କନ୍ଧ ଆଦିବାସୀ ଗାଁ ଟିଏ ସାନମିରଗୀ । ସନିଆ ଗାଁ ମୁଣ୍ଡର ଚା ଦୋକାନରେ ଚା ପିଉଥିଲା । ତୋଫାନ ଦୌଡ଼ିଆସିଲା “ଜଲଦି ଚାଲ ସନିଆ ଭାଈ ତୋ ବାପା ସରଗଲାନ” । ସନିଆ ଚା ଟିକୁ ଛେଚି ଦେଇ ଦୌଡ଼ି ଗଲା । ସନିଆ ମାଁ ର ରଡ଼ି ଆଉ ଭଉଣୀ ମାନଙ୍କ କାନ୍ଦର ସ୍ୱର ସମଗ୍ର ଗାଁ ରେ ପ୍ରତିଧ୍ୱନି ହେଉଛି । ସନିଆ ନିଜକୁ ସମ୍ଭାଳି ପାରିଲାନି, ଭୋ ଭୋ ହୋଇ କାନ୍ଦି ଉଠିଲା ବାପାର ଛାତିରେ ମୁଣ୍ଡ ରଖି ଉଠିବାକୁ ନେହୁରା ହେଲା । କିନ୍ତୁ ବାପା ଆଉ ଫେରିବନି । ନିଜର ଲୁହକୁ ପୋଛି ଭାତିରୁ କାଠ ବାହାର କଲା । ବାପାର ଦାହ ସଂସ୍କାର ରୀତିନୀତି ରେ ସରିଲା । ଆହୁରି ଭଉଣୀ ବାହାଘର ହୋଇନି । ଏଇ ବର୍ଷ ଘର ଛପର ହୋଇଥାନ୍ତା , ବାପା ବିନା ଏ କାମ ସବୁ କେମିତି ସେ କରିବା, ଏଇ କଥା ଭାବି ଭାବି ଆକାଶକୁ ଚାହିଁ ରହିଥିଲା ସନିଆ । ମାଁ କୁ ଦେଖି ସନିଆ ର ଧ୍ୟାନ ଭଙ୍ଗ ହେଲା ।
“ଉପରମୁଣ୍ଡ କେ କଳମର ଭାଇ ଗୁଟେ ଆଜି ସର୍ଗଲାରେ ସନିଆ” ମା କହିଲା ।
“ହଁ କେତ୍ଲେ ? ” ସନିଆ ପଚାରିଲା ।
ମାଁ ଆଖିରୁ ଲୁହ ଗଡ଼ାଇ କହିଲା “ଦେବତା ରାଗ କରିଚନ ତାରପାଇଁ ସବୁ ମରଚନି, ଗାଁ ମାଇକିନା ମାନେ ଦେଖିଛେନ ତୋର ବୁଆ ମର୍ବା ଦିନ୍ ସେ ଉଲୁକ ଆମର ଚାଳ୍କେ ବସ୍ବାର, କାଲ୍ ରାତ୍କେ ସେଇ ଉଲୁକ କଳମ ଘର ଚାଳ୍କେ ବସ୍ଲାନ୍ , ଆଉ ଦେଖ୍ ତାର୍ ଭାଇ ନେଇଗଲାନ୍” । ଏତକ କହି ଭୋ ଭୋ ହୋଇ କାନ୍ଦି ଉଠିଲା ମାଁ ।
“କିଛି ଗୁଟେ କର୍ରେ ସନିଆ, ଏ ଉଲୁକ ମନକୁ ତଡ଼ି ଦେ ଗୋ ଆମେ ଭଲରେ ରହିପାରବା ତାର୍ପରେ । ” ଏତକ କହି କାନ୍ଦି କାନ୍ଦି ମାଁ ଭିତରକୁ ଚାଲିଗଲା ।
ସାନିଆର ଦେହ ଶିହରି ଉଠୁଥିଲା । ମନରେ ନିଜ ଲୋକଙ୍କୁ ହରାଇବାର ଭୟ ସାଙ୍ଗକୁ ପେଚା ଉପରେ ଭୀଷଣ ରାଗ ଆସୁଥିଲା । ଏମିତି ଅଳ୍ପ ଦିନରେ ବହୁତ ଲୋକ ଧିରେ ଧିରେ ସେ ପାରିକୁ ଚାଲିଗଲେ । ଗାଁ ଲୋକମାନେ ଦେଖିଛନ୍ତି ଆଜି ପର୍ଯ୍ୟନ୍ତ ଯେତେ ଲୋକ ମରିଚନ୍ତି ସଭିଙ୍କ ଚାଳରେ କେବେ ନା କେବେ ଏ ପେଚା ନିଶ୍ଚୟ ବସିଛି । ତେଣୁ ଏଥିରେ ଟିକେ ବି ସନ୍ଦେହ ନାହିଁ ଯେ ଏସବୁ ପେଚା ପାଇଁ ହେଉଛି ।
ସନିଆ ମା’ର ଦେହ ଖରାପ ରହୁଛି । ସନିଆ ମନରେ ଛନକା ପଶିଗଲାଣି । ମାଁ’ର କଥା ତାକୁ ବାରମ୍ବାର କହୁଛି “କିଛି ଗୁଟେ କର୍ ବାବୁ ମୋର୍” । ସନିଆର ବିବେକ ବି ତାକୁ ଧିକାର କରି ପଚାରୁଥିଲା “ଆଉ କଣ ମା’ର ମର୍ବା ଯାକେ ଜଗିଛ କି ଗୋ ?”
ଆଜି ରାତିରେ ସନିଆ କୁ ଆଉ ନିଦ ନାହିଁ ଆଜି କିଛିଗୋଟେ ଫଇସଲା କରିବ । ବାପାକୁ ହରାଇଲା ପରେ ଆଉ କାହାକୁ ହରାଇବାର ଶକ୍ତି ନାହିଁ ତା’ଠି ।
ପାହାନ୍ତ ହେଲାଣି, ସନିଆ ରାତିରେ ଘରକୁ ଫେରିନି । ମାଁ , ଭଉଣୀ ତଟସ୍ଥ ହୋଇ ଚାହିଁ ରହିଛନ୍ତି । ମୁହଁରେ ଚିନ୍ତାର ଝଲକ୍ । ହଠାତ୍ ସନିଆ ଧସେଇ ଘରକୁ ପଶିଆସିଲା ।
“କେନେ ଯାଇଥିଲ ବାବୁ ମୁଇ କେତେ ଚିନ୍ତା କରଲାନ ” ମାଁ ପଚାରିଲେ । ସନିଆ ମୁହଁରେ ଏକ ଅପୂର୍ବ ଶାନ୍ତିର ଝାପ୍ସା ହସ ଥିଲା । ମା ପୁଅ ମୁହଁର ହସ ଦେଖି ଆତଙ୍କିତ ହୋଇ ପଡ଼ିଲାଣି । “କେନେ ଥିଲୁ ରେ ପୁଅ ?”
ସନିଆ ମା କୁ ଆଶ୍ୱାସନା ଦେଇ କହିଲା “ଚିନ୍ତା ନାଇଁ କର୍ ଗୋ ମୁଇଁ ଗୁଟେ ବଡ କାମ୍ କରବା କେ ଯାଇଥିଲି । ଆଉ ଆମର ଗାଁ କେ ସେ ଉଲୁକ ଆସିବନି ଗୋ ମୁଇ ରାତ୍କେ ରାତ୍ ତାକୁ ଶେଷ୍ କରିଦେଛନ୍ । ଏବେ ଗାଁ କେ ଲୋଗନ ଶାନ୍ତିରେ ରହିମେ । ଆଉ ହେତକି ଲୋଗ ମରବେନି ।”
ମାଁ କିଛି କହିବାକୁ ହିଁ ଯାଉଥିଲା କି ଆର ସାହିର ଚରଣ ଦୌଡ଼ି ଆସି କହିଲା “ସନିଆ ଭାଇ କାଲି ରାତ୍କେ ଆମର ସାହି କସ୍ତୁରୀ ମାଁ ସରିଗଲାନ୍, ଚାଲ୍ ତା’ର ଶେଷ କାଯ୍ କେ ଡାକୁଛନ ।” ସନିଆ ଆବାକା ହୋଇ ତା ମାଁ ଆଡେ ଚାହିଁଲା ଏବଂ ଯନ୍ତ୍ରଚାଳିତ ପରି ଚରଣ ସହ ଚାଲିଗଲା ।
