସକାଳେ ଗୋଟିଏ ସଭା ହେବାର ସ୍ଥିର ହେଲା । ସଭା ନାମ ଶୁଣି ଜମିଦାରଙ୍କ ମନ ଭାରି ଖୁସି । ଠିକ୍ ନିରୂପିତ ବେଳରେ ପୁରୁଣା ବୁଢ଼ା ପାଞ୍ଜିଆ ରଙ୍ଗାଧର ମହାନ୍ତି ଜମିଦାରଙ୍କୁ ଗଦିରେ ବସାଇ ଦେଲେ । ତାଲୁକ କିଣା ଦିନଠାରୁ ମହାନ୍ତି ଶେଠ ପାଞ୍ଜିଆ କାମରେ ଅଛନ୍ତି । ଲୋକଟି ବଡ଼ ବିଶ୍ୱାସୀ, କାମଦାର ଲୋକ, ସାନ୍ତାଣୀଙ୍କ ଡାହାଣ ହାତ । ତାଙ୍କ ଯତ୍ନରେ ଜମିଦାରୀ ଆୟ ଖୁବ୍ ବଢ଼ିଛି । ଜମିଦାର ତ ସବୁଦିନେ କଲିକତାରେ । ଏହାଙ୍କୁ ଧରି ସନ୍ତାଣୀ ସବୁ ମାମଲତ ବୁଝାସୁଝା କରୁଥିଲେ ।

ତାଲୁକ ମଧ୍ୟରେ ଶାମପୁର ଗ୍ରାମଟି ସବୁ ବଡ଼, ଥିଲାଲୋକ ଢେର । ଗୋପାଳ ବାବୁ ଢେର ଲୋକଙ୍କୁ କଲିକତାରେ ନାନା କାମରେ କାମ ଦେଇ ରୋଜଗାର କରାଇ ଦେଇଥିଲେ । ବାବୁଙ୍କ ସାହାଯ୍ୟ ଓ ଯତ୍ନରେ ଢେର ପିଲା କଟକରୁ ଶିକ୍ଷିତ ହୋଇ ଆସିଛନ୍ତି । ବଡ଼ ବଡ଼ ଚାଷୀ, ସରକାରୀ ଚାକିରିଆ, ମହାଜନ ଲୋଡ଼ିଲେ ଊଣା ଅଧିକ ଚାଳିଶ ପଞ୍ଚାଶ ସରିକି ବାହାରି ପାରିବେ । ନୂଆ ଜମିଦାର ବାବୁ ଖୋଜି ବସିଲେ ଗ୍ରାମ ମଧ୍ୟରେ ଶିକ୍ଷିତ କୁସଂସ୍କାର- ବର୍ଜ୍ଜିତ ଲୋକ ଅଛନ୍ତି କି ନାହିଁ । ପ୍ରାଇମେରୀ, ଅପର ପ୍ରାଇମେରୀ ପାସ, ଛାତ୍ର ବୃତ୍ତି ଫେଲ ଢେର୍ ଶିକ୍ଷିତ ସ୍ୱାଧୀନମନା ଲୋକ ଗ୍ରାମରେ ବୁଲୁଥିଲେ । ଜମିଦାରଙ୍କ ଆହ୍ୱାନରେ ତୁରନ୍ତ ହାଜର ହୋଇଗଲେ । ଜମିଦାର କଚେରି ଘରେ ସନ୍ଧ୍ୟା ସମୟରେ ପ୍ରଥମ ସଭା ବସିଲା । ନିଜେ ଜମିଦାର ବାବୁ ଢେର୍ ବକ୍ତୃତା କଲେ । ସେଥିର ସାରମର୍ମ, “ହେ ସଭ୍ୟ ମହୋଦୟଗଣ ! ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ଦିନ ଆଲୁଅ ପରି ଜଣାଯିବ । ମୂର୍ଖତା, କୁସଂସ୍କାର, ଅବଳା, ଭଗିନୀମାନଙ୍କୁ ଘର ଭିତରେ ଲୁଚାଇ ରଖିବା ସମସ୍ୟାର ମୂଳ । ଏ ସମସ୍ତ ଦୂର କରିବା ସର୍ବାଗ୍ରେ ଉଚିତ୍ ।” ଆଉ ସମସ୍ତେ କିଛି ନ ବୁଝି ପାରି ମୁହଁ ଚାହାଁ ଚାହିଁ ହେଲେ ।

ବାବୁ ହରିବୋଲ ପଟ୍ଟନାୟକେ ଚଞ୍ଚଳ ଛିଡ଼ା ହୋଇ ପଡ଼ି କହିଲେ, “ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବ ଦୁତୀୟ କରୁଛି । ଉଚିତ୍, ଖୁବ୍ ଉଚିତ୍, ନିଶ୍ଚୟ ଉଚିତ୍, ଶୀଘ୍ର ଉଚିତ୍ ।” ଜମିଦାର ବାବୁ ଭାରି ଖୁସି ହୋଇ ବାବୁଙ୍କର ପରିଚୟ ପଚାରିଲେ । ହରିବୋଲ ବାବୁଙ୍କ ଘର ଏହି ଗ୍ରାମରେ, ଇଂରାଜୀ ମାଇନର୍ ପାସ୍ । ବିଦୁପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ଥିଲେ, ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ଼ ଚୋର ଓ ଅଯୋଗ୍ୟ ଲୋକ ଥିଲେ । ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲ୍ ଟ ୧୬୨ ଚୋରି କରି ବାବୁଙ୍କ ନାମରେ ଗଡ଼ାଇ ଦେଲେ । ମେଜେଷ୍ଟର ସାହେବ ତାଙ୍କୁ ଛ’ମାସ କଟକରେ ଅଟକାଇ ରଖିଲେ ସତ୍ୟ, ମାତ୍ର ପଛନ୍ତେ ଅସଲ ହାଲ ଜାଣିପାରି ନିର୍ଦ୍ଦୋଷ ବୋଲି ଛାଡ଼ି ଦେଇଥିଲେ । ବାବୁ ବିରକ୍ତ ହୋଇ ପର ଅଧୀନରେ ଚାକିରୀ ଛାଡ଼ି ଦେଇଛନ୍ତି ।

ଜମିଦାର ବାବୁ ଭାରି ଖୁସି । ଗ୍ରାମ ମଧ୍ୟରେ ତାଙ୍କୁ ଯୋଗ୍ୟ ଲୋକ ବୋଲି ସ୍ଥିର କଲେ । ଆପାତତଃ ଜ୍ଞାନବର୍ଦ୍ଧିନୀ ଓ ସ୍ତ୍ରୀ ସ୍ୱାଧୀନତା ବର୍ଦ୍ଧିନୀ ଯୋଡ଼ିଏ ସଭା ବସିବାର ସ୍ଥିର ହେଲା । ଦୁଇ ସଭାର ସମ୍ପାଦକ ହରିବୋଲ ବାବୁ । ପ୍ରତିଦିନ ନିୟମିତ ରୂପରେ ସଭାକାର୍ଯ୍ୟ ଚଳିଲା । ସଭାକାର୍ଯ୍ୟ ଶେଷ ହେବାକୁ ଅଧିକ ରାତ୍ରି ହୋଇଯାଏ । ସଭ୍ୟମାନେ ଘରକୁ ଯାଇ ପାରନ୍ତି ନାହିଁ, କଚେରି ଘରେ ସେମାନଙ୍କ ଭୋଜନ ପାନର ବନ୍ଦୋବସ୍ତ ହୁଏ । ଗୋଟିଏ ବାଳିକା ବିଦ୍ୟାଳୟ ଓ ଜନାନା ସ୍କୁଲ୍ ବସିବାର ବନ୍ଦୋବସ୍ତ ହେଲା ।

ରୋଜ ରୋଜ ଟଙ୍କା ଦାଖଲ କରି କରି ବୁଢ଼ା ପଟ୍ଟନାୟକ ହଇରାଣ । ଟିକିଏ ବିଳମ୍ୱ ବା ମୋଡ଼ ମୋଡ଼ ହେଲେ ବାବୁ ଭାରି ଖପା । ଟଙ୍କା ଗୁଡ଼ାକ କୁଆଡ଼େ ଯାଏ, କି କାରବାର ହୁଏ, ଇଦମଥି ନାହିଁ । ଦିନେ ସନ୍ଧ୍ୟାବେଳେ ମା’ ସାନ୍ତାଣୀ ଓ ପଟ୍ଟନାୟକଙ୍କ ମଧ୍ୟରେ କଥା ହେଲା ।

ପଟ୍ଟନାୟକେ- ଆଜ୍ଞା, ସବୁ ବୁଡ଼ି ବସିଲା ।

ମା’ ସାନ୍ତାଣୀ- ରହିବ ପରା, ନିଜେ ମୂର୍ଖ, କିଛି ବୁଝିବାର ନାହିଁ, ମୁଲକର ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲା ଥାନ୍ତା । ଏହି ଘରେ ପୁଣି ମଦ ମାଂସ । ରାଧେକୃଷ୍ଣ ରାଧେକୃଷ୍ଣ ! ପଟ୍ଟନାୟକେ ତୁମେ ଅଲଗା ହୋଇଯାଅ ।

ପଟ୍ଟନାୟକେ ନିଶ୍ୱାସଟାଏ ପକାଇଲେ ।

ପଟ୍ଟନାୟକଙ୍କୁ କିଛି କହିବାକୁ ହେଲା ନାହିଁ । ରାତି ସଭାରେ ସ୍ଥିର ହେଇଗଲା, ବୁଢ଼ାଟା ଅଯୋଗ୍ୟ, କୁସଂସ୍କାରୀ, ସଭାର ବିଘ୍ନକାରୀ- ସେ ବରଖାସ୍ତ । ହରିବୋଲ ବାବୁ ଭାରି ଯୋଗ୍ୟ ଲୋକ, ସଭା ଏବଂ ଜମିଦାରୀ ଦୁଇ କାର୍ଯ୍ୟ ତୁଲେଇ ପାରିବେ । ଏଣିକି ସୁନ୍ଦର କାର୍ଯ୍ୟ ଚଳିଲା, ଟଙ୍କାର ଅଭାବ ନାହିଁ, ବାଧା ଦେବାକୁ କେହି ନାହିଁ । ଅମଲା ପଧାନମାନଙ୍କ ପ୍ରତି ସାଫ ହୁକୁମ, ଟଙ୍କା ଦାଖଲ । ପ୍ରଥମ ପ୍ରଥମ ସେମାନଙ୍କୁ ଅଡୁଆ ଲାଗୁଥିଲା, ଏଣିକି ସାଫ୍ ବୁଝିଲେଣି । ଦଶ ଖମାର ଧାନ, ଛ’ସାତଟା ଗୋରୁ ମଇଁଷ ପଲ, ପଞ୍ଚବାଟୀ ହାତଚାଷ, ଯେଣିକି ଅନାଇଲେ ଟଙ୍କା, ରୋଜଗାରର ଦାଓ କିଏ ଛାଡ଼େ ?

ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ଉଆସ ଆଗରେ ଗୋଟିଏ ପକା ମନ୍ଦିର ତୟାର କରାଇ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରେଇଥିଲେ । ମା’ ସାନ୍ତାଣୀ ବର୍ତ୍ତମାନ ଘରୁ ବାହାରି ଯାଇ ସେହି ମନ୍ଦିରରେ ଅଛନ୍ତି, ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ । ବୁଢ଼ା ଛାମୁକରଣ ବି ସେହିଠାରେ ଥା’ନ୍ତି । ପ୍ରତିଦିନ ସନ୍ଧ୍ୟାଠାରୁ ଅଧରାତି ଯାଏଁ ଭାଗବତ ପାଠ ହୁଏ । ମା’ ସାନ୍ତାଣୀ ଦିନଯାକ ଠାକୁର ଆଗରେ ଆଖି ବୁଜି ବସି ମାଳି ଗଡ଼ାଉଥାନ୍ତି । ଦିନେ ପଟ୍ଟନାୟକେ ସାନ୍ତାଣୀଙ୍କୁ କହିଲେ, “ଆଜ୍ଞା, ଶୁଣିଛନ୍ତି, ବାବୁଙ୍କ ମଙ୍ଗଳକୃତ୍ୟ ବଢ଼ିବାର ସଭାରେ ସ୍ଥିର ହେଲା ।” ମୁଁ କହୁଛି, “ହେଉ, ବୋହୂ ସାନ୍ତାଣୀ ଆସିଲେ ଅବା ଘରକରଣାଟା ସମ୍ଭଳା ସମ୍ଭଳି କରିବେ ।” ମା’ ସାନ୍ତାଣୀ ଆଁଟା କରି ପଟ୍ଟନାୟକ ମୁହଁକୁ ଘଡ଼ିଏଯାଏ ଚାହିଁଲେ, ତହିଁ ଉତ୍ତାରେ ପଚାରିଲେ- “ଆ- କନ୍ୟା !” ପଟ୍ଟନାୟକେ କହିଲେ, “ଆଜ୍ଞା, ମୁଁ ନିଜେ ସେ କଥା ବୁଝିବାକୁ ଯାଇଥିଲି, ବାବୁ ଜବାବ୍ ଦେଲେ, ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗା ଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧାଲଙ୍ଗଳା ହୋଇଥାନ୍ତି, ମୁହଁ ତାଙ୍କି ମୂଷା ପରି ଗାତରେ ଲୁଚିଥାନ୍ତି । କଲିକତାରେ ପରା କନ୍ୟା ଠିକ୍ ହେଲାଣି ।” ମା’ ସାନ୍ତାଣୀ ପାଟି କରି “ରାଧେକୃଷ୍ଣ, ରାଧେକୃଷ୍ଣ” କହି ତୁନି ହେଲେ । ହାତ ଯୋଡ଼ି ଠାକୁରଙ୍କୁ ଅନାଇଥାନ୍ତି, ଦୁଇ ଆଖିରୁ ଯୋଡ଼ାଏ ଧାର ବହି ଯାଉଛି । ପଟ୍ଟନାୟକେ ପୁନର୍ବାର କହିଲେ, “କଲିକତାକୁ ବରଯାତ୍ରୀ କିଏ ଯିବେ, କି କି ରୋଶନି କେତେ ତୟାର ହେବ, ପଚାରିଥିଲି ।” ବାବୁ ଠୋ’ ଠୋ’ ହସି ଉଠି କହିଲେ, “ଅସଭ୍ୟତା, ଅସଭ୍ୟତା, କୁସଂସ୍କାର ! ତୁମେ ତ ଇଂରାଜୀ ଜାଣ ନା, ଦେଖି ବି ନାହିଁ, ସଭ୍ୟ ବିବାହ କଥା କିପରି ଜାଣିବ ? ରୋଶନି ଆଉ ଆଉ ଖରଚ କଥା ଯେ କହିଲ, ତୁମ୍ଭମାନଙ୍କ ପରି ଅଶିକ୍ଷିତ ଲୋକେ କେତେ ଜମିଦାର ଘର ବୁଡ଼ାଇଲେଣି । ବିହାର ବିବାହ-ବ୍ୟୟ-ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ୍ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିଭା ହେବ ।” ମୁଁ ଆଉ କିଛି କହିଲି ନାହିଁ, ସବୁବେଳେ ମିଜାଜଟା ଚଢ଼ି ରହିଛି, କାଚ କମ୍ପାଗୁଡ଼ାକ ଓଳି ତଳେ ଗଣ୍ଡା ଗଣ୍ଡା ଗଡୁଛି ।

ସଭାର ସଭ୍ୟମାନଙ୍କୁ ସାଙ୍ଗରେ ଧରି ବାବୁ କଲିକତା ଚାଲି ଗଲେଣି । କଲିକତା ଗୋଟିଏ ବିଚିତ୍ର ଜାଗା । ଟଙ୍କା କାଢ଼, ମା’ ବାପ ଛଡ଼ା ସବୁ ମିଳିବ । ଖିଦିରପୁର ଗାଡ଼ନରିଚରେ ଗୋଟାଏ ବଡ଼ ଦୋତଲା ଘରେ ଝାଡ଼ ଲଣ୍ଠନ ଦେବାଲଗିରି ଶହେଖଣ୍ଡ ଦିନ ଆଲୁଅ ପରି ଜଳୁଛି, ତଳେ ଗାଲିଚା, ଶତରଞ୍ଜି ବିଛଣା । ରାତିରେ ଦୁଇ ତରଫା ଖେମଟା ନାଚ । ଦୀୟତଂ-ପୀୟତଂ ଲାଗିଛି । ଆଖପାଖ ବଜାର ଲୋକେ ଜାଣିଲେ, ଓଡ଼ିଶାର ଗୋଟିଏ ରଜାପୁଅର ବିଭାଘର ।

କନ୍ୟାଟିର ନାମ ନୟନତାରା-ଦୁଃଖପାସୋରା । ବାବୁ ଶୁଣିଥିଲେ, ମଧ୍ୟ ପ୍ରତ୍ୟକ୍ଷ ଦେଖିଲେ କନ୍ୟା ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା । ଜମିଦାର ବାବୁ ବିମୋହିତ ହୋଇ ଗଲେଣି । ବଗି ବଢ଼ି କେତେ ଜାଗା ବୁଲି ଆସିଲେଣି । କନ୍ୟା ବାପ ମାଙ୍କୁ ଏଇଟା ଭଲ ଲାଗୁନାହିଁ । କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେହି ଡରରେ କିଛି କହି ପାରୁନାହାନ୍ତି । କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ ।

ଗଳ୍ପ ଲେଖକମାନଙ୍କୁ ସମସ୍ତ ବିଷୟ ସନ୍ଧାନ କରି ନିରୋଳ ସତ୍ୟ କଥାଗୁଡ଼ିକ ଲେଖିବାକୁ ହୁଏ । ଆମ୍ଭେମାନେ ବହୁତ ଅନୁସନ୍ଧାନ ଯୋଗରେ ଏହିପରି ପରିଚୟ ପାଇଅଛୁ- ଆସାମ ଚା’ ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବବୁର୍ଚି କାମରେ ବାହାଲ କରିଥିଲେ, ତା’ ନାମ ମକ୍ରା ମଳିକ । ସେ ବଢ଼ି ବଢ଼ି ପଦୋନ୍ନତିରେ ହେଲା ଖାନସମା । ସେହି ବଗିଚାରେ ୩୦/୪୦ ବର୍ଷ ହେଲା ସାହେବମାନଙ୍କ ପାଖରେ ଅଛି । ଗ୍ରାମ ଘର ଜାତି କୁଳ କିଛି ଜଣାନାହିଁ- କୁଆଡ଼େ ବା ଯିବ । ସେହିଠାରେ ଗୋଟିଏ କୁଲିଆଣୀକୁ ବାହା ହେଲା । ବାହା ହେଲା ହିଁ, ଢେର ଦିନଯାଏ ସନ୍ତାନ ମୁଖ ଦେଖିଲା ନାହିଁ । ତ୍ରିନାଥ- ମେଳା, ସୁକୁଚୁନିପୂଜା, ଗ୍ରାମ ଦେବତୀ ମାଜଣା, ଦୁଇଜଣଯାକ ଢେର ଢେର ଧର୍ମ କାର୍ଯ୍ୟ କଲେ । ଦରବୁଢ଼ା ବୟସରେ ଗୋଟିଏ କନ୍ୟା ଜାତ ହେଲା, ବୁଢ଼ାବୁଢ଼ୀ ଭାରି ଖୁସି । ମା’ ଝିଅର ନାମ ଦେଲେ, ନୟନତାରା- ବାପ ଡାକିଲେ ଦୁଃଖପାସୋରା- ଶେଷରେ ନାମ ହେଲା ନୟନତାରା ଦୁଃଖପାସୋରା । କନ୍ୟାଟି ଦିନକୁ ଦିନ ବଢ଼ିଲା । ଚା’ ବଗିଚା ପାଖରେ ଗୋଟିଏ ସ୍କଟିଶ୍ ବ୍ୟାପ୍ଟିଷ୍ଟ ଅର୍ଫେନ୍ ବାଳିକା ସ୍କୁଲ୍ ଥିଲା । ମିସ୍ ଡଗ୍ଲସ ମିଷ୍ଟ୍ରେସ୍ । ମା’ ବାପ ଭାରି ଶ୍ରଦ୍ଧା, ଭାରି ଖୁସିରେ କନ୍ୟାଟିକୁ ମୋଜା ଜୋତା ସେମିଜ୍ ଜାକେଟ୍ ପିନ୍ଧାଇ ଦେଇ ସ୍କୁଲ୍ ଛାଡ଼ିଲେ । କନ୍ୟାଟି ବଢ଼ି ବଢ଼ି ପାଠ ପଢ଼ି ପଢ଼ି ତେର ବା ଚଉଦ ବର୍ଷ ହେଲାଣି । କନ୍ୟାଟି ସ୍କୁଲ୍‌ରୁ ଆସି ମା’ ବାପ ପାଖରେ ଢେର ଇଂରାଜୀ କଥା କହେ, ମୋଜା ବୁଣା ଦେଖାଏ, ଗୀତ ଗାଏ, ନାଚେ । ଖୁବ୍ ସ୍ୱାଧୀନା । ପୁରୁଷଗୁଡ଼ାଙ୍କୁ ଖାତର କରେ ନାହିଁ । ଏଣେ ମା’ ବାପ ମୁଣ୍ଡରେ ଉକୁଣି କାମୁଡ଼ିଲାଣି, କିମିତି ବାହା ଦେବେ । ଛୁଟି ନେଇ କଲିକତା ଆସିଲେ, ଢେର ଖୋଜାଖୋଜି କଲେ, ମାତ୍ର ବାପ ମା’ର ଜାତି କୁଳ, ଦେଶର ପତ୍ତା ନ ଲାଗିବାରୁ ବର ଯୁଟିଲା ନାହିଁ । ପ୍ରଜାପତି ଘଟସୂତ୍ର, ଜଣେ ଦଲାଲ ଠିକଣା ଲଗାଇ ଦେଲା । ସେହି ଦଲାଲ୍ ବାବୁଙ୍କୁ ଜଣାଇଲା, ଆପଣ ଜମିଦାର, କଲିକତା ସହରରେ ଭାରି ନାମ ଡାକ । ସେହିପରି ମର୍ଯ୍ୟାଦାରେ ବିଭାଘର ହେବ । ବାବୁ ଝୁଙ୍କି ଝୁଙ୍କି କହିଲେ, ଅବଶ୍ୟ, ଅବଶ୍ୟ, ନିଶ୍ଚୟ ! ମେନେଜର ବାବୁ କହିଲେ, “ଟଙ୍କା ନାହିଁ ଯେ ।” ଦଲାଲ୍ କହିଲା, “ଏ କ’ଣ ଗୋଟାଏ କଥା ! ବାବୁଙ୍କର ପୁଣି ଟଙ୍କାର ଅଭାବ । ବାବୁ ଆଜ୍ଞା କରନ୍ତୁ, ଏଇଲାଗେ ଦଶ ହଜାର ଟଙ୍କା ଆଣି ଦେବି ।” ଟଙ୍କା ନାମ ଶୁଣି ବାବୁଙ୍କର ଟିକିଏ ହୋସ୍ ହେଲା, ଶୁଣି ମନ ଖୁସି, ସଳଖି ବସିଲେ । କଲିକତାରେ ମହାଜନ ଅଭାବ କ’ଣ ? ଖୁବ୍ କାଏଦା କଟକଣାରେ ଜମିଦାରୀ ଲେଖି ନେଇ ଦଶ ହଜାର ଟଙ୍କା ଦେବାକୁ କହିଲା । ଦଲିଲ୍ ରେଜେଷ୍ଟରୀ କରିବାକୁ ତର ସହୁ ନାହିଁ, ଜଲଦି ଟଙ୍କା ଆଣ । କଲିକତାରେ ଅନେକ ବାବୁ ଅର୍ଥାତ୍ ପୂର୍ବ ସଭାର ସଭ୍ୟମାନେ, ଆଉ ଖିଦିରପୁର ବଜାରର ଛୁଟକୁରିଆ ବଢ଼ିଆ ସମସ୍ତ ଦୋକାନୀ ନିମନ୍ତ୍ରିତ ହୋଇଗଲେ । ନାନା ପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର । ତିନି ଦିନ ଯାଏ ନାଚ ତାମସା ପିଆର ଖୁବ୍ ଧୂମ୍ ଲାଗିଛି ।

କରଜ ଦଶ ହଜାର ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା, ଆମ୍ଭେମାନେ ସେଥିର ହିସାବ ଦେଇ ପାରିବୁ ନାହିଁ, କାରଣ ସେଥିର କିଛି ଲେଖାଲେଖି ନାହିଁ । ମେନେଜର୍ ହରିବୋଲ ବାବୁଙ୍କୁ ହାତରେ ତହବିଲ୍ । ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସଭ୍ୟଦେଶ ନିୟମାନୁସାରେ ପାନର ମାତ୍ର କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖିବାକୁ ବେଳ ପାଇ ନାହାନ୍ତି ।

ବିବାହ ଶେଷ । ଜମିଦାର ଜମିଦାରାଣୀ ଦେଶସ୍ଥ ସଭ୍ୟମାନଙ୍କୁ ଧରି ଦେଶକୁ ବାହୁଡ଼ିଲେ । ବର କନ୍ୟା ଉଆସ ମଧ୍ୟକୁ ପ୍ରବେଶ ବେଳେ ଉଆସର ପୋଇଲୀ ପଞ୍ଚା, ଗ୍ରାମର ଭଲ ଭଲ ଲୋକ ଘର ବୋହୂ ଝିଅମାନେ ଗୋଟିଏ ନୂଆ କୁଲାରେ ସେରେ ଅରୁଆ ଚାଉଳ, ଦୂବ, ବରକୋଳି ପତ୍ର ଦେଇ ତାହା ଉପରେ ଘିଅ ଦୀପଟିଏ ଥୋଇ ବର କନ୍ୟା ବନ୍ଦାଇ ନେବାକୁ ଆସିଲେ । ଶଙ୍ଖ ହୁଳହୁଳି ଶୁଣି ଜମିଦାର ଭାରି ରାଗି ଯାଇ କୁସଂସ୍କାର କୁସଂସ୍କାର, ଅସଭ୍ୟତା କହି ଭାରି ଗୋଟାଏ ପାଟି କଲେ । ସ୍ୱାମୀଙ୍କ ଦେଖାଦେଖି କନ୍ୟା ମଧ୍ୟ ଏହା ନିତାନ୍ତ ବଡ଼ କୁସଂସ୍କାର ଅଛି, ଏହା ଅସଭ୍ୟତା କହି ଠୋ’ ଠୋ’ କରି ହସି ଉଠିଲେ । ଗାଁ ଭୂଆସୁଣୀ ଗୁଡ଼ାକ ଏ ସବୁ ଦେଖି ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇ ଦେଇ ଯେ ଯାହା ଘରକୁ ପଳାଇଲେ ।

ପୁଅବୋହୂ, ହାତ ଧରାଧରି ହୋଇ ମା’ ସାନ୍ତାଣୀଙ୍କ ସହିତ ସାକ୍ଷାତ୍ କରିବାକୁ ବାହାରିଲେ । ମା’ ତେତେବେଳେ ଠାକୁରଙ୍କ ଆଗରେ ମାଳିଟି ହାତ ଧରି ଆଖି ବୁଜି ବସି ଫୁସ୍ ଫୁସ୍ ହରେ କୃଷ୍ଣ ନାମ ଜପୁଛନ୍ତି । ବୋହୂର ଗୋଡ଼ରେ ଲେଡ଼ିଯୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି, ଚମକି ପଡ଼ି ଠିଆ ହୋଇଗଲାଣି । ବୋହୂ ଟିକିଏ ହସି ହସି ଓ ଆମ୍ଭର ପ୍ରିୟ ଶାଶୁ । ନମସ୍କାର- ନମସ୍କାର ! କେମନ୍ତ କର ଆପଣ କର କହି ହାତ ବଢ଼ାଇ ଯେମନ୍ତ ଶାଶୁ ପାଖକୁ ଚାଲିଗଲେ, ବୁଢ଼ୀ ତ ଛୁଁ-ନା-ଛଁ-ନା-ଛୁଁ ନ- ଆରେ କିଏ ଅଛିରେ, ମନ୍ଦରି ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ ବୋଲି ରଡ଼ି ଛାଡ଼ିଲେ । ଜମିଦାର ବାବୁ ମିସେସ୍ ମହାପାତ୍ରଙ୍କ ହାତ ଧରି ଭିଡ଼ି ନେଲେ । ଭାରି ଖପାଟାଏ ହୋଇ କହିଲେ, “ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର । ଓହୋ ! ଲେଡ଼ିକୁ ଇନ୍ସଲ୍ଟ୍ ।” ସେହି ମୁହୂର୍ତ୍ତରେ ମା’ ସାନ୍ତାଣୀ ବିଶ୍ୱାସୀ ପୋଇଲୀ ରାଧୀ ଆଉ ଗୋଟିଏ ପୁଟୁଳି ଧରି ଘରୁ ବାହାରି ଗଲେ ପୁରୀ । ମାତାମଠରେ ରହିଥିବାର ଆଠ ଦିନ ବାଦ ସମ୍ୱାଦ ଆସିଲା ।

କେହି ବାଧା ଦେବାକୁ ନାହିଁ, କେହି କିଛି କହିବାକୁ ନାହିଁ, ସ୍ୱାଧୀନ ଭାବରେ କୁସଂସ୍କାର ନିବାରଣ ଆଉ ଦେଶ ଉଦ୍ଧାର ବିଷୟରେ ଲାଗି ପଡ଼ିଛନ୍ତି । ରାତି ସାରା ବକ୍ତୃତା ଓ ପାନାହାରରେ କଟିଯାଏ, ଶୋଇବାକୁ ବେଳ ନାହିଁ । ମିସେସ୍ ମହାପାତ୍ର ବି ସଭାରେ ଛିଡ଼ା ହୋଇ କେତେଥର ବକ୍ତୃତା କଲେଣି । ଦିନଯାକ ଶୋଇଥାନ୍ତି, ପ୍ରଜା ପାଟକ କେହି ଗୁହାରିଆ ଆସିଲେ ଭେଟ ପାଏ ନାହିଁ । ଯଦି ଭେଟ ମିଳେ, ଏକ ଜବାବ, ମେନେଜର ପାଖକୁ ଯାଅ ।

କେହି ବୋହୂ ସାଆନ୍ତାଣୀ ବୋଲି କହିଲେ ଜମିଦାର ବାବୁ ଭାରି ଖପା ହୋଇଯାଆନ୍ତି । ନାମ ହୋଇଛି, ମିସେସ୍ ମହାପାତ୍ର । ମାତ୍ର ପୋଇଲୀମାନେ ଆଉ ମୂର୍ଖ ଚାକରଗୁଡ଼ାକ ଠିକ୍ ନାମ ଧରି ଡାକି ପାରନ୍ତି ନାହିଁ । କେହି କେହି କିସ୍ ମିସ୍ ମାହାପାତ୍ର- କେହି କେହି ମିସ୍ତ୍ରୀ ମହାପାତ୍ର- କେହି ଡାକେ ଫିସ୍ ଫିସ୍ ମହାପାତ୍ର । କିନ୍ତୁ ସେଥିରେ ମନା ନାହିଁ, ବରଂ ମିସେସ୍ ମହାପାତ୍ର ହସି ବଡ଼ ଖୁସି ହୁଅନ୍ତି ।

ମିସେସ୍ ମହାପାତ୍ର ପ୍ରାତଃକାଳରେ ଚା’ ଖାଇଲା ବାଦ ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗ ଦାଣ୍ଡରେ ପ୍ରାତଃଭ୍ରମଣ କରି ଆସନ୍ତି । ଦିନେ ବବୁର୍ଚ୍ଚଖାନା ତଦାରକ କରିବାକୁ ଚାଲିଗଲେ । ତେତେବେଳେ ପୋଇଲୀ ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡକରେ ଚୂଲୀ ଲିପୁଥିଲା, ଯୋତାର ଠକ ଠକ ଶବ୍ଦ ଶୁଣି ଯିମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରି ପାଟିଟାଏ କଲା, ଆଲୋ ମୋ ମା’ ଲୋ’ ! ଆଲୋ ମୋ ବାପା ଲୋ’ ! ଯୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ । ହାଣ୍ଡିଶାଳ ମାରା କଲା ଲୋ । କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁ ଧାଇଁଛି । ଆଉ ଉଆସରେ ତାକୁ କେହି କେବେ ଦେଖି ନାହିଁ । ଏଣେ ମିସେସ୍ ମହାପାତ୍ର ଉଆ ଉଆ, ଉଆ କହି ଅନ୍ୟ ଆଡ଼କୁ ଧାଇଁଛନ୍ତି, ମୁହଁରେ ରୁମାଲ୍ ଯାକୁ ନ ଥିଲେ, କେଜାଣି ବାନ୍ତି କରି ପଳାଇଥାନ୍ତେ । ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟମ ହେଲେ । ଗୋରୁଗୁହ ବବର୍ଚ୍ଚିଖାନାରେ ଢଳା ହୋଇଛି, ଜମିଦାର ଶୁଣି ଭାରି ଖପା । ମୂର୍ଖତା, ଅସଭ୍ୟତା, କୁସଂସ୍କାର ! ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରିପକାଇବେ । ଚାରି ବୋତଲ ଫେନାଇଲ୍ ଘରସାରା ଢଳାଗଲା ।

ଏହିପରି ଆଠ ଦଶ ମାସ ଗଲା ବାଦେ ଦିନେ କରଣମାନେ ମେଳି ବାନ୍ଧି ଆସି ମେନେଜର ପାଖରେ ଜଣାଇଲେ, ଖମାର ସବୁ ଖାଲି ପଡ଼ିଛି, ଗୋରୁ ମଇଁଷି ପଲରେ ଲାଙ୍ଗୁଡ଼ ଖଣ୍ଡେ ବି ନାହିଁ, ପାଞ୍ଚ ବାଟି ହାତ ଚାଷ ପ୍ରଜା ଲଗାଇ ଦେଇ ଯେଉଁ ସଲାମୀ ମିଳିଥିଲା ତାହା ଆସି ସରିଲାଣି, ଆଉ ଏବେ କାହୁଁ ଖରଚ ଯୋଗାଇବୁ । ମେନେଜର ତୁରନ୍ତ ଜବାବ୍ ଦେଲେ, ମାରିପିଟି ପ୍ରଜାଙ୍କଠାରୁ ଆଗତୁରା ବର୍ଷକର ଖଜଣା ଅସୁଲ କର । କୁମ୍ଭୀର ଖୋଜେ ଗୋଳିଆ ପାଣି, ଅମଲାମାନେ ଆନନ୍ଦରେ ଆଜ୍ଞା କହି ଦଣ୍ଡବତ ହୋଇ ଚାଲିଗଲେ ।

ଆଉ ଦୁଇ ମାସ ବାଦେ କାର୍ତ୍ତିକ କିସ୍ତି ଟଙ୍କା ଦାଖଲ ନ ହେବାରୁ ତାଲୁକ ନିଲାମରେ ଚଢ଼ିବାର କଟକରୁ ଜବାବ୍ ଆସିଲା । ଠିକ୍ ସେହିପରି କଲିକତା ମହାଜନ ଦଶ ହଜାର ଟଙ୍କା ମୂଳକୁ କଳନ୍ତର ଖର୍ଚ୍ଚା ଓଗେର ଭିଡ଼ି କୋଡ଼ିଏ ହଜାର ଟଙ୍କା ପାଇଁ ଡିଗ୍ରୀ ଜାରି ପିଆଦା କଲିକଚା ହାଇକୋର୍ଟରୁ ଆସି ଚଳନ୍ତି ଅଚଳନ୍ତି ଯନାସନ ସମସ୍ତ କ୍ରୋକ କରି ପକାଇଲା ।

ସକାଳୁ ଉଠି ମିଷ୍ଟର ଓ ମିସେସ୍ ମହାପାତ୍ର ବଗଲା ବଗଲୀ ପରି ବସିଛନ୍ତି, ଜନ ପ୍ରାଣୀ ପାଖରେ ନାହିଁ । ସଭାର ସଭ୍ୟମାନେ ଆଗରୁ ଏକଘରିଆ ହୋଇଥିଲେ, ଗୋବରପାଣି ପିଇ ଜାତିରେ ଉଠିଛନ୍ତି । ଆଉ କି ଆସିବେ ? ବେଳ ଗୁଡ଼ିବାକୁ ବସିଲାଣି । ମିଷ୍ଟର ଓ ମିସେସ୍ ଦୁଇଜଣ ଭୋକରେ ଛଟପଟ ହେଉଛନ୍ତି । ସଞ୍ଜ ଲାଗିଲାବେଳକୁ ମିସେସ୍ ମହାପାତ୍ର ବହୁ କଷ୍ଟରେ ଖଣ୍ଡେ ଅଳଙ୍କାର କାଢ଼ିଦେଲେ, ବିକିବାକୁ ଯାଇ ଦେଖିଲେ ପିତଳ ଗିଲ୍ଟି । ଖଣ୍ଡିଏ, ଆଉ ଖଣ୍ଡିଏ ଦେଖାଗଲା, ସବୁଗୁଡ଼ାକ ଗିଲ୍ଟି । ବିଭାଘର ସମୟରେ ଅଢ଼େଇ ହଜାର ଟଙ୍କାର ଗହଣା କିଣା ଯାଇଥିଲା, ସବୁଗୁଡ଼ାକ ଗିଲ୍ଟି । ଏତେବେଳେ ଦୁଇ ଜଣଙ୍କର ଚେତା ବସିଲା । ଆଉ ଡିଗ୍ରୀଜାରି ପିଆଦା କୁଲମରେ ଘରେ ରହିପାରିଲେ ନାହିଁ । ରାତି ଅନ୍ଧାରରେ କାହିଁ ଅନ୍ତର୍ଦ୍ଧାନ !

ପାଞ୍ଚ ଛ’ ବର୍ଷ ବାଦେ ଜମିଦାର ବାବୁ ତାଙ୍କ ଶଶୁର କାମରେ ଆସାମରେ ଖାନସମାଗିରି କାମ କରୁଥିବାର ଦେଶରେ ଶୁଣାଗଲା ।

ଲୋକପ୍ରିୟ ଲେଖା

To Top