ଏହାପରେ ବ୍ରିଟିଶ୍ ସରକାର ନୂତନ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ ସମ୍ପର୍କରେ ପୁନର୍ବାର ବିଚାର କରିବା ପାଇଁ ପାଞ୍ଚଜଣ ସଭ୍ୟବିଶିଷ୍ଟ ଏକ ଜଏଣ୍ଟ୍ ପାର୍ଲିୟାମେଣ୍ଟାରୀ କମିଟି ନିଯୁକ୍ତି କଲେ । ଏହି କମିଟି ନିଯୁକ୍ତି ପରେ ଓଡ଼ିଶା ତଥା ତେଲୁଗୁଭାଷୀ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଭିତରେ ତୀବ୍ର ବାଦାନୁବାଦ ଚାଲିଲା । ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ୱରେ ଓଡ଼ିଆଭାଷୀ ଅଞ୍ଚଳର ଏକ ସାତ ଜଣିଆ ପ୍ରତିନିଧି ଦଳ ଯାଇ ଓଡ଼ିଶାବାସୀଙ୍କ ଦୃଢ଼ମତ ଜଣାଇ ଦେଲେ । ଶ୍ୱେତ ପତ୍ରରେ ନିର୍ଦ୍ଧାରିତ ସୀମାରେ କୌଣସି ପରିବର୍ତ୍ତନ ନ କରିବାକୁ ତେଲୁଗୁ ପ୍ରତିନିଧିମାନେ ବ୍ରିଟିଶ୍ ସରକାରଙ୍କୁ ଜଣାଇ ଦେଲେ । ଶେଷରେ ପାରଳାଖେମୁଣ୍ଡି ମହାରାଜା ପାରଳାଖେମୁଣ୍ଡିକୁ ଭାଗ ଭାଗ କରି ପାରଳାଖେମୁଣ୍ଡିର ଏକ କ୍ଷୁଦ୍ର ଅଂଶ ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳ ଓଡ଼ିଶା ପ୍ରଦେଶ ସହିତ ମିଶିବା ପାଇଁ ପ୍ରସ୍ତାବ ଦେଲେ । ଶେଷରେ ୧୯୩୨ ମସିହାରେ ଓଡ଼ିଶାର ସୀମା କମିଶନ ଜୟପୁରର ଯେଉଁ ଅଂଶ ଓଡ଼ିଶା ପ୍ରଦେଶ ସହିତ ମିଶିବା ପାଇଁ ସୁପାରିଶ କରିଥିଲେ ସେହି ଅଂଶ ସହ ପାରଳାଖେମୁଣ୍ଡିର ସହର ସମେତ ପାରଳାଖେମୁଣ୍ଡିର ଏକ ମୁଖ୍ୟ ଅଂଶ ନୂତନ ଓଡ଼ିଶା ପ୍ରଦେଶ ସହିତ ଅନ୍ତର୍ଭୁକ୍ତ କରିବା ପାଇଁ ଜଏଣ୍ଟ୍ ପାର୍ଲିଆମେଣ୍ଟରୀ କମିଟି ରାଜି ହେଲେ ।
ଜଏଣ୍ଟ୍ ପାର୍ଲିଆମେଣ୍ଟାରୀ କମିଟିର ରିପୋର୍ଟ ପ୍ରକାଶ ପାଇବା ପରେ ନୂତନ ଓଡ଼ିଶା ପ୍ରଦେଶର ମୋଟ୍ ଆୟତନ ହେଲା ୩୨,୬୯୫ ବର୍ଗ ମାଇଲ୍ । ନୂତନ ଓଡ଼ିଶା ୧୯୩୬ ମସିହା ଜାନୁୟାରୀ ୨୧ ତାରିଖରେ ଘୋଷଣା କରାଗଲା ଓ ଏପ୍ରିଲ୍ ପହିଲା ଦିନ “ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ” ଗଠନ ଉଦ୍ଘାଟନ କରାଗଲା । କଟକରେ ହେଲା ପ୍ରଦେଶର ରାଜଧାନୀ ଓ ପୁରୀଠାରେ ଗ୍ରୀଷ୍ମକାଳୀନ ରାଜଧାନୀ ।