ରାମାୟଣ

ସୂର୍ଯ୍ୟବଂଶ ବା ସୌରଜଗତର ଉତ୍ପତ୍ତି

Odia Scientific Review Ramayana

ସେହି ବିରାଟକାୟ ନକ୍ଷତ୍ର ଅର୍ଥାତ୍ ପୃଥୁରାଜଙ୍କଠାରୁ ଇକ୍ଷ୍ୱାକୁ ଅର୍ଥାତ୍ ସୂର୍ଯ୍ୟବଂଶର ପ୍ରଥମ ରାଜା – ସୂର୍ଯ୍ୟ (ଜ୍ୟୋତିଃବେଦ ଅନୁସାରେ ନବଗ୍ରହ ମଧ୍ୟରୁ ପ୍ରଥମ ଗ୍ରହ) ଜନ୍ମଗ୍ରହଣ କଲେ ।

ସୂର୍ଯ୍ୟବଂଶ ବା ସୌରଜଗତର ଉତ୍ପତ୍ତି

-: ପୂର୍ବରୁ :-

ଆଧୁନିକ ବୈଜ୍ଞାନିକମାନେ କହନ୍ତି ଆମର ଏହି ସୌରଜଗତ ଏକ ବୃହତ୍ ନିହାରୀକା ମଣ୍ଡଳରୁ ଉତ୍ପନ୍ନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମହାକାଶ ମଣ୍ଡଳରେ ଏକ ହଜାର ନିହାରୀକାର ସନ୍ଧାନ ମିଳିଛି । ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଭବାରେ ଲାଗିଛି । ଆର୍ଯ୍ୟ ମୁନିଋଷିମାନେ ବହୁ ଗବେଷଣା କରି ଏ ସମ୍ପର୍କରେ ଯାହା ଅବଗତ ହୋଇଥିଲେ ଏ ପ୍ରବନ୍ଧରେ ତାହା ହିଁ ଆଲୋଚ୍ୟ ବିଷୟ । ସେମାନେ କହିଛନ୍ତି- ନିରଞ୍ଜନରୂପୀ ପରମବ୍ରହ୍ମ ପ୍ରଥମେ ମହାକାଶରେ ବିଦ୍ୟମାନ ଥିଲେ । ତାଙ୍କ ଠାରୁ ତିନିଗୋଟି ପୁତ୍ର ଓ ଗୋଟିଏ କନ୍ୟା ଜନ୍ମିଥିଲେ । ପୁତ୍ରମାନେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ କନ୍ୟା ହେଉଛି କନ୍ଦିନୀ । ଅଞ୍ଜନ ଶବ୍ଦର ଅର୍ଥ ହେଲା ଗମନ, ଅଗ୍ନି ଓ ଅନ୍ଧକାର । ମହାକାଶରେ ଅବସ୍ଥାନ କରିଥିବା ବିରାଟ ନିହାରୀକା ମଣ୍ଡଳଟି ଗମନ ରହିତ ବା ସ୍ଥିର, ଅଗ୍ନି ରହିତ ଅର୍ଥାତ୍ ବହୁଦୂରରେ ଥିବାରୁ ତେଜୋହୀନ ଏବଂ ତେଜୋହୀନ ଦେଖାଗଲେ ସୁଦ୍ଧା ଅନ୍ଧକାର ରହିତ ଥିଲା । ତେଣୁ ଏହି ନିହାରୀକା ମଣ୍ଡଳକୁ (ନିଃ + ଅଞ୍ଜନ) (ନିରଞ୍ଜନ) ରୂପରେ କଳ୍ପନା କରାଯାଇଅଛି । ବ୍ରହ୍ମା ଶବ୍ଦର ଅର୍ଥ ଉତ୍ତର ଆକାଶସ୍ଥ ଏକ ନକ୍ଷତ୍ରକୁ ବୁଝାଏ । ପୁନଶ୍ଚ ବିଷ୍ଣୁ ଶବ୍ଦର ଅର୍ଥ ହେଉଛି ଶ୍ରବଣା ନକ୍ଷତ୍ରପୁଞ୍ଜ । ଏହି ନିହାରୀକା ବା ନିରଞ୍ଜନ ଉପରୋକ୍ତ ଦୁଇଟି ନକ୍ଷତ୍ର ମଣ୍ଡଳ ଦ୍ୱାରା ଆକର୍ଷିତ ହୋଇ ପ୍ରଥମେ ଦୁଇଖଣ୍ଡରେ ବିଭକ୍ତ ହେଲା । ଗୋଟିଏ ହେଲେ ବ୍ରହ୍ମା ଓ ଅନ୍ୟଟି ହେଲେ ବିଷ୍ଣୁ । ସେମାନଙ୍କର ପ୍ରଭୁତ୍ୱ ଓ ପ୍ରାଧାନ୍ୟ ମହାକାଶରେ ରହିବାରୁ ତାଙ୍କର ଶକ୍ତିକୁ ମହେଶ୍ୱର (ମହାନ୍ + ଈଶ୍ୱର) ରୂପରେ କଳ୍ପନା କରାଯାଇଛି । ନିରଞ୍ଜନ ଦୁଇଖଣ୍ଡରେ ବିଭକ୍ତ ହେବାରୁ କନ୍ଦ୍ + ଇନ୍ = କନ୍ଦିନୀ; କନ୍ଦ୍ ଶବ୍ଦର ଅର୍ଥ ହେଉଛି ଖଣ୍ଡ । ତେଣୁ ଯାହାର ଖଣ୍ଡ ଅଛି ବା ବିଭାଗ ଅଛି, ସେହି ବିଭାଗ ଅବସ୍ଥାକୁ କନ୍ୟା ରୂପ ଦିଆଯାଇଛି । ନାରଦ ମହର୍ଷି ଜରତ୍‌କାରୁ ମୁନିପୁତ୍ରଙ୍କ ସହିତ ତାଙ୍କର କନ୍ଦିନୀ ଭଗ୍ନୀକୁ ବିବାହ ଦେଲେ । ନାରଦ ଶବ୍ଦର ବ୍ୟୁତ୍ପତ୍ତି ହେଉଛି – (ନାର + ଦ + ଅ) । ନାରଦ ଶବ୍ଦର ଅର୍ଥ ହେଉଛି – ଯେ’ ସାରୂପ୍ୟ ମୁକ୍ତି ପ୍ରଦାନ କରନ୍ତି, ଅର୍ଥାତ୍ ଯେଉଁ ମୁକ୍ତିରେ ଭକ୍ତ, ଭଗବାନଙ୍କ ରୂପ ଧାରଣ କରେ । ଏହି ସାରୂପ୍ୟ ମୁକ୍ତି ପ୍ରଦାୟକ ଶକ୍ତିକୁ ନାରଦ ରୂପରେ ଚିତ୍ରଣ କରାଯାଇଛି । ଏହା ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ବ୍ୟାପୀ ରହିଅଛି । ଏହି ଶକ୍ତି ପୁଣି ତା’ର ଭଗ୍ନୀ କନ୍ଦିନୀଙ୍କୁ ଜରତ୍କାରୁ ଋଷିଙ୍କୁ ବିବାହ ଦେଲା କିପରି ? ସେ ବିରାଟ ନୀହାରିକା ଯେଉଁ ଦୁଇ ଖଣ୍ଡରେ ବିଭକ୍ତ ହେଲା ତାହା ବ୍ରହ୍ମା, ବିଷ୍ଣୁ ରୂପ ଧାରଣ କଲେ ଏବଂ ନାରଦ ଶକ୍ତି ପ୍ରଭାବରେ ସାରୂପ୍ୟ ମୁକ୍ତି ଅର୍ଥାତ୍ ନୀହାରିକା ଠାରୁ ବିଚ୍ଛିନ୍ନ ହୋଇ ପୁଣି ସେହି ନୀହାରିକାର ଗୁଣ ଧାରଣ କଲେ । ତାଙ୍କର ସେହି ଖଣ୍ଡିତ ଅବସ୍ଥା ବା ଭଗ୍ନୀ କନ୍ଦିନୀ, ଜରତ୍ ଶବ୍ଦର ଅର୍ଥ ଅତି ପୁରାତନ, ବୃଦ୍ଧ ଏବଂ କାରୁ (କୃ + କ.ଉ) ବିଶ୍ୱକର୍ମା ବା କାର୍ଯ୍ୟଭାର ପ୍ରାପ୍ତ ବ୍ୟକ୍ତିଙ୍କୁ ବିବାହ କଲେ । ଅର୍ଥାତ୍ ସେହି ନିଷ୍କ୍ରିୟ ଅତି ପୁରାତନ ନୀହାରିକା ମଣ୍ଡଳ ଦ୍ୱିଖଣ୍ଡିତ ହେବାରୁ ସକ୍ରିୟ ହୋଇଉଠିଲା ଏବଂ ଗମନ ରହିତ ନୀହାରିକା ପୁଣି ଗତିଶୀଳ ହେଲା । ତେଣୁ ନିହାରିକା ମଣ୍ଡଳରେ ଥିବା ନକ୍ଷତ୍ର ପୁଞ୍ଜଙ୍କର ଆକର୍ଷଣ, ବିକର୍ଷଣ, ଘର୍ଷଣ, ଫଳରେ ଯେଉଁ ଅବ୍ୟକ୍ତ ମଧୁର ସ୍ୱରର ଉତ୍ପତ୍ତି ହେଲା, ତାକୁ ନାରଦଙ୍କର ବୀଣାଝଙ୍କାର ବୋଲି ମନେ କରାଯାଇଅଛି । ନାରଦଙ୍କର ବୀଣାବାଦନ ଅର୍ଥାତ୍ ନକ୍ଷତ୍ର ପୁଞ୍ଜଙ୍କର ପରସ୍ପର ଆକର୍ଷଣ ଓ ବିକର୍ଷଣ ପୁନଶ୍ଚ ସେମାନଙ୍କର ଘୂର୍ଣ୍ଣନ ଫଳରେ ସେମାନଙ୍କର କ୍ଳାନ୍ତି ଓ ଦୀପ୍ତି ବୃଦ୍ଧି ପ୍ରାପ୍ତ ହେଲା । ତେଣୁ ପୁରାଣରେ ବର୍ଣ୍ଣିତ ଅଛି ନାରଦଙ୍କର ବୀଣାବାଦନ ଫଳରେ ସେଠାରେ ଏକ କନ୍ୟା ଜାତ ହେଲା । ତାର ନାମ ହେଉଛି ଭାନୁ (ଭା + ନୁ) ଶବ୍ଦର ଅର୍ଥ ହେଉଛି -ଦୀପ୍ତି ବା କାନ୍ତି । ସେହି ଭାନୁ ନାମ୍ନୀ କନ୍ୟାକୁ ପୁଣି ଜମଦଗ୍ନୀଙ୍କୁ ବିବାହ ଦିଆଗଲା । ଜମଦଗ୍ନି ଶବ୍ଦର ଅର୍ଥ ହେଉଛି – (ଜମତ୍ + ଅଗ୍ନି) ଉଜ୍ଜ୍ୱଳ ଦୀପ୍ତିକର ଆଲୋକ । ନକ୍ଷତ୍ରମାନଙ୍କର କାନ୍ତି ବା ଦୀପ୍ତି କ୍ରମଶଃ ଅଧିକ ଦୀପ୍ତିକର ଆଲୋକରେ ଉଦ୍ଭାସିତ ହେବାରୁ ଏପରି କୁହାଯିବାରେ ତାତ୍ପର୍ଯ୍ୟ ଅଛି । ପୁନଶ୍ଚ ଏହି ଜମଦଗ୍ନି ବା ଦୀପ୍ତିକର ଆଲୋକ ମଣ୍ଡଳରୁ ପରବର୍ତ୍ତୀ କାଳରେ ଶୁକ୍ରଗ୍ରହ ବା ପରଶୁରାମଙ୍କର ଉତ୍ପତ୍ତି ହୋଇଅଛି ବୋଲି ପୁରାଣରେ ଉଲ୍ଲେଖ ଅଛି । ବ୍ରହ୍ମା ଅର୍ଥାତ୍ ନୀହାରିକାର ପ୍ରଥମ ଖଣ୍ଡରେ, ବିଷ୍ଣୁ ଅଂଶ ଅର୍ଥାତ୍ ନୀହାରିକାର ଦ୍ୱିତୀୟ ଖଣ୍ଡର ସଂଘର୍ଷ ହେତୁ ବ୍ରହ୍ମାଙ୍କ ଅନୁଗ୍ରହରେ ନୀହାରିକାର ବ୍ରହ୍ମାମଣ୍ଡଳରୁ ଭାନୁ ଓ ଜମଦଗ୍ନିଙ୍କର ଏକପୁତ୍ର ଜାତହେଲା । ତା’ର ନାମ ହେଲା ମରୀଚି ଅର୍ଥାତ୍ ସପ୍ତର୍ଷିମଣ୍ଡଳର ଏକ ନକ୍ଷତ୍ର । ଭାଷାକୋଷରେ ମରୀଚି ଶବ୍ଦର ଅର୍ଥ ହେଉଛି ଷଟ୍‌ତ୍ରସରେଣୁ । ତ୍ରସ (ତ୍ରସ୍ + କ.ଅ) ଶବ୍ଦର ଅର୍ଥ ଗମନଶୀଳ । ଏହି ମରୀଚି ନକ୍ଷତ୍ରପୁଞ୍ଜ ପୁଣି ଛଅଗୋଟି ଗମନଶୀଳ ନକ୍ଷତ୍ରର ରେଣୁ ରୂପରେ ପ୍ରକାଶ ପାଇବାରୁ ଛଅଗୋଟି ତାରକା ବେଷ୍ଟିତ ଲଘୁ ସପ୍ତର୍ଷି ବା ଶିଶୁମାରର ସୃଷ୍ଟିହେଲା । ପୂର୍ବରୁ କୁହାଯାଇଛି- ବ୍ରହ୍ମା ନୀହାରିକା ମଣ୍ଡଳଟି ଆକାଶର ଉତ୍ତର ଦିଗରେ ଅବସ୍ଥିତ । ତେଣୁ ଏହି ନକ୍ଷତ୍ରଗୁଡ଼ିକ ପୃଥିବୀର ଉତ୍ତର ଦିଗରେ ସୃଷ୍ଟି ହୋଇଥିଲେ ।

ଏମାନେ ଯେଉଁ ଭାନୁମଣ୍ଡଳରୁ ଜାତ ହେଲେ ସେତେବେଳେ ଏହା ୭୧ଟି ନକ୍ଷତ୍ର ଯୋଗରେ ଗଠିତ ହୋଇଥିଲା । ଜ୍ୟୋତିଷ ଶାସ୍ତ୍ରରେ ୭୧ଟି ନକ୍ଷତ୍ରର ଯୋଗକୁ ଭାନୁ ବୋଲି କୁହାଯାଇଥାଏ । ପୁନଶ୍ଚ କିଛିକାଳ ପରେ ମରୀଚି ନକ୍ଷତ୍ର ମଣ୍ଡଳରୁ କଶ୍ୟପଙ୍କର ଜନ୍ମ ହେଲା । କଶ୍ୟପ ଶବ୍ଦର ଅର୍ଥ ହେଉଛି – କର୍କଟ ରାଶି । ଏହା ତିନିଗୋଟି ନକ୍ଷତ୍ରକୁ ନେଇ ଗଠିତ – ପୁନର୍ବସୁ, ପୁଷ୍ୟା ଓ ଅଶ୍ଳେଷା । ଏମାନେ ଅତି ଉଜ୍ଜ୍ୱଳ ନକ୍ଷତ୍ର ରୂପରେ ଆକାଶ ମଣ୍ଡଳରେ ଦେଖାଦେଲେ ।

ନିରଞ୍ଜନ ରୂପୀ ବିରାଟ ନିହାରୀକା ମଣ୍ଡଳଟି ବର୍ତ୍ତମାନ ବହୁଭାଗରେ ବିଭକ୍ତ ହୋଇଯିବାରୁ ନକ୍ଷତ୍ର, ନକ୍ଷତ୍ର ମଧ୍ୟରେ, ନୀହାରିକା ମଣ୍ଡଳ ଓ ନୀହାରିକା ମଣ୍ଡଳ ଭିତରେ ଆକ୍ରମଣଜନିତ ଗତି ବା ଦୌଡ଼ ଆରମ୍ଭ ହୋଇଗଲା । ସେତେବେଳେ ମହାକାଶରେ ସେହି ଅବସ୍ଥାକୁ କଳ୍ପନା କରି ମୁନିଋଷିମାନେ କଶ୍ୟପ ଅର୍ଥାତ୍ କର୍କଟ ରାଶିରୁ ଜାତ ସୂର୍ଯ୍ୟ ହେଲେ ବୋଲି କହିଛନ୍ତି । ସୂର୍ଯ୍ୟ ଅର୍ଥ ବର୍ତ୍ତମାନର ସୂର୍ଯ୍ୟଙ୍କୁ ବୁଝାଯିବ ନାହିଁ । ସୂର୍ଯ୍ୟ ଶବ୍ଦର ବ୍ୟୁତ୍ପତ୍ତି ହେଉଛି -(ସୃ + କ.ଯ) । ସୃ-ଧାତୁ ଗତି କରିବା, ଦୌଡ଼ିବା, ବହିବା ଓ ଆକ୍ରମଣ କରିବା ଅର୍ଥରେ ବ୍ୟବହାର କରାଯାଇଥାଏ । ସୂର୍ଯ୍ୟ ଅର୍ଥାତ୍ ନୀହାରିକା ଖଣ୍ଡଗୁଡ଼ିକର ଏହି ଅବସ୍ଥାରୁ ଉତ୍ପନ୍ନ ହେଲେ ମନୁ ନାମକ ପୁତ୍ର । ମନୁ ଶବ୍ଦର ଗୋଟିଏ ଅର୍ଥ ହେଉଛି – ଅଗ୍ନି । ପୁନଶ୍ଚ ଅନ୍ୟ ଅର୍ଥ ହେଉଛି -୭୧ ମହାଯୁଗ ବା ୨୮୪ ଯୁଗ । ଏଠାରେ ଯୁଗ ଶବ୍ଦକୁ କାଳ ଅର୍ଥରେ ଗ୍ରହଣ କରାଯାଇନାହିଁ । ନକ୍ଷତ୍ରମାନଙ୍କର ଯୁଗ ଅର୍ଥାତ୍ ଯୁଗ୍ମ ଓ ମହାଯୁଗ ଅର୍ଥାତ୍ ପୁଞ୍ଜ ବୋଲି କଳ୍ପନା କରାଯାଇଅଛି । ମନୁ ଅର୍ଥାତ୍ ୭୧ଟି ନକ୍ଷତ୍ର ପୁଞ୍ଜ ତହିଁରୁ ପୁନର୍ବାର ଜାତ ହେଲେ । ସେହି ନକ୍ଷତ୍ରପୁଞ୍ଜଗୁଡ଼ିକ ସୁଶୋଣ ଅର୍ଥାତ୍ ଅତିଶୟ ରକ୍ତବର୍ଣ୍ଣ ଏବଂ ତା’ପରେ କ୍ରମଶଃ ସେମାନେ ପ୍ରସନ୍ନ ଅର୍ଥାତ୍ ସ୍ୱଚ୍ଛ, ନିର୍ମଳ, ଉଜ୍ଜ୍ୱଳ ଓ ମନୋହର ଦେଖାଦେଲେ । ତେଣୁ ମନୁଙ୍କର ପୁତ୍ର ସୁଶୋଣ ଏବଂ ସୁଶୋଣଙ୍କର ପୁତ୍ର ପ୍ରସନ୍ନ ବୋଲି କଳ୍ପନା କରାଯାଇଅଛି । ତା’ ପରେ ତାଙ୍କ ପୁତ୍ର ଯୁବନାଶ୍ୱ ଅଯୋଧ୍ୟା ଭୁବନରେ ରାଜା ହେଲେ । ଯୁବନାଶ୍ୱ ଶବ୍ଦର ବିଶ୍ଳେଷଣ ହେଉଛି -(ଯୁବନ + ଅଶ୍ୱ) । ଯୁ + ଅନ୍ = ଯୁବନ୍, ଯୁ-ଧାତୁ ଯୋଗକରିବା, ବାନ୍ଧିବା ଓ ପୃଥକ୍ କରିବା ଅର୍ଥରେ ବ୍ୟବହୃତ ହୁଏ । ପୁନଶ୍ଚ ; ଅଶ୍ ଧାତୁ ପରିବ୍ୟାପ୍ତ ବା ବିସ୍ତୃତ ଅର୍ଥରେ ବ୍ୟବହାର କରାଯାଏ । ତେଣୁ ଯୁବନାଶ୍ୱର ପ୍ରକୃତ ଭାବାର୍ଥ ହେଲା -ପରିବ୍ୟାପ୍ତ ବିସ୍ତୃତ ମହାକାଶରେ ଯେଉଁ ଶକ୍ତି ଗ୍ରହ ନକ୍ଷତ୍ରଗୁଡ଼ିକକୁ ଯୋଗ କରୁଥିଲା ଓ ପୃଥକ୍ କରୁଥିଲା, ଅର୍ଥାତ୍ ଭଙ୍ଗାଗଢ଼ା କାର୍ଯ୍ୟ କରୁଥିଲା । ସେହି ମହାଶକ୍ତି ଅଯୋଧ୍ୟାପୁର (ଅ + ଯୁଦ୍ଧ + ଯ + ଆ) ଅର୍ଥାତ୍ ଦୁର୍ଦ୍ଧର୍ଷ ଅଜେୟ ରାଜ୍ୟ ମହାକାଶରେ ରାଜତ୍ୱ କରୁଥିଲା । ରାମାୟଣରେ ବର୍ଣ୍ଣିତ ଅଛି – ରାଜା ଯୁବନାଶ୍ୱ ଦିନେ କନ୍ଦକ ରାଜାଙ୍କ ଘରକୁ ଗଲେ । ସେଠାରେ ତାଙ୍କର କନ୍ୟା କାଳନେମୀଙ୍କୁ ବିବାହ କଲେ । ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିଲା ନାହିଁ । ଏକଥା କନ୍ଦକ ଜାଣିପାରି ଯୁବନାଶ୍ୱଙ୍କୁ ଅଭିଶାପ ଦେଲେ । ଯୁବନାଶ୍ୱ ଯଜ୍ଞ ଦ୍ୱାରା ଦ୍ୱିଜଗଶଙ୍କୁ ସନ୍ତୁଷ୍ଟ କରି ପୁତ୍ର କାମନା କଲେ । ଦ୍ୱିଜମାନେ ତାଙ୍କୁ ପବିତ୍ର ଜଳ ଦାନ କଲେ ଏବଂ କହିଲେ – “ତୁମର ପତ୍ନୀଙ୍କୁ ଏହି ଜଳ ପାନ କରିବାକୁ ଦେଲେ ତାଙ୍କ ଗର୍ଭରୁ ମହାବୀର ପୁତ୍ରସନ୍ତାନ ଜାତ ହେବେ ।” ରାତ୍ର କାଳରେ ଯୁବନାଶ୍ୱ ସେହି ଜଳକୁ ନେଇ ଗୃହ ମଧ୍ୟରେ ରଖି ଶୋଇଥିଲେ । ସେତେବେଳେ ସେ ଅତିଶୟ ତୃଷିତ ହୋଇ ପଡ଼ିବାରୁ ସେହି ପବିତ୍ର ଜଳକୁ ଭୁଲ୍‌ରେ ପାନ କରିଦେଲେ । ସେ ଜଳପାନ କରିଥିବାରୁ ନିଜେ ଗର୍ଭବତୀ ହେଲେ । ପ୍ରସବ କାଳରେ ଯୁବନାଶ୍ୱ ମଲେ । ତାଙ୍କଠାରୁ ଜନ୍ମ ହେଲେ ମାନ୍ଧାତା (ମାନ୍ଧାତା) । ଏହି କଥାର ତାତ୍ପର୍ଯ୍ୟ ଏହିକି – କନ୍ଦକ ଅର୍ଥ ବିତାନ । ବିତାନ ଶବ୍ଦର ଅର୍ଥ ଶୂନ୍ୟ ଓ ବିସ୍ତାର । ମହାକାଶର ଶୂନ୍ୟମୟ ବିସ୍ତାର ହେଉଛି – କନ୍ଦକ ରାଜା । ତାଙ୍କର କନ୍ୟା ହେଉଛନ୍ତି କାଳନେମୀ । କାଳନେମୀ ଶବ୍ଦର ଅର୍ଥ ହେଲା କାଳଚକ୍ରର ପରିଧି । ନେମୀ ଶବ୍ଦ ଚକ୍ରର ପରିଧିକୁ ବୁଝାଏ । ମହାଶୂନ୍ୟ ପଥରେ କାଳପୁରୁଷର ଗତିପଥର ପରିଧିରେ ଯୁବନାଶ୍ୱ ଅର୍ଥାତ୍ ମହାକର୍ଷଣ ଶକ୍ତି ଯେତେବେଳେ ପଡ଼ିଲା – ତା’ଫଳରେ କାଳ ପୁରୁଷର ଗତିରେ କୌଣସି ପରିବର୍ତ୍ତନ ହେଲାନାହିଁ । – ହେଲା ଯୁବନାଶ୍ୱଙ୍କର । ଯୁବନାଶ୍ୱ ମହାଶକ୍ତି ପ୍ରଜ୍ଜ୍ୱଳିତ ହୋଇ ଦ୍ୱିଜଗଣ ଅର୍ଥାତ୍ ନୀହାରିକା ମଣ୍ଡଳରୁ ଦୁଇଥର ଜାତ ହୋଇଥିବା ଗ୍ରହ ଓ ଗ୍ରହାଣୁ ପୁଞ୍ଜକୁ ଭଙ୍ଗାଗଢ଼ା କାର୍ଯ୍ୟରେ ନିଯୁକ୍ତ କରି ଗର୍ଭବତୀ ହେଲେ । ସେହି ମହାଶକ୍ତିକୁ ବିଦୀର୍ଣ୍ଣ କରି ଦ୍ୱାଦଶ ଆଦିତ୍ୟ ପୁରୁଷ ଜନ୍ମଗ୍ରହଣ କଲେ । ଆଦିତ୍ୟ କହିଲେ ସୂର୍ଯ୍ୟ; ଅଦିତି ଅର୍ଥାତ୍ ଅନ୍ତରୀକ୍ଷରେ ଏମାନେ ଜାତ ବୋଲି ତାଙ୍କର ନାମକରଣ ଏପରି କରାଯାଇଛି । ଏହି ଦ୍ୱାଦଶ ଆଦିତ୍ୟ ପୁରୁଷଙ୍କୁ ମାନ୍ଧାତା ରୂପରେ କଳ୍ପନା କରାଯାଇଛି । ମାନ୍ଧାତା ଶବ୍ଦର ବିଶ୍ଳେଷଣ ହେଉଛି- ମାନ୍ + ଧାତା । ମାନ୍ ଅର୍ଥ ପୁରୁଷ; ଧାତା ଅର୍ଥ ଦ୍ୱାଦଶ ଆଦିତ୍ୟଙ୍କୁ ବୁଝାଏ । ଅନ୍ତରୀକ୍ଷରେ ବାରଗୋଟି ସୌରଜଗତର ସୃଷ୍ଟି ହୋଇଯିବାରୁ ଯୁବନାଶ୍ୱ ଅର୍ଥାତ୍ ଭଙ୍ଗାଗଢ଼ା କରୁଥିବା ନୀହାରିକା ମଣ୍ଡଳର ମହାଶକ୍ତି ଶୂନ୍ୟ ହୋଇଗଲା । ଏଣିକି ବାରଗୋଟି ସୌରଶକ୍ତି ପ୍ରଭାବରେ ନକ୍ଷତ୍ର, ଗ୍ରହ ଓ ଗ୍ରହାଣୁମାନେ ନିୟନ୍ତ୍ରିତ ହେଲେ । ଏହି ମାନ୍ଧାତାମାନେ ସପ୍ତଗୋଟି ଦ୍ୱୀପର ଅଧିପତି ହେଲେ ବୋଲି ପୁରାଣରେ କଥିତ ଅଛି । ସମୁଦ୍ରରେ ଦ୍ୱୀପ ଶୋଭା ପାଇଲା ପରି ସୁନୀଳ ମହାକାଶ ମଧ୍ୟରେ ଅସଂଖ୍ୟ ନୀହାରିକା ଦ୍ୱୀପ ପରି ଶୋଭା ପାଇଲା । ଉକ୍ତ ବାରଗୋଟି ସୂର୍ଯ୍ୟ ସାତଗୋଟି ନୀହାରିକାକୁ ନିଜର ଆୟତ୍ତରେ ରଖିଲେ । ଏହି ସୂର୍ଯ୍ୟମାନେ ଅର୍ଥାତ୍ ବୃହତ୍ ନକ୍ଷତ୍ରଗଣ ମୃଦୁ ମଧୁର ନିଧି ପରି ଆକାଶମଣ୍ଡଳରେ ଶୋଭା ପାଉଥିବାରୁ ମାନ୍ଧାତାଙ୍କ ପୁତ୍ର ମୁଚୁକୁନ୍ଦ ରୂପରେ କଳ୍ପନା କରାଯାଇଛି । ମୁଚୁକୁନ୍ଦ = ମୁଚ୍ + କୁନ୍ଦ, ମୁଚ୍ ଅର୍ଥ ମୃଦୁ ମଧୁର, କୁନ୍ଦ ଅର୍ଥ ନବରତ୍ନ ଭିତରୁ ଗୋଟିଏ ରତ୍ନ ବା ନିଧି । ସେମାନେ ନିଜ ନିଜ କକ୍ଷରେ ପରିଭ୍ରମଣ କରୁଥିଲା ବେଳେ ପରସ୍ପର ମଧ୍ୟରେ ମହାକର୍ଷଣ ଶକ୍ତି ପକାଉଥିଲେ । ତେଣୁ ମୁଚୁକୁନ୍ଦ ସଂଗ୍ରାମରେ ଖୁସି ହୁଅନ୍ତି ବୋଲି ପୁରାଣରେ ଉଲ୍ଲେଖ ଅଛି । ପୂର୍ବରୁ କୁହାଯାଇଛି-ବାରଗୋଟି ସୂର୍ଯ୍ୟ ସାତଗୋଟି ନୀହାରିକା ମଣ୍ଡଳକୁ ନିଜ ନିଜ ଅଧୀନରେ ରଖିଥିଲେ । ସେହି ନୀହାରିକା ମଣ୍ଡଳରୁ ପୃଥୁ ବୋଲି ଜଣେ ରାଜା ଜନ୍ମଗ୍ରହଣ କଲେ । ପୃଥୁ ଅର୍ଥ ବହୁଦୂର ବିସ୍ତୃତ । ପ୍ରଚୁର ଅସଂଖ୍ୟ ଅଗ୍ନିକଣାକୁ ନେଇ ଏକ ପୃଥୁଳ ନକ୍ଷତ୍ରର ଅଭ୍ୟୁଦୟ ହେଲା । ତାଙ୍କର ରଥଚକ୍ର ଘୂର୍ଣ୍ଣନ ଫଳରେ ଛଅଗୋଟି ସାଗର ସୃଷ୍ଟି ହୋଇଥିଲା ବୋଲି କୁହାଯାଇଅଛି । ଏହାର ଅର୍ଥ ଏହିକି – ଏହି ବିରାଟକାୟ ନକ୍ଷତ୍ରଟି ଯେତେବେଳେ ତା’ର ନିଜର କକ୍ଷପଥରେ ଘୂରିବାକୁ ଲାଗିଲା, ଅନ୍ତରୀକ୍ଷ ପଥରେ ତା’ର ମହାକର୍ଷଣ ଶକ୍ତି ପଡ଼ି ସେ ଛଅଗୋଟି ସାଗର ଅର୍ଥାତ୍ ସାଗର ପରି ବହୁ ପରିମିତ ବସ୍ତୁର ଆଧାରକୁ ନିଜର ଆୟତ୍ତରେ ରଖିଲା । ସେହି ବିରାଟକାୟ ନକ୍ଷତ୍ର ଅର୍ଥାତ୍ ପୃଥୁରାଜଙ୍କଠାରୁ ଇକ୍ଷ୍ୱାକୁ ଅର୍ଥାତ୍ ସୂର୍ଯ୍ୟବଂଶର ପ୍ରଥମ ରାଜା – ସୂର୍ଯ୍ୟ (ଜ୍ୟୋତିଃବେଦ ଅନୁସାରେ ନବଗ୍ରହ ମଧ୍ୟରୁ ପ୍ରଥମ ଗ୍ରହ) ଜନ୍ମଗ୍ରହଣ କଲେ । ଏଣିକି ସକଳ ଶକ୍ତିର ଆଧାର ଆମ୍ଭମାନଙ୍କର ଇଷ୍ଟଦେବ ସୂର୍ଯ୍ୟ ଆକାଶ ମଣ୍ଡଳରେ ଉତ୍ପତ୍ତି ହେଲେ । ରାମାୟଣରେ ବର୍ଣ୍ଣିତ ଅଛି- ସୂର୍ଯ୍ୟ, ବଶିଷ୍ଠ ଓ ନାରଦଙ୍କୁ ତାଙ୍କର ରଥର ସାରଥୀ କରିଥିଲେ । ବଶିଷ୍ଠ ନକ୍ଷତ୍ର ଓ ନାରଦ ମହାଶକ୍ତି ପ୍ରଭାବରେ ନକ୍ଷତ୍ରରୂପ ଧାରଣ କରି ସତତ ଆବର୍ତ୍ତ ଅବସ୍ଥାରେ ରହିବାରୁ ତାଙ୍କର ପୁତ୍ର ସଦାବର୍ତ୍ତ ବୋଲି କଳ୍ପନା କରାଯାଇଅଛି । ତା’ ପରେ ତାଙ୍କର ପୁତ୍ର ହେଲେ ଆର୍ଯ୍ୟାବର୍ତ୍ତ । ଆର୍ଯ୍ୟା + ଆବର୍ତ୍ତ = ଆର୍ଯ୍ୟାବର୍ତ୍ତ, ଆର୍ଯ୍ୟ ଶବ୍ଦରଅର୍ଥ ହେଉଛି – ଶାନ୍ତ ଚିତ୍ତ ଓ ଶ୍ରେଷ୍ଠ । ଆବର୍ତ୍ତ ଶବ୍ଦର ଅର୍ଥ ହେଉଛି ରାଜାବର୍ତ୍ତ ବା କୃପାବର୍ତ୍ତ ଅର୍ଥାତ୍ ଧାତୁ ସ୍ରୋତର ଆବର୍ତ୍ତନ । ସୂର୍ଯ୍ୟମଣ୍ଡଳ ସେତେବେଳେ ଶାନ୍ତ ଭାବରେ ଧୀରେ ଧୀରେ ତାଙ୍କର ଗର୍ଭରେ ଥିବା ଆଗ୍ନେୟ ବାଷ୍ପୀୟ ସ୍ରୋତକୁ ଧରି ଆବର୍ତ୍ତନ କଲେ । ତତ୍ପରେ ଆର୍ଯ୍ୟାବର୍ତ୍ତଙ୍କର ପୁତ୍ର ହେଲେ ଭରତ । ଭାଷାକୋଷରେ ଭରତ ଶବ୍ଦର ଅର୍ଥ ବହ୍ନିପୁତ୍ର ଭେଦ ଓ ନଟ ବା ନର୍ତ୍ତକ ବୋଲି ଉଲ୍ଲେଖ ଅଛି । ସୂର୍ଯ୍ୟଙ୍କର ଦେହରେ ଥିବା ଆଗ୍ନେୟ ଗ୍ୟାସୀୟ ବସ୍ତୁଗୁଡ଼ିକ ନର୍ତ୍ତନ କରୁଥିବା ଅବସ୍ଥାରେ ରହିବାରୁ ତାକୁ ଭରତ ରୂପରେ ଚିତ୍ରଣ କରାଯାଇଛି । ସୂର୍ଯ୍ୟଙ୍କୁ ଚାହିଁଲେ ଏହାର ସତ୍ୟତା ଉପଲବ୍ଧି କରିହେବ । ଭରତଙ୍କଠାରୁ ଭୂଧର ନାମରେ ଏକ ପୁତ୍ର ଜାତହେଲେ । ଭୂଧର ଶବ୍ଦର ଅର୍ଥ ବଟୁକ ଭୈରବ । ଅର୍ଥାତ୍ ବାଷ୍ପୀୟ ବସ୍ତୁ ସମୂହ ନର୍ତ୍ତନ କରିବାରୁ ତହିଁରୁ ଭୟଙ୍କର ବାଷ୍ପୀୟ ଧାତୁ ସ୍ରୋତର ଉତ୍ସ ସୃଷ୍ଟି ହେଲା । ଏହି ଆଗ୍ନେୟ ଉତ୍ସ ସମୂହ ଏଣିକି ଭୟଙ୍କର ବିସ୍ଫୋରଣ ଫଳରେ ଖଣ୍ଡ ବିଖଣ୍ଡିତ ହେଲେ । ତେଣୁ ସୂର୍ଯ୍ୟଙ୍କ ଦେହରେ ବହୁ ବାଷ୍ପୀୟ ଫାଟ ଦେଖାଦେଲା, ଯାହାକୁକି ଭୂଧରଙ୍କ ପୁତ୍ର ଖାଣ୍ଡ ବୋଲି କଳ୍ପନା କରାଯାଇଛି । ଖାଣ୍ଡ (ଖଣ୍ଡ + ଭା.ଅ) ଶବ୍ଦର ଅର୍ଥ ହେଉଛି – ଖଣ୍ଡର ବିକାର ବା ଫଟା ହେବା ଅବସ୍ଥା । ଖାଣ୍ଡ ରାଜାଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କଲେ ଦଣ୍ଡ । ଏହି ଦଣ୍ଡରାଜା ଅତି ପ୍ରତାପି ହୋଇ ପ୍ରଜାମାନଙ୍କର କାମିନୀ କନ୍ୟାମାନଙ୍କୁ ବଳାତ୍କାରରେ ହରଣ କଲେ । ଏକଥା ଶୁଣି ଖାଣ୍ଡ ଦୁଃଖିତ ହୋଇ ତାଙ୍କୁ ଶୀଘ୍ର ବିବାହ କରିଦେଲେ । କିଛିଦିନ ପରେ ରାଜା ଖାଣ୍ଡ, ପୁତ୍ର ଦଣ୍ଡକୁ ବନକୁ ପଠାଇଲେ । ସେ ସ୍ଥାନରେ ରାଜା ଦଣ୍ଡ ଦଣ୍ଡକଅରଣ୍ୟ ନାମରେ ଗୋଟିଏ ବନଭୂମି ସ୍ଥାପନ କଲେ । ସେଠାରେ ଶୁକ୍ରମୁନି ବାସ କରୁଥିଲେ । ଦଣ୍ଡ ପ୍ରତିଦିନ ସେଠାକୁ ପଢ଼ିବାକୁ ଯାଆନ୍ତି । ଦିନେ ଶୁକ୍ରଙ୍କ କନ୍ୟା ଅବ୍‌ଜା ଫୁଲ ତୋଳିବାକୁ ଯାଉଥିଲେ । ଦଣ୍ଡ ତାଙ୍କୁ ଆଲିଙ୍ଗନ କରିବାକୁ ଧାଇଁଲେ । ଏହା ଦେଖି ଅବ୍‌ଜା ରାଜା ଦଣ୍ଡଙ୍କୁ ବିନୀତ ଭାବରେ କହିଲେ -“ମୋର ପିତାଙ୍କର ଶିଷ୍ୟ ହେତୁ ତୁମେ ମୋର ସମ୍ପର୍କରେ ଭାଇ ହେବ । ଯଦି ମୋତେ ବିବାହ କରିବାକୁ ଚାହଁ ତେବେ ପିତାଙ୍କ ସମ୍ମୁଖରେ ତୁମର ନିବେଦନ ଜଣାଅ ।” ସେତେବେଳେ ଶୁକ୍ର ସେଠାରେ ଉପସ୍ଥିତ ନଥିଲେ । ଦଣ୍ଡ କହିଲେ – “ପଛରେ ବିବାହ ହେବ । ଆଗେ ତୁମ ଦେହର ଆଲିଙ୍ଗନ ଦିଅ ।” ଶୁକ୍ରକନ୍ୟା ବୋଲି ବିଚାର ନ କରି ରାଜା ତାଙ୍କୁ ବଳାତ୍କାରରେ ହରଣ କଲେ । ତା’ ପରେ ଶୁକ୍ର ତପସ୍ୟା କରି ନିଜ ଗୃହକୁ ଫେରିଲେ । କନ୍ୟାକୁ ଦେଖି ମୁନି ଅତ୍ୟନ୍ତ କୁପିତ ହୋଇ କହିଲେ -“ଅବ୍‌ଜା, ଏକି ଆଶ୍ଚର୍ଯ୍ୟର କଥା ! ତୋର ସର୍ବାଙ୍ଗରେ ଶୃଙ୍ଗାରର ଲକ୍ଷଣ ପ୍ରକାଶ ପାଉଛି କିପରି ?” ଲଜ୍ଜା ଦୂର କରି ଅବ୍‌ଜା କହିଲେ, “ପିତା ! ତୁମର ଶିଷ୍ୟ ଦଣ୍ଡରାଜା ଆମର ଜାତି ନାଶ କରିଅଛି ।” ପରଦିନ ଦଣ୍ଡ ଯେତେବେଳେ ଅଧ୍ୟୟନ କରିବାକୁ ଆସିଲେ ଶୁକ୍ରମୁନି ଅତିଶୟ କୁପିତ ହୋଇ ତାଙ୍କୁ କହିଲେ “ମୁଁ ପାଠ ପଢ଼ାଇ ତୁମକୁ ଯାହା ଜ୍ଞାନ ଦେଇଥିଲି ତୁମେ ଏଠାରେ ତା’ର ଦକ୍ଷିଣା ଭଲରୂପେ ଦେଇ ସାରିଲଣି ।” ଏହା କହି ଅତ୍ୟନ୍ତ କୋପ ନେତ୍ରରେ ମୁନି ଦଣ୍ଡ ରାଜାଙ୍କୁ ଚାହିଁବାରୁ ସେ ତତ୍‌କ୍ଷଣାତ୍ ତାଙ୍କ ଅରଣ୍ୟ ରାଜ୍ୟ ସହିତ ଭସ୍ମୀଭୂତ ହୋଇଗଲେ । ସୂର୍ଯ୍ୟବଂଶର ରାଜା ସେହି ଠାରୁ ନିର୍ବଂଶ ହେଲେ ।

ଏହି କଥାର ତାତ୍ପର୍ଯ୍ୟ ଏହିକି -ସୂର୍ଯ୍ୟଙ୍କ ଦେହରେ ଭୟଙ୍କର ବିସ୍ଫୋରଣ ଘଟି ବିରାଟ ବାଷ୍ପୀୟ ଫାଟର ସୃଷ୍ଟି ହେଲା । ଏହି ଫାଟ ମଧ୍ୟରୁ ଉତ୍ପନ୍ନ ସୌରରଶ୍ମି ସେତେବେଳେ ପ୍ରାଥମିକ ଅବସ୍ଥାରେ ଥିବାରୁ ତାହା ସ୍ଥିର ହୋଇ ପଡୁନଥିଲା । – ସେ ଦଣ୍ଡ ଭୋଗୁଥିଲା । ତେଣୁ ତାର ନାମ ଦଣ୍ଡରାଜା । ଖାଣ୍ଡରାଜା ଅର୍ଥାତ୍ ଗ୍ୟାସୀୟ ଫାଟ ଦେହରୁ ନିର୍ଗତ ଦଣ୍ଡରାଜା ବା ପ୍ରଥମ ସୌରରଶ୍ମୀ ପ୍ରଜାମାନଙ୍କର ଅର୍ଥାତ୍ ସେହି ସୂର୍ଯ୍ୟଙ୍କ ଚାରିପାଖରେ ପରିଭ୍ରମଣ କରୁଥିବା ଗ୍ରହନକ୍ଷତ୍ରମାନଙ୍କର କାମିନୀ କନ୍ୟାଙ୍କୁ ଅପହରଣ କଲା । କନ୍ ଧାତୁ କିରଣ ଦେବା ଅର୍ଥରେ ଗ୍ରହଣ କରାଯାଇଥାଏ । ସୌରଜଗତର ଅନ୍ୟାନ୍ୟ ଗ୍ରହନକ୍ଷତ୍ରମାନଙ୍କର ଶରୀରରୁ ନିର୍ଗତ କିରଣ ବା ପ୍ରଭାକୁ ଏଠାରେ ସେମାନଙ୍କର କନ୍ୟା ରୂପରେ କଳ୍ପନା କରାଯାଇଅଛି । ସୌରରଶ୍ମି ସେମାନଙ୍କ ଉପରେ ପଡ଼ିବାରୁ ତାଙ୍କର ପ୍ରଭା ନ୍ୟୁନ ହେଲା । ଖଣ୍ଡରାଜା ଏଥିପାଇଁ ଦୁଃଖିତ ହୋଇ ତାଙ୍କର ପୁତ୍ର ଦଣ୍ଡକୁ ବନଭୂମିକୁ ପଠାଇ ଦେଲେ । ବନ କହିଲେ ଜଳକୁ ବୁଝାଏ । ସେତେବେଳେ ଜଳପୂର୍ଣ୍ଣ ଗ୍ରହ ହିସାବରେ ସୌର ଜଗତରେ ଏକମାତ୍ର ଶୁକ୍ରଗ୍ରହ ଅବସ୍ଥିତ ଥିଲେ । କାରଣ ଶୁକ୍ରଗ୍ରହ ବହୁପୂର୍ବରୁ ନୀହାରିକା ମଣ୍ଡଳରୁ ସୃଷ୍ଟି ହୋଇ ସାରିଥିଲେ । ସେଠାରେ ସୂର୍ଯ୍ୟଙ୍କର ପ୍ରାଥମିକ ସୌରରଶ୍ମି ଅର୍ଥାତ୍ ଦଣ୍ଡରାଜା ତାଙ୍କର ଦଣ୍ଡକା ଅରଣ୍ୟ ପ୍ରତିଷ୍ଠା କଲେ । ସୌରରଶ୍ମି ସେଠାରେ ବହୁ ପରିମାଣରେ ପଡ଼ିଅରଣ୍ୟ ସଦୃଶ ଦେଖାଯାଉଥିଲା ଏବଂ ତାହା ଭଲଭାବରେ ଶୁକ୍ରଗ୍ରହର ତଳ ସ୍ପର୍ଶ କରିପାରୁ ନଥିବାରୁ, ସେହି ଅବସ୍ଥାକୁ ଦଣ୍ଡକ ଅରଣ୍ୟ ରୂପରେ ବର୍ଣ୍ଣନା କରାଯାଇଅଛି । ଶୁକ୍ରଙ୍କର କନ୍ୟା ଅବ୍‌ଜାକୁ ଦଣ୍ଡରାଜା ବଳାତ୍କାରରେ ଆଲିଙ୍ଗନ କଲେ । ଏହାର ଅର୍ଥ ଏହିକି -ଅବ୍‌ଜା (ଅପ୍ + ଜନ + ଆ) ଶବ୍ଦର ଅର୍ଥ ହେଉଛି – ଯେ’ଜଳରୁ ଜାତ । ଶୁକ୍ରଗ୍ରହରେ ଥିବା ଜଳରୁ ଜାତ ଜଳୀୟକଣାଗୁଡ଼ିକ ଉପରେ ପ୍ରଥମେ ସୌରରଶ୍ମି ପଡ଼ିଲା । ଜଳୀୟବାଷ୍ପ ମଣ୍ଡଳରେ ସୌରରଶ୍ମି ପଡ଼ି ଲୀନ ହେବାରୁ ଦଣ୍ଡରାଜା ଧ୍ୱଂସ ପାଇଗଲେ ବୋଲି କଳ୍ପନା କରାଯାଇଛି । ପାଠକମାନେ ବର୍ତ୍ତମାନର ସୌର ରଶ୍ମୀ ସହିତ ସୂର୍ଯ୍ୟଙ୍କର ଉତ୍ପତ୍ତି କାଳର ସୌର ରଶ୍ମୀକୁ ତୁଳନା କଲେ ନିଶ୍ଚୟ ଭ୍ରମରେ ପଡ଼ିବେ । ସେତେବେଳେ ସୂର୍ଯ୍ୟଙ୍କ ଦେହରୁ ନିର୍ଗତ ରଶ୍ମି ବାଲ୍ୟାବସ୍ଥାରେ ଥିଲା । ଦଣ୍ଡରାଜା ସିନା ଶୁକ୍ରଙ୍କ ଅଭିଶାପରୁ ଭସ୍ମ ହୋଇଗଲେ; କିନ୍ତୁ ଅବ୍‌ଜା ସେତେବେଳକୁ ଗର୍ଭବତୀ ହୋଇସାରିଥିଲେ । କିଛିଦିନ ପରେ ଦଣ୍ଡରାଜାଙ୍କ ଔରସରୁ ଅବ୍‌ଜାଙ୍କ ଗର୍ଭରୁ ଏକ ପୁତ୍ରସନ୍ତାନ ଜାତହେଲା ତାଙ୍କର ନାମ ହେଉଛି ହରିତ । ହରିତ ଶବ୍ଦର ଅର୍ଥ ହଳଦିଆ ବର୍ଣ୍ଣ । ଶୁକ୍ରଙ୍କର ଜଳୀୟବାଷ୍ପ ମଣ୍ଡଳରେ ସୌରରଶ୍ମି ନିପତିତ ହୋଇ ସୁବର୍ଣ୍ଣ ବର୍ଣ୍ଣ ଧାରଣ କଲା । କିଛିକାଳ ପରେ ହରିତ ରାଜାଙ୍କର ହରିବୀଜ ନାମରେ ଗୋଟିଏ ପୁତ୍ରସନ୍ତାନ ଜାତ ହେଲା । ସେ ଅଯୋଧ୍ୟା ଭୁବନରେ ପୁନର୍ବାର ରାଜା ହେଲେ । ହରି ଶବ୍ଦର ଅର୍ଥ ହେଉଛି -ସୂର୍ଯ୍ୟ ; ବୀଜ ଅର୍ଥ ବୀର୍ଯ୍ୟ ବା ତେଜଃ । ସୌର ରଶ୍ମିର ସୁବର୍ଣ୍ଣ ବର୍ଣ୍ଣରୁ ଏଣିକି ତେଜଃ ବିକିରିତ ହେଲା ଏବଂ ସୂର୍ଯ୍ୟଙ୍କର ଏହି ସୁବର୍ଣ୍ଣ ତେଜଃ ଅଯୋଧ୍ୟା ଭୁବନ ଅର୍ଥାତ୍ ଅଜେୟ ରାଜ୍ୟ ସଦୃଶ ଶୋଭା ପାଉଥିବାଅନ୍ତରୀକ୍ଷ ମଣ୍ଡଳରେ ତା’ର ରାଜତ୍ୱ ଆରମ୍ଭ କରିଦେଲା ।

ରାଜା ହରିବୀଜଙ୍କଠାରୁ ହରିଶ୍ଚନ୍ଦ୍ର ନାମରେ ବିଖ୍ୟାତ ନରପତି ଜନ୍ମଗ୍ରହଣ କରିଥିଲେ । ସେ ସୋମଦତ୍ତ ନାମକ ରାଜାଙ୍କର କନ୍ୟା ସବ୍ୟାଙ୍କୁ ବିବାହ କଲେ । ସବ୍ୟାଙ୍କୁ ବିବାହ କରି ସେ ଅତି ହୃଷ୍ଟ ଚିତ୍ତରେ ରାଜ୍ୟଶାସନ କରୁଥିଲେ । ଦିନେ ଇନ୍ଦ୍ରଙ୍କର ରାଜସଭାରେ ପଞ୍ଚ ଦେବକନ୍ୟା ନୃତ୍ୟ କରୁଥିଲେ । ନୃତ୍ୟରତା ପଞ୍ଚଦେବକନ୍ୟା ଆତ୍ମବିଭୋର ହୋଇ ତାଳଭଙ୍ଗ କରିବାରୁ ଦେବରାଜ ଇନ୍ଦ୍ର କ୍ରୂଧିତ ହୋଇ ଅଭିଶାପ ଦେଲେ -“ତୁମ୍ଭେମାନେ ବିଶ୍ୱାମିତ୍ର ଋଷିଙ୍କ ଆଶ୍ରମସ୍ଥ ତପୋବନରେ ବନ୍ଧାହୋଇ ବାସକର ।” ଦେବକନ୍ୟାମାନେ ଇନ୍ଦ୍ରଙ୍କର ଚରଣ ଧରି କାନ୍ଦିବାରୁ ସେ କହିଲେ- “ହରିଶ୍ଚନ୍ଦ୍ର ରାଜାଙ୍କର ଦର୍ଶନ ପାଇଲେ ତୁମ୍ଭେମାନେ ଶାପମୁକ୍ତ ହେବ ।”

ପ୍ରତିଦିନ ପଞ୍ଚ ଦେବକନ୍ୟା ବିଶ୍ୱାମିତ୍ରଙ୍କ ତପୋବନକୁ ପୁଷ୍ପଚୟନ କରିବାକୁ ଆସନ୍ତି । ଦିନେ ପୁଷ୍ପବୃକ୍ଷ ଗୁଡ଼ିକର ଡ଼ାଳ ଭାଙ୍ଗିଯାଇଥିବାରୁ ଋଷି ଅତ୍ୟନ୍ତ କୁପିତ ହୋଇ ଅଭିଶାପ ଦେଲେ ଯେ – ଯେଉଁମାନେ ମୋର ଅନୁପସ୍ଥିତିରେ ଆସି ପୁଷ୍ପବାଟିକା ଧ୍ୱଂସ କରୁଛନ୍ତି, ସେମାନ ପୁଷ୍ପବୃକ୍ଷ ସ୍ପର୍ଶ କରିବା ମାତ୍ରେ ତହିଁରେ ବାନ୍ଧିହୋଇ ରହିବେ । ପରଦିନ ପଞ୍ଚଦେବକନ୍ୟା ଆସି ପୁଷ୍ପ ଆହରଣ କରିବା ମାତ୍ରେ ଲତା ବନ୍ଧନରେ ପଡ଼ିଲେ । ପ୍ରଭାତରେ ମୁନି ଏହି କନ୍ୟାମାନଙ୍କୁ ଦେଖି ଅନେକ ଭତ୍ସନା କଲେ ଏବଂ ତପସ୍ୟା ନିମିତ୍ତ ସ୍ଥାନାନ୍ତର ଗମନ କଲେ । ଏହି ସମୟରେ ରାଜା ହରିଶ୍ଚନ୍ଦ୍ର ମୃଗୟା ଉଦ୍ଦେଶ୍ୟରେ ଅରଣ୍ୟ ପଥ ଭ୍ରମଣ କରି କ୍ଳାନ୍ତ ହୋଇ ଏକ ବୃକ୍ଷମୂଳରେ ଉପବେଶନ କଲେ । ଏତିକିବେଳେ କନ୍ୟାମାନଙ୍କର କ୍ରନ୍ଦନ ଧ୍ୱନି ତାଙ୍କର କର୍ଣ୍ଣପଥରେ ପଡ଼ିଲା । ସେ ବିଶ୍ୱାମିତ୍ରଙ୍କ ତପୋବନକୁ ଯାଇଁ ପଞ୍ଚଦେବକନ୍ୟାଙ୍କୁ ଲତାବନ୍ଧନରେ ଥିବାର ଦେଖିଲେ । ଅତିଶୟ ଦୁଃଖିତ ହୋଇ ସେ, ସେମାନଙ୍କୁ ସ୍ପର୍ଶ କଲାମାତ୍ରେ ଦେବକନ୍ୟାମାନେ ବନ୍ଧନ ମୁକ୍ତ ହୋଇ ସ୍ୱର୍ଗ ରାଜ୍ୟକୁ ଚାଲିଗଲେ । ରାଜା ହରିଶ୍ଚନ୍ଦ୍ର ଅତି ଆଶ୍ଚର୍ଯ୍ୟ ହୋଇ ସ୍ୱରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ । କିଛିଦିନ ପରେ ବିଶ୍ୱାମିତ୍ର ଆସି ଦେଖିଲେ ଯେ ଦେବକନ୍ୟାମାନେ ବନ୍ଧନ ମୁକ୍ତ ହୋଇ କେଉଁଆଡ଼େ ଚାଲିଯାଇଛନ୍ତି । ତେଣୁ ସେ ତପସ୍ୟା ବଳରେ ସବୁକଥା ଜାଣିପାରି ଅତିଶୟ କ୍ରୋଧାନ୍ୱିତ ହୋଇ ରାଜା ହରିଶ୍ଚନ୍ଦ୍ରଙ୍କର ରାଜ୍ୟକୁ ଗଲେ ଏବଂ ସେଠାରେ ଛଳନା କରି ତାଙ୍କଠାରୁ ସମସ୍ତ ରାଜ୍ୟ ଓ ଧନ ଦାନ ସ୍ୱରୂପ ଗ୍ରହଣ କଲେ । ରାଜା ହରିଶ୍ଚନ୍ଦ୍ର ବିଶ୍ୱାମିତ୍ରଙ୍କର ଏ ଛନ୍ଦ ବୁଝିପାରିଲେ ନାହିଁ । ଦାନ ଗ୍ରହଣ ପରେ ବିଶ୍ୱାମିତ୍ର ସାତକୋଟି ସ୍ୱର୍ଣ୍ଣମୁଦ୍ରା ଦକ୍ଷିଣା ସ୍ୱରୂପ ମାଗିଲେ । ରାଜା ହରିଶ୍ଚନ୍ଦ୍ର ସେତେବେଳେ ସର୍ବହରା ଥିଲେ; ତେଣୁ ସେ ସାତଦିନ ସମୟ କଣ୍ଟ ରଖି ରାଣୀ ସବ୍ୟା, ପୁତ୍ର ରୋହିତାଶ୍ୱଙ୍କୁ ସଙ୍ଗରେ ନେଇ ବାରାଣସୀ ଗମନ କଲେ । ଏହି କାଶୀଧାମରେ ସେ ସ୍ତ୍ରୀ ଓ ପୁତ୍ରକୁ ବିକ୍ରୟ କରି ନିଜେ ଜଣେ ଚଣ୍ଡାଳ ଘରେ ଶ୍ମଶାନରକ୍ଷୀ ରୂପେ ରହି ବିଶ୍ୱାମିତ୍ରଙ୍କ ଦକ୍ଷିଣା ପରିଶୋଧ କରିଥିଲେ ।

ସେଠାରେ ରୋହିତାଶ୍ୱ ସର୍ପ ଦଂଶନରେ ମଲା । ରାଣୀ ଏକୁଟିଆ ଶ୍ମଶାନକୁ ଯାଇ ପୁତ୍ର ରୋହିତାଶ୍ୱର ଚିତାଗ୍ନି ଜାଳିଲାବେଳେ ରାଜା ହରିଶ୍ଚନ୍ଦ୍ରଙ୍କର ସାକ୍ଷାତ ପାଇଥିଲେ । ତା’ ପରେ ଧର୍ମଦେବତା ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ ପୁତ୍ର ରୋହିତାଶ୍ୱକୁ ପୁନଃଜୀବନ ଦାନକଲେ । ରାଜା ହରିଶ୍ଚନ୍ଦ୍ର ତାଙ୍କର ଅଯୋଧ୍ୟା ରାଜ୍ୟ ପୁଣି ଫେରି ପାଇଲେ । ଅଯୋଧ୍ୟାରେ ସେ ଏକ ରାଜସୂୟ ଯଜ୍ଞ ଆରମ୍ଭ କଲେ । ଯଜ୍ଞ କାର୍ଯ୍ୟ ଶେଷ ହେବା ପରେ ପୁତ୍ର ରୋହିତାଶ୍ୱଙ୍କୁ ରାଜ୍ୟଭାର ଦେଇ ରାଜା ସ୍ୱଦେହରେ ସ୍ୱର୍ଗ ରାଜ୍ୟ ଯାତ୍ରା କଲେ । ଦେବଗଣଙ୍କର କପଟାଚରଣ ହେତୁ ସେ ସ୍ୱର୍ଗରାଜ୍ୟକୁ ଯାଇ ନ ପାରି ସ୍ୱର୍ଗ ଓ ମର୍ତ୍ତ୍ୟ ପଥର ମଧ୍ୟରେ ଅବସ୍ଥାନ କଲେ । ଏହା ହେଲା ରାଜା ହରିଶ୍ଚନ୍ଦ୍ର ଉପାଖ୍ୟାନର ସଂକ୍ଷିପ୍ତ ବିଷୟବସ୍ତୁ । ବର୍ତ୍ତମାନ ଏହାର ତାତ୍ତ୍ୱିକ ଆଲୋଚନା କରିବା ।

ସୂର୍ଯ୍ୟଙ୍କର ହରିବୀଜ ବା ସୁବର୍ଣ୍ଣ ତେଜଃରୁ ହରିଶ୍ଚନ୍ଦ୍ର ଜନ୍ମଗ୍ରହଣ କଲେ । ହରିଶ୍ଚନ୍ଦ୍ର ଶବ୍ଦର ବ୍ୟୁତ୍ପତ୍ତି ହେଉଛି – ହରିଃ + ଚନ୍ଦ୍ର । ହରି ଶବ୍ଦର ଅର୍ଥ ହେଉଛି – ସୂର୍ଯ୍ୟ ଓ ଚନ୍ଦ୍ର । ଚନ୍ଦ୍ର ଅର୍ଥ ରମଣୀୟ ବା ମନୋହର । ଯେଉଁ ଗ୍ରହ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ଅତି ରମଣୀୟ ଦେଖାଯାଆନ୍ତି; ସେ ହେଉଛନ୍ତି ସୌରଜଗତରେ ବୃହତ୍ତମ ଗ୍ରହ ବୃହସ୍ପତି । ତେଣୁ ହରିଶ୍ଚନ୍ଦ୍ର ହେଲେ ଗ୍ରହରାଜ ବୃହସ୍ପତି । ସେ ପୁଣି ସୋମଦତ୍ତ ରାଜାଙ୍କ କନ୍ୟା ସବ୍ୟାଙ୍କୁ ବିବାହ କଲେ କିପରି ? ବୈଜ୍ଞାନିକମାନେ ବର୍ତ୍ତମାନ ଜାଣି ପାରିଛନ୍ତି ବୃହସ୍ପତି ଗ୍ରହଙ୍କର ୧୨ ଗୋଟି ଚନ୍ଦ୍ର ଓ ଉପଗ୍ରହ ଅଛି । ସେଥିମଧ୍ୟରୁ ଖାଲି ଆଖିକୁ ଚାରିଗୋଟି ଉପଗ୍ରହ ଦେଖାଯାଆନ୍ତି ଓ ସେଗୁଡ଼ିକ ପ୍ରଥମେ ଗାଲିଲିଓଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲେ । କିନ୍ତୁ ବହୁପୂର୍ବରୁ ଆର୍ଯ୍ୟମନୀଷୀମାନେ ବୃହସ୍ପତିଙ୍କର ପାଞ୍ଚଗୋଟି ଚନ୍ଦ୍ର ଥିବାର ଜାଣିପାରିଥିଲେ । ଏହି ଚନ୍ଦ୍ରମାନେ ହେଉଛନ୍ତି – ସୋମଦତ୍ତ ରାଜା । ସୋମ ଅର୍ଥ ଚନ୍ଦ୍ର ,ଏହି ପାଞ୍ଚଗୋଟି ଅଧୁନା ବାରଗୋଟି ଚନ୍ଦ୍ରଙ୍କ ଦ୍ୱାରା ଦତ୍ତ ଜ୍ୟୋତ୍ସ୍ନାଲୋକ ଦ୍ୱାରା ବୃହସ୍ପତି ଉଦ୍ଭାସିତ ହେଉଥିବାରୁ ସେହି ମିଳିତ ଚନ୍ଦ୍ରାଲୋକକୁ ସେମାନଙ୍କର କନ୍ୟା ସବ୍ୟା ରୂପରେ ଚିତ୍ରଣ କରାଯାଇଅଛି । ସବ୍ୟା ଶବ୍ଦର ଅର୍ଥ ହେଉଛି – ଚନ୍ଦ୍ରାବଳୀଙ୍କର ଅନ୍ତରଙ୍ଗ ସଖୀ ବିଶେଷ ; ଅର୍ଥାତ୍ ଚନ୍ଦ୍ର + ଆବଳୀ ବା ଚନ୍ଦ୍ର ସମୂହଙ୍କର ଅନ୍ତରଙ୍ଗ ସଖୀ ବା ମିଳିତ ଚନ୍ଦ୍ରାଲୋକ । ସବ୍ୟା ଅର୍ଥାତ୍ ଏହି ମିଳିତ ଚନ୍ଦ୍ରାଲୋକ ପାଇ ରାଜା ହରିଶ୍ଚନ୍ଦ୍ର ଅର୍ଥାତ୍ ଗ୍ରହରାଜ ବୃହସ୍ପତି ଅତି ଉଲ୍ଲସିତ ଥିଲେ ।

ବିଶ୍ୱାମିତ୍ରଙ୍କ ସମ୍ପର୍କରେ ପରବର୍ତ୍ତୀ ପ୍ରବନ୍ଧରେ ବିଶେଷ ଆଲୋଚନା କରାଯିବ । ବିଶ୍ୱର ଯେ’ ମିତ୍ରତା ସଂପାଦନ କରନ୍ତି, ଅର୍ଥାତ୍ ସୌର ରଶ୍ମିକୁ ବୁଝାଯିବ । ଇନ୍ଦ୍ର ଶବ୍ଦର ଗୋଟିଏ ଅର୍ଥ ହେଉଛି – ଆମ ସୌର ଜଗତର ଶ୍ରେଷ୍ଠ ନକ୍ଷତ୍ର ସୂର୍ଯ୍ୟ । ଇନ୍ଦ୍ର ଅର୍ଥାତ୍ ସୂର୍ଯ୍ୟଙ୍କ ରାଜସଭା ବା ମଣ୍ଡଳରେ ପାଞ୍ଚଗୋଟି ଦେବକନ୍ୟା ନୃତ୍ୟ କରୁଥିଲେ । ଏଠାରେ ପାଞ୍ଚଗୋଟି ଦେବକନ୍ୟା ହେଉଛନ୍ତି ବୃହସ୍ପତି ମହାଗ୍ରହର ପାଞ୍ଚଗୋଟି ଉପଗ୍ରହ ବା ଚନ୍ଦ୍ର । ଏହି ପାଞ୍ଚଗୋଟି ଚନ୍ଦ୍ର ସୌରଜଗତରେ ନୃତ୍ୟ କରୁଥିଲା ବେଳେ ବିଶ୍ୱାମିତ୍ର ଅର୍ଥାତ୍ ସୌରରଶ୍ମି ପ୍ରଭାବରେ କିରଣମଣ୍ଡଳରେ ବା ବିଶ୍ୱାମିତ୍ରଙ୍କ ଆଶ୍ରମର ବାନ୍ଧିହୋଇ ରହିଥିଲେ । ଯେତେବେଳେ ବୃହସ୍ପତି ଅର୍ଥାତ୍ ରାଜା ହରିଶ୍ଚନ୍ଦ୍ର ନିଜର କକ୍ଷ ପଥରେ ପରିଭ୍ରମଣ କରୁ କରୁ ବିଶ୍ୱାମିତ୍ରଙ୍କ ଆଶ୍ରମ ଅର୍ଥାତ୍ ସୌରରଶ୍ମିମାନଙ୍କର ଗୃହ, ସୂର୍ଯ୍ୟଙ୍କର ନିକଟ ହେଲେ ସେତେବେଳେ ତାଙ୍କର ସ୍ପର୍ଶ ଅର୍ଥାତ୍ ଆକର୍ଷଣ ଫଳରେ ପାଞ୍ଚ ଦେବକନ୍ୟା ଅର୍ଥାତ୍ ପାଞ୍ଚଗୋଟି ଚନ୍ଦ୍ର ବନ୍ଧନ ମୁକ୍ତ ହୋଇ ବୃହସ୍ପତିଙ୍କ ସହିତ ଅନ୍ତରୀକ୍ଷ ମଣ୍ଡଳରେ ସୂୂର୍ଯ୍ୟଙ୍କ ଠାରୁ ବହୁଦୂରକୁ ଚାଲିଗଲେ । ସେହି ପାଞ୍ଚଗୋଟି ଚନ୍ଦ୍ର ସେହିଦିନଠାରୁ ବୃହସ୍ପତିଙ୍କୁ ପରିକ୍ରମା କରିବାକୁ ଲାଗିଲେ ।

ସେତେବେଳେ ବୃହସ୍ପତିଙ୍କର ବାଲ୍ୟାବସ୍ଥା ଥିବାରୁ ସେ ସୂର୍ଯ୍ୟଙ୍କ ପରି ଗ୍ୟାସୀୟ ଅଗ୍ନିସ୍ରୋତରେ ପୂର୍ଣ୍ଣ ଥିଲେ । ତେଣୁ ବିଶ୍ୱାମିତ୍ରଙ୍କର ପ୍ରଭାବ ସେଠାରେ ନ ଥିଲା । ଯେତେବେଳେ ସେ କ୍ରମଶଃ ଶୀତଳ ହେଲେ ସେଠାରେ ବିଶ୍ୱାମିତ୍ର ଅର୍ଥାତ୍ ସୂର୍ଯ୍ୟକିରଣ ତାଙ୍କର ରାଜତ୍ୱ ଆରମ୍ଭ କରିଦେଲେ । ଏହି କଥାକୁ ଅବଲମ୍ୱନ କରି ପୁରାଣରେ ବିଶ୍ୱାମିତ୍ରଙ୍କର ଦାନ ଗ୍ରହଣ କଥା ବର୍ଣ୍ଣନା କରାଯାଇଅଛି ।

ବୃହସ୍ପତି ଅର୍ଥାତ୍ ହରିଶ୍ଚନ୍ଦ୍ର ରାଜ୍ୟହରା ହୋଇ ଅର୍ଥାତ୍ ନିଜର ଜ୍ୟୋତିଃ ହରାଇ କାଶୀଧାମର ବାରାଣସୀ ବା ମହାଶ୍ମଶାନରେ ଥିଲାବେଳେ ପୁତ୍ର ରୋହିତାଶ୍ୱ ମଲା । ପୂର୍ବରୁ ସୌରରଶ୍ମି ପ୍ରଭାବରେ ଅର୍ଥାତ୍ ବିଶ୍ୱାମିତ୍ରଙ୍କ ଯୋଗୁଁ ସବ୍ୟା ଅର୍ଥାତ୍ ମିଳିତ ଚନ୍ଦ୍ରାଲୋକ ତାଙ୍କଠାରୁ ଦୂରେଇ ଯାଇଥିଲେ । ପୁତ୍ର ରୋହିତାଶ୍ୱଙ୍କର ମୃତ୍ୟୁ ଓ ପୁନଃଜୀବନ ଲାଭର ତାତ୍ପର୍ଯ୍ୟ ଏହିିକି – ପୁନର୍ବାର ଯେତେବେଳେ ବୃହସ୍ପତି ତାଙ୍କର ପାଞ୍ଚଗୋଟି ଚନ୍ଦ୍ରଙ୍କୁ ନେଇ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହେଲେ ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ପ୍ରଭାବରେ ବୃହସ୍ପତିଙ୍କ ଠାରୁ ଗୋଟିଏ ଚନ୍ଦ୍ର ଚାଲି ଯାଇଁ ସୂର୍ଯ୍ୟ ପରିକ୍ରମା କଲା । ଏହି ଚନ୍ଦ୍ର ହେଉଛି – ରୋହିତାଶ୍ୱ ଅର୍ଥାତ୍ ରୋହିତ ଅଶ୍ୱ ବା ରକ୍ତ ରଶ୍ମି ଯାହାର । ରୋହିତ ଶବ୍ଦର ଅର୍ଥ ଲୋହିତ ବା ରକ୍ତବର୍ଣ୍ଣ । ସୂର୍ଯ୍ୟଙ୍କର ସପ୍ତ ଅଶ୍ୱ ବା ସପ୍ତ ରଶ୍ମି ମଧ୍ୟରୁ ଏକତମ । ସୌରଜଗତରେ ରକ୍ତବର୍ଣ୍ଣର ଗ୍ରହ ହେଉଛନ୍ତି ଆମର ନିକଟତମ ଗ୍ରହ ମଙ୍ଗଳ । ଏହା ବୃହସ୍ପତିଙ୍କ ଠାରୁ ବିଚ୍ୟୁତ ହୋଇ ମରିଥିଲେ । ପୁଣି ଧର୍ମରାଜ ଅର୍ଥାତ୍ ସୂର୍ଯ୍ୟଙ୍କ ପ୍ରଭାବରେ ଜୀବନ୍ତ ହୋଇ ଉଠିଲେ । ଏଠାରେ ବାରାଣସୀର ମହାଶ୍ମଶାନ ରୂପରେ ବୃହସ୍ପତିଙ୍କ କକ୍ଷପଥକୁ କଳ୍ପନା କରାଯାଇଅଛି । ସୌର ଆକର୍ଷଣକୁ ସର୍ପ ରୂପ ଦିଆଯାଇଅଛି ।

ପୃଥିବୀ ଓ ବୃହସ୍ପତିଙ୍କର ମଧ୍ୟଭାଗରେ ମଙ୍ଗଳ ଅବସ୍ଥାନ କରୁଥିବାରୁ ପୃଥିବୀ ଠାରୁ ତାଙ୍କର ଦୂରତା ବଢ଼ିଯାଇଛି । ତେଣୁ ହରିଶ୍ଚନ୍ଦ୍ର ସ୍ୱର୍ଗ ଓ ମର୍ତ୍ତ୍ୟର ମଧ୍ୟବର୍ତ୍ତୀ ସ୍ଥାନରେ ରହିଗଲେ ବୋଲି ପୁରାଣରେ କଥିତ ହୋଇଅଛି । ବୃହସ୍ପତି ଆମ ସୌରଜଗତର ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ ଥିବା ଏକ ଗ୍ରହ ।

କେତେକ ଆର୍ଯ୍ୟମନୀଷୀ ବୃହସ୍ପତିଙ୍କୁ ପୃଥୁ ଅର୍ଥାତ୍ ପୃଥୁଳ ନୀହାରିକା (ଯାହା ପୂର୍ବରୁ କୁହାଯାଇଅଛି) ମଣ୍ଡଳରୁ ଜାତ ବୋଲି କହିଛନ୍ତି । ସେମାନେ ପୃଥୁଙ୍କୁ ସୂର୍ଯ୍ୟବଂଶର ପଞ୍ଚମରାଜା ଅର୍ଥାତ୍ ଜ୍ୟୋତିଷ ଶାସ୍ତ୍ର ମତରେ ରବି, ଚନ୍ଦ୍ର, ଆଦି ପଞ୍ଚମଗ୍ରହ ବୃହସ୍ପତି ରୂପରେ ଗ୍ରହଣ କରିଛନ୍ତି ।

ସେହି ରକ୍ତବର୍ଣ୍ଣ ବିଶିଷ୍ଟ ମଙ୍ଗଳଗ୍ରହଙ୍କ ପ୍ରଭାବରେ ଅର୍ଥାତ୍ ରାଜା ରୋହିତାଶ୍ୱଙ୍କ ଠାରୁ ଜନ୍ମନେଲେ ସଗର ରାଜା । ଭାଷାକୋଷରେ ସଗର ଶବ୍ଦର ବ୍ୟୁତ୍ପତ୍ତି ହେଉଛି – ସ + ଗର, ଗର ଶବ୍ଦର ଅର୍ଥ ବିଷ, ତେଣୁ ସଗର ଶବ୍ଦର ତାତ୍ତ୍ୱିକ ଅର୍ଥ ହେଉଛି – ଅତିଶୟ ବିଷଯୁକ୍ତ ବା ବିଷାକ୍ତ । ମଙ୍ଗଳ ଗ୍ରହଙ୍କ ପାଖରେ ଦେଖାଦେଲା ଏକ ବିଷାକ୍ତ ଆଗ୍ନେୟ ବାଷ୍ପପୂର୍ଣ୍ଣ ମଣ୍ଡଳ । ସେହି ବିଷାକ୍ତ ବାଷ୍ପ ମଣ୍ଡଳ ବହୁଦିନ ଧରି ସୂର୍ଯ୍ୟଙ୍କ ଚାରିପାଖରେ ପରିକ୍ରମା କରିବାକୁ ଲାଗିଲା । ତହିଁ ମଧ୍ୟରେ ଥିବା ବିଷାକ୍ତ ବାଷ୍ପ ସମୂହକୁ ସଗର ରାଜାଙ୍କର ଷାଠିଏ ହଜାର ପୁତ୍ର ରୂପରେ କଳ୍ପନା କରାଯାଇଅଛି । କପିଳମୁନିଙ୍କ ଅଭିଶାପରେ ସଗରବଂଶ ଧ୍ୱଂସ ପାଇଲେ । ସଗର ରାଜାଙ୍କ ମୃତ୍ୟୁପରେ ଅଂଶୁମାନ୍ ଓ ଦିଲ୍ଲୀପ ନାମରେ ଦୁଇଜଣ ରାଜା ଥିଲେ ବୋଲି ପୁରାଣରେ କୁହାଯାଇଛି । ସଗର ବଂଶ ଧ୍ୱଂସ ସମ୍ପର୍କରେ ପରବର୍ତ୍ତୀ ପ୍ରବନ୍ଧରେ ବିଶେଷ ଆଲୋଚନା କରାଯିବ । ଅଂଶୁମାନ୍ (ଅଂଶୁ + ମତ୍), ଅର୍ଥାତ୍ ଦୀପ୍ତିମାନ୍ ଏବଂ ଦିଲ୍ଲିପ ଶବ୍ଦର ଭାବାର୍ଥ ହେଉଛି – ବାଷ୍ପୀୟ ବସ୍ତୁ । ଏହି ବାଷ୍ପୀୟବସ୍ତୁ ବିଶେଷ ଦୀପ୍ତିମାନ ଥିବାରୁ ଏପରି କଳ୍ପନା କରାଯାଇଥିବା ସମ୍ଭବ ହୁଏ । ତା’ପରେ ଦିଲ୍ଲୀପଙ୍କ ଦୁଇଗୋଟି ବିଧବା ରାଣୀଙ୍କର ପରସ୍ପର ସମ୍ଭୋଗରୁ ଏକପୁତ୍ର ଜାତ ହେଲେ -ତାଙ୍କର ନାମ ହେଉଛି ଭଗୀରଥ । ଭଗ ଅଛି ଅର୍ଥରେ ଇନ୍ = ଭଗୀ ; ଭଗ ଅର୍ଥ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ବୁଝାଏ । ପୁନଶ୍ଚ ରଥ ଶବ୍ଦକୁ ବୈଦିକ ଯୁଗରେ ସୌରରଶ୍ମିର ବାହକ, ଗ୍ରହ ଓ ଉପଗ୍ରହ ରୂପରେ ଗ୍ରହଣ କରାଯାଇଅଛି । ଏଣୁ ଭଗୀରଥର ଭାବାର୍ଥ ହେଲା ଯେଉଁ ଗ୍ରହର ସୂର୍ଯ୍ୟ ଓ ଚନ୍ଦ୍ର ଅଛି ଏବଂ ସେ ସ୍ତ୍ରୀ ସଂସର୍ଗ ଅର୍ଥାତ୍ ନକ୍ଷତ୍ର ଓ ନକ୍ଷତ୍ର ମଧ୍ୟରେ ସଂଘର୍ଷ ହେତୁ ଜନ୍ମଗ୍ରହଣ କରିଅଛି । ଏହି ଭଗୀରଥ ହେଉଛନ୍ତି ଆମର ପ୍ରିୟ ବାସସ୍ଥଳୀ ପୃଥିବୀ ଗ୍ରହ । ଏ ବିଷୟ ସମ୍ପର୍କରେ ପରବର୍ତ୍ତୀ ଏକ ସ୍ୱତନ୍ତ୍ର ପ୍ରବନ୍ଧରେ ବିଶେଷ ଆଲୋଚନା କରାଯିବ ।

ଭଗୀରଥଙ୍କ ପରେ ତାଙ୍କ ପୁତ୍ର ସୌଦାସ ଓ ତାଙ୍କ ପରେ ପୁତ୍ର ସୁଦାସ ରାଜା ହେଲେ । ସୌଦାସ = ସୁଦାସ + ଅ । ସୁଦାସ ଶବ୍ଦର ଅର୍ଥ ଚ୍ୟବନଙ୍କ ପୁତ୍ର ରୂପରେ କଳ୍ପନା କରାଯାଇଛି । ଚ୍ୟବନ ଅର୍ଥ କ୍ଷରଣ ବା ଝରିବା । ସୌରରଶ୍ମି କ୍ଷରଣ ହେବାରେ ଯିଏ ସହାୟକ, ସେ ହେଉଛନ୍ତି ରାଜା ସୌଦାସ । ସୌରଜଗତରେ ବହୁଗ୍ରହ, ଉପଗ୍ରହ ସୃଷ୍ଟି ହୋଇଯିବାରୁ ସେମାନଙ୍କର ଆକର୍ଷଣ ଓ ବିକର୍ଷଣ ଶକ୍ତି ପ୍ରଭାବରେ ସୂର୍ଯ୍ୟଙ୍କ ଦେହରେ ଗ୍ୟାସୀୟ ବସ୍ତୁର ପରସ୍ପର ସଂଘର୍ଷ ଉପୁଜିଲା । ଏହି ଅବସ୍ଥାକୁ ସୌଦାସ ଏବଂ ତହିଁରୁ ଯେଉଁ ତେଜ କ୍ଷରିତ ହେଲା, ତାକୁ ସୁଦାସ ରୂପରେ ଚିତ୍ରଣ କରାଯାଇଅଛି । ତା’ ପରେ ସେହି ବଂଶରେ ଏକ ନାମଧାରୀ ଦ୍ୱିତୀୟ ଦିଲ୍ଲୀପ ରାଜା ହେଲେ । ଦିଲ୍ଲୀପ ଶବ୍ଦର ଅର୍ଥ ହେଲା ଅଗ୍ନିଧ୍ର ରାଜାଙ୍କର ପୌତ୍ରବିଶେଷ । ଅଗ୍ନିଧ୍ର ଶବ୍ଦର ବ୍ୟୁତ୍ପତ୍ତି ହେଉଛି – ଅଗ୍ନି + ଧୃ + ଅ । ଅଗ୍ନିକୁ ଯିଏ ଧାରଣ କରିଛନ୍ତି । ସୂର୍ଯ୍ୟମଣ୍ଡଳରେ ଅଗ୍ନିକୁ ଧରି ରଖିଥିବା ଗ୍ୟାସୀୟବସ୍ତୁ ସମୂହକୁ ଦିଲ୍ଲୀପ ରାଜା ରୂପରେ ଗ୍ରହଣ କରାଯାଇଛି । ଦିଲ୍ଲୀପ ରାଜାଙ୍କର ପୁତ୍ର ହେଲେ ରଘୁ । ଏ ରାଜା ବହୁଦାନଧର୍ମ କରି ଜଗତବିଖ୍ୟାତ ହୋଇଛନ୍ତି । ରଘୁ (ରଘ୍ + କ.ଉ) ବୈଶ୍ୱଦେବଙ୍କ ପୁତ୍ରଭେଦ ଓ ବିରୋଚନଙ୍କ ପୁତ୍ର ବିଶେଷ । ବୈଶ୍ୱଦେବ ହେଲେ ଅଗ୍ନି, ବିରୋଚନ ଅର୍ଥ ସୂର୍ଯ୍ୟକିରଣ । ତେଣୁ ରଘୁ ଶବ୍ଦର ଭାବାର୍ଥ ହେଲା – ସୂର୍ଯ୍ୟଙ୍କ ଦେହରେ ଥିବା ଆଗ୍ନେୟବସ୍ତୁରୁ ନିର୍ଗତ ରଶ୍ମି ସମୂହ । ଯେଉଁ ମୌଳିକ ଆଗ୍ନେୟବସ୍ତୁର ଜନ୍ମ ନାହିଁ, ଅର୍ଥାତ୍ ତା’ର ଜନକ କିଏ – ତାହା କହି ହେବନାହିଁ । ଆମେ କହିପାରୁ ନୀହାରିକା ମଣ୍ଡଳରୁ ଏହାର ଉତ୍ପତ୍ତି । କିନ୍ତୁ ନୀହାରିକାରେ ଏହାର ସୃଷ୍ଟି ହେଲା କିପରି ? ସେହି ମୌଳିକ ଆଗ୍ନେୟବସ୍ତୁ ଗୁଡ଼ିକର ଅଜ ଅବସ୍ଥାକୁ ଅଜରାଜା (ଅ + ଜନ + କ.ଅ) ଅର୍ଥାତ୍ ଯାହାର ଜନ୍ମ ନାହିଁ, ରୂପରେ ବିଶେଷ କଳ୍ପନା ମୁନିଋଷିମାନେ କରିଯାଇଛନ୍ତି । ସେହି ଆଗ୍ନେୟବସ୍ତୁରୁ ଅର୍ଥାତ୍ ଅଜଙ୍କଠାରୁ ଜନ୍ମଗ୍ରହଣ କଲେ ଦଶରଥ । ରଥ ଅର୍ଥ ସୌରରଶ୍ମି ବାହକ ଗ୍ରହ ଓ ଉପଗ୍ରହଙ୍କୁ ବୁଝାଯାଏ । ଦଶଦିଗକୁ ଯାହାଙ୍କର ରଥ ଯାଇପାରେ ଅର୍ଥାତ୍ ଦଶଗୋଟି ଚନ୍ଦ୍ର ଶୋଭା ପାଉଛନ୍ତି ଯାହାର, ସେ ହେଉଛନ୍ତି ଶନିଗ୍ରହ । ଦଶରଥ ରୂପରେ ତାଙ୍କୁ କଳ୍ପନା କରାଯାଇଅଛି । ତାଙ୍କର ମାତା ପୁଣି ମାଥର ରାଜାଙ୍କର କନ୍ୟା ଇନ୍ଦୁମତୀ । ମାଥ ଶବ୍ଦର ଅର୍ଥ ମନ୍ଥନ । ଇନ୍ଦୁମତୀ ଶବ୍ଦର ବ୍ୟୁତ୍ପତ୍ତି ହେଉଛି (ଇନ୍ଦୁ + ମତ୍ + ଈ) ଅର୍ଥାତ୍ ଇନ୍ଦୁ ବା ଚନ୍ଦ୍ର ଯାହାଙ୍କର ଅଛି । ଶନିଗ୍ରହ ଯେଉଁ ଗ୍ୟାସୀୟମଣ୍ଡଳରୁ ସୃଷ୍ଟି ହେଲେ, ସେହି ବିରାଟ ବାଷ୍ପୀୟ ଖଣ୍ଡଟି ମନ୍ଥିତ ହେବା ଫଳରେ ଅର୍ଥାତ୍ ନିଜ କକ୍ଷରେ ପ୍ରବଳବେଗରେ ଘୁରିବା ହେତୁ ଦଶଗୋଟି ଚନ୍ଦ୍ରଙ୍କର ଉତ୍ପତ୍ତି ହୋଇଅଛି । ଏହି ଦଶଗୋଟି ଚନ୍ଦ୍ର ଅର୍ଥାତ୍ ଇନ୍ଦୁମତୀ ତାଙ୍କର ହେଉଛନ୍ତି ଜନନୀ । ବିରାଟ ନିହାରୀକା ମଣ୍ଡଳରୁ ଦଶଗୋଟି ଚନ୍ଦ୍ର ବା ଖଣ୍ଡ ସୃଷ୍ଟି ହେବା ପରେ ଶନିଗ୍ରହଙ୍କର ଉତ୍ପତ୍ତି ସମ୍ଭବପର ହୋଇଛି । ଦଶରଥ ସମ୍ପର୍କରେ ପରବର୍ତ୍ତୀ ପ୍ରବନ୍ଧରେ ଆଲୋଚନା କରାଯିବ ।

ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଏହିକି ପୂର୍ବରୁ ବଶିଷ୍ଠ ମହର୍ଷିଙ୍କୁ ଗୋଟିଏ ନକ୍ଷତ୍ର ହିସାବରେ ଗ୍ରହଣ କରାଯାଇଅଛି । କିନ୍ତୁ ଆଉ କେତେକ ମୁନିଋଷିଙ୍କ ମତରେ ବଶିନ୍ + ଇଷ୍ଠ = ବଶିଷ୍ଠ, ଅର୍ଥାତ୍ ସୂର୍ଯ୍ୟଙ୍କର ସର୍ବୋପରି ଭାଗରେ ବଶ୍ୟତା ସ୍ୱୀକାର କରି ଘେରି ରହିଥିବା ମହାଜାଗତିକ ରଶ୍ମିମଣ୍ଡଳ । ଜ୍ୱଳନ୍ତ ବାଷ୍ପୀୟ ବସ୍ତୁ ପ୍ରଭାବରୁ ଯେଉଁଠାରୁ ଆଲୋକ ମଣ୍ଡଳର ଉତ୍ପତ୍ତି ହୋଇଅଛି । ଏହି ମଣ୍ଡଳ ବା ବଶିଷ୍ଠ ସୌରଜଗତ ବା ସୂର୍ଯ୍ୟବଂଶର ପୁରୋହିତ ରୂପରେ ପୁରାଣ ମାନଙ୍କରେ ପରିଚିତ ହୋଇଛନ୍ତି ।

ସାଙ୍କେତିକ ଚିହ୍ନ

କ – କର୍ତ୍ତୃବାଚ୍ୟ
ର୍ମ – କର୍ମବାଚ୍ୟ
ଭା – ଭାବବାଚ୍ୟ

ବିଭିନ୍ନ ଶବ୍ଦର ବ୍ୟୁତ୍ପତ୍ତି ଉଲ୍ଲେଖକାଳରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ସାଙ୍କେତିକ ଚିହ୍ନ ମାନ ବ୍ୟବହୃତ ହୋଇଅଛି ।

– ତା ପରେ –

ଲୋକପ୍ରିୟ ଲେଖା

To Top