ଅଣୁଗଳ୍ପ

ଏକ ଅନନ୍ୟ ଯାତ୍ରା

Minati Pradhan's odia short story Eka Ananya Jatraa

ଗୋଟିଏ ମାଲ ଗାଡି, ବାଙ୍ଗାଲୋରରୁ ଆସୁଥିବା ଟ୍ରେନ ଓ କରମଣ୍ଡଳ ଏକ୍ସପ୍ରେସ ପରସ୍ପର ସହ ଧକ୍କା ହୋଇଛି ।

ଏକ ଅନନ୍ୟ ଯାତ୍ରା

“ହେଲୋ, ଦେଇ, ଏବେ କେଉଠି?” ଫୋନ ଉଠାଇଲା ବେଳକୁ ଆରପଟୁ କକାଙ୍କ ପୁଅ ସାନ ଭାଇ ଭାରି ଉତ୍କଣ୍ଠା ର ସହ ପଚାରୁ ଥିଲା। “ବାଙ୍ଗାଲୋର ରେ ଘରେ ଅଛି।”

“ବାହାରି ନାହଁ?”

“ନା, ଟ୍ରେନ ଆସନ୍ତା କାଲି ଅଛି ।”

“ମୁଁ ତାରିଖ ଟା ଠିକ ଜାଣି ନଥିଲି, ମାତ୍ର ଏଇ ସପ୍ତାହ ରେ ଆସୁଚ, ଏତିକି ଜାଣେ ।”

“କଥା କଣ ସିଧା କହିଲୁ,” ମୁଁ ଏଥର ବ୍ୟସ୍ତ ହୋଇ ପଡିଲି ।

“ଏଇଠି ବାହାନଗା ବଜାର ରେ ଟ୍ରେନ ଦୁର୍ଘଟଣା ହୋଇଛି- ତିନିଟି ଟ୍ରେନ ମଧ୍ୟରେ । ଗୋଟିଏ ମାଲ ଗାଡି, ବାଙ୍ଗାଲୋରରୁ ଆସୁଥିବା ଟ୍ରେନ ଓ କରମଣ୍ଡଳ ଏକ୍ସପ୍ରେସ ପରସ୍ପର ସହ ଧକ୍କା ହୋଇଛି । ବାଙ୍ଗାଲୋରରୁ ଆସୁଥିବା ଟ୍ରେନ ବି ଲାଇନ-ଚ୍ୟୁତ ହୋଇଛି ।”

“ହଉ ହଉ ତୁ ରଖ, ମୁଁ ଟିଭି ଦେଖେ,” କହି ମୁଁ ତର-ତରରେ ଟିଭି ଅନ କଲି । ନ୍ୟୁଜ ଚ୍ୟାନେଲ ମାନଙ୍କ ରେ ସେଇ ଏକା ବିଭତ୍ସ ଦୃଶ୍ୟ- କେତେ ମୃତ, କେତେ ଆହତ- ସଠିକ ଜଣାନାହିଁ; ଉଦ୍ଧାର କାର୍ଯ୍ୟ ଚାଲିଛି; ଆହତ ଙ୍କୁ ହସ୍ପିଟାଲ ପଠା ଯାଉଛି ଇତ୍ୟାଦି । ଏପଟେ ଫୋନ୍‌ ଅନବରତ ରିଙ୍ଗ୍‌ ହୋଇ ଚାଲିଛି । ଖାଲି ଯାହା ନିଜର ପରିବାର ଛାଡିଦେଲେ ଯେଉଁ ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ମାନେ ଜାଣିଥିଲେ ଆମେ ଯାଉଛୁ ଓଡିଶା ବୋଲି, ସମସ୍ତେ ଫୋନ କରୁଥିଲେ, ଆମେ ଯାଇନୁ, କଲି ସକାଳୁ ଏଠୁ ବାହାରିଥାନ୍ତୁ ବୋଲି ଶୁଣି ସମସ୍ତେ ଆଶ୍ଵସ୍ତ ହେଉଥିଲେ, ବର୍ଷଟାରେ ସମସ୍ତେ ଚାହିଁ ଥାନ୍ତି ଆମ ଯିବା ବାଟକୁ । ବାପାଙ୍କ ଶ୍ରାଦ୍ଧ ପାଇଁ ମୁଁ ପ୍ରାୟ ଯାଇଥାଏ, ଗଲେ ପରିବାର, ବନ୍ଧୁ ସାଙ୍ଗ ସାଥି ସମସ୍ତଙ୍କ ସହ ଦେଖା ହୁଏ । ଏ ବର୍ଷ ବାପାଙ୍କ ଶ୍ରାଦ୍ଧ ପାଇଁ ଆଉ ଦୁଇ ଦିନ ବାକିଥିଲା ।

ରାତିରେ ଡିନର ପ୍ରାୟ ସେମିତି ଟିଭି ଦେଖୁ ଦେଖୁ କଟିଲା, ବାକି ଆଉ କଣ ପ୍ୟାକିଙ୍ଗ୍‌ ପାଇଁ ବାକି ରହିଲା, ତାହା ବି ଆମେ ପରସ୍ପର କୁ ମନେ ପକାଇ ଦେଉଥାଉ, ରାତି ତିନି ଟାରୁ ଉଠିଲୁ, କଣ ଖାଦ୍ୟ ସବୁ ନେବୁ ନିଜର ଟ୍ରେନ ଯାତ୍ରା ପାଇଁ ଭାବି ରୋଷେଇ ରେ ପଶି ରୋଷେଇ ଆରମ୍ଭ କରିଛୁ, ହଠାତ ପତିଙ୍କ ମନକୁ ଆସିଲା ଟ୍ରେନର ସ୍ଥିତି ଚେକ୍‌ କରିବା ବିଷୟରେ ।

“ରୁହ ରୁହ, ରୋଷେଇ ଆରମ୍ଭ କରନି । ସେଇ ଲାଇନରେ ସବୁ ଟ୍ରେନ୍‌ ବନ୍ଦ କରି ଦିଆ ଯାଇଛି ।”

କଥା ଶୁଣି ଆମେ ସମସ୍ତେ ହଲ୍‌ରେ ଟିକେ ସମୟ ବସି ପଡିଲୁ । ଏହା କିଛି ନୂଆ କଥା ନୁହେଁ, ଟ୍ରେନ ଦୁର୍ଘଟଣା ହେଲେ ଟ୍ରେନ ଚଳାଚଳ ବନ୍ଦ ହେବା ସ୍ଵାଭାବିକ । ମାତ୍ର ଆମେ ଘରେ ଦୁଇ ଦିନ ପରେ ପହଞ୍ଚି ପାରିବୁ ନାହିଁ । ପତି କହିଲେ, “ବାଙ୍ଗାଲୋରରୁ ଭୁବନେଶ୍ୱର କୁ ଫ୍ଲାଇଟ୍‌ ସବୁ ପ୍ରାୟ ଭର୍ତି; ଆଉ ଯାହା ଟିକେଟ ମିଳୁଛି, ତାର ଦାମ ଗୋଟାକୁ କୋଡିଏ ହଜାର ଉପରେ । ଦୁଇଟା ଫ୍ଲାଇଟ୍‌ ଅଛି, ମାତ୍ର ସିଧା ନୁହେଁ, ପ୍ରଥମେ ମୁମ୍ବାଇ ବା ହାଇଦ୍ରାବାଦ ଯିବାକୁ ପଡିବ, ଚାରି- ପାଞ୍ଚ ଘଣ୍ଟା ପରେ ସେଠୁ ବଦଳ କରି ଭୁବନେଶ୍ୱର ।” ଆଉ କିଛି ଉପାୟ ନ ଦେଖି ମୁମ୍ବାଇ ଫ୍ଲାଇଟ ରେ ଆମର ଟିକେଟ ବୁକ୍‌ କରିଦେଲୁ । ତା ପରଦିନ ସକାଳେ ବାଙ୍ଗାଲୋର ରୁ ବସିଲେ, ସନ୍ଧ୍ୟା ସାତଟା ବେଳକୁ ଭୁବନେଶ୍ୱର ପହଞ୍ଚି ଯିବୁ ।

ସେ ଦିନ ସାରା ପ୍ରାୟ ଫୋନ୍‌ରେ ହିଁ କଟିଲା- “କେବେ ଆସିବ, କେମିତି ଆସିବ?” ଏଇ ସବୁ ପ୍ରଶ୍ନର ଉତ୍ତର ଦେଉ ଦେଉ, ବିରକ୍ତି ଅପେକ୍ଷା ଖୁସି ଲାଗୁଥିଲା; ଯାହା ହେଉ ପରିବାର, ବନ୍ଧୁ ସାଙ୍ଗ ସାଥି କମସେ କମ ଆମ ପାଇଁ ଏତିକି ଭାବୁଛନ୍ତି !

ଟିଭି କିନ୍ତୁ ଅନବରତ ଚାଲିଥାଏ । ସବୁ ଓଡିଆ ନ୍ୟୁଜ୍‌ ଚ୍ୟାନେଲରେ ଓ ଜାତୀୟ ଗଣ ମାଧ୍ୟମ ରେ ବି ଏ ଖବର ଆସୁଥାଏ । ସେ ବିଭତ୍ସ ଦୃଶ୍ୟକୁ ଦେଖି କେବେ ଦେହ ତ କେବେ ଅନ୍ତରାତ୍ମା ଥରି ଉଠୁଥାଏ । ଅଣ ଓଡିଆ ବନ୍ଧୁ ମାନେ ବି ମେସେଜ୍‌ କରି, କିଏ ଫୋନ କରି ପଚରା, ଉଚରା କରୁଥାନ୍ତି ।

ସେଦିନ ଖିଆପିଆ ସେମିତି ସେମିତି, ଯେହେତୁ ପନ୍ଦର ଦିନ ଧରି ଘର ପୁରା ବନ୍ଦ ରହିବ; ଫଳ-ମୂଳ, ପରିବା, ଦୁଗ୍ଧ ଜାତୀୟ ଜିନିଷ ସବୁ ସାରି ଦେଇଥିଲୁ । ଯାହା ଶୁଖିଲା ଖାଦ୍ୟ, ଭାତ ଡାଲି, ଆଳୁ ସିଝା, ଥରେ ଖାଇବା ପାଇଁ କିଣା ଜିନିଷ ଭିତରେ ଦିନଟା କଟିଲା । ତା ପରଦିନ ଘରୁ ବାହାରିବା ଠୁ, ବିମାନରେ ଫୋନ ବନ୍ଦ ହେବା ଯାଏ, ବଉ, ଶାଶୁଘରୁ ଘନ ଘନ ଫୋନ, ସେମାନଙ୍କୁ ବିମାନର ଟାଇମ କହିଦେଲୁ । ଭୁବନେଶ୍ୱର ସନ୍ଧ୍ୟା ୭ ଟାରେ ପହଚିଂବ । ଚାରି ଘଣ୍ଟା ବସ ଯାତ୍ରା, ଅତଏବ ରାତି ୧୨ ଟା ବେଳକୁ ଆମେ ଘରେ ପହଞ୍ଚିଯିବୁ ।

ବାଙ୍ଗାଲୋର ରୁ ମୁମ୍ବାଇ ବିମାନ ଯାତ୍ରା ଠିକ୍‌ ଥିଲା । ସେଠି ପହଞ୍ଚି ବିମାନବନ୍ଦର ବଦଳିବାକୁ ପଡିଲା । ତାହା କିଛି ବଡ କଥା ନୁହେଁ, ସାଧାରଣତ ଅନ୍ତର୍ଜାତିକ ଯାତ୍ରା ରେ ଏହା ସ୍ଵାଭାବିକ । ବିମାନବନ୍ଦର ରେ ତିନି ଘଣ୍ଟା ଏମିତି କଟି ଗଲା । ଖର୍ଚ୍ଚ ବହୁଳ ହେଲେ ବି ଖାଦ୍ୟ ପାନୀୟ କିଛି ଖାଇଲୁ, ଯେମିତି ହେଲେ ସନ୍ଧ୍ୟାରେ ଭୁବନେଶ୍ଵର ପହଞ୍ଚି ଯିବୁ । ସେଠି ଓଲହାଇ କିଛି ଓଡିଆ ଖାଦ୍ୟ ଖାଇ ମନ ଖୁସି କରି ନେବୁ ଓ ଘରେ ଆରମ ରେ ପହଞ୍ଚିବୁ । ସେଇ କଥା ଭାବି ଆମେ ଆମର ଥକା ଭୁଲାଇ ଦେଉଥିଲୁ । ସମୟ ହେବାରୁ ମୁମ୍ବାଇ ରୁ ବିମାନ ଛାଡିଲା ।

ମାତ୍ର, ସେ ବିମାନ ଯାତ୍ରା କିଛି ସମୟ ପରେ ସୁଖଦ ହେଲା ନାହିଁ । ପାଗ ଖରାପ ଥିବାରୁ ବାରମ୍ବାର ସୀଟ-ବେଲ୍ଟ ପିନ୍ଧିବାକୁ ନିର୍ଦ୍ଦେଶ କପ୍ତାନଙ୍କର, ଉପର ତଳ ହୋଇ ବିମାନ ଚାଲିଥାଏ । ଲ୍ୟାଣ୍ଡିଂ ସମୟ ପାଖେଇ ଆସୁଥାଏ, କିନ୍ତୁ ବାହାରେ କିଛି ସ୍ପଷ୍ଟ ଦେଖା ଯାଉ ନ ଥିଲା – ଯେହେତୁ ଦୃଶ୍ୟତା ବହୁତ କମଥିଲା । ଭୁବନେଶ୍ଵରରେ ଓହ୍ଲେଇବା ବୋଲି କପ୍ତାନ ଘୋଷଣା କଲେ । ମନ ଟିକେ ଖୁସି ହୋଇ ଗଲା । ମାତ୍ର ଏ କଣ ? ବିମାନ ଟି ହଠାତ ବହୁତ ଜୋରରେ ତଳକୁ ଖସିବା ଆରମ୍ଭ କଲା । ଭିତରେ ସବୁ ଯାତ୍ରୀ ଆତଙ୍କିତ, ସମସ୍ତେ ପାଟି କରିବାକୁ ଲାଗିଲେ । ଅନେକେ ଭଗବାନଙ୍କ ନାମ ଜପୁଥାନ୍ତି । ମୁଁ ଭୟରେ ଆଖି ବନ୍ଦ କରି ଦେଇ ମନେ ମନେ ଇଷ୍ଟଦେବଙ୍କୁ ଡାକୁଥାଏ ଓ ଗୋଟେ ହାତରେ ଖୁବ ଜୋରରେ ସ୍ଵାମୀ ଙ୍କ ହାତକୁ ଜାବୁଡି ଧରିଥାଏ । ଏଆର ପକେଟ ରାସ୍ତାରେ ପଡିଲେ ବିମାନ ଏମିତି ଅଳ୍ପ ମାତ୍ରାରେ ତଳକୁ ଖସେ, ମାତ୍ର ଏଥର ଏହା ବହୁତ ଭୟଙ୍କର ଥିଲା । ଗୋଟେ ଦିନ ତଳର ଟ୍ରେନ ଦୁର୍ଘଟଣା ଭୟ ଆମ ମନରେ ଜମାଟ ବାନ୍ଧି ସାରିଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନଟି ପୁଣି ସ୍ଥିର ଭାବେ ଚାଲିଲା । ଏଥର ବିମାନ ଟିକେ ଉପରକୁ ଉଠିଲା, ପୁଣି ଗୋଟେ ଚକ୍କର କାଟି ତଳକୁ ଖସିବା ଆରମ୍ଭ କଲା, ଲ୍ୟାଣ୍ଡିଂ ପାଇଁ ଦ୍ଵିତୀୟ ପ୍ରୟାସ କରୁଥିଲେ କପ୍ତାନ । ଏଥର ବି ବିମାନ ଟି ଆହୁରି ଜୋରରେ ତଳକୁ ଖସିବିକୁ ଲାଗିଲା । ହେଲେ ଯାତ୍ରୀ ମାନେ ଏଥର ପ୍ରାୟ ଚୁପ ରହିଥିଲେ – ବୋଧହୁଏ ସମସ୍ତେ ଡରର ସୀମା ପାରି କରିବାକୁ ଯାଉଥିଲେ । ପୁଣି ଏକ ଘୋଷଣା, “ଖରାପ ପାଗ ଓ ମେଘାଛନ୍ନ ଆକାଶ ପାଇଁ ଆମେ ଭୁବନେଶ୍ଵରରେ ନୁହେଁ, କୋଲକାତା ରେ ଓଲହାଇବୁ । ଭୁବନେଶ୍ଵରରୁ ଏହା ୪୫ ମିନିଟ ଲାଗିବ ।” କପ୍ତାନ ମଧ୍ୟ ତୃତୀୟ ପ୍ରୟାସ ନ କରିବା ହିଁ ଶ୍ରେୟ ମନେକଲେ, ଆଉ ସେ ନିଷ୍ପତ୍ତି ସମସ୍ତ ଧନ ଜନଙ୍କ ହିତ କୁ ଆଖିରେ ରଖି ସେ ନେଇଥିଲେ ।

ପଇଁଚାଳିଶ ମିନିଟ ପରେ ବିମାନ ଟି କୋଲକାତତା ର ଦମଦମରେ ଓହ୍ଲାଇଲା । ତର ତର ରେ ସମସ୍ତେ ଫୋନ୍‌ ଅନ୍‌ କଲେ । ଭୁବନେଶ୍ଵର ବିମାନ ବନ୍ଦରରେ ଅପେକ୍ଷା କରିଥିବା ଘର ଲୋକ ବ୍ୟସ୍ତ, ବିମାନ ପହଞ୍ଚୁନି, କାହାରି ଫୋନ ଲାଗୁନି କି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଖରେ କିଛି ଖବର ନାହିଁ । ବିମାନ ରେ ଥିବା ସମସ୍ତ ଯାତ୍ରୀ ପ୍ରାୟ ଆଶ୍ଵସ୍ତ ଥିଲେ ଓ ଫୋନ୍‌ରେ କଥା ହେଉଥିଲେ, ବିମାନ ରେ ବସି ରହିବା ପାଇଁ କଡା ନିର୍ଦ୍ଦେଶ ଥିଲା । ଭୋକ ରେ ଆଉଟୁ ପାଉଟୁ ହେଉଥିବା ଯାତ୍ରୀଙ୍କୁ ସେତେବେଳେ ଜଳଖିଆ ରେ ବିସକୁଟ ଓ ମିକ୍ସଚର ଦିଆଗଲା , ପ୍ରାୟ ତିନ ଘଣ୍ଟା ର ଅପେକ୍ଷା ପରେ ବିମାନ ଉଡିବା ପାଇଁ ପ୍ରସ୍ତୁତ ହେଲା । ବିରକ୍ତି, କ୍ଳାନ୍ତି ଓ ଭୋକ ସବୁ ସହି କୋଲକାତାରୁ ଭୁବନେଶ୍ଵର ପହଞ୍ଚିଲୁ ରାତି ଦୁଇଟାରେ । ବିମାନ ସୁରୁଖୁର ରେ ତଳେ ଓଲହାଇଲା- ଏହା ଭିତରେ ପାଗ ସୁଧୁରି ଯାଇଥିଲା । ସମସ୍ତେ ଯେମିତି ଶାନ୍ତି ରେ ନିଶ୍ଵାସ ନେଲେ, ଯିଏ ଯେମିତି ଟିକେ ବସିଲେ, ଆଗରୁ ରିଜର୍ଭ ବୂକିଂ ହୋଇଥିବା ବସ ଛାଡି ସାରିଥିଲା ଅନେକ ଆଗରୁ । ଏବେ ରାତି 3:30 ରେ ପ୍ରଥମ ବସ ଆସିବ ବୋଲି ସୂଚନା ମିଳିଲା । ଘଣ୍ଟାଏ ବିମାନବନ୍ଦର ରେ ବସି ରହିଲୁ, ସେତେବେଳେ କୌଣସି ଦୋକାନ ଖୋଲା ନ ଥିଲା; ତେଣୁ ପାଖରେ ଯାହା ବିସ୍କୁଟ ଇତ୍ୟାଦି ଥିଲା ତାହା ଖାଇ ଭୋକ ମେଣ୍ଟାଇଲୁ । ଅଧିକ ରାତି, କ୍ଳାନ୍ତି କି ଦୁର୍ଘଟଣା ରୁ ବର୍ତିବା ଓ ଟ୍ରେନ ଦୁର୍ଘଟଣା, ସବୁ କିଛି ମିଶି କେମିତି ଖାଁ-ଖାଁ ଲାଗୁଥିଲା ଚାରିଆଡେ । ଗନ୍ତବ୍ୟ ଅଭିମୁଖେ ଯିବା ପାଇଁ ବସ୍‌ରେ ବସି ଦୀର୍ଘ ନିଶ୍ଵାସ ଛାଡିଲୁ । ବସ୍‌ରେ କି ଭିଡ, ଖରା କୁ ଅଡେଇବା ପାଇଁ ଲୋକେ ବଡି ସକାଳୁ ଯାତ୍ରା କରୁଥିଲେ । ସକାଳ ନ’ ଟାରେ ଘରେ ପହଞ୍ଚିଲୁ । ବୋଉ ଆଖିରେ ଖୁସି ଆଉ ଚିନ୍ତାମୁକ୍ତି ମିଶା ମିଶି ଲୁହଟି ଏ ଜକାଇ ଆସିଲା ଆମକୁ ଦେଖି । ଠାକୁରାଣୀ ଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା । “ମୋ ପିଲାଙ୍କ ଉପରୁ ଅଶୁଭ ନଜର ହଟିଲା, କେଉଁ ଅଶୁଭ ଶକ୍ତି ଏମାନଙ୍କ ପିଛା କରୁଥିଲା କେଜାଣି, ଇତ୍ୟାଦି ଇତ୍ୟାଦି । ଯାଅ, ଧୁଆ ଧୋଇ ହୋଇଯାଅ, ଖାଇ ପିଇ ଶୋଇପଡ, ମୋ ପିଲାଏ କଳା କାଠ ପଡି ଗଲେଣି ଦୁଇ ଦିନରେ ।” ଆମେ କେହି ତା କଥା ଶୁଣିବା ହାଲତ ରେ ନଥିଲୁ । ମୁଁ କିନ୍ତୁ ଭାବୁଥିଲି, ଅସୁବିଧା ଯେତେ ବେଳେ ଆସେ ତା ସାଙ୍ଗ ସାଥିଙ୍କୁ ସାଥିରେ ନେଇ ଆସେ, ଏକଥା ଟି ସତ । ଏ ଯାତ୍ରା ମୋତେ ଓଡିଶାରେ ମହାବାତ୍ୟା ବେଳର ଯାତ୍ରା ଅନୁଭୂତି କୁ ଆଣି ମୋ ଆଖି ସାମ୍ନାରେ ଛିଡା କରୁଥିଲା । ତା ଛଡା ଜୀବନ ଯେ କେତେ କ୍ଷଣ-ଭଙ୍ଗୁର ଓ ଅନିଶ୍ଚିତ ଏ କଥା କୁ ଅସ୍ଵୀକାର କରି ହେବନି । ମଣିଷ ଯେତେ ଉନ୍ନତି ଓ ଚେଷ୍ଟା କଲେ ବି ନିୟତିକୁ ବଦଳାଇ ପାରିବେ ନାହିଁ । ଜୀବନ ର ଯାତ୍ରା ଯେତେ କଠିନ ହେଲେ ବି ଧର୍ଯ ନ ହରାଇ ଆଗକୁ ବଢିବା ହିଁ ସଫଳତା ଆଣି ଦେଇଥାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top