ଗୋବିନ୍ଦର ସାଇକେଲ୍ପଛରେ ବସି ରାଧା ପଚାରିଲା- ଆଜି ଜୁଲିକୁ ଖେଳଛୁଟିରେ ତାଙ୍କ ଘରକୁ ନେଇଥିଲୁ ଓ ଦୁଇଦିନ ତଳେ ମାଳତୀକୁ ବି ସ୍କୁଲ୍କୁ ଆଣିଥିଲୁ?
ହୁଁ- ଗୋବିନ୍ଦ ସାଇକେଲ୍ ଚଲଉଚଲଉ କହିଲା ।
ଗତକାଲି ଲୋରା ଓ ଜିନାକୁ ବି ନବା ଆଣିବା କରିଥିଲୁ?
ହୁଁ ।
ସେମାନଙ୍କୁ ବାହାନା ଦରକାର ନା ତତେ? ଗୋବିନ୍ଦ କଣ କହିବ ଭାବୁଭାବୁ ରାଧାର ଘର ଆସିଯାଇଥିଲା ।
ସେ ରାଗରେ ଘରମୁହାଁ ହେଲାବେଳେ ଗୋବିନ୍ଦ ଡାକିଲା- ଏତକ ନେଲୁନି ଯେ! ତୋ’ ଜିନିଷତକ । ରାଧା ଦେଖିଲା ତା’ ପ୍ରିୟ ଲାଲ୍ ଗୋଲାପ ସହ ଯୋଡିଏ ସପେଟା ।
ତେବେ ବି ମୁହଁ ହାଣ୍ଡି କରି କହିଲା- ସେ ଜୁଲି, ଜିନା ନଇଲେ କାଉ, ବଗଙ୍କୁ ଦେଇଦବୁ ।
ଗୋଲାପ ଆଣୁଆଣୁ କଣ୍ଟାରେ ହାତ ଫୁଟିଯାଏ । ତେଣୁ ଏସବୁରେ ତୋ’ର ଅଧିକାର । ଆଉ କାହାକୁ ଦେଇପାରିବିନି ।
ରାଧା ରାଗରେ କହିଲା- ନିଆଁ ପୋଇଁବାକୁ ଭଲପାଇବୁ, ହେଲେ ଦିଆସିଲି ହଜେଇଦବୁ, ଏ କି କଥା ! ସବୁନାଟର ଗୋବର୍ଦ୍ଧନ ତୁ !
ହେଲା ଏବେ ନେ’ ଏତକ- ଗୋବିନ୍ଦ କାକୁତିମିନତି ହେଲାରୁ ରାଧା ସେସବୁକୁ ଧରି ଚାଲିଗଲା । ଗୋବିନ୍ଦ ଦେଉଥିବା ଫୁଲକୁ ସାଇତୁଥିବା ଡାଏରୀକୁ ନିରେଖିଲା । ପାଖୁଡାଗୁଡାକ ଶୁଖିଆସିଲେଣି । ଡେମ୍ଫରେ କଳାକଳା କିଛି ଅଠାଳିଆ ଜିନିଷ !
ତା’ ପରଦିନ ରାଧା ପଚାରିଲା- ଫୁଲ ତୋଳିଲାବେଳେ ତୋ’ ହାତରେ କଣ୍ଟାଫୁଟି ରକ୍ତ ଝରେ? ଗୋବିନ୍ଦ ହୁଁ ମାଇଲା ।
ଆଉ ଗୋଲାପ ଦବୁନି । ଆଉ ଯାହା ହେଇଦେବୁ ପଛେ ।
ଉହୁଁ, ଗୋଲାପ ହିଁ ଦେବି । ଜୁଲି, ଜିନା, ମାଳତୀ, ଲୋରାଙ୍କୁ ତାଙ୍କ ଘରୁ ନବା ଆଣିବା ବାହାନାରେ ସେମାନଙ୍କ ବଗିଚାରୁ ଗୋଲାପ ଆଣେ । ଆଜି ଶରତ ଘରକୁ ଯାଇଥିଲି ତୋ’ ପ୍ରିୟ କଲମୀ ଆମ୍ବ ଆଣିବାକୁ । ରାଧା ଭିଜିଯାଉଥିଲା ଅକୁହା ଦୁଃଖରେ ।
ଗୋବିନ୍ଦ ମୁରୁକିହସି ଭାବୁଥିଲା- ଜାଣିଚି, ତୋ’ ପ୍ରଶ୍ନପତ୍ରରେ ମୋ ଉତ୍ତର ଶହେକୁ ଶହେ । ତେବେ ବି ତୋ’ ପାଇଁ ସବୁ ପରୀକ୍ଷା ଦେଇପାରେ ।
ରାଧା ଭାବୁଥିଲା- ସତରେ ତୁ ନାଟୁଆଟେ ! ମୋ ଭିତରେ କାଇଁ ଝଡ ସୃଷ୍ଟି କରୁ ? ରାଧାର ଘର ପାଖ ହେଇଯାଇଥିଲା । ସାଇକେଲ୍ରୁ ଓହ୍ଲାଇ ରାଧା କହିଲା – ଏଥର ଦେ’ ମୋର ସବୁତକ ଚିଜ । ଗୋଲାପ ଓ କଲମୀ ଆମ୍ବ ସହିତ ଗାଢ ଚୁମାଟେ ଆଙ୍କିଦେଲା ଗୋବିନ୍ଦ, ରାଧା କପାଳରେ । କହିଲା- ଏସବୁ କେବଳ ତୋ’ର ।