ଆଖି ମୋର,
ହଜିଯାଏ ଦୂର ଦିଗନ୍ତରେ
ଅସ୍ତ ସୂର୍ଯ୍ୟର ଲୋହିତ ଆଭାରେ ।
ଟପ୍ ଟପ୍ ନିଗିଡି ପଡନ୍ତି
ପାଣି ସବୁ ଅର୍ଘ୍ୟ ଆଞ୍ଜୁଳାରୁ,
ଭୂଲିଯାନ୍ତି ଆପଣା ଅସ୍ତ୍ତିତ୍ୱ,
ଏବଂ ସମଗ୍ରତାରେ ହଜାଇ ଦିଅନ୍ତି
ନିଜେ ନିଜକୁ, ପୁଣି ଥରେ ଖୋଜିବାକୁ,
ଜାଣିବାକୁ ଆପଣା ଠିକଣା ।
ସୂର୍ଯ୍ୟ ଛୁପିଯାଏ ଦୃଷ୍ଟି ଆଢୁଆଳେ,
ହେଲେ ପଦଚିହ୍ନ ସ୍ପଷ୍ଟ ଦିଶୁଥାଏ,
ଲୋହିତାଭ ପଶ୍ଚିମ ଆକାଶେ ।
ଘରବାହୁଡା ପକ୍ଷୀପୁଞ୍ଜ,
କଳରବେ ଘୋଷଣା କରନ୍ତି
ଆଜିର ଏଇ ଦିନ ସମାପ୍ତିର ।
ଏଇ କଣ ଦିନର ସମାପ୍ତି,
ନା ନୂତନ ଦିନର ପ୍ରତିଶୃତି ?
ଆକାଶର ଲୋହିତ ଆଭାରେ,
ସ୍ପଷ୍ଟ ବାରି ହୋଇ ଯାଉଥିଲା,
ଗର୍ଭବତୀ ମାଆର ସେ
କମନନୀୟ କାନ୍ତି ।
ନବୀନର ଆଗମନ ପାଇଁ,
କେତେ ଉତ୍ସାହିତ ମନ,
ଯଦିବା ଯନ୍ତ୍ରଣାଦାୟୀ ଏ ପିଡା,
ରକ୍ତାକ୍ତ କୁକ୍ଷିର ବେଦନା,
ତଥାପି କେତେ ଉତ୍ସାହିତ ମନ !
ନୂତନକୁ ଆଲିଙ୍ଗନ କରିବାର ଏ ପ୍ରତୀକ୍ଷା ।
ଅସ୍ତ ସୂର୍ଯ୍ୟର ବିଦାୟୀ ନୟନେ,
କାଲି ପୁଣି ଆସିବାର
ନିରବ ଆଶ୍ୱାସନା,
ପୁନଶ୍ଚ ଦେଖା ହେବାର
ନିରବ ପ୍ରତିଶୃତି ।
ସଂଧ୍ୟା, ଦିନର ସମାପ୍ତିକା ନୁହେଁ,
ଆଉ ଏକ ନୂତନ ଦିବସ
ଆସିବାର ନିଘୁଡ ପ୍ରତିଶୃତି ।
ଅନନ୍ତ ବିଶ୍ୱରେ ଅନ୍ତ ହିଁ ଆରମ୍ଭ
ଏକ ନୂତନ ଯାତ୍ରାର ।
ଜନ୍ମ ପରେ ମୃତ୍ୟୁ
ମୃତ୍ୟୁପରେ ଜନ୍ମ
ସୁଖପରେ ଦୁଃଖ
ଦୁଖପରେ ସୁଖ
ଏକ ନୂତନ ସୂର୍ଯୋଦୟ ।
ନୂତନତାର ସାଥେ ସାଥେ
ଆକାର ଓ ରୂପ ବଦଳି ଯାଏ
ଆଉ, ଜୀବନର କିଛି ଅନୁଭବ ବି ।
