ବ୍ୟଙ୍ଗଗଳ୍ପ

ଏକ୍ସକ୍ୟୁଜ୍ ମି, ଯାହା କହିବି…..

Dr Kulangaara's odia satire story excuse me, jahaa kahibi...

ଏ ସମୟରେ ଟୋକା ୱାଡର ଜଣେ କାନରେ ଫୋନ୍ ଧାରଣପୂର୍ବକ ଧାଇଁଆସି କହିଲା- ସାର୍, ମୋ ସ୍ତ୍ରୀ ପଚାରୁଚି ଆପଣ କଣ ସତ ଅଦାଲତରେ କହିବେ ଏକ୍ସକ୍ୟୁଜ୍ ମି’ ଯାହା କହିବି ସତ କହିବି ??

ଏକ୍ସକ୍ୟୁଜ୍ ମି, ଯାହା କହିବି.....

ଲୋକପ୍ରିୟ ହାସ୍ୟଅଭିନେତା ମହୋଦୟ ଲୁଙ୍ଗୁଡାମୀ କରିବା ଅପରାଧରେ ଜେଲ୍ ଆସୁଥିବାର ଖବର ପାଇ ଜେଲର୍‌ଠାରୁ ଆରମ୍ଭ କରି କଏଦୀ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଗଲା । ସିଏ ନଆସୁଣୁ ବିଭିନ୍ନ ବର୍ଗରେ ନାନା ଗୁଲିଖଟି ଚାଲିଲା ।

ଅଭିଜ୍ଞ କଏଦୀ ଜଣେ କହିଲା- ଆରେ ଭାଇ ସିଏ ଏଠିକି ଆସୁଚି କି ଡାକ୍ତରୀ ପରୀକ୍ଷାରୁ ସିଆଡେ ସିଆଡେ ଦେହଖରାପ ଦେଖେଇ ଏସି କ୍ୟାବିନିରେ ରହୁଚି ଦେଖ !

ଆଉଜଣେ କଏଦି କହିଲା- ଆଉ ସେ ଯୁଗ ନାଇଁରେ ଭାଇ । ମୁଁ କଣ କମ୍ ଚେଷ୍ଟା କରିଥିଲି । ଡାକ୍ତରଟା ବି ଲେଖିଦେଇଥିଲା । ହେଲେ ଏ ପୁଲିସିର ଏବେ ମିଡିଆବାଲାଙ୍କୁ ପ୍ରାଣର ଭୟ !  ଯେତେ ଯାଚିଲି ଯମା ଶୁଣିଲାନି । ମୋର ମିନିଷ୍ଟର ପ୍ରେସର ଥାଇକି ହେଲାନି ଆଉ ଇୟେ ତ ଦଳରୁ ବିଦା ହେଇସାରିଛନ୍ତି । ମୁଁ ଗ୍ୟାରେଂଟି ଦେଉଛି ସିଏ ଏଠିକି ଆସିବ ହିଁ ଆସିବ ।

ସତକୁ ସତ ଅଭିନେତା ମହୋଦୟ ମିଛିମିଛିକା ହସ ହସି ଜେଲ୍ ମଧ୍ୟକୁ ସଦର୍ପେ ପ୍ରବେଶ କଲେ । ତାଙ୍କୁ ପାଖରେ ପାଇ ଜେଲର ମହାଶୟ କୃତ୍ୟକୃତ୍ୟ ହେଲେ । କହିଲେ- ଜମା ମନଦୁଃଖ କରନ୍ତୁନି ସାର୍ । ସେ ମିଡିଆବାଲା ତ ଗଲେଣି, ମୁଁ ଆପଣଙ୍କ ପାଇଁ ସ୍ପେଶାଲ୍ ବ୍ୟବସ୍ଥା କରିଦେବି । ଖାଲି ମୋ ସାଥୀରେ ଗୋଟେ ସେଲ୍ଫି ଉଠେଇ ଦିଅନ୍ତୁ ।

ଜେଲରଙ୍କ ଅଫର୍ ପାଇ ଅଭିନେତା ମହାଶୟ ଟିକେ ହାଲ୍କା ଅନୁଭବ କଲେ । ପୂର୍ବାପେକ୍ଷା ମନଖୋଲା ହସ ହସି ଜେଲର୍‌ଙ୍କ ସହ ସେଲ୍ଫି ଉଠେଇଲେ ।

ଜେଲର୍ ଚାହା ମଗଉ ମଗଉ କହିଲେ- ଆପଣ ଟିକେ ବସନ୍ତୁ, ମୁଁ ଆଗ ମୋ ଝିଅ ପାଖକୁ ଫଟୋଟା ହ୍ୱାଟ୍ସ ଆପ୍ କରିଦିଏ । ସିଏ ବାଙ୍ଗାଲୋରରେ ରହୁଚି, ସଫ୍ଟଓୟାର ଇଂଜିନିୟର । ମୋଠୁ ତା ଦରମା ଅଧିକା, ବୁଝିଲେ । ଖରାପ ଭାବିବେନି, ତାର ସବୁବେଳେ ମୋ ଚାକରୀକୁ ଘୃଣା; କଣ ନା ସବୁବେଳେ ଚୋରଖଣ୍ଟଙ୍କ କଥା ବୁଝିବୁଝି ମୋର ବେଳଗଲା !  ଆଜି ତାକୁ କହିଥିଲି ଗୋଟେ ସରପ୍ରାଇଜ୍ ଦେବି । ହେଇ ତ ପଠେଇଦେଲି । ସିଏ ଦେଖୁ ଏ ଚାକିରୀରେ ରହିଲେ କେଡେକେଡେ ଲୋକଙ୍କ ସହ ଭେଟ ହୁଏ ।

ଚାହା ପିଉପିଉ ଜେଲରଙ୍କ କଥାଶୁଣି ଅଭିନେତା ମହାଶୟ ଭାବପ୍ରବଣ ହୋଇଉଠିଲେ ।

ଟିଂ…ଟିଂ… । ଜେଲର୍ କହିଲେ- ହେଇଟି ଦେଖିଲେଣି ଝିଅ ସ୍ମାଇଲି ପଠେଇ ଲେଖିଚି କି ସିଏ ଆପଣଙ୍କ ଆଗମନ ଖବର ସୋସିଆଲ ମିଡିଆରୁ ଜାଣିସାରିଛି ! ହଉ ଆପଣ ହାଲିଆ ଜଣାପଡୁଛନ୍ତି ।

ଏହା ମଧ୍ୟରେ ଅଭିନେତାଙ୍କ ସହ ସେଲ୍ଫି ନେବାକୁ ୱାଡରମାନଙ୍କର ପ୍ରତିଯୋଗୀତା ଚାଲିଥିଲା । ଜେଲର୍ କହିଲେ- ଫଟୋ ଉଠାସାରି ସାର୍‌ଙ୍କୁ ନେଇଯିବ, ଭିତରୁ ଫ୍ରେସ୍ ସଫା କମ୍ବଳଦେବ ।

ଏଥର ଦେଖାହେଲା ଜେଲ୍‌ର  ଅନ୍ତେବାସୀମାନଙ୍କ ସହ ।

ଜଣେ କଏଦୀ କହିଲା- ସ୍ୱାଗତଂ ଆଜ୍ଞା ! ଆମେ ଆପଣଙ୍କ ବ୍ରାଞ୍ଚ୍‌ର  । ମୋର ବି ଝିଅ ରାଜିରୁଜାରେ ସବୁ ହେଇଥିଲା । ପଛରେ କାହାବୁଦ୍ଧିରେ ପଡି କେଶ୍ ଠୁଙ୍କିଦେଲା ଯେ ବେଲ୍ ମିଳୁନି ।

ଆଉ ଜଣେ କଏଦୀ କହିଲା- ସାର୍ ମୋତେ ଚିହ୍ନିପାରୁଚନ୍ତି ? ଆପଣ ଆମ ଅଫିସ୍‌କୁ  ପ୍ରାୟ ଆସନ୍ତି । ମୁଁ ଚିଟ୍‌ଫଣ୍ଡ ମାମଲାରେ ଫସିଯାଇଛି ।

ଅନ୍ୟମାନଙ୍କ ଅପେକ୍ଷା ଟିକେ ଅଧିକ ସଭ୍ୟ କଏଦୀ ଜଣେ କହିଲେ- ଯାହାହଉ, ଆପଣ ଆସିବାରୁ ଆମଠାରେ ପୂର୍ବାପେକ୍ଷା ଟିକେ ଆତ୍ମବିଶ୍ୱାସ ବୃଦ୍ଧିପାଇଲା । ଅନ୍ତତଃ ଘରକୁ ଗଲେ କହିହେବ କି ଆପଣ ଯୋଉଠ ଥିଲେ ମୁଁ ସେଇଠି ଥିଲି ।

ଏ ସମୟରେ ଟୋକା ୱାଡର ଜଣେ କାନରେ ଫୋନ୍ ଧାରଣପୂର୍ବକ ଧାଇଁଆସି କହିଲା- ସାର୍, ମୋ ସ୍ତ୍ରୀ ପଚାରୁଚି ଆପଣ କଣ ସତ ଅଦାଲତରେ କହିବେ ଏକ୍ସକ୍ୟୁଜ୍ ମି’ ଯାହା କହିବି ସତ କହିବି ??

ୱାଡରର କଥାଶୁଣି ସମସ୍ତେ ହୋ ହୋ ହୋଇ ହସିଉଠିଲେ ।

ଲାଜରେ ମୁହଁ ପୋତିଥିବା ଅଭିନେତାଙ୍କୁ ଅଭିଜ୍ଞ କଏଦୀ ଜଣେ କହିଲା- ପୁଅ ସେ ଭୂଲ୍ କରିବୁନି । ଏଠି ଯାହା କହିବୁ ମିଛ କହିବୁ । ଯାହା କରିଛୁ, ନୋ ଏକ୍ସକ୍ୟୁଜ୍ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top