ସକାଳର ସୁନେଲି ଖରାରେ
ତମର ସେ ଲଜ୍ଜାରୁଣ ମୁହଁ
ବେଶ୍ ମନେପଡ଼େ ଇରା ।
କୁହୁଡ଼ିଆ ସକାଳ ସାଙ୍ଗରେ
ଦେଖାହେଲେ
ସିଏ ମତ୍ସ୍ୟଗନ୍ଧାର ଗଳ୍ପ କହେ,
ରିମ୍ ଝିମ୍ ବର୍ଷାରାତି
ଚୁପି, ଚୁପି ତମ କଥା କହେ
ପାଦରେ କଣ୍ଟା ଫୁଟିଲେ
ତମେ ମୋତେ ଭାବୁଛ ବୋଲି
ଆତ୍ମା ସୁଖ ପାଏ ।
ଦୁଃଖ ମୋତେ ଛୁଇଁଦେଲେ
ତମକୁ ମୁଁ ମନେ ମନେ ଖୋଜେ
ଅକାଳେ ସକାଳେ ସୁଖର ଖବର ଆସିଲେ
ତାକୁ ବାଣ୍ଟିବାକୁ ମଣିଷ ପାଏନା ।
ଏବେ ତମେ ଏକା ଏକା
ବେଶ୍ ସୁଖୀ, ଏକଥା ଶୁଣିଛି
ଜମାଟ ସଂସାର ସଜେଇଲା ପରେ
ଆଜିକାଲି ତମେ
ବାରନ୍ଦାର ଦୋଳିରେ ଝୁଲୁଛ
ମୁଁ କେବଳ ଭଙ୍ଗା ମନକୁ ଯୋଡ଼ି
ପୁରୁଣା ଆଲବମ୍ ଖୋଲି
ପଳାତକ ସ୍ମୃତିକୁ ଖୋଜୁଛି ।
