ପ୍ରତିମା ପରି ରହିଚ ବୋଲି
ନୀରବ ନିଥର
କହିବି ନାହିଁ ତମେ ପଥର
ସମୟ ପରି ବହି ଯାଇଚ ବୋଲି
ଦୂରକୁ, ଅନେକ ଦୂରକୁ
କହିବି ନାହିଁ ତମେ ପାଣିର ଧାର ।
ରାତ୍ରିଠୁ ଶୀତଳ ବୋଲି
ତମକୁ ଡାକି ପାରିବିନି ଜହ୍ନ
ବିତିଯାଇଥିବା ଚିତ୍ରପଟ ବୋଲି
କହି ପାରିବିନି ସ୍ୱପ୍ନ ।
ଅହରହ ସନ୍ତାପରେ ଜାଳୁଚ ବୋଲି
ଦୋଷ ଦେଇ କହିବିନି, ତମେ ନିଆଁ
ପଞ୍ଚଭୂତରୁ ପ୍ରପଞ୍ଚ ପ୍ରକୃତି ଭିତରେ
ଏଇଠି ତମେ
ଅଥଚ ଜାଣେନା
ତଥାପି ତମେ କାହିଁକି ଅନନ୍ୟା ??
