ହରିବଂଶ

ଗ୍ରନ୍ଥ-ପ୍ରବେଶ

Odia Scientific Reviews on Haribansha

ପ୍ରାଚୀନ ଆର୍ଯ୍ୟ ବୈଜ୍ଞାନିକ ଚିନ୍ତାଧାରା ଗୁଡ଼ିକ ଅନ୍ଧବିଶ୍ୱାସ ରୂପରେ ସମାଜରେ ପ୍ରଚଳିତ ହେଲା ସିନା, କିନ୍ତୁ ତାର ତାତ୍ତ୍ୱିକ ଦୃଷ୍ଟିକୋଣ ସଂପର୍କରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଅଜ୍ଞ ହୋଇ ରହିଗଲୁ ।

ଗ୍ରନ୍ଥ-ପ୍ରବେଶ

ସର୍ବପ୍ରଥମେ ପାଠକମାନଙ୍କର ଅବଗତି ନିମିତ୍ତ କେତେକ ବିଷୟର ଅବତାରଣା କରୁଅଛି । ସେମାନେ ଭାବିପାରନ୍ତି- ମୋର ଏ ଚିନ୍ତାଧାରା ହିନ୍ଦୁଧର୍ମ ବିରୋଧରେ କାର୍ଯ୍ୟକରି ପ୍ରତିମାପୂଜା ବିପକ୍ଷରେ ଜନମତ ସୃଷ୍ଟି କରିବ । ଫଳତଃ ସମାଜର ଦେବାଦେବୀଙ୍କ ଉପରୁ ଆସ୍ଥା କ୍ରମଶଃ କମିଯିବ । ଲୋକମାନେ ନାସ୍ତିକ ହୋଇଯିବେ ଏବଂ ଏହାଦ୍ୱାରା ସମାଜର ଘୋର ଅବନତି ଘଟିବ । ସମସ୍ତେ ବିପଦଗାମୀ ହେବେ । କିନ୍ତୁ ଆମ୍ଭେମାନେ ଗଭୀର ଭାବରେ ଅନୁଧ୍ୟାନ କଲେ ଜାଣିପାରିବା ଯେ,- ବୈଦିକ ଯୁଗରେ ସନାତନ ହିନ୍ଦୁଧର୍ମର ସ୍ୱରୂପ ଯେପରି ଥିଲା ଆଜି ତାହା ନାହିଁ । ସେହି ଉଦାର ଧର୍ମ ବହୁ ସଂକୀର୍ଣ୍ଣତାରେ ପର୍ଯ୍ୟବେସିତ ହୋଇ ବର୍ତ୍ତମାନ ଅତି ହୀନ, ଘୃଣ୍ୟ ଅବସ୍ଥାରେ ସମାଜରେ ପ୍ରଚଳିତ ହେଉଅଛି । ଧର୍ମ ନାମରେ ଆଜି ଚାଲିଛି ରକ୍ତପାତ, ହିଂସା, ଦ୍ୱେଷ, କପଟଚାରିତା, ଶଠତା, ସମାଜଶୋଷଣ, ବ୍ୟଭିଚାର ଓ ଦୁର୍ନୀତୀ ଆଦି ନାନା ଅକାର୍ଯ୍ୟ । ଧର୍ମକୁ ଆଳ କରି ସମାଜରେ କେତେକ ବ୍ୟକ୍ତି ପ୍ରତିଷ୍ଠିତ ଓ ଖ୍ୟାତ ହେବାକୁ ଚାହିଁଲା ବେଳେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ବକ ଧାର୍ମିକ ରୂପ ପରିଗ୍ରହଣ କରୁଛନ୍ତି । ସମାଜର ଏପରି ଅବସ୍ଥା କାହିଁକି ? ଏ ବିଷୟରେ ଚିନ୍ତା କଲେ ଜଣାଯାଏ ଯେ ହିନ୍ଦୁ ଧର୍ମରେ ସଂକୀର୍ଣ୍ଣ ମତବାଦ ସ୍ୱରୂପ ପ୍ରତିମା ପୂଜା ପ୍ରକୃତରେ ଏଥିପାଇଁ ଦାୟୀ । ଯେଉଁ ଦେବାଦେବୀଙ୍କ ଭୟରୁ ଆମ୍ଭେମାନେ ନୂତନ ସନ୍ଧାନରେ ଆଗେଇଲୁ ନାହିଁ କିମ୍ୱା ପ୍ରକୃତିର ସ୍ୱରୂପ ଉଦ୍ଘାଟନ ଦିଗରେ ଆଉ ଅଧିକ ଅଗ୍ରସର ନ ହୋଇ ଯେତିକି ବୈଦିକଯୁଗର ଋଷିମୁନି ମାନେ ଗବେଷଣା କରିଯାଇଥିଲେ ସେତିକିରେ ସୀମିତ ଓ ସନ୍ତୁଷ୍ଟ ହୋଇ ରହିଲୁ । ଯେ କୌଣସି ବିଷୟରେ ଆମ୍ଭମାନଙ୍କ ମନରେ ପ୍ରଶ୍ନ ଉଦ୍ରେକ ହେଲେ ତା’ର ଊତ୍ତରରେ ଆମ୍ଭେମାାନେ ପାଇଲୁ-“ଈଶ୍ୱର କରିଛନ୍ତି । ଏ ସବୁ ବିଷୟରେ ଭାବିବାକୁ ବା ଚିନ୍ତା କରିବାକୁ ତୁ କିଏ ?” ଏ ପରିସ୍ଥିତିରେ ଆମ ସମାଜର ବୌଦ୍ଧିକ ବିକାଶ ହୋଇଥାନ୍ତା କିପରି ? ଆଜି ଯଦି ଆମେ ସଭ୍ୟ ହୋଇଥାଉଁ, ତେବେ ପାଶ୍ଚତ୍ୟ ବୈଜ୍ଞାନିକ ମାନଙ୍କ ଯୋଗୁଁଁ । ଆମ ମୁନିଋଷି ମାନଙ୍କର ଏ ଦିଗରେ କିଛି କ’ଣ ଅବଦାନ ନ ଥିଲା ? ଯଥେଷ୍ଟ ଥିଲା – କିନ୍ତୁ ତା’ର ପରମ୍ପରାଗତ ଉନ୍ମେଷ ଆମ୍ଭେମାନେ କଲୁନାହିଁ । ଫଳତଃ ପ୍ରାଚୀନ ଆର୍ଯ୍ୟ ବୈଜ୍ଞାନିକ ଚିନ୍ତାଧାରା ଗୁଡ଼ିକ ଅନ୍ଧବିଶ୍ୱାସ ରୂପରେ ସମାଜରେ ପ୍ରଚଳିତ ହେଲା ସିନା, କିନ୍ତୁ ତାର ତାତ୍ତ୍ୱିକ ଦୃଷ୍ଟିକୋଣ ସଂପର୍କରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଅଜ୍ଞ ହୋଇ ରହିଗଲୁ । ସେଥିପାଇଁ ଯଜୁଃବେଦଦରେ ଉଲ୍ଲେଖ ଅଛି – “ନ ତସ୍ୟ ପ୍ରତିମାଽଅସ୍ତି ।” ଅର୍ଥାତ ପ୍ରଭୁଙ୍କର ପ୍ରତିମା ନାହିଁ । କାବ୍ୟଯୁଗରେ ଯେତେବେଳେ ପ୍ରତିମା ପୂଜାର ଆରବ୍‌ଧ ହୋଇ ସମାଜ ନାନାଶୋଷଣର ସମ୍ମୁଖୀନ ହେଲା, ସେତେବେଳେ ଉକ୍ତ ମନ୍ତ୍ରର ପ୍ରକୃତ ଅର୍ଥ ଗେୀପନ ରଖି “ନତସ୍ୟ ପ୍ରତିମା ଅସ୍ତି” ଅର୍ଥାତ୍ ଯାହାଙ୍କ ପଦରେ ସମସ୍ତଙ୍କର ମସ୍ତକ ଅବନତ ହୁଏ, ସେହି ପରମେଶ୍ୱରଙ୍କ ପ୍ରତିମା ଅଛି ଭାବରେ ଶଠ ଓ ଭଣ୍ଡ ଧାର୍ମିକମାନେ ପ୍ରଚାର କରିବାକୁ ଲାଗିଲେ ।

ଏହିପରି ନାନା ବ୍ୟଭିଚାର ଭିତରେ ଆର୍ଯ୍ୟସମାଜ ଗତି କରି ଆର୍ଯ୍ୟ ଧର୍ମ କଳୁଷିତ ହୋଇଅଛି । ବିଭିନ୍ନ କାଳରେ ସମାଜ ସସ୍କାରକମାନେ ଜନ୍ମ ହୋଇ ପ୍ରକୃତ ସତ୍ୟ ଉଦ୍‌ଘାଟନ କରିଯାଇଥିଲେ ସୁଦ୍ଧା ସମାଜ ପୁନର୍ବାର ସେଇ ଭେଳିକିରେ ପଡି ପ୍ରକୃତ ସତ୍ୟ ଓ ତତ୍ତ୍ୱକୁ ଭୁଲି ଯାଇଅଛି । ତା’ର କାରଣ ହେଉଛି -ପୁରାଣମାନଙ୍କର ପ୍ରକୃତ ସ୍ୱରୂପ ଊଦ୍‌ଘାଟିତ ହୋଇ ଆର୍ଯ୍ୟ ଚିନ୍ତାଧାରାର ରୂପ ସମାଜକୁ ଉପଯୁକ୍ତ ଭାବରେ ପରିବେଷଣ କରାଯାଇ ପାରିନାହିଁ । ବେଦର ମୌଳିକ ଭାବ ଆଜି ବିକୃତ ଅର୍ଥରେ ଗ୍ରହଣ କରାଯାଇଛି । ତା’ର ପ୍ରକୃତ ତାତ୍ତ୍ୱିକ ଗବେଷଣା କରାଯାଇ ନାହିଁ । ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ଚିନ୍ତାଧାରା ସମ୍ପର୍କରେ ଗବେଷଣା କରିବାର ବେଳ ଆସିଛି । କେତେ ଦିନ ଆଉ ଆର୍ଯ୍ୟଭୂମି ଭାରତ ବର୍ଷ ପାଶ୍ଚାତ୍ୟ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଗତି କରିବ ? ଦେବଦେବୀ ଭୟଦେଖାଇ ସମାଜକୁ ଠିକ୍ ବାଟରେ ଆଉ ଚଳାଇ ହେବ ନାହିଁ । ଏଣିକି ଆମକୁ ନିଶ୍ଚୟ ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ ସମାଜର ସୁରକ୍ଷା କରିବା ପାଇଁ । ପଣ୍ଡିତମାନେ ଏ ଦିଗରେ ଅଧିକ ଚିନ୍ତା କରିବା ବିଧେୟ । ନଚେତ ଫଟା କାନ୍ଥରେ କାଦୁଅ ନେସିଲା ପରି ହେବ ।

ଆମ୍ଭମାନଙ୍କୁ ବର୍ତ୍ତମାନ କେତକ ଅନ୍ଧ ବିଶ୍ୱାସ ତ୍ୟାଗ କରିବାକୁ ହେବ । ପରମ୍ପରା ବ୍ୟାହତ ହେବାର ଭୟ ଆମ୍ଭମାନଙ୍କୁ ଅତିମାତ୍ରାରେ ଗ୍ରାସ କରିଥିବାର ଭାବ ମୁଁ କେତକ ପାଠକମାନଙ୍କ ଠାରୁ ଅବଗତ ହୋଇଅଛି । ପ୍ରତିଯୁଗରେ ଓ ପ୍ରତିମୁହୂର୍ତ୍ତରେ ପରମ୍ପରା ବଦଳୁ ଅଛି, ଏଥିରେ ସନ୍ଦେହ ନାହିଁ । ଯଦି ଆମର ପୂର୍ବପୁରୁଷ ପରମ୍ପରାକୁ ବଦଳାଇ ନଥାନ୍ତେ, ତେବେ ଆମ୍ଭେମାନେ ସେହି ଅତୀତର ପ୍ରାଚୀନ ପ୍ରସ୍ତର ଯୁଗର ଅରଣ୍ୟ ମାନବ ହୋଇ ରହିଯାଇଥାନ୍ତୁ । ବିଂଶଶତାବ୍ଦୀରେ ସୁସଭ୍ୟମାନବ ସମାଜ ଗଠନ ହୋଇଥାନ୍ତା କିପରି ? ଜହ୍ନମାମୁଁ ଘରେ ମଣିଷ ପହଞ୍ଚି ପାରିନଥାନ୍ତା କିମ୍ୱା ପ୍ରକୃତି ଓ ସୌର ଜଗତର ବିଭିନ୍ନ ରହସ୍ୟ ଆଜି ଉନ୍ମୋଚିତ ହୋଇପାରି ନଥାନ୍ତା । ପରମ୍ପରାକୁ ଦ୍ୱାହି ଦେଇ ଯେଉଁମାନେ ପ୍ରକୃତ ସତ୍ୟକୁ ଲୁଚାଇବାକୁ ଚହାଁନ୍ତି, ସେମାନଙ୍କର ବୋଦ୍ଧିକ ବିକାଶ କେବେ ହେଲେ ସମ୍ଭବପର ହେବ ନାହିଁ । ପ୍ରାଚୀନ ପରମ୍ପରାକୁ ଗ୍ରହଣ କରି ନୂତନ ପରମ୍ପରାର ଆର୍ଯ୍ୟଭୂମି ଭାରତବର୍ଷ ବିଜ୍ଞାନ ଦିଗରେ ଅଧିକ ମୌଳିକ ଅଗ୍ରଗତି କରିପାରି ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ଆକାଶତତ୍ତ୍ୱ ଆଦି ସକଳ ବିଷୟରେ ଆମର ପ୍ରାଚୀନ ପୂଷ୍ଠଭୂମି ଥିଲେ ସୁଦ୍ଧା ସେ ଦିଗରେ ଅଧିକ ଚିନ୍ତା କରି ଗବେଷଣା କରିବାର ଉଦ୍ୟମ ଆମ୍ଭମାନଙ୍କର ନାହିଁ । ବର୍ତ୍ତମାନ ଆମ୍ଭେମାନେ ଚାହିଁ ବସିଛୁ ପାଶ୍ଚତ୍ୟ ବୈଜ୍ଞାନିକମାନଙ୍କ ଚିନ୍ତାଧାରା ସମ୍ପର୍କରେ ଅବଗତ ହେବା ପାଇଁ । ହାୟ ! ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ’ଣ ଥାଇପାରେ ? ଅବଶ୍ୟ ମୁଁ ଦେଶାନ୍ତର ଚିନ୍ତାଧାରାକୁ ଘୃଣା କରୁ ନାହିଁ । କିନ୍ତୁ ଆମ ଘର କଥାକୁ ଭୁଲି ପର କଥାରେ ମଜ୍ଜିବାକୁ ମୁଁ ଉଚିତ ମନେ କରୁ ନାହିଁ । ଆମ ଘର ଠାରୁ ବାହାର ଚିନ୍ତାଧାରା ଯଦି ଅଧିକ ଶିକ୍ଷଣୀୟ ହୁଏ, ତାହା ହେଲେ ତାହା ଗ୍ରହଣୀୟ ହୋଇପାରେ ।

ତହିଁର କେତୋଗୋଟି ଉଦାହରଣ ଏଠାରେ ପ୍ରଦାନ କରୁଅଛି । ଆମ ସୌରଜଗତରେ ପୃଥିବୀ ସ୍ଥିର ଅଛି, ସୂର୍ଯ୍ୟ ତାକୁ ପରିକ୍ରମା କରୁଛନ୍ତି – ଏଭଳି ଭ୍ରମାତ୍ମକ ଧାରଣା ଆମର ଆଦିମ କାଳରୁ ପ୍ରଚଳିତ ଥିଲା । ଗାଣିତିକ ହିସାବ ଠିକ୍ ଥିଲେ ସୁଦ୍ଧା ଚିନ୍ତାଧାରାରେ ଯାହା କିଛି ପ୍ରଭେଦ ରହି ଯାଇଥିଲା । ଏ ସମ୍ପର୍କରେ ଆମେମାନେ ପାଶ୍ଚତ୍ୟ ବୈଜ୍ଞାନିକମାନଙ୍କର ଯୁକ୍ତି ଏବେ ଗ୍ରହଣ କରିଛୁ । ପୃଥିବୀ ଭ୍ରମଣଶୀଳ, ସୂର୍ଯ୍ୟ ସ୍ଥିର । ପୁନଶ୍ଚ ଅଗ୍ନି ଦେବତା, ପବନ ଦେବତା, ବରୁଣ ଦେବତା, ସୂର୍ଯ୍ୟଦେବତା, ଇନ୍ଦ୍ର ଦେବତା ଆଦି ଦେବଗଣଙ୍କ ସମ୍ପର୍କରେ ଆମର ପ୍ରଚଳିତ ଧାରଣାକୁ ଆମେ ବଦଳାଇ ପାରିଛୁ । ସେମାନେ ରକ୍ତ ମାଂସ ଶରୀରଧାରୀ ଦେବଦେବୀ ରୂପରେ ଆମ୍ଭମାନଙ୍କ ଚକ୍ଷୁ ସମକ୍ଷରେ ଆଉ ଦେଖାଦେଇ ନାହାନ୍ତି । ଏମାନେ ପ୍ରକୃତିର ବିଭିନ୍ନ ଶକ୍ତି, ଯାହାଙ୍କ ଦ୍ୱାରା ସୃଷ୍ଟି ଆଜି ସରସ ସୁନ୍ଦର ହୋଇପାରିଛି । ସେହିପରି ବୈଦିକ ଶବ୍ଦ ଗୁଡିକର ପ୍ରକୃତ ତାତ୍ତ୍ୱିକ ଅର୍ଥ ନବୁଝି ଦେବଦେବୀଙ୍କ ସଂପର୍କରେ ଆମ୍ଭମାନଙ୍କ ମନରେ କେତକ ଭ୍ରାନ୍ତ ଧାରଣା ଉପୁଜି ଅଛି । ଯଥା -ବିଶିଷ୍ଟ ଆକାର ଓ ରୂପରଙ୍ଗ ଯୁକ୍ତ ଦେବତାମାନେ ଅଛନ୍ତି । ବେଦରେ ବିଭିନ୍ନ ଦେବଦେବୀଙ୍କ ବର୍ଣ୍ଣନା ସଂଙ୍ଗେ ସଙ୍ଗେ ସେମାନଙ୍କର ପୂଜା ବିଧାନର ଉଲ୍ଲେଖ ଅଛି । ଦେବତା ପୂଜା ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି । ଦେବଦେବୀଙ୍କ ମଧ୍ୟରେ ଉଚ୍ଚ ନୀଚ୍ଚ ଭେଦଭାବ ମଧ୍ୟ ବେଦରେ ସୂଚିତ ହୋଇଅଛି ।

କିନ୍ତୁ ବେଦବାଣୀ ହେଉଛି – ଯେ ଦାନ କରନ୍ତି, ସ୍ୱୟଂ ପ୍ରକାଶମୟ ଓ ଅନ୍ୟର ପ୍ରକାଶକ କିମ୍ୱା ପ୍ରକାଶମୟ ସ୍ଥଳରେ ବିଦ୍ୟମାନ ସେ ଦେବତା । ତେଣୁ ଯଜୁଃବେଦ ଅଧ୍ୟାୟ ୧୪, ମନ୍ତ୍ର ୨୦ରେ ଉଲ୍ଲେଖ ଅଛି-

ଅଗ୍ନିର୍ଦେବତା ବାତୋ ଦେବତା,
ସୂର୍ଯ୍ୟୋଦେବତା ଚନ୍ଦ୍ରମା ଦେବତା,
ବାସବୋ ଦେବତା ରୁଦ୍ରୋ ଦେବତାଽଽଦିଗୋ,
ଦେବତା ମରୁତୋ ଦେବତା ବିଶ୍ୱେ ଦେବା ଦେବତା
ବୃହସ୍ପତ୍ତି ର୍ଦ୍ରେବତେ ଚନ୍ଦ୍ରାଦେବତା ବରୁଣୋ ଦେବତା ।।

ଆର୍ଯ୍ୟ-ଋଷିମାନଙ୍କର ଗବେଷଣା ମୂଳକ ବୈଜ୍ଞାନିକତଥ୍ୟ ଅତି ଅବାସ୍ତବ କଳ୍ପନା ପ୍ରଭାବରେ ସଂକୀର୍ଣ୍ଣତାକୁ ଆଶ୍ରାକରି ପ୍ରତିମା ପୂଜାରେ ପର୍ଯ୍ୟବସିତ ହୋଇଅଛି ।

ପୁରାଣମାନଙ୍କର କଥାବସ୍ତୁ ଅବଲମ୍ୱନରେ ନାମବାଚକ ପଦମାନଙ୍କର ଗୁଣାତ୍ମକ ଓ କ୍ରିୟାତ୍ମକ ବିଶ୍ଲେଷଣ କରି ସେହି ବୈଦିକ ସତ୍ୟ ଉଦ୍‌ଘାଟନ କରିବା ଦିଗରେ ମୋର ଏ କ୍ଷୀଣ ପ୍ରଚେଷ୍ଟା । ଏଥିରୁ ଆମ୍ଭମାନଙ୍କର ପ୍ରାଚୀନ ମତବାଦ ସଂପର୍କରେ କିଞ୍ଚିତ ତଥ୍ୟ ସୁଧୀ ପାଠକମାନେ ଅବଗତ ହେଲେ ଶ୍ରମ ସାର୍ଥକ ହୋଇଛି ବୋଲି ମନେ କରିବି ।

ଆସନ୍ତୁ ! ସତ୍ୟ ପ୍ରାପ୍ତି ପାଇଁ ପୁରାଣଗୁଡିକର ଆବରଣ ଉନ୍ନୋଚନ କରିବା । କିମଧିକମିତି ।

ବିନୀତ
ଶ୍ରୀବତ୍ସ ପ୍ରସାଦ ନାଥ

ସହାୟକ ପୁସ୍ତକ

ଏହି ଗ୍ରନ୍ଥ ସଙ୍କଳନରେ ନିମ୍ନଲିଖିତ ଶବ୍ଦକୋଷ ଗୁଡ଼ିକର ସାହାଯ୍ୟ ନିଆଯାଇଅଛି ।

୧ – ପ୍ରମୋଦ ଅଭିଧାନ (୧୯୪୨) – ପଟ୍ଟାୟତ ପ୍ରମୋଦ ଚନ୍ଦ୍ର ଦେବବର୍ମା ।
୨ – ଉତ୍କଳ ଅଭିଧାନ (୧୯୧୫) – ଜଗନ୍ନାଥ ରାଓ ।
୩ – ଶବ୍ଦ ତତ୍ତ୍ୱବୋଧ ଅଭିଧାନ (୧୯୧୫) – ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ।
୪ – ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ – ରାୟ ବାହାଦୂର ଗୋପାଳ ଚନ୍ଦ୍ର ପ୍ରହରାଜ ।
୫ – ଅମର କୋଷ ଅଭିଧାନ (ଅମର କୋଷଃ) ୧୯୧୮ – ପଣ୍ଡିତ ଶ୍ରୀ ମହେଶ୍ୱର ନନ୍ଦ ଶର୍ମାଙ୍କ ଦ୍ୱାରା ସଂଶୋଧିତ ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

ତା ପରେ

ଲୋକପ୍ରିୟ ଲେଖା

To Top