ହରିବଂଶ

କଂସର ଜନ୍ମ

Odia Scientific Reviews on Haribansha

ତୋର ବୀର୍ଯ୍ୟରୁ ଜାତ ମୋର ଗର୍ଭସ୍ଥ ସନ୍ତାନ ପ୍ରଥମେ ତୋତେ ବିନାଶ କରିବ ଏବଂ ପୃଥିବୀରେ ଅତି ପ୍ରତାପୀ ହୋଇ ଦେବଗଣଙ୍କୁ ଶତ୍ରୁତାଚରଣ କରିବ । ତ୍ରିପୁର ବିଜୟୀ ମହାପ୍ରତାପୀ କଂସାସୁର ନାମରେ ସେ ଜଗତ ବିଖ୍ୟାତ ହେବ ।

କଂସର ଜନ୍ମ

-: ପୂର୍ବରୁ :-

ମଥୁରା ନଗରରେ ଉଗ୍ରସେନ ନାମକ ଅତି ପ୍ରତାପୀ ରାଜା ରାଜତ୍ୱ କରୁଥିଲେ । ମଥୁରା ଶବ୍ଦର ବ୍ୟୁତ୍ପତ୍ତି ହେଉଛି – ମଥି + ଅଧି ଉର + ଆ । ମଥି ଶବ୍ଦର ଅର୍ଥ ମନ୍ଥିତ ହେବା ଓ ଉତ୍ପୀଡ଼ନ କରିବା । ମଥ୍ ଧାତୁ ସାଧାରଣତଃ ମନ୍ଥନ, ପୀଡ଼ନ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ । ପୁନଶ୍ଚ ଉର ଧାତୁ ଗତି, ଗମନ କରିବା ଅର୍ଥ ପ୍ରକାଶ କରେ । ଉରଃ ଶବ୍ଦର ଅର୍ଥ ହେଉଛି ହୃଦୟ । ତେଣୁ ମଥୁରା ଶବ୍ଦର ଭାବାର୍ଥ ହେଲା – ଯାହାର ହୃଦୟ ସର୍ବଦା ଗତିଶୀଳ ଅବସ୍ଥାରେ ରହି ମଥିତ ହେଉଅଛି ଏବଂ ତାହା ଉତ୍ପୀଡ଼ନ କରୁଅଛି – ସେ ହେଉଛି ପୃଥିବୀର ଅଭ୍ୟନ୍ତର ପ୍ରଦେଶ । ପୃଥିବୀ ସୃଷ୍ଟି କାଳରେ ତା’ର ଅଭ୍ୟନ୍ତର ତରଳ ଧାତୁ ସ୍ରୋତରେ ମଥିତ ଓ ଉତ୍ପୀଡ଼ିତ ହେଉଥିଲା । ପୃଥିବୀ ସୃଷ୍ଟିର ଆଦ୍ୟରେ ଏଭଳି ଅବସ୍ଥା ବିଶେଷ ଭାବରେ ଅନୁଭୂତ ହେବାର କଥା । ପୃଥିବୀ କ୍ରମଶଃ ଶୀତଳ ହୋଇଯାଉଥିବାରୁ ବର୍ତ୍ତମାନ ଆଉ ପୂର୍ବାବସ୍ଥା ଦେଖା ନଦେଇ ତହିଁରେ କେତେକ ପରିବର୍ତ୍ତନ ସଂଘଟିତ ହୋଇଅଛି । ପୃଥିବୀର ଅଭ୍ୟନ୍ତର ପ୍ରଦେଶରେ ଉଗ୍ରସେନ ରାଜା ଥିଲେ । ଉଗ୍ର (ଉଚ୍ + ରକ୍) ଶବ୍ଦର ଅର୍ଥ କୋପନ, ନିଷ୍ଠୁର, ପ୍ରଚଣ୍ଡ ଓ ଭୟାନକ । ସେନ (ସି + କ.ନ) ଶବ୍ଦର ଅର୍ଥ ଦଳପତି ବା ସେନାନାୟକ । ସି-ଧାତୁ ସାଧାରଣତଃ ବନ୍ଧନ କରିବା ଅର୍ଥରେ ବ୍ୟବହୃତ ହୁଏ । ପୃଥିବୀର ଅନ୍ତଃପ୍ରଦେଶ ବା ମଥୁରାପୁରରେ ଅବସ୍ଥାନ କରିଥିବା ତରଳଧାତୁ ସ୍ରୋତ ସମୂହ ଯଦି ସେନା ହୁଅନ୍ତି, ତେବେ ସେମାନଙ୍କର ଉପରି ଭାଗରେ ସେମାନଙ୍କୁ ବନ୍ଧନ କରିବା ଅବସ୍ଥାରେ ରହିଥିଲେ ଅତି ନିଷ୍ଠୁର, କଠିନ, ପ୍ରଚଣ୍ଡ ଓ ଭୟାନକ ଆବରଣ ଭୂତ୍ୱକ । ପୃଥିବୀ ଯେତେବେଳେ ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥା ପ୍ରାପ୍ତ ହେଲା । ସେତେବେଳେ ଧାତୁ ସମୂହର ଘନତ୍ୱ ଅଧିକ ହେତୁ, ସେମାନେ ନିମ୍ନଭାଗରେ ରହିଲେ । ସେମାନଙ୍କ ଉପରେ ଧାତୁଗୁଡ଼ିକର ମଳ ବା କର୍ଦ୍ଦମ ଓ ସର୍ବୋପରି ତରଳ ବସ୍ତୁ ସମୂହର ଜଳୀୟକଣା ଜଳ ସଦୃଶ ଅବସ୍ଥାନ କଲେ । ଏହାର ଦୃଷ୍ଟାନ୍ତ ସ୍ୱରୂପ କେତେକ ଆଗ୍ନେୟଗିରିରୁ କର୍ଦ୍ଦମ ଓ ଜଳ ନିର୍ଗତ ହେବାର ପ୍ରମାଣ ରହିଅଛି । ତରଳ ଧାତୁ ସମୂହର ମଳ କ୍ରମଶଃ ଜଳୀୟଅଂଶ ସଂସ୍ପର୍ଶରେ ଆସି ଶୀତଳ ହେବାରୁ ପୃଥିବୀ ଅଭ୍ୟନ୍ତରର ଚତୁଃପାର୍ଶ୍ୱରେ କଠିନ ଆବରଣ ସଦୃଶ ଏକ ବୃହତ୍ ପ୍ରାକୃତିକ ଶକ୍ତି ସେନାନାୟକ ରୂପରେ ଦେଖାଦେଲେ । ଯାହାକୁ ବୈଜ୍ଞାନିକମାନେ ଭୂତ୍ୱକ୍ ବୋଲି କହିଛନ୍ତି । ଉକ୍ତ ଭୂତ୍ୱକ୍ ଅତି କଠିନ, ନିଷ୍ଠୁର, ପ୍ରଚଣ୍ଡ ଓ ଭୟାନକ, ତେଣୁ ତାକୁ ଉଗ୍ରସେନ କହିବାର ଅଧିକ ତାତ୍ପର୍ଯ୍ୟ ରହିଅଛି । ସୃଷ୍ଟି ଆଦ୍ୟର ପ୍ରାକୃତିକ ଶକ୍ତି ଓ ବସ୍ତୁମାନଙ୍କ ମଧ୍ୟରେ ସେ ଥିଲେ ସର୍ବଶ୍ରେଷ୍ଠ – ସେଥିପାଇଁ ସେ ମଥୁରାପୁରର ରାଜା । ତାଙ୍କର ରାଣୀଙ୍କ ନାମ ହେଉଛି – ଇନ୍ଦୁମତୀ । ଇନ୍ଦୁ + ମତ୍ + ଈ ଶବ୍ଦର ଗୋଟିଏ ଅର୍ଥ ହେଉଛି ପୃଥିବୀ । ଉକ୍ତ ଭୂତ୍ୱକ୍ ପୃଥିବୀର ଅଭ୍ୟନ୍ତରକୁ ସୁରକ୍ଷା କରି ତାକୁ ଏକ ନୂତନ ରୂପରେ ସଜାଇଥିବାରୁ ସେ ପ୍ରକୃତରେ ପୃଥିବୀର ପ୍ରଭୁ ବା ସ୍ୱାମୀ ଓ ପାଳନକର୍ତ୍ତା; ଏଥିରେ ସନ୍ଦେହ ନାହିଁ । ତେଣୁ ପୁରାଣରେ ରାଜା ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀ ରୂପରେ ଯାହା ଚିତ୍ରଣ କରାଯାଇଅଛି-ତାହା ଯଥାର୍ଥ ଓ ଯୁକ୍ତିଯୁକ୍ତ । ଭୂତ୍ୱକ୍ ଉପରିଭାଗରେ ପୃଥିବୀର ସ୍ୱରୂପ କ୍ରମଶଃ ପ୍ରକଟିତ ହେବାକୁ ଲାଗିଲା । ଇନ୍ଦୁମତୀ ବା ପୃଥିବୀର ଏହି କ୍ରମ ବିକଶିତ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମଥୁରାପୁରରେ ବାସ କରୁଥିବା ଦ୍ରୁମିଳା ନାମକ ଦୈତ୍ୟ ତାଙ୍କ ସହିତ ସଙ୍ଗମ କରିବାକୁ ଇଚ୍ଛା ପ୍ରକାଶ କଲା । କିନ୍ତୁ ଉଗ୍ରସେନଙ୍କ ଭୟରେ ଦ୍ରୁମିଳା ଦୈତ୍ୟ ଭରସି ପାରୁନଥିଲା । ସେ ସୁଯୋଗ ଅପେକ୍ଷାରେ ଥିଲା । ଦିନେ ତାକୁ ଏକ ଚ୍ଛିଦ୍ର ମିଳିଲା । ଇନ୍ଦୁମତୀ ରଜଃସ୍ୱଳା ଥିଲେ । ସପ୍ତମ ଦିବସରେ ଯମୁନା ନଦୀରେ ଏକୁଟିଆ ଋତୁ ସ୍ନାନ କାଳରେ ଦୈତ୍ୟ ଦ୍ରୁମିଳା, ଉଗ୍ରସେନ ରୂପ ଧାରଣ କରି ରାଣୀଙ୍କ ସହିତ ରଙ୍ଗରସରେ ମିଳିତ ହେଲା । ରାଣୀ ଇନ୍ଦୁମତୀ ଶୃଙ୍ଗାରରେ ବ୍ୟତିକ୍ରମ ଲକ୍ଷ୍ୟକରି ନିଜର ସ୍ୱାମୀ ରୂପଧାରୀ ଦୈତ୍ୟକୁ ଭତ୍ସନା କଲେ ଏବଂ କିଛି ସମୟ ପରେ ତା’ର ପରିଚୟ ପାଇ ତାକୁ ଅଭିଶାପ ଦେଲେ ଯେ – ତୋର ବୀର୍ଯ୍ୟରୁ ଜାତ ମୋର ଗର୍ଭସ୍ଥ ସନ୍ତାନ ପ୍ରଥମେ ତୋତେ ବିନାଶ କରିବ ଏବଂ ପୃଥିବୀରେ ଅତି ପ୍ରତାପୀ ହୋଇ ଦେବଗଣଙ୍କୁ ଶତ୍ରୁତାଚରଣ କରିବ । ତ୍ରିପୁର ବିଜୟୀ ମହାପ୍ରତାପୀ କଂସାସୁର ନାମରେ ସେ ଜଗତ ବିଖ୍ୟାତ ହେବ ।

ଉକ୍ତ ପୌରାଣିକ କଥାବସ୍ତୁର ବୈଜ୍ଞାନିକ ବିଚାର ଏହିକି – ଦ୍ରୁମିଳା ଶବ୍ଦର ବ୍ୟୁତ୍ପତ୍ତି ହେଉଛି – ଦ୍ରୁ + ମିଳା । ଦ୍ରୁ ଅର୍ଥ ଗମନ କରିବା ଓ ଆଘାତ କରିବା ଏବଂ ମିଳା ଶବ୍ଦର ଅର୍ଥ ମିଳିତ ହେବା ବା ମେଳନ । ଦ୍ରୁମିଳା ଶବ୍ଦର ଭାବାର୍ଥ ହେଲା – ତରଳ ଧାତୁ ସ୍ରୋତଗୁଡ଼ିକ ଗମନ କରିବା କାଳରେ ପରସ୍ପର ମିଳିତ ହୋଇ ଆଘାତପ୍ରାପ୍ତ ହେଲାବେଳେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ । ପୃଥିବୀର ଅଭ୍ୟନ୍ତରରେ ଏହିଭଳି ଅବସ୍ଥା ପ୍ରତି ମୁହୂର୍ତ୍ତରେ ଦେଖା ଦେଉଥିଲା । ତରଳ ଧାତୁ ସ୍ରୋତ ମାନଙ୍କର ପରସ୍ପର ବାଧାପ୍ରାପ୍ତ ଉତ୍ତାଳ ଅବସ୍ଥା ସୃଷ୍ଟିର ଗୋଟିଏ ଶକ୍ତି ରୂପରେ ଦେଖା ଦେଇଥିବାରୁ ତାକୁ ଦୈତ୍ୟ ବା ରାକ୍ଷସ ରୂପରେ ଚିତ୍ରଣ କରାଯାଇଅଛି । ଦ୍ରୁମିଳା ଦୈତ୍ୟ ଉଗ୍ରସେନ ଓ ଅର୍ଥାତ୍ ଅତି ନିଷ୍ଠୁର, ପ୍ରଚଣ୍ଡ ଭୂତ୍ୱକ୍ ଅତିକ୍ରମ କରି ପୃଥିବୀ ବା ଇନ୍ଦୁମତୀଙ୍କ ସହିତ ମିଳିତ ହେବାକୁ ସାହସ କରୁନଥିଲେ । ସେ ସୁଯୋଗ ଖୋଜି ଖୋଜି ଭୂତ୍ୱକ୍ର ନିମ୍ନ ଭାଗରେ ମଥୁରାପୁରରେ ଚ୍ଛିଦ୍ର ପଥ ଅନ୍ୱେଷଣ କରୁଥିଲେ । ଉଗ୍ରସେନ ଅର୍ଥାତ୍ ଭୂତ୍ୱକ୍ର ଅନୁପସ୍ଥିତି କାଳରେ ପୃଥିବୀ ଯମୁନା ନଦୀରେ ସ୍ନାନ କରୁଥିଲେ । ଯମ ଧାତୁ ପରିବେଷ୍ଟନ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ । ଯମ ହେଉଛନ୍ତି ଦକ୍ଷିଣ ଦିଗପାଳ । ଯମ ଶବ୍ଦର ଭାବାର୍ଥ ହେଲା – ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥଳଭାଗମାନଙ୍କୁ ବେଷ୍ଟନ କରି ରହିଥିବା ବିସ୍ତୃତ ଜଳପଥ ବା ସମୁଦ୍ର । ଏହା ମୃତ୍ୟୁର କାରଣ ଓ ଭୀତିପ୍ରଦ । ପୁନଶ୍ଚ ସୂର୍ଯ୍ୟଙ୍କ ଔରସରୁ ଜାତ ଗ୍ୟାସୀୟ ମଣ୍ଡଳରୁ ଜାତ ହୋଇ ଜଳଭାଗ ଯମ ଓ ସୂର୍ଯ୍ୟପୁତ୍ର ରୂପରେ ଖ୍ୟାତ । ଯମ ଅର୍ଥାତ୍ ବିସ୍ତୃତ ଜଳଭାଗର ଭଗ୍ନୀ ହେଉଛନ୍ତି ଯମୁନା ଅର୍ଥାତ୍ ଜଳୀୟକଣା । ଇନ୍ଦୁମତୀ ବା ପୃଥିବୀ, ରଜଃସ୍ୱଳା ବା ଛିଦ୍ରଯୁକ୍ତ ଭୂତ୍ୱକ୍ର ଉପରିଭାଗରେ ଜଳୀୟକଣାରେ ସ୍ନାତ ହେଉଥିବା ବେଳେ ଦ୍ରୁମିଳା ଇନ୍ଦୁମତୀଙ୍କୁ ଲାଭ କରିବାର ସୁବର୍ଣ୍ଣ ସୁଯୋଗ ପାଇଲା । ସଛିଦ୍ର ଭୂତ୍ୱକ୍ କେତେକ ସ୍ଥଳରେ ଦୁର୍ବଳ ଥିବାରୁ ବାଧାପ୍ରାପ୍ତ ତରଳ ଧାତୁ ସ୍ରୋତର ଉତ୍ତାଳ ଢେଉ ପୃଥିବୀର କଠିନ ଆବରଣ ଭେଦ କରି ପୃଥିବୀ ସହିତ ରଙ୍ଗରସରେ ମିଳିତ ହେଲା । ପୂର୍ବରୁ ଭୂତ୍ୱକ୍ର କ୍ଷୁଦ୍ର କ୍ଷୁଦ୍ର ଫାଟ ବାଟ ଦେଇ ତରଳ ଧାତୁର ଉତ୍ସ ଆସି ଭୂତ୍ୱକ୍‌ର ଉପରି ଭାଗରେ କର୍ଦ୍ଦମ ଶିଳା ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରିଥିଲା । କିନ୍ତୁ ଆଜି ଇନ୍ଦୁମତୀ ବା ପୃଥିବୀ ଏକ ବ୍ୟତିକ୍ରମ ସଙ୍ଗମ ଅନୁଭବ କଲେ । ବାଧାପ୍ରାପ୍ତ ଉତ୍ତାଳ ତରଳ ଧାତୁ ଭୟଙ୍କର ରୂପ ଧାରଣ କରି ଭୂତ୍ୱକ୍‌ର ସଛିଦ୍ର ଦୁର୍ବଳ ଅଂଶକୁ ବିଦୀର୍ଣ୍ଣ କଲା ଏବଂ ପ୍ରଚଣ୍ଡ ବେଗରେ ପୃଥିବୀ ସହିତ ମିଳିତ ହେଲା । ପ୍ରଥମେ ତରଳ ଧାତୁ ସ୍ରୋତ ଇନ୍ଦୁମତୀ ବା ପୃଥିବୀ ନିକଟରେ ଉଗ୍ରସେନ ବା ଭୂତ୍ୱକ୍‌ର ରୂପ ବଦଳାଇ ଦେଖା ଦେଇଥିବାରୁ ଦ୍ରୁମିଳା ଦୈତ୍ୟ, ରାଣୀ ଇନ୍ଦୁମତୀ ସମ୍ମୁଖରେ ଉଗ୍ରସେନ ରୁପ ଧାରଣ କରିଥିଲା ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି । ଭୂତ୍ୱକ୍‌ର ଦୁର୍ବଳ ଅଂଶମାନଙ୍କରେ ଆଗ୍ନେୟ ତରଳ ଧାତୁର ଭୟଙ୍କର ଉଦ୍‌ଗୀରଣ ସଂଘଟିତ ହୋଇ ପୃଥିବୀ ଅଭ୍ୟନ୍ତରସ୍ଥ ଧାତୁ ଭୂତ୍ୱକ୍‌ର ଉପରିଭାଗରେ ସ୍ତୂପାକାରରେ ଜମା ହୋଇଗଲା । ଅତି ଭୟଙ୍କର ଉକ୍ତ ଆଗ୍ନେୟ ସ୍ତୂପ ବା ପର୍ବତ ସର୍ବପ୍ରଥମେ ପୃଥିବୀ ଉପରେ ଦେଖା ଦେଇଥବାରୁ ତାହା ଜଗତ ପ୍ରତି ଅମଙ୍ଗଳ ସୂଚକ ରାକ୍ଷସ ରୂପରେ ପରିଗଣିତ ହୋଇଅଛି । ଭୂତ୍ୱକ୍‌ର ଉପରିଭାଗରେ ପୃଥିବୀର ଜଳରାଶି ମଧ୍ୟରେ ଲୁକ୍‌କାୟିତ ଅବସ୍ଥାରେ ଥିବା ଭୀଷଣ ବୃହତ ଆଗ୍ନେୟଗିରି ଗୁଡିକୁ ଏଠାରେ କଂସ ରୂପରେ ଚିତ୍ରଣ କରାଯାଇଅଛି । କଂସ ଶବ୍ଦର ବ୍ୟୁତ୍ପତ୍ତି ହେଉଛି – କମ୍ + ର୍ମଂସ । କଂସ ଅର୍ଥ ତମ୍ୱା ଓ ରଙ୍ଗ ଧାତୁରେ ମିଶ୍ରିତ ଧାତୁ ବା କାଂସ୍ୟ । ପୁନଶ୍ଚ କମ୍ ଧାତୁ ଇଚ୍ଛା କରିବା, ଲାଳାୟିତ ହେବା ଓ ସଙ୍ଗମ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ । କଂସ ଶବ୍ଦର ପ୍ରକୃତ ଭାବାର୍ଥ ହେଲା -ତରଳ ଧାତୁ ନିର୍ମିତ ଉକ୍ତ ଭୀଷଣାକୃତି ଆଗ୍ନେୟ ପର୍ବତ ଭୂତ୍ୱକ୍‌ର ଉପରିଭାଗରେ ରହି ଜଳରାଶି ଅତିକ୍ରମ କରି ସଦାସର୍ବଦା ରଶ୍ମିମଣ୍ଡଳକୁ ପ୍ରାପ୍ତ ହେବାପାଇଁ ଇଚ୍ଛୁକ ଓ ଲାଳାୟିତ । ଇନ୍ଦୁମତୀଙ୍କ ଠାରୁ ଉକ୍ତ ପାପ ପ୍ରଣୟ ସଂପର୍କରେ ଅବଗତ ହୋଇ ଉଗ୍ରସେନ କଥାକୁ ଗୋପନ ରଖିବାକୁ ମନସ୍ଥ କଲେ । ଦ୍ରୁମିଳା ଅର୍ଥାତ୍ ବାଧାପ୍ରାପ୍ତ ତରଳଧାତୁ ସ୍ରୋତମାନଙ୍କର ମିଳିତ ଉତ୍ତାଳ ଢେଉ ସହିତ ଇନ୍ଦୁମତୀ ବା ପୃଥିବୀ ମିଳିତ ହୋଇଅଛି । ଏ କଥା ସବୁଦିନ ପାଇଁ ଗୋପନ ରହିଗଲା । କଂସାସୁର ଅର୍ଥାତ୍ ସମୁଦ୍ର ଗର୍ଭସ୍ଥ ଭୟଙ୍କର ଆଗ୍ନେୟଗିରିର ଉତ୍ପତ୍ତି ଯୋଗୁଁ । ପୃଥିବୀରେ ଉକ୍ତ ଆଗ୍ନେୟଗିରି ଗୁଡ଼ିକର ଉତ୍ପତ୍ତି ହୋଇଯିବାରୁ ପୃଥିବୀ ଅଭ୍ୟନ୍ତରସ୍ଥ ତରଳଧାତୁ ସ୍ରୋତଗୁଡ଼ିକର ବାଧାଜନିତ ଉତ୍ପୀଡ଼ନ ଓ ମନ୍ଥନ ଅନେକ ପରିମାଣରେ ନ୍ୟୁନତା ପ୍ରାପ୍ତ ହେଲା । ଆଗ୍ନେୟଗିରି ମାଧ୍ୟମରେ ତରଳଧାତୁ ଭୂତ୍ୱକ୍‌ର ଉପରିଭାଗକୁ ସ୍ୱଚ୍ଛନ୍ଦରେ ଯାତ୍ରା କରିପାରିବାରୁ ଏଣିକି ପରସ୍ପର ବାଧାପ୍ରାପ୍ତ ତରଳଧାତୁ ସ୍ରୋତର ଉତ୍ତାଳ ତରଙ୍ଗ ଆଉ ସୃଷ୍ଟି ହେଲାନାହିଁ । ତେଣୁ କଂସାସୁର ଜନ୍ମରେ ଦ୍ରୁମିଳା ଦୈତ୍ୟର ସର୍ବପ୍ରଥମେ ମୃତ୍ୟୁ ଘଟିଥିଲା । ପୁରାଣରେ ଉଲ୍ଲେଖ ଅଛି – କଂସାସୁରର ଜନ୍ମଗ୍ରହଣ ପରେ ଦିନେ ମଥୁରାପୁରରେ ଦ୍ରୁମିଳା ଦୈତ୍ୟକୁ ଦେଖି କଂସ ଗୋଡ଼ାଇଯିବାରୁ ସେ ଭୟରେ ପଳାୟନ କଲା । କିନ୍ତୁ କଂସ ତାକୁ ଗୋଡ଼ାଇଯାଇ ଗଦା ପ୍ରହାରରେ ତାର ପ୍ରାଣ ନାଶ କଲା । ଦ୍ରୁମିଳା ଦୈତ୍ୟର ନିଧନ ଓ ଇନ୍ଦୁମତୀଙ୍କ ପାପ ପ୍ରଣୟ ବିଷୟ ଗୋପନ ରହିଯିବାରୁ କଂସାସୁର ମହାରାଜା ଉଗ୍ରସେନଙ୍କ ନନ୍ଦନ ହିସାବରେ ଜଗତରେ ଖ୍ୟାତ ହେଲେ । ଏହି ଭୀଷଣାକୃତି ଆଗ୍ନେୟଗିରିଗୁଡ଼ିକର ମୂଳଦେଶ ଭୂତ୍ୱକ୍ ଓ ତହିଁ ଉପରେ ଥିବା କର୍ଦ୍ଦମ ଶିଳା ଉପରେ ଅବସ୍ଥିତ ଥିବାରୁ ଏପରି କହିବାର ଯଥେଷ୍ଟ ତାତ୍ପର୍ଯ୍ୟ ରହିଛି । ତା’ ପରେ ବେଳକୁ ବେଳ କଂସାସୁର ଅତି ପ୍ରଚଣ୍ଡ ହୋଇଉଠିଲା । ପ୍ରବଳ ଆଗ୍ନେୟ ତରଳ ଧାତୁର ଉଦ୍‌ଗୀରଣରେ ସଂସାର ଉଚ୍ଛନ୍ନ ହେଲା । ସେ ଶୂନ୍ୟ ମଣ୍ଡଳରୁ ଭାର୍ଗବମନ୍ତ୍ର ପ୍ରାପ୍ତ ହୋଇ ଆହୁରି ଅଧିକ ବଳଶାଳୀ ହୋଇଉଠିଲେ । ଏହାର ତାତ୍ତ୍ୱିକ ଅର୍ଥ ଏହିକି- ଭାର୍ଗବ ଶବ୍ଦର ଅର୍ଥ ଶୁକ୍ର । ଶୁକ୍ର ଏକ ନିର୍ଜଳ ଗ୍ରହ ଏବଂ ଶୁକ୍ର ରଶ୍ମି ଜଳ ଶୋଷଣ କରିବାରେ ସାହାଯ୍ୟ କରେ ବୋଲି ପୁରାଣକାରୀ ମୁନିଋଷିମାନେ ମତବ୍ୟକ୍ତ କରିଯାଇଅଛନ୍ତି । ଏ ସମ୍ପର୍କରେ ମୋର ପ୍ରଣୀତ “ରାମାୟଣ” ଓ “ମହାଭାରତ” ଗ୍ରନ୍ଥରେ ବିଶେଷ ଆଲୋନା କରାଯାଇଅଛି । ଜଳଭାଗରେ ଲୁକ୍‌କାୟିତ ଅବସ୍ଥାରେ ଥିବା ଆଗ୍ନେୟଗିରି ଗୁଡ଼ିକ ଆଗ୍ନେୟ ତରଳଧାତୁ ମାତ୍ର । ଫଳତଃ ଭୂତ୍ୱକ୍ ଉପରିଭାଗସ୍ଥ ଜଳ କ୍ରମଶଃ ନ୍ୟୁନ ହେବାକୁ ଲାଗିଲା । ଜଳମୟ ପୃଥିବୀ ଜଳଶୂନ୍ୟ ହେବାର ଆଶଙ୍କା ଦେଖାଦେଲା ।

ଭାର୍ଗବ ମନ୍ତ୍ର ପ୍ରାପ୍ତ ହେବାରୁ କଂସର ଦିନକୁ ଦିନ ତେଜଃ ବଢ଼ିଲା । ସେ ଦିନେ ଗୋମତ ଋଷିଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ଉପହାସ କଲା । ଋଷି ତାଙ୍କୁ ଅଭିଶାପ ଦେଲେ -“ତୁ ମୋତେ ଗୋପାଳ କହି ଉପହାସ କରୁଛୁ । ତେଣୁ ଦିନେ ସେହି ଗୋପାଳ ହସ୍ତରେ ତାର ପ୍ରାଣ ନାଶ ହେବ । ଗୋପପୁରକୁ ତୁ କେବେ ଯାଇ ପାରିବୁ ନାହିଁ । ଗଲେ ତୋର ମୂର୍ଦ୍ଧା ଫାଟି ମୃତ୍ୟୁ ଘଟିବ ।” କଂସ ଋଷିଙ୍କର ଅଭିଶାପକୁ ହେୟଜ୍ଞାନ କରି ସ୍ୱରାଜ୍ୟକୁ ବାହୁଡ଼ି ଆସିଲା ।

ଉକ୍ତ କଥାବସ୍ତୁର ତାତ୍ତ୍ୱିକ ବିଚାର ଏହିକି – ଆଗ୍ନେୟଗିରି ଗୁଡ଼ିକ କ୍ରମଶଃ ବର୍ଦ୍ଧିତ ହୋଇ ଏବଂ ଜଳମୟ ପୃଥିବୀରୁ ଜଳ ଶୋଷଣ କରି ସାଗରର ଉପରିଭାଗରେ ଅଳ୍ପ ଦୂର ପର୍ଯ୍ୟନ୍ତ ଆଲୋକିତ ହେଉଥିବା ଜଳପୂର୍ଣ୍ଣ ସ୍ଥାନରେ ଅବସ୍ଥାନ କଲେ । ଗୋମତ୍ ଶବ୍ଦର ବ୍ୟୁତ୍ପତ୍ତି ହେଉଛି- ଗୋ + ମତ୍ । ଗୋ ଶବ୍ଦର ଅର୍ଥ ରଶ୍ମି । ପୁନଶ୍ଚ ମତ୍ ଅର୍ଥ ସଦୃଶ । ସୌରରଶ୍ମି ଜଳମୟ ପୃଥିବୀର ଜଳ ଉପରୁ କିଛି ଅଂଶ ନିମ୍ନକୁ ପ୍ରତିଫଳିତ ହୋଇପଡ଼ିଥିଲା । ଜଳ ମଧ୍ୟରେ ଏହି ପ୍ରତିଫଳିତ ଆଲୋକମୟ ଜଳଭାଗକୁ ଗୋମତ୍ଋଷିଙ୍କ ଆଶ୍ରମ ବୋଲି କୁହାଯାଇଅଛି । ସେହି ଆଲୋକିତ ଜଳମୟପୁର, ଗୋ ଅର୍ଥାତ୍ ରଶ୍ମି । ମତ୍ ଅର୍ଥ ସଂଯୁକ୍ତ, ରଶ୍ମିମଣ୍ଡଳ ସଦୃଶ ପ୍ରତୀୟମାନ ହୁଏ । ଜଳଭାଗ ମଧ୍ୟରେ ଲୁକ୍କାୟିତ ଆଗ୍ନେୟଗିରି ଜଳଭାଗ ଉପରକୁ ଉଠି ନପାରି ଆଲୋକିତ ଜଳମୟ ପୁରରେ ମସ୍ତକ ଉନ୍ନୀତ କରି ରହିଲା ଗୋ ଅର୍ଥ ରଶ୍ମି, ପାଳ ଅର୍ଥ ପାଳନକର୍ତ୍ତା । ଶେଷରେ ରଶ୍ମି ପାଳନକର୍ତ୍ତାଙ୍କ ହସ୍ତରେ ତାର ମୃତ୍ୟ ଘଟିଲା । ଗୋପପୁର ଅର୍ଥାତ୍ ରଶ୍ମିପୁରକୁ ତା’ର ମସ୍ତକ ଉନ୍ନୀତ ହୋଇପାରିଲା ନାହିଁ । କାରଣ ରଶ୍ମି ପ୍ରତିଫଳିତ ଆଲୋକିତ ସମୁଦ୍ରର ଉପରିଭାଗର ଜଳ ସଦାସର୍ବଦା ତରଙ୍ଗାୟିତ ଓ ଉଦ୍‌ବେଳିତ ହେଉଥିବାରୁ ଆଗ୍ନେୟଗିରିଗୁଡ଼ିକରୁ ଉଦ୍‌ଗୀରଣ ହେଉଥିବା ତରଳଧାତୁ ସମୂହ ଗିରିମୁଖରେ ସ୍ତୂପାକାରରେ ଜମା ହୋଇ ନ ରହି ତରଙ୍ଗାଘାତରେ ଚତୁଃପାର୍ଶ୍ୱସ୍ଥ ସାଗରର ନିମ୍ନଦେଶକୁ ଚାଲିଯାଉଥିଲା । ବରଂ ଏଭଳି ଆଗ୍ନେୟଗିରି ଗୁଡ଼ିକର ଉଚ୍ଚତାରେ ବୃଦ୍ଧି ନ ଘଟି ଆକୃତିରେ ବିଶାଳତା ଲକ୍ଷ୍ୟ କରାଯାଉଥିଲା । ତରଳଧାତୁ ଉଦ୍‌ଗୀରଣ କାଳରେ ଆଗ୍ନେୟଗିରି ଗୁଡ଼ିକର ମୁଖ ଅତ୍ୟନ୍ତ ଆଲୋକିତ ହୋଇ ଆଲୋକମୟ ପୁରକୁ ଯେତେବେଳେ ଉପହାସ କରୁଥିଲା, ସେତେବେଳେ ଅତ୍ୟନ୍ତ ଉତ୍ତାପରେ ଜଳଭାଗର ଉପରିସ୍ଥିତ ବାୟୁମଣ୍ଡଳରେ ଲଘୁଚାପ ସୃଷ୍ଟି ହୋଇ ସାଗର ଜଳ ଅତ୍ୟଧିକ ଉଦ୍‌ବେଳିତ ଓ ତରଙ୍ଗାୟିତ ହୋଇ ତରଳ ଧାତୁ ସମୂହକୁ ଏଣେତେଣେ ବିଛାଡ଼ି ଦେଉଥିଲେ । ଫଳରେ ସାଗର ଜଳର ଆଲୋକିତ ଅଂଶ ଅର୍ଥାତ୍ ଗୋମତ୍ ଋଷିଙ୍କ ଅଭିଶାପରୁ କଂସ ଅର୍ଥାତ୍ ସାଗର ମଧ୍ୟସ୍ଥ ଆଗ୍ନେୟଗିରିଗୁଡ଼ିକର ଉଚ୍ଚତାରେ ବିକାଶ ଘଟୁନଥିଲା । ତେଣୁ ସେ ଗୋପପୁର ବା ରଶ୍ମିମଣ୍ଡଳ ଅର୍ଥାତ୍ ସାଗର ଜଳ ଉପରିଭାଗକୁ ଯାଇ ପାରୁନଥିଲେ । ଗଲେ ତରଙ୍ଗାଘାତରେ ମସ୍ତକ ଫାଟି ଖଣ୍ଡ ଖଣ୍ଡ ହୋଇଯିବ । ଏହି ପ୍ରାକୃତିକ ଘଟଣାକୁ ଲକ୍ଷ୍ୟ କରି ପୁରାଣରେ ଉଲ୍ଲେଖ ଅଛି କି – ଗୋମତ୍ ଋଷିଙ୍କ ଅଭିଶାପରୁ କଂସ ଗୋପପୁର ମାଡୁନଥିଲା । ତାର ରାଜତ୍ୱ କେବଳ ମଥୁରାପୁରୀ ଓ ସାଗରର ଅତଳ ଜଳ ମଧ୍ୟରେ ଥିଲା । ସାଧାରଣତଃ ସମୁଦ୍ରର ଗଭୀର ଜଳଭାଗ ଶାନ୍ତ ଥାଏ । କିନ୍ତୁ ଉପରିଭାଗସ୍ଥ ଜଳ ସଦାସର୍ବଦା ଉଦ୍‌ବେଳିତ ଅବସ୍ଥାରେ ରହେ । କଂସାସୁରର ଉତ୍ପତ୍ତି ଘଟିବାରୁ ଜଗତରେ ଯେତେ ଶକ୍ତି ଥିଲେ ସମସ୍ତେ ତା’ର ପ୍ରଚଣ୍ଡତାରେ ବଶ୍ୟତା ସ୍ୱୀକାର କଲେ । ଏପରିକି ସହସ୍ର ଅର୍ଜୁନ ଅର୍ଥାତ୍ ସହସ୍ର କିରଣରେ ଉଦ୍ଭାସିତ ସୂର୍ଯ୍ୟଦେବ ମଧ୍ୟ କଂସ ଅର୍ଥାତ୍ ସମୁଦ୍ର ଗର୍ଭସ୍ଥ ଭୟଙ୍କର ଆଗ୍ନେୟଗିରିଗୁଡିକର ବଳବୀର୍ଯ୍ୟରେ ଭୟଭୀତ ହୋଇ ଶରଣାପନ୍ନ ହେଲେ ।

ଦୋ + ଭା.ତି = ଦିତି ଶବ୍ଦର ଅର୍ଥ ବିଦାରଣ, ଖଣ୍ଡନ, ଛେଦନ । ଉକ୍ତ ଆେଗ୍ନେୟଗିରି ସମୂହ ପୃଥିବୀକୁ ବିଦାରଣ କରି ଜନ୍ମଲାଭ କରିଥିବାରୁ ଏମାନେ ହେଲେ ଦିତିପୁତ୍ର ବା ଦୈତ୍ୟ । ମହାପ୍ରତାପୀ କଂସାସୁର ଦୈତ୍ୟ କୁଳର ରାଜା ବୋଲାଇବେ । ତାଙ୍କର ପ୍ରତାପରେ ପୃଥିବୀ ଥରହର ହେଲା । ସମସ୍ତ ଶକ୍ତି ଓ ବସ୍ତୁ ପ୍ରମାଦ ଗଣିଲେ ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

– ତା ପରେ –

ଲୋକପ୍ରିୟ ଲେଖା

To Top