ବୀତସ୍ପୃହ ହୋଇଉଠେ ମନଟା
ପ୍ରାଣଟା ଥରି ଉଠେ
ଆର୍ତ୍ତନାଦ କରେ ହୃଦୟ ମୋର
ହସଟା ସ୍ଥିର ହୋଇଯାଏ ।
ଟଳମଳ ପାଦ ମୋର
କାହିଁକି ଯେ ମାଡ଼ିଯାଏ. . .
ସତେ କେତେ ଡରେ ମୁଁ ଦୁନିଆଁକୁ
ମୋତେ ଏଇଆ କହି ଦିଏ ।
ମୁଁ ଯେ ନାଚାର ନୀରବ
ସୃଷ୍ଟିର ଇଙ୍ଗିତରେ
ବିଚାରି ବସିଲେ ବି
ସର୍ବାଙ୍ଗ ମୋର ଥରେ ।
ଅପଯଶ ଅକାରଣେ ଢାଙ୍କି ଦିଏ
କାହିଁକି ମୋ ମନକୁ
ଅଯଥାରେ ନିନ୍ଦା କାହିଁ
ଘାରି ଦିଏ ଏ ଶରୀରକୁ ।
ଜୀବନ ଯୁଦ୍ଧରେ ମୁଁ ଯେ
ନୀରବ ସୈନିକ
ବିଜୟ ମୋ ଲକ୍ଷ୍ୟ ଖାଲି
ସମର ଭିତରେ କେତେ କେତେ
ରକ୍ତପାତ ହୋଇଯାଏ
ଲୁହରେ ଖେଳେ ମୁଁ ଯେ ହୋଲି ।
ଆତଙ୍କର ଆତୁରତାରୁ ମୁଁ
ବଞ୍ଚିବାକୁ ଚାହେଁ
ଶାନ୍ତିର ନିବିଡ଼ତା ମଧ୍ୟେ
ମୁଁ ହସିବାକୁ ଚାହେଁ ।
