କାବ୍ୟଚେତନା ଅନନ୍ତ ଆକାଶ ପରି ପରିବ୍ୟାପ୍ତ । ଆକାଶୀ ଭାବନା ନିଖିଳ ଅନୁରାଗରେ ଅନୁବଦ୍ଧ । ଜୀବନ, ସ୍ୱପ୍ନ ଓ ବାସ୍ତବତାର ସଂସାରିପଣ ଭିତରେ ଛନ୍ଦାୟିତ କବି ତଥାପି କରେ ମୁକୁଳିତ ଶବ୍ଦର ଅନ୍ୱେଷା । ମେଘପର୍ବର ଉଛୁଳା ଶବ୍ଦସ୍ନାତରେ ସେ ଶୁଣେ ପକ୍ଷୀର ଅନାହତ ଗୀତ, ଆଦିମ ତୃଷ୍ଣାର ଚାତକୀ ସ୍ୱର ଓ ଅମାପ ସରାଗର ଶିହରିତ ମୂର୍ଚ୍ଛନା । ସେ ଆକାଶୀ ଭାବନା କ୍ରମଶଃ ସଂଚରିଯାଏ ମାଟିର ଛାତିକୁ ଓ ତା’ ପ୍ରତିବିମ୍ବିତ ହୁଏ ନଈପାଣିରେ । ଭରା ନଈରେ ଢେଉ କାଟୁଥାଏ ଜୀବନ ଓ ଜଗତର ଅସୁମାରି ଯାତନା, ପ୍ରତିଶ୍ରୁତି, ଅସ୍ମିତା, ମେଘପଟଳ ମୋହ ଓ ଘନନିବିଡ଼ ଅଭିସାର । କବିର ଆକାଶୀ ଭାବନା ହିଁ ଖାସ୍ ନଈହେଇ ବୋହିଯାଇପାରେ ! ସେଠି ତିଆରି ହୁଏ ସ୍ୱପ୍ନ ଓ କଳ୍ପନାର ସୁନ୍ଦରତମ ଶବ୍ଦଭୂମି । କବି ହୁଲି ଡଙ୍ଗାଗାଟେ ହେଇ ଯୁଝେ ଲହଡ଼ି ସହିତ । ନଈ ନିଜେ ହିଁ ଆଗକୁ ଆଗକୁ ବାହିନେଉଥାଏ ତାକୁ । ନଦୀ ସାଜେ ନୌକା ଓ କବି ସାଜେ ନାଉରୀ । ତା’ ଆଖି ଆଗରେ କେବଳ ଥାଏ ଅନନ୍ତ ଆକାଶ, ଦିଗନ୍ତବିସ୍ତାରି ସ୍ରୋତସ୍ୱିନୀ ନଈ । ଆକାଶ ଭିତରେ ଚାଖଣ୍ଡେ ଆକାଶର ଅନ୍ୱେଷା କବିକୁ କରେ ଉଚ୍ଚାଟ । ନଈର ଚହଲା ପାଣିରେ ସେ ଦେଖେ ଆକାଶର ମୁହଁ । ଯୁଆଡ଼େ ଚାହିଁଲେ ଆଲୁଅର ଦୀପପୁଞ୍ଜ ତ ପୁଣି ଦେଖେ ଅନ୍ଧାରି ଉପତ୍ୟକା । ନଈ, ଭୂଇଁ ଓ ଆକାଶ ଏକାକାର ହୁଏ କବିର ଆତ୍ମାରେ । ତା’ ଚେତନା ଉର୍ଦ୍ଧ୍ୱାୟିତ ହୁଏ ଅନୁପମ କାବ୍ୟସତ୍ତାରେ । ଏ ପରିପ୍ରେକ୍ଷୀରେ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ଧୂରୀଣ କାବ୍ୟଶିଳ୍ପୀ ନୃସିଂହ ତରାଇଙ୍କ ପଞ୍ଚମ କବିତା ସଂକଳନ ‘ନଈ ପାଣିରେ ଆକାଶର ମୁହଁ’ ବିଚାର୍ଯ୍ୟ । ଚଳିତ ୨୦୨୨ରେ ‘ପକ୍ଷୀଘର’ ପ୍ରକାଶନୀ ଦ୍ୱାରା ଫପ୍ରକାଶ ପାଇଛି । ମୋଟ ୫୬ଟି ମନଛୁଆଁ ଓ ଜୀବନଧର୍ମୀ କବିତା ଏଥିରେ ସ୍ଥାନିତ ।
ଜୀବନ ଓ ପ୍ରକୃତି ତାଙ୍କ କାବ୍ୟଚେତନାର ବଳିଷ୍ଠ ଉପାଦାନ । ଯାହା ଅନେକଙ୍କ ନଜର ବାହାରେ, ଅଥଚ ଦୃଶ୍ୟମାନ, କବି ସେହି ଅନୁଭବଯୋଗ୍ୟ ଜୀବ ଓ ଜଡ଼ସତ୍ତାରୁ ସାଉଁଟନ୍ତି ଶବ୍ଦର କୁସୁମ । ସେଥିରେ ଅଛି ଅସୁମାରି ସୁଖଦୁଃଖ, ହସକାନ୍ଦ ଓ ଲୁହଲହୁର ଫେଣ୍ଟାଫେଣ୍ଟି ଚିତ୍ର । କବି ନୃସିଂହଙ୍କ ଏ ଆତ୍ମୀୟତାର ଅନୁଭୂତି ଦିଗ ଅତ୍ୟନ୍ତ ପ୍ରସାରିତ । କବି ନିଜକୁ ପ୍ରକୃତି ଜଗତ ସହିତ ଅଙ୍ଗୀଭୂତ କରିଛନ୍ତି । ତା’ଭିତରେ ଅସ୍ମତା ହରାଇବାର ଅଧୀରତା ଓ ଖୋଜିପାଇବାର ଯୁଗପତ୍ ଉଲ୍ଲାସ ଫିଟିପଡ଼ିଛି । ନଈ ଓ ଆକାଶର ସମାନ ଜିଜ୍ଞାସାକୁ କବି ବ୍ୟକ୍ତ କରନ୍ତି-
“ମୁଣ୍ଡ ଉପରେ ଯେଉଁ ଆକାଶ ଦେଖୁଚ
ଭରା ଆକାଶ ସ୍ୱପ୍ନଭର୍ତ୍ତି ନଈ
ନଈ ପାଣିରେ ଆକାଶର ମୁହଁ
ଆକାଶ ଆଖିରେ ନଈର ପ୍ରତିବିମ୍ବ
ସେଇ ଆବେଗ, ସେଇ ମହକ
ସେଇ ପ୍ରେମ, ସେଇ ସରାଗ
ଆକାଶରେ ଖୋଜ କି ନଈରେ ଖୋଜ ।”
(ନଈ ପାଣିରେ ଆକାଶର ମୁହଁ)
କବି ଅନେକ ସମୟରେ ଖୋଜିପାଏନା ଅଭୀଷ୍ଟ ଅର୍ଥ ପ୍ରତିପାଦିତ ଶବ୍ଦ । ସେ ଆତୁରତା ଓ ଅଧୀରତାରେ ସେ ହେଉଥାଏ ଛଟପଟ । ସ୍ମୃତିରେ ଝଟକୁଥିବା ଲୁହର ଗାଲିଚାରେ ସ୍ୱପ୍ନର ରଙ୍ଗ ବୋଳିବାକୁ ବ୍ୟାକୁଳ ହେଉଥିବା ବେଳେ ପୁଣି ଶୁଣିପାରେ ଶବ୍ଦଙ୍କ ଶଙ୍ଖନାଦ । ଆଲୋକର ନିରାଜନା ପାଇଁ ପ୍ରଜାପତିମାନେ ଝାଡ଼ିଦିଅନ୍ତି ଡେଣା । ପାପ ଓ ସତ୍ୟକୁ ସାମ୍ନା କରିପାରୁନଥିବା ଆଖିରେ ସୁବର୍ଣ୍ଣ ମୁହୂର୍ତ୍ତମାନେ ଶିକାର ହୁଅନ୍ତି ବିଶ୍ୱାସଘାତକତାର । ଆତ୍ମୀୟତା ଭିତରେ ଛଳନା, ଅନ୍ତରଙ୍ଗ ଭାବନାରେ ଲାଞ୍ଛନା ଓ କଷଣ ମଣିଷର ଦୁର୍ବିନୀତ ଚେହେରାର ଲକ୍ଷଣ । ସବୁ ଧୂଳିଧୂସରିତ ଲୁହ, ଅନ୍ଧାର ଦୁଃଖଶୋକ, ନିଷ୍ଠୁରତା, ବିବର୍ଣ୍ଣ ବିଶ୍ୱାସ, ନଗ୍ନତା, ଅବସୋସ ଇତ୍ୟାଦି କୁତ୍ସିତ ଆଚରଣକୁ ନଈ ପାଣିରେ ଉଝେଇ ଦେବାକୁ କବି ନୃସିଂହ ଦିଅନ୍ତି ଆହ୍ୱାନ ।
“ଚାଲ, ଆଜି ନଈ ପାଣିରେ ଉଝେଇଦେବା
ସବୁ ଧୂଳିଧୂସରିତ ଲୁହ
କାଗଜରେ ଡଙ୍ଗାକରି ପାଣିସୁଅରେ ଭସେଇଦେବା
ଅନ୍ଧାର, ଦୁଃଖଭୋଗ, ଲୁହ ନିଷ୍ଠୁରତା
ନଈ ପାଣିରେ ପଖାଳିନେବା ମୁହଁ
ଓ ମୁହଁରୁ ଉତାରିଦେବା
ଯେତେସବୁ ମୁଖାର ଭ୍ରମ, ବିବର୍ଣ୍ଣ ବିଶ୍ୱାସ
ଲୁହ, ନଗ୍ନତା, ଅବସୋସ ।”
(ନଈ ଓ ନିର୍ମମତା)
କବି ହେଲେ ତ ଦୁଃଖ ଭୋଗିବା ସାର । ଦୁଃଖସବୁକୁ ସେ ଜନ୍ମଜନ୍ମାନ୍ତର ଧରି କରିଆସିଛି ପ୍ରତ୍ୟକ୍ଷ । ଏବେ ଏ ଜନ୍ମରେ ଅବା ସେଥିରୁ ବାଦଯିବେ କିପରି ? ଯନ୍ତ୍ରଣାକାତର ଦେହ, ଦୁର୍ଦ୍ଦଶା ଜରଜର ଲହୁ, ଅଣ୍ଟାଭର୍ତ୍ତି ଗ୍ଳାନି, ପେଟଭର୍ତ୍ତି ଭୋକ ଆଦି ଚିର ସହଚର । ଯେଉଁ ପ୍ରିୟଜନଙ୍କୁ ନେଇ ଆବେଗ ଓ ଆଦରର ଅବବାହିକାରେ ଠିଆ ହୋଇଛନ୍ତି, ସେମାନେ ସବୁ ନିଜନିଜ ଜ୍ୱାଳାରେ ବ୍ୟସ୍ତ ଓ ବିବ୍ରତ । କବି ନୃସିଂହଙ୍କ ଭାଷାରେ-
“ଆଖିରେ ଆଙ୍କିଚି ଯାହା ଚିତ୍ର ଚଉହଦୀ
ପାଦରେ ପାରିହୋଇଚି ଯେଉଁତକ ପଥ
ପ୍ରସାରି ଦେଇଚି ଛାତି, କହି- ଆସ ଆସ ପ୍ରିୟଜନ !
ଯାହା ଥିଲା, ଯାହା ଅଛି, ଯାହା ରହିବ ଅବଶିଷ୍ଟାଂଶ
ଲେଖିବାକୁ ମୋର ଅନ୍ତିମ ବିଦାୟ ।”
(ପ୍ରିୟଜନ)
କବି ନୃସିଂହଙ୍କ ‘ନଈ ପାଣିରେ ଆକାଶ ମୁହଁ’ର ଅନେକ କବିତାରେ ସାବଲୀଳ କାବ୍ୟିକ ଉଚ୍ଛ୍ୱାସ ଲକ୍ଷ୍ୟ କରିହୁଏ । ବେଶ୍ ସିଧାସାଧା ରୀତିରେ କବିତାର କଥ୍ୟଭାଷା ପ୍ରକାଶିତ । ସଂସାର, ସମାଜ ଓ ଜଗତର ବହୁବିଧ ସୂକ୍ଷ୍ମତମ ଦିଗକୁ ସେ ନିରୀକ୍ଷଣ କରିଛନ୍ତି । ଉଭୟ ବସ୍ତୁବାଦୀ ଓ ସ୍ୱଭାବବାଦୀ ଦୃଷ୍ଟିନେଇ ସେ ନିଜର ବଳିଷ୍ଠ ଭାବାବେଗ ପ୍ରକଟ କରିଛନ୍ତି । ମାନବ, ଜୀବନ ଓ ପ୍ରକୃତି ଚେତନା ମଧ୍ୟରେ ପ୍ରଗତିଶୀଳ ଭାବବୋଧ କାବ୍ୟଚିନ୍ତାକୁ ଅନେକତ୍ର କରିଛି ସମ୍ପ୍ରସାରିତ । ଯେପରି –
(୧)
“ସେମାନେ ଦଖଲ କରିନେଲେ
ମୋ ପାଦତଳର ମାଟି
ମୁଁ ଶୂନ୍ୟପାଦ ହେଲି
ଶୂନ୍ୟରେ ଥିବା ମଣିଷ ନା ଆକାଶ ନା ମାଟିର!
ତା’ପରେ ସେମାନେ ଅବରୁଦ୍ଧ କରିନେଲେ
ମୋ ହାତପାଦ ପାଟି
ଜମି ଜଳ ଜଙ୍ଗଲ
ମୁଁ ପରାହତ ହେଲି, ପରାଭୂତ ହେଲି
ସଂଚିତ ଜଳ, ସୁଖ ସୌନ୍ଦର୍ଯ୍ୟ ସବୁ ତାଙ୍କର
ସବୁଠି ଏବେ ସେମାନଙ୍କର ଜୟଜୟକାର ।”
(ସେମାନେ)
(୨)
“ଆମେ ତ ନଥିଲା ଲୋକ
ବେଳଯାଇ ରାତିପାହିଲେ ପେଟର ଦକ
ପେଟରେ ଫୁଟିବ ଭୋକ
ଲହୁଲୁହର କବାଟ କିଳି
ସଜେଇବୁ ଲଲାଟ
ସବୁ ଦୁଃଖ କିଏ ଦେଖିବ ନା ଶୁଣିବ
ଆମରି ଡାକ, ଆମ ଆରତ
ଆମେ ତ ନଥିଲା ଲୋକ
ଚିରକାଳ ଦାସ ।”
(ନଥିଲା ଲୋକ)
ନଈ ପାଣିରେ ଆକାଶର ମୁହଁ ଅର୍ଥାତ୍ ଜୀବନବାଦୀ ସ୍ରଷ୍ଟାପଣର ଛବି ସଦା କବି ଆଖି ସାମ୍ନାରେ ଦୃଶ୍ୟମାନ । ଯେଉଁଠି ଜଗତ ଓ ଜୀବନର ବହୁବିଧ ଚିତ୍ର ପ୍ରତିବିମ୍ବିତ । ଏ ଦୃଷ୍ଟିରୁ ତାଙ୍କର ‘ଅଂଶଧନ’, ‘ଅପମୃତ୍ୟୁ’, ‘ଦୁଃସ୍ୱପ୍ନ’, ‘ଏବେ ଏକା ଏକା’, ‘ପରିଚୟ’, ‘ନିରାଜନା’, ‘ଲାଞ୍ଛିତ’, ‘ଅଂଧାରର ଆଖି’, ‘ଭଗ୍ନାବଶେଷ’ ପ୍ରଭୃତି କବିତାର ଭାବପ୍ରବୋଧକ ରୀତି ଲକ୍ଷ୍ୟଣୀୟ । ପୃଥିବୀର ସବୁ ଦୃଶ୍ୟ ଅଦୃଶ୍ୟ ଶକ୍ତିକୁ ଯେମିତି ଜଣେ ସୂତ୍ରଧର ଟାଣି ଧରିଛନ୍ତି ସଦାକାଳେ । ଘଟଣା ଦୁର୍ଘଟଣା ଏସବୁ ନାନା ଉପାୟରେ ସଂଘଟିତ ହୋଇଚାଲିଛି । ସଂସାରରେ ପ୍ରବଞ୍ଚନାର ଇତିବୃତ୍ତ ସମ୍ବନ୍ଧରେ ତାଙ୍କର ଉକ୍ତି ଏହିପରି ।
“ସତରେ; କିଏ କହିଦେଇଛି ବୋଧେ
ସବୁ ସତକଥା ହାଲ୍ ହକିକତ୍
ଘଟଣା ଦୁର୍ଘଟଣା ସମ୍ପର୍କରେ
ଈଶ୍ୱରଙ୍କ ପାଖରେ
କେମିତି ବିଦ୍ଧହୁଏ ବିଶ୍ୱାସ
ମମତାର ମୂଲଚାଲ ହୁଏ ଏ ପୃଥିବୀରେ ।”
(ଦେବଦୂତ)
ଆକାଶଚାରୀ ବିଶ୍ୱାସ କବି ନୃସିଂହଙ୍କ କାବ୍ୟଭାବନାକୁ କରିଛି ଆପ୍ଲୁତ । କବି ସୌରୀନ୍ଦ୍ର ବାରିକଙ୍କ ‘ଆକାଶ ପରି ନିବିଡ଼’ ଓ କବି ଅମରେଶ ପଟ୍ଟନାୟକଙ୍କ ‘ଆକାଶୀ ମଣିଷ’ କବିତା ସଂକଳନର ଉତ୍ତରାଧିକାରୀ ସୂତ୍ରରେ ନୃସିଂହଙ୍କ ‘ନଈ ପାଣିରେ ଆକାଶର ମୁହଁ’ କବିତା ଗ୍ରନ୍ଥର ଆକାଶୀ ଚେତନା ପରିବ୍ୟାପ୍ତ । ଏଠି କବି ସମକାଳୀନ ଯୁଗଯନ୍ତ୍ରଣାରେ ଅଧିକ ପିଷ୍ଟ ଓ ସନ୍ତ୍ରସ୍ଥ ମନେହୁଅନ୍ତି । କୋହ ଓ ଲୁହ ନିଗିଡ଼ା ଆର୍ଦ୍ରପଣରେ କବିତାର ଆତ୍ମିକତା ପ୍ରକଟିତ । କବି କେଉଁ କାଳରୁ ପହଁରୁଛି ଲୁହର ନଈରେ । ଯେଉଁ ନଈରେ ଛୁଟେ ଜୀବନର ନୌକା । ତରଙ୍ଗରେ ତଲ୍ଲୀନ ହେବା ହିଁ ସାରହୁଏ । ନିରବତାର ରୂପକଳ୍ପରେ ଏକାଏକା ପଥ ଚାଲିବାକୁ ପଡ଼େ । କବିଙ୍କ ଭାଷାରେ-
“ଯେଉଁ ଆଖି, ପାଟି
ହାତପାପୁଲି ବିଶ୍ୱାସମାନଙ୍କୁ ଗଢ଼ିଥିଲି
ଶ୍ରମ ଓ ସ୍ୱେଦରେ
ସେମାନେ ଏବେ ବାଟବଣା
ଭାଙ୍ଗି ଯାଇଥିବା କାଳଖଣ୍ଡ
ବହିଯାଉଥିବା ପ୍ରାପ୍ତି /
ଲିଭିଯାଉଥିବା ଉଜ୍ଜ୍ୱଳତା ପରି
ଅବଶିଷ୍ଟ ବେଳ
ଓ ଅବଶେଷ ଅଂଶଧନ ।”
(ଅଂଶଧନ)
ପ୍ରୋକ୍ତ କବିତା ସଂକଳନରେ କବି ଶବ୍ଦବସାଣ ରୀତି ଅତ୍ୟନ୍ତ ହୃଦ୍ୟ । ଯେପରି ‘ବେଫିକର ଶବ୍ଦମାନେ’, ‘ଲୁହର ଗାଲିଚା’, ‘ଶ୍ରାବଣର ଛଉଷଠି କଳା, ‘ସୌହାର୍ଦ୍ଦ୍ୟର ସାମିଆନା ତଳେ’, ‘ବଳକା ବିଶ୍ୱାସ ଓ ଦମ୍ଭର ଦଉଲତ’, ସାତପ୍ରସ୍ଥ ସ୍ୱପ୍ନ’, ‘ବ୍ୟାପ୍ତିର ବ୍ୟାକରଣ’, ‘ଠନ୍ ଠନ୍ କାଚଖଣ୍ଡ,’ ‘ଚେତନାର ଚଉକାଠ’, ‘ପ୍ରତୀକ୍ଷାର ପଉଷ ସନ୍ଧ୍ୟାରେ’, ‘ପ୍ରଣୟ ପଖଳା ଆଖି’, ‘ମଗ୍ନମତି ଇଚ୍ଛା’, ‘ସ୍ୱପ୍ନର ମଝିହାଡ଼’, ‘ପୁଳାଏ କଅଁଳିଆ ପାପ’, ‘ମୃତ୍ୟୁର ନିଶାଣ ଠା ଠା ରଚି’, ଠିକେ ଠିକେ କହି, ‘ଭିରଟା ଡହଡହ କଳାରଂଗ’, ‘ସୁଖର ପାଣିଚିଆ ରଂଗ’, ‘ଜୀବନର ଚିତ୍ରକଳ୍ପ’, ନିରବତାର ନିଚ୍ଛକ ରୂପକଳ୍ପ’, ‘କାଟ ଭାଂଗ ଓ କାଟି ଟିକ୍ ଟିକ୍ କର’, ‘ହାଲ୍ ହକିକତ୍’, ‘ଚିରାଫଟା ସମୟ’ ଇତ୍ୟାଦିର ସଫଳ ପ୍ରୟୋଗ ହୋଇଛି କବିତାଗୁଡ଼ିକରେ ।
କବି ନୃସିଂହ ରୋମାଣ୍ଟିକ୍ ବାସ୍ତବତାବାଦର କବି । ରୋମାଣ୍ଟିକ୍ ଚେତନାର ଅନାକାଂକ୍ଷିତ ବୈତାଳିକ କାବ୍ୟଭାବନାରୁ ସେ ସମ୍ପୂର୍ଣ୍ଣ ଓହରି ଯାଇଛନ୍ତି । ଏଠି କବିର କଳ୍ପନା ଯଥାର୍ଥବାଦ ଓ ପ୍ରତ୍ୟକ୍ଷବାଦର ହୋଇଛି ଅଧିକ ନିକଟବର୍ତ୍ତୀ । କବିଙ୍କ ସ୍ୱକାରୋକ୍ତି ଏହିପରି-
“ମୋ ଆଖିର ଅଶ୍ରୁଦେଇ
ମୁଁ ଗଢ଼ିଚି ଯେତେଯେତେ
ଅକ୍ଷର ଓ ଅନ୍ତାକ୍ଷରୀ
ଭିତରେ ମୋର ଚିତ୍ରସବୁ ଦୃଶ୍ୟ ଅକପଟ
ଯଦି ଦେଖିବ ତ କୁହ
ମୋ ଭିତରର ଦୃଶ୍ୟ ।”
(ଭିତରର ଦୃଶ୍ୟ)
ରୋମାଣ୍ଟିକ୍ ବାସ୍ତବତାବାଦୀ ଚେତନା କବି ନୃସିଂହଙ୍କ ପୂର୍ବ ପ୍ରକାଶିତ କବିତା ଗ୍ରନ୍ଥଗୁଡ଼ିକରେ ମଧ୍ୟ ରହିଛି । ତାଙ୍କର ‘ଅନ୍ଧାରର ଆରପାଖ’ କବିତା ସଂକଳନ ସହିତ ପ୍ରୋକ୍ତ ସଂକଳନର କେତେକ କବିତାର ଭାବବୋଧରେ ଅନ୍ତରଂଗ ସାମଞ୍ଜସ୍ୟ ଥିବା ଲକ୍ଷ୍ୟ କରାଯାଏ । ଯେପରି-
(୧)
“ଅନ୍ଧାରର ଆଖିମାନେ ଖୋଜୁଥାନ୍ତି
ପୁଳାଏ କଅଁଳ ପାପ
ନଚେତ ଗୋଟେ ନିରୀହପଣର ଶିକାର କରିବାକୁ
ସାମ୍ନାରେ ଅନ୍ଧାରର ଅଜସ୍ର ଅନ୍ଧାର
ଏବେ ରାତିର ରଂଗରେ ଦେଖ
ଚହଟୁଛି ଚିତ୍ର ଅସାମର୍ଥ୍ୟ
ମଣିଷର କ୍ଷୁଧା, ଶୋକ, ନିର୍ମମତା
ଯନ୍ତ୍ରଣା ଓ ଲୁହର ନିର୍ଝର ।”
(କେବେକେବେ)
(୨)
“ରାତିର ଆଶ୍ଳେଷରେ ନଇଁଯାଏ ଆଖିପତା
ସଂଭ୍ରମତା ଭାଂଗିଯାଏ
ଠନ୍ ଠନ୍ କାଚଖଣ୍ଡ ପରି
ବିରହ ଗୀତଗାଏ ଚକୋର ଚକୋରୀ
ଜହ୍ନରାତି, ଖାଲି ଜହ୍ନରାତି ନୁହେଁ
ଦିଶେ ମୋ ପ୍ରେୟସୀ ମୁହଁପରି ।”
(ଜହ୍ନରାତି)
(୩)
“ଥରେ ଅନ୍ଧାର ମନ ଭିତରେ
ବନେଇଦେଲା ଘର ତ
ଭିତରେ ଭିତରେ ସଜେଇଦେବ
ତା’ ଚାରିକାନ୍ଥ, ଅଗଣା, ଦାଣ୍ଡଦୁଆର
ଅନ୍ଧାରର ଓଳିତଳେ ଆହୁରି ଅନ୍ଧାର
ଅଥଚ, ଅନ୍ଧାରର ଆଖିଚିରି
ତମେ ଯେଉଁସବୁ ସ୍ୱପ୍ନର ଚିତ୍ର ସଜେଇ ଦେଉଚ ମନରେ
ସେଇ ମନକୁ କିନ୍ତୁ ରଖିବନି ଅନ୍ଧାର ଭିତରେ ।”
(ଅନ୍ଧାର)
(୪)
“ସୁଖର ପାଣିଚିଆ ରଂଗରେ ନିବିଡ଼ ହେଇଯାଉଚି
ସବୁ ମିଛ ଆବାହନ, ଜୀବନର ଚିତ୍ରକଳ୍ପ
କେଉଁଠି ଆଲୁଅର ଝାପ୍ସା ଝଲକ ତ
କେଉଁଠି ଅନ୍ଧାରର ନିଗୂଢ଼ ସଂଚାର
କେଉଁଠି କେଉଁଠି ମିଛିମିଛିକା ସ୍ୱରଲିପି, ନିମିଷେ ଜୀବନ
ନୂଆନୂଆ ଦୁଃଖ କେବେ ଛାତିରୁ ନିଗାଡ଼ି ନେଉଚି
ପଳପଳ ଲୁହ ତ କେବେ ଶୁଖାଇ ଦେଉଚି
ଆଖିର ଲୁହ, କେବେ ରିକ୍ତ କେବେ ରକ୍ତାକ୍ତ
ମୋ ଶବ୍ଦର ସଂସାର ।”
(ଦୁଃସ୍ୱପ୍ନ)
(୫)
“ରାତିର ରୂପକଳ୍ପରୁ ରାତିପରି ଗଢ଼ି ଉଠୁଥିବା
କେତେକେତେ ରୂପବତୀ ଅନ୍ଧାର
ଅନ୍ଧାରରୁ ନିଗିଡ଼ି ଆସୁଥିବା ନିଃଶବ୍ଦତାର ଛାଇ
କେଉଁ ରୂପସୀର କଳାବେଶ ପରି
ଛାଇ ଆଲୁଅର ଖେଳରେ ମାତିଥାଏ ଅମା ଆଉ ଜହ୍ନ
ମୋତେ ଧର ମୋତେ ଧର ବହୁଥାଏ ଛାଇ ମୋର ।”
(ଭଗ୍ନାବଶେଷ)
କବିର ପୃଥିବୀ ପ୍ରେମ, କରୁଣା, ବିଶ୍ୱାସ ଓ ବ୍ୟାପ୍ତିରେ ଭରା ସଦାକାଳେ । ସେ ବ୍ୟାପ୍ତିର ଦ୍ୟୋତନା ଦିଏ ଆକାଶ । କୋହ ନିଗିଡ଼ା ଲୁହସବୁ ଝରିପଡ଼େ ନଈ ପାଣିରେ । କବି କହନ୍ତି-
“ଶରବିଦ୍ଧ କଲାପରି
ଲୁହସବୁ ଛାତିରେ ଭେଦେ
ଛନ୍ଦିହୁଏ ପାଦରେ
ବାଟଓଗାଳେ ବାଘହେଇ ବଉଳା ଗାଈର
ବହି ଯାଉଯାଉ ବାହୁରେ ଜଡ଼େଇ ଧରେ
କେବେକେବେ ମୋତେ ।”
(ଲୁହ)
କବି ନୃସିଂହ ତରାଇଙ୍କ କବିତାର ଅର୍ନ୍ତପ୍ରେରଣା ଓ ବହିଃରଙ୍ଗ ଚିତ୍ର ଉଭୟେ ଗୁଣାତ୍ମକ । କବିତାଗୁଡ଼ିକରେ ଶବ୍ଦର କାରୁଣ୍ୟତା ଓ ଅନାହତ ଗତିଶୀଳତା ବେଶ୍ ଲାକ୍ଷଣିକ । ଜଗତ ସତ୍ତା ସହିତ କବିସତ୍ତା ଏକାଧାରରେ ଯୁକ୍ତ, ପୁଣି ନିର୍ଲିପ୍ତ । ସଂସାର ଓ ସମୟର ଭୋଗାଭୋଗକୁ ଅତିକ୍ରମ କରିବାର ଭାବ-ନିର୍ଜନତା ହିଁ ତାଙ୍କ କବିତା । ଏହା ଏକ ନିରବତାର ରୂପକଳ୍ପ । ସବୁଠି ଆକଶ-ନିଗିଡ଼ା କୋହର ମାର୍ମିକତା । ସୁତରାଂ, ବିନ୍ଦୁ ଓ ସିନ୍ଧୁର ମହାମିଳନର ଅନ୍ତରଂଗ ଦଶ୍ୟପଟ ହିଁ କବିଙ୍କ ‘ନଈ ପାଣିରେ ଆକାଶ ମୁହଁ’ କବିତା ଗ୍ରନ୍ଥର ସାର୍ଥକତା
