ଅଣୁଗଳ୍ପ

ନଷ୍ଟ ଲବଙ୍ଗ

Priyadarshini Panda's odia short story Nashta Labanga

“ବଡ଼ ହେବାପାଇଁ ଥାଏ ଯଦି ଇଚ୍ଛା,
ବଡ଼ କର ଆଗ ନିଜ ମନବାଞ୍ଛା ।”

ଡ୍ରେସିଙ୍ଗ୍‌ ଟେବୁଲ୍‌ ସାମ୍ନାରେ ବସି, ଓଠରେ ଲିପିଷ୍ଟିକ୍‌ ଲଗାଉଛି ଲବଙ୍ଗ । ପିନ୍ଧିଛି ଦାମୀ ବନାରସୀ ପାଟ । ବାଳଗୁଡ଼ାକ ଛୋଟ ଛୋଟ ବବ୍‌ କଟ୍‌ କରାହୋଇଛି । ନଖରେ ନେଲ୍‌ ପଲିସ୍‌ ଲଗାଇଛି । ଆଇବ୍ରୋ ସେପ୍‌ କରିଛି । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆଧୁନିକ ସାଜରେ ସଜାଇ ହୋଇଛି । ମୁଣ୍ଡରେ ମାରିବା ପାଇଁ ଶାଢ଼ୀ ସହିତ ମ୍ୟାଚିଙ୍ଗ କରି ଚକ୍‌ ଚକ୍‌ ଟିକିଲିଟିଏ ମଧ୍ୟ କାଢ଼ିଛି । ସାନବାବୁ ତଳୁ ଡକା ଛାଡୁଛନ୍ତି, “ ଲବଙ୍ଗ ଜଲଦି ଆସ, ସିନେମା ଆରମ୍ଭ ହୋଇଯିବ ଯେ… !” ହଁ… ହଁ… ଯାଉଛି, କହିଦେଇ ଲବଙ୍ଗ ପୁଣି ଡେରି କଲା । କ’ଣ କରିବ ଯେ ? ଶାଢ଼ୀଟା ସଜାଇବାକୁ ତ ବହୁତ ସମୟ ନେଉଛି । ସିଡ଼ିରେ ଜୋତା ଶବ୍ଦ ଶୁଭୁଛି । ସାନବାବୁ ଆସି ତା ବେକ ଚାରିପାଖକୁ ଦୁଇ ହାତରେ ଗୁଡ଼ାଇ ଧରି କହିଲେ, “ ଏମିତିରେ ତ ଭାରି ସୁନ୍ଦର ଦେଖାଯାଉଛ ଲବଙ୍ଗ ରାଣୀ, ଆଉ କେତେ ସଜାଇ ହେଉଛ ? ସାନବାବୁଙ୍କ ସ୍ପର୍ଶରେ ଶିହରିତ ହୋଇଯାଉଛି ଲବଙ୍ଗର ସର୍ବାଙ୍ଗ । ସେ ଆନନ୍ଦରେ ଆଖି ବନ୍ଦ କରି ପକାଉଛି । ଏମିତି ଏକ ମଧୁର ମୁହୂର୍ତ୍ତରେ ଲବଙ୍ଗର ଦିବାସ୍ଵପ୍ନ ଭାଙ୍ଗିଗଲା । କିଏଗୋଟେ ଟିଣ କବାଟଟାକୁ ଦୁମ୍‌ ଦୁମ୍‌ କରି ବାଡ଼ାଉଛି ।

ବିରକ୍ତରେ ଗର ଗର ହୋଇ ଉଠିଗଲା ଲବଙ୍ଗ । କବାଟ ଖୋଲି ଦେଖିଲା ଅଲଣୀ ଠିଆ ହୋଇଛି । ଅଲଣୀ ତାଙ୍କ ପଡ଼ାରେ ରହେ । ଲବଙ୍ଗପରି ସେ ମଧ୍ୟ ପରଘରେ ପାଞ୍ଚ ପାଇଟି କରି ପେଟ ପୋଷେ । ତାକୁ ଦେଖୁ ଦେଖୁ ଲବଙ୍ଗ ରାଗରେ ପାଚିଗଲା । କହିଲା, “ମଲୁ ନାହିଁ ଲୋ ପୋଡ଼ାମୁହିଁ ଏ ଖରାବେଳଟାରେ କାହିଁକି ଦୁଆର ବାଡ଼ାଉଛୁ ?” ଅଲଣୀ ମୁହଁରେ ଖୁସିର ବନ୍ୟା । ଖୁସିରେ ଗଦ୍‌ ଗଦ୍‌ ହୋଇ କହିଲା, “ ଖବରଟା ଆଗ ଶୁଣୁନା, ତା’ପରେ ତୁ ଖୁସି ହେବୁ କି ନାହିଁ ଦେଖିବୁ ।

– କ’ଣ ଖବର ଶୁଣେ…

– ଜେମାର ବାହାଘର ପକ୍କା ହୋଇଗଲା; ମଦନା ସାଙ୍ଗରେ |

– ଆଲୋ କଉ ମଦନା ? ସେଇ ରିକ୍ସା ବାଲା ତ…

ହଁ, ହଁ ସେଇ ରିକ୍ସାବାଲା | କିଛି ଯୌତୁକ ମାଗିନାହିଁ । ଖାଲି ଗୋଟେ ଘଣ୍ଟା ଦରକାର । ଜେମାର ବା’ ଦେବାପାଇଁ ରାଜି ହୋଇଛି । ମୁହଁ ମୋଡ଼ିଲା ଲବଙ୍ଗ । “ ହଁ, ରିକ୍ସାବାଲାଟାକୁ ବାହା ହେଉଛି, ମଲାନି ଯାହା, ନଈ କି ପୋଖରୀ ମିଳିଲାନି ଡେଇଁ ପଡ଼ିବାକୁ !” “ସେମିତି କହନା ଲୋ ଲବଙ୍ଗ, କେତେ କଷ୍ଟରେ ମଦନା ବାହା ହେବାକୁ ରାଜି ହୋଇଛି । ଜେମାର ଭାଗ୍ୟ ଖୋଲିଗଲା ବୋଲି ଜାଣ ।” “ହଁ ଲୋ, କି ଭାଗ୍ୟ ! ନୂଆ ନୂଆ ଦୁଇ ଚାରିମାସ ଆଦର ସୋହାଗ କରିବେ, ହୁଏତ ଦିନେ ଅଧେ ରିକ୍ସାରେ ବସାଇ ସିନେମା ଦେଖାଇ ନେବେ,ତା’ପରେ… ?” ତା’ପରେ’… ପ୍ରଶ୍ନ କଲା ଅଲଣୀ ।

“ ଆହା… ଜମା ଜାଣିଥିବୁ କି ? କେତେ ଛୋପରି ହେଉଛୁ ଲୋ | ତା’ପରେ ପେଟେ ମଦ ପିଇଦେଇ ଘରକୁ ଆସିବେ । ପାଞ୍ଚଘରେ ପାଇଟି କରି ତୁମେ ଯେଉଁ ପଇସା ରଖିଥିବ, ତାକୁ ମାଗିବେ, ନ ଦେଲେ ଟାଙ୍କେ ଛେଚିବେ, ଦେଲେ ପୁଣି ନେଇ ମଦଖାଇ ଗଡ଼ିବେ ।”

ଅଲଣୀର ମୁହଁ ଶୁଖିଗଲା । ସରାଗ ମଉଳି ଗଲା । ନିରସ ବଦନରେ କହିଲା, “ସବୁ ରିକ୍ସାବାଲା କ’ଣ ଏକାପରି ? ତୋ ବାପ ରାମଲୁ ପରି ?” କହିଦେଇ ଜିଭ କାମୁଡ଼ିଲା ଅଲଣୀ । ବାପ୍‌ରେ ବାପ୍‌, ଲବଙ୍ଗର ବାପ ନାଁ ଧରିଲେ ଯେ ଆଉ ତ୍ରାହି ନାହିଁ । ଲବଙ୍ଗ ଚିତ୍କାର ଆରମ୍ଭ କରିଦେଇଥିଲା । “ହଁ, ଲୋ ତୋ ବୋପାଟି ଏକା ସତ୍ୟବାନ । ଜମାରୁ ମଦ ଛୁଏଁନି । ପାଞ୍ଚଟା ମାଇକିନାଙ୍କୁ ଛାଡ଼ିଲା ପରେ ଷଷ୍ଠ ମାଇକିନାର ଝିଅ ତୁ । ସେଥିରେ ପୁଣି ଛଇ ଦେଖାଇ ହେଉଛୁ ? ମାଆଲୋ ମଲ୍ଲୀ, ନା ଢପ ଚାଲ ।”

ପଳାଇଲା ଅଲଣୀ । ଲବଙ୍ଗ ସାଥୀରେ ତ କେହି କଳି କରି ପାରିବେ ନାହିଁ । କରୁଥାଉ ସେମିତି ପାଟି । ବଳେ ଚୁପ୍‌ ହୋଇ ଯବନିକି ! ପାଟି କରି କରି ଲବଙ୍ଗ ହାଲିଆ ହୋଇପଡ଼ିଲା । ଜିଭ ଶୁଖି ଗଲା । ଅଧଗିଲାସେ ପାଣି ଢକ ଢକ କରି ପିଇଦେଇ ପୁଣି ପାଟି ଆରମ୍ଭ କଲା – “ ଆଲୋ ହେ ମଉନ ମୁହୀଁ, ତୁ ମୋ ଗୋଇ ଖୋଳୁଛୁ ? ମୁଁ ପରା କା ଘରେ କେତେ ମୂଷାଗାତ ଅଛି, ମୁହେଁ ମୁହେଁ ବତାଇ ଦେବି । ଏ ପଡ଼ାର କା କଥା ମୁଁ ନ ଜାଣେ ? ତୋ ଗୁମର କହି ବସିଲେ ପରା ରାତି ପାହିଯିବ, କଥା ସରିବ ନାହିଁ । ତୁ ପୁଣି ମୋତେ ଦେଖେଇ ଶିଖେଇ କହୁଛୁ ? ଦେଖ ହୋ ଚାଲୁଣୀ କହୁଛି ଛୁଞ୍ଚିକୁ… ”

ଆଉ ପାଟି କରି ପାରିଲା ନାହିଁ ଲବଙ୍ଗ । ଥକ୍କା ମାରି ବସିପଡ଼ିଲା । ଦେଖଣାହାରୀମାନେ ଆସ୍ତେ ଆସ୍ତେ ଯେ ଯୁଆଡ଼େ ଚାଲିଗଲେ । ଝାଟିମାଟି ତିଆରି କୁଡ଼ିଆଘର ଭରା ପଡ଼ାରେ ଏ କଥାଗୁଡ଼ାକ ଅତି ସାଧାରଣ । ‘ଲବଙ୍ଗ’ ଏଇ ପଡା ରହେ । ଘର ବୋଇଲେ ତା’ର ଆଠଫୁଟରେ ଆଠଫୁଟ ଗୋଟିଏ ବଖରା । ସେ ପୁଣି ଅଣ୍ଟା ଉଚ୍ଚର ମାଟିକାନ୍ଥ ଉପରେ ଛପର ହୋଇଥିବା ଚାଳ ଅଧା ଉଡିଗଲାଣି । କେଉଁଠି ପ୍ଲାଷ୍ଟିକ୍‌ ଜରି ତ କେଉଁଠି ଛିଣ୍ଡା ଅଖା ଦେଇ ପ୍ୟାଚ୍‌ ପକାଯାଇଛି । ଘର ଭିତରେ ଥାଇ ଚନ୍ଦ୍ର, ସୂର୍ଯ୍ୟଙ୍କ ଦର୍ଶନ କରିବା ଖୁବ୍‌ ସହଜ । ଆଉ ବର୍ଷାଦିନ କଥା ତ ଛାଡ଼, ଘରେ ଯେତେ ଥାଳୀ, ଗିନା, ହାଣ୍ଡି, ମାଠିଆ ଅଛି ତାକୁ ସବୁ ଠାକୁ ଠା ପାଣି ଗଳୁଥିବା ଜାଗାମାନଙ୍କରେ ବସାଇଲେ ମଧ୍ୟ ବାସନ ନିଅଣ୍ଟ ପଡ଼େ । ଜାକିଜୁକି ହୋଇ ଯେଉଁଜାଗାରେ ଟିକେ ପାଣି ପଡ଼ୁ ନ ଥାଏ, ସେଠାରେ ସେ ଓ ତା ଜେଜି ଶୋଇପଡ଼ନ୍ତି ।

ଲବଙ୍ଗ ଓ ତା’ପରି ଝିଅମାନଙ୍କୁ ଏ ସହରରେ “ କାମବାଲୀ” ବୋଲି କହନ୍ତି । ବାବୁମାନଙ୍କ ଘରେ ବାସନ ମାଜି, ଲୁଗାକାଚି ଘର ପୋଛି ତଥା ରୋଷେଇରେ ସାହାଯ୍ୟ କରି ଏମାନେ ପେଟ ପୋଷନ୍ତି ।

ତରବର ହୋଇ ବାହାରି ପଡ଼ିଲା ଲବଙ୍ଗ । ମା, ଆସିବେଣି କେତେ କାମ ପଡ଼ିଥିବ । ଚାରିଟା ବାଜିଗଲାଣି କି କ’ଣ ? ଏତେ ପାଟିରେ ବି ଏ ଜେଜି ବୁଢ଼ୀଟା ଶୋଇଛି, ଶୋଇଥାଉ, ତାକୁ ନ ଉଠାଇ ଲବଙ୍ଗ ଚାଲିଗଲା । ମା” ତାକୁ ଦେଖୁ ଦେଖୁ କହିଲେ, “ ହଇଲୋ ଲବଙ୍ଗ, ଶୋଇ ପଡ଼ିଥିଲୁ କି ? ନାଇଁ ମ ମା’; ଲାଜେଇ ଲାଜେଇ ଲବଙ୍ଗ କହିଲା । ପଡ଼ାରେ ସିନା ପାଟି କରି କରି କମ୍ପାଇ ଦିଏ, ହେଲେ ଏଠାରେ ଯେମିତି ସେ ଲାଜକୁଳୀ ଲତା । ପାଞ୍ଚପଦ ପଚାରିଲେ ପଦେ ଉତ୍ତର ଦେବ । “ହଉ, “ ଜଲ୍‌ଦି ବାସନଗୁଡ଼ା ମାଜିପକା । ମୁଁ ଜଳଖିଆ କରି ସାରିଲିଣି । ଏଇନା ତ ତୋ ବଡ଼ବାବୁ ଆଉ ସାନବାବୁ ଆସିଯିବେ ।” ଲବଙ୍ଗ ବାସନ ମାଜି ପକାଇଲା । ଘରଗୁଡ଼ାକୁ ଓଳାଇ ଦେଲା । ଲୁଗାଗୁଡ଼ାକୁ ତୋଳି ଆଣି ଭାଙ୍ଗିକରି ଯଥା ସ୍ଥାନରେ ରଖିଦେଲା । ୟା ଭିତରେ ସମସ୍ତେ ଡାଇନିଙ୍ଗ୍‌ ଟେବୁଲ୍‌ ପାଖରେ ଜଳଖିଆ ଖାଇବାକୁ ବସି ଯାଇଥିଲେ । ଲବଙ୍ଗ ଚା’ ବସାଇଲା । ସାନବାବୁଙ୍କୁ ତା’ ହାତ ତିଆରି ଚା’ ଭାରି ଭଲ ଲାଗେ । ଯେଉଁଦିନ ତାଙ୍କ ମନ ଖୁସିଥିବ, ହୁଇସିଲ୍‌ ମାରି ମାରି ଆସିବେ ଆଉ କହିବେ, “ ଚା’ ଟିକେ କଲୁ ଲବଙ୍ଗରାଣୀ ।” ସାନବାବୁଙ୍କର ଏ ଲବଙ୍ଗରାଣୀ ଡାକଟାରେ ଲବଙ୍ଗର ଛାତି କୁଣ୍ଢେମୋଟ ହୋଇଯାଏ । ସାଙ୍ଗେ ସାଙ୍ଗେ ଯେଉଁ କାମ କରୁଥିବ, ଛାଡ଼ିଦେଇ ଚା’ କରିଦେବ । ଚା’ ନେଇ ଟେବୁଲ ଉପରେ ଥୋଇଲାରୁ ମା’ ପରଟା ଦୁଇଖଣ୍ଡ ଦେଲେ ଓ କହିଲେ ତୁ ଚା’ ନେଇ ଖାଇଦେ । ଲବଙ୍ଗ କେବେ ବାବୁମାନଙ୍କ ଆଗରେ ଖାଏ ନାହିଁ, ଚା’ ଓ ପରଟା ଗାଧୁଆ ଘର ପାଖକୁନେଇ ଖାଇଲା ଓ ମନକୁ ମନ କହିଲା, “ଓଃ, ଚା’ ଟିକେ ତ ଦରକାର ଥିଲା ! ଅବେଳାରେ ନିଦଟା ଭାଙ୍ଗିଯିବାରୁ ଦେହ ମୁଣ୍ଡ କସ୍‌ମସ୍‌ କରୁଥିଲା ।”

ଏଇ ବାବୁଙ୍କ ଘର ଯୋଗୁଁ ତ ଆଜି ଲବଙ୍ଗ ବଞ୍ଚିଛି । ତା ଜେଜି ବଞ୍ଚିଛି । ନ ହେଲେ ତା ବୋଉ ଯେତେବେଳେ ଚାଲିଗଲା, କେତେ ବା ବୟସ ହୋଇଥଲା ତାକୁ ? ଏଇ ଧର ନଅ କି ଦଶ ବର୍ଷ । ତା’ ବୋଉ ଜଣେ ରିଫିୟୁଜି ବଙ୍ଗାଳୀ ଥିଲା । ସୂତା ଛିଣ୍ଡା ଘୁଡ଼ିପରି କୁଆଡୁ କୁଆଡୁ ଆସି ଏ ଭୁବନେଶ୍ବରରେ ପହଞ୍ଚିଥିଲା । ସେ ଜଣେ ସ୍କୁଲ ଶିକ୍ଷକଙ୍କର ଝିଅ ଥିଲା । ଦଙ୍ଗାଗୋଳ ବେଳେ ଝିଅର ଇଜ୍ଜତ ବଞ୍ଚାଇବା ପାଇଁ ତା’ ବାପା ଓ ମା ତାକୁ ଭାରତକୁ ଆସୁଥିବା ଟ୍ରେନ୍‌ରେ ବସାଇ ଦେଇଥିଲେ । ଆଉ ସେମାନେ ସମ୍ପତ୍ତିବାଡ଼ି ବିକ୍ରିକରି ଆସିବେ ବୋଲି ରହିଯାଇଥିଲେ । ସେମାନେ ଝିଅକୁ କଲିକତାର ଦୁଇ ତିନିଜଣ ଭଦ୍ରଲୋକଙ୍କ ଠିକଣା ଦେଇଥିଲେ । ତାଙ୍କର ବିଶ୍ଵାସ ଥିଲା ଯେ, ଭାରତରେ ବହୁତ ହିନ୍ଦୁ ଅଛନ୍ତି, ସେଠାରେ ନିଶ୍ଚୟ ତାଙ୍କ ଝିଅ ନିରାପଦରେ ରହିବ । ହିନ୍ଦୁମାନେ ନିଶ୍ଚୟ ସମଧର୍ମୀଙ୍କୁ ସାହାଯ୍ୟ କରିବେ । ଯେଉଁ ରକ୍ଷକଙ୍କର ଠିକଣା ଖୋଜି ଖୋଜି ଲବଙ୍ଗର ବୋଉ, କମଳୀ ପହଞ୍ଚିଥିଲା, ସେ ମାସ ଦୁଇଟାରେ ଭକ୍ଷକ ହେବାପାଇଁ ଚେଷ୍ଟା କଲେ । ନିଜର ଇଜ୍ଜତ ବଞ୍ଚାଇ କୌଣସି ପ୍ରକାରେ ପଳାଇ ଯାଇଥିଲା କମଳୀ । ତା’ପରେ ତା’ର ଆରମ୍ଭ ହୋଇଯାଇଥିଲା ବଞ୍ଚିବା ପାଇଁ ସଂଗ୍ରାମ । ନିଜକୁ କାମୁକ ପଶୁମାନଙ୍କ କବଳରୁ ବଞ୍ଚାଇବା ଆଉ ପେଟକୁ ମୁଠାଏ ଦାନା ଦେବାପାଇଁ ସଂଗ୍ରାମ । ଏମିତି ସଂଗ୍ରାମ କରୁ କରୁ ଦିନେ କମଳୀ ପହଞ୍ଚିଗଲା ଭୁବନେଶ୍ୱରରେ ।

ଏଠାରେ ବଡ଼ ଅଜବ ଭାବରେ ତା’ର ଭେଟ ହୋଇଥିଲା ରାମଲୁ ସହିତ । ରାତି ଦଶଟା ସରିକି ହେବ, ରାମଲୁ ଶେଷ ସବାରୀଙ୍କୁ ଓହ୍ଲାଇଦେଇ ଘରମୁହାଁ ଫେରୁଥାଏ । ହଠାତ୍‌ ଗଳି ମୁଣ୍ଡରୁ ଚିତ୍କାରଟିଏ ଭାସି ଆସିଲା । ରାମଲୁ ରିକ୍ସାରେ ବ୍ରେକ୍‌ ଦେଇ ଅନ୍ଧାର ଗଳି ଆଡ଼େ ଚାହିଁଲା । ଧଇଁ ସଇଁ ହୋଇ ଦଉଡ଼ୁଛି ଝିଅଟିଏ, ଆଉ ତା’ ପଛରେ କଳା କଳା କିଛି ଛାଇ । ଝିଅଟି ତା’ ରିକ୍ସା ଉପରକୁ କୁଦି ପଡ଼ିଲା । ଆଉ ବଡ଼ ବିକଳରେ କହିଲା ଜଲ୍‌ଦି ରିକ୍ସା ଚଲାଅ । କଳା କଳା ଛାଇଗୁଡ଼ାକ ପାଖେଇ ଆସୁଥିଲେ, ଧର… ଧର… ବୋଲି ଚିତ୍କାର କରୁଥିଲେ | ରାମଲୁ ଖୁବ୍‌ ଜୋର୍‌ରେ ରିକ୍ସା ଚଲାଇଲା | ପବନ ବେଗରେ ତା’ ରିକ୍ସା ଛୁଟୁଥାଏ । ପଛରୁ ପାଦଶବ୍ଦ ଆସ୍ତେ ଆସ୍ତେ ଧିମେଇ ଗଲା; କିଛି ସମୟ ପରେ ଜମାରୁ ଶୁଣାଗଲା ନାହିଁ । ଏଥର ରାମଲୁ ବ୍ରେକ୍‌ ଦେଲା । ପଛକୁ ଚାହିଁଲା । ନା… କେହି କୁଆଡ଼େ ନାହାନ୍ତି । ବୁଲିପଡ଼ି କହିଲା, “ କୁଆଡ଼େ ଯେବେ ଦିଦି ?” କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । ରାମଲୁ ରିକ୍ସାରୁ ଓହ୍ଲାଇ ତଳକୁ ଆସିଲା । ଝିଅଟିର ପାଖକୁ ଯାଇ ଦେଖିଲା, ତା’ର ଚେତା ନାହିଁ | ଏଥର ରିକ୍ସା ରାମଲୁର ଘର ଆଗରେ ଅଟକିଲା । ରାମଲୁ ଆଉ ତା’ ମା’ ଝିଅଟିକୁ ଟେକିଟାକି ନେଇ ଘରେ ଶୁଆଇଲେ । ରାମଲୁର ମା’ ତା’ ମୁହଁରେ ପାଣି ଛିଞ୍ଚାଡ଼ିଲା, ତାଳୁରେ ଆଞ୍ଜୁଳାଏ ପାଣି ମାରିଲା । ଆସ୍ତେ ଆଖିପତା ଖୋଲିଲା କମଳୀ । ପ୍ରଥମେ ଚିତ୍କାର କରି ଉଠୁଥିଲା, କିନ୍ତୁ ରାମଲୁ ଓ ତା’ ମା’କୁ ଦେଖି ଆଶ୍ଵସ୍ତ ହେଲା ।

ଦିନେ କି ଦୁଇଦିନ ପରେ ରାମଲୁ ଯେତେବେଳେ କମଳୀକୁ କହିଲା ଯେ, “ ଚାଲନ୍ତୁ ମୁଁ ଆପଣଙ୍କୁ ଆପଣଙ୍କ ଘରେ ପହୁଞ୍ଚାଇ ଦେବି ।” ଭୋ ଭୋ ହୋଇ କାନ୍ଦି ପକାଇଲା କମଳୀ ! କେଉଁଠି ତା’ର ଘର ? କେଉଁଠି ତା’ର ଠିକଣା ? ରାମଲୁର ଏ କଳା ବଳିଷ୍ଠ ଚେହେରା ମଧ୍ୟରେ ସେ ଦେଖି ପାରୁଥିଲା ତା ନିରାପଦ ଆଶ୍ରୟ ସ୍ଥଳ । ରାମଲୁର ଏ ସରଳ ସଚ୍ଚୋଟ ଆଖି ମଧ୍ୟରେ ସେ ଖୋଜି ପାଉଥିଲା ମଧୁର ଦାମ୍ପତ୍ୟ ଜୀବନର ରାହା; ତେଣୁ କମଳୀ ନିଜ ପରିଚୟ ଭୁଲିଗଲା । ରାମଲୁର ସ୍ତ୍ରୀ ହୋଇ ସେଇ ରିକ୍ସାବାଲା ପାଖରେ ସବୁଦିନ ପାଇଁ ରହିଗଲା ।

ରାମଲୁର ମା’ ବୁଢ଼ୀଟି ଛଡ଼ା ଆଉ କେହି ନ ଥିଲେ । ସେ ଛୋଟବେଳେ ଖାଇବାକୁ ନ ପାଇ ତା ଆମ୍ମା ସହିତ ଆନ୍ଧ୍ର ପ୍ରଦେଶ ଛାଡ଼ି ଏଇଠି ଆସି ରହିଥିଲା । ତା ଆମ୍ମା, ପାଞ୍ଚ ଘରେ ପାଇଟି କରି ତାକୁ ବଡ଼ କରିଥିଲା । ବଡ଼ ହେଲାପରେ ରାମଲୁ ଏ କୁଡ଼ିଆଟିକୁ ତିଆରି କରିଥିଲା । କିଛି କିଛି ଟଙ୍କା ରଖି ନିଜେ ରିକ୍ସା ଖଣ୍ଡେ ମଧ୍ୟ କିଣିଥିଲା । ବାହାଘରର କିଛିଦିନ ସେମାନେ ହସଖୁସିରେ କଟାଇ ଦେଇଥିଲେ । ତାଙ୍କ ପଡ଼ାଟି ବିଶ୍ଵବିଦ୍ୟାଳୟ ପାଖରେ ହୋଇଥିବାରୁ ପ୍ରଫେସର୍‌, ରିଡ଼ର୍‌ କି ଅଧ୍ୟାପକମାନଙ୍କ ଘରେ କାମ ମିଳି ଯାଉଥିଲା । ଆଉ ସେଇ କାମ ଆରମ୍ଭ କରିଦେଇଥିଲା କମଳୀ । ରାମଲୁ ମଧ୍ୟ ରିକ୍ସା ଟାଣି ବେଶ୍‌ କିଛି ଟଙ୍କା ରୋଜଗାର କରୁଥିଲା । କିନ୍ତୁ ଆସ୍ତେ ଆସ୍ତେ ବଦଳିବାକୁ ଲାଗିଲା ରାମଲୁ । ଆଉ ପାଞ୍ଚଟା ରିକ୍ସାବାଲାଙ୍କ ପରି ଦେହ ମୁଣ୍ଡ ଦରଜ ହେଉଛି କହି ମଦ ପିଇବା ଆରମ୍ଭ କରିଦେଲା । ନିତି ରାତିରେ ଢୋଲେ ପିଇଦେଇ ଘରେ ଆସି ତାଣ୍ଡବ ଲୀଳା କରୁଥିଲା । ପିଲାବେଳର କିଛି କିଛି କଥା ଲବଙ୍ଗର ଏବେ ମଧ୍ୟ ମନେ ଅଛି । ଦିନେ ତା ବାପ ମାତାଲ ହୋଇ ଆସି ତା’ ବୋଉକୁ ପଇସା ମାଗିଲା । ତା’ ବୋଉ ଚିତ୍କାର କରି ମନାକଲା ଯେ, “ ବାବୁଘର ଦରମା ପାଇ ନାହାନ୍ତି, ପଇସା ଆସିବ କୁଆଡୁ ?” ତା ବାପାର ପାଟିରେ ନିଦ ଭାଙ୍ଗିଗଲା ଲବଙ୍ଗର । ସେ ଦେଖିଲା ତା ବୋଉର ଚୁଟିକୁ ଝିଙ୍କି ଝିଙ୍କି ତା ବାପା ପଇସା ମାଗୁଛି । ତା ବୋଉ ମରିଗଲି, ମରିଗଲି ବୋଲି ପାଟିକରି କହୁଛି ଓ କାନ୍ଦୁଛି କିନ୍ତୁ ତା ବାପା ଛାଡ଼ିବା ଲୋକ ନଥିଲା । ଏଥର ତା’ ବୋଉ ଚୁଟିକୁ ରାମଲୁ ହାତରୁ ଝିଙ୍କିନେଇ କହିଲା, “ ବୋତଲେ ପିଇ ନିଶାରେ ତ ଚାଲି ପାରୁନୁ, ଆଉ ପଇସା କ’ଣ କରିବୁ ?” ବାପା କହିଲା “ଆବେ ଶାଳୀ ମୁଁ ଅଲବତ୍‌ ପିଇବି, ତୋ ବୋପାର କ’ଣ ଗଲା ?” ଦେ, ମୋତେ ଟଙ୍କା ଦେ । ମୁଁ ଜାଣିଛି ତୁ ଆଜି ବାବୁଘରୁ ଟଙ୍କା ଆଣିଛୁ । ଚିଙ୍ଗୁଡ଼ି ଶୁଖୁଆ ଆଉ ବୁଟଭଜା ବିନା କ’ଣ ତାଡ଼ିଆ ଭଲ ଲାଗିବ ? ଚୁପ୍‌ ଚାପ୍‌ ଦେଇଦେ ବଜାତ୍‌ ମାଇକିନା । କହୁ କହୁ ପୁଣି କମଳୀକୁ ବାଡ଼େଇଲା । ସେତେବେଳକୁ ପାଞ୍ଚ କି ଛ’ ବର୍ଷର ଝିଅ ହୋଇଥାଏ ଲବଙ୍ଗ । ତା’ ବୋଉର ଏ କଷ୍ଟ ଦେଖି, ସହିନପାରି ଛଡ଼ାଇବାକୁ ଚେଷ୍ଟା କଲା । ଠେଲି ଫୋପାଡ଼ି ଦେଲା ତା’ ବାପା କାନ୍ଥରେ ବାଡ଼େଇ ହୋଇ ତା ମୁଣ୍ଡ ଫୁଲିଗଲା । କାନ୍ଦି କାନ୍ଦି କହିଲା ଲବଙ୍ଗ, ‘ବାପା ମୋ” ବୋଉକୁ ଛାଡ଼ିଦେ । ସେ ଟଙ୍କା ଗୋଟେ କନାରେ ବାନ୍ଧି, ଚାଳ ସନ୍ଧିରେ ରଖିଛି । ଏଥର ରାମଲୁ ତା’ ବୋଉକୁ ଛାଡ଼ିଦେଲା ଆଉ ଟଙ୍କାତକ ଧରି ଚାଲିଗଲା । ତା’ ବୋଉ ଖେଦି ଆସିଲା ଲବଙ୍ଗ ଉପରକୁ । “ ହଇଲୋ, ପୋଡ଼ା କପାଳୀ, ଅଭାଗିନୀ, ବାପକୁ ତ କହିଦେଲୁ, ମାସ ସାରା ଖାଇବୁ କ’ଣ ? କହୁ କହୁ ଲବଙ୍ଗର କାନମୋଡ଼ି ଦୁଇ ଚାରିଟା ବ୍ରହ୍ମଚାପୁଡ଼ା କସିଦେଲା । କାନ୍ଦି କାନ୍ଦି ଲବଙ୍ଗ ଭାବୁଥାଏ ବୋଉକୁ ସେ ମାଡ଼ରୁ ରକ୍ଷା କରିବା ପାଇଁ ଚେଷ୍ଟା କଲା ବୋଉ ତାକୁ ମାରୁଛି କାହିଁକି ?

ଏମିତି କଟି ଯାଇଥିଲା ଲବଙ୍ଗର ପିଲାବେଳ । ପ୍ରତି ରାତିରେ କିଏ ଆସି ଖବର ଦେବ ଯେ, ମଦଖାଇ ରାମଲୁ ଏଠି କି ସେଠି ଗଡୁଛି, ଆଉ ବୋଉ ଯାଇ ତାକୁ ଉଠାଇ, ଧରି ଧରି ଆଣିବ । ପ୍ରତିବଦଳରେ ଖୁବ୍‌ ମାଡ଼ ଖାଇବ ଓ ଅନେକ ରାତି ପର୍ଯ୍ୟନ୍ତ ଧକେଇ ଧକେଇ କାନ୍ଦିବ । ଲବଙ୍ଗ ସେତେବେଳେ ବୁଝିପାରେନି, କାହିଁକି ବଞ୍ଚିଛି ବୋଉ, କ’ଣ ବା ସୁଖ ମିଳୁଛି ତାକୁ ?

ହଠାତ୍‌ ଦିନେ ଖବର ଆସିଲା ଯେ, ମଦଖାଇ କଉ ରାସ୍ତା ଉପରେ ଗଡୁଥିଲା ରାମଲୁ, ତାକୁ ଟ୍ରକ୍‌ ମାଡ଼ି ଯାଇଛି । ବାଇଆଣୀ ପରି ଦଉଡ଼ିଲା ବୋଉ । ପଛରେ ଜେଜି ଲବଙ୍ଗକୁ ନେଇ ପହଞ୍ଚିଲା । ଡାକ୍ତରଖାନା ବାରଣ୍ଡାରେ ପଡ଼ିଥିଲା ତା’ ବାପର ଶବ । ମୁଣ୍ଡଟା ପୁରା ଛତୁ ହୋଇ ଯାଇଥିଲା । ଗୋଟେପଟ ହାତ ମଧ୍ୟ ଅଧାରୁ କଟି ଯାଇଥଲା । ଚାରିଆଡ଼ ରକ୍ତରେ ବୁଡ଼ି ଯାଇଥିଲା । ଆଉ ତା’ ବୋଉ କାଚ ବାଡ଼େଇ, ବାଡ଼େଇ ବୋବାଳି ପକାଉଥିଲା ।

କମଳୀ ବିଧବା ହୋଇଗଲା । ଗତର ଖଟାଇ ଯାହା ରୋଜଗାର କରେ, ସେଥିରେ ଲବଙ୍ଗକୁ ଆଉ ତା ଜେଜିକୁ ପୋଷେ । ଜେଜି ଏବେ ଭାରି ଚିଡ଼ିଚିଡ଼ା ହୋଇଗଲାଣି । ସବୁବେଳେ କମଳୀକୁ ଗାରୁ ଗାରୁ ହୋଇ ଗାଳିଦିଏ । ମୋ ପୁଅକୁ ଖାଇଗଲା, ସବାଖାଇ, ଡାହାଣୀ… | ବୋଉ ସବୁ ଶୁଣେ, କିନ୍ତୁ କିଛି କହେ ନାହିଁ । ଥରେ ଥରେ ରାତିରେ ଲବଙ୍ଗର ନିଦ ଭାଙ୍ଗିଗଲେ ଦେଖେ, ତା’ ବୋଉ ଚୁପ୍‌ ଚାପ୍‌ ବସି କାନ୍ଦୁଛି । ବୋଉର ଯେ କ’ଣ ଦୁଃଖ, ସେ ବୁଝି ପାରେନା । କହେ, “ ବହୁତ କାମ କରିବାକୁ ପଡୁଛି ବୋଲି, ତୋତେ କାଟୁଛି କି ବୋଉ ? ସେଥିପାଇଁ କାନ୍ଦୁଛୁ ? ” ବୋଉ ଆହୁରି ଜୋର୍‌ରେ ଧକେଇ ଧକେଇ କାନ୍ଦେ । ଲବଙ୍ଗ କହେ, “ କାନ୍ଦନାହିଁ ବୋଉ, ମୁଁ ତୋ ସାଙ୍ଗରେ ଯାଇ, ସବୁକାମ କରିଦେବି |” ଏଥର ତା’ ବୋଉ ତା’ କଥା ଶୁଣି ଫିକ୍‌ କରି ହସିଦିଏ ଆଉ ତାକୁ କୋଳକୁ ନେଇ ଶୋଇପଡ଼େ ।

ଲବଙ୍ଗର ଏ ଗେଲବସରପଣ ବେଶୀଦିନ ରହିଲା ନାହିଁ । ହଠାତ୍‌ ତା’ ଭିତରେ କିଛି ପରିବର୍ତ୍ତନ ଘଟିଗଲା । ସେ ଖାଇବା ଜିନିଷ ଫୋପାଡ଼ିଲା । ଟିକିଏ କଥାରେ ଗୋଡ଼ କଚାଡ଼ି କାନ୍ଦିଲା । ସେଇ ଲୋକଟାକୁ ଦେଖିଲେ କି ତା’ ଭିତରେ କେମିତି ଗୋଟେ ଗୋଳମାଳ ହୋଇ ଯାଉଥିଲା । ସେ ଲୋକଟା ଗୋଟେ ଟ୍ରକ୍‌ ଡ୍ରାଇଭର ଥିଲା । ତା’ ବୋଉକୁ ଦେଖିଲେ ହସି ହସି କଥା କହୁଥିଲା । ମଝିରେ ମଝିରେ ବୋଉ ପାଇଁ ଅତର, ପାଉଡ଼ର ଆଦି ଲୁଚାଇ ଲୁଚାଇ ଆଣି ଦେଉଥିଲା । ସେଇ ଲୋକଟାକୁ ଦେଖିଲେକି ତା’ ବୋଉ କେମିତି ଗୋଟେ ଅନ୍ୟ ମାଇପିଟେ ପାଲଟି ଯାଉଥିଲା । ସେ ମାଇପିଟା ଲବଙ୍ଗକୁ ନିଜର ବୋଉ ପରି ଲାଗୁ ନ ଥିଲା; ଫଳରେ ଲବଙ୍ଗର ଅଝଟିଆପଣ ବଢ଼ି ଯାଉଥିଲା, ଆଉ ଲବଙ୍ଗର ଏ ଜିଦ୍‌ଖୋର ଗୁଣ ଦେଖିଲେ ତା’ ବୋଉ ତା’ ପିଠିରେ ଦୁମ୍‌ ଦୁମ୍‌ କରି ଗୋଇଠା, ବିଧା କସି ଦେଉଥଲା ।

ଦିନେ ଲବଙ୍ଗର ବୋଉ ସବୁ ମାୟା ତୁଟେଇ ଦେଇ, ଦଶବର୍ଷର ଝିଅ ଲବଙ୍ଗ ଆଉ ସତୁରୀ ବର୍ଷର ବୁଢ଼ୀକୁ ଛାଡ଼ିଦେଇ ସେଇ ପଞ୍ଜାବୀ ଡ୍ରାଇଭର ସାଙ୍ଗରେ ପଳାଇଗଲା । ପଡ଼ା ସାରା ସମସ୍ତେ ଛି, ଛାକର କଲେ । ଜେଜି ତ ସଁପି, ସଁପି ଥକିଗଲା । ସେମାନଙ୍କ ଦେଖା ଦେଖି ଲବଙ୍ଗ ମଧ୍ୟ ତା’ ବୋଉକୁ ବହୁତ ଗାଳିଦେଲା ।

xxx

ସବୁଠାରୁ ବଡ଼ ସମସ୍ୟା ଥିଲା, କେମିତି ବଞ୍ଚିବ ଲବଙ୍ଗ ? କେମିତି ବଞ୍ଚାଇବ ତା ଜେଜିକୁ ? ପଡ଼ାରେ ସମସ୍ତେ ଆହା… ଚୁ.. ଚୁ.. ତ କଲେ, କିନ୍ତୁ କେହି ସାହାଭରସା ହୋଇପାରିଲେ ନାହିଁ । ସାହାଯ୍ୟର ହାତଟିଏ ବଢ଼ାଇଦେଲେ ନାହିଁ । ଏତିକି ବେଳେ ପାଖରେ ଆସି ଠିଆ ହେଲା ବାମନା । ବାମନଟିଏ । ତାଙ୍କ କୁଡ଼ିଆ ଆଗରେ କୁଡ଼ିଆ ଖଣ୍ଡେ କରି ରହିଛି । ଆଗକୁ କି ପଛକୁ ବୋଲି କେହି ନାହାନ୍ତି । ଅଢ଼େଇଫୁଟର ଯୁବକଟିଏ । ମୁହଁଟା ନେଭେଡ଼ା, କାଳିଆ ହୋଇ ଗୋଟେ କୁଷ୍ଠରୋଗୀର ମୁହଁ ପରି ।

ଗୋଡ଼ଗୁଡ଼ାକ ବଙ୍କା ବଙ୍କା ଯେ ଚାଲିଲେ ଅଷ୍ଟବକ୍ର ଋଷିଙ୍କ ଚାଲି ପରି ଦେଖାଯାଏ । ଏଇ ପନ୍ଦର କି ଷୋହଳ ବର୍ଷର ଟୋକାଟିଏ । ଲବଙ୍ଗର ବୋଉକୁ ବେଳ ଅବେଳରେ ସାହାଯ୍ୟ କରେ । ବୋଉ ମଧ୍ୟ ଉପରଓଳି ତା ପାଇଁ ରୁଟି ଚାରିଖଣ୍ଡ କରି ରଖିଥାଏ । ବାମନା ଗୋଟେ ଗ୍ୟାରେଜରେ କାମ କରେ । ସନ୍ଧ୍ୟାରେ ଯେତେବେଳେ କାମ ସାରି ଫେରେ, ତା କଳାବର୍ଣ୍ଣକୁ କାଳିଆ ତେଲ ଚିକିଟା ପ୍ୟାଣ୍ଟ୍‌ ପିନ୍ଧି ସେ ଗୋଟେ କିମ୍ଭୁତ କିମ୍ଭାକାର ଦେଖାଯାଏ । ପଡ଼ାପିଲେ ଛିଗୁଲାନ୍ତି ।

“ଆସିଲେ ରେ ଜଗା ଆସିଲେ ।”

ହେଲେ ଲବଙ୍ଗର ବୋଉ ତାକୁ କେବେ କିଛି କହେନା । ଦୁଃଖିନୀ ହିଁ ଦୁଃଖୀର ଦୁଃଖ ବୁଝେ । ଗ୍ୟାରେଜ୍‌ରେ ସାରାଦିନ କାମ କରି ସନ୍ଧ୍ୟାବେଳକୁ ଖୁବ୍‌ ଥକି ପଡ଼ିଥାଏ ବାମନା | ସେ ଘରକୁ ଆସି ଧୁଆଧୋଇ ହେଲାବେଳକୁ ଲବଙ୍ଗର ବୋଉ ରୁଟି ଚାରିଖଣ୍ଡ ବଢ଼ାଇଦିଏ । ସେ ପିଆଜ ଲଙ୍କା ଲଗାଇ ତାକୁ ଖାଇଦିଏ । ଅବଶ୍ୟ ଏ ରୁଟି ପାଇଁ ବାମନା ଅଟା ଦେଇଥାଏ । ତଥାପି କମଳୀର ଏ ସାହାଯ୍ୟ ପାଇଁ ସେ ତା ପାଖରେ ଅନୁଗତ ଚାକରଟିଏ ପରି ରୁହେ । କମଳୀ ଯେଉଁଦିନ ସେ ଡ୍ରାଇଭର ସହିତ ଚାଲିଗଲା, ବାମନାକୁ ଡାକି କହିଥିଲା, “ତୋତେ ଲାଗିଲାରେ ବାମନା, ମୋ ଝିଅର ସୁବିଧା ଅସୁବିଧା ବୁଝୁଥିବୁ ।”

ବାମନା ଅଟା ଆଣିଦେଲା । ଚାଉଳ ଆଣିଦେଲା । ଦଶବର୍ଷର ଝିଅ ଲବଙ୍ଗକୁ ରୋଷେଇ କରି ଖାଇବା ପାଇଁ କହିଲା । କିଛି କାମ ଜାଣି ନ ଥିବା ଲବଙ୍ଗ ଆସ୍ତେ ଆସ୍ତେ ସବୁକାମ ଶିଖିଗଲା । ରୋଷେଇ କଲା, ଘର ଓଳାଇଲା, ବାସନ ମାଜିଲା, ଜେଜିକୁ ମୋଡ଼ିଦେଲା ଓ ବାମନାକୁ ରୁଟି ତିଆରି କରି ଦେଲା । କିନ୍ତୁ ବାମନା ଏମାନଙ୍କୁ ପୋଷିବ କିପରି ? ତା’ର ଯାହା ରୋଜଗାର ସେଥିରେ ସେ ଏକା କଷ୍ଟେମଷ୍ଟେ ଚଳିଯାଏ । ଏ ତିନିଜଣଙ୍କୁ ଚଳାଇବ କିପରି ? ଏ ସମସ୍ୟାର ସମାଧାନ ବି ବାମନା କଲା । ତାରି ଗ୍ୟାରେଜ୍‌ରେ ବଡ଼ବାବୁଙ୍କ ଗାଡ଼ି ସଜଡ଼ା ହେଉଥିଲା । ସେ ବାମନାକୁ ପଚାରିଲା, “ କିରେ ବାମନା, ତୋ ଗାଁ ଆଡ଼ୁ ଗୋଟେ ଚାକର ପିଲା ଆଣିପାରିବୁ ?” ବାମନା କହିଲା “ହଁ ବାବୁ, ଗୋଟେ ଝିଅ ପିଲା ଅଛି । ଏଇ ଦଶ ବର୍ଷର ହେବ । କାମଦାମ ଶିଖିନାହିଁ । ଆପଣମାନେ ଶିଖାଇଦେଲେ ସବୁ କାମ କରିବ ଯେ,” ବାବୁ କହିଲେ, “ହଉ ଠିକ୍‌ ଅଛି, କାଲି ଆମ ଘରକୁ ତାକୁ ଆଣ ।” ସେଠାରେ ବୁଝିବା ।

ତହିଁ ଆରଦିନ ବାମନା ନିଜେ ଲବଙ୍ଗର ନୁଖୁରା, କହରା ବାଳକୁ କୁଣ୍ଡାଇ ଦେଲା । ତା’ର ଯେଉଁ ଫ୍ରକ୍‌ଟି ସବୁଠାରୁ ଭଲ ତାକୁ ପିନ୍ଧିବାକୁ କହିଲା । ବାବୁଙ୍କ ଘରକୁ ଗଲେ କେମିତି କଥା କହିବ, କେମିତି ନମସ୍କାର ହେବ, ସବୁ ବାଟ ସାରା ବତାଇ ବତାଇ ନେଲା । ବାବୁଘର ଅବଶ୍ୟ ଲବଙ୍ଗର ଧେଡ଼ି ମାଙ୍କେଡ଼ି ରୂପି ଦେଖି ପସନ୍ଦ କରୁ ନ ଥିଲେ, କିନ୍ତୁ ତାଙ୍କର ଚାକର ପିଲାଟିଏ ନିହାତି ଦରକାର ଥିଲା । ବଡ଼ବାବୁ ନିଜେ ଜଣେ ପ୍ରଫେସର, ତାଙ୍କ ସ୍ତ୍ରୀ ଜଣେ ଅଧ୍ୟାପିକା । ଗୋଟିଏ ବୋଲି ପୁଅ ମୋହନ । ମା’ ଚାକିରି କରି ଏକା ଏକା ଘରକାମ କରିପାରନ୍ତି ନାହିଁ । ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ଜଣେ ନିହାତି ଦରକାର ହୁଏ । ଅଗତ୍ୟା ସେମାନେ ଲବଙ୍ଗକୁ ରଖିନେଲେ ।

ଆଠବର୍ଷ ତଳେ ବାବୁଙ୍କ ଘରେ କାମ ଆରମ୍ଭ କରିଥିବା ସେଇ ବୋକି, ଧେଡ଼ି ଲବଙ୍ଗ, ଆଜି ଅଠର ବର୍ଷର ତରୁଣୀ । ଏବେ ଦୁନିଆ ବିଷୟରେ ସେ କେତେ କଥା ଜାଣିଗଲାଣି । ତାଙ୍କ ପଡ଼ାର ସବୁଠାରୁ ସୁନ୍ଦରୀ ଆଉ ସ୍ମାର୍ଟ ଝିଅ ସେ । ବେଶ୍‌ ପରିଷ୍କାର, ପରିଛନ୍ନ ରହେ । ମା’ଙ୍କଠାରୁ ମିଳୁଥିବା ରଙ୍ଗଛଡ଼ା, ପୁରୁଣା ଶାଢ଼ୀକୁ କୁଞ୍ଚକରି, ବଳାଗଣ୍ଠିଠାରୁ ଚାଖଣ୍ଡେ ଉପରକୁ ପିନ୍ଧେ । କପାଳରେ ଏତେବଡ଼ ଟିକିଲି ମାରେ । ନୁଖୁରା, କହରା ବାଳକୁ ବାବୁଘର ଝିଅମାନଙ୍କ ପରି କ୍ଲିପ୍‌ ମାରି ଘୋଡ଼ାଲାଞ୍ଜ ଚୁଟି ଛାଡ଼ିଦିଏ । ପ୍ରତି ମାସରେ ଦରମା ମିଳିଲେ, ନିଶ୍ଚୟ ଥରଟିଏ ମହାରାଜାରେ ଥାଡ଼କ୍ଲାସରେ ବସି ସିନେମା ଦେଖେ । କେତେ ଡାଇଲଗ୍‌ ସେ ଜାଣିଛି । କେତେ ସିନେମା ଗୀତ ସେ ଗାଇ ପାରିବ । ସିନେମାର ପ୍ରଭାବ ଟିକେ ତା ଉପରେ ବେଶୀ ପଡ଼ିଛି । ସେଥିପାଇଁ ପଡ଼ା ଟୋକାଏ ତାକୁ ‘ଶ୍ରୀ ଦେବୀ’ ଡାକନ୍ତି । ଲୋଭିଲା ଆଖିରେ ତା କୁଡ଼ିଆ ଆଗରେ ଏପଟ, ସେପଟ ହୁଅନ୍ତି । ସୁବିଧା ପାଇଲେ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରନ୍ତି । ହେଲେ ବାମନା ଯୋଗୁଁ କେହି ଲବଙ୍ଗ ପ୍ରତି କୁବ୍ୟବହାର କରି ପାରନ୍ତି ନାହିଁ । ବାମନା ଅଭିଭାବକଟିଏ ପରି ଲବଙ୍ଗକୁ ଗୋଡ଼େ ଗୋଡ଼େ ଜଗିଥାଏ । ସବୁବେଳେ ତା ପାଖେ ପାଖେ ଥାଏ । ସତେ ଯେମିତି କାୟା ସହିତ ଛାୟା । ବାମନା ପ୍ରତିଦିନ କାମରୁ ଫେରିଲା ବେଳେ ଲବଙ୍ଗ ପାଇଁ ବରା ଦୁଇଟି ହେଉ କି ଗୁଲୁଗୁଲା ଦୁଇଟା ହେଉ ଧରିକରି ଆସେ । ଲବଙ୍ଗକୁ ପାଖରେ ବସାଇ ଭଲ ମନ୍ଦ କଥା ବତାଏ । ଏଠିକି ଯିବୁନି, କି ସେଠିକି ଯିବୁନି ବୋଲି ବାରଣ କରେ | ଥରେ ଥରେ ବିରକ୍ତ ହୋଇ ଲବଙ୍ଗ କହେ, “ କେତେ ମୁରବୀଗିରି ଦେଖେଇ ହେଉଛୁରେ ବାଡ଼ିପଡ଼ା, ମୁଁ ତୋର କିଏ କି ?” ବାମନା ବୁଝାଇ ପାରେନା ଲବଙ୍ଗକୁ, ସେ ତା’ର କିଏ ବୋଲି ହେଲେ ଲବଙ୍ଗ ତାକୁ ଖୁବ୍‌ ଆପଣାର ଲାଗେ । ଲବଙ୍ଗ ‘ନାଁ’ର ଉଚ୍ଚାରଣ ମାତ୍ରେ ହିଁ ତା ମନ କେମିତି ଭରିଯାଏ ।

ବୟସର କାଉଁରୀ ପରଷ ଲବଙ୍ଗର ଦେହରେ, ମନରେ ଯେଉଁ ପରିବର୍ତ୍ତନ ଆଣି ଦେଇଛି, ସେ ସେଥିରେ ଫୁଲିଯାଏ । ତାକୁ ଏ ପଡ଼ାର କେହି ଭଲ ଲାଗନ୍ତି ନାହିଁ ।

ଅଭାବ ଭୋକର ଏ ପଡ଼ା, ମଦ ଓ ମାଡ଼ର ଏ ପଡ଼ା । ଏ ପଡ଼ାରେ କୌଣସି ସୁଖ ନାହିଁ । ସେ ଅଲଣୀ, ଜେମା ଓ ପଟି ଆଦିଙ୍କୁ କହେ, “ ଏ ଗରୀବ ମଦୁଆଗୁଡ଼ାଙ୍କୁ ବାହାହୋଇ ଲାଭନାହିଁ । ବଡ଼ ବଡ଼ ବାବୁ ଦେଖି ବାହାହେବା ଉଚିତ ।” ହସନ୍ତି ସେମାନେ କହନ୍ତି, “କେଉଁ ବାବୁ ଆମକୁ ବାହା ହେବ ବା… ବା…. ”

କାହିଁକି ତୁ କ’ଣ ସିନେମାରେ ଦେଖିନୁ, ଏମିତି କାମବାଲୀ ଝିଅଙ୍କୁ ତ ପୁଣି ଧନୀଘର ରାଜା ପରି ପୁଅମାନେ ବାହାହେଉଛନ୍ତି । ସମାଜ, ବନ୍ଧୁ, ବାନ୍ଧବ ସମସ୍ତେ ହାର ମାନୁଛନ୍ତି । ପୁଣି ବୁଝାଇଲା ପରି କହେ ଲବଙ୍ଗ, “ ଅସଲରେ ଦରକାର ପ୍ୟାର୍‌, ମୋହବତ ।”

କିଏ ଆମକୁ ପ୍ୟାର କରିବ ଲୋ ଲବଙ୍ଗ ?

କରିବେନି କାହିଁକି ? ମୋତେ ତ ପୁଣି ସାନବାବୁ ପ୍ୟାର କରୁଛନ୍ତି । ହସି ହସି ଗଡ଼ିଯାନ୍ତି ସଙ୍ଗୀମାନେ । କହନ୍ତି, “ ଦିବା ସ୍ଵପ୍ନ ଦେଖନା ଲୋ ଲବଙ୍ଗ | ଅବେଳାରେ ଭାଙ୍ଗିଯିବ ଆଉ ତୁ କଷ୍ଟ ପାଇବୁ ।” ସେମାନଙ୍କ କଥା ମାନିବାକୁ ଲବଙ୍ଗ ରାଜି ନୁହେଁ । ଦୃଢ଼ତାର ସହିତ କୁହେ, “ ଦିବାସ୍ଵପ୍ନ କାହିଁକି ? ସାନବାବୁ ପରା ମୋତେ ଲବଙ୍ଗ ରାଣୀ ଡାକନ୍ତି । ମୋ ତିଆରି ଚା’ କୁ ତ ତାଙ୍କର ଭାରି ଶରଧା । ସବୁବେଳେ ତ ଲବଙ୍ଗ ଲବଙ୍ଗ ହେଉଥିବେ । ତାଙ୍କର ଆଗ ଚାକିରିଟା ହୋଇଯାଉ । ବାହାଘର କଥା ଉଠାଇବେ କି ନାହିଁ ମୋତେ କହିବ ।” ହାର ମାନନ୍ତି ସେମାନେ । ଲବଙ୍ଗ ସାଙ୍ଗରେ କିଏ ପାରିବ ? କହନ୍ତି, ହୋଇଥିବ ଲୋ ଲବଙ୍ଗ । ତୁ ବଡ଼ ଭାଗ୍ୟବତୀ ।”

ସତକୁ ସତ ଲବଙ୍ଗ ନିଜକୁ ବଡ଼ ଭାଗ୍ୟବତୀ ମନେ କରେ । ସାନବାବୁଙ୍କୁ ନେଇ ଅନେକ କାଳ୍ପନିକ ଚିତ୍ର ମନ ଭିତରେ ଆଙ୍କିବସେ । କେଉଁ ଚିତ୍ରରେ ସାନବାବୁ ରାଜା ତ ସେ ରାଣୀ । ପୁଣି ସାନବାବୁ ବାଦଶାହା ତ ସେ ବେଗମ୍‌ । କେତେବେଳେ ସାନବାବୁଙ୍କ ସାଙ୍ଗରେ ସ୍କୁଟରରେ ଯାଏ ତ କେତେବେଳେ କାର୍‌ରେ । କେତେବେଳେ ସାନବାବୁଙ୍କ ସହିତ ପାର୍କରେ ବୁଲି, ବୁଲି ଗୀତ ଗାଏ ତ କେତେବେଳେ ହୋଟେଲରେ ଥାଏ । ସ୍ଵପ୍ନରେ ତା ମନର ସବୁ ଅରିମାନ ମେଣ୍ଟାଇ ନିଏ । ଧୀରେ ଧୀରେ ସାନବାବୁଙ୍କୁ ସେ ମନେ ମନେ ଖୁବ୍‌ ଭଲପାଇ ବସିଲା ଆଉ ସାନବାବୁଙ୍କର ପ୍ରତିଟି କଥା ତାକୁ ମଧୁମୟ ଲାଗିଲା । ସେ ତାଙ୍କର ପ୍ରତିଟି କାମକୁ ସୁଚାରୁ ରୂପେ କରିଥାଏ । ମା’ଙ୍କୁ ଶାଶୁର ସମ୍ମାନ ଦିଏ ଆଉ ବଡ଼ବାବୁଙ୍କୁ ଶ୍ବଶୁର । ତା ଶାଶୁଘରର କାମ ତ ତା ନିଜ କାମ, ସେଥିପାଇଁ ସେ ମନପ୍ରାଣ ଦେଇ ସବୁକାମ କରିଥାଏ । ବାବୁ ମା’ ଓ ସାନବାବୁ ଲବଙ୍ଗର କାମରେ ଭାରି ଖୁସି ହୁଅନ୍ତି । ବେଳେବଳେ ପ୍ରଶଂସା ମଧ୍ଯ କରନ୍ତି । ସାନବାବୁ କୁହନ୍ତି, “ମମି ଏ ଲବଙ୍ଗଟା ଦିନେ ନ ଥିଲେ ତ ଆମଘର ଚଳୁନି, ତାକୁ ଆମେ ସବୁଦିନ ପାଇଁ ରଖିନେବା ।” ଲବଙ୍ଗ ଶୁଣି ଚୁପଚାପ୍ ‌ ହସେ ଆଉ ମନକୁ ମନ କହେ, “ବୁଝିଛି ଗୋ ତୁମ କଥା ବୁଝିଛି । ମୁଁ ବା ଆଉ ତୁମକୁ ଛାଡ଼ି କୁଆଡ଼େ ଯାଉଛି ?” ଲବଙ୍ଗ ମନରେ, କଳ୍ପନାର ବୃକ୍ଷଟି ଶାଖା ପ୍ରଶାଖା ଦେଇ ବଢ଼ିଉଠେ ।

ସେଦିନ ପହିଲି ରଜ । ଲବଙ୍ଗ ଗୋଡ଼ରେ ଅଳତା ନାଇଛି । ମା’ ଗୋଟେ ନାଲି ନୂଆ ଶାଢ଼ୀ ଦେଇଥିଲେ ଯେ, ତାକୁ ପିନ୍ଧିଛି । ମୁଣ୍ଡରେ ନାଲି ଟୋପାକୁ, ନାଲି କ୍ଲିପ୍‌ ଦେଇ ଚୁଟି କରିଛି । ସହଳ, ସହଳ ବାବୁଘର କାମ ସାରି ଚାଲି ଆସିଲା । ମା’ ପେଟେ ପିଠା ଖାଇବାକୁ ଦେଲେ । ପୁଣି ଜେଜି ପାଇଁ ମଧ୍ୟ ପିଠା ଦୁଇଟା ଦେଇଥିଲେ । ପଡ଼ାରେ ଆଜି ଦୋଳି ହୋଇଛି । ଜେଜିକୁ ପିଠାଦେଇ ଦୋଳି ଖେଳିବ ବୋଲି ତରବର ହୋଇ ବାହାରୁଥିଲା ଲବଙ୍ଗ । ଆଗରେ ଆସି ଠିଆ ହେଲା ବାମନା । ନେଭେଡ଼ା ମୁହଁରେ ହସିଦେଇ କହିଲା, “ଆଜି ଭାରି ସୁନ୍ଦର ଦିଶୁଛୁ ଲୋ ଲବଙ୍ଗ ।” ଗର୍ବରେ ଲବଙ୍ଗ ଫୁଲିଗଲା । “କୁଆଡ଼େ ଯାଉଛୁ କି ? ଟିକେ କଥା ଥିଲା ।” “ଯାହା କହିବୁ ଜଲ୍‌ଦି କହ ରେ ବାମନା । ସମସ୍ତେ ଦୋଳି ଖେଳିବାକୁ ଗଲେଣି”, ତରବର ହୋଇ କହିଲା ଲବଙ୍ଗ । ଲବଙ୍ଗର ଅଣ୍ଟା ପର୍ଯ୍ୟନ୍ତ ହେଉଥିବା ବାମନା ଲବଙ୍ଗର ହାତଟିକୁ ଧରି କହିଲା, “ ତୋ ବୋଉ ତୋତେ ମୋ ଜିମାରେ ଛାଡ଼ିଦେଇ ଗଲାଦିନରୁ ମୁଁ ତୋତେ ମୋ ନିଜର ବୋଲି ଭାବିଛି । ଆଜି ରଜ ବୋଲି ମୋ ଟଙ୍କାରୁ ସଞ୍ଚି ସଞ୍ଚି ତୋ ପାଇଁ ଏ ଶାଢ଼ୀ ଖଣ୍ଡକ ଆଣିଛି । ଏଥର ଡୋରିଆ କସ୍ତା ଶାଢ଼ୀ ଖଣ୍ଡକ ଲବଙ୍ଗ ହାତକୁ ବଢ଼ାଇ ଦେଲା । ଲବଙ୍ଗ ଶାଢ଼ୀ ଖଣ୍ଡକ ହାତରେ ଧରି କାବା ହୋଇ ବାମନାକୁ ଚାହିଁଲା । ଲବଙ୍ଗ ଆଖିରେ ଆଖି ମିଳାଇ ପୁଣି ବାମନା କହିଲା, “ତୋର ଯଦି କିଛି ଆପତ୍ତି ନ ଥାଏ ତେବେ ମୁଁ ତୋତେ ବାହା ହେବାକୁ ଚାହୁଁଛି ।” ଲବଙ୍ଗର ମୁହଁର ରଙ୍ଗ ବଦଳିଗଲା । ଶାଢ଼ୀଖଣ୍ଡକ ଫୋପାଡ଼ି ଦେଇ କହିଲା, “ ହଇରେ ବାମନା, ତୁ ତ ସତକୁ ସତ ବାମନଟାଏ, ଚନ୍ଦ୍ର ଧରିବାକୁ ହାତ ବଢ଼ାଉଛୁ କେମିତି ? ହଇରେ ଗାତପଶା, ତୋର ଏଡ଼େ ଦିମାକ୍‌, ମନ କରୁଛୁ ମୋତେ ବାହା ହେବାକୁ ! ଆରେ ପୋଡ଼ାମୁହାଁ ବାନର, ଦର୍ପଣରେ କେବେ ମୁହଁ ଦେଖିଛୁ ? ତୋ ଏ ଥୋବରା ରୂପରେ ମୁଁ ପରା ଛେପ ପକାଇବି ନାହିଁ । ମୋ ବାଟକୁ ତ ସାନବାବୁ ଚାହିଁ ବସିଛନ୍ତି ଆଉ ତୁ କି ଛାର… । “ଯେତିକିର ମଣିଷ ସେତିକିରେ ରହିବା ଭଲ । ଏ ଆକାଶ କଇଁଆ ଚିଲିକା ମାଛର ସପନ କାହିଁକି ? ସେମାନେ ଯେ ବଡ଼ ଲୋକ ଲୋ ଲବଙ୍ଗ । ତୁ ଯେତେ ହାତ ବଢ଼ାଇଲେ ମଧ୍ୟ ତାଙ୍କୁ ଧରି ପାରିବୁ ନାହିଁ । ଖାଲି ସୁନା ହରିଣୀ ପଛରେ ଧାଇଁବାଟା ସାର ହେବ ।” ଲବଙ୍ଗ ଫୋପାଡ଼ି ଦେଇଥିବା ଲୁଗାଟା ଗୋଟାଉ ଗୋଟାଉ କହିଲା ବାମନା । ହେଲେ ତା’ର ଏ ଉପଦେଶ ସବୁ ଶୁଣିବା ପାଇଁ ଲବଙ୍ଗ ସେଠାରେ ନ ଥିଲା ।

ଲବଙ୍ଗ ସମସ୍ତଙ୍କଠାରୁ ବେଶୀ ସମୟ ଦୋଳି ଝୁଲିଲା । ଜାଣି ଜାଣି ପଟି କହିଲା, ଝୁଲୁଥା’ ଲୋ ଲବଙ୍ଗ, ମନ ବୋଧକରି । କିଏ ଜାଣେ, ଆର ବର୍ଷକୁ ତୁ ଏ ପଡ଼ାରେ ଥିବୁ କି ନାହିଁ । ତୋ ସାନବାବୁଙ୍କର ଚାକିରି ହୋଇଗଲେ ତୁ ତ ବାହାହୋଇ ଯିବୁ । ଲବଙ୍ଗ ପଟିର ଏକଥା ଶୁଣି ଆତ୍ମସନ୍ତୋଷରେ ଉଚ୍ଛୁଳି ପଡ଼ିଲା । ବଡ଼ ଜାଣିବାର ପରି କହିଲା,“ ତମେ ଗୁଡ଼ାକ ସେମିତି, ବଡ଼ ହେବାପାଇଁ କେଭେ ଚାହିଁବ ନାହିଁ | ଏଇ ପଡ଼ାଟା ତମ ପାଇଁ ଭଲା ଯଦି କେହି ରିକ୍ସାବାଲା ବାହାହେବା ପାଇଁ ରାଜି ହୋଇଗଲା ତ, ତାହା ତୁମପାଇଁ ସରଗ ସୁଖ । ଆରେ ମୁଁ କହୁଛି ସପନ ଦେଖ, ସପନ । ସପନ ଦେଖିବାକୁ କ’ଣ ପଇସା ପଡୁଛି ? ସେଦିନ ‘ମା’ କ’ଣ ଗୋଟେ କବିତା କହୁଥିଲେ ପରା । ଏଥର ଟିକେ ମନେ ପକାଇବାକୁ ଚେଷ୍ଟା କଲା ଆଉ ନିଜ ସୁବିଧା ଅନୁଯାୟୀ କବିତାଟିକୁ ବଦଳାଇ କହିଲା,

“ବଡ଼ ହେବାପାଇଁ ଥାଏ ଯଦି ଇଚ୍ଛା,
ବଡ଼ କର ଆଗ ନିଜ ମନବାଞ୍ଛା ।”

ନିଜକୁ ନିଜେ ବଡ଼ ଭାବ ଆଉ ବଡ଼ବଡ଼ିଆ ବାବୁଦେଖି ବାହା ହେବାକୁ ଚେଷ୍ଟା କର । ଦୋଳି ପାଖରେ ଜମିଥିବା ସବୁ ଝିଅଗୁଡ଼ା ଲବଙ୍ଗର ଉପଦେଶ ଶୁଣିଲେ ହେଲେ ସେମାନେ ରାମା, ଚେମା, ରତନା କି ମଦନା ଛଡ଼ା ଆଉ କାହା କଥା ଭାବି ପାରନ୍ତି ନାହିଁ । ଏମାନେ ତାଙ୍କ ପଡ଼ାର ଟୋକା । ଭାଙ୍ଗ ଖାଆନ୍ତୁ କି ଗଞ୍ଜେଇ ଟାଣନ୍ତୁ, ମଦ ପିଅନ୍ତୁ କି ମାତାଲ ହୁଅନ୍ତୁ, ଏମାନେ ଆପଣାର ଲୋକ । ଏକାପରି ଚଳଣୀ, ଏକାପରି ଅବସ୍ଥା ଏମାନଙ୍କର । ଏମାନେ କେବେ ଧୋକା ଦେବେନି । ଆଉ ଏ ବଡ଼ ବଡ଼ ବାବୁମାନେ, ବାସ୍ ନେଇଯାଇ ବାସି ଫୁଲ ପରି ଫିଙ୍ଗିଦେବେ ତାଙ୍କପରି ଝିଅମାନଙ୍କୁ । ତାଙ୍କ ଭିତରୁ ନେତୃତ୍ୱ ନେଇ ଅଲଣୀ କହେ, ତୁ ବୁଝିପାରୁନୁ ଲୋ ଲବଙ୍ଗ । ତୋ ଆଖିରେ ରଙ୍ଗୀନ୍‌ ଚଷମାଟେ ନାଇଛୁ ଯେ, ତୋତେ ସବୁ ସୁନ୍ଦର ଦେଖାଯାଉଛି । କେତେଟା ବଡ଼ ବଡ଼ ବାବୁଘରର ପୁଅ, ଆମ ପଡ଼ରେ ଝିଅଙ୍କୁ ବାହା ହେଲେଣି କହିଲୁ ? ଏଗୁଡ଼ାକ ସବୁ ସିନେମାରେ ସମ୍ଭବ । ସତକୁ ସତ କେବେ ହେବନି । ଲବଙ୍ଗ ମୁହଁ ମୋଡ଼େ, ସେମାନଙ୍କ କଥା ମାନେନା । କହେ, “ରଇଥା ଦେଖିବ, ବାବୁ ଯେମିତି ମା’ଙ୍କୁ ଗାଡ଼ିରେ ବସାଇ ବୁଲାଇ ନେଉଛନ୍ତି, ସେମିତି ମୋତେ ସାନବାବୁ ନିଇତି ଗାଡ଼ିରେ ବସାଇ ବୁଲେଇ ନେବେ । ତମପରି କେତେ ଅଲଣୀ, ପଟି, ମୋ ପୋଇଲି ହୋଇ ଖଟୁଥିବେ ।”

ସାଙ୍ଗମାନେ ସବୁ ହସି ହସି ଗଡ଼ିଯା’ନ୍ତି । ପଟି କହେ, ‘ ହଉ ଦେଖିବା ଲୋ ଲବଙ୍ଗ, କଉ ପାଣି କୁଆଡ଼େ ଯାଉଛି ।’…

-ତା’ ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top