ଖରାଦିନ ଚମ ଧୁଡ଼ୁଧୁଡ଼ୁ ବୁଢ଼ାଟିଏ ବଙ୍କୁଲି ବାଡ଼ି ଧରି ପ୍ରତିଦିନ ଏକ ଗଛମୁଳେ ବସିଥାଏ । ସେହି ପଡ଼ିଆରେ ୪,୫ଟି ଆମ୍ୱ ଗଛ । ଆମ୍ୱପାଚି ତଳେପଡ଼ିଲେ ସେ ତାକୁ ଗୋଟାଇଆଣି ପାଖରେ ରଖେ । ସଞ୍ଜ ହୋଇଆସିଲେ ମନ ଖୁସିରେ ସେଥିରୁ ୨ଟି ଆମ୍ୱ ଖାଇଦିଏ ଓ ଅନ୍ୟ ସବୁ ଆମ୍ୱକୁ ଧରି ଘରକୁ ଯାଏ । ପ୍ରତିଦିନ ଏହାକୁ ଏକ କୋକିଶିଆଳୀ ଲକ୍ଷ କରୁଥିଲା । ଏମିତି ଦିନେ ସେ ବୁଢ଼ାଟି ପାଖକୁ ଯାଇ କହିଲା – ମୋତେ ଗୋଟେ ଆମ୍ୱ ଦିଅନ୍ତନି ? କେମିତି ଲାଗୁଛି ମୁଁ ବି ଜାଣନ୍ତି । ବୁଢ଼ା କହିଲା – ମୁଁ ରାଜି ଯେ ଗୋଟିଏ ସର୍ତ୍ତରେ । ଯଦି ତୁମେ ସେ ସର୍ତ୍ତଟି ରଖିବ ତା ହେଲେ ମୁଁ ତୁମକୁ ଗୋଟିଏ ଆମ୍ୱ ଦେବି ଖାଇବାକୁ । କୋକିଶିଆଳୀର ଆମ୍ୱ ଖାଇବାକୁ ତ ମନ, ସେ ସଙ୍ଗେ ସଙ୍ଗେ ହଁ ଭରିଦେଲା ବୁଢ଼ାତାକୁ ଆମ୍ୱଟିଏ ଦେଲା, କୋକିଶିଆଳୀ ସେ ଆମ୍ୱ ଖାଇଲା ଓ ବୁଢ଼ାକୁ କହିଲା ବହୁତ ମିଠା ।
ବୁଢ଼ା କହିଲା – ନାଁ, ନାଁ, ମୋତେ ଆମ୍ୱ ଯେମିତି ମିଠା ଲାଗୁଛି ତୋତେ ସେମିତି ମିଠା ଲାଗୁନଥିବ । କୋକିଶିଆଳୀ କହିଲା କାହିଁକି ନୁହଁ ? ବୁଢ଼ା କହିଲା ତୁମେ ବିନା ପରିଶ୍ରମରେ ଏ ଫଳଟି ଖାଇଲ, ବିନା ପରିଶ୍ରମର ଫଳଠାରୁ ପରିଶ୍ରମର ଫଳ ବହୁତ ମିଠା । ତେଣୁ ମୁଁ ପରିଶ୍ରମ କରିଥିବାରୁ ମୋତେ ଫଳଟି ବହୁତ ମିଠା ଲାଗୁଛି । କୋକିଶିଆଳୀ ପଚାରିଲା – ତୁମେ କି ପରିଶ୍ରମ କରୁଛ ? ଗଛରୁ ଆମ୍ୱ ତଳେ ପଡ଼ିଲେ ତୁମେ ତ ଗୋଟାଇ ଆଣି ରଖୁଛ ଓ ସେଥିରୁ ଖାଉଛ ।
ବୁଢ଼ାଟି କହିଲା – ନାହିଁରେ ତା ଠିକ୍ ନୁହେଁ । ଆଜିକୁ ଅନେକ ବର୍ଷ ତଳେ ମୁଁ ଛୋଟ ଛୋଟ ଗଛ ଲଗାଇଥିଲି । ପ୍ରତିଦିନ ପାଣି ଦେଉଥିଲି ଆଉ ପ୍ରତିଦିନ ଜଗୁଥିଲି । ସତରେ ତୁମେ ଏଥିପାଇଁ ବହୁତ ପରିଶ୍ରମ କରିଛ ବୋଲି କୋକିଶିଆଳୀ କହିଲା ଓ ପରେପରେ ସେଠାରୁ ପଳାଇ ଯାଉଥିଲା । ଏହି ସମୟରେ ବୁଢ଼ାଟି କହିଲା ମୋ ସର୍ତ୍ତ କଥା ମନେ ନାହିଁକି ? ଆରେ ହଁ ତ କୋକିଶିଆଳୀ ପଛକୁ ଚାହିଁ କହିଲା ଓ ପୁଣି ବୁଢ଼ା ପାଖକୁ ଆସିଲା । ବୁଢ଼ା କହିଲା – ତୁମେ ଆଜିଠାରୁ ପରିଶ୍ରମ କର ଦେଖିବ ପରିଶ୍ରମର ଫଳ ତୁମକୁ ବହୁତ ମିଠା ଲାଗିବ । ହଁ ମୁଁ ଆଜିଠାରୁ ପାଳନ କରିବି ବୋଲି କହି କୋକିଶିଆଳୀ ବୁଢ଼ା ପାଖରୁ ବିଦାୟ ନେଇଥିଲା ।